Unknown

 

 

 

 

 

ମହାଭାରତ ବନପର୍ବ-୧

 

ଭାଷାନ୍ତର

ଗୋବିନ୍ଦଚନ୍ଦ୍ର ମହାପାତ୍ର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୭୫୧୦୧୪

 

ସୂଚୀପତ୍ର

 

ଅଧ୍ୟାୟ

ବିଷୟ

ପୌର ପ୍ରତ୍ୟାଗମନ

ପାଣ୍ଡବଙ୍କ ପ୍ରବ୍ରଜନ

କାମ୍ୟକବନ ପ୍ରବେଶ

ବିଦୁରବାକ୍ୟ ପ୍ରତ୍ୟାଖ୍ୟାନ

ବିଦୁର ନିର୍ବାସନ

ବିଦୁର ପ୍ରତ୍ୟାଗମନ

ବ୍ୟାସଙ୍କ ଆଗମନ

ବ୍ୟାସଙ୍କ ଉକ୍ତି

ସୁରଭୀ ଉପାଖ୍ୟାନ

୧୦

ମୈତ୍ରେୟ ଶାପ

୧୧

ବିଦୁରଙ୍କ ଉକ୍ତି

୧୨

ଦ୍ରୌପଦୀଙ୍କୁ ଆଶ୍ୱାସନା

୧୩

ବାସୁଦେବଙ୍କ ଉକ୍ତି

୧୪

ସୌଭବଧ ଉପାଖ୍ୟାନ

୧୫

ସୌଭବଧ ଉପାଖ୍ୟାନ

୧୬

ସୌଭବଧ ଉପାଖ୍ୟାନ

୧୭

ପ୍ରଦ୍ୟୁମ୍ନ-ଶାଲ୍ୱ ଯୁଦ୍ଧ

୧୮

ପ୍ରଦ୍ୟୁମ୍ନର ଅନୁତାପ

୧୯

ଶାଲ୍ୱ ପରାଜୟ

୨୦

ଶ୍ରୀକୃଷ୍ଣ-ଶାଲ୍ୱ ଯୁଦ୍ଧ

୨୧

ଶାଲ୍ୱମାୟାରେ କୃଷ୍ଣଙ୍କ ମୋହ

୨୨

କୃଷ୍ଣାଦି ରାଜାଙ୍କର ପ୍ରତ୍ୟାଗମନ

୨୩

ଦ୍ୱୈତବନ ପ୍ରବେଶୋଦ୍ୟମ

୨୪

ଦ୍ୱୈତବନ ପ୍ରବେଶ

୨୫

ମାର୍କଣ୍ଡେୟଙ୍କର ଧର୍ମୋପଦେଶ

୨୬

ବକର ବ୍ରାହ୍ମଣମାହାତ୍ମ୍ୟ କଥନ

୨୭

ଦ୍ରୌପଦୀଙ୍କ ସନ୍ତାପପୂର୍ଣ୍ଣ ଉକ୍ତି

୨୮

ପ୍ରହ୍ଲାଦ-ବଳୀ ସମ୍ବାଦ

୨୯

ଦ୍ରୌପଦୀ-ଯୁଧିଷ୍ଠିର ସମ୍ବାଦ

୩୦

ଦ୍ରୌପଦୀଙ୍କ ଉକ୍ତି

୩୧

ଯୁଧିଷ୍ଠିରଙ୍କ ଉକ୍ତି

୩୨

ଦ୍ରୌପଦୀଙ୍କ ଉକ୍ତି

୩୩

ଭୀମଙ୍କ ଉକ୍ତି

୩୪

ଯୁଧିଷ୍ଠିରଙ୍କ ଉକ୍ତି

୩୫

ଦୁଃଖିତ ଭୀମଙ୍କ ଉକ୍ତି

୩୬

କାମ୍ୟକବନ ଗମନ

୩୭

ଇନ୍ଦ୍ର-ଦର୍ଶନ

୩୮

ମୁନି-ଶଙ୍କର ସମ୍ବାଦ

୩୯

ମହାଦେବ ସ୍ତବ

୪୦

ଶିବପ୍ରସ୍ଥାନ

୪୧

ଦେବପ୍ରସ୍ଥାନ

୪୨

ଅର୍ଜୁନଙ୍କ ସ୍ୱର୍ଗ-ପ୍ରସ୍ଥାନ

୪୩

ଇନ୍ଦ୍ରସଭା ଦର୍ଶନ

୪୪

ଅର୍ଜୁନଙ୍କ ସଙ୍ଗୀତଶିକ୍ଷା

୪୫

ଚିତ୍ରସେନୋବଂଶୀ ସମ୍ବାଦ

୪୬

ଉର୍ବଶୀ ଶାପ

୪୭

ଲୋମଶ ଗମନ

୪୮

ଧୃତରାଷ୍ଟ୍ର ବିଳାପ

୪୯

ଧୃତରାଷ୍ଟ୍ର ଖେଦ

୫୦

ପାର୍ଥାହାର କଥନ

୫୧

ଧୃତରାଷ୍ଟ୍ର ବିଳାପ

୫୨

ନଳୋପାଖ୍ୟାନ ପ୍ରସ୍ତାବନା

୫୩

ହଂସ-ଦମୟନ୍ତୀ ସମ୍ବାଦ

୫୪

ଇନ୍ଦ୍ର-ନାରଦ ସମ୍ବାଦ

୫୫

ଦେବ ଦୌତ୍ୟ

୫୬

ନଳକର୍ତ୍ତୃକ ଦେବଦୌତ୍ୟ

୫୭

ଦମୟନ୍ତୀ ସ୍ୱୟମ୍ବର

୫୮

କଳି-ଦେବ ସମ୍ବାଦ

୫୯

ନଳ-ଦ୍ୟୂତ କ୍ରୀଡ଼ା

୬୦

କୁଣ୍ଡିନନଗର ପ୍ରତି କୁମାରଙ୍କ ପ୍ରସ୍ଥାନ

୬୧

ନଳଙ୍କ ବନଯାତ୍ରା

୬୨

ଦମୟନ୍ତୀ ପରିତ୍ୟାଗ

୬୩

ଅଜଗରଗ୍ରସ୍ତ ଦମୟନ୍ତୀ-ମୋଚନ

୬୪

ଦମୟନ୍ତୀ ଆଶ୍ୱାସନା

୬୫

ଚେଦିରାଜ ଗୃହବାସ

୬୬

ନଳ-କର୍କୋଟକ ସମ୍ବାଦ

୬୭

ନଳ-ବିଳାପ

୬୮

ଦମୟନ୍ତୀ-ସୁଦେବ ସମ୍ବାଦ

୬୯

ନଳାନ୍ୱେଷଣ

୭୦

ଦମୟନ୍ତୀ ପୁନଃ ସ୍ୱୟମ୍ବର

୭୧

ଋତୁପର୍ଣ୍ଣଙ୍କ ବିଦର୍ଭ ଗମନ

୭୨

କଳି ନିର୍ଗମନ

୭୩

ଭୀମପୁର ପ୍ରବେଶ

୭୪

ନଳ କେଶିନୀ-ସମ୍ବାଦ

୭୫

ପୁତ୍ର ଦର୍ଶନ

☆☆☆

 

ବନପର୍ବ

॥ ପ୍ରଥମ ଅଧ୍ୟାୟ ॥

 

ଶ୍ରୀମନ୍ମାରାୟଣ, ନର, ନରୋତ୍ତମ ଓ ସରସ୍ୱତୀ ଦେବୀଙ୍କୁ ପ୍ରଣାମ କରି ଜୟ କୀର୍ତ୍ତନ କରିବ ।

 

ଜନ୍ମେଜୟ ବୋଇଲେ–ହେ ଦ୍ୱିଜ ସତ୍ତମ, ଅମାତ୍ୟସହ ଦୁରାତ୍ମା ଧୃତରାଷ୍ଟ୍ରପୁତ୍ରମାନେ କପଟ ବ୍ୟବହାରଦ୍ୱାରା ପୃଥାପୁତ୍ରମାନଙ୍କୁ ଦ୍ୟୂତରେ ଜୟ କରନ୍ତେ ଓ ସେମାନଙ୍କୁ କୋପିତ କରି ନିଷ୍ଠୁର ବାକ୍ୟ ପ୍ରୟୋଗଦ୍ୱାରା ଘୋର ବୈର ସୃଷ୍ଟି କରନ୍ତେ ଆମ୍ଭର ପୂର୍ବ ପିତାମହମାନେ କି କଲେ ବୋଲିବା ହେଉନ୍ତୁ । ୨ । ଇନ୍ଦ୍ରତୁଲ୍ୟ ପରାକ୍ରମଶାଳୀ ପାଣ୍ଡୁପୁତ୍ରମାନେ ଐଶ୍ୱର୍ଯ୍ୟରୁ ବିଭ୍ରଷ୍ଟ ହୋଇ ସହସା ତାଦୃଶ ଦୁଃଖ ପ୍ରାପ୍ତ ହୋଇ କି ପ୍ରକାର ବନରେ ଭ୍ରମଣ କଲେ ? ଏହି ଘୋର ଦୁଃଖରେ କେଉଁମାନେ ତାହାଙ୍କର ଅନୁଗାମୀ ହେଲେ, ସେମାନେ କିପରି ଆଚାର ଅବଲମ୍ବନ କଲେ ? କି କି ଦ୍ରବ୍ୟ ଆହାର କଲେ ଓ ସେହି ମହାତ୍ମାମାନେ କେଉଁଠାରେ ବାସ କଲେ ? ହେ ବ୍ରାହ୍ମଣଶ୍ରେଷ୍ଠ ମହାମୁନେ, ଶତ୍ରୁ ବିନାଶକାରୀ ସେହି ଶୂର ପୁରୁଷମାନେ କି ପ୍ରକାରେ ଦ୍ୱାଦଶ ବର୍ଷ ବନ ମଧ୍ୟରେ ଅତିବାହିତ କଲେ । ୫ । କି ପ୍ରକାରେ ସର୍ବଯୋଷିତ୍ ପ୍ରବରା ପତିବ୍ରତା ମହାଭାଗା ସତ୍ୟବାଦିନୀ ରାଜପୁତ୍ରୀ ସେହି ଦାରୁଣ ବନବାସ ଦୁଃଖକୁ ସହ୍ୟ କଲେ ? ହେ ତପୋଧନ ! ବିସ୍ତାରପୂର୍ବକ ଆମ୍ଭଙ୍କୁ ଏହି ବିଷୟମାନ କହିବା ହେଉନ୍ତୁ । ୭ । ଅତିଶୟ ପରାକ୍ରମଶାଳୀ ସେହି ବୀରମାନଙ୍କର ଚରିତ୍ର ଶ୍ରବଣ କରିବାକୁ ଆମ୍ଭର ଅତ୍ୟନ୍ତ କୌତୂହଳ ହୋଇଅଛି । ୮ ।

 

ବୈଶମ୍ପାୟନ ବୋଇଲେ–ଉପର୍ଯ୍ୟୁକ୍ତ ପ୍ରକାରେ ଦୁରାତ୍ମା ଧୃତରାଷ୍ଟ୍ର ପୁତ୍ରଙ୍କଦ୍ୱାରା ପାଣ୍ଡବମାନେ ଦ୍ୟୂତଜିତ ଓ କୋପିତ ହୋଇ ହସ୍ତିନା ନଗରରୁ ନିର୍ଗତ ହେଲେ । ଶସ୍ତ୍ରଧାରଣପୂର୍ବକ ଦ୍ରୌପଦୀଙ୍କ ସହିତ ବର୍ଦ୍ଧମାନ ନାମକ ଗ୍ରାମର ଅଭିମୁଖରେ ସ୍ଥିତପୁରଦ୍ୱାର ଦେଇ ନିଷ୍କ୍ରାନ୍ତ ହୋଇ ସେମାନେ ଉତ୍ତରାଭିମୁଖରେ ଯାତ୍ରା କଲେ । ୧୦ । ଇନ୍ଦ୍ରସେନ ପ୍ରଭୃତି ପଞ୍ଚଦଶ ଜଣ ରାଜଭୃତ୍ୟ ବେଗଗାମୀ ରଥାରୋହଣ-ପୂର୍ବକ ସ୍ତ୍ରୀଜନମାନଙ୍କ ସମଭିବ୍ୟାହାରରେ ସେମାନଙ୍କ ପଶ୍ଚାତ୍ ପଶ୍ଚାତ୍ ଗମନ କଲେ । ୧୧ । ପାଣ୍ଡବମାନେ ବନଗମନ କରିଥିବାର ଶ୍ରବଣ କରି ପୌରଜନମାନେ ଶୋକାକୁଳିତ ହୃଦୟରେ ସମସ୍ତେ ଏକଗତ ହୋଇ ନିର୍ଭୀକ ଭାବରେ ଭୀଷ୍ମ, ଦ୍ରୋଣ, କୃପ ଓ ବିଦୂରଙ୍କୁ ବାରମ୍ବାର ନିନ୍ଦା କରିବାରେ ପ୍ରବୃତ୍ତ ହେଲେ । ନିର୍ଭୟ ଚିତ୍ତରେ ସେମାନେ ବୋଇଲେ ଯେ ଯେଉଁ ସ୍ଥଳେ ସୁବଳପୁତ୍ର ଶକୁନି, କର୍ଣ୍ଣ ଓ ଦୁଃଶାସନର ମତ ଗ୍ରହଣ କରି ପାପିଷ୍ଠ ଦୁର୍ଯ୍ୟୋଧନ ଏହି ରାଜ୍ୟ ଶାସନ କରିବାକୁ ଅଭିଳାଷ କରିଅଛି, ସେ ସ୍ଥଳେ ଆମ୍ଭେ କି ଆମ୍ଭମାନଙ୍କର କୁଳ କି ଗୃହ କି ସମ୍ପତ୍ତି କିଛି ସ୍ଥିର ନୁହେ । ପରନ୍ତୁ ସୁଖର ସମ୍ଭାବନା ନାହିଁ । ସୁଖ ଦ୍ୱାରେ ଥାଇ କୁଳ, ଆଚାର, ଧର୍ମ, କର୍ମ ଓ ଅର୍ଥ ଏମାନେ କିଛି ରହିବେ ନାହିଁ । ୧୫ । ଏହି ଦୁର୍ଯ୍ୟୋଧନ ଗୁରୁଦ୍ୱେଷୀ, ଆଚାରଭ୍ରଷ୍ଟ, ସୁହୃଦ୍‌ତ୍ୟାଗୀ, ଧନଲୋଭୀ, ଅଭିମାନୀ, ନିର୍ଦ୍ଦୟ ଓ ନୀଚ ପ୍ରକୃତି । ୧୬ । ଦୁର୍ଯ୍ୟୋଧନ ଯଦି ନରପତି ହେଲେ ତେବେ ଏହି ପୃଥିବୀ ବିନଷ୍ଟ ହେଲା ବୋଲି ଜ୍ଞାନ କର । ଯେଉଁଠାକୁ ପାଣ୍ଡବମାନେ ଗମନ କରୁଅଛନ୍ତି, ଚାଲ ଆମ୍ଭେମାନେ ସମସ୍ତେ ସେଠାକୁ ଗମନ କରିବା । ୧୭ । ପାଣ୍ଡବମାନେ ଦୟାଶୀଳ, ମହାତ୍ମା, ଜିତେନ୍ଦ୍ରିୟ, ଜିତଶତ୍ରୁ, ହ୍ରୀମନ୍ତ, କୀର୍ତ୍ତିମନ୍ତ ଓ ସର୍ବଦା ଧର୍ମ ଏବଂ ଆଚାରପରାୟଣ ଅଟନ୍ତି ।

 

ବୈଶମ୍ପାୟନ ବୋଇଲେ, ଏହି ପ୍ରକାରେ କଥୋପକଥନ କରି ସମସ୍ତେ ଏକତ୍ର ହୋଇ ପାଣ୍ଡବଙ୍କର ଅନୁଗମନ କଲେ ଅଥଚ କୃତାଞ୍ଜଳିପୁଟରେ ବୋଇଲେ । ୧୯ । ଆପଣମାନେ ଏହି ଦୁଃଖୀ ପ୍ରଜାଙ୍କୁ ପରିତ୍ୟାଗ କରି କେଉଁଠାକୁ ଗମନ କରୁଅଛନ୍ତି, ଆପଣମାନଙ୍କର କୁଶଳ ହେଉ । ଆପଣମାନେ ଯେଉଁ ସ୍ଥାନକୁ ଗମନ କରିବାକୁ ମନସ୍ଥ କରିଅଛନ୍ତି, ଆମ୍ଭେମାନେ ମଧ୍ୟ ସେ ସ୍ଥାନକୁ ଗମନ କରିବୁ । ୨୦ । ନିର୍ଦ୍ଦୟ ଶତ୍ରୁମାନେ ଅଧର୍ମଦ୍ୱାରା ଆପଣମାନଙ୍କର ରାଜ୍ୟକୁ ଦ୍ୟୂତରେ ଅପହରଣ କରି ନେବାର ଶ୍ରବଣ କରି ଆମ୍ଭେମାନେ ସମସ୍ତେ ଅତ୍ୟନ୍ତ ଉଦ୍‌ବିଗ୍ନ ହୋଇଅଛୁ । ଆମ୍ଭେମାନଙ୍କୁ ତ୍ୟାଗ କରିବା କର୍ତ୍ତବ୍ୟ ନୁହେଁ କାହିଁକିନା ଆମ୍ଭେମାନେ ଆପଣଙ୍କର ଭକ୍ତ, ଅନୁରକ୍ତ, ସୁହୃଦ ଓ ସର୍ବଦା ପ୍ରିୟ କାର୍ଯ୍ୟରେ ରତ ହୋଇଥାଉ । ଆମ୍ଭେମାନେ ଏହି କୁରାଜାର ରାଜ୍ୟରେ ବାସ କରି ସର୍ବପ୍ରକାର ବିନଷ୍ଟ ହେବାକୁ ଇଚ୍ଛା କରୁ ନାହୁଁ । ୨୨ ।

 

ହେ ନରବରମାନେ, ଶୁଭାଶୁଭ ସଂସର୍ଗରେ ମନୁଷ୍ୟମାନଙ୍କର ଯେଉଁ ଗୁଣ ଦୋଷ ଜାତ ହୁଏ, ତାହା ଆମ୍ଭେମାନେ କହୁଅଛୁ ଶ୍ରବଣ କରନ୍ତୁ । ୨୩ । ବସ୍ତୁ, ଜଳ, ତିଳ ଓ ଭୂମି ଯେପରି ପୁଷ୍ପ ସଂସର୍ଗରେ ସୁବାସିତ ହୁଅନ୍ତି ନାହିଁ ସେହିପରି ସଦସତ୍ ସହବାସରେ ମନୁଷ୍ୟମାନଙ୍କର ଗୁଣ ଦୋଷ ଉତ୍ପନ୍ନ ହୁଅଇ । ୨୪ । ମୂଢ଼ଜନଙ୍କ ସମାଗମରେ ମୋହସମୂହ ଜାତ ହୁଏ ଓ ପ୍ରତିଦିନ ସାଧୁ ବ୍ୟକ୍ତିଙ୍କ ସହବାସରେ ଧର୍ମର ଉନ୍ନତି ହୁଏ । ୨୫ । ଅତଏବ ପ୍ରାଜ୍ଞ, ବୃଦ୍ଧ, ସୁସ୍ୱଭାବ, ତପସ୍ୱୀ, ସଜ୍ଜନ ଓ ସମପରାୟଣ ବ୍ୟକ୍ତିଙ୍କ ସହିତ ସଂସର୍ଗ କଲେ ନିତ୍ୟ ଧର୍ମର ବୃଦ୍ଧି ହୁଅଇ । ୨୬ । ଯେଉଁମାନଙ୍କର ବିଦ୍ୟା, କୁଳ ଅଥବା ପୂର୍ବଜନ୍ମର ପ୍ରଜ୍ଞା ଥାଏ ଓ ବେଦୋକ୍ତ କର୍ମାନୁଷ୍ଠାନଦ୍ୱାରା ଚରିତ୍ର ନିର୍ମଳ ହୋଇଥାଏ, ସେହିମାନଙ୍କ ସଂସର୍ଗ ଶାସ୍ତ୍ରାଧ୍ୟୟନଠାରୁ ସୁଦ୍ଧା ଗରିଷ୍ଠ ଅଟେ, ଅତଏବ ସେହିମାନଙ୍କ ସେବା କରିବା ବିଧେୟ । ଆମ୍ଭେମାନେ ସ୍ୱୟଂ କୌଣସି ବେଦବିହିତ କର୍ମର ଅନୁଷ୍ଠାନ କଲେ ହେଁ ଯଦି ଆମ୍ଭେ ପୁଣ୍ୟଶୀଳ ବ୍ୟକ୍ତିଙ୍କ ସଙ୍ଗ କରୁ, ତେବେ ଆମ୍ଭମାନଙ୍କର ଅବଶ୍ୟ ପୁଣ୍ୟଲାଭ ହୋଇପାରେ, ପୁନଶ୍ଚ ପାପୀଙ୍କ ସହିତ ବାସ କଲେ ଆମ୍ଭେମାନେ କେବଳ ପାପଲାଭ କରିବୁ । ୨୮ । ଅସଜ୍ଜନମାନଙ୍କୁ ଦର୍ଶନ କଲେ, ସ୍ପର୍ଶ କଲେ, ସେମାନଙ୍କ ସହିତ କଥା କହିଲେ ଓ ଏକତ୍ର ଉପବେଶନ କଲେ ମନୁଷ୍ୟମାନଙ୍କ ଧର୍ମାଚାର ଦିନକୁ ଦିନ କ୍ଷୀଣତା ପ୍ରାପ୍ତ ହୁଅଇ ଓ ସେମାନେ ସିଦ୍ଧି ଲଭିବାକୁ ଅସମର୍ଥ ହୁଅନ୍ତି । ୨୯ । ନୀଚ ଜନଙ୍କ ସହିତ ସମାଗମ ହେଲେ ପୁରୁଷମାନଙ୍କର ବୁଦ୍ଧି ହୀନତାକୁ ପ୍ରାପ୍ତ ହୁଅଇ, ମଧ୍ୟବିଧ ଲୋକଙ୍କ ସଂସର୍ଗରେ ବୁଦ୍ଧି ମଧ୍ୟ ଭଳି ହୁଏ ଓ ଉତ୍ତମଜନଙ୍କ ସଂସର୍ଗରେ ସେହି ବୁଦ୍ଧି ଶ୍ରେଷ୍ଠତାକୁ ଲଭଇ । ଯେଉଁ ସଦ୍‌ଗୁଣମାନ ବେଦରେ କଥିତ ହେଇଅଛନ୍ତି, ଧର୍ମିଷ୍ଠ ସାଧୁ ମନୁଷ୍ୟମାନେ ଯେଉଁ ଗୁଣାବଳୀର ପ୍ରଶଂସା କରନ୍ତି, ଯେଉଁ ଗୁଣମାନେ ଲୋକାଚାରର ଅବିରୋଧୀ ଓ ସାଧୁଜନଙ୍କର ସମ୍ମତ ଅଥଚ ଯେଉଁ ଗୁଣ ସବୁ ଧର୍ମକାମାର୍ଥର ଉତ୍ପାଦକ ବୋଲି ଲୋକରେ ପ୍ରସିଦ୍ଧି ଅଛି, ସେହି ସମଗ୍ର ଗୁଣମାନେ ଏକତ୍ର ହୋଇ ଗୋଟିଏ ଗୋଟିଏ ପୃଥକ୍ ପୃଥକ୍ ହୋଇ ଆପଣମାନଙ୍କଠାରେ ପ୍ରତିଷ୍ଠିତ ଅଛି । ଅତଏବ ଆମ୍ଭେ ଉନ୍ନତି ଲାଭରେ ଇଚ୍ଛୁକ ହୋଇ ଆପଣମାନଙ୍କ ସହିତ ବାସ କରିବାକୁ ଅଭିଳାଷୀ ହୋଇଅଛୁ । ୩୨ ।

 

ଯୁଧିଷ୍ଠିର ବୋଇଲେ– ବ୍ରାହ୍ମଣ ପ୍ରମୁଖ ପ୍ରଜାବର୍ଗ ଆମ୍ଭମାନଙ୍କ ପ୍ରତି ସ୍ନେହ ଓ କାରୁଣ୍ୟରେ ବଶୀଭୂତ ହୋଇ କୌଣସି ଗୁଣ ନ ଥିଲେ ହେଁ ଆମ୍ଭମାନଙ୍କର ଯାହା ପ୍ରଶଂସା କରୁଅଛନ୍ତି ଏଥିରେ ଆମ୍ଭେମାନେ ଆପଣଙ୍କୁ ଧନ୍ୟ ବୋଲି ଜ୍ଞାନ କରୁଅଛୁଁ । ୩୩ । ପରନ୍ତୁ ଭ୍ରାତୃମାନଙ୍କ ସହିତ ଆମ୍ଭେ ଯାହା କରୁଅଛୁଁ ଆପଣମାନେ ଆମ୍ଭମାନଙ୍କ ପ୍ରତି ସ୍ନେହ ଓ ଅନୁକମ୍ପାର ବଶବର୍ତ୍ତୀ ହୋଇ ତାହାର ଅନ୍ୟଥା କରିବା ହେବେ ନାହିଁ । ୩୪ । ହସ୍ତିନା ନଗରୀ ମଧ୍ୟରେ ଆମ୍ଭର ପିତାମହ ଭୀଷ୍ମ, ରାଜା ଧୃତରାଷ୍ଟ୍ର, ବିଦୁର ଓ ଆମ୍ଭର ଜନନୀ ପ୍ରଭୃତି ଯେତେ ଆମ୍ଭର ପ୍ରିୟ ବ୍ୟକ୍ତି ଆମ୍ଭ ବିଯୋଗରେ ଶୋକ ଓ ସନ୍ତାପରେ ଆକୁଳୀକୃତ ହୋଇଅଛନ୍ତି, ଆମ୍ଭ ହିତ କାମନାରେ ଆପଣମାନେ ସେମାନଙ୍କୁ ଯତ୍ନପୂର୍ବକ ରକ୍ଷଣାବେକ୍ଷଣ କରିବା ହେବେ । ୩୬ । ଆମ୍ଭମାନଙ୍କ ଆଗମନରେ ସନ୍ତାପିତ ହୋଇ ଆପଣମାନେ ବହୁ ଦୂର ଆଗମନ କଲେଣି । ଏଥିପ୍ରତି ନିବୃତ୍ତ ହୋଇ ନିଜ ନିଜ ଗୃହକୁ ଗମନ କରନ୍ତୁ । ଆମ୍ଭମାନଙ୍କର ପ୍ରିୟଜନମାନଙ୍କୁ ଆମ୍ଭ ପରିବର୍ତ୍ତରେ ଆପଣମାନଙ୍କ ନିକଟରେ ରଖିଗଲୁ । ଆପଣମାନେ ଯେବେ ସେମାନଙ୍କ ଠାରେ ସ୍ନେହଯୁକ୍ତ ବୁଦ୍ଧି ରଖିବେ, ତେବେ ଆମ୍ଭର ହୃଦଗତ ସେହି ପ୍ରିୟ କାର୍ଯ୍ୟଦ୍ୱାରା ଆମ୍ଭର ସତ୍କାର ଓ ତୁଷ୍ଟି ହେଲା ବୋଲି ଜ୍ଞାନ କରିବେ । ୩୮ ।

 

ବୈଶମ୍ପାୟନ ବୋଇଲେ, ଧର୍ମରାଜଙ୍କର ସେହି ବଚନ ଶ୍ରବଣ କରି ସମଗ୍ର ପ୍ରଜା ଏକତ୍ର ହୋଇ “ହା ରାଜନ୍‌” କହି ଭୟଙ୍କର ଆର୍ତ୍ତନାଦ କଲେ; କିନ୍ତୁ କି କରିବେ, ଅନୁମତି ବ୍ୟତିରେକେ କେହି ସଙ୍ଗରେ ଯାଇପାରିଲେ ନାହିଁ । ସୁତରାଂ ସେମାନେ ପୃଥାପୁତ୍ରଙ୍କର ଗୁଣଗ୍ରାମ ସ୍ମରଣ କରି ସେମାନଙ୍କ ଠାରୁ ବିଦାୟ ଗ୍ରହଣ କରି ଦୁଃଖାର୍ତ୍ତ ଓ ଅତିଶୟ କାତର ହୋଇ ପାଣ୍ଡବମାନଙ୍କୁ ପରିତ୍ୟାଗ କରିବାର ଇଚ୍ଛା ନ ଥିଲେ ହେଁ ବାଧ୍ୟ ହୋଇ ପରିତ୍ୟାଗ କଲେ । ୪୦ । ପୌରଜନମାନେ ନିବୃତ୍ତ ହୁଅନ୍ତେ ପାଣ୍ଡବମାନେ ରଥାରୋହଣ କରି ଜାହ୍ନବୀ ତୀରବର୍ତ୍ତୀ ପ୍ରମାଣାଖ୍ୟ ମହାବଟ ସମୀପରେ ଉପନୀତ ହେଲେ । ୪୧ ।

 

ଦିବସ ଶେଷରେ ପାଣ୍ଡବମାନେ ସେହି ବଟ ନିକଟକୁ ଗମନ କରି ଜଳ ସ୍ପର୍ଶ କରି ଶୁଚି ହୋଇ ରଜନୀରେ ସେହିଠାରେ ବାସ କଲେ । ୪୨ । ସେହି ବୀରପୁରୁଷମାନେ ରାତ୍ରିରେ ଉଦକମାତ୍ର ପାନ କରି ଦୁଃଖରେ ରାତ୍ରି ଅତିବାହିତ କଲେ । ସେଠାରେ କେତେକ ଦ୍ୱିଜବର୍ଗ ମଧ୍ୟ ସେମାନଙ୍କ ସ୍ନେହରେ ଆକୃଷ୍ଟ ହୋଇ ସେ ରାତ୍ରରେ ବାସ କଲେ । ୪୩ । ସ୍ନେହବଶ ହୋଇ କେତେକ ସାଗ୍ନିକ ଓ ନିରଗ୍ନିକ ଦ୍ୱିଜବର୍ଗ ଶିଷ୍ୟ ଓ ବାନ୍ଧବମାନଙ୍କ ସହିତ ସେଠାକୁ ଗମନ କରିଥିଲେ-। ରାଜା ଯୁଧିଷ୍ଠିର ସେ ବ୍ରହ୍ମବାଦୀମାନଙ୍କଦ୍ୱାରା ପରିବୃତ ହୋଇ ଶୋଭା ପ୍ରାପ୍ତ ହେଲେ-। ସୂର୍ଯ୍ୟତାପାପଗମରୁ ରମ୍ୟ ଓ ହିଂସ୍ରଜନ୍ତୁଙ୍କ ସଞ୍ଚାର ହେତୁରୁ ଭୟଙ୍କର ସେହି ସନ୍ଧ୍ୟା ସମୟରେ ଉକ୍ତ ବ୍ରାହ୍ମଣମାନେ ଅବଶ୍ୟାନୁଷ୍ଠେୟ ହୋମାଗ୍ନି ପ୍ରଜ୍ୱଳିତ କରି ବେଦ ଘୋଷଣାପୂର୍ବକ ଆପଣା ମଧ୍ୟରେ ଜଳ୍ପଣା ଆରମ୍ଭ କଲେ । ସେହି ସମସ୍ତ ଯତିତୁଲ୍ୟ ଆଚାରୀ ବ୍ରାହ୍ମଣମାନେ ମଧୁମୟ ସମାଳାପଦ୍ୱାରା କୁରୁପୁଙ୍ଗବ ଯୁଧିଷ୍ଠିରଙ୍କୁ ଆଶ୍ୱାସ ପ୍ରଦାନପୂର୍ବକ ତାହାଙ୍କର ଚିତ୍ତବିନୋଦନ କରି ସମସ୍ତ ନିଶା ଅତିବାହିତ କଲେ । ୪୬ ।

 

॥ ଦ୍ୱିତୀୟ ଅଧ୍ୟାୟ ॥

 

ବୈଶମ୍ପାୟନ କହିଲେ– ଶର୍ବରୀ ପ୍ରଭାତ ହୁଅନ୍ତେ ଭିକ୍ଷାଜୀବୀ କେତେକ ବ୍ରାହ୍ମଣ ଆସି ବନ ପ୍ରବେଶ ଛଳେ ପୁଣ୍ୟକର୍ମା ପାଣ୍ଡବମାନଙ୍କ ଅଗ୍ରତରେ ଅବସ୍ଥିତ ହେଲେ । ୧ । ତଦନନ୍ତରେ କୁନ୍ତୀପୁତ୍ର ରାଜା ଯୁଧିଷ୍ଠିର ସେମାନଙ୍କୁ ସମ୍ବୋଧନ କରି କହିଲେ, ଆମ୍ଭମାନଙ୍କର ସର୍ବସ୍ୱ ଅପହୃତ ହୋଇଅଛି । ରାଜ୍ୟ ଓ ଲକ୍ଷ୍ମୀ ହୃତ ହୋଇଅଛି । ୨ । ଆମ୍ଭେମାନେ ଦୁଃଖିତ ହୋଇ ବହୁଳ ସରୀସୃପ ଓ ହିଂସ୍ରକ ଜନ୍ତୁ ସମାକୁଳିତ କ୍ଲେଶଦାୟକ ବନମଧ୍ୟରେ ଫଳମୂଳ ଓ ଆମିଷାହାରୀ ହୋଇ ଗମନ କରୁଅଛୁଁ । ୩ । ଆପଣମାନେ ଆମ୍ଭମାନଙ୍କ ସହିତ ଗମନ କଲେ ନିଶ୍ଚୟ ଆପଣମାନଙ୍କର ମଧ୍ୟ ତାଦୃଶ କଷ୍ଟ ହେବ । ବ୍ରାହ୍ମଣମାନେ କ୍ଳେଶ ପ୍ରାପ୍ତ ହେଲେ ଯାହା ଆଶ୍ରୟରେ ସେମାନେ ଥାନ୍ତି, ସେ ଦେବତା ହେଲେ ହେଁ ଅବସନ୍ନ ହୁଅନ୍ତି । ଆମ୍ଭେ ତ ଜଣେ ସାମାନ୍ୟ ମନୁଷ୍ୟ, ଆମ୍ଭ କଥା କ’ଣ କହିବା ? ଅତଏବ ହେ ବିପ୍ରମାନେ, ଆପଣ ସମସ୍ତେ ଏହି ସ୍ଥାନରୁ ବିରତ ହୋଇ ଇଚ୍ଛାନୁରୂପ ସ୍ଥାନକୁ ଗମନ କରନ୍ତୁ । ୪ ।

 

ବ୍ରାହ୍ମଣମାନେ ଉତ୍ତର କଲେ– ହେ ମହାରାଜ ! ଆପଣମାନଙ୍କର ଯେଉଁ ଗତି ଆମ୍ଭେମାନେ ମଧ୍ୟ ସେହି ଗତି ଲଭିବାକୁ ଉଦ୍ୟତ ହୋଇଅଛୁଁ । ଆମ୍ଭେମାନେ ସଧର୍ମଦର୍ଶୀ ଓ ଆପଣମାନଙ୍କର ଭକ୍ତ । ଆମ୍ଭମାନଙ୍କୁ ପରିତ୍ୟାଗ କରନ୍ତୁ ନାହିଁ । ଭକ୍ତଜନମାନଙ୍କଠାରେ ଦେବତା ସୁଦ୍ଧା କୃପା କରନ୍ତି, ବିଶେଷରେ ଯେଉଁମାନେ ବ୍ରାହ୍ମଣ ଓ ସଦାଚାରାବଲମ୍ବୀ ତାହାଙ୍କ କଥା କ’ଣ କହିବା ? । ୬ । ଯୁଧିଷ୍ଠିର ବୋଇଲେ, ହେ ଦ୍ୱିଜବର୍ଗ ! ବ୍ରାହ୍ମଣମାନଙ୍କଠାରେ ଆମ୍ଭର ମଧ୍ୟ ସର୍ବଦା ଭକ୍ତି ଥାଏ, କିନ୍ତୁ କି କରିବା, ସମ୍ପ୍ରତି ସହାୟହୀନ ହେବାରେ ଅତିଶୟ ଅବସନ୍ନ ହୋଇଅଛୁଁ । ଆମ୍ଭର ଏହି ଭ୍ରାତୃଗଣ, ଯେଉଁମାନେ କି ଆପଣମାନଙ୍କ ନିମିତ୍ତ ଫଳ ମୂଳ ଓ ମୃଗମାଂସ ପ୍ରଭୃତି ଆନୟନ କରନ୍ତେ, ସେମାନେ ଶୋକଜନିତ ଦୁଃଖରେ ଅତିଶୟ ମୋହପ୍ରାପ୍ତ ହୋଇଅଛନ୍ତି । ୮ । ଦ୍ରୌପଦୀଙ୍କ ବିପ୍ରକର୍ଷଣଦ୍ୱାରା ଓ ରାଜ୍ୟାପହରଣଦ୍ୱାରା ସେମାନେ ଦୁଃଖାର୍ତ୍ତିତ ହୋଇଅଛନ୍ତି, ପୁନଶ୍ଚ ତାହାଙ୍କୁ ଅଧିକତର କ୍ଳେଶରେ ନିଯୁକ୍ତ କରିବାକୁ ଆମ୍ଭର ଉତ୍ସାହ ହେଉ ନାହିଁ । ୯ ।

 

ବ୍ରାହ୍ମଣମାନେ ବୋଇଲେ– ହେ ପାର୍ଥିବ, ଆପଣଙ୍କ ହୃଦୟରେ ଆମ୍ଭମାନଙ୍କ ଘୋଷଣାଜନିତ ଚିନ୍ତା ଜାତ ନ ହେଉ । ଆମ୍ଭେମାନେ ସ୍ୱୟଂ ଆପଣାର ଖାଦ୍ୟଦ୍ରବ୍ୟ ସଂଗ୍ରହ କରି ଆପଣଙ୍କର ଅନୁବର୍ତ୍ତୀ ହେବୁ । ୧୦ । ଈଶ୍ୱରଙ୍କର ଅନୁଧ୍ୟାନଦ୍ୱାରା ଜପଦ୍ୱାରା ଆପଣମାନଙ୍କର କଲ୍ୟାଣବିଧାନ କରିବୁ ଓ ମନୋରମ କଥାଦ୍ୱାରା ଚିତ୍ତବିନୋଦନ କରିବୁ । ୧୧ । ଯୁଧିଷ୍ଠିର ବୋଇଲେ– ଦ୍ୱିଜମାନେ ଆମ୍ଭ ନିକଟରେ ରହିଲେ ଆମ୍ଭେ ଯେ ସତେ ପରିତୁଷ୍ଟ ହେବୁଁ, ଏଥିରେ ସନ୍ଦେହ ନାହିଁ; କିନ୍ତୁ ଆପଣମାନେ ସ୍ୱୟଂ ନିଜ ନିଜ ଆହାର ସଂଗ୍ରହ କରି ଭୋଜନ କରିବେ, ଏହା ଆମ୍ଭେ କିପରି ଦେଖିବୁଁ । ଆମ୍ଭଠାରେ ସ୍ନେହକରି ଆପଣମାନେ ଯେ ଅଯଥା କ୍ଳେଶ ଭୋଗ କରିବେ ଏହା କିପରି ଆମ୍ଭର ସହ୍ୟ ହେବ । ହାୟ, ଧୃତରାଷ୍ଟ୍ରଙ୍କର ପାପିଷ୍ଠ ପୁତ୍ରମାନଙ୍କୁ ଧିକ୍ ! ଯେଉଁମାନଙ୍କର ଦୁଷ୍କର୍ମରୁ ଏପରି ଘଟନାମାନ ହେଉଅଛି । ୧୩ ।

 

ବୈଶମ୍ପାୟନ ବୋଇଲେ– ଏହା କହି ରାଜା ଯୁଧିଷ୍ଠିର ଶୋକରେ ଅଭିଭୂତ ହୋଇ ମହୀତଳରେ ଉପବେଶନ କଲେ । ଅଧ୍ୟାତ୍ମ ବିଦ୍ୟାରେ ରତ ଓ ସାଂଖ୍ୟ ଏବଂ ପାତଞ୍ଜଳି ଶାସ୍ତ୍ରରେ କୁଶଳ ଶୌନକ ନାମକ ଗୋଟିଏ ବ୍ରାହ୍ମଣ ରାଜା ଯୁଧିଷ୍ଠିରଙ୍କୁ ବୋଇଲେ, ସହସ୍ର ସହସ୍ର ଶୋକ ଓ ଶତଶତ ଭୟର ସ୍ଥାନ ମୂଢ଼ ବ୍ୟକ୍ତିଙ୍କୁ ଦିନକୁ ଦିନ ଆବଦ୍ଧ କରେ, କିନ୍ତୁ ପଣ୍ଡିତମାନଙ୍କ ସମୀପକୁ ସେମାନେ ଆସନ୍ତି ନାହିଁ । ୧୬ । ଯେଉଁ କର୍ମ ଜ୍ଞାନର ବିରୋଧୀ, ମୋକ୍ଷର ବିଘ୍ନକାରୀ ଓ ବହୁ ଦୋଷଯୁକ୍ତ ତାଦୃଶ କର୍ମରେ ଆପଣଙ୍କ ତୁଲ୍ୟ ବୁଦ୍ଧିମାନ ପୁରୁଷମାନେ ଆସକ୍ତ ହୁଅନ୍ତି ନାହିଁ । ୧୭-। ହେ ମହାରାଜ, ପଣ୍ଡିତମାନେ ଯେଉଁ ବୁଦ୍ଧିକୁ ସର୍ବଦା ସର୍ବଦୁଃଖବିଘାତିନୀ ବୋଲି ବର୍ଣ୍ଣନା କରନ୍ତି, ଶ୍ରୁତି ସ୍ମୃତି ସମୂତ୍ପନ୍ନ ସେହି ଅଷ୍ଟାଙ୍ଗଞ୍ଚ ବୁଦ୍ଧି ଆପଣଙ୍କଠାରେ ପ୍ରତିଷ୍ଠିତ ଅଛି । ଅତଏବ ଭବାଦୃଶ ପୁରୁଷମାନେ ଅର୍ଥକଷ୍ଟରେ ବା ଦୁର୍ଗମ ପଥରେ ଅଥବା ଆତ୍ମୀୟଜନଙ୍କ ଆପତ୍କାଳରେ କିମ୍ବା ଶାରୀରିକ କି ମାନସିକ ଦୁଃଖରେ ବିଷଣ୍ଣ ହୁଅନ୍ତି ନାହିଁ । ପୂର୍ବକାଳରେ ମହାତ୍ମାଜନକ ଆତ୍ମସ୍ଥୈର୍ଯ୍ୟକାରକ ଯେଉଁସବୁ ଗାଥା ଗାୟନ କରିଅଛନ୍ତି ତାହା କହୁଅଛୁ, ଶ୍ରବଣ କରିବା ହେଉନ୍ତୁ-। ୨୦ । ଏହି ଜଗତ ମନ ଓ ଦେହ ସମୁଦ୍ଭବ ଅର୍ଥାତ୍ ଆଧ୍ୟାତ୍ମିକ ଓ ଆଧିଭୌତିକ ଦୁଇ ପ୍ରକାର ଦୁଃଖଦ୍ୱାରା ସର୍ବଦା ପ୍ରପୀଡ଼ିତ ହେଉଅଛି । ଯହିଁରେ ସେହି ମାନସିକ ଓ ଦୈହିକ ଦୁଃଖର ଶାନ୍ତି ହୁଏ ତାହା ଆମ୍ଭେ ସଂକ୍ଷେପରେ ଓ ବିସ୍ତାରରୂପେ ବର୍ଣ୍ଣନ କରୁଅଛୁଁ, ଅବହିତ ହୋଇ ଶ୍ରବଣ କରିବା ହେଉନ୍ତୁ । ୨୧ ।

 

ବ୍ୟାଧି, ଅନିଷ୍ଟ ଘଟଣା, ଶ୍ରମ ଓ ଇଷ୍ଟ ବସ୍ତୁର ଅଭାବ ଅଥବା ବିୟୋଗ, ଏହି ଚତୁର୍ବିଧ କାରଣଦ୍ୱାରା ଶାରୀରିକ ଦୁଃଖ ଜାତ ହୁଏ । ଔଷଧାଦି ସେବନଦ୍ୱାରା ବ୍ୟାଧିର ପ୍ରତିକ୍ରିୟା ହୁଏ ଓ ସତତ ଚିନ୍ତା ତ୍ୟାଗ ରୂପ ଯୋଗଦ୍ୱାରା ଆଧି ଅର୍ଥାତ୍ ମାନସିକ ଦୁଃଖ ନିବୃତ୍ତ ହୁଏ । ଯେଉଁମାନେ ବୁଦ୍ଧିମାନ ଅର୍ଥାତ୍ ବୈଦ୍ୟ ଓ ବିଦ୍ୟାବାନ, ସେମାନେ ପ୍ରଥମରେ ପ୍ରିୟବାକ୍ୟ କଥନ ଓ ସୁଖ ସେବ୍ୟ ବସ୍ତୁ ପ୍ରଦାନଦ୍ୱାରା ତାଦୃଶ ଦୁଃଖପ୍ରାପ୍ତ ବ୍ୟକ୍ତିଙ୍କର ମାନସିକ ଦୁଃଖର ଉପଶମ କରନ୍ତି । ଲୌହପିଣ୍ଡ ତପ୍ତ ହେଲେ ଯେପରି କୁମ୍ଭସଂସ୍ଥିତ ଜଳ ସନ୍ତପ୍ତ ହୁଏ, ତଦ୍ରୂପ ମନ ମଧ୍ୟରେ ଦୁଃଖ ଜାତ ହେଲେ କଳେବର ଉତ୍ତପ୍ତ ହୁଅଇ । ଯେପରି ଜଳଦ୍ୱାରା ଅଗ୍ନି ନିବାରିତ ହୁଏ, ତଦ୍ରୂପ ଜ୍ଞାନଦ୍ୱାରା ମନୋଦୁଃଖ ପ୍ରଶମିତ ହେଲେ ଦେହର ତାପ ଦୂରୀଭୂତ ହୁଏ । ୨୬ । ମାନବମାନଙ୍କ ଅନ୍ତଃକରଣରେ ଇଚ୍ଛା ବୋଲି ଗୋଟିଏ ଧର୍ମ ଅଛି । ଯାହାକୁ ରାଗ ଅଥବା ସ୍ନେହ ବୋଲି ଉଲ୍ଲେଖ କରନ୍ତି । ସେହି ସ୍ନେହ ମନୁଷ୍ୟମାନଙ୍କର ସୁଖ ଦୁଃଖର ମୂଳ ବୋଲି ଉପଲବ୍ଧ ହୁଅଇ, ଯେହେତୁରୁ ସ୍ନେହବଶରେ ମନୁଷ୍ୟଙ୍କର ବିଷୟରେ ପ୍ରବୃତ୍ତି ହୁଏ । ବିଷୟପ୍ରବୃତ୍ତ ବ୍ୟକ୍ତିଙ୍କର ଦୁଃଖ ଜାତ ହୁଏ । ଅତଏବ ସ୍ନେହକୁ ମନୁଷ୍ୟଙ୍କର ଦୁଃଖର ମୂଳ ବୋଲି ଜାଣିବ ।

 

ସେହି ସ୍ନେହ ଭୟରେ ନିଦାନ, ଶୋକ, ହର୍ଷ, ଆୟାସ ସମସ୍ତେ ସ୍ନେହରୁ ଜାତ ହୁଅନ୍ତି । ସ୍ନେହରୁ ମନୁଷ୍ୟର ବିଷୟଚିନ୍ତା ଓ ବିଷୟାନୁରାଗସ୍ୱରୂପ ଦୁଇଗୋଟି ବିକାର ଜାତ ହୁଏ । ଦୁଇ ବିକାର ଅଶ୍ରେୟସ୍କର, କିନ୍ତୁ ବିଷୟ ଚିନ୍ତା ତନ୍ମଧ୍ୟରେ ଗୁରତର ଅଟେ । ୨୯ । କୋଟରସ୍ଥିତ ଅଗ୍ନି ଯେପରି ସମୂଳ ବୃକ୍ଷକୁ ଦହନ କରେ, ତଦ୍ରୂପ ବିଷୟାନୁରାଗ ଅଳ୍ପ ହେଲେ ହେଁ ଧର୍ମ ଓ ଅର୍ଥକୁ ବିନଷ୍ଟ କରେ । କେବଳ ବିଷୟବିଯୁକ୍ତ ହେଲେ ମନୁଷ୍ୟ ତ୍ୟାଗୀ ହୁଅଇ ନାହିଁ । ଯେଉଁ ବ୍ୟକ୍ତି ବିଷୟ ସହିତ ସମାଗମ ହୋଇ ଆଲୋଚନାଦ୍ୱାରା ସେ ବିଷୟର ଦୋଷ ଦର୍ଶନ କରେ, ସେହି ବ୍ୟକ୍ତିକୁ ଯଥାର୍ଥ ତ୍ୟାଗୀ ବୋଲାଯାଏ । ସେହି ବ୍ୟକ୍ତି ବୈରାଗ୍ୟ ଲାଭ କରନ୍ତି ଓ ନିର୍ବୈର ଓ ବିସ୍ୱାଧୀନ ହୋଇ ରହନ୍ତି । ୩୧ । ଏହି କାରଣରୁ ମନୁଷ୍ୟ ଧନ ସଞ୍ଚୟ କରି ତଦ୍ଦ୍ୱାରା ମିତ୍ରଲାଭ କରି ସେମାନଙ୍କଠାରେ ସ୍ନେହୀ ହେବେ ନାହିଁ । ସ୍ୱୀୟ ଶରୀରୋତ୍ପନ୍ନ ସ୍ନେହକୁ ଜ୍ଞାନଦ୍ୱାରା ନିବାରଣ କରିବାକୁ ସର୍ବଦା ଯତ୍ନବାନ୍ ହେବେ । ୩୨ । ପଦ୍ମପତ୍ରରେ ଯେପରି ଜଳ ସଂଲଗ୍ନ ହୁଏ ନାହିଁ, ତଦ୍‌ବତ୍ ଜ୍ଞାନ ସମନ୍ୱିତ ପରମାତ୍ମା ବିଧ୍ୟନରତ ଓ ଶାସ୍ତ୍ରଜ୍ଞ ବ୍ୟକ୍ତିଙ୍କର ଅନ୍ତଃକରଣରେ ସ୍ନେହ ଜଡ଼ୀଭୂତ ହୋଇପାରେ ନାହିଁ । ୩୩ । ଯେଉଁ ପୁରୁଷ ସ୍ନେହରେ ଅଭିଭୂତ ହୁଏ ତାହା ମନରେ ବିଷୟାଭିଳାଷ ଜାତ ହୁଏ । ତାଦୃଶ ଇଚ୍ଛା ବିଷୟତୃଷ୍ଣାକୁ ବିବର୍ଦ୍ଧିତ କରେ । ୩୪ । ନିତ୍ୟ ଉଦ୍ଦେଶ୍ୟକାରିଣୀ ସେହି ତୃଷ୍ଣା ସର୍ବପାପିଷ୍ଠା ଅଧର୍ମବହୁଳା ଭୟକାରିଣୀ ଓ ପାପାନୁବନ୍ଧିନୀ ଅର୍ଥାତ୍ ପାପକର୍ମ ପ୍ରସବିନୀ । ୩୫ ।

 

ଦୁର୍ମତି ବ୍ୟକ୍ତିମାନେ ଏହି ତୃଷ୍ଣାକୁ ପରିତ୍ୟାଗ କରିପାରନ୍ତି ନାହିଁ । ସେମାନେ ନିଜେ ଜୀର୍ଣ୍ଣ ହୁଅନ୍ତି କିନ୍ତୁ ତୃଷ୍ଣା ଜୀର୍ଣ୍ଣ ହୁଏ ନାହିଁ । ଜ୍ଞାନୀ ବ୍ୟକ୍ତିମାନେ ସେ ତୃଷ୍ଣାକୁ ପ୍ରାଣାନ୍ତକାରୀ ରୋଗ ବୋଲି କହନ୍ତି । ଯେଉଁ ବ୍ୟକ୍ତି ସେ ତୃଷ୍ଣାକୁ ତ୍ୟାଗ କରିପାରେ, ସେହି ଏକା ଯଥାର୍ଥ ସୁଖୀ ହୋଇପାରେ । ଏହି ବିଷୟ ତୃଷ୍ଣାର ଆଦି ନାହିଁ କି ଅନ୍ତ ନାହିଁ । ନରମାନଙ୍କ ଅନ୍ତରରେ ସେ ବାସ କରେ ଓ ଅଯୋନିଜ ଅନଳ ସଦୃଶ ସେମାନଙ୍କୁ ନିରନ୍ତର ଦଗ୍ଧ କରେ । କାଷ୍ଠ ଯେପରି ସ୍ୱକୀୟ ଅବୟବରୁ ଜାତ ହୁତାସନଦ୍ୱାରା ବିନଷ୍ଟ ହୁଏ, ସେହିପରି ଅକୃତାତ୍ମା ଅର୍ଥାତ୍ ଚଞ୍ଚଳମତି ପୁରୁଷମାନେ ସ୍ୱୀୟ ଦେହଜାତ ଲୋଭଦ୍ୱାରା ବିନାଶପ୍ରାପ୍ତ ହୁଅନ୍ତି । ୩୮ । ମୃତ୍ୟୁଠାରେ ଯେପରି ପ୍ରାଣୀମାତ୍ରରେ ଭୟ ହୁଏ, ତସ୍କର ଅନଳଦଳ ସ୍ୱଜନଠାରୁ ଅର୍ଥବାନ ବ୍ୟକ୍ତିଙ୍କର ସର୍ବଦା ଭୟ ହୋଇଥାଏ । ୩୯ ।

 

ଯେପରି ଆକାଶରେ ଆମିଷ ଥିଲେ ପକ୍ଷୀମାନେ ଭକ୍ଷଣ କରନ୍ତି, ପୃଥିବୀପୃଷ୍ଠରେ ଥିଲେ ଶ୍ୱାପଦ ଜନ୍ତୁମାନେ ଓ ସଲିଳ ମଧ୍ୟରେ ଥିଲେ ଜଳଜନ୍ତୁମାନେ ଭକ୍ଷଣ କରନ୍ତି, ସେହିପରି ଧନଶୀଳ ବ୍ୟକ୍ତି ଯେଉଁଠାରେ ଥାଆନ୍ତୁ ସେହିଠାରେ ସେ ବିପଦଗ୍ରସ୍ତ ହୁଅନ୍ତି । ୪୦ । ଅର୍ଥ ଯେ, ସେ ବହୁସଂଖ୍ୟକ ବ୍ୟକ୍ତିଙ୍କର ଅନର୍ଥର ମୂଳ । ଯେଉଁ ଜନ ଅର୍ଥକୁ ଶ୍ରେୟଜ୍ଞାନ କରି ତହିଁରେ ଆସକ୍ତ ହୁଏ ସେ ଯଥାର୍ଥ ଶ୍ରେୟ ଓ ତଜ୍ଜନିତ ସୁଖ ଲଭିବାକୁ ସମର୍ଥ ହୁଏ ନାହିଁ । ୪୧ । ଏହି ନିମିତ୍ତ ପ୍ରାଜ୍ଞଜନେ ସ୍ଥିର କରିଅଛନ୍ତି ଯେ ଯେତେ ଅର୍ଥାଗମ ହୁଏ ସେସବୁ ମନର ମୋହ ଓ ଲୋଭକୁ ବିବର୍ଦ୍ଧନ କରେ । ଅର୍ଥନାଶ ହେଲେ ଦୈନ୍ୟ ଜାତ ହୁଏ, ଅର୍ଥ ବୃଦ୍ଧି ହେଲେ ଦର୍ପ ହୁଏ ଓ ପରକୁ ପରାଭବ କରିବାର ବାଞ୍ଛା ହୁଏ । ସ୍ୱୟଂ ସର୍ବଶ୍ରେଷ୍ଠ ବୋଲି ଧାରଣା ହୁଏ, କାଳେ ଆପଣାର ଉଚ୍ଛେଦ ହେବ, ଏପରି ଶଙ୍କା ଜନ୍ମେ ଓ ମନ ଅନବସ୍ଥିତ ହୁଏ । ଏହି ନିମିତ୍ତ ପ୍ରାଜ୍ଞ ବ୍ୟକ୍ତିମାନେ ସିଦ୍ଧାନ୍ତ କରିଅଛନ୍ତି ଯେ ମନୁଷ୍ୟମାନଙ୍କର ସର୍ବପ୍ରକାର ଅର୍ଥାଗମ ଲୋଭ ଓ ମୋହ ବୃଦ୍ଧିର କାରଣ ଅଟେ ।

 

କାର୍ପଣ୍ୟ, ଦର୍ପ, ଅଭିମାନ, ଭୟ ଓ ଉଦବେଗ– ଏମାନେ ସମସ୍ତେ ଏକା ଅର୍ଥରୁ ସମୁତ୍ପନ୍ନ ହୁଅନ୍ତି । ପୁନଶ୍ଚ ଦେଖିବା ହେଉନ୍ତୁ ଯେ ଅର୍ଥ ଉପାର୍ଜନ କରିବାରେ ଯାଦୃଶ କ୍ଳେଶ ସହ୍ୟ କରିବାକୁ ହୁଏ, ତାହାର ରକ୍ଷାରେ ମଧ୍ୟ ସେହିପରି କ୍ଲେଶ ସହିବାକୁ ହୁଏ । ପୁନଶ୍ଚ ସେହି ଅର୍ଥର ବିନାଶ ଉପସ୍ଥିତ ହେଲେ ସର୍ବାପେକ୍ଷା ଅଧିକ ଦୁଃଖ ଭୋଗ କରିବାକୁ ହୁଏ । ଆଉ ମଧ୍ୟ ଦେଖାଯାଇଅଛି ଯେ ଅର୍ଥନାଶରେ କେତେକ ଲୋକଙ୍କର ପ୍ରାଣନାଶ ମଧ୍ୟ ହୋଇଥାଏ । ୪୩ । ଅର୍ଥନାଶଜନିତ ଦୁଃଖରୁ ରକ୍ଷା ପାଇବା ନିମିତ୍ତ ଯେଉଁମାନଙ୍କୁ ପାଳନ କରିବାକୁ ହୁଏ ସେମାନେ ମଧ୍ୟ କାରଣବଶରୁ ଶତ୍ରୁ ହୁଅନ୍ତି ଓ ଦୁଃଖର କାରଣ ହୁଅନ୍ତି । ଏହି ନିମିତ୍ତ ଅର୍ଥଜନିତ ଚିନ୍ତା କରିବା କର୍ତ୍ତବ୍ୟ ନୁହେଁ । ମୂର୍ଖ ବ୍ୟକ୍ତିମାନେ ଅସନ୍ତୋଷରେ କାଳକ୍ଷେପଣ କରନ୍ତି ଓ ପଣ୍ଡିତମାନେ ସନ୍ତୋଷପର ହୋଇ ସମୟଯାପନ କରନ୍ତି । ୪୫ । ଅର୍ଥ ପିପାସାର ଅନ୍ତ ନାହିଁ । ସନ୍ତୋଷ ପରମ ସୁଖ, ଏହି କାରଣରୁ ସନ୍ତୋଷକୁ ପଣ୍ଡିତମାନେ ସର୍ବୋତ୍କୃଷ୍ଟ ମନେ କରନ୍ତି । ୪୬ ।

 

ଜୀବନକୁ, ଯୌବନକୁ, ରୂପକୁ, ରତ୍ନ ସଞ୍ଚୟକୁ, ଐଶ୍ୱର୍ଯ୍ୟକୁ ଓ ପ୍ରିୟ ବ୍ୟକ୍ତି ସହିତ ବାସ କରିବାକୁ ଇଚ୍ଛା କଲେ ହେଁ ସର୍ବଦା ତାହା ମିଳେ ନାହିଁ । ଅତଏବ ସେହି ସୁଖର ବିଷୟମାନଙ୍କୁ ଅନିତ୍ୟ ଜାଣି ପଣ୍ଡିତମାନେ ତହିଁ ପ୍ରତି ଦୃଢ଼ ଅଭିଳାଷ କରନ୍ତି ନାହିଁ । ୪୭ । ଅତଏବ କ୍ଳେଶ ସହି ସୁଦ୍ଧା ଅର୍ଥ ସଞ୍ଚୟ ପରିତ୍ୟାଗ କରିବ । ସଞ୍ଚୟଶୀଳ ବ୍ୟକ୍ତି ସୁଦ୍ଧା ଉପଦ୍ରବରୁ ରକ୍ଷା ପାଏ ନାହିଁ । ଅତଏବ ଯେଉଁମାନଙ୍କର ଅର୍ଥସ୍ପୃହା ନ ଥାଏ ସେମାନଙ୍କୁ ଧାର୍ମିକ ପୁରୁଷମାନେ ପ୍ରଶଂସା କରନ୍ତି । ୪୮ । ଯେଉଁ ବ୍ୟକ୍ତି ଧର୍ମାଚରଣ କରିବା ନିମିତ୍ତ ଅର୍ଥ ପାଇଁ ଚେଷ୍ଟା କରେ ସେ ଚେଷ୍ଟା ଉତ୍ତମ, କିନ୍ତୁ ପଙ୍କରେ ଲିପ୍ତ ହୋଇ ତାହାକୁ ଧୌତ କରିବା ଅପେକ୍ଷା ପଙ୍କ ସ୍ପର୍ଶ ନ କରିବା ଯେପରି କର୍ତ୍ତବ୍ୟ, ଏକାବେଳକେ ଅର୍ଥସ୍ପୃହା ତ୍ୟାଗ କରିବା ସର୍ବତୋଭାବେ ବିଧେୟ । ୪୯ ।

 

ହେ ଯୁଧିଷ୍ଠିର, ଆପଣଙ୍କର ଯଦ୍ୟପି ଧର୍ମରେ ସ୍ପୃହା ଥାଏ, ତେବେ ଆପଣ ଅଗ୍ରେ ଅର୍ଥଲାଭରେ ନିଃସ୍ପୃହ ହେଉନ୍ତୁ । ୫୦ । ଯୁଧିଷ୍ଠିର ଉତ୍ତର ଦେଲେ ହେ ବ୍ରହ୍ମନ୍‌– ଆମ୍ଭେମାନେ ବ୍ରାହ୍ମଣମାନଙ୍କର ଭରଣପୋଷଣ ନିମିତ୍ତ ଅର୍ଥାକାଙ୍‌କ୍ଷା କରୁଅଛୁ । ଲୋଭର ବଶୀଭୂତ ହୋଇ କି ଆପଣାର ସମ୍ଭୋଗ ନିମିତ୍ତ ଆମ୍ଭେ ଅର୍ଥକାମୀ ହେଉ ନାହୁଁ । ଆମ୍ଭ ସଦୃଶ ବ୍ୟକ୍ତିମାନେ ଗୃହାଶ୍ରମରେ ଥାଇ ଅନୁଗତ ବ୍ୟକ୍ତିମାନଙ୍କର ଭରଣପୋଷଣ ନ କରି କି ପ୍ରକାରେ ନିଶ୍ଚିନ୍ତ ହୋଇ ରହିପାରନ୍ତି । ୫୨ । ଆତ୍ମୀୟ ଓ ପରଜନମାନଙ୍କୁ ଖାଦ୍ୟାଦି ସାମଗ୍ରୀ ଯେଗାଇବା ଯେପରି ସର୍ବପ୍ରାଣୀମାନଙ୍କ ପକ୍ଷରେ ବିଧେୟ, ସେହିପରି ଗୃହସ୍ଥ ବ୍ୟକ୍ତିଙ୍କ ପକ୍ଷରେ ବିଧେୟ ଯେ ସେମାନେ ଯଦି ବ୍ରହ୍ମଚାରୀ ପ୍ରଭୃତି ପାକକ୍ରିୟାବର୍ଜିତ ବ୍ୟକ୍ତିମାନଙ୍କୁ ଭକ୍ଷାଦି ଦ୍ରବ୍ୟ ପ୍ରଦାନ କରିବେ । ୫୩ । ସାଧୁଜନଙ୍କ ଗୃହଠାରେ ଅଭ୍ୟାଗତ ବ୍ୟକ୍ତିର ସମାଦର କର୍ତ୍ତବ୍ୟ ଅଟେ । ଆଉ କିଛି ଥାଉ ନ ଥାଉ, ତୃଣ, ଭୂମି, ଉଦକ ଓ ମିଷ୍ଟଭାଷାର ଅଭାବ କଦାପି ହୋଇନପାରେ । ୫୪ । ଆସନ ନିମିତ୍ତ ଆଉ କିଛି ନ ଥିଲେ ତୃଣ ବିଡ଼ାଏ ଦେବ, ବାସ କରିବାକୁ କିଞ୍ଚିତ୍ ସ୍ଥାନ ଦେବ । ପାଦ ପ୍ରକ୍ଷାଳନାଦି ନିମିତ୍ତ ଜଳ ଦେବ ଓ ଚିତ୍ତବିନୋଦାର୍ଥ ମଧୁର କଥା କହିବ । ଏ ସବୁର ଅଭାବ ହୋଇନପାରେ । ୫୫ । ଆପଣାର ଗୃହଠାକୁ ସମାଗତ ହେଲେ କ୍ଲାନ୍ତ ବ୍ୟକ୍ତିକୁ ଆସନ ଦେବାର ଓ ପୀଡ଼ିତ ବ୍ୟକ୍ତିକୁ ଶଯ୍ୟା ଦେବାର, ତୃଷାର୍ତ୍ତକୁ ପାନୀୟ ଦେବାର ଓ କ୍ଷୁଧାର୍ତ୍ତକୁ ଖାଦ୍ୟ ଦେବାର (୫୫) । ଏବଂ ଅତିଥି ପ୍ରତି କରୁଣ ଦୃଷ୍ଟି ନିକ୍ଷେପ କରିବାର, ତାହା ପ୍ରତି ଯତ୍ନ କରିବାର, ମନୋମଧ୍ୟରେ ପ୍ରସନ୍ନ ହୋଇ ଗାତ୍ରୋତ୍‌ଥାନପୂର୍ବକ ତାହାକୁ ଘେନି ଆସି ଆସନ ଦେବାର, ମଧୁର ବଚନ ପ୍ରୟୋଗ କରିବାର ଓ ଆଶ୍ରମାନୁରୂପ ତାହାଙ୍କ ପ୍ରତି ଯଥାଯୋଗ୍ୟ ବ୍ୟବହାର କରିବା ଗୃହସ୍ଥର ସନାତନ ଧର୍ମ ଅଟେ । ୫୬ ।

 

ଅଗ୍ନିହୋତ୍ରର ଅନୁଷ୍ଠାନ ନ କଲେ, ଅତିଥିକୁ ବୃଷଭଦାନ ନ କଲେ ପୁତ୍ର, କଳତ୍ର, ଭୃତ୍ୟ, ଜ୍ଞାତି ଓ ବାନ୍ଧବମାନଙ୍କୁ ଯଥାଯୋଗ୍ୟ ସତ୍କାର ନ କଲେ ସେମାନେ ଗୃହସ୍ଥକୁ ଦଗ୍ଧ କରନ୍ତି । ୫୭ । ଗୃହସ୍ଥ ବ୍ୟକ୍ତି କେବଳ ନିଜର ଭୋଜନ ନିମିତ୍ତ ପାକ କରିବ ନାହିଁ । ପିତୃ, ଦେବତା ଓ ଅତିଥିଙ୍କ ଉଦ୍ଦେଶ୍ୟ ଭିନ୍ନ ପଶୁଘାତ କରିବ ନାହିଁ ଓ ଅଗ୍ରେ ପିତୃଦେବତା କି ଅତିଥିଙ୍କୁ ମାଂସ ନ ଦେଇ ସ୍ୱୟଂ ସେ ମାଂସକୁ ଭୋଜନ କରିବ ନାହିଁ । ୫୮ । ପ୍ରତିଦିନ ପ୍ରାତଃକାଳରେ ଓ ସାୟଂକାଳରେ କୁକୁର, ଚଣ୍ଡାଳ ଓ ପକ୍ଷୀମାନଙ୍କ ନିମିତ୍ତ ଭୂତଳରେ ଅନ୍ନ ନିର୍ବପଣରୂପ ବୈଶ୍ୱଦେବ ନାମକ ବଳି ପ୍ରଦାନ କରିବା ଗୃହସ୍ଥର ଅବଶ୍ୟ କର୍ତ୍ତବ୍ୟକର୍ମ । ୫୯ । ଯେଉଁ ବ୍ୟକ୍ତି ପ୍ରତିଦିନ ପିତୃ, ଦେବତା ଓ ଅତିଥିମାନଙ୍କର ଭୋଜନା-ବସାନରେ ଅନ୍ନ ଭୋଜନ କରେ ସେହି ବ୍ୟକ୍ତି ଅମୃତ ଭୋଜନ କରେ । ୬୦ । ଅତିଥି ସେବା ଗୋଟିଏ ଯଜ୍ଞ । ତହିଁରେ ଏହି ପାଞ୍ଚଗୋଟି ଦକ୍ଷିଣା ଦେବାକୁ ହୁଏ । ଯଥା– (୧) ଅତିଥି ପ୍ରତି ସ୍ନିଗ୍‌ଧ ଦୃଷ୍ଟି କରିବା, (୨) ମନ ମଧ୍ୟରେ ପ୍ରସନ୍ନ ହେବା, (୩) ସୁମିଷ୍ଟ ବାକ୍ୟଦ୍ୱାରା ତାହାର ସନ୍ତୋଷ ବିଧାନ କରିବା, (୪) ବିଦାୟ ବେଳେ ତାହାର ପଶ୍ଚାତ୍ ପଶ୍ଚାତ୍ ଗମନ କରିବା, (୫) ଅନ୍ନ ପାନାଦିଦ୍ୱାରା ତାହାର ଉପାସନା କରିବା । ୬୧ । ଯେଉଁ ଗୃହସ୍ଥ ଅପରିଚିତ ଓ ପଥଶ୍ରାନ୍ତ ବ୍ୟକ୍ତିଙ୍କୁ ଅକ୍ଳିଷ୍ଟ ଭାବରେ ଅନ୍ନପାନାଦିଦ୍ୱାରା ସତ୍‍କୃତ କରେ, ସେ ଗୃହସ୍ଥର ପୁଣ୍ୟ ମହତ୍-। ୬୨ । ପଣ୍ଡିତମାନେ ବୋଲନ୍ତି ଯେ ଯେଉଁ ବ୍ୟକ୍ତି ଗୃହାଶ୍ରମୀ ହୋଇ ଉକ୍ତ ପ୍ରକାରେ ଧର୍ମାଚରଣ କରେ ତାହାଙ୍କ ପୁଣ୍ୟ ନିର୍ମଳ ଓ ଉତ୍କୃଷ୍ଟ । ହେ ବିପ୍ର ! ଆପଣଙ୍କ ମନକୁ ଏ କଥା କିପରି ଲାଗୁଅଛି କହିବା ହେଉନ୍ତୁ । ୬୩ ।

 

ଶୌନକ ବୋଇଲେ– ହାୟ କି କଷ୍ଟ ! ଏହି ସଂସାରରେ ସମୁଦାୟ ଭାବ ବିପରୀତ । ଦେଖିବା ହେଉନ୍ତୁ, ସାଧୁ ବ୍ୟକ୍ତିମାନେ ଯେଉଁ କର୍ମ କରିବାକୁ ଲଜ୍ଜିତ ହୁଅନ୍ତି, ଅସାଧୁ ବ୍ୟକ୍ତିମାନେ ସେଥିରେ ପ୍ରୀତିଲାଭ କରନ୍ତି । ୬୪ । ମୂଢ଼ଜନମାନେ କ୍ରୋଧରେ ବଶୀଭୂତ ହୋଇ ଶିଶ୍ନୋଦର ପ୍ରୀତି ସମ୍ପାଦନ କରନ୍ତି, ଇନ୍ଦ୍ରିୟ ପ୍ରୀତି ନିମିତ୍ତ ବୁଝିକରି ବୁଝନ୍ତି ନାହିଁ । ୬୫ । ଉକ୍ତ ପ୍ରକାର ମନୁଷ୍ୟମାନେ ଦୁଷ୍ଟ ଓ ଉଦ୍ଭ୍ରାନ୍ତ ଅଶ୍ୱମାନଙ୍କଦ୍ୱାରା ସାରଥି ଯେପରି ପଥଚ୍ୟୁତ ଓ ନିପାତିତ ହୁଏ, ତଦ୍ରୂପ ଇନ୍ଦ୍ରିୟମାନଙ୍କଦ୍ୱାରା ଆକୃଷ୍ଟ ହୋଇ ପରମାର୍ଥ ଜ୍ଞାନମାର୍ଗରୁ ପରିଚାଳିତ ହୁଅନ୍ତି । ୬୬ ।

 

ଛଅଟି ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଯେଉଁ ଇନ୍ଦ୍ରିୟ ଯେତେବେଳେ ନିଜ ବିଷୟରେ ପତିତ ହୁଏ ତେତେବେଳେ ମନୁଷ୍ୟର ଅନ୍ତଃକରଣ ସେହି ବିଷୟକୁ ଭୋଗ କରିବାକୁ କାମନା କରେ । ଏହି ପ୍ରକାରେ ଯେଉଁ ଯେଉଁ ବ୍ୟକ୍ତିଙ୍କର ଅନ୍ତଃକରଣ ଯେଉଁ ଯେଉଁ ଇନ୍ଦ୍ରିୟର ବଶବର୍ତ୍ତୀ ହୁଏ, ମନୁଷ୍ୟ ସେହି ଜାତୀୟ ଭୋଗକୁ କାମନା କରେ । କାମନା ହେଲେ ତହିଁରେ ପ୍ରବୃତ୍ତି ଜନ୍ମେ । ପତଙ୍ଗମାନେ ଯେପରି ପ୍ରଜ୍ୱଳିତ ହୁତାଶନର ରୂପକୁ ଦର୍ଶନ କରି ଲୁବ୍ଧହୋଇ ତନ୍ମଧ୍ୟରେ ନିପତିତ ହୁଅନ୍ତି, ମନୁଷ୍ୟମାନେ ମଧ୍ୟ ସେହିପରି ବିଷୟଭୋଗ ସଙ୍କଳ୍ପରେ ପ୍ରମତ୍ତ ହୋଇ ସେହି ବିଷୟ ଶରରେ ଆବଦ୍ଧ ଓ ଭୋଗଲାଳସା ରୂପ ଅଗ୍ନିରେ ନିପତିତ ହୁଅନ୍ତି । ୬୯ । ପରନ୍ତୁ ସେହି ମୁଗ୍ଧ ବ୍ୟକ୍ତିମାନେ ସୁଖରେ ନିମଗ୍ନ ହୋଇ ଆପେ ଯେ କି ପଦାର୍ଥ ତାହା ବିସ୍ମୃତ ହୁଅନ୍ତି । ୭୦ । ସୁତରାଂ ଅବିଦ୍ୟା, କର୍ମ ଓ ବିଷୟ-ତୃଷ୍ଣାଦ୍ୱାରା ଚକ୍ରବତ୍ ପରିବର୍ତ୍ତିତ ହୋଇ ସଂସାର ମଧ୍ୟରେ ବ୍ରହ୍ମାଙ୍କଠାରୁ ତୃଣ ପର୍ଯ୍ୟନ୍ତ ଭୂଚର, ଖେଚର, ଜଳଚର ପ୍ରଭୃତି ପ୍ରାଣୀ ଦେହ ଧାରଣ କରି ପୁନଃପୁନଃ ଜନ୍ମଲାଭ କରେ-। ୭୨ । ଅଜ୍ଞମାନଙ୍କର ଏହିପରି ଗତି ହୁଏ । କିନ୍ତୁ ଯେଉଁମାନେ ଶ୍ରେୟ କାର୍ଯ୍ୟ କରି ମୋକ୍ଷ ଲାଭରେ ଯତ୍ନବାନ ହୁଅନ୍ତି, ସେମାନଙ୍କ ଗତି ଆମ୍ଭଠାରୁ ଶ୍ରବଣ କରନ୍ତୁ । ୭୩ ।

 

ବେଦରେ ଉଭୟ ଉକ୍ତ ଅଛି ଯେ କର୍ମ କରିବ ଓ କର୍ମ ତ୍ୟାଗ କରିବ । ତାହାର ମୀମାଂସା ଏହି ଯେ, ଯେଉଁ କର୍ମ କରିବ ସେହି କର୍ମର ଫଳାକାଙ୍‌କ୍ଷୀ ନୋହି ଅଭିମାନଶୂନ୍ୟ ହୋଇ ଆଚରଣ କରିବ । ୭୪ । ଯାଗ, ଦାନ ତପସ୍ୟା, ବେଦାଧ୍ୟୟନ, ସତ୍ୟାଚରଣ, କ୍ଷମା, ଇନ୍ଦ୍ରିୟନିଗ୍ରହ ଓ ନିର୍ଲୋଭତା ଏହି ଆଠ ପ୍ରକାର ଧର୍ମର ପଥ ବୋଲି କଥିତ ଅଛି । ୭୫ । ତନ୍ମଧ୍ୟରୁ ପ୍ରଥମ କଥିତ ଚାରିଗୋଟି ପିତୃଯାନ ବୋଲି ସେ ପିତୃଲୋକର ପଥରେ ନିବିଷ୍ଟ । ଏହି ପଥରେ ଯେଉଁ ଯେଉଁ କର୍ମ କରିବାର କଥିତ ଅଛି ତାହାକୁ ଅଭିମାନୀ ନ ହୋଇ ନିଷ୍ପନ୍ନ କରିବ । ଶେଷୋକ୍ତ ଚାରିଗୋଟିକୁ ଦେବଯାନ ବୋଲାଯାଏ । ସେ ଦେବଲୋକରେ ନିବିଷ୍ଟ । ସାଧୁ ବ୍ୟକ୍ତିମାନେ ସର୍ବଦା ସେହି କାର୍ଯ୍ୟର ଅନୁଷ୍ଠାନ କରନ୍ତି । ପରନ୍ତୁ ଉପଯୁକ୍ତ ଅଷ୍ଟ ପ୍ରକାର କର୍ମକୁ ବିଶୁଦ୍ଧଚିତ୍ତ ହୋଇ ସମ୍ପାଦନ କରିବା ବିଧେୟ । ୭୭ । ଅତଏବ ଯେଉଁମାନେ ସଂସାରରୁ ଉଦ୍ଧାର ପାଇବାର କାମନା କରନ୍ତି, ସେମାନଙ୍କର କର୍ତ୍ତବ୍ୟ ଯେ ସମ୍ୟକ୍‍ରୂପେ ଇନ୍ଦ୍ରିୟ ନିଗ୍ରହ କରିବାର, ସମ୍ୟକ୍‍ରୂପେ ବ୍ରତାଚରଣ କରିବାର, ସମ୍ୟକ୍‍ରୂପେ ଗୁରୁଙ୍କ ସେବା କରିବାର, ସମ୍ୟକ୍‍ରୂପେ ଆହାର ନିୟମ ପ୍ରତିପାଳନ କରିବାର, ସମ୍ୟକ୍‍ରୂପେ ବେଦାଧ୍ୟୟନ କରିବାର, ସମ୍ୟକ୍‍ରୂପେ କର୍ମ ସନ୍ୟାସ କରିବାର ଅଥଚ ସମ୍ୟକ୍ ପ୍ରକାରେ ଚିତ୍ତନିରୋଧ କରି କର୍ମାଚରଣ କରିବା ବିଧେୟ । ଏହି ପ୍ରକାରେ ଦେବତାମାନେ ସୁଦ୍ଧା ରାଗଦ୍ୱେଷରହିତ ହୋଇ ଐଶ୍ୱର୍ଯ୍ୟ ଲାଭ କରିଅଛନ୍ତି । ୮୦ । ରୁଦ୍ରଗଣ, ବସୁଗଣ, ସାଧ୍ୟଗଣ, ଆଦିତ୍ୟଗଣ ଓ ଅଶ୍ୱିନୀକୁମାରଦ୍ୱୟ ଏହି ପ୍ରକାର ଯୋଗାଚରଣ କରି ନିଜ ନିଜ ଐଶ୍ୱର୍ଯ୍ୟଦ୍ୱାରା ପ୍ରଜାମାନଙ୍କୁ ପରିପାଳନ କରନ୍ତି । ୮୧ ।

 

ହେ ଭାରତ ! ଆପଣ ମଧ୍ୟ ସମ୍ପୂର୍ଣ୍ଣରୂପେ ପ୍ରେମପରାୟଣ ହୁଅନ୍ତୁ । ଶାନ୍ତ ହୋଇ ତପସିଦ୍ଧି ଓ ଯୋଗସିଦ୍ଧି ଲାଭ କରିବାକୁ ଉଦ୍‌ଯୋଗୀ ହେଉନ୍ତୁ । ୮୨ । ଆପଣ ପୁତ୍ରୋତ୍ପାଦନାଦିଦ୍ୱାରା ପିତୃମାତୃ ଋଣରୁ ମୁକ୍ତ ହୋଇ ପିତୃମାତୃ ନାମ୍ନୀ ସିଦ୍ଧି ଲାଭ କରିଅଛନ୍ତି ଅଥଚ ଯଜ୍ଞାଦି କର୍ମଦ୍ୱାରା “କର୍ମମୟ” ସିଦ୍ଧିପ୍ରାପ୍ତ ହୋଇଅଛନ୍ତି । ଏବେ ଦ୍ୱିଜମାନଙ୍କର ଭରଣ-ପୋଷଣ ନିମିତ୍ତ ତପଶ୍ଚର୍ଯ୍ୟା କରି ତଦୁପଯୋଗୀ ସିଦ୍ଧିଲାଭ କରିବାକୁ ଇଚ୍ଛା କରନ୍ତୁ । ତପଃସିଦ୍ଧ ବ୍ୟକ୍ତିମାନେ ଯାହା ଅଭିଳାଷ କରନ୍ତି ତପ ପ୍ରଭାବରେ ତାହା ସେମାନେ ଲାଭ କରିପାରନ୍ତି, ଅତଏବ ଆପଣ ମଧ୍ୟ ତପସ୍ୟା କରି ସ୍ୱୀୟ ମନୋରଥ ପୂର୍ଣ୍ଣ କରନ୍ତୁ । ୮୪ ।

 

॥ ତୃତୀୟ ଅଧ୍ୟାୟ ॥

 

ବୈଶମ୍ପାୟନ ବୋଇଲେ– ଶୌନକଙ୍କ କଥିତ ଉକ୍ତ ବାକ୍ୟ ଶ୍ରବଣ କରି କୁନ୍ତୀସୁତ ଯୁଧିଷ୍ଠିର ପୁରୋହିତଙ୍କୁ ଆହ୍ୱାନ କରି ଭ୍ରାତାମାନଙ୍କ ମଧ୍ୟରେ ଥାଇ ତାହାଙ୍କୁ କହିଲେ । ୧ । ହେ ଭଗବାନ ! ଆମ୍ଭେ ବନଗମନରେ ଉଦ୍ୟତ ହେଲେ ହେଁ ଏହି ବେଦପାରଗ ବ୍ରାହ୍ମଣମାନେ ଆମ୍ଭ ସଙ୍ଗରେ ଗମନ କରୁଅଛନ୍ତି । ବର୍ତ୍ତମାନ ଏମାନଙ୍କୁ ପୋଷଣ କରିବାକୁ ଆମ୍ଭର ସାମର୍ଥ୍ୟ ନାହିଁ । ତେଣୁ ଆମ୍ଭେ ଅତିଶୟ ଦୁଃଖୀ ହେଉଅଛୁଁ । ଏମାନଙ୍କୁ ପରିତ୍ୟାଗ କରିପାରୁ ନାହୁଁ, କି କିଛି ଦାନ କରିବାକୁ ମଧ୍ୟ ଆମ୍ଭର ସାମର୍ଥ୍ୟ ନାହିଁ । ଅତଏବ ବର୍ତ୍ତମାନ ଆମ୍ଭର କି କର୍ତ୍ତବ୍ୟ ? ଏତଦ୍ ବିଷୟରେ ଆମ୍ଭଙ୍କୁ ଆପଣ ଉପଦେଶ ଦିଅନ୍ତୁ ।

 

ବୈଶମ୍ପାୟନ ବୋଇଲେ, ଯୁଧିଷ୍ଠିରଙ୍କ ପ୍ରସ୍ତାବିତ ବିଷୟ ଶ୍ରବଣାନନ୍ତର ଋଷିପ୍ରଧାନ ଧର୍ମଜ୍ଞଶ୍ରେଷ୍ଠ ପୁରୋହିତ ଧୌମ୍ୟ ଯୋଗଦ୍ୱାରା ମୁହୂର୍ତ୍ତମାତ୍ର ତଦ୍ ବିଷୟରେ ଚିନ୍ତାକରି ତାହାଙ୍କୁ ଉତ୍ତର ଦେଲେ । ୪ । ପୂର୍ବକାଳରେ ପ୍ରାଣୀମାନେ ଭଗବାନଙ୍କଦ୍ୱାରା ସୃଷ୍ଟ ହୁଅନ୍ତି । ସେମାନେ କ୍ଷୁଧାରେ ଅତିମାତ୍ର କାତର ହେଲେ । ପିତା ଯେପରି ପୁତ୍ରଙ୍କ ପ୍ରତି ଅନୁକମ୍ପାନ୍ୱିତ ହୁଅନ୍ତି, ଭଗବାନ ସବିତା ମଧ୍ୟ ତଦ୍ରୂପ କୃପାନ୍ୱିତ ହୋଇ ଉତ୍ତର ଦିଗକୁ ଗମନ କରି ନିଜର ତେଜପୁଞ୍ଜଦ୍ୱାରା ପୃଥିବୀର ରସାକର୍ଷଣ କରି ଦକ୍ଷିଣାୟନରେ ସ୍ୱୀୟ ରଶ୍ମିଦ୍ୱାରା ପୃଥିବୀକୁ ବାସିତ* କଲେ । ଉଷ୍ଣତାସ୍ୱରୂପ ସୂର୍ଯ୍ୟ କ୍ଷେତ୍ର ସମୂହରେ ଅବସ୍ଥିତ ହୁଅନ୍ତେ ଔଷଧପତି ଚନ୍ଦ୍ର ସେହି ଆକୃଷ୍ଟ ବାରିଦ୍ୱାରା ଅନ୍ତରୀକ୍ଷରେ ମେଘୋତ୍ପାଦନ କଲେ । ଏହି ପ୍ରକାରେ ଚନ୍ଦ୍ର ଓ ରବିଙ୍କଦ୍ୱାରା କ୍ଷେତ୍ରମାନେ ସିକ୍ତ ହୋଇ ଶସ୍ୟୋତ୍ପାଦନ କଲେ । ସେହି ଶସ୍ୟ ରବିଙ୍କ ତେଜଦ୍ୱାରା ଷଡ଼୍‌ବିଧ ରସଧାରୀ ହୋଇ ପ୍ରାଣୀମାନଙ୍କର ଅନ୍ନରୂପେ ପରିଣତ ହେଲା । ୮ । ଏହି ପ୍ରକାରେ ପ୍ରାଣଧାରଣର ଉପାୟସ୍ୱରୂପ ସମୁଦାୟ ଅନ୍ନ ଆଦିତ୍ୟଙ୍କ ଅନୁଗ୍ରହରୁ ଜାତ ହେଲା । ଆଦିତ୍ୟ ସମସ୍ତ ପ୍ରଜାଙ୍କର ପିତାସ୍ୱରୂପ; ଅତଏବ ଆପଣ ସେହି ଆଦିତ୍ୟଙ୍କର ଶରଣାଗତ ହେଉନ୍ତୁ । ୯ ।

 

[*ବାସିତ ଅର୍ଥ ଋତୁମତୀ, ଅଗ୍ରେ କେହି ଋତୁମତୀ ନ ହେଲେ ଫଳାଧାନ ହୁଅଇ ନାହିଁ । ପ୍ରାଣୀ ଓ ଉଦ୍ଭିଦ ଏବଂ ଜଡ଼ ଜଗତରେ ସୁଦ୍ଧା ଏହି ନିୟମର ବ୍ୟତିକ୍ରମ ଦେଖାଯାଏ ନାହିଁ ।]

 

ବିଶୁଦ୍ଧକୁଳସମ୍ଭୂତ ମହାତ୍ମା ରାଜାମାନେ ଅତି କଠୋର ତପସ୍ୟାଚରଣ କରି ପ୍ରଜାମାନଙ୍କୁ ଦୁଃଖରୁ ଉଦ୍ଧାର କରନ୍ତି । ୧୦ । ଭୀମ, କାର୍ତ୍ତବୀର୍ଯ୍ୟ, ପୃଥ୍ୱୁ ଓ ନହୁଷ ପ୍ରଭୃତି ରାଜାମାନେ ତପସ୍ୟା, ଯୋଗ ଓ ସମାଧିକୁ ଆଶ୍ରୟ କରି ଜଗତସ୍ଥ ପ୍ରଜାମାନଙ୍କୁ ବହୁବିଧ ଆପଦରୁ ରକ୍ଷା କରିଥିଲେ । ୧୧ । ଅତଏବ ହେ ଭାରତ, ଧର୍ମାତ୍ମନ ! ଆପଣ ବିଶୁଦ୍ଧକର୍ମା, ଆପଣ ମଧ୍ୟ ସେହି ମହାତ୍ମା ରାଜାମାନଙ୍କ ସଦୃଶ ଧର୍ମ, ତପସ୍ୟାବଳରୁ ଦ୍ୱିଜାତିମାନଙ୍କର ଭରଣପୋଷଣ କରନ୍ତୁ । ୧୨ ।

 

ଜନ୍ମେଜୟ ବୋଇଲେ– କୁରୁଶ୍ରେଷ୍ଠ ରାଜା ଯୁଧିଷ୍ଠିର ବିପ୍ରମାନଙ୍କ ନିମିତ୍ତ କିରୂପେ ଅଦ୍ଭୁତଦର୍ଶନ ସୂର୍ଯ୍ୟଙ୍କର ଆରାଧନା କଲେ, ତାହା ବର୍ଣ୍ଣନା କରିବା ହେଉନ୍ତୁ । ୧୩ । ବୈଶମ୍ପାୟନ ବୋଇଲେ, ହେ ରାଜନ ! ଆପଣ ଉପଯୁକ୍ତ ଅବସର ସ୍ଥିର କରନ୍ତୁ । ହେ ରାଜେନ୍ଦ୍ର ! ଆମ୍ଭେ ବିଶେଷରୂପେ ତାହା କୀର୍ତ୍ତନ କରୁଅଛୁ । ଆପଣ ଶୁଚି ଓ ସମାହିତ ହୋଇ ଏକାଗ୍ରଚିତ୍ତରେ ଶ୍ରବଣ କରନ୍ତୁ । ହେ ମହାମତେ ! ମହର୍ଷି ଧୌମ୍ୟ ସୁମହାତ୍ମା ଯୁଧିଷ୍ଠିରଙ୍କ ନିକଟରେ ଅଷ୍ଟାଧିକ ଶତ ନାମକ ଯେ ସ୍ତବ କୀର୍ତ୍ତନ କରିଥିଲେ, ତାହା ଶ୍ରବଣ କରନ୍ତୁ । ୧୫ । ସୂର୍ଯ୍ୟ, ଅର୍ଯମା, ଭାଗ, ତ୍ୱଷ୍ଟା, ପୂଷା, ଅର୍କ, ସବିତା, ରବି, ଗଭସ୍ତିମାନ, ଅଜ, କାଳ, ମୃତ୍ୟୁ, ଧାତା, ପ୍ରଭାକର, ପୃଥିବୀ, ଜଳ, ତେଜ, ବାୟୁ, ଆକାଶ ଆଦି କାରଣ, ସୋମ, ବୃହସ୍ପତି, ଶୁକ୍ର, ବୁଧ, ଅଙ୍ଗାରକ ଇନ୍ଦ୍ର, ବିବସ୍ୱାନ, ଦୀପ୍ତାଂଶୁ, ଶୁଚି, ଗୌରୀ, ଶନୈଶ୍ଚର, ବ୍ରହ୍ମା, ବିଷ୍ଣୁ, ରୁଦ୍ର, ସ୍କନ୍ଧ, ବରୁଣ, ଯମ, ବିଦ୍ୟୁତ୍‌‌, ଜଠରାଗ୍ନି, ତେଜଃପତି, ଧର୍ମଧ୍ୱଜ, ବେଦକର୍ତ୍ତା, ଦେବାଙ୍ଗ, ବେଦବାହନ, ସତ୍ୟ, ତ୍ରେତା, ଦ୍ୱାପର, ସର୍ବମଳାଶ୍ରୟ, କଳି, କଳା, କାଷ୍ଠା, ମୁହୂର୍ତ୍ତ, କ୍ଷପା, ଯାମ, କ୍ଷଣ, ସମ୍ବତ୍ସରାଦିର ଜନକ, ଅଶ୍ୱଥି, କାଳଚକ୍ର, ବିଭାବସୁ, ଶାଶ୍ୱତ-ପୁରୁଷ, ଯୋଗୀ, ବ୍ୟକ୍ତାବ୍ୟକ୍ତ, ସନାତନ, କାଳାଧ୍ୟକ୍ଷ, ପ୍ରଜାଧ୍ୟକ୍ଷ, ବିଶ୍ୱକର୍ମା, ତମୋନୁଦ, ବରୁଣ (ବୈଶ୍ରବଣ, ଯମ) ସାଗର, ଅଂଶ, ଜୀମୂତ, ଅରିହା, ଭୂତାଶ୍ରୟ, ସର୍ବଲୋକ ନମସ୍କୃତା, ଭୂତପତି, ଶ୍ରୀ ସ୍ରଷ୍ଟା, ସମ୍ବର୍ତ୍ତକ, ବହ୍ନି, ସର୍ବାଦି, ଅଲୋଲପ, ଅନନ୍ତ, କପିଳ, କାମପ୍ରଦ, ସର୍ବତୋମୁଖ, ଜୟ, ବିଶାଳ ବରଦ, ସର୍ବଧାତୁ ନିଷେବିତ, ମନ, ସୁପର୍ଣ୍ଣ, ଭୂତାଦି, ଶୀଘ୍ରଗ, ପ୍ରାଣଧାରଣ, ଧନ୍ୱନ୍ତରୀ, ଧୂମକେତୁ, ଅଦିତିପୁତ୍ର, ଆଦିଦେବ, ଦ୍ୱାଦଶାତ୍ମ, ଅରବିନ୍ଦାକ୍ଷ, ପିତା, ମାତା, ପିତାମହ, ସ୍ୱର୍ଗଦ୍ୱାର, ପ୍ରଜାଦ୍ୱାର, ମୋକ୍ଷଦ୍ୱାର, ତ୍ରିପିଷ୍ଟକ, ଦେହକର୍ତ୍ତା, ପ୍ରଶାନ୍ତାତ୍ମା, ବିଶ୍ୱାତ୍ମା, ବିଶ୍ୱତୋମୁଖ, ଚରାଚରାତ୍ମା, ସୂକ୍ଷ୍ମାତ୍ମା, କରୁଣାନ୍ୱିତ ଓ ମୈତ୍ରେୟ । ୨୭ । ଅପରିମିତ ତେଜସ୍ୱୀ ସୂର୍ଯ୍ୟଦେବଙ୍କର ଅବଶ୍ୟ କୀର୍ତ୍ତନୀୟ ଏହି ଅଷ୍ଟାଧିକ ଶତନାମ, ଭଗବାନ ସ୍ୱୟମ୍ଭୁଙ୍କ କର୍ତ୍ତୃକ କଥିତ ହୋଇଅଛି । ୨୮-

 

ଦେବ, ପିତୃ ଓ ଯକ୍ଷଗଣଙ୍କକର୍ତ୍ତୃକ ସେବିତ, ଅସୁର ନିଶାଚର ଓ ସିଦ୍ଧଗଣଙ୍କକର୍ତ୍ତୃକ ବନ୍ଦିତ ଅଥଚ ଉତ୍ତମ ହିରଣ୍ୟ ଓ ହୁତାଶନ ସମ ପ୍ରଭାନ୍ୱିତ ଭାସ୍କରଦେବଙ୍କୁ ହିତ ନିମିତ୍ତ ପ୍ରଣାମ କରୁଅଛୁଁ । ୨୯ । ସୂର୍ଯ୍ୟଙ୍କର ଉଦୟ କାଳରେ ଏକାଗ୍ରଚିତ୍ତ ହୋଇ ଯେ ଏହି ସ୍ତବ ପାଠ କରନ୍ତି, ସେ ପୁତ୍ର କଳତ୍ର, ଧନରତ୍ନ ସଞ୍ଚୟ ଓ ଜାତିସ୍ମରତ୍ୱ ଏବଂ ସର୍ବଦା ଧୃତି ଓ ମେଧା ପ୍ରାପ୍ତ ହୁଅନ୍ତି । ୩୦ । ଯେଉଁ ମନୁଷ୍ୟ ବିଶୁଦ୍ଧ ଓ ଅଚଞ୍ଚଳ ମନରେ ପରମଦେବ ସୂର୍ଯ୍ୟଙ୍କର ଏହି ସ୍ତବ କୀର୍ତ୍ତନ କରନ୍ତି, ସେ ଶୋକରୂପ ଅପାର ଦାବାଗ୍ନିରୁ ମୁକ୍ତ ହୋଇ ମନୋଭୀଷ୍ଟ ଲାଭ କରନ୍ତି । ୩୧ ।

 

ବୈଶମ୍ପାୟନ ବୋଇଲେ– ରାଜା ଯୁଧିଷ୍ଠିର ଧୌମ୍ୟଙ୍କ ନିକଟରେ ଏହିରୂପ ଓ କାଳୋଚିତ ବାକ୍ୟ ଶ୍ରବଣକରି ବ୍ରାହ୍ମଣଙ୍କ ପ୍ରତିପାଳନ ନିମିତ୍ତ ଦୃଢ଼ ନିୟମୀ ଓ ବିଶୁଦ୍ଧାନ୍ତ ହୋଇ ମନଃ ସଂଯମପୂର୍ବକ ଉତ୍କୃଷ୍ଟ ତପସ୍ୟା ଆରମ୍ଭ କଲେ । ୩୨ । ପୁଷ୍ପୋପହାରାବଳିଦ୍ୱାରା ସୂର୍ଯ୍ୟଦେବଙ୍କୁ ସେ ଅର୍ଚ୍ଚନା କରି, ଜଳରେ ଅବଗାହନ କରି, ଆଦିତ୍ୟଙ୍କ ଅଭିମୁଖୀ ହୋଇ ରହିଲେ । ୩୩ । ସେହି ଜିତେନ୍ଦ୍ରିୟ ଧର୍ମାତ୍ମା ଯୁଧିଷ୍ଠିର ଏହି ପ୍ରକାରେ ଯୋଗାଚରଣ କରି ବାୟୁଭକ୍ଷଣପୂର୍ବକ ଗଙ୍ଗାଜଳ ସେବନ କରି ଶୁଚି ଓ ମୌନହୋଇ ପ୍ରାଣାୟମପୂର୍ବକ ସ୍ତୋତ୍ର ଆରମ୍ଭ କଲେ । ୩୫ ।

 

ଯୁଧିଷ୍ଠିର ବୋଇଲେ– ହେ ଭାନୋ ! ତୁମ୍ଭେ ଜଗତର ଚକ୍ଷୁସ୍ୱରୂପ, ସର୍ବ ପ୍ରାଣୀମାନଙ୍କର ଆତ୍ମା, ତୁମ୍ଭେ ଭୂତନିଚୟର ଉତ୍ପତ୍ତି ସ୍ଥାନ ଓ କ୍ରିୟାନିଷ୍ଠ ବ୍ୟକ୍ତିଙ୍କର ତୁମ୍ଭେ ଅନ୍ତରାତ୍ମା ଓ ନିୟନ୍ତା ଅଟ-। ୩୬ । ତୁମ୍ଭେ ସମସ୍ତ ଜ୍ଞାନନିଷ୍ଠ ବ୍ୟକ୍ତିଙ୍କର ଗତି, ଯୋଗୀମାନଙ୍କର ପରମ ଆଶ୍ରୟ-। ମୋକ୍ଷାଭିଳାଷୀଙ୍କର ଅର୍ଗଳ ଓ କପାଟବିହୀନ ମୋକ୍ଷଦ୍ୱାରସ୍ୱରୂପ । ଆପଣ ଏହି ଲୋକମାନଙ୍କୁ ଧାରଣ କରିଅଛନ୍ତି । ଆପଣଙ୍କଠାରୁ ଏହି ଲୋକମାନେ ପ୍ରକାଶିତ ହୋଇଅଛନ୍ତି । ଆପଣଙ୍କ ଠାରୁ ଏହି ଲୋକମାନେ ଶୁଦ୍ଧିଭାବକୁ ପ୍ରାପ୍ତ ହୁଅନ୍ତି ଓ ଆପଣ ଏହି ସମସ୍ତ ଜଗତକୁ ଅକପଟ ଭାବରେ ପାଳନ କରନ୍ତି । ହେ ଋଷିଗଣାର୍ଚ୍ଚିତ ! ଋଷିମାନେ ଆପଣଙ୍କୁ ଅର୍ଚ୍ଚନା କରନ୍ତି ଓ ବେଦପାରଗ ବ୍ରାହ୍ମଣମାନେ ସ୍ୱ ସ୍ୱ ଶାଖାଭିହିତ ମନ୍ତ୍ରଦ୍ୱାରା ଯଥାକାଳରେ ଆପଣଙ୍କର ଉପାସନା କରନ୍ତି । ୩୯ । ସିଦ୍ଧ, ଚାରଣ, ଗନ୍ଧର୍ବ, ଯକ୍ଷ, ଗୂହ୍ୟକ ଓ ପନ୍ନଗମାନେ ବର କାମନାକରି ଆପଣଙ୍କର ଗମନଶୀଳ ଦିବ୍ୟ ରଥର ପଶ୍ଚାତ୍ ପଶ୍ଚାତ୍ ଗମନ କରନ୍ତି । ୪୦ । ଇନ୍ଦ୍ର ଓ ଉପେନ୍ଦ୍ର ସହିତ ଅଷ୍ଟବସୁ, ଏକାଦଶ ରୁଦ୍ର, ଦ୍ୱାଦଶ ଆଦିତ୍ୟ, ପ୍ରଜାପତି ଓ ବଷଟ୍‌କାର, ଏହି ବେଦ ପ୍ରସିଦ୍ଧ ତ୍ରୟ ତ୍ରିଂଶତ୍ ଦେବତା ଓ ବିଶ୍ୱେଦେବା ପ୍ରଭୃତି ବୈମାନିକଗଣ ଆପଣଙ୍କ ଆରାଧନା କରି ସିଦ୍ଧିଲାଭ କରିଅଛନ୍ତି । ୪୧ ।

 

ପ୍ରଧାନ ପ୍ରଧାନ ବିଦ୍ୟାଧରଗଣ, ଦିବ୍ୟ ମନ୍ଦାରପୁଷ୍ପର ମାଳାଦ୍ୱାରା ଆପଣଙ୍କର ଅର୍ଚ୍ଚନା କରି ଶୀଘ୍ର ମନୋରଥ ସିଦ୍ଧି କରିଅଛନ୍ତି । ଆପଣଙ୍କର ଅନୁଗତ ହୋଇ ଗୂହ୍ୟକଗଣ, ଦିବ୍ୟ ଓ ମାନୁଷ ସପ୍ତସଂଖ୍ୟକ ପିତୃଗଣ ଆପଣଙ୍କ ଆରାଧନା ପ୍ରଭାବରୁ ଆଶୁପ୍ରାଧାନ୍ୟ ଲଭିଅଛନ୍ତି । ୪୩ । ବସୁଗଣ, ମରୁଦ୍‌ଗଣ, ରୁଦ୍ରଗଣ, ସାଧ୍ୟଗଣ, ମରୁଚିପଗଣ, ସିଦ୍ଧଗଣ ଓ ବାଳଖିଲା ପ୍ରଭୃତି ସିଦ୍ଧ ଋଷିଗଣ ସମସ୍ତେ ଆପଣଙ୍କ ନିକଟରେ ପ୍ରଣତ ହୋଇ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠତା ପ୍ରାପ୍ତ ହୋଇଅଛନ୍ତି । ୪୪ । ବ୍ରହ୍ମଲୋକ ପ୍ରଭୃତି ସମୁଦାୟ ସପ୍ତଲୋକ ମଧ୍ୟରେ ଏମନ୍ତ କୌଣସି ଦ୍ରବ୍ୟ ଦୃଶ୍ୟ ହୁଏ ନାହିଁ, ଯାହାକି ଆପଣଙ୍କ ଠାରୁ ପୃଥକ୍ । ୪୫ । ସଂସାର ମଧ୍ୟରେ ବୀର୍ଯ୍ୟବିଶିଷ୍ଟ ଅନ୍ୟାନ୍ୟ ଅନେକ ପ୍ରାଣୀ ଅଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ କେହି ସୁଦ୍ଧା ଆପଣଙ୍କ ସମାନ ପ୍ରଭାବ ବା ଦୀପ୍ତିଶାଳୀ ନୁହନ୍ତି । ୪୬ । ସମସ୍ତ ଜ୍ୟୋତି ଆପଣଙ୍କଠାରେ ଅବସ୍ଥିତି କରିଅଛି ଓ ଆପଣ ସମସ୍ତ ଜ୍ୟୋତିର ପତି । ସତ୍ତ୍ୱ ଓ ନିଖିଳ ସାତ୍ତ୍ୱିକ ଭାବ ଆପଣଙ୍କଠାରେ ବିଦ୍ୟମାନ ଅଛି । ୪୭ । ଭଗବାନ ବିଷ୍ଣୁ ଦର୍ପଧ୍ୱଂସ କରନ୍ତି । ସେହି ସୁନାଭ ନାମକ ସୁଦର୍ଶନଚକ୍ରକୁ ଆପଣଙ୍କ ତେଜଦ୍ୱାରା ବିଶ୍ୱକର୍ମା ନିର୍ମାଣ କରିଅଛନ୍ତି । ଗ୍ରୀଷ୍ମକାଳରେ ଆପଣ ସ୍ୱକୀୟ ରଶ୍ମିଦ୍ୱାରା ପ୍ରାଣୀମାନଙ୍କର ତେଜକୁ ଓ ଉଦ୍ଭିଦ ଜାତିର ରସକୁ ଆଦାନ କରନ୍ତି ଓ ବର୍ଷାକାଳରେ ପୁନଶ୍ଚ ସେମାନଙ୍କୁ ମୋଚନ କରନ୍ତି । ୪୯ ।

 

ପ୍ରାବୃଟ୍ କାଳରେ ଆପଣଙ୍କର ଅନ୍ୟାନ୍ୟ ରଶ୍ମି ଖପ ପ୍ରଦାନ କରେ, ଅନ୍ୟାନ୍ୟ ରଶ୍ମି ଦହନ କରେ ଓ ଅନ୍ୟାନ୍ୟ ରଶ୍ମି ମେଘରୂପୀ ହୋଇ ଗର୍ଜନ କରେ, ବିଦ୍ୟୁତ୍ ଚମକିତ କରେ ଅଥଚ ବର୍ଷଣ କରେ । ୫୦ । ଶୀତ ବା ବାତାର୍ଦ୍ଦିତ ଜନମାନଙ୍କୁ ଆପଣଙ୍କର ରଶ୍ମିମାନେ ଯାଦୃଶ ସୁଖ ପ୍ରଦାନ କରନ୍ତି, କି ଅଗ୍ନି, କି ଊର୍ଣ୍ଣ ନିମିତ୍ତ ବସନ, କି ବହୁମୂଲ୍ୟ କମଳ କେହି ସେମାନଙ୍କ ପକ୍ଷରେ ତାଦୃଶ ସୁଖପ୍ରଦ ହୁଅନ୍ତି ନାହିଁ । ୫୧ । ତ୍ରୟୋଦଶ ଦ୍ୱୀପମୟୀ ଏହି ପୃଥିବୀକୁ ଆପଣ ସ୍ୱକୀୟ କିରଣଦ୍ୱାରା ପ୍ରକାଶିତ କରନ୍ତି ଓ ସ୍ୱର୍ଗାଦି ତିନି ଲୋକର ହିତ ନିମିତ୍ତ ଆପଣ ସତତ ଏକାକୀ ନିଯୁକ୍ତ ଥାଆନ୍ତି । ୫୨ । ଆପଣଙ୍କର ଉଦୟ ନ ହେଲେ ଏହି ଜଗତ ତମୋମୟ ହେବ ଓ ମନୀଷାମାନେ ସ୍ୱ ସ୍ୱ ଧର୍ମାର୍ଥ କାର୍ଯ୍ୟରେ ପ୍ରବୃତ୍ତ ହେବେ ନାହିଁ । ୫୩ । ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟମାନେ ଆପଣଙ୍କ ପ୍ରସାଦରୁ ଯଜ୍ଞାଧାନ, ପଶୁବଳୀ ଇଷ୍ଟସାଧନ, ମନ୍ତ୍ରଯଜ୍ଞ, ତପସ୍ୟା ଓ କ୍ରିୟାମାନ ସମାହିତ କରନ୍ତି । ୫୪ । ସହସ୍ର ଯୁଗ ପରିମିତ କାଳ ଯାହା କି ବ୍ରହ୍ମାଙ୍କର ଏକ ଦିନ ବୋଲି ଉକ୍ତ ଅଛି, ଆପଣ ସେ କାଳର ଆଦି ଓ ଅନ୍ତ ବୋଲି କାଳଜ୍ଞ ପୁରୁଷମାନେ କହିଅଛନ୍ତି । ୫୫ ।

 

ମନୁ, ମନୁପୁତ୍ର, ମାନବ ଓ ମନ୍ୱନ୍ତରସମୂହ ସହିତ ସମୁଦାୟ ଜଗତର ଈଶ୍ୱରଙ୍କର ଆପଣ ଈଶ୍ୱର ଅଟନ୍ତି । ୫୬ । ସଂହାରକାଳ ଉପସ୍ଥିତ ହେଲେ ଆପଣଙ୍କର କ୍ରୋଧବିନିସୃତ ସମ୍ବର୍ତ୍ତକ ନାମକ ଅଗ୍ନି ତ୍ରିଲୋକକୁ ଦହନ କରି ଅବସ୍ଥିତ ହୁଏ । ଆପଣଙ୍କର ମରୀଚରୁ ସଞ୍ଜାତ ନାନା ବର୍ଣ୍ଣଧର ମେଘମାନେ ଐରାବତ* ଓ ବଜ୍ର ସହିତ ସୁଶୋଭିତ ହୋଇ ଜଗତକୁ ପ୍ଲାବିତ କରନ୍ତି । ୫୮ । ଆପଣ ଦ୍ୱାଦଶ ପ୍ରକାର ମୂର୍ତ୍ତିକୁ ଧାରଣ କରି ସ୍ୱୟଂ ଦ୍ୱାଦଶାଦିତ୍ୟ ନାମରେ ପ୍ରସିଦ୍ଧ ହୋଇଅଛନ୍ତି ଓ ଏକାର୍ଣ୍ଣବ ସମୁଦ୍ରକୁ ପରିଶୁଷ୍କ କରି ତାହାର ସଂହାର କରନ୍ତି । ୫୯ । ଆଚାର୍ଯ୍ୟମାନେ ଆପଣଙ୍କୁ ଇନ୍ଦ୍ର ବୋଲି ବୋଲନ୍ତି । ଆପଣ ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଗ୍ନି, ସୂକ୍ଷ୍ମମନ ପ୍ରଭୁ ଓ ଚିରସ୍ଥାୟୀ ବ୍ରହ୍ମ । ୬୦ । ହଂସ, ସବିତା, ଭାନୁ, ଅଂଶୁମାଳୀ, ବୃଷାକପି, ବିବସ୍ୱାନ, ମିହିର, ପୂଷା, ମିତ୍ର, ଧର୍ମ । ୬୧ । ସହସ୍ର ରଶ୍ମି, ଆଦିତ୍ୟ, ତପନ, କିରଣମାନଙ୍କର ପତି, ମାର୍ତ୍ତଣ୍ଡ, ଅର୍କ, ରବି, ସୂର୍ଯ୍ୟ, ଶରଣ୍ୟ, ଦିବାକର । ୬୨ । ସପ୍ତସପ୍ତି, ଧାମକୋଶୀ, ଜ୍ୟୋତିର୍ମୟ, କିରଣବାନ୍‌, ବିରୋଚନ, ଆଶୁଗାମୀ, ତମୋନାଶକ ଓ ହରିତାଶ୍ୱ ବୋଲି ପରିକୀର୍ତ୍ତିତ ହୋଇଅଛନ୍ତି । ୬୩ ।

 

[* ମେଘ ବର୍ଷଣ ବେଳେ ଉପରି ଉପରି ଅନେକ ସ୍ତର ଥାଏ ଓ ଯେଉଁ କାଳରେ ଯେତେ ଅଧିକ ସଂଖ୍ୟକ ସ୍ତର ଥାଏ, ସେହି କାଳରେ, ସେହି ପରିମାଣରେ, ସେହିପରି, ଅଧିକ ସମୟ ପର୍ଯ୍ୟନ୍ତ ବୃଷ୍ଟି ହୁଅଇ । ଅତଏବ ଅଧସ୍ଥ ସ୍ତରର ଉପର୍ଯ୍ୟୁପରିସ୍ଥିତ ସ୍ତରମାନଙ୍କୁ ଐରାବତ ବୋଲାଯାଏ ।]

 

ଷଷ୍ଠୀ ଅଥବା ସପ୍ତମୀ ତିଥିରେ ଯେଉଁ ଜନ ଭକ୍ତି ଓ ଶ୍ରଦ୍ଧାପୂର୍ବକ ଆପଣଙ୍କର ଅର୍ଚ୍ଚନା କରନ୍ତି, ଲକ୍ଷ୍ମୀ ସ୍ୱୟଂ ସେହି ନରକୁ ଭଜନ କରନ୍ତି । ୬୪ । ସେମାନଙ୍କର ଶାରୀରିକ ଓ ମାନସିକ ପୀଡ଼ା ହୁଅଇ ନାହିଁ କି ଆପଦ ଉପସ୍ଥିତ ହୁଏ ନାହିଁ । ଯେଉଁମାନେ ଆପଣଙ୍କର ଅର୍ଚ୍ଚନା ଅଥବା ବନ୍ଦନା କରନ୍ତି, ସେମାନେ ସର୍ବରୋଗରୁ ମୁକ୍ତ ହୋଇ ସର୍ବପାପରୁ ବିବର୍ଜିତ ହୋଇ, ଆପଣଙ୍କ ଭକ୍ତିଭାବରେ ପରିପୂରିତ ହୋଇ ସୁଖରେ ଚିରଜୀବୀ ହୁଅନ୍ତି । ୬୬ ।

 

ହେ ଅନ୍ନପତେ ! ଆମ୍ଭେ ସମସ୍ତଙ୍କର ଆତିଥ୍ୟ କରିବାକୁ ଇଚ୍ଛା କରୁଅଛୁଁ ଓ ଅନ୍ନ କାମନା କରୁଅଛୁ । ଆପଣ ଆମ୍ଭଙ୍କୁ ଶ୍ରଦ୍ଧା ପୁରଃସର ଅନ୍ନ ପ୍ରଦାନ କରିବା ହେଉନ୍ତୁ । ୬୭ । ବିଦ୍ୟୁତ୍ ଓ ବଜ୍ରାଦି ପ୍ରବର୍ତ୍ତକ ମାତର, ଅରୁଣ ଓ ଦଣ୍ଡ ପ୍ରଭୃତି ଯେଉଁ ଅନୁଚରବର୍ଗ ଆପଣଙ୍କର ଚରଣୋପାନ୍ତରେ ସେବା କରନ୍ତି, ସେମାନଙ୍କୁ ମଧ୍ୟ ଆମ୍ଭେ ବନ୍ଦନା କରୁଅଛୁଁ । ନିଗ୍ରହ ଓ ଅନୁଗ୍ରହକାରିଣୀ କ୍ଷୁଭା ଏବଂ ମୈତ୍ରୀ ଓ ଗୌରୀ ପ୍ରଭୃତି ଭୃତ୍ୟ ଓ ମାତୃଗଣଙ୍କର ଶରଣାପନ୍ନ ହୋଇ ନମସ୍କାର କରୁଅଛୁଁ । ସେମାନେ ଆମ୍ଭଙ୍କୁ ରକ୍ଷା କରନ୍ତୁ । ୬୯ ।

 

ବୈଶମ୍ପାୟନ ବୋଇଲେ– ମହାରାଜ ! ଲୋକ ପବିତ୍ରକାରୀ ଭାସ୍କରଙ୍କୁ ଏହି ରୂପ ସ୍ତବ କରନ୍ତେ, ସେ ସ୍ୱକୀୟ ଦୀପ୍ତିମୟ ଅଗ୍ନିସମ ପ୍ରଜ୍ୱଳିତ କଳେବର ଧାରଣ କରି ପ୍ରୀତ ହୋଇ ପାଣ୍ଡବମାନଙ୍କୁ ଦର୍ଶନ ଦେଲେ । ୭୦ । ସୂର୍ଯ୍ୟ ବୋଇଲେ, ହେ ନରାଧିପ ! ତୁମ୍ଭ ମନରେ ଯାହା କିଛି ଅଭିଳାଷ ଅଛି, ତାହାସବୁ ପୂର୍ଣ୍ଣ ହେବ । ଦ୍ୱାଦଶ ବର୍ଷ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭଙ୍କୁ ଅନ୍ନ ଦେବୁ । ଆମ୍ଭେ ଏହି ତାମ୍ର ନିର୍ମିତ ସ୍ଥାଳୀ ତୁମ୍ଭଙ୍କୁ ପ୍ରଦାନ କରୁଅଛୁଁ, ଗ୍ରହଣ କର । ହେ ସୁବ୍ରତ ! ଅନ୍ନ, ଫଳମୂଳ ଓ ଶାକ ଏବଂ ଆମିଷ ପ୍ରଭୃତି ଯାହାକି ପାକଶାଳାରେ ସଂସ୍କୃତ ହେବ, ପାଞ୍ଚାଳ ରାଜପୁତ୍ରୀ ଯେତେବେଳ ଯାଏଁ ଏହି ପାତ୍ରରୁ ପରିବେଷଣ କରିବେ, ତେତେବେଳ ପର୍ଯ୍ୟନ୍ତ ତାହା ଚବ୍ୟ, ଚୋଷ୍ୟ, ଲେହ୍ୟ, ପେୟ, ଚତୁର୍ବିଧ ଅନ୍ନ ଅକ୍ଷୟ ଭାବରେ ପରିଣତ ହେବ । ୭୩ । ଆହୁରି ଆଜଠାରୁ ଚତୁର୍ଦ୍ଦଶ ବର୍ଷରେ ତୁମ୍ଭେ ରାଜ୍ୟ ପ୍ରାପ୍ତ ହେବ । ବୈଶମ୍ପାୟନ ବୋଇଲେ, ଭଗବାନ ସୂର୍ଯ୍ୟ ଏହିପରି କହି ସେହି ସ୍ଥାନରେ ଅନ୍ତର୍ହିତ ହେଲେ । ୭୪ । ଯେଉଁ ବ୍ୟକ୍ତି ଯାହା ଅଭିଳାଷୀ ହୋଇ ଯୁଧିଷ୍ଠିରଙ୍କର ଓ ଆଦିତ୍ୟଙ୍କର ଏହି ସ୍ତବକୁ ସଂଯତ ହୋଇ ଏକାଗ୍ର ଚିତ୍ତରେ ପାଠକରେ, ଭଗବାନ ଆଦିତ୍ୟ ତାହାପ୍ରତି ସନ୍ତୁଷ୍ଟ ହୋଇ ଦୁର୍ଲଭ ହେଲେହେଁ ତାହାଙ୍କର କାମନା ପୂର୍ଣ୍ଣ କରନ୍ତି । ୭୫ । ନର ହେଉ ବା ନାରୀ ହେଉ ଯେଉଁ ବ୍ୟକ୍ତି ଏହି ସ୍ତବକୁ ପ୍ରତିଦିନ ପାଠକରେ ବା ଶ୍ରବଣ କରେ, ସେ ପୁତ୍ରାର୍ଥୀ ହେଲେ ପୁତ୍ର ଲାଭ କରେ, ଧନାର୍ଥୀ ବା ବିଦ୍ୟାର୍ଥୀ ହେଲେ ଧନ ଓ ବିଦ୍ୟା ଲାଭ କରେ । ନର କିମ୍ବା ନାରୀ ଯେ ହେଉ ସେ ଯେବେ ପ୍ରତ୍ୟହ ଉଭୟ ସନ୍ଧ୍ୟାରେ ଏହି ସ୍ତବକୁ ପାଠ କରେ ସେ ଆପଦଗ୍ରସ୍ତ ହେଲେ ଆପଦରୁ ମୁକ୍ତ ହୁଏ । ସଂଗ୍ରାମରେ ସର୍ବଦା ଜୟଲାଭ କରେ-। ବିପୁଳ ଧନ ପ୍ରାପ୍ତ ହୁଏ ଓ ସର୍ବପାପରୁ ମୁକ୍ତ ହୁଏ । ବଦ୍ଧ ହୋଇଥିଲେ ବନ୍ଧନରୁ ମୁକ୍ତ ହୁଏ ଓ ଦେହାନ୍ତେ ସୂର୍ଯ୍ୟଲୋକକୁ ଗମନ କରେ ।

 

ପୂର୍ବକାଳରେ ବ୍ରହ୍ମା ଏହି ସ୍ତବକୁ ଇନ୍ଦ୍ରଙ୍କୁ କହିଥିଲେ । ଇନ୍ଦ୍ର ନାରଦଙ୍କୁ ଓ ନାରଦ ଧୌମ୍ୟଙ୍କୁ ପ୍ରଦାନ କଲେ । ଯୁଧିଷ୍ଠିର ଧୌମ୍ୟଙ୍କ ଠାରୁ ଏହାକୁ ଲାଭ କରି ଏତଦ୍ଦ୍ୱାରା ସମସ୍ତ କାମ୍ୟଫଳ ପ୍ରାପ୍ତ ହୋଇଥିଲେ । ବୈଶମ୍ପାୟନ ବୋଇଲେ, ତଦନନ୍ତର ଧର୍ମଜ୍ଞ ଯୁଧିଷ୍ଠିର, ସୂର୍ଯ୍ୟଙ୍କ ନିକଟରୁ ବରପ୍ରାପ୍ତ ହୋଇ ଜଳମଧ୍ୟରୁ ଉତ୍‌ଥାନ କରି ଧୌମ୍ୟଙ୍କ ଚରଣଦ୍ୱୟ ବନ୍ଦନାପୂର୍ବକ ଭ୍ରାତୃଗଣଙ୍କୁ ଆଲିଙ୍ଗନ କଲେ । ୮୦ । ହେ ପ୍ରଭୋ ! ତଦନନ୍ତର ଯୁଧିଷ୍ଠିର, ଦ୍ରୌପଦୀଙ୍କ ସହିତ ରନ୍ଧନ-ଶାଳାରେ ପ୍ରବିଷ୍ଟ ହୋଇ, ତାହାଙ୍କକର୍ତ୍ତୃକ ବନ୍ଦିତ ହୋଇ,ପାକକ୍ରିୟା ଆରମ୍ଭ କଲେ ।

 

ତଦବଧି ଯେଉଁ ଅନ୍ନପାକ ନିଷ୍ପନ୍ନ ହୁଏ, ତାହା ସ୍ୱଳ୍ପ ହେଲେହେଁ ଚବ୍ୟ, ଚୋଷ୍ୟ, ଲେହ୍ୟ ଓ ପେୟ– ଚତୁର୍ବିଧରୂପେ ବୃଦ୍ଧିପ୍ରାପ୍ତ ହୋଇ ଅକ୍ଷୟ ହେଲା । ୮୨ । ଧର୍ମାତ୍ମା ଯୁଧିଷ୍ଠିର ପ୍ରତିଦିନ ଏହିପରି ସେ ଅନ୍ନଦ୍ୱାରା ବ୍ରାହ୍ମଣମାନଙ୍କୁ ଭୋଜନ କରାଇଲେ । ବ୍ରାହ୍ମଣଙ୍କର ଭୋଜନାନ୍ତେ ଅନୁଜମାନଙ୍କୁ ଭୋଜନ କରାଇ ପରିଶେଷରେ ସ୍ୱୟଂ ଭୋଜନ କରନ୍ତି । ଦ୍ରୌପଦୀଙ୍କର ଭୋଜନାନ୍ତେ ଅନ୍ନବ୍ୟଞ୍ଜନାଦି ସମସ୍ତ କ୍ଷୟ ପ୍ରାପ୍ତ ହୁଏ ଓ ସ୍ଥାଳୀରେ କିଛି ରହେ ନାହିଁ ।

 

ଦିବାକରଙ୍କ ତୁଲ୍ୟ ପ୍ରଭାବଶାଳୀ ରାଜା ଯୁଧିଷ୍ଠିର ଏହି ପ୍ରକାରେ ସୂର୍ଯ୍ୟଙ୍କଠାରୁ ବରପ୍ରାପ୍ତ ହୋଇ ବ୍ରାହ୍ମଣମାନଙ୍କୁ ଅଭିଳାଷାନୁରୂପ ଭୋଜନ କରାଇଲେ ଓ ସ୍ୱଭ୍ରାତୃମାନଙ୍କ ସହିତ ପୁରୋହିତଙ୍କର ଅନୁବର୍ତ୍ତୀ ହୋଇ ବିହିତ ତିଥି ନକ୍ଷତ୍ର ଓ ପର୍ବ ଦିବସରେ ବିଧିମନ୍ତ୍ର ପ୍ରମାଣାନୁସାରେ ଯଜ୍ଞକାର୍ଯ୍ୟମାନଙ୍କୁ ନିଷ୍ପନ୍ନ କଲେ । ୮୫ । ତଦନନ୍ତର ଧୌମ୍ୟ ପାଣ୍ଡବମାନଙ୍କର ସ୍ୱସ୍ତ୍ୟୟନ କଲେ ଓ ସେମାନେ ସମସ୍ତେ ବ୍ରାହ୍ମଣମାନଙ୍କଦ୍ୱାରା ପରିବୃତ୍ତ ହୋଇ କାମ୍ୟକ ବନକୁ ପ୍ରସ୍ଥାନ କଲେ । ୮୬-

 

॥ ଚତୁର୍ଥ ଅଧ୍ୟାୟ ॥

 

ବୈଶମ୍ପାୟନ ବୋଇଲେ– ପାଣ୍ଡବମାନେ ବନକୁ ପ୍ରବେଶ କଲା ପରେ ସୁଖାପବିଷ୍ଟ ଅମ୍ବିକାସୁତ, ପ୍ରଜ୍ଞାଚକ୍ଷୁ ରାଜା ଧୃତରାଷ୍ଟ୍ର ସନ୍ତପ୍ତ ଚିତ୍ତରେ ଆଗାଧ ବୁଦ୍ଧିମାନ ମହାତ୍ମା ବିଦୁରଙ୍କୁ ସମ୍ବୋଧନ କରି ବୋଇଲେ, ତୁମ୍ଭେ ଭାର୍ଗବ (ଶୁକ୍ର) ତୁଲ୍ୟ ବିଶିଷ୍ଟ ବୁଦ୍ଧିମାନ; ଧର୍ମର ପରମ ସୂକ୍ଷ୍ମ ତାତ୍ପର୍ଯ୍ୟ ପରିଜ୍ଞାତ ଅଛ । କୁରୁକୁଳ ମଧ୍ୟରେ କାହାରି ପ୍ରତି ତୁମ୍ଭର ବୈଷମ୍ୟ ବୁଦ୍ଧି ନାହିଁ; ଅତଏବ କୌରବଗଣଙ୍କର ଓ ଆମ୍ଭର ଯହିଁରେ ହିତ ହୁଏ, ତାହାର ପରାମର୍ଶ ପ୍ରଦାନ କରନ୍ତୁ । ସଂପ୍ରତି କୌରବମାନଙ୍କର ଯେପରି ଅବସ୍ଥା ହୋଇଅଛି, ତହିଁରେ ଆମ୍ଭମାନଙ୍କର କି କର୍ତ୍ତବ୍ୟ ? ପାଣ୍ଡବମାନଙ୍କୁ ବନ ପ୍ରେରଣ କରିବାରୁ ପୁରବାସୀମାନେ ଆମ୍ଭମାନଙ୍କ ପ୍ରତି ନିରତିଶୟ ଦ୍ୱେଷୀ ହୋଇଅଛନ୍ତି, ଯହିଁରେ କି ସେମାନେ ଆମ୍ଭମାନଙ୍କୁ ଭଜନା କରନ୍ତି ଓ ଯାହା କଲେ ପାଣ୍ଡବମାନେ ଆମ୍ଭଙ୍କୁ ଉର୍ନ୍ମୂଳିତ ନ କରିବେ, ତାହା ବୋଲିବା ହେଉନ୍ତୁ, କାରଣ କୌଣସି ସାଧୁକାର୍ଯ୍ୟ ଆପଣଙ୍କୁ ଅଗୋଚର ନାହିଁ । ୩ । ବିଦୂର ବୋଇଲେ, ହେ ମହାରାଜ ! ପୁରୁଷର ଧର୍ମ, ଅର୍ଥ ଓ କାମ ଧର୍ମ ମୂଳ ଅଟେ । ପଣ୍ଡିତମାନେ ଏହି ରାଜ୍ୟକୁ ମଧ୍ୟ ଧର୍ମମୂଳକ ବୋଲି ବୋଲନ୍ତି । ଅତଏବ ଆପଣ ଧର୍ମାନୁବର୍ତ୍ତୀ ହୋଇ ନିଜ ପୁତ୍ରମାନଙ୍କୁ ଓ ପାଣ୍ଡୁଙ୍କ ପୁତ୍ରମାନଙ୍କୁ ପାଳନ କଲେ ସବୁ ଉତ୍ତମ ହେବ । ୪ । ସୁବଳ ପୁତ୍ର ଶକୁନିକୁ ଆଦିକରି ଅପର ପାପାତ୍ମାମାନେ ସତ୍ୟସନ୍ଧ ଯୁଧିଷ୍ଠିରଙ୍କୁ ଆହ୍ୱାନ କରି ସଭାମଧ୍ୟରେ ତାହାଙ୍କୁ ଅନ୍ୟାୟରୂପେ ଯେ ପରାଜୟ କରିଅଛନ୍ତି, ତହିଁରେ ଧର୍ମର ହାନି କରିଅଛନ୍ତି-। ୫ ।

 

ହେ କୌରବ୍ୟ ! ଏହି ଦୁଷ୍କର୍ମର ଏକମାତ୍ର ଉପାୟ ଆମ୍ଭଙ୍କୁ ଦେଖାଯାଉଅଛି ଯେ, ସେହି ଉପାୟକୁ ଅବଲମ୍ବନ କଲେ । ହେ ରାଜନ୍‌ ! ତୁମ୍ଭର ପୁତ୍ରମାନେ ଲୋକସମାଜରେ ସାଧୁ ବୋଲି ପ୍ରତିଷ୍ଠିତ ହେବେ । ୬ । ପୂର୍ବେ ଆପଣ ପାଣ୍ଡବମାନଙ୍କୁ ଯେଉଁ ରାଜ୍ୟ ପ୍ରଦାନ କରିଥିଲେ, ସେମାନଙ୍କୁ ସେହି ରାଜ୍ୟ ପ୍ରଦାନ କଲେ ଆପଣଙ୍କର ଧର୍ମରକ୍ଷା ହେବ, ଯେ ହେତୁରୁ ରାଜାମାନଙ୍କର ଧର୍ମ ହେଉଅଛି ଯେ, ସେମାନେ ନିଜ ଧନରେ ସନ୍ତୁଷ୍ଟ ହୋଇ ପରବିତ୍ତକୁ ସ୍ପୃହା ନ କରିବା । ଆପଣ ପାଣ୍ଡବମାନଙ୍କ ରାଜ୍ୟକୁ ପାଣ୍ଡବମାନଙ୍କୁ ପ୍ରତ୍ୟର୍ପଣ କରନ୍ତୁ । ଏହା କଲେ ଆପଣଙ୍କର ଅକୀର୍ତ୍ତି ଓ ଜ୍ଞାତିଭେଦ ହେବ ନାହିଁ; ଧର୍ମ ମଧ୍ୟ ସ୍ଥିର ହୋଇ ରହିବ । ଅଧୁନା ଯହିଁରେ ପାଣ୍ଡବମାନଙ୍କର ସନ୍ତୋଷ ଓ ଶକୁନିଙ୍କର ଅବମାନନା ହୁଏ, ଏହି କର୍ମ ଆପଣଙ୍କର ସବୁ କର୍ମ ଅପେକ୍ଷା ପ୍ରଧାନ ବୋଲି ଗଣ୍ୟ କରିବାକୁ ହେବ । ୮ । ଏହି କାର୍ଯ୍ୟ କଲେ ଯଦି ଆପଣଙ୍କର ସୁତମାନଙ୍କର ନଷ୍ଟାବଶିଷ୍ଟ ଭାଗ୍ୟ ଥାଏ, ତେବେ ତାହା ପ୍ରକାଶ ପାଇବ । ହେ ରାଜନ୍ ! ଯଦି ଏହି କାର୍ଯ୍ୟ ନ କର, ତେବେ ତୁମ୍ଭ ବଂଶର ବିନାଶ ନିଶ୍ଚୟ ଘଟିବ । ୯ । କାରଣ ଭୀମସେନ କି ଅର୍ଜୁନ କ୍ରୁଦ୍ଧ ହେଲେ ଶତ୍ରୁକୁଳର ଅବଶେଷ ରଖିବେ ନାହିଁ ।

 

ହେ ରାଜନ୍‌ ! ଯେଉଁମାନଙ୍କର ଯୋଦ୍ଧା କୃତାସ୍ତ୍ର ସବ୍ୟସାଚୀ ଓ ଯାହାଙ୍କର ଧନୁ ଲୋକରସାର ଗାଣ୍ଡୀବ, ଯାହାଙ୍କର ବାହୁଯୋଦ୍ଧା ଭୀମସେନ, ସେମାନଙ୍କର ଏହି ଲୋକରେ କ’ଣ ଦୁଷ୍ପ୍ରାପ୍ୟ ଅଛି ? ଆପଣଙ୍କର ପୁତ୍ର ଜାତ ହେବା ମାତ୍ରେ ଆମ୍ଭେ ଆପଣଙ୍କର ହିତ କହିଥିଲୁ ଯେ, କୁଳର ହିତ ନିମିତ୍ତ ଏହି ପୁତ୍ରକୁ ପରିତ୍ୟାଗ କର; କିନ୍ତୁ ଏହି ପରମ ହିତକାର୍ଯ୍ୟ ଆପଣ କଲେ ନାହିଁ-। ବର୍ତ୍ତମାନ ସୁଦ୍ଧା ଆମ୍ଭେ କହୁଅଛୁଁ ଯେ, ତୁମ୍ଭେ ଯେବେ ଏହି ପୁତ୍ରଙ୍କୁ ତ୍ୟାଗ ନ କରିବ, ତେବେ ପଶ୍ଚାତ୍ ସନ୍ତାପ କରିବ । ଯଦି ଆପଣଙ୍କର ପୁତ୍ର ପାଣ୍ଡବଙ୍କ ସହିତ ମିଳିତ ଓ ପ୍ରୀତିଯୁକ୍ତ ହୋଇ ରାଜ୍ୟ ଭୋଗ କରିବାକୁ ସମ୍ମତ ହୁଅନ୍ତି, ତେବେ ଆପଣଙ୍କର ପ୍ରୀତିଲାଭ ହେବ ଓ ପରିତାପର ସମ୍ଭାବନା ରହିବ ନାହିଁ । ୧୩ । ଦୁର୍ଯ୍ୟୋଧନ ଆପଣଙ୍କର ଅହିତ, ତାହାଙ୍କୁ ନିଗୃହୀତ କରି ପାଣ୍ଡୁପୁତ୍ରଙ୍କୁ ଆଧିପତ୍ୟ ପ୍ରଦାନ କର । ଯୁଧିଷ୍ଠିରଙ୍କର କେହି ଶତ୍ରୁ ନୁହନ୍ତି, ସେ ଯେବେ ବିମୁକ୍ତରାଗ ହୋଇ ଧର୍ମରେ ଏହି ପୃଥିବୀକୁ ଶାସନ କରିବେ, ତେବେ ସମସ୍ତ ରାଜନ୍ୟବର୍ଗ ବୈଶ୍ୟ ପ୍ରାୟ ହୋଇ ଆମ୍ଭମାନଙ୍କର ଏହିକ୍ଷଣେ ଉପାସନା କରିବେ । ସୂତପୁତ୍ର ଶକୁନୀ ଓ ଦୁର୍ଯ୍ୟୋଧନ ଏମାନେ ପ୍ରୀତିପୂର୍ବକ ପାଣ୍ଡୁପୁତ୍ରମାନଙ୍କୁ ଭଜନା କରନ୍ତୁ । ୧୫ । ଦୁଃଶାସନ ସଭା ମଧ୍ୟରେ ଭୀମସେନଙ୍କୁ ଓ ଦ୍ରୁପଦନନ୍ଦିନୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ଆପଣ ଯୁଧିଷ୍ଠିରଙ୍କୁ ସାନ୍ତ୍ୱନା ପ୍ରଦାନପୂର୍ବକ ସମାଦର ସହିତ ରାଜ୍ୟାଭିଷିକ୍ତ କରନ୍ତୁ । ୧୬ । ଆପଣ ଆମ୍ଭଙ୍କୁ ପଚାରିଲେ, ଆମ୍ଭେ ଏହା ବ୍ୟତିରେକ ଆଉ କ’ଣ କହିବା ? ହେ ରାଜନ୍ ! ଆପଣ ଏହି କାର୍ଯ୍ୟ କଲେ କୃତକାର୍ଯ୍ୟ ହେବେ । ୧୭ ।

 

ଧୃତରାଷ୍ଟ୍ର ବୋଇଲେ, ହେ ବିଦୁର ! ତୁମ୍ଭେ ଯେ ଏହି ସଭା ମଧ୍ୟରେ ପାଣ୍ଡବମାନଙ୍କୁ ଓ ଆମ୍ଭଙ୍କୁ ଉଦ୍ଦେଶ୍ୟକରି ଯାହା କହିଲ, ତାହା କେବଳ ପାଣ୍ଡବମାନଙ୍କର ହିତ ଓ ଆମ୍ଭମାନଙ୍କର ଅହିତଜନକ; ଏଥିରେ ଆମ୍ଭର ଚିତ୍ତ ପ୍ରସନ୍ନ ହେଉ ନାହିଁ । ସମ୍ପ୍ରତି ତୁମ୍ଭେ କି କାରଣରୁ ଏପରି ନିଶ୍ଚୟ କଲ ? ପାଣ୍ଡବମାନଙ୍କ ହିତ ନିମିତ୍ତ ଏପରି କହିବାରୁ ଆମ୍ଭର ବୋଧ ହେଉଅଛି ଯେ, ଆପଣ ଆମ୍ଭର ଅହିତକାରୀ । ପାଣ୍ଡବମାନଙ୍କ ନିମିତ୍ତ ଆମ୍ଭେ କି ପ୍ରକାରେ ଆମ୍ଭର ପୁତ୍ରଙ୍କୁ ପରିତ୍ୟାଗ କରିବୁ ? ୧୯ । ପାଣ୍ଡବମାନେ ଯେ ଆମ୍ଭର ପୁତ୍ର ଏଥିରେ ସନ୍ଦେହ ନାହିଁ, ତଥାପି ଦୁର୍ଯ୍ୟୋଧନ ଆମ୍ଭ ଦେହରୁ ଉତ୍ପନ୍ନ ହୋଇଅଛି, ସେ ଆମ୍ଭର ଦେହସ୍ୱରୂପ, ଏପରି ସ୍ଥଳରେ ପାଣ୍ଡୁପୁତ୍ର ଓ ଆମ୍ଭପୁତ୍ର ଦୁହିଁଙ୍କୁ ସମାନ ବିବେଚନା କରି କେଉଁ ବ୍ୟକ୍ତି କହିପାରେ ଯେ ତୁମ୍ଭେ ପର ନିମିତ୍ତ ନିଜ ଦେହକୁ ପରିତ୍ୟାଗ କର । ୨୦ । ହେ ବିଦୁର, ଆମ୍ଭେ ତୁମ୍ଭଙ୍କୁ ଅଧିକ ମାନ୍ୟ କରୁ, ତୁମ୍ଭେ ଆମ୍ଭଙ୍କୁ ସର୍ବଦା ନିଷ୍ଠୁର ବାକ୍ୟ ବୋଲ । ଅତଏବ ତୁମ୍ଭେ ସମ୍ପ୍ରତି ଆମ୍ଭଙ୍କୁ ପରିତ୍ୟାଗ କର; ଥାଅ କିମ୍ବା ଯାଅ, ତୁମ୍ଭର ଯେଉଁଠାକୁ ଇଚ୍ଛା ସେଠାକୁ ଗମନ କର; ଆମ୍ଭର କାହିଁରେ ସୁଦ୍ଧା ହାନି ନାହିଁ । ଅସତୀ ନାରୀକୁ ନାନା ପ୍ରକାର ପ୍ରିୟବାକ୍ୟଦ୍ୱାରା ସମ୍ୟକ୍ ସାନ୍ତ୍ୱନା ଦେଲେ ହେଁ ସେ ସ୍ୱାମୀକୁ ପରିତ୍ୟାଗ କରେ । ୨୧ ।

 

ବୈଶମ୍ପାୟନ ବୋଇଲେ, ଏହା କହି ଧୃତରାଷ୍ଟ୍ର ସହସା ଉତ୍‌ଥାନ କରି ଅନ୍ତଃପୁର ମଧ୍ୟରେ ପ୍ରବେଶ କଲେ । ବିଦୁର ବୋଇଲେ, ଆଉ ଏ ବଂଶ ରହିବ ନାହିଁ । ଏହା କହି ଯେଉଁଠାରେ ପାଣ୍ଡବମାନେ ଥିଲେ ସେଠାକୁ ଗମନ କଲେ ।

 

॥ ପଞ୍ଚମ ଅଧ୍ୟାୟ ॥

 

ବୈଶମ୍ପାୟନ ବୋଇଲେ, ଏଣେ ଭରତକୁଳରତ୍ନ ପାଣ୍ଡବମାନେ ଆପଣାର ଅନୁଗତ ବ୍ୟକ୍ତିଙ୍କ ସହିତ ବନବାସ ଉଦ୍ଦେଶ୍ୟରେ ଗଙ୍ଗାତୀର ପରିତ୍ୟାଗ କରି କୁରୁକ୍ଷେତ୍ରରେ ଉପନୀତ ହେଲେ । ୧ । ପୁଣ୍ୟଜଳା ସରସ୍ୱତୀ, ଦୃଶଦ୍‌ବତୀ ଓ ଯମୁନା ନଦୀକୂଳରେ ବାସକରି ନିରନ୍ତର ପଶ୍ଚିମ ଦିଗକୁ ଲକ୍ଷ୍ୟ କରି ଗମନ କଲେ । ଅନନ୍ତର ପର୍ବତ ସମୀପବର୍ତ୍ତୀ ଜଳଶୂନ୍ୟ ପ୍ରାୟ ଜାଙ୍ଗଳ ନାମକ ଦେଶ ଓ ସରସ୍ୱତୀ ନଦୀର ତୀରସ୍ଥିତ ସମତଳଭୂମି, ଯେଉଁଠାରେ ମୁନିଜନପ୍ରିୟ କାମ୍ୟକ ବନ ଅଛି, ସେଠାରେ ଉପଗତ ହେଲେ । ୩ ।

 

ହେ ଭରତ ! ତଦନନ୍ତର ସେମାନେ ବହୁଳ ମୃଗପକ୍ଷୀ ନିବେଶିତ ସେହି କାମ୍ୟକ ବନରେ ମୁନିଗଣଙ୍କଦ୍ୱାରା ସର୍ବଦା ଶାନ୍ତ୍ୱିତ ହୋଇ ସେମାନଙ୍କ ସହିତ ବାସ କରି ସମୟ ଅତିବାହିତ କଲେ । ୪ । ଏଣେ ବିଦୁର ପାଣ୍ଡବଙ୍କୁ ଦେଖିବା ଲାଳସାରେ ସର୍ବଦା ବ୍ୟଗ୍ରଚିତ୍ତ ହୋଇ ଗୋଟିଏ ରଥରେ ଆରୋହଣ କରି ସମୃଦ୍ଧିସମ୍ପନ୍ନ ସେହି କାମ୍ୟକ ବନ ଉଦ୍ଦେଶ୍ୟରେ ଗମନ କଲେ । ୫ । ତତ୍‍ପରେ ଶୀଘ୍ରଗାମୀ ଅଶ୍ୱଯୁକ୍ତ ରଥଦ୍ୱାରା ଅଳ୍ପ ସମୟରେ ସେଠାରେ ଉପନୀତ ହୋଇ ଦେଖିଲେ ଯେ, ଧର୍ମରାଜ ଗୋଟିଏ ବିବିକ୍ତ ସ୍ଥାନରେ ଦ୍ରୌପଦୀ, ଭ୍ରାତୃଗଣ ଓ ବ୍ରାହ୍ମଣମଣ୍ଡଳୀଙ୍କ ସହିତ ଉପବିଷ୍ଟ ହୋଇଅଛନ୍ତି । ୬ । ସେଠାରେ ସତ୍ୟସନ୍ଧ ରାଜା ଯୁଧିଷ୍ଠିର ବିଦୁରଙ୍କୁ ସହସା ତ୍ୱରାନ୍ୱିତ ହୋଇ ସମୀପକୁ ଆଗମନ କରିବାର ଦେଖି ଭ୍ରାତା ଭୀମସେନକୁ କହିଲେ, ହେ ଭ୍ରାତ ! ଦେଖ, ବିଦୁର ଏଠାକୁ ସୁଦ୍ଧା ଆଗମନ କରୁଅଛନ୍ତି । ଏପରି ଅବସ୍ଥାରେ ଆମ୍ଭେମାନେ ଅଛୁଁ, ତଥାପି କି ବାର୍ତ୍ତା କହିବାକୁ ଆସୁଅଛନ୍ତି । ସୁବଳପୁତ୍ର ପୁନର୍ବାର ଆମ୍ଭମାନଙ୍କ ସହିତ ଦ୍ୟୁତକ୍ରୀଡ଼ା କରିବାର ଅଭିଳାଷ କରି ଆମ୍ଭମାନଙ୍କୁ ଡାକିନେବାକୁ କି ଏହାଙ୍କୁ ପ୍ରେରଣ କରିଅଛନ୍ତି ? ସେହି କ୍ଷୁଦ୍ରାଶୟ, ଏହି ସମୟରେ ମଧ୍ୟ ଆମ୍ଭମାନଙ୍କର ଅବଶିଷ୍ଟ ଧନ ଓ ଅସ୍ତ୍ରଶସ୍ତ୍ର ସୁଦ୍ଧା ଜୟ କରିନେବାକୁ ଅଭିଳାଷୀ ହୋଇଅଛି ? ହେ ଭୀମସେନ ! ଆମ୍ଭଙ୍କୁ କେହି ଆସ ବୋଲି ଡାକିଲେ ଆମ୍ଭେ କଦାପି ପରାଙ୍‍ମୁଖ ହୋଇନପାରୁ । ଅତଏବ ବର୍ତ୍ତମାନ ଯେବେ ଆମ୍ଭର ଗାଣ୍ଡୀବ ରହିବା ପକ୍ଷରେ କୌଣସି ସଂଶୟ ହୁଏ, ତେବେ ଆମ୍ଭର ରାଜ୍ୟପ୍ରାପ୍ତି ଆଶା ମଧ୍ୟ ରହିବ ନାହିଁ ।

 

ବୈଶମ୍ପାୟନ ବୋଇଲେ– ହେ ନୃପତେ ! ତଦନନ୍ତର ପଣ୍ଡୁ ପୁତ୍ରମାନେ ସମସ୍ତେ ଗାତ୍ରୋତ୍‌ଥାନ କରି ବିଦୁରଙ୍କୁ ସମାଦରପୂର୍ବକ ଗ୍ରହଣ କରି, ତାହାଙ୍କର ଯଥାଯୋଗ୍ୟ ସତ୍କାର କଲେ-। ବିଦୁର ପାଣ୍ଡବଙ୍କ କର୍ତ୍ତୃକ ସତ୍‍କୃତ ହୋଇ ଉପଯୁକ୍ତ ରୀତି ଅନୁସାରେ ସେମାନଙ୍କ ସହିତ ଉପବେଶନ କଲେ । ନରଶ୍ରେଷ୍ଠ ପାଣ୍ଡବମାନେ ତାହାଙ୍କୁ ବିଗତଶାନ୍ତି ହେବାର ଦେଖି ତାହାଙ୍କର ଆଗମନର କାରଣ ପଚାରିଲେ । ବିଦୁର ମଧ୍ୟ ସେମାନଙ୍କୁ ବିସ୍ତାରପୂର୍ବକ ଧୃତରାଷ୍ଟ୍ରଙ୍କ ବୃତ୍ତାନ୍ତ ବର୍ଣ୍ଣନା କଲେ । ବିଦୁର ବୋଇଲେ, ହେ ଅଜାତଶତ୍ରୋ ! ଆମ୍ଭେ ରାଜା ଧୃତରାଷ୍ଟ୍ରଙ୍କର ଅନ୍ନପାଳିତ-। ସେ ଆମ୍ଭଙ୍କୁ ଯଥାଯୋଗ୍ୟ ସମ୍ମାନପୂର୍ବକ ଆହ୍ୱାନ କରି ପ୍ରଶ୍ନ କଲେ, ତୁମ୍ଭେ ପକ୍ଷପାତଶୂନ୍ୟ ହୋଇ ଉପସ୍ଥିତ ଘଟଣା ବିଷୟରେ ଯହିଁରେ ପାଣ୍ଡବମାନଙ୍କର ଆମ୍ଭର କିଛି ହୁଏ, ତାହାର ଉପାୟ ଆମ୍ଭଙ୍କୁ ବୋଲ । ହେ ଅଜାତଶତ୍ରୋ ! ଆମ୍ଭେ ରାଜା ଧୃତରାଷ୍ଟ୍ରଙ୍କର ଅନୁପାଳିତ । ସେ ଆମ୍ଭଙ୍କୁ ଆଦର ଓ ସମ୍ମାନ ପୁରଃସର ଆହ୍ୱାନ କରି ପଚାରିଲେ, ତୁମ୍ଭେ ଉପସ୍ଥିତ ଘଟଣା ବିଷୟରେ ପକ୍ଷପାତଶୂନ୍ୟ ହୋଇ କହ, ଯେଉଁ ଉପାୟଦ୍ୱାରା ପାଣ୍ଡବମାନଙ୍କର ଓ ଆମ୍ଭମାନଙ୍କର ହିତ ହେବ-। ଯହିଁରେ ଧୃତରାଷ୍ଟ୍ରଗଣଙ୍କର ଓ ପାଣ୍ଡବମାନଙ୍କର ହିତ ଅଥଚ ପଥ୍ୟ, ଏପରି ଉପଦେଶ ଆମ୍ଭେ ଉପଯୁକ୍ତରୂପେ କହିବାରୁ ସେ ଉପଦେଶ ତାହାଙ୍କର ରୁଚି ହେଲା ନାହିଁ । ଆମ୍ଭେ ମଧ୍ୟ ଯାହା କହିଲୁ, ତାହାକୁ ଛାଡ଼ି ଆଉ କିଛି ଉପାୟ ପାଇଲୁ ନାହିଁ । ୧୩ ।

 

ହେ ପାଣ୍ଡବେୟଗଣ ! ଧୃତରାଷ୍ଟ୍ରଙ୍କୁ ଆମ୍ଭେ ଯେଉଁ ଉପଦେଶ ବାକ୍ୟ କହିଲୁ, ସେହି ଏକା ତାହାଙ୍କର ପରମ ଶ୍ରେୟସ୍କର; କିନ୍ତୁ ସେ ତାହା ଶ୍ରବଣ କଲେ ନାହିଁ । ରୋଗାର୍ତ୍ତ ବ୍ୟକ୍ତିର ଯେପରି ପଥ୍ୟ ଅନ୍ନରେ ରୁଚି ହୁଏ ନାହିଁ, ସେହିପରି ଆମ୍ଭର କଥିତ ବାକ୍ୟରେ ତାହାଙ୍କର ରୁଚି ହେଲା ନାହିଁ । ୧୪ । ହେ ଯୁଧିଷ୍ଠିର, ବେଦଜ୍ଞ ବ୍ୟକ୍ତିଙ୍କର ଗୃହରେ ଭାର୍ଯ୍ୟା ଯଦି ଦୁଶ୍ଚରିତ୍ରା ହୁଏ, ତାହାକୁ ସତ୍‌ପଥକୁ ଆଣି ହୁଏ ନାହିଁ । ଯୁବତୀ ସ୍ତ୍ରୀର ଯେପରି ଷାଠିଏ ବର୍ଷର ପତିଠାରେ ଶ୍ରଦ୍ଧା ନ ହୁଏ, ସେହିପରି ଆମ୍ଭ ବାକ୍ୟରେ ଭାରତ-କୁଳଶ୍ରେଷ୍ଠ ଅମ୍ବିକାପୁତ୍ରଙ୍କର ଅଭିରୁଚି ହେଲା ନାହିଁ । ୧୫ । ହେ ନୃପ, କୌରବମାନଙ୍କର ନିଶ୍ଚୟ ବିନାଶ ହେବ ଓ ଧୃତରାଷ୍ଟ୍ର କଦାପି ଶ୍ରେୟଃପ୍ରାପ୍ତ ହେବେ ନାହିଁ-। ପୁଷ୍କରପତ୍ରରେ ଯେପରି ଜଳ ନ ଲାଗି ରହେ, ସେହିପରି ତାହାଙ୍କର ହୃଦୟରେ ଆମ୍ଭର ହିତ ବଚନ ସଂଲଗ୍ନ ହେଲା ନାହିଁ । ତତ୍‍ପରେ ଧୃତରାଷ୍ଟ୍ର କ୍ରୁଦ୍ଧ ହୋଇ ଆମ୍ଭଙ୍କୁ ବୋଇଲେ, “ହେ ଭାରତ, ତୁମ୍ଭର ଯେଉଁଠାକୁ ଇଚ୍ଛା ସେଠାକୁ ଗମନ କର । ଏହି ପୃଥିବୀକୁ ଅଥବା ପୁରକୁ ରକ୍ଷା କରିବା ନିମିତ୍ତ ତୁମ୍ଭର ସାହାଯ୍ୟ ଅପେକ୍ଷା କରୁ ନାହିଁ । ୧୭ । ଅତଏବ ଆମ୍ଭେ ରାଜା ଧୃତରାଷ୍ଟ୍ରଙ୍କୁ ପରିତ୍ୟାଗ କରି ତୁମ୍ଭମାନଙ୍କୁ କିଞ୍ଚିତ୍ ଉପଦେଶ ଦେବା ନିମିତ୍ତ ଏଠାକୁ ସମାଗତ ହେଲୁ । ପୂର୍ବେ ସଭା ମଧ୍ୟରେ ଆମ୍ଭେ ତୁମ୍ଭଙ୍କୁ ଯେଉଁ ଉପଦେଶ ବାକ୍ୟ କହିଥିଲୁ, ତାହା ଆଜି ମଧ୍ୟ କହୁଅଛୁଁ, ଶ୍ରବଣ କରି ତତ୍‌ପ୍ରତିପାଳନରେ ଯତ୍ନବାନ୍ ହୁଅ । ୧୮ । ଯେଉଁ ବ୍ୟକ୍ତି ଶତ୍ରୁଙ୍କ ଠାରୁ ତୀବ୍ର କ୍ଲେଶପ୍ରାପ୍ତ ହୋଇ କ୍ଷମା ଅବଲମ୍ବନ କରି ସମୟକୁ ପ୍ରତୀକ୍ଷା କରେ, ସେହି ବୁଦ୍ଧିମାନ ପୁରୁଷ ଏକାକୀ ଅଳ୍ପ ପରିମାଣ ଅଗ୍ନିକୁ ସମ୍ବର୍ଦ୍ଧିତ କରି ସମଗ୍ର ପୃଥିବୀକୁ ଭୋଗ କରେ । ୧୯ । ହେ ରାଜନ୍‌, ପଣ୍ଡିତମାନେ କହିଅଛନ୍ତି ଯେ, ସହାୟ ପ୍ରାପ୍ତି ହେଲେ ପୃଥିବୀ ପ୍ରାପ୍ତ ହୁଏ । ଅତଏବ ସହାୟ ସଂଗ୍ରହର ଉପାୟ କହୁଅଛୁ, ଶ୍ରବଣ କର ।

 

ଯେଉଁ ବ୍ୟକ୍ତିଙ୍କର ଧନରେ ସହାୟମାନଙ୍କର ଭାଗସବୁ ଥାଏ, ସେମାନଙ୍କ ଦୁଃଖରେ ସୁଦ୍ଧା ସହାୟମାନେ ଭାଗୀ ହୁଅନ୍ତି । ୨୦ । ହେ ପାଣ୍ଡବ ! ସହାୟମାନଙ୍କ ମଙ୍ଗଳ ହେଲେ ନିଜର ମଙ୍ଗଳ ବିବେଚନା କରିବ । ସହାୟମାନଙ୍କ ସହିତ ସତ୍ୟ ବ୍ୟବହାର କରିବ । ଅନର୍ଥକ ବାକ୍ୟ ପରିହାର କରିବ । ସହାୟମାନଙ୍କ ସହିତ ସମାନ ଅନ୍ନଭୋଜନ କରିବ ଓ ସେମାନଙ୍କ ସମକ୍ଷରେ ନିଜର ପ୍ରଶଂସା କରିବ ନାହିଁ କି ଫୁଲାଇ ହେବ ନାହିଁ । ଯେଉଁ ରାଜା ଏପରି ବ୍ୟବହାର କରନ୍ତି, ସେହି ରାଜା ବୃଦ୍ଧି ଲଭିବାକୁ ସମର୍ଥ ହୁଅନ୍ତି । ୨୧ । ଯୁଧିଷ୍ଠିର ବୋଇଲେ– ଆର୍ଯ୍ୟ, ଆପଣ ଯେ ରୂପ କହିବା ହେଲେ ଆମ୍ଭେ ଉତ୍କୃଷ୍ଟ ବୁଦ୍ଧିକୁ ଆଶ୍ରୟ କରି ଅପ୍ରମାଦ ଚିତ୍ତରେ ତାହା ସମୁଦାୟ ପ୍ରତିପାଳନ କରିବୁ, ପରନ୍ତୁ, ଦେଶକାଳୋଚିତ ଆଉ ଯେଉଁ ଉପଦେଶ-ବାକ୍ୟ ପ୍ରଦାନ କରିବା ହେବେ, ତାହା ମଧ୍ୟ ବିଶେଷରୂପେ ପ୍ରତିପାଳନ କରିବାକୁ ଚେଷ୍ଟା କରିବୁ । ୨୨ ।

 

 

॥ ଷଷ୍ଠ ଅଧ୍ୟାୟ ॥

 

ବୈଶମ୍ପାୟନ ବୋଇଲେ– ହେ ମହାମତି ଭାରତ ! ପାଣ୍ଡବମାନଙ୍କ ଆଶ୍ରମକୁ ବିଦୁର ଗମନ କଲା ପରେ ମହାପ୍ରାଜ୍ଞ ରାଜା ଧୃତରାଷ୍ଟ୍ର ପରିତାପ କଲେ । ୧ । ବିଦୁରଙ୍କ ସନ୍ଧିବିଗ୍ରହ ବିଷୟକ ପ୍ରଭାବ ଓ ପାଣ୍ଡବଙ୍କର ଭବିଷ୍ୟତ ସମୃଦ୍ଧି– ଏହି ଦୁଇ ବିଷୟର ଚିନ୍ତାରେ ଅଭିଭୂତ ହୋଇ ସଭାଦ୍ୱାରକୁ ଆଗମନପୂର୍ବକ ରାଜେନ୍ଦ୍ରମାନଙ୍କ ସମକ୍ଷରେ ବିଦୁରଙ୍କୁ ସ୍ମରଣ କରି ଧରଣୀ ତଳରେ ଅଚେତନ ହୋଇ ନିପତିତ ହେଲେ । ୨ । କ୍ଷଣକାଳ ପରେ ସେ ପୁନର୍ବାର ଚୈତନ୍ୟ ଲାଭ କରି ଭୂମିରେ ଗାତ୍ରୋତ୍‌ଥାନ କରି ସମୀପବର୍ତ୍ତୀ ସଞ୍ଜୟକୁ କହିଲେ । ୪ । ହେ ସଞ୍ଜୟ ! ଭ୍ରାତା ବିଦୁର ଆମ୍ଭର ପରମ ସୁହୃତ୍ ଓ ଧର୍ମସଦୃଶ । ତାହାଙ୍କୁ ସ୍ମରଣ କରି ଆମ୍ଭର ହୃଦୟ ଶୋକରେ ବିଦୀର୍ଣ୍ଣ ହେଉଅଛି । ୫ । ଅତଏବ ତୁମ୍ଭେ ଆମ୍ଭର ସେହି ଧର୍ମଜ୍ଞ ଭ୍ରାତାଙ୍କୁ ଶୀଘ୍ର ଆନୟନ କର । ଏହା କହି ସେ ନୃପତି ଅତି ଦୀନ ଭାବରେ ପରିତାପ କଲେ । ୬ ।ପଶ୍ଚାତ୍ତାପରେ ସନ୍ତପ୍ତ ହୋଇ ଓ ବିଦୁରଙ୍କ ସ୍ମରଣରେ ମୋହିତ ହୋଇ, ଭ୍ରାତୃସ୍ନେହବଶରୁ ରାଜା ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପୁନର୍ବାର ଏହି ବଚନ କହିଲେ । ୭ । ହେ ସଞ୍ଜୟ ! ଆମ୍ଭେ ପାପିଷ୍ଠ । ଆମ୍ଭ ଭ୍ରାତା ବିଦୁରଙ୍କୁ ଆମ୍ଭେ କ୍ରୁଦ୍ଧ ହୋଇ ବାହାର କରିଦେଲୁ, ଏକଥା ତାହାଙ୍କୁ କହ । ୮ ।ଅପରିମିତ ବୁଦ୍ଧିଶାଳୀ ଓ ପ୍ରାଜ୍ଞ ଆମ୍ଭର ସେହି ଭ୍ରାତା କଦାପି ଆମ୍ଭର କୌଣସି ଅପକାର କରିନାହାନ୍ତି । ପରନ୍ତୁ, ଆମ୍ଭେ ତାହାଙ୍କ ପ୍ରତି ମହତ୍ ଅପ୍ରିୟାଚରଣ କରିଅଛୁ । ଅତଏବ ହେ ପ୍ରାଜ୍ଞ ସଞ୍ଜୟ ! ତୁମ୍ଭେ ଗମନ କର, ଅନ୍ୱେଷଣପୂର୍ବକ ତାହାଙ୍କୁ ଶୀଘ୍ର ଆନୟନ କର ଅଥବା ତାହାଙ୍କ ଶୋକରେ ଆମ୍ଭେ ପ୍ରାଣ ତ୍ୟାଗ କରିବୁ । ୧୦ ।

 

ବୈଶମ୍ପାୟନ କହିଲେ–ସଞ୍ଜୟ ! ଧୃତରାଷ୍ଟ୍ରଙ୍କର ତାଦୃଶ ବଚନ ଶ୍ରବଣ କରି ରାଜାଙ୍କ ପ୍ରତି ସମ୍ମାନପୂର୍ବକ ଯେ ଆଜ୍ଞା ହେଉଅଛି ବୋଲି କହି କାମ୍ୟକ ବନକୁ ଶୀଘ୍ର ପ୍ରସ୍ଥାନ କଲେ । ୧୧ । ଅନତିବିଳମ୍ବରେ ପାଣ୍ଡବମାନଙ୍କ ବାସସ୍ଥାନ କାମ୍ୟକ ବନରେ ଉପଗତ ହୋଇ ସଞ୍ଜୟ ଦେଖିଲେ ଯେ, ସହସ୍ର ସହସ୍ର ବ୍ରାହ୍ମଣମାନଙ୍କଦ୍ୱାରା ପରିବୃତ, ଭ୍ରାତୃଗଣଙ୍କଦ୍ୱାରା ସୁରକ୍ଷିତ, ବିଦୁରଙ୍କ ସହିତ ସମୁପବିଷ୍ଟ, ମୃଗଚର୍ମ-ପରିଧାରୀ ରାଜା ଯୁଧିଷ୍ଠିର ଦେବତା ମଣ୍ଡଳୀରେ ବେଷ୍ଟିତ ମହେନ୍ଦ୍ରଙ୍କ ସଦୃଶ ବିରାଜମାନ ହୋଇଅଛନ୍ତି । ୧୩ । ତାହାଙ୍କ ସମୀପକୁ ଗମନ କରି ସଞ୍ଜୟ ଯଥୋଚିତ ପୂଜା କଲେ । ତତ୍‍ପରେ ଭୀମ, ଅର୍ଜୁନ ଓ ଯମଦ୍ୱୟଙ୍କର ଯଥାବିହିତ ସମ୍ମାନ କଲେ । କୁଶଳ ପ୍ରଶ୍ନାନନ୍ତର ସଞ୍ଜୟ ସୁଖାସୀନ ହୁଅନ୍ତେ, ରାଜା ଯୁଧିଷ୍ଠିର ତାହାଙ୍କର ଆଗମନର କାରଣ ପଚାରିଲେ ଓ ବୋଇଲେ । ୧୫ । ହେ ବିଦୁର ! ଅମ୍ବିକାନନ୍ଦନ ରାଜା ଧୃତରାଷ୍ଟ୍ର ଆପଣଙ୍କୁ ସ୍ମରଣ କରି ବ୍ୟାକୁଳ ହେଉଅଛନ୍ତି; ଅତଏବ ଆପଣ ଅବିଳମ୍ବରେ ସେଠାକୁ ଗମନ କରି ତାହାଙ୍କ ସହିତ ସାକ୍ଷାତ୍ କରି ତାହାଙ୍କୁ ପୁନର୍ଜୀବିତ କରନ୍ତୁ । ହେ ସାଧୂତ୍ତମ ! ଆପଣ ପାଣ୍ଡବମାନଙ୍କର ଅନୁଜ୍ଞା ଘେନି ରାଜସିଂହ ଧୃତରାଷ୍ଟ୍ରଙ୍କ ଆଦେଶାନୁସାରେ ଗମନ କରିବାକୁ ପ୍ରସ୍ତୁତ ହେଉନ୍ତୁ । ୧୭ ।

 

ବୈଶମ୍ପାୟନ ବୋଇଲେ– ସ୍ୱଜନପ୍ରିୟ ଓ ବୁଦ୍ଧିମାନ ବିଦୁର ଏହି ବାକ୍ୟ ଶ୍ରବଣ କରି ଯୁଧିଷ୍ଠିରଙ୍କଠାରୁ ବିଦାୟ ଘେନି ପୁନର୍ବାର ହସ୍ତିନାପୁରକୁ ଆଗମନ କଲେ । ୧୮ । ଅମ୍ବିକାସୁତ ମହାତେଜସ୍ୱୀ ରାଜା ଧୃତରାଷ୍ଟ୍ର ତାହାଙ୍କୁ କହିଲେ, ହେ ଧର୍ମଜ୍ଞ ! ଆପଣ ଯେ ଆମ୍ଭଙ୍କୁ ସ୍ମରଣ କରି ଏଠାକୁ ଆଗମନ କଲେ, ଏହା ଆମ୍ଭର ସୌଭାଗ୍ୟର ଫଳ । ୧୯ । ହେ ଭରତଶ୍ରେଷ୍ଠ ! ଆମ୍ଭେ ତୁମ୍ଭ ନିମିତ୍ତ ଅଦ୍ୟ ନିଦ୍ରାଶୂନ୍ୟ ହୋଇ ନିଜ ଦେହକୁ କି୍ଳଶତ୍ର ଅର୍ଥାତ୍ ଲକ୍ଷ୍ମୀଶୂନ୍ୟ ଦେଖୁଥିଲୁଁ । ୨୦-। ତତ୍‍ପରେ ବିଦୁରଙ୍କୁ କ୍ରୋଡ଼କୁ ନେଇ ତାହାଙ୍କର ମସ୍ତକ ଘ୍ରାଣ କରି କହିଲେ, ହେ ଉଦାରଚରିତ୍ର-! ଆମ୍ଭେ ଯାହା ତୁମ୍ଭଙ୍କୁ କହିଅଛୁଁ, ତନ୍ନିମିତ୍ତ ଆମ୍ଭଙ୍କୁ କ୍ଷମା ପ୍ରଦାନ କର । ୨୧ । ବିଦୁର ବୋଇଲେ- ଆପଣ ଆମ୍ଭର ପରମଗୁରୁ, କ୍ଷମା ଦେଇଥିବାରୁ ଆପଣଙ୍କ ଦର୍ଶନ ନିମିତ୍ତ ଆମ୍ଭେ ଶୀଘ୍ର ଆଗମନ କରିଅଛୁଁ । ୨୨ । ହେ ନରଶ୍ରେଷ୍ଠ ! ଧର୍ମଶୀଳ ବ୍ୟକ୍ତିମାନେ ଦୀନଜନମାନଙ୍କ ପ୍ରତି ସିନା ପକ୍ଷପାତୀ ହୁଅନ୍ତି, ଏଥିରେ ସେମାନେ କିଛି ବିଚାର କରନ୍ତି ନାହିଁ । ୨୩ । ହେ ଭାରତ, ପାଣ୍ଡୁପୁତ୍ରମାନେ ଆମ୍ଭର ଯେପରି, ଆପଣଙ୍କର ପୁତ୍ରମାନେ ମଧ୍ୟ ଆମ୍ଭର ସେହିପରି; କିନ୍ତୁ ସମ୍ପ୍ରତି ପାଣ୍ଡୁ ପୁତ୍ରମାନେ ଦୀନଦଶା ପ୍ରାପ୍ତ ହୋଇଥିବାରୁ ସ୍ୱଭାବତଃ ଆମ୍ଭର ବୁଦ୍ଧି ସେମାନଙ୍କ ପ୍ରତି ପକ୍ଷପାତିନୀ ହୋଇଅଛି-। ୨୪ । ବୈଶମ୍ପାୟନ ବୋଇଲେ, ମହାଦ୍ୟୂତଶାଳୀ ଧୃତରାଷ୍ଟ୍ର ଓ ବିଦୁର ଦୁଇ ଭ୍ରାତା ଏହିରୂପେ ପରସ୍ପର ଅନୁନୟ ଓ ବିନୟ ଉକ୍ତିଦ୍ୱାରା ପରମ ମୋଦ ପ୍ରାପ୍ତ ହେଲେ । ୨୫ ।

 

Unknown

॥ ସପ୍ତମ ଅଧ୍ୟାୟ ॥

 

ବୈଶମ୍ପାୟନ ବୋଇଲେ– ବିଦୁରଙ୍କର ପ୍ରତ୍ୟାଗତ ଓ ଧୃତରାଷ୍ଟ୍ରଦ୍ୱାରା ସାନ୍ତ୍ୱନା ପ୍ରାପ୍ତି ହେବାର ଶୁଣି ଧୃତରାଷ୍ଟ୍ର ପୁତ୍ର ଦୁର୍ମତି ରାଜା ଦୁର୍ଯ୍ୟୋଧନ ପରିତୃପ୍ତ ହେଲା ଓ ଅଜ୍ଞାନସ୍ୱରୂପ ଅନ୍ଧକାରରେ ଆଚ୍ଛନ୍ନ ହୋଇ ଶକୁନି, କର୍ଣ୍ଣ ଓ ଦୁଃଶାସନକୁ ଆହ୍ୱାନପୂର୍ବକ କହିଲା– ଏବେ ଧର୍ମବାନ ଧୃତରାଷ୍ଟ୍ରଙ୍କର ବିଦ୍ୱାନ ମନ୍ତ୍ରୀ ବିଦୁର ପୁନର୍ବାର ପ୍ରତ୍ୟାଗତ ହୋଇଅଛି । ସେ ପାଣ୍ଡବମାନଙ୍କର ପରମ ସୁହୃତ୍ ଓ ହିତୈଷୀ; ଅତଏବ ପାଣ୍ଡବମାନଙ୍କୁ ଫେରାଇ ଆଣିବା ନିମିତ୍ତ ରାଜାଙ୍କ ବୁଦ୍ଧିକୁ ପରିବର୍ତ୍ତନ ନ କରୁଣୁ ତୁମ୍ଭେମାନେ ଆମ୍ଭ ହିତାର୍ଥ କୌଣସି ଉପାୟ ସ୍ଥିର କର । ପାଣ୍ଡବମାନେ ହସ୍ତିନାକୁ ପ୍ରତ୍ୟାଗତ ହେବାର ଦେଖିଲେ, ଆମ୍ଭେ ଅନାହାରରେ ନିଶ୍ଚୟ ଶୁଷ୍କ ହେବୁ; କାହାରି ବାରଣ ମାନିବୁ ନାହିଁ । ସେମାନଙ୍କୁ ପୁନର୍ବାର ସମୃଦ୍ଧିଶାଳୀ ଦେଖିଲେ, ଆମ୍ଭେ ନିଶ୍ଚୟ ବିଷ ଭକ୍ଷଣ କରିବୁ । ଉନନ୍ଧନ ଅଥବା ଅଗ୍ନିପ୍ରବେଶଦ୍ୱାରା ପ୍ରାଣତ୍ୟାଗ କରିବୁଁ । ୬ ।

 

ଶକୁନି ବୋଇଲେ, ହେ ରାଜନ୍‌ ! ବୈଶ୍ୟପତେ ! ଆପଣ କି ନିମିତ୍ତ ଏହି ବାଳିଶ ବୁଦ୍ଧିକୁ ଆଶ୍ରୟ କରିଅଛନ୍ତି ? ପାଣ୍ଡବମାନେ ପ୍ରତିଜ୍ଞା କରି ବନକୁ ଯାଇଅଛନ୍ତି । ସେମାନେ ସେ ସମୟ ଶେଷ ନୋହୁଣୁଁ ପ୍ରତ୍ୟାଗତ ହେବେ, ଏହା କଦାପି ସମ୍ଭବ ନୁହେ । ୭ । ହେ ତାତ ! ପାଣ୍ଡବମାନଙ୍କର ସମସ୍ତ ସତ୍ୟରେ ଆସ୍ଥା ଅଛି । ସତ୍ୟରକ୍ଷାର୍ଥ ସେମାନେ କଦାପି ତୁମ୍ଭ ପିତାଙ୍କ ଅନୁରୋଧ ରକ୍ଷା କରିବେ ନାହିଁ । ଯଦ୍ୟପି ସେମାନେ ଆପଣଙ୍କ ପିତାଙ୍କ ବଚନ ରକ୍ଷା କରି ଓ ସତ୍ୟ ଲଘଂନ କରି ହସ୍ତିନାକୁ ପ୍ରତ୍ୟାଗତ ହୁଅନ୍ତି, ତେବେ ଆମ୍ଭେମାନେ ଏପରି କାର୍ଯ୍ୟ କରିବୁଁ, ଯଦ୍ଦ୍ୱାରା ଆମ୍ଭମାନଙ୍କର ସମୁଦାୟ ଇଷ୍ଟ ସିଦ୍ଧି ହେବ । ଆମ୍ଭେମାନେ ସମସ୍ତେ ମଧ୍ୟସ୍ଥ ଓ ରାଜା ଧୃତରାଷ୍ଟ୍ରଙ୍କର ଅନୁଗାମୀ ଥାଇ ଗୋପନରେ ପାଣ୍ଡବମାନଙ୍କର ନାନା ପ୍ରକାର ଛିଦ୍ରାନୁସନ୍ଧାନରେ ପ୍ରବୃତ୍ତ ହେବୁଁ । ୧୦ ।

 

ଦୁଃଶାସନ କହିଲେ– ହେ ମାତୁଳ ! ହେ ମହାପ୍ରାଜ୍ଞ ! ଆପଣ ଉତ୍ତମ କହିଅଛନ୍ତି । ଆପଣ ଯେତେବେଳେ ଯେଉଁ ବୁଦ୍ଧି ପ୍ରକାଶ କରନ୍ତି, ତେତେବେଳେ ଆପଣଙ୍କର ସେହି ବୁଦ୍ଧି ଆମ୍ଭର ରୁଚିକର ହୁଏ । ୧୧ । କର୍ଣ୍ଣ କହିଲେ, ହେ ରାଜନ୍ ଦୁର୍ଯ୍ୟୋଧନ ! ଆମ୍ଭେମାନେ ସମସ୍ତେ ଆପଣଙ୍କର ଅଭିପ୍ରେତ କାର୍ଯ୍ୟର ସମାଲୋଚନା କରୁ । ଏ ବିଷୟରେ ଆମ୍ଭ ସମସ୍ତଙ୍କର ଏକମତ ଜାଣିବା ହେବେ । କାଳ ନିୟମକୁ ଅତିକ୍ରମ ନ କରି ସେହି ବୀରମାନେ କଦାପି ହସ୍ତିନାକୁ ପ୍ରତିଗମନ କରିବେ ନାହିଁ । ଅଜ୍ଞାନବଶରୁ ଯଦି ସେମାନେ ଆସନ୍ତି, ତେବେ ଦ୍ୟୂତଦ୍ୱାରା ସେମାନଙ୍କୁ ପୁନର୍ଜୟ କରିବା ହେବେ । ୧୩ । ବୈଶମ୍ପାୟନ ବୋଇଲେ– ରାଜା ଦୁର୍ଯ୍ୟୋଧନ କର୍ଣ୍ଣଙ୍କର ସେହି ବାକ୍ୟ ଶ୍ରବଣ କରି ହୃଷ୍ଟ ନ ହୋଇ ସେମାନଙ୍କଠାରୁ ପରାଙ୍‌ନ୍ମୁଖ ହେଲେ । ଦୁର୍ଯ୍ୟୋଧନଙ୍କର ଅଭିପ୍ରାୟ ବୁଝିପାରି କର୍ଣ୍ଣ ଆପଣାର ଶୋଭାନ୍ୱିତ ନେତ୍ରଦ୍ୱୟ ପ୍ରସାରଣ କରି ରୋଷରେ ଅଙ୍ଗପ୍ରତ୍ୟଙ୍ଗ ପରିଚାଳନାପୂର୍ବକ ଦୁଃଶାସନ, ଶକୁନି ଓ ଦୁର୍ଯ୍ୟୋଧନକୁ ଲକ୍ଷ୍ୟ କରି କହିଲେ । ୧୫-। ଆପଣାର ଦେହକୁ ଉତ୍‌କ୍ଷିପ୍ତ କରି ଅତିଶୟ କ୍ରୁଦ୍ଧ ହୋଇ କର୍ଣ୍ଣ ବୋଇଲେ, ହେ ଭୂମିପତିମାନେ-! ଆମ୍ଭର ଅଭିମତ ଶ୍ରବଣ କରିବା ହେଉନ୍ତୁ । ୧୬ ।

 

ଆମ୍ଭେମାନେ ସମସ୍ତେ ରାଜା ଦୁର୍ଯ୍ୟୋଧନଙ୍କଠାରେ କିଂକର ପ୍ରାୟ କୃତାଞ୍ଜଳି ହୋଇଅଛୁ-। ଅତଏବ ଆମ୍ଭମାନଙ୍କର କର୍ତ୍ତବ୍ୟ ଯେ, ଏହାଙ୍କର ପ୍ରିୟାଚରଣ କରିବା । କିନ୍ତୁ ରାଜା ଧୃତରାଷ୍ଟ୍ରଙ୍କର ଅଧୀନ ହେବାରୁ ଆମ୍ଭେମାନେ ତାହା କରିପାରୁ ନାହୁଁ । ଅତଏବ ଚାଲ, ଆମ୍ଭେମାନେ ତାହାଙ୍କର ସମ୍ମତି ଗ୍ରହଣ ନ କରି ସମସ୍ତେ ମିଳିତ ଓ ବଦ୍ଧସନ୍ନାହ ହୋଇ, ଅସ୍ତ୍ରଶସ୍ତ୍ର ଗ୍ରହଣପୂର୍ବକ ବନବାସୀ ପାଣ୍ଡବମାନଙ୍କୁ ହନନ କରିବା ନିମିତ୍ତ ରଥାରୂଢ଼ ହୋଇ ଶୀଘ୍ର ଗମନ କରିବା । ୧୮ । ସେମାନେ ଆମ୍ଭ ପ୍ରହାରଦ୍ୱାରା ମୃତ୍ୟୁମୁଖରେ ନିପତିତ ହେବେ । ପାଣ୍ଡବମାନେ ଏହି ପ୍ରକାରେ ଶାନ୍ତ ହେଲେ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ନିର୍ବିବାଦରେ ରହିପାରିବେ ଓ ଆମ୍ଭେମାନେ ମଧ୍ୟ ନିଶ୍ଚିନ୍ତ ହୋଇପାରିବୁ । ୧୯ । ପାଣ୍ଡବମାନେ ଏହି ସମୟରେ ଶୀନ୍ନ, ଶୋକାଭିଭୂତ ଓ ମିତ୍ର ବିହୀନ ଥାଉଁ ଥାଉଁ ସେମାନଙ୍କୁ ଜୟ କରିବା କର୍ତ୍ତବ୍ୟ । ତାହା ନ ହେଲେ ସେମାନଙ୍କୁ ସହଜରେ ଜୟ କରି ହେବ ନାହିଁ । କର୍ଣ୍ଣଙ୍କର ଏହି ବଚନକୁ ଶ୍ରବଣ କରି ସମସ୍ତେ ତାହାଙ୍କୁ ସାଧୁବାଦ ପୂର୍ବକ ପ୍ରଶଂସା କରି, ତାହାଙ୍କର ମତରେ ନିଜ ନିଜ ମତ ଦେଲେ । ଅନନ୍ତର ସେମାନେ ସମସ୍ତେ ଉତ୍ସାହୀ ହୋଇ ପୃଥକ୍ ପୃଥକ୍ ରଥରେ ଆରୋହଣ କରି ପାଣ୍ଡବମାନଙ୍କର ବିନାଶ ନିମିତ୍ତ କୃତନିଶ୍ଚୟ ହୋଇ ନିର୍ଗତ ହେଲେ । ୨୩ । ଏଣେ ବିଶୁଦ୍ଧାତ୍ମା ପ୍ରଭୁ କୃଷ୍ଣ ଦ୍ୱୈପାୟନ ସେହି ବ୍ୟାପାରକୁ ଦିବ୍ୟଚକ୍ଷୁଦ୍ୱାରା ଅବଗତ ହେଲେ ଓ ସତ୍ୱର ସେଠାକୁ ସମାଗତ ହୋଇ ସେମାନଙ୍କୁ ପ୍ରତିଷେଧ କଲେ । ତତ୍‍ପରେ ପ୍ରଜ୍ଞାଚକ୍ଷୁ ଧୃତରାଷ୍ଟ୍ରଙ୍କର ସମୀପକୁ ଗମନ କରି ତାହାଙ୍କୁ କହିଲେ ।

 

॥ ଅଷ୍ଟମ ଅଧ୍ୟାୟ ॥

 

ବ୍ୟାସ କହିଲେ– ହେ ମହାପ୍ରାଜ୍ଞ ଧୃତରାଷ୍ଟ୍ର ! ଯହିଁରେ ସମସ୍ତ କୌରବଙ୍କର ହିତ ହେବ, ତାହା କହୁଅଛି ଶ୍ରବଣ କର । ୧ । ହେ ମହାବାହୋ, ଦୁର୍ଯ୍ୟୋଧନାଦିଙ୍କ ପ୍ରତାରଣାଦ୍ୱାରା ପାଣ୍ଡବମାନେ ଯେ ବନକୁ ଗମନ କରିଅଛନ୍ତି, ତହିଁରେ ଆମ୍ଭେ ସନ୍ତୁଷ୍ଟ ନାହୁ । ୨ । ତ୍ରୟୋଦଶ ବର୍ଷ ପରିପୂର୍ଣ୍ଣ ହେଲେ ସେମାନେ ଏହିସବୁ କ୍ଲେଶକୁ ସ୍ମରଣ କରି କୌରବଙ୍କ ପ୍ରତି କ୍ରୁଦ୍ଧ ହୋଇ ବିଷ ବର୍ଷଣ କରିବେ । ଏହି ହେତୁରୁ ଆମ୍ଭଙ୍କୁ କହିବାକୁ ହେଉଅଛି, ତୁମ୍ଭର ପୁତ୍ର ଦୁର୍ଯ୍ୟୋଧନ କି ନିମିତ୍ତ ସେମାନଙ୍କ ପ୍ରତି ସର୍ବଦା କ୍ରୁଦ୍ଧ ହୋଇ ରାଜ୍ୟ ନିମିତ୍ତ ସେମାନଙ୍କୁ ବିନାଶ କରିବାକୁ ଇଚ୍ଛା କରୁଅଛି-? ୪ । ସେ ଅତିଶୟ ମନ୍ଦବୁଦ୍ଧି ଓ ପାପାତ୍ମା; ଅତଏବ ତୁମ୍ଭେ ସେ ମୂଢକୁ ସମ୍ପୂର୍ଣ୍ଣରୂପେ ନିବାରିତ କର । ସେ ଉକ୍ତ ପ୍ରକାର ନିଦାରୁଣ କାର୍ଯ୍ୟରୁ ନିରସ୍ତ ହେଉ । ନତୁବା ବନସ୍ଥିତ ପାଣ୍ଡବମାନଙ୍କୁ ବିନଷ୍ଟ କରିବାକୁ ଅଭିଳାଷ କଲେ, ସେ ଆପେ ବିନଷ୍ଟ ହେବ, ଏଥିରେ ସନ୍ଦେହ ନାହିଁ । ୫ । ପ୍ରାଜ୍ଞ ବିଦୁର, ଭୀଷ୍ମ, କୃପ, ଦ୍ରୋଣ ଓ ଆମ୍ଭେମାନେ ଯେପରି, ସେହିପରି ତୁମ୍ଭେ ମଧ୍ୟ ସାଧୁ । ଅତଏବ ହେ ମହାପ୍ରାଜ୍ଞ ! ସ୍ୱଜନଙ୍କ ସହିତ ଯେଉଁ ବିଗ୍ରହ, ତାହା ଅତି ଗର୍ହିତ, ଅଧର୍ମ ଓ ଅଯଶସ୍କର । ଏତାଦୃଶ କର୍ମରୁ ତୁମ୍ଭର ନିବୃତ୍ତ ହେବା ଉଚିତ ।

 

ହେ ଭାରତ ! ପାଣ୍ଡବମାନଙ୍କ ପ୍ରତି ଦୁର୍ଯ୍ୟୋଧନଙ୍କର ଯେଉଁ ଦୃଷ୍ଟି ତାହା ତୁମ୍ଭେ ଉପେକ୍ଷା କଲେ ମହତୀ ଅନୀତି ଘଟଣା ହେବ । ୮ । ଅଥବା ଅତିଶୟ ମନ୍ଦବୁଦ୍ଧି ତୁମ୍ଭର ସୁତ ପାଣ୍ଡବଙ୍କ ସହିତ ଏକାକୀ ବନକୁ ଗମନ କରୁ । ଏଥିରେ ଯଦି ସେମାନଙ୍କ ସଂସର୍ଗରେ ରହିବାରୁ ତୁମ୍ଭ ପୁତ୍ର ପ୍ରତି ସେମାନଙ୍କର ସ୍ନେହ ଜନ୍ମଇ, ତାହାହେଲେ ତୁମ୍ଭେ ଅବିଳମ୍ବରେ କୃତକାର୍ଯ୍ୟ ହୋଇପାରିବ । କିନ୍ତୁ ଏହା ଦୁର୍ଯ୍ୟୋଧନଙ୍କର ମନୋମତ ହେବା ଅସମ୍ଭବ ବୋଧ ହେଉଅଛି, କାରଣ ଏପରି ଶୁଣାଯାଉଅଛି ଯେ ଜନ୍ମକାଳାବଧି ଯାହାର ଯେପରି ସ୍ୱଭାବ ହୋଇଥାଏ, ସେ ନ ମଲେ ତାହାର ସେହି ସ୍ୱଭାବ ଅପଗତ ହୁଏ ନାହିଁ । ୧୧ । ହେ ମହାପ୍ରାଜ୍ଞ, ଏହି ଉପସ୍ଥିତ ବିଷୟରେ ଭୀଷ୍ମ, ଦ୍ରୋଣ ଓ ବିଦୁର କି ବିବେଚନା କରୁଅଛନ୍ତି ଓ ତୁମ୍ଭେ ମଧ୍ୟ କି ସ୍ଥିର କରିଅଛ ? ଯାହା ଉଚିତ ହୁଏ, ତାହା ଅଗ୍ରେ କରିବା କର୍ତ୍ତବ୍ୟ; ନତୁବା ମହାନ ଅନର୍ଥ ଘଟିବ ।

 

॥ ନବମ ଅଧ୍ୟାୟ ॥

 

ଧୃତରାଷ୍ଟ୍ର କହିଲେ– ହେ ଭଗବାନ ! ଦ୍ୟୂତଜନିତ ଏହି ଦୁର୍ବ୍ୟାପାରରେ ଆମ୍ଭର ଅଭିପ୍ରାୟ ନ ଥିଲା । ବୋଧହୁଏ ବିଧାତା ଆମ୍ଭ ଚିତ୍ତକୁ ଆକର୍ଷଣ କରି ଏଥିରେ ପ୍ରବୃତ୍ତ କରାଇ ଅଛନ୍ତି । ଏହି ଦ୍ୟୂତ କ୍ରୀଡ଼ାରେ ଭୀଷ୍ମ, ଦ୍ରୋଣ, ବିଦୁର ଓ ଗାନ୍ଧାରୀ ଏମାନଙ୍କର ମଧ୍ୟ ଇଚ୍ଛା ନ ଥିଲା । ପରନ୍ତୁ କେବଳ ମୋହ ହେତୁରୁ ଏହା ଘଟିଅଛି । ହେ ଭଗବାନ ! ପ୍ରିୟବ୍ରତ ! ଆମ୍ଭେ ଦୁର୍ଯ୍ୟୋଧନଙ୍କୁ ମୂଢ଼ ବୋଲି ଜାଣିଲେ ସୁଦ୍ଧା ପୁତ୍ରସ୍ନେହବଶରୁ ତାହାକୁ ପରିତ୍ୟାଗ କରିପାରୁ ନାହୁଁ । ୩ ।

 

ବ୍ୟାସ ବୋଇଲେ, ହେ ବିଚିତ୍ରବୀର୍ଯ୍ୟସୁତ ! ନରପତେ ! ତୁମ୍ଭେ ଯାହା କହିଲ ତାହା ସତ୍ୟ-। ଆମ୍ଭେମାନେ ମଧ୍ୟ ପୁତ୍ରକୁ ଶ୍ରେଷ୍ଠ ବୋଲି ଜାଣୁ, ପୁତ୍ରଠାରୁ ଅଧିକ କେହି ନୁହେଁ । ୪ । ସୁରପତି ଇନ୍ଦ୍ର ସୁରଭୀଙ୍କର ରୋଦନ ଦେଖି ଅନ୍ୟାନ୍ୟ ପ୍ରସୂତ ସମୃଦ୍ଧ ଅର୍ଥକୁ ପୁତ୍ର ଅପେକ୍ଷା ଶ୍ରେଷ୍ଠ ବୋଲି ବିବେଚନା କରିନାହାନ୍ତି । ୫ । ହେ ନରପତେ ! ସୁରଭୀ ଓ ଇନ୍ଦ୍ରଙ୍କର ଗୋଟିଏ ମହତ୍ ଓ ଉତ୍କୃଷ୍ଟ ସମ୍ବାଦ ଅଛି, ଆମ୍ଭେ କୀର୍ତ୍ତନ କରିବୁ । ୬ ।

 

ପୂର୍ବକାଳରେ ଗୋମାତା ସୁରଭୀ ଦେବଲୋକଙ୍କୁ ଗମନ କରି ଅତିଶୟ ରୋଦନ କଲେ । ହେ ରାଜନ୍‌, ତାହାଙ୍କୁ ବିଲୋକନ କରି ଇନ୍ଦ୍ର ଅତିଶୟ କୃପାନ୍ୱିତ ହେଲେ । ୭ । ଇନ୍ଦ୍ର ବୋଇଲେ-ହେ ଶୁଭେ, କି ନିମିତ୍ତ ତୁମ୍ଭେ ରୋଦନ କରୁଅଛ ? ଦେବତାମାନଙ୍କର ସମସ୍ତ କୁଶଳତ ? ମନୁଷ୍ୟଲୋକରେ ଅଥବା ନାଗଲୋକରେ ତ ଅମଙ୍ଗଳ ନାହିଁ । ୮ । ସୁରଭୀ ବୋଇଲେ- ହେ ତ୍ରିଦଶାଧିପ ! ତୁମ୍ଭର କୌଣସି ଅମଙ୍ଗଳ ଆମ୍ଭେ ଦେଖୁ ନାହୁଁ । ପୁତ୍ର ନିମିତ୍ତ ଆମ୍ଭର ଶୋକ ଜାତ ହୋଇଅଛି । ଏହି କାରଣରୁ ହେ କୌଶିକ, ଆମ୍ଭେ ରୋଦନ କରୁଅଛୁଁ । ଦେଖ, କୃଷକମାନେ ଆମ୍ଭର କ୍ଷୁଦ୍ର ଓ ଦୁର୍ବଳ ପୁତ୍ରମାନଙ୍କୁ ଲଙ୍ଗଳଦ୍ୱାରା ନିପୀଡ଼ିତ କରି ପ୍ରତୋଦଦ୍ୱାରା ପ୍ରହାର କରୁଅଛନ୍ତି-। ୧୦ । ହେ ସୁରାଧିପ ! ଦେବେନ୍ଦ୍ର ! ତହିଁରେ ଆମ୍ଭର ପୁତ୍ରମାନେ ବିଷଣ୍ଣ ଓ ଉତ୍କଣ୍ଠାନ୍ୱିତ ହେଲେ ହେଁ, ପୁନର୍ବାର ସେମାନଙ୍କୁ ଆଘାତ କରୁଅଛନ୍ତି । ଏଥିରେ ଆମ୍ଭର ଅନ୍ତଃକରଣ ସେହି ନିପୀଡ଼ିତ ପୁତ୍ରମାନଙ୍କ ପ୍ରତି ଅତିଶୟ ଦୟାର୍ଦ୍ର ଓ ଉବ୍ଦେଗ ଯୁକ୍ତ ହେଉଅଛି । ୧୧ । ହେ ବାସବ ! ଆହୁରି ଦେଖ, ଗୋଟିଏ ବୃଷ ଅଧିକ ବଳବାନ ଓ ଅଧିକ ଭାର ବହନର ଯୋଗ୍ୟ ଅଟେ-। ଆଉ ଗୋଟିଏ ଦୁର୍ବଳ ବୃଷ ଓ ଶିରାବିଶିଷ୍ଟ; ତାହାକୁ ନେଇ ସେହି ବଳିଷ୍ଠ ବୃଷ ସହିତ ଯୋଜନା କର-। ସମାନରୂପେ ଭାର ବହନ କରିବା କାରଣ ପ୍ରତୋଦଦ୍ୱାରା ପ୍ରହାର କରନ୍ତି, କିନ୍ତୁ ସେ ହୀନବଳ ବୃଷ କଦାପି ସେ ଭାରକୁ ବହନ କରିପାରେ ନାହିଁ । ୧୩ । ଏହି ନିମିତ୍ତ ହେ ବାସବ, ଆମ୍ଭେ ସେମାନଙ୍କ ଦୁଃଖରେ ଦୁଃଖିତ ହୋଇ ଅତିଶୟ ରୋଦନ କରୁଅଛୁ ଓ ଆମ୍ଭ ନେତ୍ର ଦ୍ୱୟରୁ ନିରନ୍ତର କରୁଣାଶ୍ରୁ ଜାତ ହେଉଅଛି । ୧୪ ।

 

ଶକ୍ର ବୋଇଲେ, ହେ ଶୋଭନେ, ତୁମ୍ଭର ସହସ୍ର ସହସ୍ର ପୁତ୍ର ଅଛନ୍ତି । କୃଷକମାନେ ସେମାନଙ୍କୁ ସର୍ବଦା ପୀଡା ଦିଅନ୍ତି । ଗୋଟିଏ ଦିଓଟି ପୁତ୍ରକୁ ପୀଡିତ ହେବାର ଦେଖି ତୁମ୍ଭେ କି ନିମିତ୍ତ ରୋଦନ କରୁଅଛ ? । ୧୫ । ସୁରଭୀ ଉତ୍ତର କଲେ, ହେ ଶକ୍ର, ସହସ୍ର ସହସ୍ର ଆମ୍ଭର ପୁତ୍ର ଅଛନ୍ତି । ସେମାନଙ୍କ ପ୍ରତି ଆମ୍ଭର ସମାନ ଭାବଥିଲେ ହେଁ ଦୀନ ଓ ସଚ୍ଚରିତ୍ର ପୁତ୍ର ପ୍ରତି ଆମ୍ଭର ଅଧିକ କୃପା ଜାତ ହୁଏ । ୧୬ । ବ୍ୟାସ ବୋଇଲେ, ସୁରଭୀଙ୍କର ସେହି ବାକ୍ୟ ଶ୍ରବଣ କରି ଇନ୍ଦ୍ର ଅତିଶୟ ବିସ୍ମିତ ହେଲେ ଓ ଜୀବନଠାରୁ ମଧ୍ୟ ପୁତ୍ର ଯେ ଅଧିକ ପ୍ରିୟ, ତାହା ସ୍ୱୀକାର କଲେ । ୧୭-। ଅନନ୍ତର ସେ ସହସା ଘୋରତର ବୃଷ୍ଟିଦ୍ୱାରା କୃଷକମାନଙ୍କର କୃଷିକାର୍ଯ୍ୟରେ ବ୍ୟାଘାତ ଉତ୍ପାଦନ କଲେ । ୧୮ ।

 

ହେ ରାଜନ୍‌ ! ଗୋମାତା ସୁରଭୀ ଇନ୍ଦ୍ରଙ୍କୁ ଯେପରି କହିଥିଲେ ସେହିପରି ତୁମ୍ଭର ମଧ୍ୟ ସବୁ ପୁତ୍ରଙ୍କ ପ୍ରତି ସମାନ ଶ୍ରଦ୍ଧା ଥିଲେ ହେଁ, ତନ୍ମଧ୍ୟରେ ଯେଉଁମାନେ ଦୀନ ଓ ସଚ୍ଚରିତ୍ର ସେମାନଙ୍କ ପ୍ରତି ଅଧିକ କୃପା ହେଉ । ହେ ପୁତ୍ର– ପାଣ୍ଡୁ ଆମ୍ଭର ଯାଦୃଶ ପୁତ୍ର ତୁମ୍ଭେ ଓ ମହାପ୍ରାଜ୍ଞ ବିଦୁର ମଧ୍ୟ ଆମ୍ଭର ତାଦୃଶ ପୁତ୍ର । ଏହି ନିମିତ୍ତ ସ୍ନେହବଶରୁ ଯାହା ଆମ୍ଭେ କହୁଅଛୁ, ତାହା ତୁମ୍ଭେ ଗ୍ରହଣ କର । ୨୦ । ତୁମ୍ଭର ଏକ ଶତ ପୁତ୍ର ଓ ପାଣ୍ଡୁଙ୍କର ପାଞ୍ଚଗୋଟି । ସେମାନେ ସର୍ବଦା ମୃଦୁ ଓ ଅତିଶୟ ଦୁଃଖୀ । ଅତଏବ ସେମାନେ କିରୂପେ ଜୀବନ ଧାରଣ କରିବେ ଓ କିରୂପେ ବା ବୃଦ୍ଧି ପ୍ରାପ୍ତ ହେବେ, ଏହା ଭାବି ଆମ୍ଭର ମନ ସେମାନଙ୍କ ନିମିତ୍ତ ସର୍ବଦା ପରିତାପିତ ହେଉଅଛି । ହେ ପୃଥିବୀପତେ ! ଯେବେ ତୁମ୍ଭେ ସମସ୍ତ କୌରବଙ୍କର ଜୀବନ ଇଚ୍ଛା କର, ତେବେ ତୁମ୍ଭର ପୁତ୍ର ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କ ସହିତ ବିବାଦ ନ କରୁ ।

 

॥ ଦଶମ ଅଧ୍ୟାୟ ॥

 

ଧୃତରାଷ୍ଟ୍ର କହିଲେ– ହେ ମହାପ୍ରାଜ୍ଞମାନେ, ଆପଣ ଯାହା କହୁଅଛନ୍ତି, ତାହା ଆମ୍ଭେ ମଧ୍ୟ ଜାଣୁ ଓ ଏହି ନରାଧମମାନେ ମଧ୍ୟ ଜାଣନ୍ତି । ହେ ମହାମୁନେ ! କୁରୁକୁଳର ହିତ ବିଷୟରେ ଆପଣଙ୍କ ଅଭିମତରେ ଯାହା ଉତ୍ତମ, ଭୀଷ୍ମ, ଦ୍ରୋଣ ଓ ବିଦୁରଙ୍କ ଅଭିମତରେ ମଧ୍ୟ ତାହା । ସେମାନେ ଆମ୍ଭଙ୍କୁ ମଧ୍ୟ ତାହା କହିଅଛନ୍ତି । ୨ । ଯାହାହେଉ, ସମ୍ପ୍ରତି ଯଦି ଆମ୍ଭ ପ୍ରତି ଆପଣଙ୍କର ଦୟା ଥାଏ ଓ କୁରୁକୁଳ ପ୍ରତି ଯଦି ଆପଣଙ୍କର ଦୟା ଥାଏ, ତେବେ ଆପଣ ବାରେ ଆମ୍ଭର ଦୁରାତ୍ମା ପୁତ୍ର ଦୁର୍ଯ୍ୟୋଧନକୁ ଶିକ୍ଷା ପ୍ରଦାନ କରନ୍ତୁ । ୩ ।

 

ବ୍ୟାସ ବୋଇଲେ, ହେ ରାଜନ୍‌ ! ଭଗବାନ ମୈତ୍ରେୟ ଋଷି ପାଣ୍ଡବମାନଙ୍କୁ ଦେଖି ଆମ୍ଭମାନଙ୍କ ସହିତ ସାକ୍ଷାତ୍ କରିବା ଅଭିଳାଷରେ ଏଠାକୁ ଆଗମନ କରୁଅଛନ୍ତି । ସେହି ମହାତ୍ମା କୁରୁକୁଳ ଶାନ୍ତି ନିମିତ୍ତ ତୁମ୍ଭର ପୁତ୍ର ଦୁର୍ଯ୍ୟୋଧନକୁ ସମୁଚିତ ଶିକ୍ଷା ପ୍ରଦାନ କରିବେ । ହେ କୋରବ୍ୟ-! ସେ ଯେ ରୂପ କହିବେ, ତାହା ତଦ୍ରୂପ ସମ୍ପାଦନ କର । ନତୁବା ସେ କ୍ରୁଦ୍ଧହୋଇ ତୁମ୍ଭ ପୁତ୍ର ପ୍ରତି ଅଭିଶାପ ପ୍ରଦାନ କରିବେ, ସନ୍ଦେହ ନାହିଁ । ୬ ।

 

ବୈଶମ୍ପାୟନ ବୋଇଲେ- ମହର୍ଷି ବ୍ୟାସ ଏହା କହି ପ୍ରସ୍ଥାନ କଲେ । ତତ୍‍ପରେ ଋଷିପ୍ରବର ମହାତ୍ମା ମୈତ୍ରେୟ ସେଠାରେ ଉପନୀତ ହେଲେ । ଅମ୍ବିକାସୁତ ରାଜା ଧୃତରାଷ୍ଟ୍ର ନିଜ ପୁତ୍ରଗଣଙ୍କ ସହିତ ମୁନିସତ୍ତମ ମୈତ୍ରେୟଙ୍କୁ ସମ୍ମାନ ପୁରଃସର ଗ୍ରହଣ କରି ଅର୍ଘ୍ୟ ପ୍ରଦାନାଦି କ୍ରିୟାଦ୍ୱାରା ସମୁଚିତ ସତ୍କାର କଲେ । ତଦନନ୍ତର ସେ ବିଶ୍ରାନ୍ତ ହେବାର ଦେଖି ବିନୀତ ଓ ମଧୁର ବାକ୍ୟରେ କହିଲେ । ୮ । ହେ ଭଗବାନ ! କୁରୁ ଜାଙ୍ଗଳରୁ ଆପଣ ସୁଖରେ ଆଗମନ କରୁଅଛନ୍ତି କି ? ବୀର ପଞ୍ଚ ପାଣ୍ଡବମାନେ କୁଶଳରେ ଅଛନ୍ତି ତ ? ସେମାନେ ପ୍ରତିଜ୍ଞା ପାଳନ କରିବାକୁ ଅଭିଳାଷୀ ଅଛନ୍ତି କି ? ସେମାନଙ୍କ ସହିତ କୁରୁମାନଙ୍କର ସୌଭ୍ରାତ ସ୍ଥିର ରହିବ ତ ?୧୦ ।

 

ମୈତ୍ରେୟ ବୋଇଲେ, ହେ ପ୍ରଭୋ ! ଆମ୍ଭେ ତୀର୍ଥଯାତ୍ରା ପ୍ରସଙ୍ଗରେ କୁରୁଜାଙ୍ଗଳ ଦେଶକୁ ଗମନ କରିଥିଲୁ । ସେଠାରେ ହଠାତ୍ ଧର୍ମରାଜଙ୍କୁ କାମ୍ୟକ ବନରେ ଦେଖିଲୁ । ୧୧ । ସେ ଜଟାଧାରୀ ଓ ଚର୍ମ ପରିଧାରୀ ହୋଇ ତପୋବନରେ ବାସ କରୁଅଛନ୍ତି । ପ୍ରଭୋ ! ତାହାଙ୍କ ଦର୍ଶନ ନିମିତ୍ତ ଅନେକ ମୁନି ମଧ୍ୟ ସେଠାରେ ବାସ କରୁଅଛନ୍ତି । ୧୨ । ମହାରାଜ ! ଆପଣଙ୍କର ପୁତ୍ରମାନଙ୍କର ବିଶେଷ ଭ୍ରମ, ଦୁର୍ବିନୟ ଓ ଦ୍ୟୂତକ୍ରୀଡ଼ାଜନିତ ମହାଭୟ ଉପସ୍ଥିତ ହେବାର ସେହିଠାରେ ଶ୍ରବଣ କଲୁ । ୧୫ । ତତ୍‍ପରେ କୌରବବଂଶର ହିତ କାମନାରେ ଆପଣଙ୍କ ନିକଟକୁ ସମାଗତ ହେଲୁ । ପ୍ରଭୋ ! ଆପଣଙ୍କଠାରେ ଅଧିକ ସ୍ନେହ ଓ ପ୍ରୀତି ଥାଏ । ୧୪ । ଆପଣ ଓ ଭୀଷ୍ମ ଜୀବିତ ଥାଉଁ ଥାଉଁ ଆପଣଙ୍କ ପୁତ୍ରମାନେ ଯେ ପରସ୍ପର ବିରୋଧ କରୁଅଛନ୍ତି, ତାହା ଅନୁପଯୁକ୍ତ । ୧୫ । କି ଅନୁଗ୍ରହ, କି ନିଗ୍ରହ- ଦୁଇଥିରେ ଆପଣ ମେଢୀସ୍ୱରୂପ । ଏହି ଯେଉଁ ଦୁର୍ବିନୟ ଉପସ୍ଥିତ ହୋଇଅଛି, ଆପଣ କି ନିମିତ୍ତ ଉପେକ୍ଷା କରୁଅଛନ୍ତି ?୧୬ । ହେ କୁରୁନନ୍ଦନ ! ସଭା ମଧ୍ୟରେ ଦସ୍ୟୁ ପ୍ରାୟ ବ୍ୟବହାର ପାଇବାରେ ତାପସଗଣଙ୍କ ସମାଗମରେ ଆପଣ ଆଉ ଶୋଭା ପାଉ ନାହାନ୍ତି । ୧୭ ।

 

ବୈଶମ୍ପାୟନ ବୋଇଲେ– ତଦନନ୍ତର ଭଗବାନ ମହର୍ଷି ମୈତ୍ରେୟ କ୍ରୋଧପରାୟଣ ରାଜା ଦୁର୍ଯ୍ୟୋଧନଙ୍କ ପ୍ରତି ଚାହିଁ ତାହାଙ୍କୁ କୋମଳ ବଚନଦ୍ୱାରା କହିଲେ । ୧୮ । ମୈତ୍ରେୟ ବୋଇଲେ– ହେ ମହାବାହୋ ! ଦୁର୍ଯ୍ୟୋଧନ ! ଆପଣ ବାଗ୍ମୀଶ୍ରେଷ୍ଠ ଓ ମହାଭାଗ , ଆମ୍ଭେ ତୁମ୍ଭ ହିତାର୍ଥ ଯାହା କହୁଅଛୁ, ତୁମ୍ଭେ ତାହା ସମୁଦାୟ ଶ୍ରବଣ କର । ହେ ରାଜନ୍‌ ! ପାଣ୍ଡବମାନଙ୍କ ପ୍ରତି ତୁମ୍ଭେ ବିଦ୍ରୋହ ତ୍ୟାଗ କରି ଏବେ ନିଜର, ସେମାନଙ୍କର କୁରୁକୁଳର ଓ ଅନ୍ୟାନ୍ୟ ସମସ୍ତ ଲୋକଙ୍କର ପ୍ରିୟକାରୀ ହୁଅ । ପାଣ୍ଡବମାନେ ନରଶ୍ରେଷ୍ଠ; ସମସ୍ତେ ଦଶ ସହସ୍ର ହସ୍ତୀର ପରାକ୍ରମ ଧାରଣ କରନ୍ତି । ସମସ୍ତେ ବୀର, ସମସ୍ତେ ବିକ୍ରମଶାଳୀ, ସମସ୍ତେ ଯୋଦ୍ଧା । ସେମାନଙ୍କ ଶରୀର ବଜ୍ରସଦୃଶ ସାରବିଶିଷ୍ଟ । ୨୧ । ସମସ୍ତେ ସତ୍ୟ ବ୍ରତଧାରୀ ଓ ପୁରୁଷାଭିମାନୀ; ଦେବତା, ରାକ୍ଷସ ଓ କାମରୂପୀମାନେ ସୁଦ୍ଧା ସେମାନଙ୍କର ଶତ୍ରୁ ହେଲେ ସେ ବିନାଶ କରିପାରନ୍ତି । ୨୨ । ସେମାନେ ହିଡ଼ିମ୍ବ, ବକ କୁମ୍ଭୀରୀର ନିହନ୍ତା । ଏଠାରୁ ଯେତେବେଳେ ସେମାନେ ରାତ୍ରିକାଳରେ ଗମନ କଲେ, ତେତେବେଳେ କିମ୍ଭାରୀ ନାମକ ଗୋଟିଏ ଭୟଙ୍କର ରାକ୍ଷସ ସେମାନଙ୍କର ପଥ ଅବରୋଧ କରି ପର୍ବତସଦୃଶ ଅଚଳ ହୋଇ ଦଣ୍ଡାୟମାନ ହେଲା; କିନ୍ତୁ ବ୍ୟାଘ୍ର ଯେପରି କ୍ଷୁଦ୍ର ମୃଗକୁ ବିନାଶ କରେ, ତଦ୍ରୂପ ସମର ପ୍ରିୟ ବଳଶ୍ରେଷ୍ଠ ଭୀମସେନ ତାହାକୁ ସ୍ୱକୀୟ ବଳଦ୍ୱାରା ନିଗୃହୀତ କରି ପଶୁମାରଣ କଲା ପ୍ରାୟ ବିନାଶ କଲେ । ୨୪ ।

 

ହେ ରାଜନ୍‌ ! ଦେଖ, ଦିଗ୍‌ବିଜୟବେଳେ ମହାଧନୁର୍ଦ୍ଧର ସହସ୍ର ହସ୍ତୀର ପରାକ୍ରମଧାରୀ ରାଜା ଜରାସନ୍ଧକୁ ଯେପରି ନିପାତିତ କରିଥିଲେ, ଏ କଥା ତୁମ୍ଭଙ୍କୁ ଅବିଦିତ ନାହିଁ । ଏହା କି ସାଧାରଣ ପୁରୁଷର ସାଧ୍ୟ ? ହେ ରାଜନ୍‌ ! ବାସୁଦେବ ଯାହାଙ୍କର ସମ୍ବନ୍ଧୀ, ଦ୍ରୁପଦପୁତ୍ରମାନେ ଯାହାଙ୍କର ଶ୍ୟଳା, ତାଦୃଶ ସହାୟସମ୍ପନ୍ନ ବଳଶାଳୀମାନଙ୍କ ସହିତ ଯୁଦ୍ଧରେ କେଉଁ ରାଜା ଜରାମରଣଗ୍ରସ୍ତ ମନୁଷ୍ୟ ହୋଇ ଅବସ୍ଥାନ କରିପାରେ । ଅତଏବ, ହେ ଭରତଶ୍ରେଷ୍ଠ ! ତୁମ୍ଭେ କ୍ରୋଧରେ ବଶମ୍ବଦ ନ ହୋଇ ଆମ୍ଭର ବାକ୍ୟ ରକ୍ଷା କର ଓ ପାଣ୍ଡବମାନଙ୍କ ସହିତ ସନ୍ଧି ସ୍ଥାପନ କର । ୨୭ ।

 

ବୈଶମ୍ପାୟନ କହିଲେ, ହେ ନରାଧିପ ! ମୈତ୍ରେୟ ଋଷି ଏହି ପ୍ରକାରେ ଦୁର୍ଯ୍ୟୋଧନକୁ କହିଲେ; କିନ୍ତୁ ଦୁର୍ମତି ଦୁର୍ଯ୍ୟୋଧନ କରୀଶୁଣ୍ଢ ସଦୃଶ ସ୍ୱକୀୟ ଊରୁଦେଶରେ କରାଘାତପୂର୍ବକ ଇଷଦ୍ଧାସ୍ୟ କରି କୌଣସି ଉତ୍ତର ନ ଦେଇ, ଅଧୋମୁଖୀ ହୋଇ, ଚରଣଦ୍ୱାରା ଅବନୀ ଲେଖନ କଲେ । ମହର୍ଷି ମୈତ୍ରେୟ ଦେଖିଲେ ଯେ, ଦୁର୍ଯ୍ୟୋଧନ ତାହାଙ୍କର ଉପଦେଶ ଶ୍ରବଣ କଲେ ନାହିଁ ଓ ଚରଣଦ୍ୱାରା କେବଳ ଭୂମିରେ ରେଖା ଅଙ୍କନ କଲେ । ଏହା ଦେଖି ଋଷି ଅତ୍ୟନ୍ତ କୋପାବିଷ୍ଟ ହେଲେ । ବିଧାତା ଯେପରି ସେ ସମୟରେ ତାହାଙ୍କୁ କୋପାବିଷ୍ଟ କରାଇଲେ । ତତ୍‌କ୍ଷଣାତ ତାହାଙ୍କ ହୃଦୟ ଦୁର୍ଯ୍ୟୋଧନ ପ୍ରତି ଅଭିଶାପ ଦେବାକୁ ପ୍ରବୃତ୍ତ ହେଲା । ଚକ୍ଷୁଦ୍ୱୟ ଆରକ୍ତ ବର୍ଣ୍ଣ ଦିଶିଲେ । ଜଳସ୍ପର୍ଶପୂର୍ବକ ଦୁଷ୍ଟଚେତା ଦୁର୍ଯ୍ୟୋଧନକୁ ଏହି ଅଭିଶାପ ଦେଲେ ଯେ, ତୁମ୍ଭେ ଅହଙ୍କାର ପ୍ରଯୁକ୍ତ ଆମ୍ଭଙ୍କୁ ଅନାଦର କରି ଆମ୍ଭର ବାକ୍ୟ ପ୍ରତିପାଦନ କଲ ନାହିଁ । ଅତଏବ ତୁମ୍ଭେ ଈଦୃଶ ଗର୍ବର ସମୁଚିତ ଫଳ ପ୍ରାପ୍ତ ହେବ । ୩୨ । ପାଣ୍ଡବମାନଙ୍କ ପ୍ରତି ତୁମ୍ଭର ବିଦ୍ରୋହ ନିମିତ୍ତ ଯେଉଁ ସମୟରେ ମହତ୍ ଯୁଦ୍ଧ ଉପସ୍ଥିତ ହେବ, ତେତେବେଳେ ସେହି ଯୁଦ୍ଧରେ ବଳଶାଳୀ ଭୀମ ପଦଘାତଦ୍ୱାରା ତୁମ୍ଭର ଏହି ଊରୁପ୍ରଦେଶ ଭଗ୍ନ କରିବେ । ୩୪ । ଭଗବାନ ମୈତ୍ରେୟ ଋଷି ଏହିପରି ଅଭିଶାପ ପ୍ରଦାନ କରିବାରୁ, ଧୃତରାଷ୍ଟ୍ର ତାହାଙ୍କୁ ନାନା ପ୍ରକାର ସ୍ତୁତିବାକ୍ୟରେ ପ୍ରସନ୍ନ କରି ସେହି ଅଭିଶାପ ମାର୍ଜନାପୂର୍ବକ କ୍ଷମାପ୍ରାର୍ଥନା କଲେ । ୩୫ । ସେଠାରେ ମେତ୍ରେୟ କହିଲେ, ମହାରାଜ ! ଯଦି ତୁମ୍ଭର ପୁତ୍ର ଶାନ୍ତ ହୁଏ, ତେବେ ଏହି ଅଭିଶାପ ସଫଳ ହେବ ନାହିଁ, ନତୁବା ନିଶ୍ଚୟ ଫଳବାନ ହେବ । ୩୬ ।

 

ବୈଶମ୍ପାୟନ ବୋଇଲେ– ଦୁର୍ଯ୍ୟୋଧନଙ୍କ ପିତା ଧୃତରାଷ୍ଟ୍ର ଏବେ ମହର୍ଷି ମୈତ୍ରେୟଙ୍କ ନିକଟରେ ଅଭିଶାପର ବୈଲକ୍ଷ୍ୟଣ କରି ପ୍ରଶ୍ନ କଲେ, ଭଗବାନ ! ଭୀମସେନ କି ପ୍ରକାରେ କିମ୍ଭୀରୀ ନାମକ ରାକ୍ଷସକୁ ନାଶ କଲେ ? ମୈତ୍ରେୟ କହିଲେ, ମହାରାଜ ! ଆମ୍ଭ ବାକ୍ୟରେ ତୁମ୍ଭ ପୁତ୍ରଙ୍କର ଶୁଶ୍ରୂଷା ନାହିଁ; ଅତଏବ ଆମ୍ଭେ ତୁମ୍ଭ ନିକଟରେ ଆଉ କିଛି କହିବୁ ନାହିଁ । ଆମ୍ଭର ପ୍ରସ୍ଥାନାନ୍ତର ବିଦୁର ତୁମ୍ଭଙ୍କୁ ସବୁ କହିବେ । ୩୮ । ମହର୍ଷି ମୈତ୍ରେୟ ଏହା କହି ଯଦୃଚ୍ଛାକ୍ରମେ ପ୍ରସ୍ଥାନ କଲେ । ଦୁର୍ଯ୍ୟୋଧନ ମଧ୍ୟ ଭୀମଙ୍କର କିମ୍ଭୀରୀ ବଧ ବିଷୟ ଶ୍ରବଣ କରି ଉଦ୍‌ବିଗ୍ନ ଚିତ୍ତରେ ସେଠାରୁ ପ୍ରସ୍ଥାନ କଲେ ।

 

॥ ଅଧ୍ୟାୟ – ୧୧ ॥

 

ଧୃତରାଷ୍ଟ୍ର ବିଦୁରଙ୍କୁ ପଚାରିଲେ, ହେ କ୍ଷତ୍ତଃ ! ଆମ୍ଭେ କିମ୍ଭୀରୀ ବଧ ଶ୍ରବଣ କରିବାକୁ ଇଚ୍ଛା କରୁଅଛୁ । ଅତଏବ କିମ୍ବୀର ରାକ୍ଷସ ସହିତ ଭୀମଙ୍କର କିପରି ସମାଗମ ହେଲା ? ତାହା ତୁମ୍ଭେ ଆନୁପୂର୍ବକ ଆମ୍ଭ ନିକଟରେ କୀର୍ତ୍ତନ କର । ବିଦୁର ବୋଇଲେ-ମହାରାଜ ! ଅତିମାନୁଷ କର୍ମକାରୀ ଭୀମସେନଙ୍କର ସେହି ଅଭୁତ କର୍ମ ଆମ୍ଭେ ପାଣ୍ଡବଙ୍କ କଥା ଅନ୍ତେ ପୁନଃପୁନଃ ଶ୍ରବଣ କରୁଅଛୁ । ଆପଣଙ୍କୁ କହୁଅଛୁ ଶ୍ରବଣ କରନ୍ତୁ । ୨ । ପାଣ୍ଡବମାନେ ଦ୍ୟୂତକ୍ରୀଡ଼ାରେ ପରାଜିତ ହୋଇ ଏଠାରୁ ପ୍ରସ୍ଥାନ କଲାପରେ ସେମାନେ ତିନି ଦିନ ତିନି ରାତ୍ରିରେ କାମ୍ୟକ ବନରେ ଉପନୀତ ହେଲେ । ୩ । ରାତ୍ରକାଳରେ ଏହି ବନରେ ଆଗତ ହେଲେ; ଲୋକ ନିଦ୍ରାକାରୀ ନିଶିଥ ଯେତେବେଳେ ଅତିକ୍ରାନ୍ତ ହୁଏ, ତେତେବେଳେ ମନୁଷ୍ୟଭକ୍ଷକ ଘୋରକର୍ମା ରାକ୍ଷସମାନଙ୍କର ସଞ୍ଚାର ଉପସ୍ଥିତ ହୁଅଇ । ୪ । ପୁରୁଷାଦମାନଙ୍କ ଭୟରୁ ତପସ୍ୱୀମାନେ, ଗୋପାଳମାନେ ଓ ବନଚାରୀ ବ୍ୟକ୍ତିମାନେ ସେହି ବନକୁ ପରିତ୍ୟାଗ କରି ଦୂରକୁ ପଳାୟନ କରନ୍ତି । ୫ । ପାଣ୍ଡବମାନେ ରାତ୍ରକାଳରେ ସେହି ବନରେ ପ୍ରବେଶ କରୁଥାନ୍ତି । ଏମନ୍ତ ସମୟରେ ପ୍ରଦୀପ୍ତ ଚକ୍ଷୁ ଅତି ଭୟାନକ ମୂର୍ତ୍ତି, ହସ୍ତରେ ଖଣ୍ଡେ ଜ୍ୱଳନ୍ତ କାଷ୍ଠ ଘେନି ସେମାନଙ୍କ ଦୃଷ୍ଟି ପଥରେ ପତିତ ହେଲା-। ସେହି ରାକ୍ଷସର ନାମ କିମ୍ଭୀର । ସେହି ରାକ୍ଷସ ପାଣ୍ଡବମାନଙ୍କୁ ବନମଧ୍ୟରେ ପ୍ରବେଶ ହେବାର ଦେଖି, ବିପୁଳ ବାହୁଦ୍ୱୟ ଓ ଭୟାନକ ମୁଖକୁ ବିସ୍ତାର କରି ସେମାନଙ୍କର ଗମନ କରିବାର ପଥକୁ ଅବରୋଧ କରି ଦଣ୍ଡାୟମାନ ହେଲା । ୭ । ସେହି କୃଷ୍ଣବର୍ଣ୍ଣକୁ ମନୁଷ୍ୟାଦର ଅତି ବିଶାଳ ଆଠ ଗୋଟି ଦନ୍ତ ମୁଖଗହ୍ୱରର ବାହାରକୁ ଦୃଶ୍ୟ ହେଉଥିଲା । ଦନ୍ତ ଉପରେ ଉଜ୍ଜ୍ୱଳ ତାମ୍ରବର୍ଣ୍ଣ ରକ୍ତିମ ନୟନଦ୍ୱୟ, ତଦୁପରେ ପ୍ରଦୀପ୍ତ କେଶସମୂହ ପ୍ରସାରିତ ହୋଇ ଉଡୁଥିଲା । ଏହି ରୂପ ଦେଖି ପାଣ୍ଡବମାନଙ୍କ ମନରେ ଭ୍ରମ ହୋଇଥିଲା ଯେ, ଖଣ୍ଡେ କଳା ମେଘ ଦେହରେ ବିଜୁଳି ଖେଳୁଅଛି । ବକପଂକ୍ତି ଉଡୁଅଛନ୍ତି ଓ ସୂର୍ଯ୍ୟଙ୍କ କିରଣ ସେ ସମୁଦାୟକୁ ଗ୍ରାସ କରିଅଛି । ୮ ।*

[*ରାକ୍ଷସ କୃଷ୍ଣବର୍ଣ୍ଣ ମେଘ, ତାହାର ଚକ୍ଷୁ ବଳାକା, କେଶ ସୂର୍ଯ୍ୟକିରଣ, ଦନ୍ତ ବିଜୁଳି, ଏହିପରି ଉପମା ।]

ସେହି କ୍ରୂର ପୁରୁଷ ସେମାନଙ୍କ ପ୍ରତି ରାକ୍ଷସୀମାୟା ସୃଜନ କରି ସକଳ ଜଳଦ ସଦୃଶ ଏମନ୍ତ ଘୋରତର ନିନାଦ ଆରମ୍ଭ କଲା ଯେ, ତାହା ଶ୍ରବଣ କରି ସ୍ଥଳଚର ଓ ଜଳଚର ଜୀବ ସମସ୍ତେ ଓ ଖେଚର ପକ୍ଷୀମାନେ ସୁଦ୍ଧା ଚିତ୍କାରପୂର୍ବକ ଦିଗଦିଗନ୍ତରେ ନିପତିତ ହେଲେ । ୧୦ । ମୃଗ, ବ୍ୟାଘ୍ର, ମହିଷ ଓ ଭଲ୍ଲୁକ ପ୍ରଭୃତି ପଶୁମାନେ ମଧ୍ୟ ସେହି ନିଦାରୁଣ ଶବ୍ଦରେ ତ୍ରସ୍ତ ହୋଇ ଧାବମାନ ହେଲେ ଓ ସମାକୁଳିତ ହୋଇ ବିଚଳିତ ହେଲେ । ୧୧ । ସେହି ରାକ୍ଷସର ଆଗମନରେ କାନନସ୍ଥିତ ଲତାମାନେ ମଧ୍ୟ ତଦୀୟ ବେଗୋତ୍‌ଥିତ ବାୟୁରେ ପ୍ରକମ୍ପିତ ହୋଇ ତାମ୍ରବନ ପଲ୍ଲବ ସଦୃଶ ନିଜ ବାହୁଦ୍ୱାରା ବୃଷମାନଙ୍କୁ ଆଲିଙ୍ଗନ କଲା ପ୍ରାୟ ବୋଧ ହେଲା । ୧୨ ।

ସେହି ସମୟରେ ଏପରି ପ୍ରଚଣ୍ଡ ପବନ ବହିଲା ଯେ, ଉତ୍‌ଥିତ ଧୂଳିପଟଳଦ୍ୱାରା ଗଗନବର୍ତ୍ତୀ ନକ୍ଷତ୍ର ଓ ତାରାଗଣଙ୍କର ଜ୍ୟୋତି ଲୁପ୍ତ ହେଲା । ୧୩ । ମନୁଷ୍ୟମାନଙ୍କର ଶୋକ ବେଗ ହେଲେ ଯେପରି ପଞ୍ଚ ଇନ୍ଦ୍ରିୟଗ୍ରାହୀ ଶବ୍ଦସ୍ପର୍ଶର ପରଶ ଗନ୍ଧମାନେ ଅଗ୍ରାହୀ ହୁଅନ୍ତି, ସେହିପରି ପଞ୍ଚପାଣ୍ଡବମାନଙ୍କର ସେ ମହାଶତ୍ରୁ ଅଜ୍ଞାତ ଭାବରେ ଅବସ୍ଥିତ ହେଲା । ୧୪ । କୃଷ୍ଣାଜିନ ସମାବୃତ ପାଣ୍ଡବମାନଙ୍କୁ ଦୂରରୁ ଦେଖି ସେହି ରାକ୍ଷସ ବନଦ୍ୱାରକୁ ଅବରୋଧ କରି, ମୈନାକ ପର୍ବତ ପ୍ରାୟ ଦଣ୍ଡାୟମାନ ହେଲା । ୧୫ । କମଳଲୋଚନା ଦୌପଦୀ ସେହି ଅଦୃଷ୍ଟପୂର୍ବ ରାକ୍ଷସକୁ ଦେଖି ବିତ୍ରସ୍ତା ହୋଇ ଚକ୍ଷୁ ନିମୀଳିତ କଲେ । ୧୬ । ଯେଉଁ ସମୟରୁ ଦୁଃଶାସନ ସେହି କେଶକୁ ସ୍ପର୍ଶ କରିଥିଲା, ସେହି ଦିନରୁ ଯାହାର କେଶ ପ୍ରସାଧିତ ହୋଇନଥିଲା ସେ ରୁକ୍ଷ ବର୍ତ୍ତମାନ ପଞ୍ଚବୀରସ୍ୱରୂପ ପଞ୍ଚଗିରି ମଧ୍ୟବର୍ତ୍ତିନୀ ନଦୀ ସଦୃଶ ବ୍ୟାକୁଳିତ ହୋଇ ସ୍ଥିତ ହେଲେ । ପାଣ୍ଡବଙ୍କ ସାକ୍ଷାତରେ ଧୌମ୍ୟଙ୍କ ପ୍ରୟୋଜିତ ବିବିଧ ମନ୍ତ୍ରଦ୍ୱାରା ରାକ୍ଷସୀ ମାୟା ବିଲୁପ୍ତ ହେଲା । ମାୟା ନଷ୍ଟ ହେବାରୁ ନାଗସଦୃଶ ବଳଶାଳୀ ସେହି ରାକ୍ଷସ କ୍ରୋଧରେ ଆରକ୍ତନେତ୍ର ହୋଇ, କାଳସ୍ୱରୂପ ମୂର୍ତ୍ତି ଧାରଣ କରି ଦୃଷ୍ଟିଗୋଚର ହେଲା । ତଦନନ୍ତର ଦୀର୍ଘଜ୍ଞାନୀ ରାଜା ଯୁଧିଷ୍ଠିର ତାହାଙ୍କୁ ବୋଇଲେ । ୨୧ । ଆପଣ କିଏ ? କାହାର ସନ୍ତାନ ? ଆପଣଙ୍କର କି କାର୍ଯ୍ୟ କରିବୁ ? ବୋଲିବା ହେଉନ୍ତୁ ।

ଏହା ଶୁଣି ଧର୍ମରାଜ ଯୁଧିଷ୍ଠିରଙ୍କୁ ଲକ୍ଷ୍ୟ କରି ରାକ୍ଷସ ବୋଇଲା । ୨୨ । ଆମ୍ଭେ ବକର ଭ୍ରାତା, ଆମ୍ଭର ନାମ କିମ୍ଭୀର, ଜନଶୂନ୍ୟ ଏହି କାମ୍ୟକ ବନରେ ଆମ୍ଭେ ସର୍ବଦା ସ୍ୱଚ୍ଛନ୍ଦରେ ବାସକରୁ-। ଏଠାକୁ ଯେଉଁ ମନୁଷ୍ୟ ଆସନ୍ତି, ସେମାନଙ୍କୁ ଯୁଦ୍ଧରେ ଜୟକରି ଆହାର କରୁ । ତୁମ୍ଭେମାନେ କିଏ-? ଆମ୍ଭର ଖାଦ୍ୟସ୍ୱରୂପ ବିଧାତା ତୁମ୍ଭଙ୍କୁ ଆମ୍ଭ ନିକଟକୁ ପଠାଇଅଛି । ତୁମ୍ଭ ସମସ୍ତଙ୍କୁ ଯୁଦ୍ଧରେ ଜୟକରି ସ୍ୱଚ୍ଛନ୍ଦରେ ଭକ୍ଷଣ କରିବି । ୨୪ । ବୈଶମ୍ପାୟନ ବୋଇଲେ– ଯୁଧିଷ୍ଠିର ସେହି ଦୁରାତ୍ମାର ବଚନ ଶ୍ରବଣ କରି ଆପଣାର ଗୋତ୍ର ଓ ନାମ ଆଦି ସମସ୍ତ କହିଲେ । ୨୫ । ଯୁଧିଷ୍ଠିର ବୋଇଲେ, ତୁମ୍ଭେ ହୁଏତ ଆମ୍ଭ ନାମ ଶ୍ରବଣ କରିଥିବ । ଆମ୍ଭେ ଅଧୁନା ରାଜ୍ୟଚ୍ୟୁତ ହୋଇ ଭୀମସେନ ଓ ଅର୍ଜୁନ ପ୍ରଭୃତି ଭ୍ରାତାମାନଙ୍କୁ ସଙ୍ଗରେ ଘେନି ବନବାସାଭିଳାଷରେ ତୁମ୍ଭର ଅଧିକୃତ ଏହି ଘୋର ବନରେ ଉପସ୍ଥିତ ହୋଇଅଛୁ । ୨୭ ।

ବିଦୁର ବୋଇଲେ, ଯୁଧିଷ୍ଠିରଙ୍କୁ କିମ୍ଭୀର କହିଲା, ବିଧାତା ତୁମ୍ଭମାନଙ୍କୁ ଅଦ୍ୟ ଆମ୍ଭ ସମୀପକୁ ଆଣିଅଛି । ଆମ୍ଭର ଚିରକାଳର ମନୋଗତ ଅଭିପ୍ରାୟ ଅଦ୍ୟ ସଫଳ ହେଲା । ୨୮ । ଭୀମସେନକୁ ବଧ କରିବା ନିମିତ୍ତ ନୃତ୍ୟ ଆମ୍ଭେ ଆୟୁଧକୁ ଉତ୍ତୋଳନ କରି ନଖିଳ ପୃଥ୍ୱୀକି ଭ୍ରମଣ କରୁଅଛୁ, କିନ୍ତୁ ତାଙ୍କୁ ପାଉ ନ ଥିଲୁ । ୨୯ । ସେ ଆମ୍ଭ ଭ୍ରାତୃହନ୍ତା । ଅଦ୍ୟ ଦୈବ ଆଣି ତାଙ୍କୁ ଉପସ୍ଥିତ କରାଇଅଛି । ଆମ୍ଭର ପ୍ରିୟ ଭ୍ରାତା ବକକୁ ସେ ବଧ କରିଅଛି । ୩୦ । ହେ ରାଜନ୍ ବେତ୍ରକୀୟ ବନରେ କପଟ ବ୍ରାହ୍ମଣ ବେଶ ଧାରଣ କରି ବିଦ୍ୟାବଳ ପ୍ରଭାବରେ ସେ ବଧ କଲା । ତାହାର ଶାରୀରିକ ବଳରେ ସେ ମାରି ନାହିଁ । ୩୧ । ଆମ୍ଭର ପ୍ରିୟ ସଖା ହିଡିମ୍ବକୁ ମଧ୍ୟ ଏହି ଦୁଷ୍ଟ ବଧକରି ତାହାର ଭଗ୍ନୀକୁ ହରଣ କଲା । ୩୨ । ଅଦ୍ୟ ସେହି ମୂଢ଼ ମୋର ଏହି ବନକୁ ଆଗତ ହୋଇଅଛି । ଅର୍ଦ୍ଧରାତ୍ର ଅବଧି ଆମ୍ଭମାନଙ୍କର ପ୍ରଚାର ସମୟ । ୩୩ । ଅଦ୍ୟ ତାହାକୁ ନିହତ କରି ଚିରସଞ୍ଚିତ ବୈରତାକୁ ନିପାତିତ କରିବି ଓ ତାହାର ଭୂରି ପ୍ରମାଣ ରୁଧିରଦ୍ୱାରା ବକର ତର୍ପଣ କରିବି-। ୩୪ । ଏହି ରାକ୍ଷସଙ୍କ କଣ୍ଟକକୁ ବିନିହତ କରି ଭ୍ରାତା ଓ ସଖାର ଋଣମୁକ୍ତ ହୋଇ ପରମଶାନ୍ତି ଲାଭ କରିବି । ୩୫ ।

ହେ ଯୁଧିଷ୍ଠିର ! ଯଦ୍ୟପି ଏ ଭୀମ ବକଠାରୁ ପରିତ୍ରାଣ ପାଇଥିଲା ତଥାପି ଅଦ୍ୟ ତୁମ୍ଭ ସାକ୍ଷାତରେ ଆମ୍ଭେ ତାହାକୁ ଭକ୍ଷଣ କରିବୁ । ୩୬ । ଅଗସ୍ତ୍ୟ ଋଷି ଯେପରି ବାତାପି ନାମକ ମହାସୁରକୁ ଭକ୍ଷଣ କରି ଜୀର୍ଣ୍ଣ କରିଥିଲେ, ତଦ୍ରୂପ ଆମ୍ଭେ ମଧ୍ୟ ଏହି ମହାପ୍ରାଣ ବୃକୋଦରକୁ ବଧକରି ଭକ୍ଷଣ କରିବୁ ଓ ଜୀର୍ଣ୍ଣ କରିବୁ । ୩୭ । ଧର୍ମାତ୍ମା ସତ୍ୟସନ୍ଧ ଯୁଧିଷ୍ଠିର ରାକ୍ଷସର ତଦ୍ରୂପ ବଚନ ଶ୍ରବଣ କରି କ୍ରୋଧ ପୂର୍ବକ ବୋଇଲେ, ଏକଥା ତୋର ହେବ ନାହିଁ । ଏହା କହି ରାକ୍ଷସକୁ ଉର୍ତ୍ସନା କଲେ । ୩୮ । ତତ୍‍ପରେ ଭୀମ ଶୀଘ୍ର ଦଶବ୍ୟାମ ପରିମିତ ଗୋଟାଏ ବୃକ୍ଷକୁ ଉତ୍ପାଟନ କରି ନିଷ୍ପତ୍ର କଲେ । ୩୯ । ବିଜୟୀ ଅର୍ଜୁନ ମଧ୍ୟ ନିମେଷକ ମଧ୍ୟରେ ବଜ୍ରତୁଲ୍ୟ ନିଷ୍ପେଷଣକାରୀ ଗୁରୁଭାର ଗାଣ୍ଡୀବରେ ଗୁଣ ପ୍ରଦାନ କଲେ । ୪୦ ।

ହେ ଭାରତ ! ଅର୍ଜୁନକୁ ନିବାରଣ କରି ଭୀମ ସେହି ମେଘସମ ଗର୍ଜନକାରୀ ରାକ୍ଷସ ନିକଟକୁ ଡିଆଁମାରି ଯାଇ ବୋଇଲେ– ‘ରହ ରହ’ । ୪୧ । ଏହା କହି ବଳଶାଳୀ ଭାମ କକ୍ଷା ବନ୍ଧନ କରି କରତଳରେ କରତଳକୁ ନିଷ୍ପେଷଣପୂର୍ବକ ଓଷ୍ଠପୁଟକୁ ଦର୍ଶନ କରି ସେହି କଥାକୁ ବାରବାର କହିଲେ । ୪୨ । ବୃକ୍ଷାୟୁଧ ଭୀମ ବେଗରେ ସେହି ରାକ୍ଷସ ପ୍ରତି ଧାବମାନ ହୋଇ ଯମଦଣ୍ଡ ସଦୃଶ ସେହି ବୃକ୍ଷକୁ ଉତ୍ତୋଳନ କରି ଇନ୍ଦ୍ର ଯେପରି ବଜ୍ରପାତ କରନ୍ତି, ସେହିପରି ବେଗରେ ତାହା ମୂର୍ଦ୍ଧାରେ ନିପତିତ କଲେ । କିନ୍ତୁ ସେଥିରେ ସେ ପୁରୁଷାଦି କିଛିମାତ୍ର ଭୀତ ବା ତ୍ରସ୍ତ ନ ହୋଇ, ଖଣ୍ଡେ ବଜ୍ରସମ ଜ୍ୱଳନ୍ତ କାଷ୍ଠକୁ ଭୀମସେନଙ୍କ ଉପରକୁ ନିକ୍ଷେପ କଲା । ପ୍ରହାରକାରୀଙ୍କ ପ୍ରଧାନ ଭୀମସେନ ବାମ ପାଦରେ ଏପରି ଭାବରେ ସେହି ଜ୍ୱଳନ୍ତ କାଷ୍ଠକୁ ନିପତିତ କଲେ ଯେ, ସେ କାଷ୍ଠ ନିକ୍ଷିପ୍ତ ହୋଇ ପୁନର୍ବାର ସେହି ରାକ୍ଷସ ସମୀପକୁ ପ୍ରତିଗତ ହେଲା-। କିମ୍ଭୀର ମଧ୍ୟ ସହସା ଗୋଟାଏ ବୃକ୍ଷକୁ ଉତ୍ପାଟିତ କରି ଯମ ପ୍ରାୟ କ୍ରୁଦ୍ଧ ହୋଇ ପାଣ୍ଡବଙ୍କ ପ୍ରତି ଧାବିତ ହେଲା । ଏହିପରି ବୃକ୍ଷଯୁଦ୍ଧରେ ସମୁଦାୟ ବୃକ୍ଷମାନେ ବିନଷ୍ଟ ହେଲେ । ୪୬-। ପୂର୍ବକାଳରେ ସ୍ତ୍ରୀକାମନାରେ ବାଳୀ ଓ ସୁଗ୍ରୀବଙ୍କ ମଧ୍ୟରେ ଯେପରି ଯୁଦ୍ଧ ହୋଇଥିଲା, ସେହିପରି ଏମାନଙ୍କ ମସ୍ତକରେ ବୃକ୍ଷମାନେ ନିପତିତ ହେବାରୁ ହସ୍ତୀଦ୍ୱୟ ଉପରେ ପଦ୍ମନାଳ ପ୍ରହାର କଲେ ଯେପରି ଟିକିଟିକି ହୁଏ, ସେହିପରି ଖଣ୍ଡଖଣ୍ଡ ହେଲେ । ୪୮ । ଯେପରି ପଦ୍ମ କ୍ଷେତ୍ରରେ ମତ୍ତ ଦ୍ୱିରଦ ଦୁହେଁ ପ୍ରବେଶ କଲେ ଦଳିତ ହୋଇଯାଏ, ତଦ୍‍ବତ ଭୀମ ଓ ଏହି ରାକ୍ଷସଙ୍କ ପରିମର୍ଦ୍ଦରେ ବୃକ୍ଷମାନେ ମଧ୍ୟ ମୁଞ୍ଜାତୃଣ ସଦୃଶ ଜର୍ଜ୍ଜରୀଭୂତ ହେଲେ । ୪୯ ।

ହେ ଭରତର୍ଷଭ ! ଏହି ରାକ୍ଷସଶ୍ରେଷ୍ଠ ଓ ନରୋତ୍ତମ ଭୀମଙ୍କ ମଧ୍ୟରେ ପରସ୍ପର ଯେଉଁ ଯୁଦ୍ଧ ହେଲା, ତହିଁରେ ମୁହୂର୍ତ୍ତକ ସମୟରେ ବୃକ୍ଷମାନେ ଖଣ୍ଡ ଖଣ୍ଡ ହୋଇ ଛିନ୍ନ ବସ୍ତ୍ରଖଣ୍ଡ ସଦୃଶ ଉତ୍‌କ୍ଷିପ୍ତ ହେଲେ । ୫୦ । ତତ୍‍ପରେ ରାକ୍ଷସ କ୍ରୁଦ୍ଧହୋଇ ଶିଳାମାନଙ୍କୁ ଘେନି ପ୍ରହାର କଲା; କିନ୍ତୁ ଭୀମ ତହିଁରେ ନିଶ୍ଚଳ ହୋଇ ରହିଲେ । ୫୧ । ରାକ୍ଷସ ଯହୁଁ ଦେଖିଲା ଯେ ଶିଳା ପ୍ରହାରରେ ସୁଦ୍ଧା ଭୀମ ନିଶ୍ଚଳ ହୋଇ ରହିଲେ, ତହୁଁ ସେ ନିଜ ବାହୁଦ୍ୱାରା ରାହୁ ଯେପରି ସୂର୍ଯ୍ୟରଶ୍ମିକୁ ବିକ୍ଷିପ୍ତ କରି ପ୍ରତିଧାବିତ ହୁଏ, ସେହିପରି ଭୀମଙ୍କୁ ଆବରଣ ଧାବିତ ହେଲା । ୫୨ । ସେ ଦୁହେଁ ପରସ୍ପର ଟଣାଟଣି ହୋଇ ଓ ପରସ୍ପର ଆଲିଙ୍ଗନ କରି ଦୁଇ ଗୋଟା ବୃଷଭ ପ୍ରାୟ ଶୋଭା ପାଇଲେ । ତଦନନ୍ତର ନଖଦନ୍ତାୟୁଧ ବ୍ୟାଘ୍ର ସଦୃଶ ଦୁଇ ଜଣଙ୍କର ତୁମୁଳ ଯୁଦ୍ଧ ଆରମ୍ଭ ହେଲା । ୫୪ ।

ବୃକୋଦର ଏକେ ସ୍ୱକୀୟ ବାହୁବଳରେ ଦର୍ପିତ, ତହିଁରେ ଦୁର୍ଯ୍ୟୋଧନ ତାହାକୁ ପରାଭୂତ କରିଅଛି, ତହିଁରେ ଦ୍ରୌପଦୀ ତାହାକୁ ନିଜ କଟାକ୍ଷରେ ଦେଖୁଅଛନ୍ତି; ସୁତରାଂ ସେ କ୍ରମଶଃ କ୍ରୋଧରେ ପରିବର୍ଦ୍ଧିତ ହେଲେ । ୫୫ । ମାତଙ୍ଗ ଯେପରି ମଦସ୍ରାବୀ ଅପର ମାତଙ୍ଗକୁ ଆକ୍ରମଣ କରେ; ସେହିପରି ସେ ରାକ୍ଷସକୁ ଆକର୍ଷଣ କରି ନିଜ ବାହୁଦ୍ୱୟଦ୍ୱାରା ଆକ୍ରମଣ କଲେ । ୫୬ । ପରେ ବୀର୍ଯ୍ୟବାନ କିମ୍ଭୀର ମଧ୍ୟ ତାହାକୁ ପ୍ରତିଗ୍ରହଣ କଲା । ତହିଁରେ ବଳୀଶ୍ରେଷ୍ଠ ଭୀମସେନ ତାହାକୁ ବଳଦ୍ୱାରା ଦୂରକୁ ନିକ୍ଷେପ କଲେ । ୫୭ । ସେହି ବଳଶାଳୀ ବୀରଦ୍ୱୟଙ୍କର ଭୁଜନିଷ୍ପେଷଣଦ୍ୱାରା ରଣସ୍ଥଳରେ ସେହି କାଳରେ ବଂଶସ୍ଫୋଟ ସମ ଭୟଙ୍କର ଶବ୍ଦ ଉତ୍‌ଥିତ ହେଲା-। ତଦନନ୍ତର ଭୀମସେନ ରାକ୍ଷସକୁ ଭର୍ତ୍ସନା କରି ତାହାର ମଧ୍ୟ ଦେଶକୁ ବଳପୂର୍ବକ ଧରି ପ୍ରଚଣ୍ଡ ବାୟୁ ଯେପରି ବୃକ୍ଷକୁ ଆଲୋଡିତ କରେ, ତଦ୍ରୂପ ଆଲୋଡ଼ିତ କଲେ । ଭୀମସେନଙ୍କଦ୍ୱାରା ତଦ୍ରୂପ ଆଲୋଡ଼ିତ ହେବାରୁ ରାକ୍ଷସ କ୍ରମଶଃ ବଳହୀନ ହେଲା । ତଥାପି ସେ ହୀନବଳ ହୋଇ ସୁଦ୍ଧା ଆପଣା ପରାକ୍ରମ ଅନୁସାରେ ଭୀମସେନକୁ ଆକର୍ଷଣ କଲା । ୬୦ । ବୃକୋଦର ତେତେବେଳେ ତାହାକୁ ଶ୍ରାନ୍ତ ବୋଧ କରି ପଶୁକୁ ରସନାରେ ବନ୍ଧନ କଲା ପ୍ରାୟ ନିଜ ବାହୁଦ୍ୱାରା ତାହାକୁ ବନ୍ଧନ କଲେ । ୬୧ । ତହିଁରେ ସୁଦ୍ଧା ସେ ଭଗ୍ନ ଭେରୀ ସଦୃଶ ଶବ୍ଦ କଲା । ମହାବଳୀ ଭୀମସେନ ତାହାକୁ ସେହିପରି ଅବସ୍ଥାରେ ଅନେକ ବେଳଯାଏ ଘୂର୍ଣ୍ଣିତ କଲେ । ତହିଁରେ ସେ ଅଚେତନ ପ୍ରାୟ ଦୃଶ୍ୟ ହେଲା । ୬୨ ।

ଅନନ୍ତର ପାଣ୍ଡୁନନ୍ଦନ ଭୀମ ଦେଖିଲେ ଯେ ରାକ୍ଷସ ବିଷଣ୍ଣ ହୋଇଅଛି । ତହୁଁ ତାହାକୁ ଭୁଜଦ୍ୱୟଦ୍ୱାରା ବେଗରେ ଆକର୍ଷଣ କରି ପଶୁବଧ ସଦୃଶ ବଧ କଲେ । ଜାନୁଦ୍ୱୟଦ୍ୱାରା ତାହାର କଟୀଦେଶ ଓ ହସ୍ତଦ୍ୱୟଦ୍ୱାରା ତାହାର କଣ୍ଠକୁ ନିଗୂଢ଼ରୂପେ ଆକ୍ରମଣ କରି ନିପୀଡ଼ନ କଲେ । ଏହିପରି କରିବାରୁ ତାହାର ସର୍ବଶରୀର ଜର୍ଜରିତ ହେଲା ଓ ନୟନ ଓଲଟିଗଲା । ତହୁଁ ତାହାକୁ ଘୂରାଇ କରି ଏହି ବାକ୍ୟ କହିଲେ । ୬୫ । ରେ ପାପିଷ୍ଠ ! ଏବେ ତୁ ମଧ୍ୟ ଯମସଦନକୁ ଗମନ କଲୁ । ହିଡମ୍ବ ଓ ବକର ନେତ୍ରଜଳ ଆଉ ତୁ ପୋଛିପାରିବୁ ନାହିଁ । ୬୬ । ଅତଃପର ରାକ୍ଷସକୁ ଗତଜୀବନ ଓ ବସ୍ତ୍ରାଳଙ୍କାରଭ୍ରଷ୍ଟ ହେବାର ଦେଖି ପୁରୁଷଶ୍ରେଷ୍ଠ ଭୀମ କ୍ରୋଧରେ ତାହାକୁ ପରିତ୍ୟାଗ କଲେ । ୬୭ । ମେଘରୂପୀ ସେ ରାକ୍ଷସ ହତ ହୁଅନ୍ତେ ରାଜପୁତ୍ରମାନେ ଭୀମଙ୍କୁ ଅନେକ ପ୍ରଶଂସା କରି ହୃଷ୍ଟ ମନରେ ଦ୍ରୌପଦୀଙ୍କୁ ଆଗକରି ସେଠାରୁ ଦ୍ୱୈତବନକୁ ଗମନ କଲେ । ୬୮ ।

ବିଦୁର ବୋଇଲେ– ହେ ନରାଧିପ ! ଧର୍ମରାଜ ଯୁଧିଷ୍ଠିରଙ୍କ ଆଜ୍ଞାରେ ସେମାନଙ୍କଦ୍ୱାରା ଏହି ପ୍ରକାର ଯୁଦ୍ଧରେ କିମ୍ଭୀର ନିହତ ହେଲା । ୬୯ । ଅପରାଜିତ ଧର୍ମଜ୍ଞ ଯୁଧିଷ୍ଠିର ଏହିରୂପେ ସେ ବନକୁ ନିଷ୍କଣ୍ଟକ କରି, ଦ୍ରୌପଦୀଙ୍କ ସହିତ ସେଠାରେ ବାସ କଲେ । ୭୦ । ଭରତବଂଶୀୟ ରାଜକୁମାରମାନେ ସମସ୍ତେ ଦ୍ରୌପଦୀଙ୍କୁ ଆଶ୍ୱାସନା ପ୍ରଦାନ କରି ହର୍ଷମନା ହୋଇ ପ୍ରୀତିପୁରଃସର ବୃକୋଦରଙ୍କୁ ପ୍ରଶଂସା କଲେ । ୭୧ । ତଦନନ୍ତର ଭୀମସେନଙ୍କ ବାହୁଦ୍ୱାରା ସେହି ରାକ୍ଷସ ପିଷ୍ଟ ଓ ବିନଷ୍ଟ ହୁଅନ୍ତେ, ବୀରମାନେ ସମସ୍ତେ ନିଷ୍କଣ୍ଟକ ଓ କୁଶଳପ୍ରଦ ସେହି ବନ ମଧ୍ୟକୁ ପ୍ରବେଶ କଲେ । ୭୨ । ପାଣ୍ଡବମାନଙ୍କୁ ଦେଖିବାକୁ ଯିବାବେଳେ ପଥରେ ଆମ୍ଭେ ସେହି ଦୁଷ୍ଟାତ୍ମା ରାକ୍ଷସର ଭୟାବହ ଦେହ ଭୀମଙ୍କ ବଳରେ ହତହୋଇ ପଡିଥିବାର ଦେଖିଥିଲୁ । ୭୩ । ହେ ଭାରତ ! ସେହିଠାରେ ଯେତେ ବ୍ରାହ୍ମଣମାନେ ସମାଗତ ହୋଇଥିଲେ, ସେମାନଙ୍କଠାରୁ ଭୀମଙ୍କର ଏହି କର୍ମବିବରଣ ଶ୍ରବଣ କରିଥିଲୁ । ୭୪ ।

ବୈଶମ୍ପାୟନ ବୋଇଲେ,ତତ୍କାଳରେ ରାଜା ଧ୍ରୁତରାଷ୍ଟ୍ର ରାକ୍ଷସବର କିମ୍ଭୀର ଭୀମସେନଙ୍କଦ୍ୱାରା ଯୁଦ୍ଧରେ ନିହତ ହୋଇଥିବାର ଶ୍ରବଣ କରି, ଆର୍ତ୍ତ ପ୍ରାୟ ଓ ଚିନ୍ତାନ୍ୱିତ ହୋଇ ଦୀର୍ଘନିଶ୍ୱାସ ପରିତ୍ୟାଗ କଲେ । ୭୫ ।

 

॥ ଅଧ୍ୟାୟ – ୧୨ ॥

 

ବୈଶମ୍ପାୟନ ବୋଇଲେ– ପାଣ୍ଡବମାନେ ନିର୍ବାସିତ ହୋଇ ଘୋର ଦୁଃଖରେ ନିପତିତ ହୋଇଥିବାର ଶ୍ରବଣ କରି ଭୋଜ, ବୃଷ୍ଣି, ଅନ୍ଧକବଂଶୀୟ ରାଜପୁତ୍ରମାନେ ସମସ୍ତେ ମହାବନରେ ସେମାନଙ୍କ ସମୀପରେ ଉପସ୍ଥିତ ହେଲେ । ୧ । ପଞ୍ଚାଳ ରାଜାଙ୍କର ଦାୟାଦମାନେ ଚେଦିପତି, ଧୁଷ୍ଟକେତୁ ଓ ଲୋକପ୍ରସିଦ୍ଧ ମହାବୀର୍ଯ୍ୟ କେକୟାଧିପତିଙ୍କ ଭ୍ରାତାମାନେ କ୍ରୋଧ ଓ ଅମର୍ଷ ଚିତ୍ତରେ ଧୃତରାଷ୍ଟ୍ରପୁତ୍ର ଦୁର୍ଯ୍ୟୋଧନଙ୍କୁ ନିନ୍ଦା କରି କହିଲେ, “ଆମ୍ଭେ କି କରିବା”, ଏହା ବୋଲାବୋଲି ହୋଇ ପାଣ୍ଡବମାନଙ୍କୁ ଦେଖିବା ନିମିତ୍ତ ସେଠାରେ ଉପସ୍ଥିତ ହେଲେ । ବାସୁଦେବଙ୍କୁ ଅଗ୍ରେ କରି ସେହି କ୍ଷତ୍ରିୟ ଶ୍ରେଷ୍ଠମାନେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଘେରି ଉପବିଷ୍ଟ ହେଲେ । ତତ୍‍ପରେ କୁରୁଶ୍ରେଷ୍ଠ ଯୁଧିଷ୍ଠିରଙ୍କୁ ଅଭିବାଦନ କରି କେଶବ ବିଷାଦଯୁକ୍ତ ହୋଇ କହିଲେ । ୪ ।

 

ବାସୁଦେବ ବୋଇଲେ– ଦୁର୍ଯ୍ୟୋଧନ, କର୍ଣ୍ଣ, ଦୁରାତ୍ମା ଶକୁନି ଓ ଦୁଃଶାସନ ଏହି ଚାରି ଜଣଙ୍କର ରକ୍ତକୁ ଭୂମି ପାନ କରିବ । ୫ । ଏମାନଙ୍କୁ ସମରରେ ନିହତ କରି ଓ ଯେଉଁମାନେ ଏହାଙ୍କର ପକ୍ଷୀୟ ସେ ନୃପତିମାନଙ୍କୁ ସମସ୍ତଙ୍କୁ ଯୁଦ୍ଧରେ ଜୟ କରି, ଆମ୍ଭେମାନେ ସମସ୍ତେ ଧର୍ମରାଜ ଯୁଧିଷ୍ଠିରଙ୍କୁ ରାଜ୍ୟରେ ଅଭିଷିକ୍ତ କରିବୁ । ଯେଉଁମାନେ କପଟାଚରଣ କରନ୍ତି ସେମାନେ ଯେ ବଧ୍ୟ, ଏହା ସନାତନ ଧର୍ମ ଅଟେ । ୭ ।

 

ବୈଶମ୍ପାୟନ ବୋଇଲେ, ପାଣ୍ଡବମାନଙ୍କର ଦୁଃଖ ଦର୍ଶନରେ ବାସୁଦେବ ଏପରି କ୍ରୁଦ୍ଧ ହେଲେ ଯେ, ସେ ଯେମନ୍ତ ଏହି ପ୍ରଜାସହ ଜଗତକୁ ଦଗ୍ଧ କରିବେ । ଏହା ଦେଖି ଅର୍ଜୁନ ତାହାଙ୍କୁ ଶାନ୍ତ କଲେ । ସେହି ସର୍ବବ୍ୟାପୀ, କ୍ଷେତ୍ରଜ୍ଞ, ଅପରିମେୟ, ସତ୍ୟସ୍ୱରୂପ, ଅମିତ ତେଜସ୍ୱୀ, ଲୋକନାଥ, ପ୍ରଜାପତି-ପତି, ଧୀସମ୍ପନ୍ନ, ସତ୍ୟକୀର୍ତ୍ତି ମହାତ୍ମା କେଶବଙ୍କୁ ସଂକ୍ରୁଦ୍ଧ ଦେଖି, ତାହାଙ୍କ କ୍ରୋଧ ଶାନ୍ତ, ଉଦ୍ଦେଶ୍ୟରେ ତାହାଙ୍କର ପୂର୍ବ ଅବତାରମାନଙ୍କର କର୍ମାବଳୀ କୀର୍ତ୍ତନ କଲେ । ୧୦ ।

 

ଅର୍ଜୁନ ବୋଇଲେ, ହେ କୃଷ୍ଣ ! ଆପଣ ପୂର୍ବକାଳରେ ଗନ୍ଧମାର୍ଦ୍ଦନ ପର୍ବତରେ ଦଶ ସହସ୍ର ବତ୍ସର “ଯତ୍ରସାୟଂଗୃହ” ମୁନି ହୋଇ ବିଚରଣ କରିବା ହୋଇଥିଲେ । ୧୧ । ହେ କୃଷ୍ଣ ! ଆପଣ ଏକାଦଶ ସହସ୍ର ବତ୍ସର ଜଳମାତ୍ର ଭକ୍ଷଣ କରି ପୁଷ୍କର ତୀର୍ଥରେ ବାସ କରିବା ହୋଇଥିଲେ । ୧୨-। ହେ ମଧୁସୂଦନ ! ଆପଣ ବିଶାଳ ବଦରିକାଶ୍ରମରେ ଶତ ସମ୍ବତ୍ସର ଏକପଦରେ ଦଣ୍ଡାୟମାନ ହୋଇ ବାୟୁ ଭକ୍ଷଣ କରି ଊର୍ଦ୍ଧ୍ୱ ବାହୁ ହୋଇ କାଳଯାପନ କରିଥିଲେ । ୧୩ । ହେ କୃଷ୍ଣ ! ସରସ୍ୱତୀ ନଦୀତୀରରେ ଦ୍ୱାଦଶ ବାର୍ଷିକ ସତ୍ତରେ ଉତ୍ତରୀୟ ବସନହୀନ ଓ ଶିରାବ୍ୟାପ୍ତ ଦେହ ଓ କୃଶ ଶରୀର ହୋଇ ଅବସ୍ଥାନ କରିଥିଲେ । ୧୪ । ଏହିପରି ପୁଣ୍ୟଜନୋପଯୁକ୍ତ ପ୍ରଭାସ ତିର୍ଥରେ ନିୟମାବଲମ୍ବନ କରି ଦୈବ ପରିମାଣରେ ସହସ୍ର ବତ୍ସର ଏକପଦରେ ଅବସ୍ଥାନ କରିବା ହୋଇଥିଲେ । କେବଳ ଲୋକପ୍ରବୃତ୍ତି ନିମିତ୍ତ ଆପଣ ଏହିପରି ନାନାବିଧ ତପସ୍ୟାର ଅନୁଷ୍ଠାନ କରିବା ହୋଇଥିଲେ । ଏହା ଆମ୍ଭେ ମହର୍ଷି ବ୍ୟାସଙ୍କ ମୁଖରୁ ଶ୍ରବଣ କରିଅଛୁ । ୧୬ ।

 

ହେ କେଶବ ! ଆପଣ ସର୍ବଭୂତର ଆଦି ଓ ଅନ୍ତର୍ଯାମୀ, ଆପଣ ସର୍ବପ୍ରକାର ତପସ୍ୟାର ଆଧାର; ଆପଣ ଯଜ୍ଞସ୍ୱରୂପ ଓ ଆପଣ ସିନା ସନାତନ ପୁରୁଷ । ୧୭ । ହେ କୃଷ୍ଣ ! ଭୂମିପୁତ୍ର ନରକାସୁରକୁ ଆପଣ ସିନା ବିନିହିତ କରି ମଣି, କୁଣ୍ଡଳ ଦୁହିଁଙ୍କୁ ତାଙ୍କଠାରୁ ଆହରଣ କରି ପ୍ରଥମୋତ୍ପାଦିତ ଯଜ୍ଞୀୟ ଅଶ୍ୱକୁ ବିସର୍ଜନ କରିଥିଲେ । ୧୮ । ଆପଣ ସର୍ବଲୋକଜୟୀ ଓ ସର୍ବଲୋକଶ୍ରେଷ୍ଠ; ସେହି କାର୍ଯ୍ୟ କରି ରଣରେ ଠୁଳ ହୋଇଥିବା ଦୈତ୍ୟ ଓ ଦାନବମାନଙ୍କୁ ବଧ କରିଥିଲେ । । ୧୯ । ତତ୍‍ପରେ ଶଚୀପତି ଇନ୍ଦ୍ରଙ୍କୁ ସର୍ବାଧିପତ୍ୟ ପ୍ରଦାନ କରି ହେ ମହାବାହୋ, କେଶବ ! ଆପଣ ମନୁଷ୍ୟଲୋକରେ ପ୍ରାଦୁର୍ଭୂତ ହେଲେ । ୨୦ ।

 

ହେ ପରନ୍ତପ ! ଆପଣ ସେହି ନାରାୟଣ ହରି ସଂଜ୍ଞାଧାରଣ କରି ଜଗତର ଆଧାର ହୋଇଅଛ । ବ୍ରହ୍ମା, ସୂର୍ଯ୍ୟ, ସୋମ, ଧର୍ମ, ବିଧାତା, ଯମ, ଅଗ୍ନି, ବାୟୁ, କୁବେର, ରୁଦ୍ର, କାଳ, ଆକାଶ, ପୃଥିବୀ, ଦିକ୍‌ନିଚୟ ଏସବୁ ଆପଣଙ୍କର ମୂର୍ତ୍ତିଭେଦ । ହେ ପୁରୁଷୋତ୍ତମ ମଧୁସୂଦନ ! ଆପଣ ଚରାଚରର ଗୁରୁ ସୃଷ୍ଟିକର୍ତ୍ତା । ଦେବତାମାନଙ୍କ ଶ୍ରେଷ୍ଠ, ଆପଣ ସମସ୍ତଙ୍କର ଆଶ୍ରୟ, ଆପଣ ତେଜୋରାଶି ହୋଇ ଚୈତ୍ରରଥ ବନରେ ଯଜ୍ଞ କରିଥିଲେ । ୨୩ । ହେ ଜନାର୍ଦ୍ଦନ, ତତ୍କାଳରେ ଆପଣଙ୍କର ଗୋଟିଏ ଗୋଟିଏ ଯଜ୍ଞ ଶତ ଶତ ଓ ଲକ୍ଷ ଲକ୍ଷ ସୁବର୍ଣ୍ଣଭାଗରେ ପରିପୂର୍ଣ୍ଣ ହୋଇଥିଲା-। ୨୪ । ଯାଦବନନ୍ଦନ ! ଆପଣ ବିଶ୍ୱବ୍ୟାପୀ ଓ ବିଭୁ ହୋଇ ସୁଦ୍ଧା ଅଜିତଙ୍କ ଗର୍ଭରେ ଜନ୍ମଗ୍ରହଣ କରି ଇନ୍ଦ୍ରଙ୍କ କନିଷ୍ଠ ବୋଲି ବିଖ୍ୟାତ ହୋଇଅଛ । ୨୫ ।

 

ହେ ପରନ୍ତପ, ଆପଣ ଶିଶୁଟିଏ ହୋଇ ସ୍ୱକୀୟ ତେଜଦ୍ୱାରା ସ୍ୱର୍ଗ, ମର୍ତ୍ତ୍ୟ ଓ ଆକାଶକୁ ତିନି ପାଦରେ ବିକ୍ରମଣ କରିବା ହୋଇଥିଲେ । ସ୍ୱର୍ଗ ଓ ଆକାଶକୁ ଆକ୍ରମଣ କରି ତତ୍କାଳରେ ଆପଣ ସୂର୍ଯ୍ୟଙ୍କ ରଥରେ ବିରାଜିତ ହୋଇ ସ୍ୱୀୟ ତେଜ ରାଶିଦ୍ୱାରା ସୂର୍ଯ୍ୟଙ୍କ ତେଜକୁ ଅଧିକ କରିବା ହୋଇଥିଲେ । ୨୭ । ହେ ବିଭୋ କୃଷ୍ଣ ! ଆପଣ ଯେତେଥର ଏହି ସଂସାରରେ ଅବତରି ଥିଲେ, ତେତେଥର ଆପଣ ବହୁସଂଖ୍ୟକ ଅଧାର୍ମିକ ଅସୁରଙ୍କୁ ନିଜ ତେଜଦ୍ୱାରା ବିନଷ୍ଟ କରିଥିଲେ । ଆପଣ କୌରବ ଓ ପାଶଗଣକୁ ଛେଦନ କରିଅଛ; ନିସୁନ୍ଦ ଓ ନରକାସୁରକୁ ବଧି ଅଛ । ପ୍ରାଗ୍ ଜ୍ୟୋତିଷପୁରକୁ ଗମନ କରିବାର ପଥକୁ ପରିଷ୍କାର କରିଅଛ । ଜାଗ୍ୱାଧିନଗରର ଆହୁତିକୁ ବିନଷ୍ଟ କରିଅଛ । ହେ କୃଷ୍ଣ ! ଆପଣ ଶିଶୁପାଳ, ଜରାସନ୍ଧ, ଶୈବ୍ୟ ଓ ଶତଧନ୍ୱାକୁ ପରାଜିତ କରିଅଛ । ୩୦ । ମେଘସମ ଗଭୀର ଶବ୍ଦକାରୀ ଓ ଆଦିତ୍ୟସଦୃଶ ତେଜୋବିଶିଷ୍ଟ ରଥରେ ଆରୋହଣ କରି ରୁକ୍ମୀକୁ ରଣରେ ପରାଜିତ କରି ଭୋଜବଂଶୋଦ୍ଭବା ରୁକ୍ମିଣୀ ଦେବୀଙ୍କୁ ସ୍ୱୀୟ ମହୀଷୀସ୍ୱରୂପ ଲାଭ କରିଅଛ । ୩୧ । ଆପଣ କ୍ରୁଦ୍ଧ ହୋଇ ଇନ୍ଦ୍ରଦ୍ୟୁମ୍ନ ଓ କସେରୁମାନ ନାମକ ଯବନଦ୍ୱୟଙ୍କୁ ନିହତ କରିଅଛ । ସୌଭପତି ଶାଲ୍ୱଙ୍କୁ ବିନାଶ କରି ତାହାର ସୌଭନାମକ କାମଗାମୀ ନଗରକୁ ଭଗ୍ନ କରିଅଛ । ଏମାନେ ସମସ୍ତେ ଯୁଦ୍ଧରେ ନିହତ ହୋଇଅଛନ୍ତି । ହେ କୃଷ୍ଣ ! ଏତଦ୍‌ଭିନ୍ନ ଆଉ ଯାହାଙ୍କୁ ଆପଣ ନିହତ କରିଅଛନ୍ତି, ସେମାନଙ୍କ କଥା କହୁଅଛି ଶ୍ରବଣ କରନ୍ତୁ । ୩୨ ।

 

କୀତ୍ତ୍‌ର୍ବୀର୍ଯ୍ୟଙ୍କ ସମ ପରାକ୍ରମୀ ଭୋଜରାଜା ଆପଣଙ୍କ ପରାକ୍ରମରେ ନିହତ ହୋଇଅଛି । ୩୩ । ଆପଣ ଗୋପତିଙ୍କୁ ଓ ତାଳପତିଙ୍କୁ ବିନାଶ କରିଅଛନ୍ତି । ହେ ଜନାର୍ଦ୍ଦନ ! ଋଷିଗଣ-ମନୋହାରିଣୀ ସର୍ବ ଭୋଗଶାଳିନୀ ପବିତ୍ରା ଦ୍ୱାରକାନଗରୀକୁ ଆପଣ ଆତ୍ମସାତ କରି ସମୁଦ୍ରରେ ନିମଗ୍ନ କରିବା ହେବେ । ୩୪ । ହେ ଦାଶାର୍ହ ମଧୁସୂଦନ ! ଆପଣଙ୍କଠାରେ କ୍ରୋଧ ନାହିଁ କି ମିଥ୍ୟା ବା ନୃଶଂସତା ନାହିଁ; କପଟତା ବା କାହୁଁ ରହିବ । ୩୫ । ହେ ଅଚ୍ୟୁତ ! ଆପଣ ମନୁଷ୍ୟମାନଙ୍କ ଚିତ୍ତମଧ୍ୟରେ, ଦେବାୟତନ ମଧ୍ୟରେ ସ୍ୱତେଜରେ ଦୀପ୍ୟମାନ ହୋଇ ବିରାଜିତ ଥାନ୍ତି । ୩୬ । ହେ ପରନ୍ତପ ! ମଧୁସୂଦନ, ଯୁଗପ୍ରଳୟ କାଳରେ ଆପଣ ସର୍ବଭୂତମାନଙ୍କୁ ସଂକ୍ଷିପ୍ତ ଓ ଆତ୍ମସାତ୍ କରନ୍ତି-। ୩୭ । ହେ ବାଷ୍ଣେୟ ! ଯୁଗ ଆରମ୍ଭରେ ଚରାଚର ଗୁରୁ ବ୍ରହ୍ମା ଯାହାଙ୍କଠାରୁ ଏହି ସମସ୍ତ ଜଗତ୍ ଜାତ ହୋଇଅଛି, ସେ ଆପଣଙ୍କ ନାଭିକମଳରୁ ଜାତ ହୁଅନ୍ତି । ୩୮ । ତତ୍କାଳରେ ମଧୁ ଓ କୈଟଭ ନାମକ ଦୁଇ ଗୋଟା ଅସୁର ଜନ୍ମହୋଇ ବ୍ରହ୍ମାଙ୍କୁ ବଧ କରିବାକୁ ଉଦ୍ୟତ ହେଲେ । ସେ ଦୁହିଁଙ୍କର ବ୍ୟତିକ୍ରମ ଦେଖି ଆପଣ କ୍ରୁଦ୍ଧ ହୁଅନ୍ତେ ଆପଣଙ୍କ ଲଲାଟରୁ ଶୂଳପାଣି ତ୍ରିଲୋଚନ ଶିବ ଜାତ ହେଲେ । ଏହି ପ୍ରକାରେ ସେହି ଦୁଇ ଦେବ ବ୍ରହ୍ମା ଓ ଶିବ ଆପଣଙ୍କ ଶରୀରରୁ ଜାତ ହୋଇଅଛନ୍ତି-। ସେ ଦୁହେଁ ଆପଣଙ୍କର ଆଜ୍ଞାକାରୀ, ଏହା ଆମ୍ଭେ ନାରଦଙ୍କ ମୁଖରୁ ଶ୍ରବଣ କରିଅଛୁ-

 

ହେ କୃଷ୍ଣ ! ଆହୁରି ଆମ୍ଭେ ଶୁଣିଅଛୁ, ହେ ନାରାୟଣ ! ଆପଣ ପୂର୍ବକାଳରେ ଚୈତ୍ରରଥ ବନରେ ବହୁ ଦକ୍ଷିଣାଯୁକ୍ତ ବହୁକାଳ ବ୍ୟାପୀ ଯଜ୍ଞଯଜନ କରିଥିଲେ । ଏପରି ଯଜ୍ଞ ଆଉ କେହି କରି ନାହିଁ କି କରିବ ନାହିଁ । ୪୨ । ହେ ଦେବ ପୁଣ୍ଡରିକାକ୍ଷ ! ଆପଣ ମହାବଳ । ବାଳକ କାଳରେ ଆପଣ ବଳଦେବଙ୍କୁ ସଙ୍ଗରେ ଘେନି ଅଭୁତ କାର୍ଯ୍ୟମାନ କରିଥିଲେ । ବ୍ରାହ୍ମଣମାନଙ୍କ ସହିତ କୈଳାସ ବନରେ ବାସ କରିଥିଲେ । ୪୩ ।

 

ବୈଶମ୍ପାୟନ ବୋଇଲେ, କୃଷ୍ଣଙ୍କର ଆତ୍ମା ପାଣ୍ଡୁପୁତ୍ର ଅର୍ଜୁନ ମହାତ୍ମା କୃଷ୍ଣଙ୍କୁ ଏହିପରି କହି ମୌନାବଲମ୍ବନ କଲେ । ତଦନନ୍ତର କୃଷ୍ଣ ଅର୍ଜୁନଙ୍କୁ କହିଲେ । ୪୪ । ହେ ପାର୍ଥ, ତୁମ୍ଭେ ଆମ୍ଭର ଓ ଆମ୍ଭଙ୍କୁ ତୁମ୍ଭର ବୋଲି ଜାଣିବ । ଯେଉଁମାନେ ଆମ୍ଭର, ସେମାନେ ତୁମ୍ଭର । ତୁମ୍ଭଙ୍କୁ ଯେ ଦ୍ୱେଷ କରେ, ସେ ଆମ୍ଭଙ୍କୁ ଦ୍ୱେଷ କରେ । ଯେ ତୁମ୍ଭର ଅନୁଗତ, ସେ ଆମ୍ଭର ଅନୁଗତ । ୪୫ । ହେ ଦୁର୍ଦ୍ଧର୍ଷ, ତୁମ୍ଭେ ନର ଓ ଆମ୍ଭେ ନାରାୟଣ ହରି । କାଳକ୍ରମରେ ଆମ୍ଭେ ଦୁହେଁ ଏହି ଲୋକରେ ଜନ୍ମ ହୋଇଅଛୁ । ଆମ୍ଭେ ଦୁହେଁ ନର ଓ ନାରାୟଣ ଋଷି । ୪୬ । ହେ ଭରତର୍ଷଭ, ତୁମ୍ଭେ ଆମ୍ଭଠାରୁ ଭିନ୍ନ ନୁହଁ କି ଆମ୍ଭେ ତୁମ୍ଭଠାରୁ ଭିନ୍ନ ନୋହୁଁ । ଆମ୍ଭ ଦୁହିଁଙ୍କର ପ୍ରଭେଦ କେହି ଜାଣିନପାରେ । ୪୭ ।

 

ବୈଶମ୍ପାୟନ ବୋଇଲେ, ମହାତ୍ମା କେଶବ ଅର୍ଜୁନଙ୍କୁ ଏହିରୂପ କହି ନିବୃତ୍ତ ହେଲେ । ସେଠାରୁ ଧୃଷ୍ଟଦ୍ୟୁମ୍ନ ପ୍ରଭୃତି ଭ୍ରାତାମାନେ ପାଞ୍ଚାଳ କୁମାରୀଙ୍କୁ ଘେରିଥାନ୍ତି । ସଭା ମଧ୍ୟରେ ବୀରମଣ୍ଡଳୀ କୋପାବିଷ୍ଟ ହୋଇଥାନ୍ତି । ଭ୍ରାତୃଗଣଙ୍କ ସହ ଯୁଧିଷ୍ଠିର ଉପବିଷ୍ଟ ହୋଇଥିଲେ । ଏମନ୍ତ ସମୟରେ ଶରଣ୍ୟ କୃଷ୍ଣଙ୍କ ଅଭିମୁଖକୁ ଯାଇ କୃଷ୍ଣା ଶରଣାର୍ଥିନୀ ହୋଇ କ୍ରୋଧପୂର୍ଣ୍ଣ ଚିତ୍ତରେ କହିଲେ । ୪୯ । ଦ୍ରୌପଦୀ କହିଲେ, ହେ ମଧୁସୂଦନ ! ଅସୀତ ଓ ଦେବଳ ଋଷି କହିଅଛନ୍ତି, ଯେ ପୂର୍ବେ ପଣ୍ଡିତମାନେ ତୁମ୍ଭଙ୍କୁ ପ୍ରଜାସୃଷ୍ଟି ବିଷୟରେ ସବୁଲୋକର ସୃଷ୍ଟିକର୍ତ୍ତା ପ୍ରଜାପତିସ୍ୱରୂପ କୀର୍ତ୍ତନ କରନ୍ତି । ୫୦ । ହେ ଦୁର୍ଦ୍ଧର୍ଷ ! ହେ ମଧୁସୂଦନ ! ହେ ଦୁର୍ଦ୍ଧର୍ଷ, ତୁମ୍ଭେ ବିଷ୍ଣୁ ! ହେ ମଧୁସୂଦନ, ତୁମ୍ଭେ ଯଜ୍ଞମୂର୍ତ୍ତି ଓ ଯଜନୀୟ ବୋଲି ଜାମଦଗ୍ନ୍ୟ କହିଅଛନ୍ତି । ୫୧ । ହେ ପୁରୁଷୋତ୍ତମ ! ଋଷିମାନେ ତୁମ୍ଭଙ୍କୁ କ୍ଷମାସ୍ୱରୂପ ଓ ସତ୍ୟସ୍ୱରୂପ କହନ୍ତି । କାଶ୍ୟପ ଋଷି ତୁମ୍ଭଙ୍କୁ ସତ୍ୟସମ୍ଭୂତ ଯଜ୍ଞ ବୋଲି ନିର୍ଦ୍ଦେଶ କରନ୍ତି । ୫୨ । ହେ ଈଶ୍ୱରେଶ୍ୱର ! ଦେବର୍ଷି ନାରଦ ତୁମ୍ଭଙ୍କୁ ମଙ୍ଗଳକାରୀ, ସାଧୁଗଣଙ୍କର ଓ ସାଧ୍ୟଦେବଗଣଙ୍କର ଈଶ୍ୱର ବୋଲି ଆଖ୍ୟା କରନ୍ତି । ପରନ୍ତୁ ଭୂତଭାବନ ଭୂତେଶ ବୋଲି ନିରୂପଣ କରନ୍ତି । ୫୩ ।

 

ହେ ନରଶ୍ରେଷ୍ଠ ! ବାଳକ ଯେପରି ଖେଳନା ଘେନି ଖେଳେ, ସେହିପରି ଆପଣ ବ୍ରହ୍ମା, ଶଙ୍କର ଓ ଇନ୍ଦ୍ରଙ୍କୁ ଘେନି ପୁନଃପୁନଃ କ୍ରୀଡ଼ା କରନ୍ତି । ୫୪ । ହେ ପ୍ରଭୋ ! ଆପଣଙ୍କ ମସ୍ତକଦ୍ୱାରା ସ୍ୱର୍ଗ ଓ ପାଦଦ୍ୱୟଦ୍ୱାରା ପୃଥିବୀ ବ୍ୟାପ୍ତ ରହିଅଛି । ଏହି ସମୁଦାୟ ଲୋକ ଆପଣଙ୍କ ଜଠର ସୂରୂପ ଓ ଆପଣ ସନାତନ ପୁରୁଷ । ୫୫ । ହେ ପୁରୁଷବର, ଯେଉଁମାନେ ବିଦ୍ୟା ଓ ତପସ୍ୟା ଆଚରଣ କରିଅଛନ୍ତି ଓ ତପସ୍ୟାଦ୍ୱାରା ପରମାର୍ଥ ଚିନ୍ତାରେ ନିଯୁକ୍ତ ଅଛନ୍ତି ଓ ଆତ୍ମଦର୍ଶନରେ ଯାହାଙ୍କର ଚିତ୍ତ ପରିତୃପ୍ତ ହୁଏ, ସେହି ଋଷିମାନଙ୍କ ମଧ୍ୟରେ ଆପଣ ସର୍ବଶ୍ରେଷ୍ଠ । ୫୬ । ହେ ପୁରୁଷଶ୍ରେଷ୍ଠ, ଯେଉଁ ରାଜର୍ଷିମାନେ ସର୍ବଧର୍ମସମ୍ପନ୍ନ, ପୁଣ୍ୟଶୀଳ ଓ ଯୁଦ୍ଧରେ ପରାଙ୍‍ମୁଖୀ ହୁଅନ୍ତି ନାହିଁ ସେହିମାନଙ୍କର ଆପଣ ଗତି । ଆପଣ ପ୍ରଭୁ, ଆପଣ ବିଭୁ । ଆପଣ ସର୍ବପ୍ରାଣୀଙ୍କର ଆତ୍ମା ହୋଇ ଚେଷ୍ଟାଯୁକ୍ତ ହେଉଅଛନ୍ତି । ୫୭ । ଆକାଶ, ଚନ୍ଦ୍ର, ସୂର୍ଯ୍ୟ, ଲୋକପାଳମାନେ, ଲୋକସମୂହ, ନକ୍ଷତ୍ର ନିକର ଓ ଦଶ ଦିଗ ଏମାନେ ସମସ୍ତେ ଆପଣଙ୍କଠାରେ ପ୍ରତିଷ୍ଠିତ ଅଛନ୍ତି । ୫୮ । ମନୁଷ୍ୟମାନଙ୍କର ମାନବପତି, ଦେବତାମାନଙ୍କର ଦେବତ୍ୱ ଓ ଲୋକବାସୀଙ୍କର ଲୋକର କାର୍ଯ୍ୟସବୁ ଆପଣଙ୍କଠାରେ ପ୍ରତିଷ୍ଠିତ । ୫୯ ।

 

ହେ ମଧୁସୂଦନ ! ଆପଣଙ୍କଠାରେ ପ୍ରଣୟ-ବଶରୁ ମୋର ଦୁଃଖ ନିବେଦନ କରୁଅଛି, ଯେ ହେତୁରୁ ଆପଣ ମନୁଷ୍ୟ ଓ ଦେବତା ଆପଣଙ୍କର ଈଶ୍ୱର । ୬୦ । ପାଣ୍ଡବମାନଙ୍କର ଭାର୍ଯ୍ୟା ହୋଇ, ହେ କୃଷ୍ଣ ! ଆପଣ ଉଭୟଙ୍କର ସଖୀ ହୋଇ ଓ ଧୃଷ୍ଟଦ୍ୟୁମ୍ନଙ୍କର ଭଗ୍ନୀ ହୋଇ କି ପ୍ରକାରେ ସଭାମଧ୍ୟକୁ ଆକୃଷ୍ଟ ହେଲି ? ସ୍ତ୍ରୀ ଧର୍ମିଣୀ ହୋଇ ଶୋଣିତରେ ତିନ୍ତିଥାଏ, ଖଣ୍ଡେ ବସ୍ତ୍ର ପିନ୍ଧିଥାଏ, ଭୟରେ କମ୍ପୁଥାଏ, ଏପରି ଅବସ୍ଥାରେ ମୋତେ ଯାହା କୁରୁବଂଶୀୟ ସଭାମଧ୍ୟକୁ ଆକର୍ଷିତ କରି ଆଣିଲେ । ରାଜାମାନେ ସଭାରେ ବସିଥାନ୍ତି; ମୁଁ ରଜସ୍ୱଳା ହୋଇଥିବାର ଦେଖି ଧୃତରାଷ୍ଟ୍ରଙ୍କର ପାପମତି ପୁତ୍ରମାନେ ଯାହା ମୋତେ ପରିହାସ କଲେ । ହେ ମଧୁସୂଦନ ! ଦାସୀ ଭାବରେ ମୋତେ ଭୋଗ କରିବାକୁ କହିଲେ । ଏଥିରୁ ମୋର ଆଉ କି ଅଧିକ ଦୁଃଖ ହୋଇପାରେ ? ପାଣ୍ଡବମାନେ ଜୀବିତ ଅଛନ୍ତି, ପଞ୍ଚାଳ ଓ ବୃଷ୍ଣିମାନେ ବଞ୍ଚିଅଛନ୍ତି; ହେ କୃଷ୍ଣ ! ଭୀଷ୍ମ ଓ ଧୃତରାଷ୍ଟ୍ରଙ୍କର ପୁତ୍ରବଧୂ ହୋଇ ବଳପୂର୍ବକ ଯାହା ମୋତେ ଦାସୀ କରିବାର ଅଭିଳାଷୀ ହେଲେ । ୬୫ । ଯୁଦ୍ଧଶ୍ରେଷ୍ଠ ମହାବଳ ପାଣ୍ଡବମାନଙ୍କୁ ମୁଁ ଏହି ନିନ୍ଦା କରୁଅଛି ଯେ ସେମାନେ ଦେଖୁଥାନ୍ତି ମୁଁ ତାଙ୍କର ନିର୍ଦ୍ଦୋଷ ଧର୍ମପତ୍ନୀ ହୋଇ ତାଦୃଶ କ୍ଲେଶ ଭୋଗ କରୁଥାଏ । ୬୬ । ଭୀମସେନଙ୍କର ବଳକୁ ଧିକ୍‌, ଅର୍ଜୁନଙ୍କର ଗାଣ୍ଡୀବ ଧନୁକୁ ଧିକ । ହେ ଜନାର୍ଦ୍ଦନ ! ସେମାନେ ଚାହିଁଥାନ୍ତି, ଏହି କ୍ଷୁଦ୍ର ଲୋକେ ଯାହା ମୋତେ ଏତାଦୃଶ କ୍ଲେଶ ପ୍ରଦାନ କଲେ । ୬୭ । ସ୍ୱାମୀମାନେ ଅଳ୍ପବଳ ହେଲେ ସୁଦ୍ଧା ଭାର୍ଯ୍ୟାକୁ ରକ୍ଷା କରନ୍ତି; ଏହା ସନାତନ ଧର୍ମ ! ଭାର୍ଯ୍ୟା ରକ୍ଷିତା ହେଲେ ସନ୍ତାନମାନେ ରକ୍ଷିତ ହୁଅନ୍ତି ଓ ସନ୍ତାନମାନେ ରକ୍ଷିତ ହେଲେ ସ୍ୱୟଂ ସୁରକ୍ଷିତ ହୁଏ । ୬୯ । ଆପେ ଭାର୍ଯ୍ୟାଠାରେ ଜାତ ହୁଅନ୍ତି ବୋଲି ଭାର୍ଯ୍ୟାକୁ ଜାୟା କହନ୍ତି । ଭାର୍ଯ୍ୟା ମଧ୍ୟ ମନରେ ଭାବିବ ଯେ ଭର୍ତ୍ତା ତାହା ଗର୍ଭରୁ କିପରି ଜାତ ହେବ, ଏହା ଭାବି ସେ ସର୍ବଦା ଭର୍ତ୍ତାର ରକ୍ଷା କରିବ । ୭୦ । ଦେଖିବା ହେଉନ୍ତୁ, ଯେ ଏହି ପାଣ୍ଡବଙ୍କର ଶରଣାପନ୍ନ ହୁଅନ୍ତି, ତାହାଙ୍କୁ ଏମାନେ ତ୍ୟାଗ କରନ୍ତି ନାହିଁ । ଏହି ପାଣ୍ଡବଙ୍କର ମୁଁ ଚିର ଶରଣାପନ୍ନ । ଏମାନେ କି ନିମନ୍ତେ ମୋତେ ରକ୍ଷା ନ କଲେ ? । ୭୧ ।

 

ହେ ଜନାର୍ଦ୍ଦନ ! ହେଉ ମୋତେ ରକ୍ଷା ନ କଲେ ନାହିଁ, କିନ୍ତୁ ମୋର ଗର୍ଭଜାତ ଏମାନଙ୍କର ପାଞ୍ଚ ଗୋଟି ମହାତେଜସ୍ୱୀ ଔରସ ପୁତ୍ରଙ୍କ ମୁଖାବଲୋକନ କରି ସୁଦ୍ଧା ମୋର ରକ୍ଷା କରିବା କର୍ତ୍ତବ୍ୟ ଥିଲା । ୭୨ । ହେ ମଧୁସୂଦନ, ଯୁଧିଷ୍ଠିରଙ୍କଠାରୁ ପ୍ରତିବିନ୍ଧ୍ୟ, ଭୀମଙ୍କ ଠାରୁ ସୁତସୋମ, ଅର୍ଜୁନଙ୍କଠାରୁ ଶ୍ରୁତକୀର୍ତ୍ତି, ନକୁଳଙ୍କଠାରୁ ଶତାନୀକ ଓ ସହଦେବଙ୍କଠାରୁ ଶ୍ରୁତକର୍ମା ଜନ୍ମିଅଛନ୍ତି । ଏ ପୁତ୍ରମାନେ ସମସ୍ତେ ସତ୍ୟପରାକ୍ରମ ଓ ସମସ୍ତେ ତୁମ୍ଭର ପୁତ୍ର ପ୍ରଦ୍ୟୁମ୍ନ ସଦୃଶ ମହାରଥ । ଧନୁବିଦ୍ୟାରେ ଶ୍ରେଷ୍ଠ, ଯୁଦ୍ଧରେ ଶତ୍ରୁମାନଙ୍କର ଅଜେୟ, ଏମାନେ କି କାରଣ ଦୁର୍ବଳ ଧୃତରାଷ୍ଟ୍ର ପୁତ୍ରଙ୍କର ଉକ୍ତ ପ୍ରକାର ନିଦାରୁଣ ଯନ୍ତ୍ରଣା ସହ୍ୟ କଲେ । ୭୫ । ଅଧର୍ମରେ ରାଜ୍ୟ ହରଣ କଲେ । ସମସ୍ତଙ୍କୁ ଦାସ କଲେ । ମୁଁ ରଜସ୍ୱଳା ଓ ଏକବସ୍ତ୍ରା ହୋଇଥିଲି, ମୋତେ ନେଇ ସଭା ମଧ୍ୟରେ ଆକର୍ଷଣ କଲେ । ୭୬ । ତୁମ୍ଭେ, ଭୀମସେନ ଓ ଅର୍ଜୁନଙ୍କ ବ୍ୟତିରେକେ ଆଉ କେହି ଯେଉଁ ଗାଣ୍ଡୀବରେ ଗୁଣ ଦେଇ ନ ପାରନ୍ତି, ସେହି ଗାଣ୍ଡୀବ ଥାଉ ଥାଉ ଦୁର୍ଯ୍ୟୋଧନ ଯାହା ମୁହୂର୍ତ୍ତେ ଜୀବିତ ରହିଲା । ସେ ସ୍ଥଳେ ଭୀମସେନଙ୍କ ବଳକୁ ଧିକ ଓ ଅର୍ଜୁନଙ୍କ ପୌରୁଷକୁ ମଧ୍ୟ ଧିକ । ୭୮-। ହେ ମଧୁସୂଦନ ! ସେହି ଦୁର୍ଯ୍ୟୋଧନ, ଏହି ଅହିଂସକ ଅଧ୍ୟୟନରତ ବ୍ରତସ୍ଥିତ ପାଣ୍ଡବମାନଙ୍କୁ ବାଲ୍ୟକାଳରେ ମାତାଙ୍କ ସହିତ ରାଷ୍ଟ୍ରରୁ ବହିଷ୍କୃତ କରିଦେଲା । ହେ ଜନାର୍ଦ୍ଦନ ! ସେହି ପାପାତ୍ମା ଦୁର୍ଯ୍ୟୋଧନ ଭୀମସେନଙ୍କର ଭୋଜନଦ୍ରବ୍ୟ ମଧ୍ୟରେ ସଞ୍ଚିତ ନୂତନ ତୀକ୍ଷ୍‌ଣ କାଳକୂଟ ବିଷ ପ୍ରଦାନ କରିଥିଲା; ତାହା ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ । ୮୦ ।

 

ହେ ପୁରୁଷୋତ୍ତମ ! ହେ ଜନାର୍ଦ୍ଦନ ! ଭୀମଙ୍କର ପରମାୟୁ ଥିଲା ବୋଲି ଅନ୍ନ ସହିତ ସେ ବିଷ ଜୀର୍ଣ୍ଣ ହୋଇଗଲା । ୮୧ । ଗଙ୍ଗା ତୀରରେ ପ୍ରମାଣ କୋଟି ନାମକ ମହା ବଟବୃକ୍ଷ ନିକଟସ୍ଥିତ ପ୍ରଦେଶରେ ଭୀମ ଏହାକୁ ବିଶ୍ୱାସ କରି ସୁପ୍ତ ଥିଲେ । ଦୁରାତ୍ମା ଦୁର୍ଯ୍ୟୋଧନ ତାହାଙ୍କୁ ବନ୍ଧନ କଲେ-। ୮୨ । ମହାବଳ ଭୀମସେନଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ, ସେ ବନ୍ଧନକୁ ଛେଦନ କରି ଜଳମଧ୍ୟରୁ ଉଠି ଆସିଲେ । ୮୩ । ଅନ୍ୟ ଏକ ସମୟରେ ଶୋଇଥିବା ବେଳେ କୃଷ୍ଣସର୍ପମାନଙ୍କୁ ନେଇ ଭୀମଙ୍କର ସର୍ବାଙ୍ଗରେ ଦଂଶନ କରାଇଲା, କିନ୍ତୁ ତହିଁରେ ଶତ୍ରୁହନ୍ତାଙ୍କର ପ୍ରାଣ ବିନାଶ ହେଲା ନାହିଁ-। ସେ ଜାଗ୍ରତ ହୋଇ ସବୁ ସର୍ପଙ୍କୁ ବିନାଶ କଲେ ଓ ସେମାନଙ୍କ ସହିତ ଦୁର୍ଯ୍ୟୋଧନର ପ୍ରିୟ ସାରଥିକୁ ମଧ୍ୟ ମାଇଲେ । ୮୫ । ପୁନର୍ବାର ଆଉ ଏକ ସମୟରେ, ଏହି ପାଣ୍ଡବମାନେ ବାଳକାବସ୍ଥାରେ ଜନନୀଙ୍କ ସହିତ ବାରଣାବତରେ ଶୋଇଥିବାବେଳେ ସେମାନଙ୍କୁ ଦଗ୍ଧ କରିବା ମାନସରେ ଅଗ୍ନି ସଂଯୋଗ କଲେ । ବୋଲିବା ହେଉନ୍ତୁ, ଏପରି ନିଦାରୁଣ କର୍ମ ଆଉ କିଏ କରିବାକୁ ସମର୍ଥ ହେବେ । ୮୭ । ଆର୍ଯ୍ୟା କୁନ୍ତୀ ସେଠାରେ ଭୀତ ହୋଇ ରୋଦନ କଲେ ଓ ଅଗ୍ନିଦ୍ୱାରା ବେଷ୍ଟିତ ହୋଇ ପୁତ୍ରମାନଙ୍କୁ ସମ୍ବୋଧନ କରି କହିଲେ- ହାୟ ! ଅଦ୍ୟ ଆମ୍ଭେ ନଷ୍ଟ ହେଲୁ । ଏହି ଅନଳରୁ ପରିତ୍ରାଣ ନାହିଁ । ବାଳକ ସନ୍ତାନମାନଙ୍କ ସହ ଅନାଥା ହୋଇ ଅଦ୍ୟ ବିନଷ୍ଟ ହେବି । ୮୮ ।

 

ବାୟୁସମ ପରାକ୍ରମଶାଳୀ ମହାବାହୁ ଭୀମସେନ ଆର୍ଯ୍ୟା କୁନ୍ତୀଙ୍କୁ ଓ ଭ୍ରାତାମାନଙ୍କୁ ଆଶ୍ୱାସନା ପ୍ରଦାନ କଲେ । ଭୀମ କହିଲେ, ତୁମ୍ଭେମାନେ ଭୟ କରନାହିଁ, ବିମାତାଙ୍କ ପୁତ୍ର ଗର୍ଭରୁ ଯେପରି ଉତ୍ପନ୍ନ କରନ୍ତି ସେହିପରି ମୁଁ ଏଠାରୁ ଉତ୍ପତ୍ତିତ ହେବି । ୯୦ । ତତ୍‍ପରେ ବୀର୍ଯ୍ୟବାନ ଭୀମସେନ ଜନନୀଙ୍କୁ ବାମ କାଖରେ, ଧର୍ମରାଜଙ୍କୁ ଦକ୍ଷିଣ କାଖରେ, ନକୁଳ ଓ ସହଦେବଙ୍କୁ ବାମ ଓ ଦକ୍ଷିଣ କନ୍ଧରେ ଓ ଅର୍ଜୁନକୁ ପୃଷ୍ଠରେ ବହନ କରି ଏକାବେଳକେ ସମସ୍ତଙ୍କ ସହିତ ବେଗରେ ଉତ୍ପତନ କରି, ଆର୍ଯ୍ୟା କୁନ୍ତୀଙ୍କୁ ଓ ଭ୍ରାତାଙ୍କୁ ଅଗ୍ନିରୁ ମୋକ୍ଷଣ କଲେ । ୯୨ । ସେମାନେ ସମସ୍ତେ ରାତ୍ରକାଳରେ ପ୍ରସ୍ଥାନ କରି ମାତାଙ୍କ ସହିତ ହିଡମ୍ବବନର ନିକଟବର୍ତ୍ତୀ ମହାରଣ୍ୟରେ ପ୍ରବେଶ କଲେ । ୯୩ । ନିଶାକାଳରେ ମାତାଙ୍କ ସହ ପଥ ପର୍ଯ୍ୟଟନ କରି ଶ୍ରାନ୍ତ ଓ ଦୁଃଖିତାନ୍ତଃକରଣରେ ସେଠାରେ ସେମାନେ ଶୋଇଥିଲେ । ଏମନ୍ତ ସମୟରେ ହିଡିମ୍ବା ନାମ୍ନୀ ଗୋଟାଏ ରାକ୍ଷସୀ ସେଠାରେ ଉପସ୍ଥିତ ହେଲା । ୯୫ । ସେ ଦେଖିଲା ଯେ, ପାଣ୍ଡବମାନେ ମାତାଙ୍କ ସହିତ ସେଠାରେ ଶୟନ କରିଅଛନ୍ତି । କାମବାଣରେ ପ୍ରପୀଡିତ ହୋଇ ସେ ଭୀମସେନଙ୍କ ପ୍ରତି ଅଭିଳାଷ କଲା । ୯୫ । ତତ୍‍ପରେ ସେ ଶୁଭଦର୍ଶନା ଅବଳାରୂପ ଧରି ଭୀମସେନଙ୍କ ଚରଣଦ୍ୱୟକୁ ସ୍ୱକୀୟ ଅଙ୍ଗରେ ଧାରଣ କରି ହର୍ଷୋତ୍‌ଫୁଲ୍ଲ ଚିତ୍ତରେ କୋମଳ କରପଲ୍ଲବଦ୍ୱାରା ଧୀରେ ଧୀରେ ଆଉଁଶିବାରେ ପ୍ରବୃତ୍ତ ହେଲା । ୯୬ । ଅପରିମିତ ବଳଶାଳୀ ସତ୍ୟପରାକ୍ରମ ଭୀମସେନ ଉଦ୍‌ବୋଧିତ ହୋଇ ତାହାକୁ ପଚାରିଲେ, ହେ ଅନିନ୍ଦିତେ ! ତୁମ୍ଭେ କି ଇଚ୍ଛା କରୁଅଛ ? । ୯୬ ।

 

ଭୀମସେନଙ୍କର ବଚନ ଶ୍ରବଣ କରି ଅନିନ୍ଦିତା କାମରୂପିଣୀ ରାକ୍ଷସୀ ମହାତ୍ମା ଭୀମସେନଙ୍କୁ କହିଲା । ୯୮ । ଏଠାରୁ ଶୀଘ୍ର ପଳାୟନ କର । ଆମ୍ଭର ଭ୍ରାତା ବଡ଼ ବୀର୍ଯ୍ୟଶାଳୀ, ସେ ତୁମ୍ଭମାନଙ୍କୁ ନିହତ କରିବାକୁ ଆସିବ । ଅତଏବ ତୁମ୍ଭେମାନେ ଶୀଘ୍ର ଯାଅ, ବିଳମ୍ବ କରନାହିଁ । ୯୯ । ଅନନ୍ତର ଭୀମ ଅଭିମାନ ସହିତ ତାହାକୁ କହିଲେ; ଆମ୍ଭେ ତାହାଙ୍କୁ ଶଙ୍କା କରୁ ନାହିଁ । ସେ ଏଠାକୁ ଆସିଲେ, ଆମ୍ଭେ ତାହାକୁ ବଧ କରିବୁ । ୧୦୦ । ଏ ଦୁହିଁଙ୍କର କଥୋପକଥନ ଶ୍ରବଣ କରି ସେ ଦୁଷ୍ଟ ରାକ୍ଷସ ଭୟଙ୍କର ରୂପ ଧରି ମହାନାଦ କରି ସେ ସ୍ଥାନକୁ ଆଗମନ କଲା । ୧୦୧ । ରାକ୍ଷସ ବୋଇଲା, ରେ ହିଡ଼ିମ୍ବେ ! ତୁ କାହା ସହିତ କଥାବାର୍ତ୍ତା କରୁଅଛୁ ? ତାକୁ ଶୀଘ୍ର ମୋ ନିକଟକୁ ଆଣ । ବିଳମ୍ବ କରନାହିଁ । ଆମ୍ଭେ ତାକୁ ଭକ୍ଷଣ କରିବା । ୧୦୨ । କିନ୍ତୁ ସେ ନାରୀ କୃପାବିଷ୍ଟ ହୃଦୟରେ ଭୀମଙ୍କୁ ତଦ୍ରୂପ ବଚନ କହିବାକୁ ଇଚ୍ଛା କଲା ନାହିଁ । ୧୦୩ । ତହୁଁ ସେ ମନୁଷ୍ୟଖାଦକ ରାକ୍ଷସ ଘୋରନାଦ ମୋଚନ କରି ଭୀମସେନଙ୍କ ପ୍ରତି ଧାବିତ ହେଲା । ୧୦୪ । ମହାକ୍ରୋଧରେ ସେହି ବଳବାନ ରାକ୍ଷସ ଭୀମସେନଙ୍କ ସମ୍ମୁଖକୁ ଆସି ନିଜର ଏକ କରଦ୍ୱାରା ତାହାଙ୍କର ଦୁଇ କରକୁ ଗ୍ରହଣ କଲା । ୧୦୫ । ଓ ଇନ୍ଦ୍ରଙ୍କ ବଜ୍ରସମ ସ୍ପର୍ଶ ସୁଦୃଢ ଅପର କରଦ୍ୱାରା ତାହାକୁ ସହସା ଆଘାତ କଲା । ୧୦୬ । କର ଗ୍ରହଣ କରିବାରେ ମହାବାହୁ ବୃକୋଦର ସହ୍ୟ ନ କରି କ୍ରୁଦ୍ଧ ହେଲେ । ୧୦୭ ।

 

ତଦନନ୍ତର ଭୀମସେନ ଓ ହିଡ଼ିମ୍ବଙ୍କ ମଧ୍ୟରେ ତୁମୁଳ ଯୁଦ୍ଧ ଉପସ୍ଥିତ ହେଲା । ଦୁହେଁ ସର୍ବାସ୍ତ୍ରବେତ୍ତା । ଇନ୍ଦ୍ର ଓ ବୃତ୍ତ୍ରାସୁର ମଧ୍ୟରେ ଯେପରି ଯୁଦ୍ଧ ହୋଇଥିଲା, ତଦ୍ରୂପ ଘୋର ଯୁଦ୍ଧ ହେଲା-। ୧୦୮ । ବହୁକାଳ ପର୍ଯ୍ୟନ୍ତ ସେ ରାକ୍ଷସକୁ ଘେନି କ୍ରୀଡ଼ାକରି ଯେତେବେଳେ ସେ ଦୁର୍ବଳ ହେଲା, ତେତେବେଳେ ଭୀମ ତାହାକୁ ବିନାଶ କଲେ । ୧୦୯ । ହିଡିମ୍ବକୁ ବଧକରି ଓ ହିଡିମ୍ବାକୁ ଅଗ୍ରେ କରି ଭୀମସେନ ଭ୍ରାତାଙ୍କ ସହିତ ପ୍ରସ୍ଥାନ କଲେ । ସେ ହିଡିମ୍ବାଙ୍କଠାରୁ ଘଟୋତ୍କଚ ନାମକ ପୁତ୍ର ଭୀମସେନଙ୍କ ଔରସରୁ ଜାତ ହେଲା । ୧୧୦ । ତଦନନ୍ତର ପରନ୍ତପ ପାଣ୍ଡବମାନେ ସମସ୍ତେ ମାତାଙ୍କୁ ସଙ୍ଗରେ ଘେନି ବ୍ରାହ୍ମଣମାନଙ୍କଦ୍ୱାରା ପରିବୃତ ହୋଇ ଏକଚକ୍ର ନଗରୀ ଅଭିମୁଖରେ ପ୍ରସ୍ଥାନ କଲେ । ୧୧୧ । ପରମହିତୈଷା ବ୍ୟାସ ଏମାନଙ୍କୁ ମନ୍ତ୍ରଣା ଦେଇଥିଲେ । ସେହି ହେତୁରୁ ଶଂସିତବ୍ରତ ପାଣ୍ଡୁ ତନୟମାନେ ସେଠାକୁ ଗମନ କରି କିୟତ୍ କାଳ ସେଠାରେ ବସତି କଲେ-। ୧୧୨ । ଏମାନେ ସେ ସ୍ଥାନରେ ସୁଦ୍ଧା ହିଡିମ୍ବସମ ବଳବାନ ବକ ନାମକ ଆଉ ଗୋଟିଏ ରାକ୍ଷସକୁ ନିହତ କଲେ । ୧୧୩ । ଯୁଦ୍ଧକାରୀଙ୍କ ଶ୍ରେଷ୍ଠ ଭୀମ ଉଗ୍ର ବକକୁ ବିନାଶ କରି ସର୍ବଭ୍ରାତାଙ୍କ ସହ ଦ୍ରୁପଦରାଜାଙ୍କ ପୁରରେ ପ୍ରବେଶ ହେଲେ । ଆପଣ ଯେପରି ରୁକ୍ମ ରାଜାଙ୍କ କନ୍ୟା ରୁକ୍ମଣୀଙ୍କୁ ଜୟ କଲେ, ସବ୍ୟସାଚୀ ମଧ୍ୟ ସେଠାରେ ବାସକରି ମୋତେ ଲାଭ କଲେ । ହେ ମଧୁସୂଦନ ! ସେଠାରେ ସ୍ୱୟମ୍ବରରେ ଅର୍ଜୁନ ଯେଉଁ ଯୁଦ୍ଧକରି ମୋତେ ଜୟ କରିନେଲେ, ଏପରି ମହତ୍ କର୍ମ ଆଉ କାହାରିଦ୍ୱାରା ସୁକର ନୁହନ୍ତା । ୧୧୬ ।

 

ହେ କୃଷ୍ଣ ! ଏହିପରି ବହୁଳ କ୍ଳେଶ ସହ୍ୟକରି ଆର୍ଯ୍ୟା କୁନ୍ତୀଙ୍କୁ ସୁଦ୍ଧା ତ୍ୟାଗକରି ଧୌମ୍ୟଙ୍କୁ ଅଗ୍ରସର କରି ବନବାସରେ ଦୁଃଖରେ କାଳକ୍ଷେପ କରୁଅଛୁ । ୧୧୭ । ପାଣ୍ଡବମାନେ ତାଦୃଶ ବଳଶାଳୀ ହୋଇ ଓ ସିଂହପ୍ରାୟ ବିକ୍ରମ ପାଇ କି ନିମିତ୍ତ ମୋତେ ଏପରି କ୍ଷୁଦ୍ରାଶୟ ଶତ୍ରୁଙ୍କଦ୍ୱାରା ପରିକ୍ଲିଷ୍ଟା ହେବାର ଦେଖି ସୁଦ୍ଧା ଉପେକ୍ଷା କରୁଅଛନ୍ତି ? ଏହାର କାରଣ ମୁଁ କିଛି ଜାଣିପାରୁ ନାହିଁ । ୧୧୮ । ସେହି ଦୁର୍ବଳ ପାପାତ୍ମାମାନଙ୍କ ପାପକର୍ମ ହେତୁ ମୁଁ ସୁଦୀର୍ଘକାଳ ଏତାଦୃଶ କ୍ଳେଶ ସହ୍ୟ କରି ପ୍ର୍ରଦୀପ୍ତ ହୋଇଅଛି । ୧୧୯ । ମହତ୍ କୁଳରେ ଦିବ୍ୟ ବିଧିରେ* ମୋର ଜନ୍ମ । ପାଣ୍ଡବମାନଙ୍କ ପ୍ରିୟାଭାର୍ଯ୍ୟା, ମହାତ୍ମା ପାଣ୍ଡୁଙ୍କର ପୁତ୍ରବଧୂ ହୋଇ ଓ ପତିବ୍ରତା ହୋଇସୁଦ୍ଧା, ହେ କୃଷ୍ଣ ! ମୋର କେଶ ଗ୍ରହଣ ହେଲା । ହେ ମଧୁସୂଦନ ! ମୋର ଇନ୍ଦ୍ରସମ ପଞ୍ଚପତି ପାଣ୍ଡୁସୁତ, ସେମାନେ ଦେଖୁ ଦେଖୁ ମୋର ଏତାଦୃଶ ଦୁର୍ଦ୍ଦଶା ହେଲା । ଏହା କହି ଦ୍ରୌପଦୀ ପଦ୍ମକୋଷ ସଦୃଶ ମୃଦୁଳ କରତଳରେ ମୃଗକୁ ଆଚ୍ଛାଦନ କରି ମୃଦୁମୃଦୁ ଭାଷା କହି ଅତିଶୟ ରୋଦନ କଲେ । ୧୨୨ । ରୋଦନ କରୁ କରୁ ସେ ଅପତିତ ଶୁଭ ଲକ୍ଷଣଯୁକ୍ତ ପୀନ ଓ ସୁଜାତ ସ୍ତନୋପରି ଦୁଃଖଜନିତ ଅଶ୍ରୁ ବିନ୍ଦୁସମୂହ ବର୍ଷଣ କଲେ । ୧୨୩ । ପୁନଃପୁନଃ ଦୀର୍ଘ ନିଶ୍ୱାସ ତ୍ୟାଗକରି ଚକ୍ଷୁଦ୍ୱୟକୁ ପାଣିତଳରେ ମାର୍ଜନା କରିକରି କ୍ରୋଧରେ ଓ ବାଷ୍ପପୂର୍ଣ୍ଣ କଣ୍ଠରେ ଏହିପରି ବଚନ କହିଲେ । ୧୨୪ ।

 

[*ଦିବ୍ୟ ବିଧିରେ–ଦେବତାଙ୍କ ସମ୍ବନ୍ଧୀୟ ବିଧିରେ, ଅର୍ଥାତ୍ ଅତିମାନୁଷିକ ବିଧାନାନୁସାରେ ।]

 

ମୋର ପତି ନାହାନ୍ତି, ପୁତ୍ର ନାହାନ୍ତି, କି ବାନ୍ଧବମାନେ ନାହାନ୍ତି, ଭ୍ରାତାମାନେ ନାହାନ୍ତି, ପିତା ନାହାନ୍ତି, କି ହେ ମଧୁସୂଦନ ! ତୁମ୍ଭେ ମଧ୍ୟ ନାହଁ । ୧୨୬ । କ୍ଷୁଦ୍ର ଲୋକେ ମୋତେ ଯାହା ଅପମାନିତ କଲେ, ମୋର ଯଦି କେହି ଥାଆନ୍ତେ, ତେବେ ଶୋକରହିତ ବ୍ୟକ୍ତି ସଦୃଶ ମୋତେ ଉପେକ୍ଷା କରିଥାନ୍ତେ ? ସେ ରେୟସମ କର୍ଣ୍ଣ ମୋତେ ଯାହା ଅପମାନିତ କରିଥିଲା ସେ ଦୁଃଖ କି ମୋ ହୃଦୟରୁ ଯାଇଅଛି ? ହେ କୃଷ୍ଣ ! ତୁମ୍ଭର ମୋ ସହିତ ସମ୍ବନ୍ଧ ଅଛି, ସଖୀତ୍ୱ ଅଛି, ମୋ ପ୍ରତି ତୁମ୍ଭର ପ୍ରଭୁତ୍ୱ ଓ ଗୌରବ ଭାବ ଅଛି । ଆଉ କାରଣ ତେଣିକି ଥାଉ, ଉକ୍ତ ଚାରିଗୋଟି କାରଣରୁ ମୋତେ ତୁମ୍ଭେ ଅବଶ୍ୟ ରକ୍ଷା କରିଥାନ୍ତ । ୧୨୭ ।

 

ବୈଶମ୍ପାୟନ ବୋଇଲେ, ସେହି ବୀରସଭା ମଧ୍ୟରେ ଦ୍ରୌପଦୀଙ୍କୁ କୃଷ୍ଣ କହିଲେ । ବାସୁଦେବ କହିଲେ, ଯେଉଁମାନଙ୍କ ପ୍ରତି ତୁମ୍ଭେ କ୍ରୁଦ୍ଧ ହୋଇଅଛ, ସେମାନଙ୍କ ସ୍ତ୍ରୀମାନେ ସ୍ୱସ୍ୱ ବଲ୍ଳଭମାନଙ୍କୁ ଅର୍ଜୁନଙ୍କର ଶର ନିକରରେ ଆଚ୍ଛନ୍ନ ହୋଇ, ନିହତ ହୋଇ ଓ ରକ୍ତରେ ଆପ୍ଳୁଳତ ହୋଇ ଭୂମିରେ ପତିତ ହୋଇଥିବାର ଦେଖି ଅବଶ୍ୟ ରୋଦନ କରିବେ । ୧୨୮ । ତୁମ୍ଭେ ଶୋକ କରନାହିଁ । ତୁମ୍ଭ ନିକଟରେ ଆମ୍ଭେ ଏହି ସତ୍ୟ ପ୍ରତିଜ୍ଞା କରି କହୁଅଛୁ ଯେ, ଆମ୍ଭର ଯେତେଦୂର ସାମର୍ଥ୍ୟ ତଦନୁସାରେ ଆମ୍ଭେ ପାଣ୍ଡବମାନଙ୍କ ନିମିତ୍ତ ଯଥାବିହିତ ଅନୁଷ୍ଠାନ କରିବୁ । ତୁମ୍ଭେ ଏହି ରାଜପୁତ୍ରମାନଙ୍କ ରାଣୀ ହେବ, ଏଥିରେ ସନ୍ଦେହ ନାହିଁ । ହେ କୃଷ୍ଣା ! ଆକାଶ ଯଦି ଖସିପଡେ, ହିମାଳୟ ପର୍ବତ ଯଦି ଟଳିପଡେ, ପୃଥିବୀ ଯଦି ଖଣ୍ଡ ଖଣ୍ଡ ହୋଇପଡେ, ସମୁଦ୍ର ଯେବେ ଶୁଷ୍କ ହୋଇଯାଏ, ଏସବୁ ହେଲେ ହୋଇପାରେ, କିନ୍ତୁ ମୋ ବଚନ କଦାପି ଟଳିବ ନାହିଁ । ଅଚ୍ୟୁତଙ୍କଠାରୁ ସେହି ପ୍ରତିବଚନ ଶୁଣି ପାଞ୍ଚାଳ ରାଜକନ୍ୟା ଦ୍ରୌପଦୀ ମଧ୍ୟମପତି ଅର୍ଜୁନଙ୍କ ପ୍ରତି କଟାକ୍ଷପାତ କଲେ ।

 

ହେ ମହାରାଜ ! ତାପରେ ଅର୍ଜୁନ ଦ୍ରୌପଦୀଙ୍କୁ କହିଲେ, ହେ ଶୁଭାନନେ, ତାମ୍ରଲୋଚନେ-! ରୋଦନ କରନାହିଁ । ମଧୁସୂଦନ ଯାହା କହିଲେ, ହେ ଦେବୀ ! ତାହା ଅବଶ୍ୟ ହେବ-। ହେ ବରବର୍ଣ୍ଣିନି ! କଦାପି ତାଙ୍କର ବାକ୍ୟ ଅନ୍ୟଥା ହେବ ନାହିଁ । ୧୩୩ । ଧୃଷ୍ଟଦ୍ୟୁମ୍ନ ବୋଇଲେ, ଆମ୍ଭେ ଦ୍ରୋଣଙ୍କୁ ନିହତ କରିବୁ । ଶିଖଣ୍ଡୀ ଭୀଷ୍ମଙ୍କୁ ନିହତ କରିବେ । ଦୁର୍ଯ୍ୟୋଧନଙ୍କୁ ଭୀମସେନ ନିହତ କରିବେ । କର୍ଣ୍ଣକୁ ଅର୍ଜୁନ ବଧିବେ । ଏହି ପ୍ରକାରେ ରାମକୃଷ୍ଣ ଦୁହିଁଙ୍କୁ ଆଶ୍ରୟ କରି ଆମ୍ଭେମାନେ ଯୁଦ୍ଧରେ ଅଜେୟ ହେବା । ଧୃତରାଷ୍ଟ୍ରଙ୍କ ପୁତ୍ରଙ୍କ କଥା କି କହିବା; ସ୍ୱୟଂ ଇନ୍ଦ୍ରଙ୍କ ସହିତ ଯଦି ଯୁଦ୍ଧ ହୁଏ, ତେବେ ଆମ୍ଭେମାନେ ପରାଙ୍‍ମୁଖ କି ପରାଜିତ ହେବା ନାହିଁ । ୧୩୫-। ବୈଶମ୍ପାୟନ ବୋଇଲେ, ଧୃଷ୍ଟ୍ରଦ୍ୟୁମ୍ନ ଏପରି କହନ୍ତେ ତତ୍ରସ୍ଥିତ ବୀରମାନେ କୃଷ୍ଣଙ୍କ ଆଡକୁ ମୁଖ କଲେ । ମହାବାହୁ କୃଷ୍ଣ ମଧ୍ୟ ସେମାନଙ୍କ ମଧ୍ୟରେ ପ୍ରାଗୁକ୍ତ କଥାମାନ କହିଲେ । ୧୩୬-

 

॥ ଅଧ୍ୟାୟ – ୧୩ ॥

 

ବାସୁଦେବ କହିଲେ– ହେ ବସୁଧାଧିପ ! ମୁଁ ଯେବେ ସେ ସମୟରେ ଦ୍ୱାରକାରେ ଥାନ୍ତି, ତେବେ ଆପଣଙ୍କର ଏତାଦୃଶ କଷ୍ଟ କଦାପି ହୋଇନଥାନ୍ତା । ୧ । ରାଜା ଧୃତରାଷ୍ଟ୍ର, ଦୁର୍ଯ୍ୟୋଧନ କି ଅନ୍ୟାନ୍ୟ କୌରବମାନେ ଆମ୍ଭଙ୍କୁ ଆହ୍ୱାନ କରିନଥିଲେ ହେଁ, ଆମ୍ଭେ ଦ୍ୟୂତସ୍ଥଳକୁ ଆଗମନ କରିଥାନ୍ତୁ ଓ ଭୀଷ୍ମ, ଦ୍ରୋଣ, କୃପ ଓ ବାହ୍ଲିକଙ୍କୁ ଅଣାଇ ବହୁବିଧ ଦୋଷପ୍ରଦର୍ଶନଦ୍ୱାରା ଦ୍ୟୂତକ୍ରୀଡ଼ା ନିବାରଣ କରିଥାନ୍ତୁ । ହେ ପ୍ରଭୋ ! ଆପଣଙ୍କ ନିମିତ୍ତ ବିଚିତ୍ରବୀର୍ଯ୍ୟଙ୍କ ପୁତ୍ରଙ୍କୁ ସେହିଠାରେ କହିଥାନ୍ତୁ ଯେ, ହେ କୌରବ ! ତୁମ୍ଭ ପୁତ୍ରଙ୍କର ଦ୍ୟୂତକ୍ରୀଡ଼ାରେ ପ୍ରୟୋଜନ ନାହିଁ । ଅତଏବ ଦ୍ୟୂତ ନ ହେବା ଶ୍ରେୟସ୍କର ।

 

ହେ ନରପତେ ! ଯୁଧିଷ୍ଠିର ! ପୂର୍ବକାଳରେ ଦ୍ୟୂତକ୍ରୀଡ଼ାରେ ବୀରସେନଙ୍କ ପୁତ୍ର ରାଜ୍ୟଭ୍ରଷ୍ଟ ହୋଇଥିଲେ । ଯାହା ନଷ୍ଟ ହେବ ବୋଲି ମନେ କରି ନ ଥିବ, ତାହା ସୁଦ୍ଧା ଦ୍ୟୂତରେ ନଷ୍ଟ ହୁଏ । ଥରେ ଦ୍ୟୂତକ୍ରୀଡ଼ା ଆରମ୍ଭ କଲେ ପୁନଃପୁନଃ ତହିଁଲେ ପ୍ରବୃତ୍ତି ଜନ୍ମେ । ଅଧିକ କ’ଣ କହିବି, ଆପଣ ଦ୍ୟୂତକ୍ରୀଡ଼ା କରି ଯେଉଁସବୁ କ୍ଲେଶ ଭୋଗ କରୁଅଛନ୍ତି, ତାହା ମଧ୍ୟ ଯଥାଯଥ ପୂର୍ବରୁ କହିଥାନ୍ତି । ୬-। ଦ୍ୟୂତକ୍ରୀଡ଼ା, ମୃଗୟା, ମଦ୍ୟପାନ ଓ ସ୍ତ୍ରୀ ସେବନକୁ ପଣ୍ଡିତମାନେ କାମଜ ଦୁଃଖ ବୋଲି ବୋଲନ୍ତି-। ଏହି ଦୁଃଖଚତୁଷ୍ଟୟଦ୍ୱାରା ମନୁଷ୍ୟ ଶ୍ରୀଭ୍ରଷ୍ଟ ହୁଏ । ଶାସ୍ତ୍ରବେତ୍ତାମାନେ ଉକ୍ତ ଚାରି ପ୍ରକାର ବ୍ୟସନକୁ ଦୁଃଖପ୍ରଦ ବୋଲି ବର୍ଣ୍ଣନ କରନ୍ତି । ତନ୍ମଧ୍ୟରୁ ଦ୍ୟୂତ ସର୍ବାପେକ୍ଷା ଦୋଷାବହ । ୮ । ଏଥିରେ ଏକାଦିନକେ ସମୁଦାୟ ଦ୍ରବ୍ୟ ନଷ୍ଟ ହୋଇ ବ୍ୟସନ ଉପସ୍ଥିତ ହୋଇପାରେ । ବିନା ଭୋଗରେ ଅର୍ଥ ନାଶ ହୁଏ । କଥାର ପାରୁଷ୍ୟ ତ ନିଶ୍ଚୟ ହୁଏ । ୯ । ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରାସଙ୍ଗିକ ଯେଉଁସବୁ ଅନିଷ୍ଟ ଓ ଅପ୍ରିୟ ଘଟଣାମାନ ଦ୍ୟୂତରେ ହୁଅନ୍ତା, ତାହା ଆମ୍ଭେ ଅମ୍ବିକା ପୁତ୍ରଙ୍କଠାକୁ ଯାଇ କହିଥାନ୍ତୁ । ୧୦ । ଏପରି କହିଲେ ଧୃତରାଷ୍ଟ୍ର ଯେବେ ଆମ୍ଭ କଥା ଶୁଣିଥାନ୍ତେ, ତେବେ ଭଲ ହୋଇଥାନ୍ତା । ହେ କୁରୁଶ୍ରେଷ୍ଠ ! କୌରବମାନଙ୍କର ଧର୍ମରକ୍ଷା ଓ ମଙ୍ଗଳ ହୋଇଥାନ୍ତା-। ୧୧ । ଆମ୍ଭ ମଧୁର ଓ ପଥ୍ୟ ବଚନକୁ ଗ୍ରହଣ କରିନଥିଲେ, ହେ ରାଜେନ୍ଦ୍ର ! ବଳଦ୍ୱାରା ତାହାଙ୍କୁ ଆମ୍ଭେ ନିଗ୍ରହ କରିଥାନ୍ତୁ । ୧୨ । ଅନନ୍ତର ତାହାଙ୍କର ସଭାସ୍ଥିତ ବ୍ୟକ୍ତିମାନେ ଯେ କି ପ୍ରକୃତରେ ତାହାଙ୍କର ଶତ୍ରୁ, କିନ୍ତୁ ମିତ୍ର ବୋଲି ଆପଣାକୁ ବିଖ୍ୟାତ କରନ୍ତି, ସେମାନେ ଯେବେ ତାହାଙ୍କର ଅନୁବର୍ତ୍ତୀ ହୁଅନ୍ତେ, ତେବେ ଦୁଷ୍ଟ ଦ୍ୟୂତକାରୀଙ୍କୁ ନିହତ କରନ୍ତୁ । ୧୩ । ସେ ସମୟରେ ଆମେ ଆନର୍ତ୍ତ ଦେଶରେ ନ ଥିବାରୁ ହେ କୌରବୀ ! ଆପଣଙ୍କର ଦ୍ୟୂତ ଯୋଗୁଁ ଏତାଦୃଶ ବ୍ୟସନ ଜାତ ହେଲା । ୧୪ । ହେ ପାଣ୍ଡୁନନ୍ଦନ ! କୁରୁଶ୍ରେଷ୍ଠ ! ଆମ୍ଭେ ଦ୍ୱାରକାକୁ ଆସି ଶ୍ରବଣ କଲୁ ଯେ, ଦୁର୍ଯ୍ୟୋଧନ ଆପଣମାନଙ୍କୁ ଏତାଦୃଶ କଷ୍ଟ ଦେଇଅଛି । ୧୫ ।

 

ହେ ରାଜେନ୍ଦ୍ର ! ଆପଣଙ୍କ ଦୁଃଖ ଶ୍ରବଣ କରି ଆମ୍ଭେ ଅତିଶୟ ଉଦ୍‌ବିଗ୍ନମନା ହୋଇ ଆପଣଙ୍କ ଦର୍ଶନ ନିମିତ୍ତ ଏଠାକୁ ଶୀଘ୍ର ସମାଗମନ କଲୁ । ୧୬ । ହେ ଭରତର୍ଷଭ ! ଆପଣ ଭ୍ରାତାମାନଙ୍କ ସହିତ ଯାହା ଏତାଦୃଶ କ୍ଳେଶ ପ୍ରାପ୍ତ ହେଲେ ଓ ଆମ୍ଭେ ଆସି ଯାହା ଆପଣଙ୍କୁ ଏପରି କ୍ଲିଷ୍ଟ ହୋଇଥିବାର ଦେଖିଲୁ । ୧୭ ।

 

॥ ଅଧ୍ୟାୟ – ୧୪ ॥

 

ଯୁଧିଷ୍ଠିର ବୋଇଲେ– ହେ ବୃଷ୍ଣିନନ୍ଦନ ! ଆପଣ କିପରି ଦ୍ୱାରକା ଛାଡ଼ି ଯାଇଥିଲେ ? କେଉଁଠାରେ ଆପଣଙ୍କର ପ୍ରବାସ ହୋଇଥିଲା ? ସେଠାରେ କ’ଣ କଲେ ?୧ । ଶ୍ରୀକୃଷ୍ଣ ଉତ୍ତର ଦେଲେ– ହେ ଭରତର୍ଷଭ ! ଆମ୍ଭେ ଶାଲ୍ୱରାଜାଙ୍କର ସୌଭ ନାମକ ନଗରକୁ ବିନାଶ କରିବାକୁ ଗମନ କରିଥିଲୁ । ତାହାର କାରଣ ଶ୍ରବଣ କରିବା ହେଉନ୍ତୁ । ୨ । ସେ ରାଜା ମହାବଳୀ, ମହାତେଜା ଓ ମହାଯଶା । ଦମଘୋଷ ରାଜାଙ୍କର ପୁତ୍ର ବୀର ଶିଶୁପାଳ ଯେ ଆମ୍ଭଦ୍ୱାରା ନିହତ ହୋଇଥିଲା । ହେ ଭରତର୍ଷଭ ! ଆପଣଙ୍କ ରାଜସୂୟ ମହାଯଜ୍ଞରେ ଯେଉଁ ଦୁରାତ୍ମା ଅର୍ଘ୍ୟ ପ୍ରତାନବେଳେ ଆମ୍ଭର ପାର୍ଥବୋଚିତ ପୂଜାରେ ଈର୍ଷାନ୍ୱିତ ହୋଇ ରାଜାମାନଙ୍କ ସମକ୍ଷରେ ଆମ୍ଭ ପ୍ରତି କଟୂକ୍ତି ପ୍ରୟୋଗ କରିଥିଲା ଅଥଚ କ୍ରୋଧରେ ବଶବର୍ତ୍ତୀ ହୋଇ ବହୁବିଧ ଅନ୍ୟାୟ ଓ କଟୂକ୍ତି ବ୍ୟବହାର କରିଥିଲା ତତ୍କାଳରେ ଆମ୍ଭେ ତାହାର ଅନ୍ୟାୟ ସହ୍ୟ କରିନପାରି ତାହାକୁ ନିହତ କରିଥିଲୁ । ୪ ।

 

ହେ ଭାରତ ! ଶାଲ୍ୱରାଜା ସେହି ବୃତ୍ତାନ୍ତ ଶ୍ରବଣ କରି ତୀବ୍ର ରୋଷାବିଷ୍ଟ ହୋଇ ଓ ଆମ୍ଭେ ଆପଣଙ୍କଠାରେ ଥିବାର ଜାଣି ସେଠାକୁ ଆସିଲା । ୫ । ହେ ରାଜନ୍‌ ! ସେହି ଦୁର୍ମତି କାମଗାମୀ ସୌଭ ନାମକ ବିମାନରେ ଆରୋହଣ କରି ବୃଷ୍ଣିକୁମାରମାନଙ୍କ ସଙ୍ଗେ ସହସା ନୃଶଂସ ଯୁଦ୍ଧ ଆରମ୍ଭ କଲା । ୬ । ଅନନ୍ତର ସେହି ନୃଶଂସ ବହୁସଂଖ୍ୟକ ବାଳକ ଯଦୁପୁତ୍ରମାନଙ୍କୁ ହତ୍ୟା କରି ପୁରୋଦ୍ୟାନମାନ ଭଗ୍ନ କରି ପକାଇଲା । ୭ । ଆହୁରି ପଚାରିଲା, ହେ ଆନର୍ତ୍ତବାସୀ ! ତୁମ୍ଭେ ସତ୍ୟ କହ, ବୃଷ୍ଣି କୁଳାଧମ ସେହି ଦୁଷ୍ଟାତ୍ମା ବାସୁଦେବସୁତ କେଉଁଠାକୁ ଗମନ କରିଅଛି ? ଆମ୍ଭେ ସେ ସ୍ଥାନକୁ ଯାଇ ଯୁଦ୍ଧଦ୍ୱାରା ସେ ଯୁଦ୍ଧାଭିଳାଷୀର ଦର୍ପ ଚୂର୍ଣ୍ଣ କରିବୁ । ୯ । ଆମ୍ଭେ ଏହି ଆୟୁଧ ସ୍ପର୍ଶକରି ପ୍ରତିଜ୍ଞାପୂର୍ବକ ବୋଲୁଅଛୁ ଯେ ସେହି କଂସକେଶୀଘାତୀ କୃଷ୍ଣକୁ ବିନାଶ କରି କ୍ଷାନ୍ତ ହେବୁ-। ତାହାଙ୍କୁ ବିନାଶ ନ କରିବା ଯାଏ ନିବୃତ୍ତ ହେବୁ ନାହିଁ । ଏହା ଆମ୍ଭେ ସତ୍ୟକରି କହୁଅଛୁ । ୧୦ । ସେହି ସୌଭପତି ଆମ୍ଭ ସହିତ ଯୁଦ୍ଧକରିବା ନିମିତ୍ତ କାହିଁ, ସେ କାହିଁ, ଏହିପରି କହି ସେହି ସୌଭପତି ଇତସ୍ତତଃ ଧାବମାନ ହେଉଥାଏ । ୧୧ । ଅଦ୍ୟ ସେହି ପାପକର୍ମା କ୍ଷୁଦ୍ର ଓ ବିଶ୍ୱାସଘାତୀ କୃଷ୍ଣକୁ ଯମ ସଦନକୁ ପ୍ରେରଣ କରିବି । ଶିଶୁପାଳ ବଧଜନିତ କ୍ରୋଧ ଆଉ ସହ୍ୟ ହେଉ ନାହିଁ । ସେହି ପାପସ୍ୱଭାବ ଆମ୍ଭର ଭ୍ରାତାକୁ ନିହତ କରିଅଛି । ଆମ୍ଭେ ତାହାର ପ୍ରାଣନାଶ କରିବୁ । ଆମ୍ଭର ଭ୍ରାତା ବାଳକ ରାଜା ଶିଶୁପାଳ ତତ୍‌କାଳରେ ପ୍ରସ୍ତୁତ ନ ଥିଲେ; ଅତଏବ ସେହି ବୀରଙ୍କୁ ଯେଉଁ ବ୍ୟକ୍ତି ବିନା ଯୁଦ୍ଧରେ ବିନାଶ କରିଅଛି, ଆମ୍ଭେ ସେହି ଜନାର୍ଦ୍ଦନକୁ ବିନାଶ କରିବୁ । ୧୪ ।

 

ହେ ମହରାଜ ! ଏହି ପ୍ରକାରେ ସେ ବିଳାପ କରି ଆକାଶକୁ ଉଠି କାମଗାମୀ ସୌଭରେ ଥାଇ ଆମ୍ଭଙ୍କୁ ତିରସ୍କାର କଲା । ଆମ୍ଭେ ସେଠାକୁ ଗମନ କରି ତାହାର କଥା ଶ୍ରବଣ କଲୁ । ହେ କୌରବ୍ୟ ! ମାର୍ତ୍ତିକାବତ ଦେଶାଧିପତି ସେହି ଦୁର୍ମତି ଦୁଷ୍ଟତ୍ମା ନୃପତି ଶାଲ୍ୱର ଯଥାବତ୍ ସମସ୍ତ ବୃତ୍ତାନ୍ତ ଶ୍ରବଣ କଲି । ୧୬ । ତତ୍‍ପରେ ହେ କୌରବ୍ୟ ! ଆମ୍ଭେ ମଧ୍ୟ ଆନର୍ତ୍ତ ଦେଶରେ ତାହାର ଉପଦ୍ରବ, ଆମ୍ଭପ୍ରତି ନିନ୍ଦା ଓ ତାହାର ନିୟତ ଗର୍ବ ବଚନ ଶ୍ରବଣ କରି ରୋଷାବିଷ୍ଟ ହୋଇ ତାହାକୁ ବଧ କରିବାକୁ ସଂକଳ୍ପ କଲୁ । ୧୮ । ତତ୍‍ପରେ ହେ ପୃଥିବୀପତେ !ଆମ୍ଭେ ସୌଧବଧ ନିମିତ୍ତ ପ୍ରସ୍ଥାନ କଲୁଁ । ତାହାକୁ ନ ପାଇ ଅନ୍ୱେଷଣ କରି ସାଗର ଦ୍ୱୀପରେ ପ୍ରାପ୍ତ ହେଲୁଁ । । ୧୯ । ତଦନନ୍ତର ଆମ୍ଭେ ପଞ୍ଚଜନ୍ୟ ଶଙ୍ଖକୁ ପ୍ରଧ୍ୱନିତ କରି ଯୁଦ୍ଧାର୍ଥ ଶାଲ୍ୱକୁ ଆହ୍ୱାନ କରି ସମରରେ ଦଣ୍ଡାୟମାନ ହେଲୁ । ୨୦ । ଦାନବମାନେ ଆମ୍ଭ ସହ ମୁହୂର୍ତ୍ତକାଳ ଯୁଦ୍ଧ କରି ବଶୀଭୂତ, ପରାସ୍ତ ଅଥବା ଭୂମିରେ ନିପତିତ ହେଲେ । ୨୧ । ହେ ମହାବାହୋ ! ତତ୍କାଳରେ ଆମ୍ଭେ ଏହି କାର୍ଯ୍ୟରେ ବ୍ୟାପୃତ ଥିବାରୁ ଆଗମନ କରିବାକୁ ଅସମର୍ଥ ହେଲି । ତତ୍‍ପରେ ହସ୍ତିନାରେ ଅନ୍ୟାୟ, ଦ୍ୟୂତକ୍ରୀଡ଼ା ଓ ଆପଣମାନଙ୍କର ଦୁଃଖପ୍ରାପ୍ତି ଶ୍ରବଣ କଲାକ୍ଷଣି ଆପଣମାନଙ୍କୁ ଦେଖିବା ନିମିତ୍ତ ଶୀଘ୍ର ଏଠାକୁ ଆସିଲୁ । ୨୨ ।

 

॥ ଅଧ୍ୟାୟ – ୧୫ ॥

 

ଯୁଧିଷ୍ଠିର କହିଲେ– ହେ ମହାବାହୋ ବାସୁଦେବ ! ସୌଭର ବଧ ବୃତ୍ତାନ୍ତ ବିସ୍ତାରରୂପେ କହିବା ହେଉନ୍ତୁ । ଆପଣ ଯାହା ବୋଲିବା ହେଲେ ତହିଁରେ ଆମ୍ଭର ତୃପ୍ତି ହେଲା ନାହିଁ । ୧ । ବାସୁଦେବ କହିଲେ, ହେ ମହାବାହୋ ! ଭରତଶ୍ରେଷ୍ଠ ! ଶିଶୁପାଳ ଆମ୍ଭଦ୍ୱାରା ନିହତ ହୋଇଥିବାର ଶୁଣି ରାଜା ଶାଲ୍ୱ ଦ୍ୱାରକାରେ ଉପସ୍ଥିତ ହେଲା । ସେହି ଦୁରାତ୍ମା ଆକାଶସଞ୍ଚାରୀ ସୌଭ ନଗରରେ ସ୍ୱୟଂ ଅଧିଷ୍ଠିତ ହୋଇ ସୈନ୍ୟଦ୍ୱାରା ବ୍ୟୂହ ରଚନା କରି ଦ୍ୱାରକାପୁରୀର ଚତୁଃପାର୍ଶ୍ୱ ଅବରୋଧ କଲା । ଶାଲ୍ୱରାଜା ଏପରି ଯୁଦ୍ଧ କଲା ଓ ସେହି ଆକାଶ ନଗରୀରେ ଥାଇ ଏତାଦୃଶ ଶର ବର୍ଷଣ କଲା ଯେ, ତଦ୍ଦ୍ୱାରା ସର୍ବଦିଗ ସମାବୃତ ହେଲା । ୪ ।

 

ହେ ଭରତଶ୍ରେଷ୍ଠ ! ନୃପତେ ! ସେହି ସମୟରେ ଦ୍ୱାରକା ନଗରୀ ତତ୍କାଳୀୟ ନୀତିଶାସ୍ତ୍ରର ବିଧାନ ଅନୁସାରେ ସର୍ବପ୍ରକାରେ ସୁସଜ୍ଜିତ ହୋଇଥିଲା । ତୋରଣ, ପତାକା, ଯୋଦ୍ଧାମାନଙ୍କ ରହିବା ସ୍ଥାନ, ଏକ କାଳରେ ବହୁ ଶତ୍ରୁବିନାଶକାରୀ ଯନ୍ତ୍ରନିକର, ସୁଡ଼ଙ୍ଗ ସଦୃଶ ଗୁପ୍ତପଥ ନିର୍ମାତା ଖନକ, ଲୌହମୁଖ କନକଯୁକ୍ତ ପଥ, ଖାଦ୍ୟଦ୍ରବ୍ୟ ପରିପୂରିତ ପକ୍କା କୋଠା, ଚକ୍ରଗ୍ରହଣ, ସୈନ୍ୟନିଗ୍ରହକାରୀ ଯନ୍ତ୍ର ଅର୍ଥାତ୍ ବିପକ୍ଷ ସୈନ୍ୟମାନେ ଯେଉଁ ଅଲତ ଓ ଉଲ୍‌କା ନିକ୍ଷେପ କରନ୍ତି ତାହାକୁ ନିବାରଣ କରିବାର ଯନ୍ତ୍ର, ମୃତ୍ତିକା ଓ ଚର୍ମମୟ ପାତ୍ର, ଭେରୀ, ପଣବ ଓ ଆନକ ପ୍ରଭୃତି ବାଦ୍ୟଯନ୍ତ୍ର, ତୋମର, ଅଙ୍କୁଶ ଶତଘ୍ନୀ, ଲାଙ୍ଗଳ, ଭୁଷୁଣ୍ଡି, ବର୍ତ୍ତୁକ, ପ୍ରସ୍ତରସମୂହ, ପରଶ୍ୱଧ, ଲୌହମୟ ଚର୍ମ, ଆଗ୍ନେୟାସ୍ତ୍ର ସମୂହ, ଗୁଳା ନିକ୍ଷେପ କରିବାର ଯନ୍ତ୍ର ଓ ଅନ୍ୟାନ୍ୟ ଅନେକ ପ୍ରକାର ଅସ୍ତ୍ରଶସ୍ତ୍ରଦ୍ୱାରା ପରିପୂରିତ ହୋଇଥିଲା । ଯେଉଁ ଯୋଦ୍ଧାମାନେ ବିଖ୍ୟାତ ଓ ପ୍ରସିଦ୍ଧ କୁଳଜାତ ଓ ଯେଉଁମାନଙ୍କର ସାମର୍ଥ୍ୟ ସଂଗ୍ରାମରେ ହୃଷ୍ଟ ହୋଇଅଛି, ଗଦ, ଶାମ୍ବ ଓ ଉଦ୍ଧବ ପ୍ରଭୃତି ବୀରମାନଙ୍କଦ୍ୱାରା ନାନାବିଧ ବହୁସଂଖ୍ୟକ ରଥ, ଅଶ୍ୱ ଓ ପତାକୀଗଣଙ୍କଦ୍ୱାରା ପରିପୂର୍ଣ୍ଣ ଥିଲା । ଯେଉଁ ସ୍ଥାନରେ ରହିଲେ ବିପକ୍ଷମାନେ ଦେଖାଯିବେ ଓ ସେମାନଙ୍କୁ ଶରାଦିଦ୍ୱାରା ପ୍ରହାର କରାଯାଇପାରିବ, ଏପରି ଉଚ୍ଚ ସ୍ଥାନ ଆଶ୍ରିତ ହୋଇଥିଲା । ପରପକ୍ଷର ସୈନ୍ୟମାନଙ୍କୁ ଯେଉଁମାନେ ଉଚ୍ଚାଟନ କରିପାରିବେ, ଏପରି ଯୋଦ୍ଧାଗଣଦ୍ୱାରା ପୁରୀରକ୍ଷିତ ହୋଇପାରିଥିଲା । ମଧ୍ୟମ ଗୁଳ୍ମ ଅର୍ଥାତ୍ ଯେଉଁଠାକୁ ଶତ୍ରୁମାନେ ଶର ମାରିପାରିବେ, ସେ ସ୍ଥାନ ରକ୍ଷୀବର୍ଗଦ୍ୱାରା ସୁରକ୍ଷିତ ହୋଇଥିଲା । ଯେଉଁ ସ୍ଥାନରେ ରହିଲେ ଶତ୍ରୁମାନଙ୍କୁ ପ୍ରହାର କରିହେବ, ସେ ସ୍ଥାନରେ ପତାକୀମାନେ ଓ ଅଶ୍ୱାରୋହୀମାନେ ସ୍ଥିତ ହୋଇଥିଲେ । ୧୧ ।

 

ଉଗ୍ରେସନ ଓ ଉଦ୍ଧବ ପ୍ରମାଦ ନିବାରଣ ନିମିତ୍ତ ନଗରରେ ଘୋଷଣା ଦେଇଥିଲେ ଯେ, କେହି ସୁରାପାନ କରିବ ନାହିଁ । ୧୧ । ପ୍ରମତ୍ତ ହେଲେ ରାଜା ଶାଲ୍ୱ ପ୍ରବେଶ କରିବ, ଏହି ଆଶଙ୍କା ଦୂର କରିବା ନିମିତ୍ତ ବୃଷ୍ଣି ଓ ଅନ୍ଧକ ବଂଶୀୟ ବୀରପୁରୁଷମାନେ ସମସ୍ତେ ଅବହିତ ହୋଇଥିଲେ । ବିତ୍ତରକ୍ଷାକାରୀ ରାଜପୁରୁଷମାନେ ଆନର୍ତ୍ତଦେଶୀୟ ନଟୀ ଓ ନର୍ତ୍ତକମାନଙ୍କୁ ନଗର ମଧ୍ୟରୁ ନିର୍ବାସିତ କରିଥିଲେ । ୧୪ । ନାବମାନେ ବିନଷ୍ଟ ହେଲେ ଓ ନୌକାର ତୋତେ ରହିତ କରାଗଲା-। ପରିଖାମାନ କୀଳକ ଓ ଶୂଳସମୂହଦ୍ୱାରା ଅଗମ୍ୟ କରାହେଲା । ୧୫ । କୂପ ଓ ଜଳାଶୟମାନ ଆଚ୍ଛାଦିତ ହେଲା ଓ ନଗରୀର ଚତୁର୍ଦ୍ଦିଗରେ ଏକ କ୍ରୋଶ ପର୍ଯ୍ୟନ୍ତ ଭୂମି ବିଷମ କରାହୋଇ ଲୌହ କଣ୍ଟକଦ୍ୱାରା ସମାଚ୍ଛନ୍ନ ହେଲା ଯେ, ସେ ସ୍ଥାନଦେଇ ଲୋକେ ନଗର ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ୧୬ । ଦୁର୍ଗଟି ସ୍ୱଭାବରେ ବିଷମ ଓ ସ୍ୱଭାବରେ ସୁରକ୍ଷିତ ଓ ଆୟୁଧଦ୍ୱାରା ପରିପୂର୍ଣ୍ଣ ଥିଲା । ୧୭ ।

 

ହେ ଭରତଶ୍ରେଷ୍ଠ ! ଇନ୍ଦ୍ରଙ୍କ ଭବନ ସଦୃଶ ଦ୍ୱାରକାପୁରୀ ସର୍ବପ୍ରକାର ଆୟୁଧଦ୍ୱାରା ସୁରକ୍ଷିତ ଓ ସ୍ୱଭାବରେ ଅଭେଦ୍ୟ ଥିଲା । ସୌଭ ସମାଗମନ କାଳରେ କେହି ବ୍ୟକ୍ତି ମୁଦ୍ରା ନ ଘେନି ବୃଷ୍ଣି ଓ ଅନ୍ଧକମାନଙ୍କ ପୁରରୁ ବାହାରକୁ ଯିବାକୁ ପାରୁ ନ ଥିଲା କି ନଗରୀ ମଧ୍ୟରେ ପ୍ରବେଶ କରିପାରୁନଥିଲା । ୧୯ । ସବୁ ପଥରେ ଓ ସବୁ ଚତ୍ୱରରେ ଅସଂଖ୍ୟ ସୈନ୍ୟଗଜ ଓ ଅଶ୍ୱମାନେ ପରିପୂର୍ଣ୍ଣ ହୋଇଥିଲେ । ୨୦ । ବାସୁଦେବ କହିଲେ ହେ ମହାଭୁଜ ! ଏହି ସମୟରେ ସୈନ୍ୟମାନେ ବେତନ, ଅନ୍ନ, ପରିଚ୍ଛଦ ଓ ଆୟୁଧ ପ୍ରଦାନଦ୍ୱାରା ବିଶେଷରୂପେ ବଶବର୍ତ୍ତୀ ହୋଇଥିଲେ । ୨୧ । ସେମାନଙ୍କୁ ସୁନାରୁପା ଛଡ଼ା ଅନ୍ୟପ୍ରକାର ବେତନ ଦିଆ ହୋଇନଥିଲା କି କେହି ସେନା ବେତନ ନ ପାଇଥିଲେ ଏମନ୍ତ ନୁହେ । ସୈନ୍ୟମାନଙ୍କ ମଧ୍ୟରେ ଏପରି କେହି ନ ଥିଲା କି, ଯାହାର ପରାକ୍ରମ ପରୀକ୍ଷିତ ହୋଇନଥିଲା ଅଥବା କାହାରି ପ୍ରତି ଅନୁଗ୍ରହ କରାହୋଇନଥିଲା, ଏପରି କେହି ନ ଥିଲା । ୨୨ । ହେ ରାଜନ୍ । ରାଜୀବଲୋଚନ ! ଉଗ୍ରେସନ କର୍ତ୍ତୃକ ଏହି ଦ୍ୱାରକାପୁରୀ ଏହି ପ୍ରକାରେ ବହୁତର ଦକ୍ଷିଣାଯୁକ୍ତ ସୁବିହିତ ହୋଇ ସମ୍ୟକ୍‍ରୂପେ ରକ୍ଷିତ ହୋଇଥିଲା । ୨୩ ।

 

॥ ଅଧ୍ୟାୟ – ୧୬ ॥

 

ବାସୁଦେବ କହିଲେ, ହେ ରାଜେନ୍ଦ୍ର ! ସୌଭପତି ଶାଲ୍ୱ ବହୁସଂଖ୍ୟକ ନର, ନାଗ ଓ ସୈନ୍ୟ ଘେନି ସେହି ପୁରୀରେ ପ୍ରବେଶ କଲେ । ୧ । ଶାଲ୍ୱ ରାଜାଙ୍କ ପାଳିତ ସେହି ଚତୁରଙ୍ଗିଣୀ ସେନା ବୃହତ୍ ଜଳାଶ୍ରୟ ନିକଟବର୍ତ୍ତୀ ଗୋଟିଏ ସମସ୍ଥଳରେ ନିବିଷ୍ଟ ହେଲେ । ୨ । ଶ୍ମଶାନ, ଦେବତାଳୟ, ପୂଜାବୃକ୍ଷ ଓ ବଲ୍ମୀକ ସ୍ଥାନ ବ୍ୟତିରେକ ସର୍ବସ୍ଥାନରେ ସେମାନେ ସନ୍ନିବିଷ୍ଟ ହେଲେ । ୩ । ସେଠାରେ ପଥସବୁ ସୈନ୍ୟ ବିଭାଗରେ ପରିପୂର୍ଣ୍ଣ ହେଲା । ନିମ୍ନ ମନର ପଥସବୁ ଗୂଢ଼ଭାବରେ ଶାଲ୍ୱଶିବିରଦ୍ୱାରା ଅବରୁଦ୍ଧ ହେଲା । ୪ । ହେ ନରେନ୍ଦ୍ର । ଶାଲ୍ୱରାଜା ସର୍ବବୁଦ୍ଧିଯୁକ୍ତ, ସର୍ବଶାସ୍ତ୍ର ବିଶାରଦ, ରଥୀ, ହସ୍ତୀ ଓ ଅଶ୍ୱଗଣରେ ସଂଯୁକ୍ତ, ପଦାତି ଓ ଧ୍ୱଜଦ୍ୱାରା ସଙ୍କୁଳିତ, ବିଚିତ୍ର ଧ୍ୱଜ କାମୁକ, ଶର ଓ କବଚରେ ବିଭୂଷିତ । ତୃଷ୍ଟହୃଦୟ ଓ ପୁଷ୍ଟ ଦେହ ଯୋଦ୍ଧାଯୁକ୍ତ ଓ ବୀରଲକ୍ଷଣଯୁକ୍ତ ସୈନ୍ୟମାନଙ୍କୁ ଦ୍ୱାରକାପୁରରେ ସନ୍ନିବିଷ୍ଟ କରି ପକ୍ଷୀନ୍ଦ୍ର ଗରୁଡ଼ ପ୍ରାୟ ଦେଖୁ ଦେଖୁ ନଗର ନିକଟକୁ ଚାଳନା କରି ଆଣିଲେ । ୭ । ଶାଲ୍ୱପତିର ସୈନ୍ୟମାନଙ୍କୁ ଆପତିତ ହେବାର ଦେଖି ଯଦୁକୁମାରମାନେ ଯୁଦ୍ଧ କରିବାକୁ ଆରମ୍ଭ କଲେ । ୮ ।

 

ହେ କୁରୁନନ୍ଦନ ! ମହାରଥ ଚାରୁଦେଷ୍ଣ, ଶାମ୍ବ ଓ ପ୍ରଦ୍ୟୁମ୍ନ ଏମାନେ ଶାଲ୍ୱରାଜାଙ୍କର ଆକ୍ରମଣ ସହ୍ୟ କରିନପାରି ବିଚିତ୍ରାଭରଣ ଓ ବଦ୍ଧସନ୍ନାହ ହୋଇ, ବିଚିତ୍ର ଧ୍ୱଜଭୂଷିତ ରଥରେ ଆରୋହଣ କରି ଶାଲ୍ୱରାଜାଙ୍କର ପ୍ରଧାନ ପ୍ରଧାନ ଯୋଦ୍ଧାମାନଙ୍କ ସହିତ ଯୁଦ୍ଧ କରିବାରେ ପ୍ରବୃତ୍ତ ହେଲେ । ୧୦ । ମଦୀୟ ପୁତ୍ର ଶାମ୍ବ କାର୍ମୁକ ଗ୍ରହଣ କରି ଅତି ହୃଷ୍ଟମନରେ ଶାଲ୍ୱର କ୍ଷେମବୃଦ୍ଧି ନାମକ ସେନାପତିର ଜଣେ ଆତ୍ମୀୟ ସହିତ ଯୁଦ୍ଧ ଆରମ୍ଭ କଲେ । ୧୧ । ହେ ଭାରତ ! ଜାମ୍ବବତୀସୁତ କେହି କ୍ଷେମବୃଦ୍ଧି ପ୍ରତି ଇନ୍ଦ୍ର ଜଳଦ୍ୱାରା ବର୍ଷିବା ପରି ମହତ୍ ବାଣଧାରା ବର୍ଷଣ କଲେ । ହେ ମହାରାଜ ! ଚମୂପତି କ୍ଷେମବୃଦ୍ଧି ଶାମ୍ବର ସେହି ତୁମଳ ବାଣ ବୃଷ୍ଟିକୁ ଅଚଳ ହିମାଳୟ ପ୍ରାୟ ସହ୍ୟକରି ଅବଶେଷରେ ସ୍ୱୟଂ ମାୟାବିହିତ ମହତ୍ତର ଶରଜାଲ ବିମୋଚନ କରିବାକୁ ଆରମ୍ଭ କଲା । ୧୪ । ଅନନ୍ତର ଶାମ୍ବ ନିଜ ମାୟାଦ୍ୱାରା ସେ ମାୟାମୟ ଶରଜାଲ ବିଦୀର୍ଣ୍ଣକରି ତାହାର ରଥ ଉପରେ ସହସ୍ର ଶର ନିକ୍ଷେପ କଲେ । ୧୫ । ଚମୂପତି କ୍ଷେମବୃଦ୍ଧି ଶାମ୍ବ ଶରରେ ବିଦ୍ଧ ଓ ଅତିମାତ୍ର ପୀଡିତ ହୋଇ ଦ୍ରୁତଗାମୀ ଅଶ୍ୱରେ ଆରୋହଣ କରି ସମରଭୂମିରୁ ପଳାୟନ କଲ । ୧୬ ।

 

ହେ ରାଜେନ୍ଦ୍ର ! କ୍ରୂରାତ୍ମା କ୍ଷେମବୃଦ୍ଧି ପଳାୟନ କଲା ପରେ ଆଉଜଣେ ବଳବାନ ଦୈତ୍ୟ ଆମ୍ଭ ପୁତ୍ର ଶାମ୍ବର ଅଭିମୁଖ ହୋଇଆସିଲା । ବୃଷ୍ଣି କୁଳୋଦ୍ଭବ, ସତ୍ୟବିକ୍ରମ, ବୀରକେଶରୀ ଶାମ୍ବ ତାହାର ସମ୍ମୁଖ ହୋଇ ବେଗ ସହ୍ୟକରି ସତ୍ୱର ଗୋଟିଏ ବେଗବତୀ ଗଦାକୁ ବୁଲାଇ ତାହା ଉପରକୁ ନିକ୍ଷେପ କଲା । ହେ ମହାରାଜ ! ସେହି ବେଗବାନ୍ ଦୈତ୍ୟ ବାତାହତ ଓ ଜୀର୍ଣ୍ଣମୂଳ ବୃକ୍ଷ ପ୍ରାୟ ଭୂମିରେ ନିପତିତ ହେଲା । ସେହି ମହାସୁର ବୀର ଗଦାବିଦ୍ଧ ହୋଇ ନିହତ ହୁଅନ୍ତେ, ଆମ୍ଭର ସୁତ ସେନା ମଧ୍ୟରେ ପ୍ରବିଷ୍ଟ ହୋଇ ଯୁଦ୍ଧ କଲେ । ୨୧ । ହେ ମହର୍ଷି ! ସବୁ ସମୟରେ ବିବନ୍ଧା ନାମକ ମହା ଧନୁର୍ଦ୍ଧର ବିଖ୍ୟାତ ଗୋଟିଏ ଦାନବ ଆମ୍ଭର ପୁତ୍ର ଗୁରୁଦେଷ୍ଣଙ୍କ ସହିତ ଯୁଦ୍ଧରେ ପ୍ରବୃତ୍ତ ହେଲା । ଅନନ୍ତର ପୂର୍ବକାଳରେ ବୃତ୍ତ୍ୱାସୁରଙ୍କ ସହିତ ଇନ୍ଦ୍ରଙ୍କର ଯେପରି ସଂଗ୍ରାମ ହୋଇଥିଲା, ସେହିପରି ବିବନ୍ଧାର ଗୁରୁଦେଷ୍ଣଙ୍କ ସହିତ ମହାନ ଯୁଦ୍ଧ ଉପସ୍ଥିତ ହେଲା । ୨୩ । ସେ ଦୁହେଁ ମହାବଳ ପରାକ୍ରାନ୍ତ, ସୁତରାଂ ପରସ୍ପର ପରସ୍ପର ପ୍ରତି କ୍ରୁଦ୍ଧ ହୋଇ ସିଂହ ସଦୃଶ ତର୍ଜନ ଗର୍ଜନ କରି ଶରସମୂହଦ୍ୱାରା ଆଘାତ କଲେ । ୨୪ । ଅନନ୍ତର ମହାରଥ ରୁକ୍କିଣୀନନ୍ଦନ ଚାରୁଦେଷ୍ଣ କ୍ରୋଧରେ ଅଧୀର ହୋଇ ଅଗ୍ନି ଓ ସୂର୍ଯ୍ୟସମ ତେଜୋଯୁକ୍ତ ଶତ୍ରୁନାଶନ ଗୋଟିଏ ବାଣକୁ ଅଭିମନ୍ତ୍ରିତ କରି, ମହା ଶରାସନରେ ବସାଇ, ଲକ୍ଷ୍ୟ କରି, ବିବନ୍ଧ୍ୟକୁ ଡାକି ତାହା ପ୍ରତି ନିକ୍ଷେପ କରନ୍ତେ, ସେ ପ୍ରାଣଚ୍ୟୁତ ହୋଇ ଭୂମିରେ ନିପତିତ ହେଲା । ୨୬ । ବିବନ୍ଧ୍ୟକୁ ନିପତିତ ହେବାର ଓ ତଦୀୟ ସୈନ୍ୟମାନଙ୍କୁ ଇତସ୍ତତଃ ସଞ୍ଚରିତ ହେବାର ଦେଖି, ଶାଲ୍ୱ କ୍ରୁଦ୍ଧ ହୋଇ କାମଗାମୀ ସୌଭନାମକ ରଥରେ ଆରୋହଣ କରି ସଂଗ୍ରାମ ସ୍ଥଳରେ ଉପସ୍ଥିତ ହେଲା । ୨୭ ।

 

ହେ ମହାବାହୋ ! ମହାରାଜ ! ଦ୍ୱାରକାବାସୀ ସୈନ୍ୟମାନେ ଶାଲ୍ୱକୁ ସୌଭରେ ବସିବାର ଦେଖି ଭୟରେ ବିତ୍ରସ୍ତ ହେଲେ । ଅନନ୍ତର ଆମ୍ଭର ପୁତ୍ର ପ୍ରଦ୍ୟୁମ୍ନ ବହିର୍ଗମନ କରି ଆନର୍ତ୍ତବାସୀ ସୈନ୍ୟମାନଙ୍କୁ ଆଶ୍ୱାସ ପ୍ରଦାନ କରି କହିଲେ, ତୁମ୍ଭେମାନେ ସମସ୍ତେ ଉପସ୍ଥିତ ହୋଇ ଦେଖ, ଅଦ୍ୟ ଆମ୍ଭେ ସଂଗ୍ରାମରେ ବଳପୂର୍ବକ ଶାଲ୍ୱ ସହିତ ସୌଭକୁ ନିବାରଣ କରିବୁ । ୩୦ । ହେ ଯାଦବମାନେ ! ଦେଖ, ଅଦ୍ୟ ଆମ୍ଭେ ଲୌହଭୁଜଙ୍ଗୋପମ ଆମ୍ଭ ଭୁଜମୁକ୍ତ ଶରସମୂହଦ୍ୱାରା ସୌଭପତିର ସୈନ୍ୟମାନଙ୍କୁ ବିନଷ୍ଟ କରିବୁ । ତୁମ୍ଭେମାନେ ଉତ୍ସାହଯୁକ୍ତ ହୁଅ । ଭୟ କରନାହିଁ । ସୌଭରାଜ ଆଜି ବିନଷ୍ଟ ହେବ । ଏହା ଦୁଷ୍ଟାତ୍ମା ଯେତେବେଳେ ସମରରେ ଆମ୍ଭ ସମ୍ମୁଖୀନ ହୋଇଅଛି, ସେତେବେଳେ ସେ ଅବଶ୍ୟ କାଳଗ୍ରାସରେ ପତିତ ହେବ । ୩୨ । ହେ ପାଣ୍ଡୁନନ୍ଦନ ! ପ୍ରଦ୍ୟୁମ୍ନଙ୍କର ଏପରି ବାକ୍ୟ ଶୁଣି ଦ୍ୱାରକାବାସୀ ସେନାବଳ ସହୃଷ୍ଟ ହୋଇ, ସ୍ଥିର ହୋଇ ରହି, ଯଥାସୁଖରେ ଯୁଦ୍ଧ କଲେ । ୩୩ ।

 

Unknown

॥ ଅଧ୍ୟାୟ – ୧୭ ॥

 

ବାସୁଦେବ ବୋଇଲେ, ହେ ଭାରତର୍ଷଭ ! ରୁକ୍ମିଣୀଙ୍କ ସୁତ ଏପରି ଯାଦବମାନଙ୍କୁ କହି, ଅଶ୍ୱସମୂହ ଯୋଜିତ, ବର୍ମାଚ୍ଛାଦିତ ସୁବର୍ଣ୍ଣମୟ ରଥରେ ଆରୋହଣ କରି, ଯମପ୍ରାୟ ମୁଖକୁ ବ୍ୟାଦାନ କରି, ଶତ୍ରୁସେନା ମଧ୍ୟରେ ପ୍ରବିଷ୍ଟ ହେଲେ । ତାଙ୍କ ରଥ ଏତେ ବେଗରେ ପତିତ ହେଲା ଯେ, ବୋଧହେଲା କି ସେ ରଥ ଗମନରେ ଉଡ୍ଡୀୟମାନ ହୋଇଅଛି । ୨ । ତଦନନ୍ତର ସେ ବୀର ଗୋଧାଚର୍ମନିର୍ମିତ ଅଙ୍ଗୁରିକ ପରିଧାନପୂର୍ବକ ତ୍ୱରା ଓ ଖଡ଼୍‌ଗଧାରଣ କରି, ବିଜୁଳି ପରି ପ୍ରଭାଶାଳୀ ମହାକମାଣ ଧରି ଟଙ୍କୃତ କରି, ଏକ ହସ୍ତରୁ ଅପର ହସ୍ତକୁ ବିହରଣକରି ଶତ୍ରୁପକ୍ଷୀୟ ସୈନ୍ୟମାନଙ୍କୁ ଧିକ୍‌କାରପୂର୍ବକ ସୌଭସ୍ଥିତ ସମସ୍ତ ଦୈତ୍ୟମାନଙ୍କୁ ମୋହିତ କଲେ । ୪ । ରଣରେ ଶତ୍ରୁମାନଙ୍କ ପ୍ରତି ସେ ଏପରି ଶୀଘ୍ର ଶର ସନ୍ଧାନ ଓ ନିକ୍ଷେପ କଲେ ଯେ, ତାହାର ବ୍ୟବଧାନ ଦୃଶ୍ୟ ହେଲା ନାହିଁ । ନିରନ୍ତର ବାଣ ବୃଷ୍ଟି ହେବାକୁ ଲାଗିଲା । ୫ । ଲୋକେ ଦେଖିଲେ ଯେ, ଏହାଙ୍କର ମୁଖର ବର୍ଣ୍ଣ ପରିବର୍ତ୍ତନ ହେଉ ନାହିଁ କି ଅଙ୍ଗମାନେ ବିଚଳିତ ହେଉନାହାନ୍ତି କେବଳ ତାହାଙ୍କର ସିଂହସଦୃଶ ବୃହତ୍ ଗର୍ଜନ ମୁଖରୁ ନିର୍ଗତ ହେଉଥାଏ । ରଥୋପରି ସୁବର୍ଣ୍ଣମୟ ଧ୍ୱଜର ଅଗ୍ରଭାଗସ୍ଥିତ ଭୟାନକ ରାଘବର ମୂର୍ତ୍ତି ଦେଖି ସମ୍ମୁଖବର୍ତ୍ତୀ ସୈନ୍ୟମାନେ ବିତ୍ରସ୍ତ ହେଲେ । ୭ । ତଦନନ୍ତର ହେ ନୃପାଳ ! ଶତ୍ରୁ ନାଶକାରୀ ପ୍ରଦ୍ୟୁମ୍ନ କଳହ ଉତ୍ପାଦନ ନିମିତ୍ତ ଶାଲ୍ୱରାଜାର ସମ୍ମୁଖକୁ ଶୀଘ୍ର ଉତ୍ପତନ କଲେ ।

 

ହେ କୁରୁବଂଶଶ୍ରେଷ୍ଠ ! ମହାରଣରେ ପ୍ରବୃତ୍ତ ପ୍ରଦ୍ୟୁମ୍ନର ବୀରତ୍ୱକୁ ଶାଲ୍ୱ ସହି ନ ପାରି ଅତିଶୟ କ୍ରୁଦ୍ଧ ହେଲା । ୯ । ରୋଷମଦରେ ମତ୍ତ ହୋଇ ପରପୁରଜୟୀ ଶାଲ୍ୱ କାମଗାମୀ ସୌଭରେ ଅବରୋହଣ କରି ପ୍ରଦ୍ୟୁମ୍ନଙ୍କ ସହିତ ଯୁଦ୍ଧ କଲା । ୧୦ । ଲୋକେ ଏକତ୍ର ହୋଇ ଦେଖିଲେ, ଇନ୍ଦ୍ରଙ୍କର ଦୈତ୍ୟରାଜ ବଳୀ ସହିତ ଯେପରି ଯୁଦ୍ଧ ହୋଇଥିଲା ସେହିପରି ଶାଲ୍ୱ ଓ ବୃଷ୍ଣିକୁଳପ୍ରସୂତ ପ୍ରଦ୍ୟୁମ୍ନ, ଏ ଦୁହିଁଙ୍କ ମଧ୍ୟରେ ବୃହତ୍ ଯୁଦ୍ଧ ଉପସ୍ଥିତ ହେଲା । ୧୧ । ହେ ପ୍ରଭୋ ! କୌରବ୍ୟ ! ମହାବଳବାନ ଶ୍ରୀସମ୍ପନ୍ନ ଶାଲ୍ୱର ଧ୍ୱଜ, ପତାକା ଓ ଅନୁକର୍ଷ ଓ ତୃଣଯୁକ୍ତ ହେମମଣ୍ଡିତ ମାୟାମୟ ରଥ ଥିଲା । ତହିଁରେ ଶାଲ୍ୱ ଅଧିରୋହଣ କରି ପ୍ରଦ୍ୟୁମ୍ନଙ୍କ ପ୍ରତି ଶରନିକର ବର୍ଷଣ କଲା-। ୧୩ । ପ୍ରଦ୍ୟୁମ୍ନ ମଧ୍ୟ ନିଜ ଭୁଜବେଗରେ ସତ୍ୱର ଏପରି ଶର ନିକ୍ଷେପ କଲେ ଯେ ଶାଲ୍ୱ ତହିଁରେ ବିମୁଗ୍ଧ ହେଲା । ୧୪ । ପ୍ରଦ୍ୟୁମ୍ନ ଶରରେ ଅଭିହିତ ହୋଇ ସୌଭପତି ତାହା ସହ୍ୟ ନ କରି ଅଗ୍ନିସମ ଦୀପ୍ତିଶାଳୀ ଶରମାନଙ୍କୁ ଆମ୍ଭ ପୁତ୍ରପ୍ରତି ନିକ୍ଷେପ କଲା । ୧୫ । ସେହି ଶରମାନଙ୍କୁ ଆସିବାର ଦେଖି ମହାବଳ ପ୍ରଦ୍ୟୁମ୍ନ ସେସବୁ ଛିନ୍ନ କଲେ । ଶାଲ୍ୱ ପୁନଶ୍ଚ ପ୍ରଦ୍ୟୁମ୍ନ ପ୍ରତି ପ୍ରତ୍ୟସ୍ତ୍ର ପ୍ରୟୋଗ କଲା । ଏହିପରି ପରସ୍ପର ଯୁଦ୍ଧ ଲାଗିଲା । ୧୬ ।

 

ହେ ରାଜେନ୍ଦ୍ର ! ରୁକ୍କିଣୀନନ୍ଦନ ଯୁଦ୍ଧରେ ଶାଲ୍ୱ ବାଣଦ୍ୱାରା ବିଦ୍ଧ ହୋଇ ମର୍ମଭେଦୀ ଶରକୁ ନିକ୍ଷେପ କଲା । ସେହି ଶର ଶାଲ୍ୱର କବଚକୁ ଭେଦକରି ହୃଦୟକୁ ଭେଦ କରିବାରୁ ଶାଲ୍ୱ ମୋହିତ ହୋଇ ଭୂମିରେ ନିପତିତ ହେଲା । ୧୮ । ବୀର ଶାଲ୍ୱରାଜ ଭୂମିରେ ପତିତ ହୋଇ ହତଚୈତନ୍ୟ ହୁଅନ୍ତେ ଦାନବେନ୍ଦ୍ରମାନେ ବସୁନ୍ଧରାକୁ ବିଦାରିତ କରି ଧାବିତ ହେଲେ । ୧୯ । ହେ ପୃଥିବୀପତେ-! ନଷ୍ଟଚେତନ ହୋଇ ଶାଲ୍ୱ ନିପତିତ ହୁଅନ୍ତେ, ତାହାର ସୈନ୍ୟ ମଧ୍ୟରେ ହାହାକାର ଉପସ୍ଥିତ ହେଲା । ୨୦ । କିନ୍ତୁ ମହାବଳ ଶାଲ୍ୱ ଶୀଘ୍ର ଚୈତନ୍ୟପ୍ରାପ୍ତ ହୋଇ ପ୍ରଦ୍ୟୁମ୍ନ ପ୍ରତି ଶରଜାଲ ପ୍ରୟୋଗ କଲା । ସମରରେ ସ୍ଥିତମହାବାହୁ ପ୍ରଦ୍ୟୁମ୍ନ ଶରଦ୍ୱାରା ଜତ୍ରୁଦେଶରେ ବିଦ୍ଧ ହୋଇ ରଥୋପରି ନିପତିତ ହେଲେ । ୨୨ । ରୁକ୍ମିଣୀନନ୍ଦନକୁ ତଦ୍ରୂପ ବିଦ୍ଧକରି ନରପତି ଶାଲ୍ୱ ଭୟାନକ ସିଂହସ୍ୱନଦ୍ୱାରା ପୃଥିବୀକୁ ପୂର୍ଣ୍ଣ କଲା । ୨୩ । ହେ ଭାରତ ! ଆମ୍ଭର ତନୟ ମୋହପ୍ରାପ୍ତ ହେବାରୁ ପୁନଶ୍ଚ ଶୀଘ୍ର ଅପର ଶରମାନଙ୍କୁ ନିକ୍ଷେପ କଲା । ୨୪ । ଏହିପରି ଅସହ୍ୟ ଶରସମୂହରେ ମୋହିତ ପ୍ରଦ୍ୟୁମ୍ନ ପୁନରାହତ ହୁଅନ୍ତେ ରଣକ୍ଷେତ୍ରରେ ନିଚେଷ୍ଟ ହୋଇପଡ଼ିଲେ । ୨୫ ।

 

॥ ଅଧ୍ୟାୟ – ୧୮ ॥

 

ବାସୁଦେବ ବୋଇଲେ– ବଳବାନ ଶ୍ରେଷ୍ଠ ପ୍ରଦ୍ୟୁମ୍ନ ଶାଲ୍ୱବାଣରେ ନିଚେଷ୍ଟ ହୋଇ ପତିତ ହୁଅନ୍ତେ, ବୃଷ୍ଣି ସେନାମାନେ ଭଗ୍ନସଂକଳ୍ପ ହୋଇ ଅତିଶୟ ଦୁଃଖିତ ହେଲେ । ୧ । ବୃଷ୍ଣି ଓ ଅନ୍ଧକ ସେନାମାନଙ୍କ ମଧ୍ୟରେ ହାହାକାର ଉପସ୍ଥିତ ହୁଅନ୍ତେ ଓ ଶତ୍ରୁମାନଙ୍କ ମଧ୍ୟରେ ହର୍ଷଜାତ ହୁଅନ୍ତେ, ସୁଶିକ୍ଷିତ ସାରଥି ସାତ୍ତ୍ୱକି ଶୀଘ୍ର ରଣସ୍ଥଳରୁ ରଥକୁ ଫେରାଇ ଘେନିଗଲା । ୩ । ଅତି ଅଳ୍ପ ଦୂର ଯିବା ପରେ ପ୍ରଦ୍ୟୁମ୍ନ ଚେତନା ପ୍ରାପ୍ତହୋଇ ହସ୍ତରେ ଧନୁ ଧାରଣ କରି ସାତ୍ତ୍ୱକିଙ୍କୁ ପଚାରିଲେ । ୪-। ହେ ସୂତପୁତ୍ର ! ତୁମ୍ଭେ କଅଣ କରୁଅଛ ? କି ହେତୁରୁ ତୁମ୍ଭେ ରଣରୁ ପରାଙ୍‍ମୁଖ ହୋଇ ଯାଉଅଛ ? ବୃଷ୍ଣି ବୀରମାନଙ୍କର ଯୁଦ୍ଧରେ ଏପରି ଧର୍ମ ନୁହେଁ । ୫ । ହେ ସୂତସୁନୋ ! ଏହି ମହାଯୁଦ୍ଧରେ ଶାଲ୍ୱଙ୍କୁ ଦେଖି ତୁମ୍ଭର କ’ଣ ମୋହ ଉପସ୍ଥିତ ହୋଇଅଛି ? ଏହି ରଣ ଦେଖି ତୁମ୍ଭେ କ’ଣ ବିଷଣ୍ଣ ହେଉଅଛ ? ସତ୍ୟ କହ । ୬ ।

 

ସାରଥି କହିଲେ, ହେ ଜନାର୍ଦ୍ଦନପୁତ୍ର ! ଆମ୍ଭର ମୋହ ବା ଭୟ ଉପସ୍ଥିତ ହୋଇ ନାହିଁ । ହେ କେଶବନନ୍ଦନ ! ଶାଲ୍ୱଙ୍କୁ ପରାଜୟ କରିବା ଆପଣଙ୍କ ପକ୍ଷରେ ଦୁଷ୍କର ବିବେଚନା କରୁଅଛୁଁ । ହେ ବୀର ! ପାପିଷ୍ଠ ଶାଲ୍ୱ ଆପଣଙ୍କ ଅପେକ୍ଷା ଅଧିକ ବଳଶାଳୀ । ରଣରେ ଯେବେ ରଥୀ ମୋହିତ ହୁଏ, ତେବେ ସାରଥିର କର୍ତ୍ତବ୍ୟ ଯେ, ସେ ରଥକୁ ରକ୍ଷା କରିବ । ୮ । ହେ ଆୟୁଷ୍ମାନ ! ତୁମ୍ଭର କର୍ତ୍ତବ୍ୟ ଯେ, ତୁମ୍ଭେ ସାରଥିକୁ ରକ୍ଷା କରିବ ଓ ଆମ୍ଭର ତୁମ୍ଭଙ୍କୁ ରକ୍ଷା କରିବା ବିଧେୟ । ଏହି ହେତୁରୁ ଆମ୍ଭେ ତୁମ୍ଭଙ୍କୁ ଫେରାଇ ଆଣିଅଛୁଁ । ୯ । ହେ ମହାବାହୋ ! ଆପଣ ଏକାକୀ ଓ ଦାନବମାନେ ଅସଂଖ୍ୟ, ଅତଏବ ଏହି ବିଷମ ରଣରୁ ଆମ୍ଭେ ତୁମ୍ଭ ରଥକୁ ଫେରାଇ ଆଣିଲୁ । ୧୦-

 

ବାସୁଦେବ ବୋଇଲେ, ହେ କୌରବ୍ୟ । ସାରଥିଙ୍କର ଏପରି ବଚନ ଶ୍ରବଣ କରି ମକରକେତୁର ରଥୀ କହିଲେ, ଫେରାଅ ଏ ରଥ । ୧୧ । ହେ ଦାରୁକାତ୍ମଜ ! ଏପରି ତୁମ୍ଭେ ଆଉ କଦାପି କରିବ ନାହିଁ । ମୋର ଜୀବନ ଥାଉଁ ଥାଉଁ ତୁମ୍ଭେ କଦାପି ରଣରୁ ମୋ ରଥକୁ ଫେରାଇବ ନାହିଁ । ଯେ ରଣକ୍ଷେତ୍ରକୁ ପରିତ୍ୟାଗ କରି ପଳାୟନ କରେ; ଯେ ନିପତିତ ବ୍ୟକ୍ତିଙ୍କୁ ନିହତ କରେ; ଯେଉଁ ବ୍ୟକ୍ତି କହେ ମୁଁ ତୁମ୍ଭର, ଏହା କହି ଶରଣାପନ୍ନ ହୁଏ, ତାହାକୁ ଯେ ନିହତ କରେ, ସ୍ତ୍ରୀ-ବାଳକ-ବୃଦ୍ଧକୁ ଯେ ବଧ କରେ, ତାହାକୁ ଜାଣିବ ଯେ ସେ ବୃଷ୍ଣିବଂଶରେ ଜନ୍ମ ହୋଇ ନାହିଁ । ୧୪-। ତୁମ୍ଭେ ସୂତ କୁଳରେ ଜନ୍ମି ଅଛ । ସାରଥି କାର୍ଯ୍ୟ ତୁମ୍ଭେ ଉତ୍ତମରୂପେ ଜାଣ । ବୃଷ୍ଣିବଂଶୀଙ୍କର ଯୁଦ୍ଧରେ ଯେଉଁ ଧର୍ମ, ତାହା ଅବଗତ ଅଛ । ସେନା ମଧ୍ୟରେ ବୃଷ୍ଣିଙ୍କର କି ଧର୍ମ, ତାହା ତୁମ୍ଭେ ଜାଣି ସୁଦ୍ଧା ରଣରୁ ଆମ୍ଭର ରଥକୁ ଫେରାଇଲ । ଆଉ ଯେପରି ତୁମ୍ଭେ ଆମ୍ଭ ଜୀବଦ୍ଦଶାରେ ଈଦୃଶ କାର୍ଯ୍ୟ ନ କର । ୧୬ । ଦୁରାଧର୍ଷ ଗଦାଗ୍ରଜ ମାଧବ ଶୁଣିବେ ଯେ ଆମ୍ଭେ ରଣରୁ ପଳାଇଲୁ, ପୃଷ୍ଠରେ ଆହତ ହେଲୁ ଓ ଯୁଦ୍ଧରେ ମୋହ ଗଲୁ; ଏହା ଶୁଣି ସେ କ’ଣ କହିବେ । ୧୭ । କେଶବଙ୍କର ଅଗ୍ରଜ ନୀଳାମ୍ବର ମଦୋତ୍କଟ ମହାବାହୁ ବଳଦେବ ଦେଖିଲେ କ’ଣ କହିବେ ? । ୧୮ । ଶିନିଙ୍କର ନପ୍ତା ମହାଧନୁର୍ଦ୍ଧର ସାତ୍ୟକି ଶୁଣିବେ ଯେ ଆମ୍ଭେ ରଣରୁ ପଳାଇଲୁ, ସେ କ’ଣ କହିବେ-? ଯୁଦ୍ଧଜୟୀ ଶାମ୍ବ କ’ଣ କହିବେ ? । ୧୯ । ହେ ସାରଥି ! ଦୁର୍ଦ୍ଧର୍ଷ ଚାରୁଦେଷ୍ଣୁ, ଗଦ, ସାରଣ, ମହାବାହୁ, ଅକ୍ରୂର, ଏମାନେ କ’ଣ କହିବେ ?୨୦ । ବୃଷ୍ଣିବଂଶୀୟ ବୀରା ପତ୍ନୀମାନେ ଆମ୍ଭଙ୍କୁ ଜାଣନ୍ତି ଯେ ଆମ୍ଭେ ଶୂର-ସମ୍ଭାବିତ, ଶାନ୍ତ ଓ ସର୍ବଦା ଶୂରାଭିମାନୀ; ବର୍ତ୍ତମାନ ସେମାନେ ଏକତ୍ର ହୋଇ ବା ଆମ୍ଭଙ୍କୁ କ’ଣ ନ କହିବେ ?୨୧ । ସେମାନେ କହିବେ, ହେଇ ଦେଖ ପ୍ରଦ୍ୟୁମ୍ନଙ୍କୁ, ସେ ମହାଯୁଦ୍ଧରେ ଭୀତ ହୋଇ ରଣତ୍ୟାଗ କରି ଆସୁଅଛନ୍ତି । ଏହାକୁ ଧିକ୍ ! ସେମାନେ ଆମ୍ଭଙ୍କୁ ଉତ୍ତମ ବୋଲି କହିବେ ନାହିଁ । ୨୨ ।

 

ହେ ସାରଥେ ! ପରିହାସରେ ସୁଦ୍ଧା ଯଦି କେହି ଆମ୍ଭଙ୍କୁ ଅଥବା ଆମ୍ଭ ସଦୃଶ ବ୍ୟକ୍ତିଙ୍କୁ ନିନ୍ଦା କରେ, ତେବେ ମରଣ ଅପେକ୍ଷା ସେ ନିନ୍ଦା ଗରିଷ୍ଠ ଅଟେ । ଅତଏବ ତୁମ୍ଭେ ପୁନର୍ବାର ଆମ୍ଭଙ୍କୁ ଯୁଦ୍ଧସ୍ଥଳରୁ ଫେରାଇ ଆଣିବ ନାହିଁ । ୨୩ । ମଧୁନିହନ୍ତା ହରି ଆମ୍ଭ ପ୍ରତି ଭାରାର୍ପଣ କରି ଭାରତସିଂହ ଯୁଧିଷ୍ଠିରଙ୍କ ରାଜସୂୟକୁ ଗମନ କରିଅଛନ୍ତି । ଅତଏବ ଆମ୍ଭେ କ୍ଷମା ଦେଇ ନ ପାରୁ । ୨୪ । ହେ ସୂତପୁତ୍ର ! ବିକୃତ ବର୍ମାଙ୍କୁ ଆମ୍ଭେ କହିଲୁ, ତୁମ୍ଭେ ଥାଅ, ଆମ୍ଭେ ରଣସ୍ଥଳକୁ ଗମନ କରୁଅଛୁ । ଏହା କହିବାରୁ ସେ ଆମ୍ଭଙ୍କୁ ଉପଯୁକ୍ତ ମନେକରି ନିବୃତ୍ତ ହେଲେ । ଏବେ ଆମ୍ଭେ ଯଦି ରଣ ପରିତ୍ୟାଗ କରୁ, ସେ ମହାରଥୀ ହୃଦିକାପୁତ୍ରଙ୍କ ସଙ୍ଗେ ସାକ୍ଷାତ୍ ହେଲେ ସେ କ’ଣ କହିବେ ?୨୬ । ଶଙ୍ଖ, ଚକ୍ର, ଗଦାଧାରୀ, ଦୁରାଧର୍ଷ ମହାଭୁଜ ପୁଣ୍ଡରୀକାକ୍ଷ ସମାଗତ ହେଲେ, ତାହାଙ୍କ ସମୀପରେ କ’ଣ କହିବୁଁ ?୨୭ । ସାତ୍ୟକି, ବଳଦେବ ଓ ଅନ୍ୟାନ୍ୟ ବୃଷ୍ଣିବଂଶୀୟ ଓ ଅନ୍ଧକବଂଶୀୟ ବୀରମାନେ ଯେ କି ଆମ୍ଭଙ୍କୁ ଘେନି ସ୍ପର୍ଦ୍ଧା କରନ୍ତି, ତାହାଙ୍କୁ ଆମ୍ଭେ କ’ଣ କହିବା ?୨୮ । ହେ ସୂତସୁତ ! ଆମ୍ଭେ ବିବଶ ହୋଇଥିଲୁ ଓ ଶତ୍ରୁମାନେ ଆମ୍ଭର ପୃଷ୍ଠଭାଗରୁ ଶର ନିକ୍ଷେପ କରୁଥିଲେ ବୋଲି ଯଦି ତୁମ୍ଭେ ଆମ୍ଭଙ୍କୁ ରଣରୁ ଘେନି ଆସିଲ, ତେବେ ଅଦ୍ୟ ଆମ୍ଭେ କଦାପି ଜୀବନ ରଖିବୁ ନାହିଁ । ୨୯ । ହେ ଦାରୁକନନ୍ଦନ ପୁନର୍ବାର ରଥ ଘେନି ଚାଲ । ଆପତ୍କାଳରେ ସୁଦ୍ଧା ତୁମ୍ଭେ କଦାପି ଏପରି କାର୍ଯ୍ୟ କରିବ ନାହିଁ । ୩୦ ।

 

ହେ ସୂତପୁତ୍ର ! ଆମ୍ଭେ ଭୀତ ହୋଇ ରଣରେ ଅପସୃତ ହେଲୁ ଓ ପୃଷ୍ଠଭାଗରେ ଶତ୍ରୁମାନେ ଆମ୍ଭ ପ୍ରତି ଶର ନିକ୍ଷେପ କଲେ, ଏଥିରେ ଆମ୍ଭେ ଜୀବନକୁ ଅଧିକ ଜ୍ଞାନ କରୁ ନାହୁଁ । ହେ ସୂତପୁତ୍ର ! ତୁମ୍ଭେ କଦାପି ଜାଣିବ ନାହିଁ ଯେ, ଆମ୍ଭେ ରଣରେ ଭୀତ ହୋଇଅଛୁଁ । କାପୁରୁଷ ପ୍ରାୟ ଆମ୍ଭଙ୍କୁ କଦାପି ରଣରୁ ଫେରାଇବ ନାହିଁ । ୩୨ । ହେ ଦାରୁକ ପୁତ୍ର, ଆମ୍ଭର ଯୁଦ୍ଧ ଇଚ୍ଛା ଥାଉ ଥାଉ ରଣକ୍ଷେତ୍ରକୁ ତ୍ୟାଗ କରିବା ତୁମ୍ଭର କଦାପି କର୍ତ୍ତବ୍ୟ ନ ଥିଲା । ଯାହାହେଉ, ଏବେ ଶୀଘ୍ର ଯୁଦ୍ଧ ସ୍ଥଳକୁ ଚାଲ । ୩୩ ।

 

॥ ଅଧ୍ୟାୟ – ୧୯ ॥

 

ବାସୁଦେବ ବୋଇଲେ, ହେ କୁନ୍ତୀସୁତ ! ଏହା ଶୁଣି ସୂତପୁତ୍ର ମଧୁର ବଚନରେ ବଳବାନ ଶ୍ରେଷ୍ଠ ପ୍ରଦ୍ୟୁମ୍ନକୁ କହିଲେ । ୧ । ହେ ରୁକ୍ମିଣୀନନ୍ଦନ ! ସଂଗ୍ରାମରେ ଅଶ୍ୱ ଚଳାଇବା ନିମିତ୍ତ ଆମ୍ଭର କିଛିମାତ୍ର ଭୟ ନାହିଁ ଓ ବୃଷ୍ଣିବୀରମାନଙ୍କ ଯୁଦ୍ଧପ୍ରଥା ଆମ୍ଭଙ୍କୁ ସବୁ ପ୍ରକାରେ ବିଦିତ ଅଛି, ଏଥିରେ କିଛିମାତ୍ର ଅନ୍ୟଥା ନାହିଁ । କିନ୍ତୁ ହେ ଆୟୁଷ୍ମାନ୍‌ ! ସାରଥିର କର୍ତ୍ତବ୍ୟ ଯେ ରଥୀକୁ ସବୁପ୍ରକାରେ ରକ୍ଷା କରିବ । ଏହି ଉପଦେଶ ସ୍ମରଣ କରି ଦେଖଲୁ ଯେ, ଆପଣ ଅତିଶୟ ପୀଡ଼ିତ ହୋଇଅଛନ୍ତି-। ୩ । ଅପିଚ ଶାଲ୍ୱ ଆପଣଙ୍କୁ ତଦବସ୍ଥ ଦେଖି ଆହୁରି ଶର ନିକ୍ଷେପ କରୁଅଛି । ଏହି ମୁଗ୍‌ଧାବସ୍ଥାରେ ଆପଣଙ୍କୁ ଦେଖି ରଥ ଫେରାଇ ଆଣିଅଛୁଁ । ୪ । ହେ କେଶବନନ୍ଦନ ! ସାତ୍ତ୍ୱତପ୍ରଧାନ ! ଏବେ ଆପଣ ଇଚ୍ଛାନୁରୂପ ସଂଜ୍ଞା ଲାଭ କରିଅଛନ୍ତି । ଅଶ୍ୱ ପରିଚାଳନାରେ ଆମ୍ଭର କିପରି ନିପୁଣତା ଅଛି ଦର୍ଶନ କରିବା ହେଉନ୍ତୁ । ୫ । ଆମ୍ଭେ ଦାରୁକଙ୍କ ଠାରେ ଜନ୍ମଗ୍ରହଣ କରିଅଛୁଁ । ସାରଥି କର୍ମରେ ଯଥାବତ୍ ଶିକ୍ଷିତ ହୋଇଅଛୁଁ । ଶାଲ୍ୱର ଏହି ବିଖ୍ୟାତ ସେନା ମଧ୍ୟରେ ପ୍ରବେଶ କରିବାକୁ କିଛିମାତ୍ର ଭୀତ ନୋହୁଁ । ୬ ।

 

ବାସୁଦେବ ବୋଇଲେ, ହେ ବୀର ! ସାରଥି ଏହା କହି ରଶ୍ମିଦ୍ୱାରା ଅଶ୍ୱମାନଙ୍କୁ ସଂଯତ ଓ ସମୁଦ୍ୟତ କରି ବେଗରେ ଯୁଦ୍ଧକ୍ଷେତ୍ରକୁ ଗମନ କଲେ । ୭ । ରଥବାହକ ଉତ୍କୃଷ୍ଟ ଅଶ୍ୱମାନଙ୍କୁ ଯୋଜିତ କରିଥିଲେ । କଷାୟଦ୍ୱାରା ସେମାନଙ୍କୁ ସ୍ପର୍ଶ କଲାକ୍ଷଣି ଓ ରଶ୍ମି ଉଦ୍ୟତ କଲାକ୍ଷଣି ସେହି ଅଶ୍ୱମାନେ ଶିକ୍ଷାକୌଶଳ ଦେଖାଇ, ବିଚିତ୍ର ମଣ୍ଡଳାକାର ବାମାବର୍ତ୍ତ ଓ ଦକ୍ଷିଣାବର୍ତ୍ତ ଗତିମାନଙ୍କୁ ପ୍ରଦର୍ଶନ କରି, ସାରଥିର ଲଘୁହସ୍ତତା ଜାଣିପାରି ଆକାଶରେ ଗମନ କଲା ପରି ଗମନ କଲେ । ଗୋବିନ୍ଦ ! ଭୂମିରେ ସେ ଅଶ୍ୱମାନଙ୍କର ପାଦ ସ୍ପର୍ଶ କଲା କି ନ କଲା, ଏପରି ସେ ଅଶ୍ୱମାନେ ଗତି କଲେ । ୧୦ । ଶାଲ୍ୱର ସେନାକୁ ପୁରୁଷଶ୍ରେଷ୍ଠ ସେହି ସାରଥି ପ୍ରଦକ୍ଷିଣ କରି ଏପରି କୌଶଳରେ ସେହି ସେନାକୁ ବାମ ଭାଗରେ ରଖିଲେ ଯେ, ସେ କାର୍ଯ୍ୟକୁ ସମସ୍ତେ ଅଦ୍ଭୁତ ମଣିଲେ । ୧୧ । ସୌଭପତି ଶାଲ୍ୱ ସାରଥିର କୌଶଳ ସହ୍ୟ କରିନପାରି ତାହା ପ୍ରତି ତିନିଗୋଟି ଶର ନିକ୍ଷେପ କଲେ । ୧୨ । ଦାରୁକଙ୍କ ପୁତ୍ର ସେହି ବାଣବେଗକୁ ତୁଚ୍ଛ କରି ପୁନର୍ବାର ପୂର୍ବ ପରି ପ୍ରଦକ୍ଷିଣ ଗତି କଲେ । ୧୩ ।

 

ଅନନ୍ତର ଶାଲ୍ୱ ପୁନର୍ବାର ପ୍ରଦ୍ୟୁମ୍ନଙ୍କ ପ୍ରତି ବହୁବିଧ ଶର ନିକ୍ଷେପ କଲେ । ଶତ୍ରୁହନ୍ତା ବୀର ପ୍ରଦ୍ୟୁମ୍ନ ଈଷତ୍‌ହାସ୍ୟ କରି, ଲଘୁହସ୍ତତା ପ୍ରଦର୍ଶନ କରି, ଶାଲ୍ୱର ଶରନିକର ସବୁକୁ ବ୍ୟର୍ଥ କଲେ । ପ୍ରଦ୍ୟୁମ୍ନକର୍ତ୍ତୃକ ସେହି ବାଣ ସବୁ ଛିନ୍ନ ହେବାର ଦେଖି ଶାଲ୍ୱ ଦାରୁଣ ଆସୁରୀ ମାୟାକୁ ଅବଲମ୍ବନ କଲା ଓ ପ୍ରଦ୍ୟୁମ୍ନଙ୍କ ପ୍ରତି ବହୁବିଧ ବାଣ ବର୍ଷଣ କଲା । ୧୬ । ଶାଲ୍ୱନିକ୍ଷିପ୍ତ ଆସୁରୀ ବାଣମାନଙ୍କୁ ମଧ୍ୟପଥରେ ପ୍ରଦ୍ୟୁମ୍ନ ବ୍ରହ୍ମାସ୍ତ୍ରଦ୍ୱାରା ଛେଦନ କଲେ ଓ ଅନ୍ୟାନ୍ୟ ନୂତନ ବାଣମାନଙ୍କୁ ଶାଲ୍ୱପ୍ରତି ବିମୋଚନ କଲେ । ପ୍ରଦ୍ୟୁମ୍ନଙ୍କ ରୁଧିରାଶି ବାଣମାନେ ଶାଲ୍ୱଙ୍କର ଅସ୍ତ୍ରମାନଙ୍କୁ ଛେଦନ କରି ତାହାଙ୍କର ମସ୍ତକକୁ, ବକ୍ଷସ୍ଥଳକୁ ଓ ମୁଖକୁ ଭେଦ କରନ୍ତେ ଶାଲ୍ୱ ମୋହିତ ହୋଇ ନିପତିତ ହେଲା । ୧୮ । ବାଣଦ୍ୱାରା ପୀଡ଼ିତ ହୋଇ ଶାଲ୍ୱ ପତିତ ହୁଅନ୍ତେ, ରୁକ୍କିଣୀକୁମାର ପ୍ରଦ୍ୟୁମ୍ନ ଶତ୍ରୁବିନାଶକାରୀ ଅପର ଶରମାନଙ୍କୁ ସନ୍ଧାନ କଲେ । ୧୯ । ଦଶାର୍ହ ବଂଶୀୟମାନଙ୍କର ପୂଜନୀୟ, ଅଗ୍ନିସଦୃଶ ଜ୍ୱଳନୀୟ ଓ ଆଶୀବିଷ ସମ ଭୟଙ୍କର ସେହି ବାଣକୁ ଶରାସନରେ ସଂଯୁକ୍ତ ହେବାର ଦେଖି ଆକାଶରେ ହାହା ଶବ୍ଦ ଉତ୍‌ଥିତ ହେଲା । ୨୦ । ଅନନ୍ତର ଇନ୍ଦ୍ର ଓ କୁବେର ପ୍ରଭୃତି ଦେବତାମାନେ ସମବେତ ହୋଇ ନାରଦଙ୍କୁ ଓ ମନଃସଦୃଶ ବେଗଗାମୀ ପବନକୁ ପ୍ରଦ୍ୟୁମ୍ନଙ୍କ ନିକଟକୁ ପ୍ରେରଣ କଲେ । ୨୧ । ସେ ଦୁହେଁ ପ୍ରଦ୍ୟୁମ୍ନଙ୍କ ନିକଟକୁ ଆସି ଦେବତାମାନଙ୍କର ଅଭିପ୍ରାୟ ବ୍ୟକ୍ତ କଲେ । ୨୧ ।

 

ସେ କହିଲେ, ହେ ବୀର ! ଏହି ଶାଲ୍ୱରାଜା କୌଣସି ପ୍ରକାରେ ତୁମ୍ଭର ବଧ୍ୟ ନୁହେ । ପରନ୍ତୁ ତୁମ୍ଭେ ବର୍ତ୍ତମାନ ଯେଉଁ ଶରକୁ ଯୋଖିଅଛ, କୌଣସି ବ୍ୟକ୍ତି ତହିଁରେ ଅବଧ୍ୟ ନୁହେ । ଦେବକୀନନ୍ଦନ କୃଷ୍ଣଙ୍କୁ ବିଧାତା ଶାଲ୍ୱର ମୃତ୍ୟୁସ୍ୱରୂପ ନିର୍ଦ୍ଦେଶନ କରିଅଛନ୍ତି; ଅତଏବ ତାହା ମିଥ୍ୟା ନ ହେଉ । ଏହି ହେତୁରୁ ଶାଲ୍ୱକୁ ବଧ କରିବା ତୁମ୍ଭର କର୍ତ୍ତବ୍ୟ ନୁହେ । ପୁନର୍ବାର ବାଣକୁ ସଂହାର କର । ରଣରେ ଶାଲ୍ୱ ତୁମ୍ଭର ବଧ୍ୟ ନୁହେ । ପ୍ରଦ୍ୟୁମ୍ନ ଏହି ବାକ୍ୟ ଶ୍ରବଣ କରି ହୃଷ୍ଟ ହୋଇ ତତ୍‌କ୍ଷଣାତ ସେହି ଉତ୍କୃଷ୍ଟ ଶରକୁ ଧନୁରୁ ଉପସଂହାର କରି ତୃଣ ମଧ୍ୟରେ ନିବିଷ୍ଟ କଲେ । ୨୫ । ହେ ରାଜେନ୍ଦ୍ର ! ତଦନନ୍ତର ଶାଲ୍ୱ ଉତ୍‌ଥାନ କରି ଅତିଶୟ ଦୁର୍ମନା ଓ ପ୍ରଦ୍ୟୁମ୍ନ ଶରରେ ପୀଡ଼ିତ ହୋଇ ସେନାସହ ପଶ୍ଚାତ୍ ଗମନ କଲେ । ୨୬ । ହେ ରାଜେନ୍ଦ୍ର ! ଏହି ପ୍ରକାରେ ବୃଷ୍ଣିକମାନଙ୍କଦ୍ୱାରା ପରାସ୍ତ ହୋଇ କ୍ରୂର ସ୍ୱଭାବ ଶାଲ୍ୱ ସୌଭଯାନରେ ଆରୋହଣ କରି ଦ୍ୱାରକାକୁ ତ୍ୟାଗପୂର୍ବକ ଆକାଶପଥରେ ଗମନ କଲେ । ୨୭ ।

 

॥ ଅଧ୍ୟାୟ – ୨୦ ॥

 

ବାସୁଦେବ କହିଲେ– ହେ ନୃପତେ ! ଏହିରୂପେ ଯେତେବେଳେ ଦୈତ୍ୟମାନଙ୍କଠାରୁ ଆନତ୍ତ ନଗର ମୁକ୍ତ ହେଲା ତେତେବେଳେ ଆପଣଙ୍କ ରାଜସୂୟ ଯଜ୍ଞ ଅବସନ୍ନ ହୁଅନ୍ତେ ଆମ୍ଭେ ସେଠାକୁ ଗମନ କଲୁ । ୧ । ଦେଖିଲୁ, ଦ୍ୱାରକାର ଆଉ ପୂର୍ବ ପ୍ରଭା ନାହିଁ । ଦ୍ୱାରକା ନଗରରେ ଆଉ ବେଦ ଅଧ୍ୟୟନ ହେଉ ନାହିଁ । ଯଜ୍ଞ କର୍ମ ରହିତ ହୋଇଅଛି । ନାରୀମାନଙ୍କର ପୂର୍ବ ପରି ବେଶଭୂଷା ନାହିଁ । ଉପବନସବୁ ଏପରି ଦୁର୍ଦ୍ଦଶାପନ୍ନ ହୋଇଅଛି ଯେ, ସେମାନଙ୍କୁ ଚିହ୍ନି ହେଉ ନାହିଁ-। ଏହା ଦେଖି ଆମ୍ଭେ ଶଙ୍କାକରି ହୃଦିକ ପୁତ୍ରଙ୍କୁ ପଚାରିଲୁ । ୩ । ହେ ନରଶାର୍ଦ୍ଦୂଳ-! ଏହି ବୃଷ୍ଣିପୁରରେ ଲୋକେ କି ନିମିତ୍ତ ଅତ୍ୟନ୍ତ ଅସୁସ୍ଥ ହୋଇଅଛନ୍ତି ? ଏହାର କାରଣ ଆମ୍ଭେ ସବିଶେଷ ଶୁଣିବାକୁ ଇଚ୍ଛା କରୁଅଛୁ । ୪ । ହେ ରାଜସତ୍ତମ ! ତାହା ଶୁଣି ହର୍ଦ୍ଦକ୍ୟ ବିସ୍ତାରପୂର୍ବକ ଆମ୍ଭମାନଙ୍କୁ ଉକ୍ତ ବୃତ୍ତାନ୍ତ କହିଲେ, ଯେପରି ଶାଲ୍ୱ ଅବରୋଧ କରିଥିଲା ଓ ଯେପରିକି ଆନର୍ତ୍ତ ନଗର ମୁକ୍ତ ହେଲା ସବୁ କହିଲେ । ୫ ।

 

ହେ ଭରତଶ୍ରେଷ୍ଠ ! ତଦନନ୍ତର ଆମ୍ଭେ ସେହି ବୃତ୍ତାନ୍ତ ଶ୍ରବଣ କରି ଶାଲ୍ୱରାଜାଙ୍କୁ ବଧ କରିବା ନିମିତ୍ତ ସେହିକ୍ଷଣି ସଂକଳ୍ପ କଲୁ । ୬ । ତତ୍‍ପରେ ହେ ଭରତଶ୍ରେଷ୍ଠ ! ଦ୍ୱାରକାସ୍ଥିତ ଜନମାନଙ୍କୁ ଆଶ୍ୱାସିତ କଲୁ । ରାଜା ଆହୁକଙ୍କୁ (ଉଗ୍ରେସନକୁ) ଓ ବସୁଦେବଙ୍କୁ ଆଶ୍ୱାସ ପ୍ରଦାନପୂର୍ବକ ସମୁଦାୟ ବୃଷ୍ଣି ବୀରମାନଙ୍କୁ ହର୍ଷାନ୍ୱିତ କରି କହିଲୁ, ହେ ଯାଦବଶ୍ରେଷ୍ଠଗଣ ! ତୁମ୍ଭେମାନେ ଶ୍ରବଣ କର । ଶାଲ୍ୱରାଜାଙ୍କୁ ବିନାଶ କରିବା ନିମିତ୍ତ ଆମ୍ଭେ ପ୍ରସ୍ଥାନ କଲୁ । ତୁମ୍ଭେମାନେ ସର୍ବଦା ସାବଧାନପୂର୍ବକ ନଗର ମଧ୍ୟରେ ବାସ କରିବ । ଆମ୍ଭେ ଦୁରାତ୍ମା ଶାଲ୍ୱକୁ ବିନାଶ ନ କରି ଦ୍ୱାରକାପୁରକୁ ଫେରିବୁ ନାହିଁ । ସୌଭନଗରୀ ସହିତ ଶାଲ୍ୱକୁ ବିନାଶ କରି ଆସି ତୁମ୍ଭମାନଙ୍କୁ ଦର୍ଶନ କରିବୁ । ସଂପ୍ରତି ତୁମ୍ଭେମାନେ ସେହି ଶତ୍ରୁର ଭୟଙ୍କର ଦୁନ୍ଦୁଭି ବାଦ୍ୟକୁ ତିନିଥର ବଜାଅ । ୧୦ । ହେ ନରଶ୍ରେଷ୍ଠ ଭରତର୍ଷଭ ! ସେହି ବୀରମାନେ ଆଶ୍ୱାସିତ ଓ ହୃଷ୍ଟ ହୋଇ ଆମ୍ଭଙ୍କୁ କହିଲେ, ଯାଅ ଓ ଶତ୍ରୁମାନଙ୍କୁ ବିନାଶ କର । ୧୧ ।

 

ହେ ନୃପ ! ସେହି ସନ୍ତୁଷ୍ଟମନା ବୀରବୃନ୍ଦଙ୍କଦ୍ୱାରା ଅଭିନନ୍ଦିତ ହୋଇ, ଦ୍ୱିଜଶ୍ରେଷ୍ଠଙ୍କଦ୍ୱାରା ମଙ୍ଗଳାଚରଣ କରାଇ, ମହାଦେବଙ୍କୁ ମସ୍ତକ ତଳେ ଲଗାଇ ନମସ୍କାର କରି, ଶୈବ୍ୟ ଓ ସୁଗ୍ରୀବ ଅଶ୍ୱଯୁକ୍ତ ରଥରେ ଆରୋହଣପୂର୍ବକ ଦଶ ଦିଗ ନିନାଦିତ କରି, କାଶୀଦେଶଜୟୀ ମହତୀ ଚତୁରଙ୍ଗ ସେନା ସମଭିବ୍ୟାହାରରେ ଯାତ୍ରା କଲୁ । ୧୪ । ଅନନ୍ତର ବହୁବିଧ ଦେଶ ଓ ବହୁତ ପାଦପମଣ୍ଡିତ ଗିରିମାନଙ୍କୁ, ସରୋବର ଓ ନଦୀମାନଙ୍କୁ ଅତିକ୍ରମ କରି ମାର୍ତ୍ତିକାନାମ ଦେଶରେ ଉପନୀତ ହେଲୁ । ୧୫ । ସେଠାରେ ଶ୍ରବଣ କଲୁ ଯେ ଶାଲ୍ୱରାଜ ସୌଭରେ ଆରୋହଣ କରି ସାଗର ନିକଟକୁ ଯାଇଥିଲା । ହେ ନରେନ୍ଦ୍ର ! ଆମ୍ଭେ ଏହି କଥା ଶୁଣିବାମାତ୍ରେ ତାହା ପଛେ ପଛେ ଗମନ କଲୁ । ୧୬ । ହେ ଶତ୍ରୁନାଶନ ! ତତ୍‍ପରେ ସେ ମହୋର୍ମିଶାଳୀ ସମୁଦ୍ରକୁ ଗମନ କରି ସୌଭ ଉପରେ ବସି ରହିଲା । ୧୭ । ହେ ଯୁଧିଷ୍ଠିର ! ସେ ଦୁଷ୍ଟାତ୍ମା ଦୂରରୁ ଆମ୍ଭଙ୍କୁ ଦେଖି ସହାସ୍ୟ ମୁଖରେ ଯୁଦ୍ଧ କରିବା ନିମିତ୍ତ ଆମ୍ଭଙ୍କୁ ଆହ୍ୱାନ କଲା । ୧୮ । ଶାର୍ଙ୍ଗ ଧନୁଦ୍ୱାରା ଯେତେକ ମର୍ମଭେଦୀ ଶର ଆମ୍ଭେ ନିକ୍ଷେପ କଲୁ, ଦୂରତ୍ୱ ହେତୁରୁ ସେସବୁ ନିଷ୍ଫଳ ହେଲା । ଏଣୁ କରି ଆମ୍ଭର ଅତିଶୟ କ୍ରୋଧ ଜାତ ହେଲା । ୧୯ । ହେ ନୃପ ! ସେ ଦୈତ୍ୟାଧମ ପାପସ୍ୱଭାବ ଶାଲ୍ୱ ମଧ୍ୟ ଆମ୍ଭ ପ୍ରତି ସହସ୍ର ସହସ୍ର ଶରଧାରା ବର୍ଷଣ କଲା । ୨୦ । ସେ ଶରଧାରା ଆମ୍ଭର ସେନା, ରଥ ଓ ଅଶ୍ୱମାନଙ୍କୁ ଆଚ୍ଛନ୍ନ କଲା-। କିନ୍ତୁ ହେ ଭରତ ! ଆମ୍ଭେମାନେ ତାହାର ଶରକୁ ଗ୍ରାହ୍ୟ ନ କରି ଯୁଦ୍ଧ କରିବାରେ ପ୍ରବୃତ୍ତ ହେଲୁ-। ୨୧ । ଶାଲ୍ୱର ଅନୁଗାମୀ ଅସୁର ପଦାତି ସେନା ମଧ୍ୟ ଯୁଦ୍ଧରେ ଆମ୍ଭ ପ୍ରତି ଶତ ସହସ୍ର ଶର ଏପରି ଭାବରେ ନିକ୍ଷେପ କଲେ ଯେ, ତଦ୍ଦ୍ୱାରା ଆମ୍ଭର ସେନା, ରଥ, ଅଶ୍ୱ ଓ ସାରଥି ସମସ୍ତେ ଆଚ୍ଛନ୍ନ ହୋଇପଡ଼ିଲେ । ୨୨ ।

 

ହେ କୁରୁବୀର ! ଆମ୍ଭର ଅଶ୍ୱମାନେ, ରଥ ଓ ସାରଥି ଦାରୁକ, ସୈନିକମାନେ ଓ ଆମ୍ଭେ ସ୍ୱୟଂ ଶରଧାରାରେ ଆଚ୍ଛନ୍ନ ହେବାରୁ ଦୃଶ୍ୟ ହେଲୁ ନାହିଁ । ୨୪ । ହେ କୌନ୍ତେୟ ! ସେହି କାଳରେ ଆମ୍ଭେ ମଧ୍ୟ ବହୁ ସହସ୍ର ବାଣକୁ ଅଲୌକିକ ବିଧିରେ ଶରାସନରେ ଅଭିମନ୍ତ୍ରିତ କରି ନିକ୍ଷେପ କଲୁ । ୨୫ । ହେ ଭାରତ ! ଶାଲ୍ୱର ସେହି ସୌଭପୁର ଆକାଶରେ ଏକ କ୍ରୋଶ ଦୂରରେ ଥିବାର ଆମ୍ଭ ସୈନିକ ପୁରୁଷମାନେ ତାହାକୁ ଦେଖି ପାରୁନଥିଲେ । ଏଥି ନିମନ୍ତେ ସେମାନେ କେବଳ ଦର୍ଶକର ରଙ୍ଗବାଟରେ ରହିଲା ପ୍ରାୟ ରହି, ସିଂହନାଦ କରି ମହାନ କରତଳ ଶବ୍ଦଦ୍ୱାରା ଆମ୍ଭଙ୍କୁ ହର୍ଷାନ୍ୱିତ କଲେ । ୨୭ । ଆମ୍ଭର କରାଗ୍ର ନିକ୍ଷିପ୍ତ ବିଚିତ୍ର ପୁଙ୍ଖ, ମନୋହର ଶରନିକର ଦାନବମାନଙ୍କ ଅଙ୍ଗରେ ଶଲଭକୁଳ ପ୍ରାୟ ପ୍ରବିଷ୍ଟ ହେଲେ । ସୁତୀକ୍ଷ୍‌ଣ ଶରରେ ଆହତ ହୋଇ ଦାନବମାନେ ସେହି ମହାସାଗର ଗର୍ଭରେ ନିପତିତ ହେଲେ । ସୌଭ ମଧ୍ୟରେ ମହାନ ହାହାକାର ଉପସ୍ଥିତ ହେଲା । ଭୁଜ ଓ କନ୍ଧମାନ ଛିନ୍ନ ହେବାରୁ ତତ୍ରସ୍ଥ ଦାନବମାନେ କବନ୍ଧ ସଦୃଶ ଦୃଶ୍ୟ ହୋଇ, ଭୟଙ୍କର ନିନାଦ କରି, ପତିତ ହେଲେ । ୩୦ । ସମୁଦ୍ରଜଳବାସୀ ଜନ୍ତୁମାନେ ସେହି ପତିତ ଦାନବମାନଙ୍କୁ ଭକ୍ଷଣ କଲେ । ତତ୍‍ପରେ ଗୋକ୍ଷୀର, କୁନ୍ଦପୁଷ୍ପ, ଚନ୍ଦ୍ର, ମୃଣାଳ ଓ ରଜତସଦୃଶ ଶୁକ୍ଳବର୍ଣ୍ଣ ପ୍ରଭାଯୁକ୍ତ ଆମ୍ଭର ପଞ୍ଚଜନ୍ୟ ଶଙ୍ଖଙ୍କୁ ଆମ୍ଭେ ପ୍ରାଣବାୟୁରେ ପରିପୂର୍ଣ୍ଣ କଲୁ । ସୌଭପତି ଶାଲ୍ୱ ଅସୁରମାନଙ୍କୁ ସମୁଦ୍ରରେ ନିପତିତ ହେବାର ଦେଖି ଆମ୍ଭ ସହିତ ମହାନ ମାୟାଯୁଦ୍ଧ ଆରମ୍ଭ କଲା । ତତ୍‍ପରେ ଗଦା, ହଳ, ପ୍ରାସ, ଶକ୍ତି, କୁଠାର, ଖଡ୍‌ଗ, ବଜ୍ର, ପାଶଋଷ୍ଟି, କଣପ୍‍, ଶର, ପଟ୍‌ଟୀଶ, ଭୁଷଣ୍ଡି ପ୍ରଭୃତି ଅସ୍ତ୍ରମାନେ ଆମ୍ଭ ପ୍ରତି ନିରନ୍ତର ନିକ୍ଷିପ୍ତ ହେଲେ । ୩୪ । ଆମ୍ଭେ ମଧ୍ୟ ସେହିପରି ମାୟାଦ୍ୱାରା ସେ ଅସ୍ତ୍ରମାନଙ୍କୁ ପ୍ରତିଗ୍ରହ କରି ବିନଷ୍ଟ କଲୁ । ଆସୁରୀମାୟା ବିନଷ୍ଟ ହେବାରୁ ସେ ଗିରିଶୃଙ୍ଗ ଘେନି ଯୁଦ୍ଧ କଲା । ୩୫ ।

 

ହେ ଭାରତ ! ତତ୍‍ପରେ ଏପରି ହେଲା ଯେ, କେତେବେଳେ ଅନ୍ଧକାର ହେଲା, କେତେବେଳେ ଆଲୋକ ହେଲା, କେତେବେଳେ ଦୁର୍ଦ୍ଦିନ ପ୍ରାୟ ହୋଇ ବୃଷ୍ଟି ହେଲା, କେତେବେଳେ ସୁଦିନ ହେଲା । ଶୀତ ହେଲା ପୁଣି ଗ୍ରୀଷ୍ମ ହେଲା । କେତେବେଳେ ଅଙ୍ଗାର, କେତେବେଳେ ପାଂଶୁବର୍ଷଣ ହେଲା । କେତେବେଳେ ଶସ୍ତ୍ର ବର୍ଷା ହେଲା । ଏହିପରି ଆମ୍ଭ ରିପୁ ଆମ୍ଭ ସହିତ ମାୟାଯୁଦ୍ଧ କଲା । ୩୭ । ସେହି ମାୟା ସବୁ ଅବଗତ ଥାଇ, ଆମ୍ଭେ ପ୍ରତିମାୟାଦ୍ୱାରା ସେ ଆସୁରୀମାୟାକୁ ବିନିଷ୍ଟ କଲୁ ଓ ଯଥାସମୟରେ ଯୁଦ୍ଧଦ୍ୱାରା ସର୍ବଦିଗକୁ ଶରନିକର ନିକ୍ଷେପ କଲୁ । ୩୮ । ତତ୍‍ପରେ ହେ ମହାରାଜ ! ଆକାଶରେ ଶତସୂର୍ଯ୍ୟ ଉଦିତ ହେଲେ । ହେ କୁନ୍ତୀସୁତ-! ଶତ ସଂଖ୍ୟକ ଚନ୍ଦ୍ର ଉଦିତ ହେଲେ ଓ ସହସ୍ର ସହସ୍ର ଅୟୁତ ଅୟୁତ ତାରାଗଣରେ ଆକାଶମଣ୍ଡଳ ଭୂଷିତ ହେଲା । ୩୯ । ତତ୍‍ପରେ ଏପରି ହେଲା ଯେ ଦିବା କି ରାତ୍ର ଅଥବା ଦିଗମାନେ କିଛି ଦୃଶ୍ୟ ହେଲେ ନାହିଁ । ଏଥିରେ ଆମ୍ଭେ ମୋହପ୍ରାପ୍ତ ହୋଇ ପ୍ରଜ୍ଞାସ୍ତ୍ରକୁ ଯୋଜିତ କଲୁ । ୪୦-। ତଦନନ୍ତର ହେ କୌନ୍ତେୟ ! ଅଗ୍ନିଦ୍ୱାରା ଯେପରି ତୁଳାରାଶି ନଷ୍ଟ ହୁଏ, ତଦ୍‍ବତ ମୋହ ପ୍ରଶମିତ ହେଲା । ଯୁଦ୍ଧ ଭୟଙ୍କର ରୂପ ଧାରଣ କଲା । ହେ ରାଜେନ୍ଦ୍ର ! ଆଲୋକ ପ୍ରାପ୍ତ ହୋଇ ଆମ୍ଭେ ପୁନର୍ବାର ଶତ୍ରୁସହ ଯୁଦ୍ଧ କଲୁ । ୪୧ ।

 

॥ ଅଧ୍ୟାୟ – ୨୧ ॥

 

ବାସୁଦେବ ବୋଇଲେ– ହେ ପୁରୁଷବ୍ୟାଘ୍ର ! ଏହିରୂପେ ସେ ମହାରିପୁ ଶାଲ୍ୱ ରାଜା ସମରକ୍ଷେତ୍ରରେ ଆମ୍ଭ ସହିତ ଯୁଦ୍ଧରେ ପ୍ରବୃତ୍ତ ହୋଇ ପୁନର୍ବାର ଆକାଶକୁ ଉଠିଲା । ଅନନ୍ତର ମନ୍ଦମତି ଶାଲ୍ୱ କ୍ରୋଧବଶ ହୋଇ, ଆମ୍ଭକୁ ଜୟ କରିବା ଅଭିଳାଷରେ, ଆକାଶରୁ ମହାଗଦା, ଶତଘ, ଜଳନ୍ତ ଶୂଳ, ମୂଷଳ ଓ ଅସୀ ଆମ୍ଭ ପ୍ରତି ନିକ୍ଷେପ କଲା । ଆକାଶରୁ ନିପତିତ ସେହି ଅସ୍ତ୍ରମାନଙ୍କୁ ଆମ୍ଭେ ଆଶୁଗାମୀ ଶରଦ୍ୱାରା ସେହି ଆକାଶମାର୍ଗରେ ଛେଦନ କଲୁଁ । କାହାକୁ ଦ୍ୱିଖଣ୍ଡ, କାହାକୁ ତିନି ଖଣ୍ଡ କରି ଛେଦନ କରିବାରେ ଆକାଶରେ ମହାନ ନିନାଦ ଉପସ୍ଥିତ ହେଲା । ୩ । ତଦନନ୍ତର ସେ ଆମ୍ଭର ଅଶ୍ୱ, ରଥ ଓ ସାରଥି ପ୍ରତି ନତପର୍ବ ଶତସହସ୍ର ଶର ନିକ୍ଷେପ କଲା । ହେ କୁରୁବୀର ! ତଦନନ୍ତର ମଦୀୟ ସାରଥି ଦାରୁକ ବିହ୍ୱଳପ୍ରାୟ ହୋଇ ଆମ୍ଭଙ୍କୁ କହିଲେ, ଶାଲ୍ୱ ବାଣରେ ନିପୀଡ଼ିତ ହୋଇ ଆମ୍ଭେ ରହିପାରୁ ନାହୁଁ । ଆମ୍ଭର ଅଙ୍ଗ ଅବସନ୍ନ ହୋଇଅଛି । କେବଳ ରହିବାକୁ ହୁଏ ବୋଲି ରଥ ତ୍ୟାଗ ନ କରି ରହିଅଛୁଁ । ୫ । ସାରଥିର ଏହି କରୁଣ ବଚନ ଶ୍ରବଣ କରି ଆମ୍ଭେ ଦେଖିଲୁ ଯେ, ସେ ପ୍ରକୃତରେ ଶରପୀଡ଼ିତ ହୋଇଅଛି । ୬ ।

 

ହେ ପାଣ୍ଡବଶ୍ରେଷ୍ଠ ! ତାହାର ବକ୍ଷସ୍ଥଳରେ, ମୂର୍ଦ୍ଧାରେ, ଭୁଜ ଦ୍ୱୟରେ ଓ ସର୍ବାଙ୍ଗରୁ ଗଳଗଳ ଶୋଣିତ ବହୁଥିଲା । ମେଘ ବର୍ଷିଲେ ଯେପରି ଗୈରିକ ପର୍ବତରୁ ଗେରୁ ବହୁଥାଏ ସେହିପରି । ୮ । ହେ ମହାବାହୁ ! ତାଦୃଶ ଅବସ୍ଥାରେ ସୁଦ୍ଧା ଅଶ୍ୱରଶ୍ମିକୁ ହସ୍ତରେ ନିର୍ଭୟରେ ଧରିଥିବାରୁ ସାରଥିକୁ ରଥ ପରିଚାଳନା କରିବାକୁ ନିଷେଧ କଲୁ । ୯ । ଏହି ଅବସରରେ ହେ ଭାରତ ! ରାଜା ଯୁଧିଷ୍ଠିର ! ଉଗ୍ରେସନଙ୍କ ପରିଚାରକ ଦ୍ୱାରକାବାସୀ ଜଣେ ବ୍ୟକ୍ତି ଆମ୍ଭ ରଥକୁ ଆସି ମିତ୍ରଭାବରେ କହିଲା ପରି ଅତି ବିଷଣ୍ଣ ହୋଇ କରୁଣ ସ୍ୱରରେ ଉଗ୍ରେସନଙ୍କର ବାର୍ତ୍ତା ଯାହା କହିଲା, ତାହା ଆପଣ ଶ୍ରବଣ କରନ୍ତୁ । ୧୧ । ହେ କୃଷ୍ଣ ! ଆପଣଙ୍କ ପିତୃସଖା ଦ୍ୱାରକାଧିପତି ବୀର ଆହୁକ ଆପଣଙ୍କୁ କହିଅଛନ୍ତି ଯେ– ହେ କେଶବ ! ତୁମ୍ଭେ ଦ୍ୱାରକାକୁ ଆଗମନ କର, ଏହା ପରେ ଆଉ ସେ ଯାହା କହୁଅଛନ୍ତି ତାହା ମଧ୍ୟ ଆପଣ ଜ୍ଞାତ ହୁଅ, ଆମ୍ଭେ କହୁଅଛୁଁ । ହେ ଦୁର୍ଦ୍ଧର୍ଷ, ବୃଷ୍ଣିନନ୍ଦନ ! ଆପଣ ଏଣେ ଯୁଦ୍ଧରେ ବ୍ୟାପୃତ ହେବାରୁ ଶାଲ୍ୱ ରାଜା ଦ୍ୱାରକାରେ ଉପଗତ ହୋଇ ଅଦ୍ୟ ଆପଣଙ୍କର ଜନକ ବସୁଦେବଙ୍କୁ ବଳପୂର୍ବକ ବିନାଶ କରିଅଛି । ଅତଏବ ହେ ଜନାର୍ଦ୍ଦନ ! ଆପଣଙ୍କର ଆଉ ଯୁଦ୍ଧରେ ପ୍ରୟୋଜନ ନାହିଁ । ଏକ୍ଷଣି ଆପଣ ସଂଗ୍ରାମରୁ ନିବୃତ୍ତ ହୁଅନ୍ତୁ । ସମ୍ପ୍ରତି ଦ୍ୱାରକାକୁ ରକ୍ଷା କରିବା ଆପଣଙ୍କର ମହତ୍ କାର୍ଯ୍ୟ । ୧୪ ।

 

ଏହି ପ୍ରକାରେ ଆମ୍ଭେ ତାହାର ବଚନ ଶ୍ରବଣ କରି ଅତିଶୟ ଦୁର୍ମନା ହୋଇ କ’ଣ କର୍ତ୍ତବ୍ୟ ଓ କ’ଣ ଅକର୍ତ୍ତବ୍ୟ ତାହା ଅବଧାରଣା କରିବାକୁ ଅସମର୍ଥ ହେଲୁ । ୧୫ । ହେ ବୀର ! ଏହି ଅପ୍ରିୟ ବଚନ ଶୁଣି ମନେ ମନେ ଆମ୍ଭେ ସାତ୍ୟକିଙ୍କୁ, ବଳଦେବଙ୍କୁ ଓ ମହାରଥୀ ପ୍ରଦ୍ୟୁମ୍ନଙ୍କୁ ନିନ୍ଦା କଲୁ । ୧୬ । ହେ କୁରୁନନ୍ଦନ ! ଆମ୍ଭେ ସେମାନଙ୍କଠାରେ ଦ୍ୱାରକାର ଓ ପିତାଙ୍କ ରକ୍ଷା କରିବାର ଭାର ଅର୍ପଣ କରି ସୌଭକୁ ନିପାତ କରିବା ନିମିତ୍ତ ଆଗମନ କରିଥିଲୁ । ୧୭ । ଶତ୍ରୁନିହନ୍ତା ମହାବାହୁ ବଳଦେବ କି ଜୀବିତ ନାହାନ୍ତି ? ସାତ୍ୟକି ଓ ପ୍ରଦ୍ୟୁମ୍ନ ଓ ବୀର୍ଯ୍ୟବାନ ଚାରୁଦେଷ୍ଣ ଓ ଶାମ୍ବ ପ୍ରଭୃତି ବୀରମାନେ କ’ଣ ନାହାନ୍ତି ? ଏ କଥା ଭାବି ସୁଦ୍ଧା ଆମ୍ଭେ ଅତିଶୟ ଅନ୍ୟମନା ହେଲୁଁ । ତାହାର କାରଣ ଏହି ଯେ, ହେ ନରବ୍ୟାଘ୍ର ! ଉକ୍ତ ବୀରମାନେ ଜୀବିତ ଥିଲେ ବଜ୍ରଧାରୀ ସ୍ୱୟଂ ଇନ୍ଦ୍ର ମଧ୍ୟ ଶୂରସୁତ ବସୁଦେବଙ୍କୁ ନିହତ କରିନପାରନ୍ତି । ଯଦି ଆମ୍ଭର ପିତା ନଷ୍ଟ ହୋଇଥାନ୍ତି, ତେବେ ଏହି ବୀରମାନେ ମଧ୍ୟ ନଷ୍ଟ ହୋଇଅଛନ୍ତି, ସନ୍ଦେହ ନାହିଁ । ୨୦ । ହେ ମହାରାଜ ! କିୟତ୍‌କ୍ଷଣ ପର୍ଯ୍ୟନ୍ତ ଆମ୍ଭେ ଏହି ପ୍ରକାରେ ସମସ୍ତଙ୍କର ବିନାଶ ଚିନ୍ତା କରି ଏକାବେଳକେ ବିହ୍ୱଳ ହୋଇ ପୁନଶ୍ଚ ଶାଲ୍ୱ ସହିତ ଯୁଦ୍ଧ କଲୁ । ୨୧ ।

 

ମହାରାଜ ! ତଦନନ୍ତର ଆମ୍ଭେ ଦେଖିଲୁ, ଶାଲ୍ୱଙ୍କର ସୌଭ ବିମାନରୁ ଶୂରସୁତ ବସୁଦେବ ପତିତ ହେଉଅଛନ୍ତି । ଏଥିରେ ଆମ୍ଭ ମନ ମଧ୍ୟରେ ମୋହ ଉପସ୍ଥିତ ହେଲା । ହେ ନରାଧିପ ! ଯେତେବେଳେ ଯଯାତିଙ୍କର ପୁଣ୍ୟ କ୍ଷୟ ହେଲା ଓ ସେ ସ୍ୱର୍ଗରୁ ମହୀତଳକୁ ପତିତ ହେଲେ, ତେତେବେଳେ ସେ ଯେପରି ଦୃଶ୍ୟ ହେଉଥିଲେ, ଆମ୍ଭର ପିତା ମଧ୍ୟ ସେହିପରି ଦିଶିଲେ । ତାହାଙ୍କର ଉଷ୍ଣୀଷ ବିଷଣ୍ଣ ଓ ମଳିନ ହୋଇଥିଲା, ବେଶ ଓ କେଶ ବିକୀର୍ଣ୍ଣ ହୋଇଥିଲା । ପୁଣ୍ୟ କ୍ଷୟ ହେଲେ ଗ୍ରହ ଯେପରି ପତିତ ହୁଏ, ସେହିପରି ଆମ୍ଭର ପିତା ପଡ଼ୁଥିବାର ଦୃଶ୍ୟ ହେଲେ । ୨୪ । ହେ କୁନ୍ତୀସୁତ ! ଏହା ଦେଖି ଶାର୍ଙ୍ଗଧନୁ ଆମ୍ଭ ହସ୍ତରୁ ଖସି ପଡ଼ିଲା ଓ ଆମ୍ଭେ ମୋହାପନ୍ନ ହୋଇ ରଥ ଉପରେ ବସିପଡ଼ିଲୁ । ୨୫ । ହେ ଭାରତ ! ତଦନନ୍ତର ରଥ ମଧ୍ୟରେ ଆମ୍ଭଙ୍କୁ ଗତଚେତନ ଓ ମୃତକଳ୍ପ ହୋଇଥିବାର ଦେଖି ସୈନ୍ୟମାନେ ହାହାକାର କଲେ । ୨୬ । ହେ ମହାବାହୋ ! ଏକେ ଆମ୍ଭର ପିତା ହସ୍ତଦ୍ୱୟ ଓ ପଦଦ୍ୱୟ ବିସ୍ତାର କରି ପତିତ ହେବାରୁ ତାହାଙ୍କ ଆକୃତି ପତନଶୀଳ ପକ୍ଷୀ ପରି ପ୍ରକାଶ ପାଇଲା; ତହିଁରେ ତାହାଙ୍କର ସେହି ଅବସ୍ଥାରେ ଦାନବମାନେ ଶୂଳ ଓ ପଟ୍‌ଟିଶ ପ୍ରଭୃତି ଶସ୍ତ୍ର ଘେନି ତାହାଙ୍କୁ ଆଘାତ କରୁଥାନ୍ତି । ଏହା ଦେଖି ଆମ୍ଭ ହୃଦୟ କମ୍ପିତ ହେଲା ଓ ଆମ୍ଭେ ଅଧୀର ହେଲୁ । ୨୮ ।

 

ହେ ବୀର ! ତତ୍‍ପରେ ମହାଯୁଦ୍ଧର କ୍ଷଣକ ପରେ ଆମ୍ଭେ ଚୈତନ୍ୟ ଲାଭ କରି ସେ ସୌଭକୁ, କି ଶାଲ୍ୱକୁ, କି ବୃଦ୍ଧ ପିତାଙ୍କୁ ଦେଖିଲୁ ନାହିଁ । ୨୯ । ତହିଁରେ ଆମ୍ଭେ ମନ ମଧ୍ୟରେ ବିଚାରିଲୁ ଯେ ଉକ୍ତ କାର୍ଯ୍ୟମାନ ମାୟାକଳ୍ପିତ ଓ ଅଳୀକ । ଏହା ସ୍ଥିର କରି ଆମ୍ଭେ ପୁନର୍ବାର ଶତ୍ରୁଙ୍କ ପ୍ରତି ଶତଶତ ଶର ନିକ୍ଷେପ କଲୁ । ୩୦ ।

 

॥ ଅଧ୍ୟାୟ – ୨୨ ॥

 

ବାସୁଦେବ ଭାଷିଲେ– ହେ ଭରତଶ୍ରେଷ୍ଠ, ତତ୍‍ପରେ ଆମ୍ଭେ ସୁନ୍ଦର ଧନୁ ଧରି ବିବୁଧ ଶତ୍ରୁମାନଙ୍କ ମସ୍ତକକୁ ଛେଦନ କରି ସୌଭକୁ ସମୁଦ୍ର ମଧ୍ୟରେ ନିପତିତ କଲୁ । ସର୍ପ-ପରି ତୀବ୍ର ତେଜୋମୟ ଊର୍ଦ୍ଧ୍ୱଗାମୀ, ତୀକ୍ଷ୍‌ଣ ଶରସମୂହକୁ ଶାର୍ଙ୍ଗଧନୁଦ୍ୱାରା ଶାଲ୍ୱରାଜ ପ୍ରତି ପ୍ରହାର କଲୁ । ୨ । ହେ କୁରୁକୁଳଶ୍ରେଷ୍ଠ ! ତତ୍‍ପରେ ସୌଭ ଦୃଶ୍ୟ ହେଲା ନାହିଁ । ମାୟାରେ ଅନ୍ତର୍ହିତ ହେଲା । ଏଥିରେ ଆମ୍ଭେ ବିସ୍ମିତ ହେଲୁ । ୩ ।

 

ହେ ମହାରାଜ ଭାରତ ! ଅନନ୍ତର ସେହି ଦାନବସମୂହକ ବିକୃତ ଆନନ ଓ କେଶ ଧାରଣ କରି ଆମ୍ଭଙ୍କୁ ଭୂମିଷ୍ଠ ଦେଖି ଆମ୍ଭ ଊର୍ଦ୍ଧ୍ୱ ଭାଗରେ ଚିତ୍କାର କଲେ । ୪ । ତତ୍‍ପରେ ଆମ୍ଭେ ସେ ମହାରଣରେ ତ୍ୱରାନ୍ୱିତ ହୋଇ ଶବ୍ଦଭେଦୀ ଶରମାନଙ୍କୁ ତାହାଙ୍କ ବଧ ନିମିତ୍ତ ପ୍ରକ୍ଷେପ କଲୁ । ଏଥିରେ ସେ ଶବ୍ଦ ଆଉ ଶୁଭିଲା ନାହିଁ । ଯେଉଁ ଦାନବମାନେ ଶବ୍ଦ କରୁଥିଲେ, ସେମାନେ ସମସ୍ତେ ସୂର୍ଯ୍ୟସମ ଜ୍ୱଳିତ ଶରନିକରଦ୍ୱାରା ନିହତ ହେଲେ । ୬ । ସେ ଶବ୍ଦ ଉପରତ ହୁଅନ୍ତେ ପୁନର୍ବାର ଅନ୍ୟଠାରେ ତଦ୍‌ବତ ଶବ୍ଦ ଜାତ ହେଲା । ହେ ମହାରାଜ ! ସେଠାକୁ ମଧ୍ୟ ଆମ୍ଭେ ଶର ପ୍ରହାର କଲୁ । ୭ । ଏହି ପ୍ରକାରେ ତୀର୍ଯ୍ୟକ୍ ଓ ଊର୍ଦ୍ଧ୍ୱକୁ ଘେନି ଦଶଦିଗରେ ଅସୁରମାନେ ନିନାଦ କଲେ ଓ ଆମ୍ଭେ ମଧ୍ୟ ସେମାନଙ୍କୁ ନିହତ କଲୁ । ୮ । ତଦନନ୍ତର ସେହି କାମଗାମୀ ସୌଭ ପ୍ରାଗ୍‌ଜ୍ୟୋତିଷପୁରକୁ ଗମନ କରିଥିଲା । ସେ ଆସି ଉପସ୍ଥିତ ହେଲା ଓ ଆମ୍ଭ ଚକ୍ଷୁକୁ ମୋହିତ କଲା । ୯ । ତତ୍‍ପରେ ଲୋକାନ୍ତକାରୀ ଦାରୁଣାକୃତି ସେହି ଦାନବ ମହାଶିଳା ବର୍ଷଣଦ୍ୱାରା ଆମ୍ଭଙ୍କୁ ଆବରଣ କଲା । ୧୦ । ହେ ରାଜେନ୍ଦ୍ର ! ପର୍ବତ ବୃଷ୍ଟିଦ୍ୱାରା ଆମ୍ଭେ ପୁନଃ ପୁନଃ ଅଭିହିତ ହୋଇ ବଲ୍ମୀକ ପ୍ରାୟ ଶିଳା ସମୂହରେ ଉପସ୍ଥିତ ହେଲୁ । ୧୧ । ହେ ରାଜନ୍‌ ! ତତ୍‍ପରେ ଆମ୍ଭେ ସାରଥି, ରଥ, ଅଶ୍ୱ ଓ ଧ୍ୱଜ ସମସ୍ତେ ଶିଳାରେ ପୋତି ହେବାରୁ ଦିଶିଲୁ ନାହିଁ । ଏହା ଦେଖି ଯେଉଁ ବୃଷ୍ଣିବୀରମାନେ ଆମ୍ଭ ସଙ୍ଗେ ଥିଲେ, ସେମାନେ ଓ ଆମ୍ଭର ସେନାସବୁ ଭୟାର୍ତ୍ତ ହୋଇ ସହସା ଦୂରକୁ ପଳାୟନ କଲେ । ୧୩ । ହେ ରାଜେନ୍ଦ୍ର ! ଆମ୍ଭେ ଅଦୃଶ୍ୟ ହେବାରୁ ସ୍ୱର୍ଗ, ମର୍ତ୍ତ୍ୟ ଓ ଆକାଶ ହାହା ଶବ୍ଦରେ ପରିପୂର୍ଣ୍ଣ ହେଲା । ୧୪ ।

 

ହେ ରାଜନ୍‌ ! ଆମ୍ଭର ଯେତେ ସୁହୃଜ୍ଜନ ଥିଲେ, ସେମାନେ ବିଷଣ୍ଣମନା ହୋଇ, ଦୁଃଖ ଓ ଶୋକରେ କାତର ହୋଇ, ଉଚ୍ଚୈଃସ୍ୱରରେ ରୋଦନ କଲେ । ୧୫ । ଶତ୍ରୁଙ୍କ ମଧ୍ୟରେ ହର୍ଷ ଓ ମିତ୍ରଙ୍କ ମଧ୍ୟରେ ଆର୍ତ୍ତ ଜାତ ହେଲା । ଆମ୍ଭର ମୋହ ଅପଗତ ହେଲା ପରେ ସାରଥିଠାରୁ ଶୁଣିଲୁ ଯେ ଶାଲ୍ୱ ଆମ୍ଭଙ୍କୁ ଜୟ କରିଥିଲା । ୧୬ । ତତ୍‍ପରେ ଆମ୍ଭେ ସର୍ବ ପାଷାଣ ଭେଦନକାରୀ ଇନ୍ଦ୍ରଙ୍କର ପ୍ରିୟ ଅସ୍ତ୍ର ବଜ୍ରଦ୍ୱାରା ସମସ୍ତ ପ୍ରସ୍ତରମାନଙ୍କୁ ବିନାଶ କଲୁ । ୧୭ । ହେ ମହାରାଜ, ତତ୍‍ପରେ ପର୍ବତ ଭାରରେ ପ୍ରପୀଡ଼ିତ ହୋଇ ଆମ୍ଭର ଅଶ୍ୱମାନେ ନିଶ୍ଚେଷ୍ଟ ଓ କମ୍ପିତ ପ୍ରାୟ ହୋଇଥିଲେ । ୧୮ । ଆକାଶରେ ଯେପରି ରବି ମେଘଜାଳକୁ ଭେଦ କରି ଉଦିତ ହୁଅନ୍ତି, ତଦ୍ରୂପ ଆମ୍ଭଙ୍କୁ ନିର୍ଗତ ହେବାର ବିଲୋକନ କରି ଆମ୍ଭର ବାନ୍ଧବମାନେ ସମସ୍ତେ ହର୍ଷାନ୍ୱିତ ହେଲେ । ୧୯-। ତତ୍‍ପରେ ପର୍ବତ ଭାରରେ ନିଶ୍ଚେଷ୍ଟ ହୋଇଥିବା ଅଶ୍ୱମାନଙ୍କୁ ଆମ୍ଭଙ୍କୁ ଦେଖାଇ ତତ୍କାଳୋଚିତ ବଚନ ସାରଥି ଆମ୍ଭଙ୍କୁ କହିଲା । ୨୦ । ହେ ବାର୍ଷ୍ଣେୟ ! ଦେଖ, ସୌଭପତି ଶାଲ୍ୱ ରହିଅଛି । ହେ କୃଷ୍ଣ ! ଏହାକୁ ଅବମାନନା କରନାହିଁ, ଶୀଘ୍ର ଯତ୍ନ କର । ୨୧ । ହେ ମହାବାହୋ ! ଶାଲ୍ୱଠାରେ ଆପଣଙ୍କର ଯେଉଁ ସୌଜନ୍ୟ ଓ ମିତ୍ରଭାବ, ତାକୁ ଅଦ୍ୟ ପରିତ୍ୟାଗ କର । ହେ କେଶବ ! ଶାଲ୍ୱକୁ ବଧ କର । ଆଉ ତାହାକୁ ଜୀବିତ ରଖ ନାହିଁ । ୨୨ ।

 

ହେ ଶତ୍ରୁହନ୍ତା ! ସର୍ବପ୍ରକାରେ ଶତ୍ରୁକୁ ନାଶ କରିବା କର୍ତ୍ତବ୍ୟ । ସ୍ୱୟଂ ବଳବାନ ଓ ଶତ୍ରୁ ଦୁର୍ବଳ ହେଲେ ହେଁ, ତାହାକୁ ଅବମାନନା କରିବା କର୍ତ୍ତବ୍ୟ ନୁହେଁ । ଶତ୍ରୁ ଯେବେ ଯୁଦ୍ଧରେ ପ୍ରବୃତ୍ତ ନ ହୋଇଥାଏ, ତଥାପି ତାହାକୁ ଉପେକ୍ଷା କରିବା କର୍ତ୍ତବ୍ୟ ନୁହେଁ । ଏହି ଶତ୍ରୁ ଯୁଦ୍ଧରେ ଉପସ୍ଥିତ । ହେ ପୁରୁଷଶ୍ରେଷ୍ଠ ପ୍ରଭୋ ! ସର୍ବଯତ୍ନରେ ଏହାକୁ ନିହତ କର । ହେ ବୃଷ୍ଣିକୁଳ ଶ୍ରେଷ୍ଠ ! ଆଉ କାଳକ୍ଷେପ କରନ୍ତୁ ନାହିଁ । ମୃଦୁ ଯୁଦ୍ଧରେ ଏ ସାଧ୍ୟ ହେବାର ନୁହେ କି ଏହାକୁ ସଖା ବୋଲି ଆପଣ ମନେ କରିବା ହେବେ ନାହିଁ । ହେ ବୀର ! ଏ ବ୍ୟକ୍ତି ଆପଣଙ୍କ ସହିତ ଯଥାସାଧ୍ୟ ଯୁଦ୍ଧ କରିଅଛିି ଓ ଆପଣ ନ ଥିବାବେଳେ ଦ୍ୱାରକାପୁରୀକୁ ଅବମର୍ଦ୍ଦିତ କରିଅଛି । ହେ କୌନ୍ତେୟ ! ଏହି ପ୍ରକାରେ ସାରଥିଙ୍କର ବଚନକୁ ଶୁଣି ଓ ତାହା ସତ୍ୟ ଥିବାର ବିବେଚନା କରି ଯୁଦ୍ଧ କରିବାର ସ୍ଥିର କଲୁ । ଯହିଁରେ ଶାଲ୍ୱ ରାଜାର ବଧ ଓ ସୌଭର ନିପାତ ହୁଏ, ତଦ୍ ବିଷୟରେ ଯତ୍ନ କଲୁ । ୨୭ ।

 

ହେ ବୀର ! ଆମ୍ଭେ ଦାରୁକକୁ କହିଲୁ କ୍ଷଣେ ରହ । ଏହା କହି ଅପ୍ରତିହତ, ଦିବ୍ୟ, ଅଭେଦ୍ୟ, ବୀର୍ଯ୍ୟବାନ୍‌, ସର୍ବସାହ, ମହାପ୍ରଭାନ୍ୱିତ, ଦାନବାନ୍ତକାରୀ ଓ ମଦୀୟ ପ୍ରିୟ ଆଗ୍ନେୟାସ୍ତ୍ରକୁ ଧନୁରେ ବସାଇଲୁଁ । ୨୯ । ସଂଗ୍ରାମ ବେଳେ ଯକ୍ଷ, ରାକ୍ଷସ, ଦାନବ ଓ ବିପରୀତାଚାରୀ ରାଜାମାନଙ୍କର ଭସ୍ମକର କ୍ଷୁରଧାର ସଦୃଶ ତୀକ୍ଷ୍‌ଣଧାରୀ, ମହତ୍ କାଳାନ୍ତକକାରୀ, ଯମୋତ୍ତମ ଶତ୍ରୁବିନାଶୀ, ଅତୁଲ୍ୟ ନିର୍ମଳ ସୁଦର୍ଶନ ଚକ୍ରକୁ ଅଭିମନ୍ତ୍ରିତ କରି ସମ୍ବୋଧନପୂର୍ବକ ତାହାକୁ କହିଲୁ, ହେ ଅସ୍ତ୍ରବର ! ତୁମ୍ଭର ନିଜ ପରାକ୍ରମଦ୍ୱାରା ଏହି ସୌଭକୁ ଓ ଏଠାରେ ଆମ୍ଭର ଯେତେ ଶତ୍ରୁ ଅଛନ୍ତି, ବିନାଶ କର । ଏହା କହି ଆମ୍ଭେ ଆପଣାର ବଳ ଅନୁସାରେ ତାହାକୁ ସ୍ୱକୀୟ ଭୁଜଦ୍ୱାରା କ୍ରୋଧପୂର୍ବକ ନିକ୍ଷେପ କଲୁ । ୩୨ । ପ୍ରଳୟ କାଳରେ ପ୍ରତାପାନ୍ୱିତ ସୂର୍ଯ୍ୟ ସଦୃଶ ଆମ୍ଭ ପ୍ରେରିତ ସୁଦର୍ଶନ ଚକ୍ର ଆକାଶମାର୍ଗରେ ଉତ୍ପନ୍ନ ହେଲା । ୩୩ । ଅନନ୍ତର ସେହି ସୁଦର୍ଶନ ଚକ୍ରର ତେଜରେ ସୌଭ ନଗର ହତପ୍ରଭ ହୋଇ, କରତରେ ଦ୍ୱିଖଣ୍ଡ ବୃହତ୍ କାଷ୍ଠ ସଦୃଶ ମଧ୍ୟ ଭାଗରେ ପାଟିତ ହେଲା । ୩୫ । ମହାଦେବଙ୍କ ଶରରେ ଉଦ୍ଧୂତ ହୋଇ ଯେପରି ତ୍ରିପୁରାସୁର ନିପାତିତ ହେଲା, ସେହିପରି ସୁଦର୍ଶନ ଚକ୍ର ବଳରେ ପାଟିତ ହୋଇ ସୌଭ ନଗର ନିପତିତ ହେଲା । ସୌଭକୁ ନିପାତ କରି ଚକ୍ର ଆମ୍ଭ କରକୁ ଆସିଲା । ଆମ୍ଭେ ତାହାକୁ ପୁନର୍ବାର ଗ୍ରହଣ କରି ଅତି ବେଗରେ ଶାଲ୍ୱକୁ ନିପାତ କରିବା ନିମିତ୍ତ ଆଦେଶ କଲୁ ଓ ନିକ୍ଷେପ କଲୁ । ୩୬ ।

 

ଶାଲ୍ୱ ଏହି ଅବସରରେ ମହତୀ ଗଦାଘେନି ନିକ୍ଷେପ କରୁଥିଲା, କିନ୍ତୁ ସୁଦର୍ଶନ ଚକ୍ର ତାହାକୁ ସହସା ଦୁଇ ଖଣ୍ଡ କରି ସ୍ୱକୀୟ ତେଜରେ ପ୍ରଜ୍ୱଳିତ ହେଲା । ୩୮ । ସେହି ବୀର ନିହତ ହୁଅନ୍ତେ ଆମ୍ଭ ଶର ଜାଲରେ ପୀଡ଼ିତ ହୋଇ ଅସୁରସେନା ଇତସ୍ତତଃ ବିକ୍ଷିପ୍ତ ହେଲେ । ୩୮ । ଆମ୍ଭେ ସୌଭ ସମୀପରେ ରଥକୁ ସ୍ଥାପନ କରି ଶଙ୍ଖ ବଜାଇଲୁ । ତହିଁରେ ସୁହୃଦବର୍ଗଙ୍କୁ ପରିହୃଷ୍ଟ କଲୁ । ୩୯ । ସୁମେରୁ ଶିଖର ସମ ଅତି ଉଚ୍ଚ ଭଗ୍ନାଟ୍ଟାଳୀ ଓ ଭଗ୍ନ ଗୋପୁର ସୌଭ ନଗରକୁ ଦଗ୍ଧ ହେବାର ଦେଖି ଅସୁର ନାରୀମାନେ ପଳାୟନ ହେଲେ । ୪୦ । ଏହି ପ୍ରକାରେ ସମରରେ ସୌଭ ନଗର ସହିତ ଶାଲ୍ୱଙ୍କୁ ନିପାତ କରି ପୁନର୍ବାର ଆନର୍ତ୍ତ ଦେଶକୁ ପ୍ରତ୍ୟାଗତ ହୋଇ ସୁହୃନ୍ନିଚୟଙ୍କର ପ୍ରୀତି ସମ୍ପାଦନ କଲୁ । ୪୧ । ହେ ରାଜନ୍‌ ! ପରବୀର ନାଶକ ! ଏହି କାରଣରୁ ଆମ୍ଭେ ହସ୍ତିନାପୁରକୁ ଆସିପାରିଲୁ ନାହିଁ । ଯଦି ଆସିଥାନ୍ତୁ, ଦୁର୍ଯ୍ୟୋଧନ ଜୀବିତ ନ ଥାନ୍ତା । ଏବେ ବନ୍ଧ ଭାଙ୍ଗି ଜଳ ବହିଗଲା, ଆମ୍ଭେ କି କରିବୁ କହ ।

 

ବୈଶମ୍ପାୟନ ବୋଇଲେ, ମହାବାହୁ ପୁରୁଷୋତ୍ତମ ଏହିପରି ଯୁଧିଷ୍ଠିରଙ୍କୁ କହି ପାଣ୍ଡବମାନଙ୍କଠାରୁ ବିଦାୟ ଘେନି ପ୍ରସ୍ଥାନ କଲେ । ମହାବାହୁ ମଧୁସୂଦନ ଧର୍ମରାଜ ଯୁଧିଷ୍ଠିରଙ୍କୁ ଅଭିବାଦନ କଲେ । ରାଜା ଓ ଭୀମସେନ ତାହାଙ୍କର ମସ୍ତକ ଆଘ୍ରାଣ କଲେ । ଅର୍ଜୁନ ଆସି ସେ ମହାଭୁଜକୁ ଆଲିଙ୍ଗନ କଲେ ଏବଂ ଯମଜ ନକୁଳ ଓ ସହଦେବ ଆଲିଙ୍ଗନ କଲେ । ଦ୍ରୌପଦୀ ନେତ୍ରଜଳରେ ପୂଜା କଲେ । ଏହି ପ୍ରକାରେ ପାଣ୍ଡବମାନଙ୍କଦ୍ୱାରା ପୂଜିତ ହୋଇ ସୁଭଦ୍ରା ଓ ଅଭିମନ୍ୟୁଙ୍କୁ କାଞ୍ଚନ ରଥରେ ବସାଇ ଶ୍ରୀକୃଷ୍ଣ ରଥାରୋହଣ କଲେ । ୪୭ । ଯୁଧିଷ୍ଠିରଙ୍କୁ ପୁନଶ୍ଚ ଆଶ୍ୱାସ ପ୍ରଦାନ କରି, ସୂର୍ଯ୍ୟସମ ତେଜସ୍ୱୀ ରଥରେ ଶୈବ୍ୟ ଓ ସୁଗ୍ରୀବ ଅଶ୍ୱଙ୍କୁ ଯୋଜନା କରି, ଦ୍ୱାରକା ପ୍ରସ୍ଥାନ କଲେ । ୪୮ । ତତ୍‍ପରେ, ଦଶାର୍ହ ପ୍ରସ୍ଥାନ କଲା ପରେ, ପୃଷତବଂଶୀୟ ଧୃଷ୍ଟଦ୍ୟୁମ୍ନ ଦ୍ରୌପଦୀଙ୍କର ପୁତ୍ରମାନଙ୍କୁ ଘେନି ସ୍ୱପୁରକୁ ପ୍ରସ୍ଥାନ କଲେ । ୪୯ । ଚେଦିରାଜ ଧୃଷ୍ଟକେତୁ ପାଣ୍ଡବମାନଙ୍କ ସହିତ ସାକ୍ଷାତ୍ କରି ଭଗିନୀଙ୍କୁ ସଙ୍ଗରେ ଘେନି ରମଣୀୟ ଶୁକ୍ତିମତୀ ପୁରୀକୁ ଗମନ କଲେ । ୫୦ ।

 

ହେ ଭରତ ! କୈକେୟମାନେ ମଧ୍ୟ ଅମିତ ତେଜସ୍ୱୀ କୁନ୍ତୀ-ସୁତଙ୍କଠାରୁ ଅନୁଜ୍ଞା ନେଇ, ପାଣ୍ଡବଙ୍କଠାରୁ ବିଦାୟ ହୋଇ, ପ୍ରସ୍ଥାନ କଲେ । ୫୧ । କିନ୍ତୁ ବ୍ରାହ୍ମଣମାନେ, ବୈଶ୍ୟମାନେ ଓ ରାଜ୍ୟବାସୀ ପ୍ରଜାମାନେ ପରିଯୁକ୍ତ ହେଲେହେଁ ପାଣ୍ଡବଙ୍କୁ ତ୍ୟାଗ କରି ଗଲେ ନାହିଁ । ୫୨ । ହେ ଭରତର୍ଷଭ ! ରାଜେନ୍ଦ୍ର ! କାମ୍ୟକ ବନରେ ସେ ମହାତ୍ମାମାନଙ୍କର ଖେଳା ଅତି ମହାନ ଓ ଅଦ୍ଭୁତ ବୋଧ ହେଲା । ୫୩ । ମହାତ୍ମନ ଯୁଧିଷ୍ଠିର ବ୍ରାହ୍ମଣମାନଙ୍କର ଯଥୋଚିତ ପୂଜା କରି ଅନୁବର୍ତ୍ତୀମାନଙ୍କୁ ଆଦେଶ ଦେଲେ, ରଥ ଯୋଜନା କର । ୫୪ ।

 

॥ ଅଧ୍ୟାୟ – ୨୩ ॥

 

ବୈଶମ୍ପାୟନ ବୋଇଲେ, ଦଶାର୍ହାଧିପତି ଶ୍ରୀକୃଷ୍ଣ ପ୍ରୟାଣ କଲା ଉତ୍ତାରୁ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ, ଦ୍ରୌପଦୀ ଓ ପୁରୋହିତ ଧୌମ୍ୟ ସମସ୍ତେ ମିଳିତ ହୋଇ ଉତ୍ତମ ଅଶ୍ୱଯୁକ୍ତ ମହାମୂଳୀ ରଥରେ ଆରୋହଣ କରି ବନାନ୍ତରକୁ ପ୍ରସ୍ଥାନ କଲେ ଓ ଯାତ୍ରା କଲାବେଳେ ମହାଦେବଙ୍କ ସଦୃଶ ସେହି ଗୌର ବର୍ଣ୍ଣ ପୁରୁଷମାନେ ବେଦ ଓ ବେଦାଙ୍ଗବେତ୍ତା ବ୍ରାହ୍ମଣମାନଙ୍କୁ ବହୁନିଷ୍ଠା ସୁବର୍ଣ୍ଣ, ବସନ ଓ ଧେନୁ ଦାନ କଲେ । ୨ । ବିଂଶତି ଜଣ ଶସ୍ତ୍ରଧାରୀ ଭୃତ୍ୟ ଧନୁ, ଶସ୍ତ୍ର, ଉଜ୍ଜ୍ୱଳ, ଶର ସମସ୍ତ ଧନୁର୍ଗୁଣ, ଯନ୍ତ୍ର ଓ ଖଡ଼୍‌ଗ ଗ୍ରହଣ କରି ସେମାନଙ୍କ ଅଗ୍ରେ ଅଗ୍ରେ ପଶ୍ଚାତ୍ ଦେଶକୁ ଗମନ କଲେ । ୩ । ଦାସୀମାନେ ଓ ଧାତ୍ରୀ ଦ୍ରୌପଦୀଙ୍କର ବସ୍ତ୍ର ଓ ଆଭରଣ ଘେନି ଗମନ କଲେ । ଇନ୍ଦ୍ରସେନ ସତ୍ୱର ସେହି ଦ୍ରବ୍ୟମାନ ରଥରେ ରଖି ପଶ୍ଚାତ୍ ପଶ୍ଚାତ୍ ଗମନ କଲେ । ଅନନ୍ତର ପୁରବାସୀ ବଳିଷ୍ଠ ଓ ସଂସ୍ଥାନବନ୍ତ ବଡ଼ ବଡ଼ ପ୍ରଜାମାନେ କୁରୁଶ୍ରେଷ୍ଠ ଯୁଧିଷ୍ଠିରଙ୍କ ସମୀପକୁ ଗମନ କରି ତାହାଙ୍କୁ ପ୍ରଦକ୍ଷିଣ କଲେ । ପରନ୍ତୁ କୁରୁଜାଙ୍ଗଳବାସୀ ପ୍ରଧାନ ପ୍ରଧାନ ବ୍ରାହ୍ମଣମାନେ ପ୍ରସନ୍ନ ହୋଇ ସେହି ବୀରପୁରୁଷମାନଙ୍କୁ ଆଶୀର୍ବାଦ କଲେ । ୫ । ଧର୍ମରାଜ ମଧ୍ୟ ପ୍ରସନ୍ନ ହୋଇ ଭ୍ରାତମାନଙ୍କ ସହ ସେମାନଙ୍କୁ ଅଭିବାଦନ କଲେ ଓ କୁରୁଜାଙ୍ଗଳ ନିବାସୀ ପ୍ରଜାସମୂହକୁ ଦେଖି ସେ ମହାତ୍ମା କ୍ଷଣକାଳ ସେଠାରେ ଅବସ୍ଥାନ କଲେ । ୬ । ପିତା ଯେପରି ପୁତ୍ରଙ୍କଠାରେ ସ୍ନେହ ପ୍ରକାଶ କରନ୍ତି, ସେହିପରି ମହାତ୍ମା କୁରୁଶ୍ରେଷ୍ଠ ସେହି ଜନସମୂହଙ୍କ ପ୍ରତି ପ୍ରୀତିଭାବ ପ୍ରକାଶ କଲେ; ଅଥଚ ସେମାନେ ମଧ୍ୟ ପିତାଠାରେ ପୁତ୍ର ଭକ୍ତି ପ୍ରକାଶ କଲା ପ୍ରାୟ ଭରତଶ୍ରେଷ୍ଠଙ୍କଠାରେ ଭକ୍ତିପ୍ରସନ୍ନ ହେଲେ । ୭ ।

 

ହେ ରାଜନ୍‌ ! ତତ୍‍ପରେ ସେହି ବୃହତୀ ଜନତା କୁରୁବୀର ଯୁଧିଷ୍ଠିରଙ୍କୁ ପାଇ, ହେ ନାଥ ! ହେ ଧର୍ମ ! ବୋଲି କହି ଲଜ୍ଜିତ ଓ ଅଶ୍ରୁମୁଖୀ ହୋଇ, ତାହାଙ୍କୁ ବେଷ୍ଟନ କରି ରହିଲେ । ୮ । କୁରୁଶ୍ରେଷ୍ଠ ଧର୍ମରାଜ ପିତାସ୍ୱରୂପ ଆମ୍ଭେମାନେ ତାହାଙ୍କର ପୁତ୍ର ସଦୃଶ । ସେ ଏହି ପୁରବାସୀମାନଙ୍କୁ ଓ ଜନପଦମାନଙ୍କୁ ପରିତ୍ୟାଗ କରି କେଉଁଠାକୁ ଗମନ କରୁଅଛନ୍ତି ? ୯ । ନୃଶଂସବୁଦ୍ଧି ଧୃତରାଷ୍ଟ୍ର ପୁତ୍ରଙ୍କୁ ଧିକ ! ସୁବଳପୁତ୍ର ଶକୁନିକୁ ଓ ପାପମତି କର୍ଣ୍ଣକୁ ଧିକ । ହେ ନରେନ୍ଦ୍ର-! ଆପଣ ସର୍ବଦା ସତ୍‌ପଥରେ ଥାଇ ନିତ୍ୟ ଧର୍ମାଚରଣ କରନ୍ତି ଓ ଏହି ପାପବୁଦ୍ଧିମାନେ ଆପଣଙ୍କର ଅନର୍ଥ ଇଚ୍ଛା କରନ୍ତି । ୧୦ । ମହାଦେବଙ୍କ କୈଳାସପୁର ସଦୃଶ ଇନ୍ଦ୍ରପ୍ରସ୍ଥ ନଗରକୁ ସ୍ୱୟଂ ପତନ କରି, ଏକ୍ଷଣି ତାହାକୁ ତ୍ୟାଗ କରି, ସେହି ଇନ୍ଦ୍ରଙ୍କ ସଦୃଶ ଅମେୟକର୍ମ ଧର୍ମରାଜ କେଉଁଠାକୁ ଗମନ କରୁଅଛନ୍ତି ?୧୧ । ମହାତ୍ମା ମୟଦାନବ ଦେବସଭା ତୁଲ୍ୟ ଯେଉଁ ନିରୁପମା ସଭାକୁ ନିର୍ମାଣ କରିଥିଲା, ଦେବରକ୍ଷିତା ଦେବମାୟା ପ୍ରାୟ ସେହି ସଭାକୁ ପରିତ୍ୟାଗ କରି ଧର୍ମରାଜ କେଉଁ ସ୍ଥାନକୁ ପ୍ରୟାଣ କରୁଅଛନ୍ତି ?୧୨ । ତଦନନ୍ତର ଧର୍ମକାମାର୍ଥବେତ୍ତା ବିଭତ୍ସୁ ଉଚ୍ଚସ୍ୱରରେ ଦ୍ୱିଜାତି ପ୍ରଭୃତି ସମସ୍ତଙ୍କୁ କହିଲେ, ମହାରାଜ ଯୁଧିଷ୍ଠିର ଏହି ବନବାସଦ୍ୱାରା ଶତ୍ରୁମାନଙ୍କର ଯଶ ଆଦାନ କରିବେ । ୧୩ ।

 

ହେ ଦ୍ୱିଜାତି ପ୍ରଭୃତି ବର୍ଣ୍ଣଙ୍କର ମୁଖ୍ୟ ! ଧର୍ମାର୍ଥବେତ୍ତା ତପସ୍ୱୀମାନଙ୍କୁ ଏକତ୍ର କରି ଅଥବା ଗୋଟି ଗୋଟି କରି ଆପଣମାନେ ପ୍ରସନ୍ନ କରି କହିବେ ଯେ, ସେମାନଙ୍କ ଆଶୀର୍ବାଦରେ ଆମ୍ଭମାନଙ୍କର ପରମ ପ୍ରୟୋଜନ ଯେପରି ସିଦ୍ଧ ହେବ । ୧୪ । ହେ ରାଜନ୍‌ ! ବ୍ରାହ୍ମଣ ପ୍ରଭୃତି ବର୍ଣ୍ଣରୁ ଯେତେ ଏକତ୍ର ହୋଇଥିଲେ, ସେମାନେ ସମସ୍ତେ ଅର୍ଜୁନଙ୍କର ବଚନ ଶ୍ରବଣ କରି ହୃଷ୍ଟ ହେଲେ । ତତ୍‍ପରେ ଧର୍ମଚାରୀଙ୍କ ବରିଷ୍ଠ ଯୁଧିଷ୍ଠିରଙ୍କୁ ପ୍ରଦକ୍ଷିଣ କରି ଭୀମ, ଅର୍ଜୁନ, ନକୁଳ, ସହଦେବ ଓ ଦ୍ରୌପଦୀଙ୍କଠାରୁ ବିଦାୟ ଗ୍ରହଣ କରି ଦୁଃଖିତ ମନରେ ଯୁଧିଷ୍ଠିରଙ୍କଠାରୁ ଅନୁମତି ନେଇ, ସ୍ୱରାଜ୍ୟକୁ ପ୍ରସ୍ଥାନ କଲେ । ୧୬ ।

 

॥ ଅଧ୍ୟାୟ – ୨୪ ॥

 

ବୈଶମ୍ପାୟନ ବୋଇଲେ–ସେମାନେ ପ୍ରସ୍ଥାନ କଲା ପରେ ସତ୍ୟନିରତ କୁନ୍ତୀସୁତ ଧର୍ମାତ୍ମା ଯୁଧିଷ୍ଠିର ସବୁ ଭାଇଙ୍କୁ କହିଲେ, ଆମ୍ଭମାନଙ୍କୁ ଏହି ନିର୍ଜନ ବନମଧ୍ୟରେ ଦ୍ୱାଦଶ ବର୍ଷ ବାସ କରିବାକୁ ହେବ ! ଏହି ଅରଣ୍ୟ ମଧ୍ୟରେ ଯେଉଁଠାରେ ବହୁ ମୃଗ ଓ ପକ୍ଷୀ ଥିବେ, ଯେଉଁଠାରେ ବହୁ ପୁଷ୍ପ ଓ ଫଳ ଥିବ, ରମଣୀୟ ଅଥଚ ମଙ୍ଗଳମୟ ହୋଇଥିବ, ପୁଣ୍ୟାତ୍ମାମାନେ ବାସ କରୁଥିବେ, ଯେଉଁଠାରେ ଆମ୍ଭେମାନେ ସମସ୍ତେ ଏହି ଦ୍ୱାଦଶ ବର୍ଷ ବାସ କରିପାରିବା, ସେହିପରି ସ୍ଥାନ ଅବଧାରଣ କର । ୩ ।

 

ଯୁଧିଷ୍ଠିରଙ୍କର ଉକ୍ତ ବଚନ ଶ୍ରବଣ କରି ମାନବଗୁରୁ ଓ ମନସ୍ୱୀ ଯୁଧିଷ୍ଠିରଙ୍କୁ ଧନଞ୍ଜୟ ପ୍ରତ୍ୟୁତ୍ତର ଦେଲେ, ହେ ଭରତଶ୍ରେଷ୍ଠ ! ଆପଣ ମହର୍ଷିମାନଙ୍କର, ବୃଦ୍ଧ ଜନମାନଙ୍କର ଉପାସନା କରନ୍ତି । ଏହି ମନୁଷ୍ୟ ଲୋକମଧ୍ୟରେ କେଉଁଠାରେ କ’ଣ ଅଛି, ତାହା ଆପଣଙ୍କୁ ଅଜ୍ଞାତ ନାହିଁ । ହେ ଭରତଶ୍ରେଷ୍ଠ ! ଆପଣ ବ୍ରାହ୍ମଣମାନଙ୍କର ନିତ୍ୟ ଉପାସନା କରନ୍ତି । ଦ୍ୱୈପାୟନ ପ୍ରଭୃତି ଓ ମହାତପୀ ନାରଦ ଯେଉଁ ଜିତେନ୍ଦ୍ରିୟ ସର୍ବଲୋକରେ ନିତ୍ୟ ପରିଭ୍ରମଣ କରିଥାନ୍ତି, ଦେବଲୋକଠାରୁ ବ୍ରହ୍ମଲୋକପର୍ଯ୍ୟନ୍ତ ଗମନାଗମନ କରନ୍ତି, ଗନ୍ଧର୍ବ ଓ ଅପ୍‌ସରାର ଲୋକରେ ଗମନ କରନ୍ତି । ବ୍ରାହ୍ମଣମାନଙ୍କର କର୍ତ୍ତବ୍ୟାକର୍ତ୍ତବ୍ୟ ଆପଣ ଜାଣନ୍ତି, ଏଥିରେ ସଂଶୟ ନାହିଁ । ହେ ପାର୍ଥିବ ! ଆପଣ ସେମାନଙ୍କର ପ୍ରଭାବ ମଧ୍ୟ ଅବଗତ ଅଛନ୍ତି । ୮ । ହେ ରାଜନ୍‌ ! କ’ଣ କଲେ ଶ୍ରେୟ ହେବ ଓ କେଉଁଠାରେ ବାସ କଲେ ଉତ୍ତମ କି ମଧ୍ୟମ, ତାହା ସୁଦ୍ଧା ଆପଣ ଜାଣନ୍ତି । ହେ ମହାରାଜ ! ଅତଏବ ଆପଣଙ୍କର ଯେଉଁଠାରେ ଇଚ୍ଛା, ଆମ୍ଭେମାନେ ସେହିଠାରେ ନିବାସ କରିବୁଁ । ୯ । ଏହା ଦ୍ୱୈତବନ । ପୁଣ୍ୟଜଳା ସରୋବର ଏଠାରେ ଅଛି । ଫଳମୂଳ ଏଠାରେ ଅନେକ ଅଛି ଓ ନାନାବିଧ ପକ୍ଷୀ ଏଠାରେ ବାସ କରନ୍ତି । ଆପଣଙ୍କର ଯେବେ ସମ୍ମତି ହୁଏ, ତେବେ ଏହିଠାରେ ଦ୍ୱାଦଶ ବର୍ଷ କ୍ଷେପଣ କରିବା । ଯଦି ଆପଣଙ୍କର ଇଚ୍ଛା ନ ହୁଏ, ତେବେ ସ୍ଥାନାନ୍ତରେ ରହିବା । ୧୧ ।

 

ଯୁଧିଷ୍ଠିର ବୋଇଲେ–ହେ ଅର୍ଜୁନ ! ତୁମ୍ଭେ ଯାହା କହିଲ, ଆମ୍ଭର ମଧ୍ୟ ସେହି ଅଭିମତ । ଅତଏବ ଚାଲ, ଆମ୍ଭେମାନେ ସେହି ପୁଣ୍ୟସ୍ଥାନ ଓ ବିଖ୍ୟାତ ଦ୍ୱୈତବନର ସରୋବରକୁ ଗମନ କରିବା । ୧୨ । ବୈଶମ୍ପାୟନ ବୋଇଲେ, ତଦନନ୍ତର ଧର୍ମାତ୍ମା ପାଣ୍ଡବମାନେ ବହୁସଂଖ୍ୟକ ବ୍ରାହ୍ମଣମାନଙ୍କ ସମଭିବ୍ୟାହାରରେ ଦ୍ୱୈତବନର ପବିତ୍ର ସରୋବରକୁ ଯାତ୍ରା କଲେ । ୧୩ । ବ୍ରାହ୍ମଣଙ୍କ ମଧ୍ୟରୁ କେତେକ ବେଦଜ୍ଞ ଓ ଅଗ୍ନିହୋତ୍ରୀ, କେତେକ ସ୍ୱାଧ୍ୟାୟରତ ନିରଗ୍ନିକ, କେତେକ ଭିକ୍ଷୁ ଓ ଆଉ କେତେକ ବାନପ୍ରସ୍ଥ ଥିଲେ । ଏହି ସର୍ବପ୍ରକାର ବ୍ରାହ୍ମଣମାନେ ରାଜା ଯୁଧିଷ୍ଠିରଙ୍କୁ ବେଷ୍ଟନ କଲେ । ତତ୍‍ପରେ ସିଦ୍ଧି ଓ ସଂଶିତବ୍ରତ ଶତ ଶତ ବ୍ରାହ୍ମଣ ଆସି ଯୁଧିଷ୍ଠିରଙ୍କ ସହିତ ମିଳିତ ହେଲେ । ହେ ଭରତଶ୍ରେଷ୍ଠ ! ପାଣ୍ଡବମାନେ ବହୁସଂଖ୍ୟକ ବ୍ରାହ୍ମଣଙ୍କ ସହିତ ଗମନ କରି ପବିତ୍ର ଓ ରମଣୀୟ ଦ୍ୱୈତବନରେ ପ୍ରବିଷ୍ଟ ହେଲେ । ୧୬ ।

 

ଗ୍ରୀଷ୍ମକାଳ ଗତ ହୋଇ ବର୍ଷାକାଳର ପ୍ରାରମ୍ଭରେ ଶାଳ, ତାଳ, ଆମ୍ର, ମଧୁକ, ନୀପ, କଦମ୍ବ, ସର୍ଜ, ଅର୍ଜୁନ ଓ କର୍ଣ୍ଣିକାର ପ୍ରଭୃତି ପାଦପମାନେ ବନମଧ୍ୟରେ ପୁଷ୍ପଧାରୀ ହୋଇଥିବାର ରାଷ୍ଟ୍ରପତି ଯୁଧିଷ୍ଠିର ପରିଦର୍ଶନ କଲେ । ୧୭ । ମହାଦ୍ରୁମମାନଙ୍କ ଅଗ୍ରଭାଗରେ ମୟୂର, ବାୟୂହ ଓ ଚକୋର ପକ୍ଷୀମାନେ ଯୂଥ ଯୂଥ ହୋଇ ମନୋରମ ସ୍ୱରମାନଙ୍କୁ ଉଚ୍ଚାରଣ କରୁଅଛନ୍ତି । ୧୮ । ଆହୁରି ଦେଖିଲେ ଯେ, ହସ୍ତିନୀ ଯୂଥଙ୍କ ସହିତ ପର୍ବତସମ ମଦୋତ୍କଟ ହସ୍ତୀ ଯୂଥପତିମାନେ ଯଦୃଚ୍ଛା କ୍ରମେ ଇତସ୍ତତଃ ଭ୍ରମଣ କରୁଅଛନ୍ତି । ଅପରିମିତ ତେଜସ୍ୱୀ, ଧାର୍ମିକତମ ଯୁଧିଷ୍ଠିର ସେହି ବନରେ ମନୋରମ, ସରସ୍ୱତୀ ନଦୀ ତୀରରେ ଉପନୀତ ହୋଇ, କୌପୀନ ପରିଧାୟୀ ଜଟାଧର ପୁଣ୍ୟାତ୍ମା ଧର୍ମଶୀଳମାନଙ୍କ ନିବାସରେ ଅନେକ ସିଦ୍ଧ ଋଷିମାନଙ୍କୁ ମଧ୍ୟ ଦର୍ଶନ କଲେ । ୨୦ । ତଦନନ୍ତର ଅପରିମିତ ତେଜସ୍ୱୀ, ଧାର୍ମିକଶ୍ରେଷ୍ଠ ଯୁଧିଷ୍ଠିର ଭ୍ରାତାମାନଙ୍କ ସହିତ ଓ ସ୍ୱଜନ ସହିତ ରଥରୁ ଅବତରଣ କରି ଇନ୍ଦ୍ର ଯେପରି ସ୍ୱର୍ଗ ମଧ୍ୟରେ ପ୍ରବେଶ କରନ୍ତି, ତଦ୍ରୂପ ସେହି କାନନ ମଧ୍ୟରେ ପ୍ରବେଶ କଲେ । ୨୧ ।

 

ସିଦ୍ଧ, ଚାରଣ ଓ ବନବାସୀ ସମସ୍ତେ ସେହି ସତ୍ୟସନ୍ଧ ଯୁଧିଷ୍ଠିରଙ୍କୁ ଦର୍ଶନ କରିବା ନିମିତ୍ତ ଆଗମନ କଲେ ଓ ସେହି ମନସ୍ୱୀ ନରେନ୍ଦ୍ରସିଂହଙ୍କୁ ସମସ୍ତ ବନବାସୀ ବେଷ୍ଟନ କରି ଦଣ୍ଡାୟମାନ ହେଲେ । ୨୨ । ଧାର୍ମିକବର ଯୁଧିଷ୍ଠିର କର ଯୋଡ଼ି ନମସ୍କାର କରି ରାଜା ଓ ଦେବତା ଯେପରି ପୂଜ୍ୟ ହୁଅନ୍ତି, ସେହିପରି ସେମାନଙ୍କଦ୍ୱାରା ପ୍ରତିପୂଜିତ ହେଲେ ଓ ଦ୍ୱିଜମାନଙ୍କ ସହ କାନନ ମଧ୍ୟରେ ପ୍ରବେଶ କଲେ । ୨୩ । ପୁଣ୍ୟଶୀଳ ରାଜା ଯୁଧିଷ୍ଠିର ସ୍ୱକୀୟ ପିତା ପାଣ୍ଡୁଙ୍କ ସଦୃଶ ତପସ୍ୱୀମାନଙ୍କ ସହିତ ଗମନ କରି ଗୋଟିଏ ମହାନ ପୁଷ୍ପଧର ବୃକ୍ଷମୂଳରେ ଉପନୀତ ହେଲେ । ୨୪ । ଦ୍ରୌପଦୀ ଓ ଭରତକୁଳ ଇନ୍ଦ, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ଯୁଧିଷ୍ଠିରଙ୍କ ପଶ୍ଚାତ୍ ପଶ୍ଚାତ୍ ରଥରୁ ଓହ୍ଲାଇ ଶାନ୍ତ ହୋଇ ସେହି ସ୍ଥାନରେ ଉପବେଶନ କଲେ । ୨୫ । ବୃହତ୍ ପର୍ବତ ପାର୍ଶ୍ୱରେ ଯେପରି ମହାକାୟ ଯୂଥପତିମାନେ ଶୋଭା ପାଆନ୍ତି, ସେହିପରି ଲତାନିକରମଣ୍ଡିତ ଏହି ମହାଦ୍ରୁମ, ନିବାସାର୍ଥ ସମାଗତ ମହାତ୍ମା ପଞ୍ଚଧନୁର୍ଦ୍ଧରଙ୍କଦ୍ୱାରା ସୁଶୋଭିତ ହେଲା । ୨୬ ।

 

॥ ଅଧ୍ୟାୟ – ୨୫ ॥

 

ବୈଶମ୍ପାୟନ ବୋଇଲେ–ଇନ୍ଦ୍ରଙ୍କ ସଦୃଶ ସୁଖଭୋଗୋଚିତ ରାଜପୁତ୍ରମାନେ ସେହି କାନନକୁ ଆଗତ ହୋଇ, କଷ୍ଟପ୍ରଦ ବନବାସରେ ସୁଦ୍ଧା ସରସ୍ୱତୀ ନଦୀତଟରେ କଲ୍ୟାଣକର ସେହି ଶାଳବନରେ ସୁଖରେ ବିହାର କଲେ । ୧ । କୁରୁକୁଳପ୍ରଦୀପ ମହାନୁଭବ ରାଜା ଯୁଧିଷ୍ଠିର ସେହି ବନରେ ସମସ୍ତ ଯତି, ମୁନି ଓ ସ୍ୱଜାତିମାନଙ୍କୁ ଉତ୍ତମୋତ୍ତମ ଫଳମୂଳଦ୍ୱାରା ପରିତୃପ୍ତ କରିବାକୁ ଆରମ୍ଭ କଲେ । ୨ । ସମୃଦ୍ଧ, ତେଜସ୍ୱୀ ପୁରୋହିତ ଧୌମ୍ୟ ଋଷି ପିତାଙ୍କ ପରି ମହାରଣ୍ୟବାସୀ ପାଣ୍ଡବମାନଙ୍କର ଇଷ୍ଟିଯାଗ, ପିତୃ ଓ ଦୈବ କାର୍ଯ୍ୟମାନଙ୍କୁ ସେହି ବିପିନାଭ୍ୟନ୍ତରରେ ସମ୍ପାଦନ କଲେ । ୩ ।

 

ଏକଦା ସମୃଦ୍ଧ ଓ ତୀବ୍ରଚେତା ମାର୍କଣ୍ଡେୟ ନାମକ ପୁରାଣ ଋଷି, ରାଜ୍ୟଭ୍ରଷ୍ଟ ଓ ବନବାସୀ ପାଣ୍ଡୁତନୟମାନଙ୍କୁ ସଙ୍ଖୋଳିବା ନିମିତ୍ତ ଅତିଥିସ୍ୱରୂପ ସେମାନଙ୍କ ଆଶ୍ରମରେ ଅଭ୍ୟାଗତ ହେଲେ । ୪ । ଜ୍ୱଳିତ ହୁତାଶନସମ ତେଜସ୍ୱୀ ଓ ସୁରନରଋଷିପୂଜ୍ୟ ଓ ସମାଗତ ସେହି ମହାମୁନିଙ୍କୁ ଅନୁପମସତ୍ତ୍ୱ ଓ ବଳଶାଳୀ ମହାମନା କୁରୁକୁଳଶ୍ରେଷ୍ଠ ଯୁଧିଷ୍ଠିର ଯଥାଯୋଗ୍ୟ ପୂଜା କଲେ । ୫ । ଅପରିମିତ ତେଜସ୍ୱୀ ସର୍ବଜ୍ଞ ସେହି ମହାତ୍ମା, ପୁରାତନ ଋଷି ତପସ୍ୱୀଗଣଙ୍କ ମଧ୍ୟରେ ଦ୍ରୁପଦନନ୍ଦିନୀ କୃଷ୍ଣାଙ୍କୁ, ଯୁଧିଷ୍ଠିର, ଭୀମ, ଅର୍ଜୁନଙ୍କୁ ଓ ଦାଶରଥୀ ରାମଙ୍କୁ ମନେ ମନେ ସ୍ମରଣ କରି ଈଷତ୍ ହାସ୍ୟ କଲେ । ୬ । ତାହା ଦେଖି ଧର୍ମରାଜ କିଞ୍ଚିତ୍ ବିମନା ହୋଇ ମାର୍କଣ୍ଡେୟଙ୍କୁ ପଚାରିଲେ, ଏହିସବୁ ତପସ୍ୱୀ ଆମ୍ଭଙ୍କୁ ଦେଖି ସଲଜ୍ଜଭାବରେ ଅଛନ୍ତି । କେବଳ ଆପଣ ଏମାନଙ୍କ ସମକ୍ଷରେ ହୃଷ୍ଟପ୍ରାୟ ହୋଇ ହାସ୍ୟ କରୁଅଛନ୍ତି । ଏହାର କାରଣ କ’ଣ ? ୭ ।

 

ମାର୍କଣ୍ଡେୟ ବୋଇଲେ, ହେ ତାତ ! ଆମ୍ଭେ ଆପଣଙ୍କର ଏହି ଆପଦ ଦେଖି ହୃଷ୍ଟ ହୋଇ ହାସ୍ୟ କରି ନାହୁଁ, କି ହର୍ଷଜନିତ ଦର୍ପରେ ସୁଦ୍ଧା ଆମ୍ଭେ ଅହଂକାରୀ ହୋଇ ନାହୁଁ । କେବଳ ତୁମ୍ଭର ଆପଦ ଦେଖି ଅଦ୍ୟ ଆମ୍ଭର ରାମଚନ୍ଦ୍ରଙ୍କ ସ୍ମରଣ ହେଲା । ୮ । ହେ ପାର୍ଥ ! ପୂର୍ବକାଳରେ ସେହି ନରପତି ରାମଚନ୍ଦ୍ର ସୁଦ୍ଧା ପିତାଙ୍କ ଆଜ୍ଞାନୁସାରେ ବନବାସୀ ଓ ଧନୁର୍ଦ୍ଧାରୀ ହୋଇ ଲକ୍ଷ୍ମଣଙ୍କ ସହିତ ଋଷ୍ୟମୂକ ପର୍ବତରେ ବିଚରଣ କରୁଥିବାର ଦେଖିଥିଲୁ । ୯ । ପାପପରିହୀନ ସେହି ମହାତ୍ମା, ଯମର ନିଯୋଗ କର୍ତ୍ତା ଓ ନମୁଚି ନାମକ ଦାନବର ହନ୍ତା; ଅତଏବ ସେ ଦଶରଥଙ୍କ ପୁତ୍ର ଦେବରାଜ ଇନ୍ଦ୍ରଙ୍କ ସମାନ ହୋଇ ସୁଦ୍ଧା ପିତାଙ୍କ ନିର୍ଦ୍ଦେଶାନୁସାରେ ସ୍ୱକୀୟ କର୍ତ୍ତବ୍ୟ କର୍ମ ସମ୍ପାଦନ ନିମିତ୍ତ ବନବାସ ସ୍ୱୀକାର କରିଥିଲେ । ୧୦ । ସେହି ମହାନୁଭବ, ମହେନ୍ଦ୍ରସମ ପରାକ୍ରମଶାଳୀ, ସମରରେ ଅପରାଜେୟ ହୋଇ ସୁଦ୍ଧା ସମୁଦାୟ ସୁଖଭୋଗ ବିସର୍ଜନପୂର୍ବକ ବନବାସୀ ହୋଇଥିଲେ । ଅତଏବ ‘ଆମ୍ଭେ ବଳବାନ’ ବୋଲି ବିଚାର କରି ଅଧର୍ମାଚରଣ କରିବା କଦାପି କର୍ତ୍ତବ୍ୟ ନୁହେଁ । ୧୧ ।

 

ହେ ନରେନ୍ଦ୍ର ! ହେ ତାତ ! ନାଭାଗ ଓ ଭଗୀରଥ ପ୍ରଭୃତି ନରପତିମାନେ ସସାଗରା ପୃଥ୍ୱୀକୁ ଜୟ କରି ସତ୍ୟଦ୍ୱାରା ସ୍ୱର୍ଗସ୍ଥ ଲୋକମାନଙ୍କୁ ଜୟ କରିଥିଲେ । ଅତଏବ ବଳ ଅଛି ବୋଲି ଅଧର୍ମାଚରଣ କରିବ ନାହିଁ । ୧୨ । ହେ ନରେନ୍ଦ୍ର ! କାଶୀ ଓ କରୁଷ ଦେଶର ରାଜା ସାଧୁ ଚରିତ୍ର ଓ ସତ୍ୟନିଷ୍ଠ ଥିବାରୁ ରାଜ୍ୟ ଓ ଧନ ପରିତ୍ୟାଗ କରିଥିଲେ । ଅତଏବ “ଆମ୍ଭେ ବଳବାନ” ବୋଲି ଅଧର୍ମାଚରଣ କରିବା ବିଧେୟ ନୁହେଁ । ୧୩ । ହେ ନରଶ୍ରେଷ୍ଠ ପାର୍ଥ ! ବିଧାତା ଯାହାକୁ ଯେପରି ବିଧାନ କରିଅଛନ୍ତି, ସାଧୁସ୍ୱଭାବ ସପ୍ତଋଷିମାନେ ସୁଦ୍ଧା ପୁରାତନ ବାକ୍ୟାନୁସାରେ ସେହି ବିଧିକୁ ମାନ୍ୟକରି ଅନ୍ତରୀକ୍ଷରେ ଉଦିତ ହେଉଅଛନ୍ତି । ଅତଏବ ବଳ ଥିବାରୁ ଅଧର୍ମାଚାର କରିବାର ନୁହେଁ-। ୧୪ । ହେ ନରେନ୍ଦ୍ର ! ମହାବଳବାନ ଓ ପର୍ବତଶୃଙ୍ଗ ସଦୃଶ ବୃହତ୍ କଳେବର ଓ ଦୀର୍ଘଦନ୍ତୀ ଗଜମାନଙ୍କୁ ଦେଖ, ସେମାନେ ବିଧାତାଙ୍କ ନିଯୋଗାନୁସାରେ କାଳାତିପାତ କରୁଅଛନ୍ତି । ଅତଏବ ଆପଣଙ୍କୁ ବଳବନ୍ତ ମନେ କରି ଅଧର୍ମାଚରଣ କରିବା କର୍ତ୍ତବ୍ୟ ନୁହେଁ । ୧୫ । ହେ ନରେନ୍ଦ୍ର ! ସର୍ବପ୍ରାଣୀଙ୍କୁ ଦେଖ, ବିଧାତା ଯାହାକୁ ଯେପରି ନିର୍ମାଣ କରିଅଛନ୍ତି, ସେମାନେ ସେହିପରି ନିଜ ଜନ୍ମ ଓ ଜାତି ଅନୁକ୍ରମେ କାଳାତିବାହିତ କରୁଅଛନ୍ତି । ବଳ ଅଛି ବୋଲି ଅଧର୍ମ କରିବାର ନୁହେଁ । ୧୬ ।

 

ହେ ପାର୍ଥ ! ସତ୍ୟ, ଧର୍ମ ଓ ଯଥୋଚିତ ବୃତ୍ତି ଓ ଲଜ୍ଜାଦ୍ୱାରା ଆପଣଙ୍କର ଯଶଃ ଓ ତେଜ ବିଭାବସୁ ସୂର୍ଯ୍ୟଙ୍କ ପ୍ରାୟ ସର୍ବପ୍ରାଣୀଙ୍କୁ ଅତିକ୍ରମ କରି ପ୍ରଦୀପ୍ତ ହୋଇ ରହିଅଛି । ଅତଏବ ହେ ମହାନ୍‌ୁଭବ ! ଆପଣ ସ୍ୱୀୟ ପ୍ରତିଜ୍ଞାନୁସାରେ ଏହି କଷ୍ଟଦାୟକ ବନବାସକୁ ଅତିକ୍ରମ କରି ନିଜର ତେଜଦ୍ୱାରା କୌରବଙ୍କଠାରୁ ପ୍ରଦୀପ୍ତ ରାଜଲକ୍ଷ୍ମୀଙ୍କୁ ଆଦାନ କରିବା ହେବେ । ୧୮ । ବୈଶମ୍ପାୟନ ବୋଇଲେ, ମହର୍ଷି ମାର୍କଣ୍ଡେୟ ତପସ୍ୱୀମାନଙ୍କ ମଧ୍ୟରେ ସୁହୃନ୍ମଣ୍ଡଳୀସ୍ଥିତ ଯୁଧିଷ୍ଠିରଙ୍କୁ ଏହିପରି କହି, ଧୌମ୍ୟଙ୍କ ସହିତ ପୃଥାପୁତ୍ରମାନଙ୍କଠାରୁ ବିଦାୟ ଗ୍ରହଣ କରି, ଉତ୍ତର ଦିଗକୁ ଗମନ କଲେ । ୧୯-

 

॥ ଅଧ୍ୟାୟ – ୨୬ ॥

 

ବୈଶମ୍ପାୟନ ବୋଇଲେ, ମହାତ୍ମା ପାଣ୍ଡୁପୁତ୍ରମାନେ ଦ୍ୱୈତବନରେ ବାସ କରିବାରୁ ସେହି ମହାରଣ୍ୟ ବ୍ରାହ୍ମଣ ସମୂହରେ ପରିକୀର୍ଣ୍ଣ ହେଲା । ୧ । ବ୍ରାହ୍ମଣମାନେ ସର୍ବଦା ଓ ସର୍ବତ୍ର ବେଦଚାରଣ କରିବାରୁ ଦ୍ୱୈତବନ ସରୋବର ବ୍ରହ୍ମଲୋକସମ ପୁଣ୍ୟଶୀଳ ବୋଧ ହେଲା । ୨ । ଋକ୍‌, ଯଜୁଃ, ସାମ ଓ ଗଦ୍ୟମାନଙ୍କର ଉଚ୍ଚାରଣ ସ୍ୱନ ସର୍ବତ୍ର ହୃଦୟଙ୍ଗମ ହୋଇ ଶୁଣାଗଲା । ୩ । ପାଣ୍ଡବମାନଙ୍କର ଧନୁର୍ଗୁଣ ଶବ୍ଦ ଓ ବ୍ରାହ୍ମଣମାନଙ୍କର ବେଦଧ୍ୱନି ଏକତ୍ର ମିଶ୍ରିତ ହୋଇ ମନୋଜ୍ଞ ବୋଧ ହେଲା । ୪ ।

 

ଏକଦା ଦାଲଭ୍ୟ ବକ ଋଷି ସନ୍ଧ୍ୟା ସମୟରେ ଋଷିମାନଙ୍କଦ୍ୱାରା ବେଷ୍ଟିତ ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଲେ– ହେ ପାର୍ଥ ! କୁରୁଶ୍ରେଷ୍ଠ, ଏହି ଦ୍ୱୈତବନରେ ବ୍ରାହ୍ମଣମାନଙ୍କର ଓ ତପସ୍ୱୀମାନଙ୍କର ଏହି ହୋମବେଳାକୁ ବିଲୋକନ କର । ସମ୍ପ୍ରତି ପାବକ ପ୍ରଜ୍ୱଳିତ ହେଉଅଛି । ଆପଣଙ୍କଦ୍ୱାରା ସୁରକ୍ଷିତ ହୋଇ ଏହି ପୁଣ୍ୟକାଳରେ ଧର୍ମାଚରଣ କରୁଅଛନ୍ତି । ଭୃଗୁବଂଶୀୟ, ଅଙ୍ଗିରାବଂଶୀୟ, ବଶିଷ୍ଠବଂଶୀୟ କାଶ୍ୟପ ଗୋତ୍ରୀୟ, ଅଗସ୍ତ୍ୟ ଗୋତ୍ରର ଓ ଅତ୍ରିବଂଶୀୟ ଏହିପରି ଜଗତରେ ସର୍ବଶ୍ରେଷ୍ଠ ବଂଶୀୟ ବ୍ରାହ୍ମଣମାନେ ଆପଣଙ୍କ ସହିତ ଥାଇ ଧର୍ମାଚରଣ କରୁଅଛନ୍ତି । ୮-। ହେ ପାର୍ଥ ! ଆମ୍ଭେ କହୁଅଛୁ, ଭ୍ରତୃଗଣଙ୍କ ସହିତ ଆପଣ ଏହି ବଚନ ଶ୍ରବଣ କର । ୯ । ଯେପରି ଅଗ୍ନି ସହିତ ବାୟୁ ସଂଯୋଜିତ ହେଲେ ବନମାନେ ପ୍ରଦଗ୍ଧ ହୁଅନ୍ତି, ସେହିପରି କ୍ଷାତ୍ର ବଳରେ ବ୍ରହ୍ମତେଜଃ ସଂଯୁକ୍ତ ହେଲେ ଶତ୍ରୁମାନେ ପ୍ରଦଗ୍ଧ ହୁଅନ୍ତି । ୧୦ । ଅତଏବ ହେ ତାତ ! ଯେଉଁ ନରପତି ଇହଲୋକ ଓ ପରଲୋକକୁ ଜୟ କରିବାକୁ ବାଞ୍ଛା କରନ୍ତି, ସେ କଦାପି ବ୍ରାହ୍ମଣଙ୍କୁ ଛାଡ଼ି ରହନ୍ତି ନାହିଁ । ଧର୍ମାର୍ଥଯୁକ୍ତ ଓ ମୋହବିହୀନ ବ୍ରାହ୍ମଣମାନଙ୍କୁ ଲାଭ କରି ନୃପତିମାନେ ଶତ୍ରୁମାନଙ୍କୁ ପରାଜିତ କରନ୍ତି । ୧୧ । ବଳିରାଜା ପ୍ରଜାପାଳନ କରି ମୋକ୍ଷଲାଭ ନିମିତ୍ତ ବ୍ରାହ୍ମଣଙ୍କ ବ୍ୟତିରେକେ ଆଉ କୌଣସି ଉପାୟ ଜାଣି ନ ଥିଲେ । ତଦ୍ଦ୍ୱାରା ତାହାଙ୍କର କାମନା ପରିପୂର୍ଣ୍ଣ ହୋଇଥିଲା ଓ ଲକ୍ଷ୍ମୀ ଅକ୍ଷୟା ହୋଇଥିଲା । ବ୍ରାହ୍ମଣମାନଙ୍କ ଅନୁଷ୍ଠିତ କର୍ମଦ୍ୱାରା ସେ ପୃଥିବୀ ଲାଭ କରି, ପଶ୍ଚାତ୍ ସେ ବ୍ରାହ୍ମଣମାନଙ୍କ ପ୍ରତି ଅନିଷ୍ଟାଚରଣ କରିବାରୁ ବିନଷ୍ଟ ହେଲେ ।

 

ହେ ଭରତକୁଳଭୂଷଣ ! ବ୍ରାହ୍ମଣହୀନ କ୍ଷତ୍ରିୟକୁ ଏହି ଐଶ୍ୱର୍ଯ୍ୟଶାଳିନୀ ପୃଥ୍ୱୀ ଭଜନା କରେ ନାହିଁ । ନୀତିଶାସ୍ତ୍ରଦ୍ୱାରା ଯେଉଁ ଭୂପତିଙ୍କୁ ବ୍ରାହ୍ମଣ ଶିକ୍ଷିତ କରି ବିନୀତ କରନ୍ତି, ସମୁଦ୍ର ପରିଖାବୃତ୍ତଧରା ତାହାଙ୍କ ଠାରେ ଅବନତ ହୁଏ । ୧୪ । ମାହୁନ୍ତ ନ ଥିଲେ ସଂଗ୍ରାମ ସ୍ଥଳରେ ହସ୍ତୀ ଯେପରି ଅକର୍ମଣ୍ୟ ହୁଏ, ତଦ୍ରୂପ ବ୍ରାହ୍ମଣବିହୀନ କ୍ଷତ୍ରିୟ ହୀନବଳ ହୁଏ । ୧୫ । ନୀତି ବିଷୟରେ ବ୍ରାହ୍ମଣଙ୍କର ଅନୁପମ ଦୃଷ୍ଟି ଓ ଯୁଦ୍ଧରେ କ୍ଷତ୍ରିୟମାନଙ୍କର ଅପ୍ରତିମ ବଳ, ଏହି ହେତୁରୁ ବ୍ରାହ୍ମଣ କ୍ଷତ୍ରିୟ ଦୁହେଁ ମିଳିତ ହୋଇ ଯେଉଁ କାର୍ଯ୍ୟ କରନ୍ତି, ତହିଁରେ କେହି ଅସନ୍ତୁଷ୍ଟ ହୁଏ ନାହିଁ । ୧୬ । ଅଗ୍ନି ଯେପରି ବାୟୁ ସାହାଯ୍ୟରେ ତୃଣ କାଷ୍ଠ ପ୍ରଭୃତି ମହାନ ସଞ୍ଚୟକୁ ଦଗ୍ଧ କରେ, ସେହିପରି ମହାନ କ୍ଷତ୍ରିୟ ବ୍ରାହ୍ମଣ ସାହାଯ୍ୟରେ ଶତ୍ରୁମାନଙ୍କୁ ଦହନ କରେ । ୧୭ ।

 

କ୍ଷତ୍ରିୟମାନଙ୍କ କର୍ତ୍ତବ୍ୟ ଯେ, ଅଲବ୍ଧ ଧନର ଲାଭ ଓ ଲବ୍ଧ ଧନର ବୃଦ୍ଧି ନିମିତ୍ତ ବ୍ରାହ୍ମଣ ଠାରୁ ନୀତି ବୁଦ୍ଧି ଶିକ୍ଷା କରିବେ । ୧୮ । ଅତଏବ ଆପଣ ମଧ୍ୟ ଅଲବ୍ଧ ଧନର ଲାଭ ଓ ଲବ୍ଧ ସମ୍ପତ୍ତିର ବୃଦ୍ଧି ଓ ସମସ୍ତ ଧନର ଯଥାଯୋଗ୍ୟ ପାତ୍ରରେ ପ୍ରତିପାଦନ ନିମିତ୍ତ ବେଦଜ୍ଞ, ବହୁଦର୍ଶୀ, ଯଶସ୍ୱୀ, ପଣ୍ଡିତ, ବ୍ରାହ୍ମଣମାନଙ୍କୁ ନିକଟରେ ରଖନ୍ତୁ । ୧୯ । ହେ ଯୁଧିଷ୍ଠିର ! ବ୍ରାହ୍ମଣମାନଙ୍କଠାରେ ଆପଣଙ୍କର ସର୍ବଦା ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧା ଅଛି । ଏହି ହେତୁରୁ ତ୍ରିଭୁବନ ମଧ୍ୟରେ ଆପଣଙ୍କର ଯଶଃ ପ୍ରଦୀପ୍ତ ଓ ପ୍ରଥିତ ହୋଇଅଛି । ୨୦ ।

 

ବୈଶମ୍ପାୟନ ବୋଇଲେ–ଅନନ୍ତର ଯୁଧିଷ୍ଠିରଙ୍କ ପାର୍ଶ୍ୱବର୍ତ୍ତୀ ବ୍ରାହ୍ମଣମାନେ ଦାଲଭ୍ୟ ଋଷିଙ୍କୁ ବିଶେଷ ପ୍ରଶଂସା କଲେ ଓ ତାହାଙ୍କଠାରୁ ଯୁଧିଷ୍ଠିରଙ୍କ ପ୍ରଶଂସା ଶୁଣି ପ୍ରସନ୍ନ ଚିତ୍ତ ହେଲେ । ୨୧ । ଋଷିମାନେ ଯେପରି ଇନ୍ଦ୍ରଙ୍କର ଅର୍ଚ୍ଚନା କରନ୍ତି, ସେହିପରି ଦ୍ୱୈପାୟନ, ନାରଦ,ଯାମଦଗ୍ନ୍ୟ, ପୃଥୁଶ୍ରବା, ଇନ୍ଦ୍ରଦ୍ୟୁମ୍ନ, ଭାଲୁକି, କୃତଚେତାଃ, ସହସ୍ରପାତ, କର୍ଣ୍ଣଶ୍ରବାଃ, ମୁଞ୍ଜ, ଲବଣାଶ୍ୱ, କାଶ୍ୟପ, ହାରିତ, ସ୍ଥୂଳକର୍ଣ୍ଣ, ଅଗ୍ନିବେଶ୍ୟ, ଶୌନକ, କୃତବାକ୍‌, ସୁବାକ୍‌, ବୃହଦଶ୍ୱ, ବିଭାବସୁ, ଊର୍ଦ୍ଧ୍ୱରେତାଃ; ବୃଷାମିତ୍ର; ସୁହୋତ୍ର, ହୋତ୍ରବାହନ ଓ ଅନ୍ୟାନ୍ୟ ପ୍ରଶଂସିତବ୍ରତ ଅନେକ ବ୍ରାହ୍ମଣ ଅଜାତଶତ୍ରୁ ଯୁଧିଷ୍ଠିରଙ୍କୁ ଅର୍ଚ୍ଚନା କଲେ । ୨୫ ।

 

Unknown

॥ ଅଧ୍ୟାୟ – ୨୭ ॥

 

ବୈଶମ୍ପୟାନ ବୋଇଲେ– ଅନନ୍ତର ଦୁଃଖ ଓ ଶୋକରେ ଅଭିଭୂତ ପାଣ୍ଡବମାନେ ସନ୍ଧ୍ୟା ସମୟରେ ଦ୍ରୌପଦୀଙ୍କ ସହିତ ବସି ପରସ୍ପର କଥୋପକଥନ ଆରମ୍ଭ କଲେ । ୧ । ଦ୍ରୌପଦୀ ପରମାସୁନ୍ଦରୀ, ପତିବ୍ରତା ଓ ପଣ୍ଡିତା ଯୁଧିଷ୍ଠିରଙ୍କୁ ସମ୍ବୋଧନପୂର୍ବକ କହିଲେ–ହେ ମହାରାଜ ! ଧୃତରାଷ୍ଟ୍ରସୁତ କ୍ରୂର ସ୍ୱଭାବ, ପାପୀ, ଦୁଷ୍ଟାତ୍ମା, ଦୁର୍ମତି, ଦୁର୍ଯ୍ୟୋଧନ ଯେଉଁ ସ୍ଥଳେ ଆପଣଙ୍କୁ ଓ ଆମ୍ଭଙ୍କୁ ବନକୁ ପ୍ରେରଣ କରି ମୃଗଚର୍ମରେ ଶୁଆଇ ସୁଦ୍ଧା ଅନୁତାପ କରି ନାହିଁ, ସେ ସ୍ଥଳେ ନିଶ୍ଚୟ ବୋଧ ହେଉଅଛି ଯେ, ଆମ୍ଭ ଦୁଃଖରେ ତାହାର କିଛିମାତ୍ର ଦୁଃଖ ହେଉ ନାହିଁ । ୪ । ଆପଣ ତାହାର ଜ୍ୟେଷ୍ଠଭ୍ରାତା, ବିଶେଷରେ ଧର୍ମପରାୟଣ, ସେହି ଦୁଷ୍କର୍ମଶୀଳ ଦୁର୍ଯ୍ୟୋଧନ ଆପଣଙ୍କୁ ଯେଉଁ ସ୍ଥଳେ ବନପ୍ରୟାଣ ସମୟରେ ତାଦୃଶ ନିଷ୍ଠୁର ବାକ୍ୟ ଶୁଣାଇଅଛି, ସେ ସ୍ଥଳେ ନିଶ୍ଚୟ ବୋଧ ହେଉଅଛି, ତାହାର ହୃଦୟ ଲୌହରେ ନିର୍ମିତ । ୫ । ଆପଣଙ୍କ ସଦୃଶ ବ୍ୟକ୍ତିଙ୍କୁ ଯେ କି ସୁଖ ଭୋଗର ଯୋଗ୍ୟ ଓ ଦୁଃଖ ଭୋଗର ଏକାନ୍ତ ଅଯୋଗ୍ୟ ସେ ଦୁଷ୍ଟାଶ୍ରୟ ପାପୀ ଦୁର୍ଯ୍ୟୋଧନ ଦୁଃଖମଗ୍ନ କରାଇ ସୁହୃଦ୍‌ଗଣଙ୍କ ସହିତ ଆମୋଦରେ ପ୍ରମତ୍ତ ଅଛି । ୬ ।

 

ହେ ଭାରତ ! ଆପଣ ଯେତେବେଳେ ଚର୍ମ ପରିଧାନ କରି ବନବାସ ନିମିତ୍ତ ଯାତ୍ରା କଲେ, ତେତେବେଳେ ଦୁଷ୍ଟାତ୍ମା ଦୁର୍ଯ୍ୟୋଧନ କର୍ଣ୍ଣ, ଶକୁନି ଓ ଦୁର୍ଯ୍ୟୋଧନର ଦୁଃଭାତା ଦୁଷ୍ଟସ୍ୱଭାବ ଦୁଃଶାସନ ଏହି ଚାରିଜଣଙ୍କ ନୟନରୁ ଦୁଃଖାଶ୍ରୁ ନିପତିତ ହୋଇ ନାହିଁ । ତଦ୍ଭିନ୍ନ ସମୁଦାୟ କୁରୁବଂଶୀୟ ଦୁଃଖରେ ସନ୍ତପ୍ତ ହୋଇଥିଲେ, ତାହାଙ୍କ ନୟନରୁ ଜଳ ଗଳିତ ହୋଇଥିଲା । ୯ । ମହାରାଜ ! ଆପଣ ସୁଖଭୋଗୀ ଓ ଦୁଃଖଭୋଗର ନିତାନ୍ତ ଅଯୋଗ୍ୟ । ଆପଣଙ୍କର ବସିବାର ଆସନ ଓ ଶଯ୍ୟା ପୂର୍ବେ ଦେଖିଥିଲୁ ଓ ବର୍ତ୍ତମାନ ମଧ୍ୟ ଦେଖୁଅଛୁ । ହାୟ ! ଆପଣଙ୍କ ଶଯ୍ୟାଦି ମୋର ଅନ୍ତଃକରଣକୁ ଅତ୍ୟନ୍ତ ଶୋକାକୁଳିତ କରୁଅଛି । ୧୦ । ସଭା ମଧ୍ୟରେ ଗଜଦନ୍ତ ବିନିର୍ମିତ ରତ୍ନମଣ୍ଡିତ ସେହି ଆସନ ଓ କୁଶନିର୍ମିତ ଏହି ଆସନକୁ ଦେଖି ଆମ୍ଭର ଚିତ୍ତ ଶୋକରେ ବିମୋହିତ ହେଉଅଛି । ୧୧ । ହେ ରାଜନ୍‌ ! ପୂର୍ବେ ସଭା ମଧ୍ୟରେ ଆପଣଙ୍କୁ ରାଜବେଷ୍ଟିତ ଦେଖି, ବର୍ତ୍ତମାନ ଆପଣଙ୍କୁ ଶୂନ୍ୟ ଦେଖି ମୋ ମନରେ କି କଦାପି ଶାନ୍ତିର ଉଦୟ ହୋଇପାରେ ? । ୧୨ ।

 

ହେ ଭାରତ ! ଆପଣଙ୍କର ସୂର୍ଯ୍ୟ ତେଜଃପୁଞ୍ଜ ସମାନ ଯେଉଁ ଶରୀରକୁ ଚନ୍ଦନଚର୍ଚ୍ଚିତ ଦେଖୁଥିଲି, ସେହି ଶରୀରକୁ ବର୍ତ୍ତମାନ ପଙ୍କ ଓ ମଳାକୀର୍ଣ୍ଣ ଦେଖି ମୋହର ଅନ୍ତଃକରଣ କାହିଁପାଇଁ ମହା ଆକୁଳିତ ନୋହିବ ? । ୧୩ । ହେ ନରେନ୍ଦ୍ର ! ପୂର୍ବେ ମୁଁ ଆପଣଙ୍କୁ ଶୁଭ୍ର କୌଶିକ ‘ବସ୍ତ୍ରରେ ଆଚ୍ଛାଦିତ ଦେଖୁଥିଲି, ବର୍ତ୍ତମାନ ସେହି ମୁଁ ଆପଣଙ୍କୁ ଚିରାବସ୍ତ୍ର ଖଣ୍ଡିଏ ପିନ୍ଧିବାର ଦେଖୁଅଛି । ହେ ପ୍ରଭୁ ! ନରପାଳ ! ଆପଣଙ୍କ ଗୃହରୁ ଯେ ସହସ୍ର ସହସ୍ର ବ୍ରାହ୍ମଣମାନଙ୍କ ନିମିତ୍ତ ବହୁବିଧ ସୁବର୍ଣ୍ଣ ପାତ୍ରରେ ଇଚ୍ଛାନୁରୂପ ସଂସ୍କୃତ ଆହାର ଆହୃତ ହେଉଥିଲା, ଯତି ବ୍ରହ୍ମଚାରୀ ଓ ଗୃହମେଧୀମାନଙ୍କୁ ଯେଉଁ ଗୁଣକାରୀ ସୁସ୍ୱାଦୁ ଅନ୍ନ ପ୍ରଦାନ କରା ହେଉଥିଲା, ଆପଣ ପୂର୍ବେ ଗୃହରେ ଥାଇ ସହସ୍ର ସହସ୍ର ପରିବେଷଣ ପାତ୍ରସବୁ ଅଭିଳାଷାନୁରୂପ ଦ୍ରବ୍ୟଦ୍ୱାରା ପ୍ରତ୍ୟହ ସତ୍‍କୃତ କରୁଥିଲେ ଓ ବ୍ରାହ୍ମଣମାନଙ୍କର ସର୍ବକାମନା ପୂର୍ଣ୍ଣ କରି ପୂଜା କରୁଥିଲେ, ଏବେ ସେ ସବୁକୁ ନ ଦେଖି ମୋ ମନରେ କିପରି ଶାନ୍ତି ଜାତ ହୋଇପାରେ ?

 

ମହାରାଜ ! ଆପଣଙ୍କର ଏହି ଭ୍ରାତାମାନେ ଯେ କି କଦାପି ଦୁଃଖ ଭୋଗର ଯୋଗ୍ୟ ନୁହନ୍ତି ଓ ଯେଉଁମାନଙ୍କୁ ମାର୍ଜିତ କୁଣ୍ଡଳଧାରୀ ଯୁବା ସୂପକାର ନିଚୟ ଅତି ଉତ୍କୃଷ୍ଟ, ସଂସ୍କୃତ, ମିଷ୍ଟାନ୍ନ ଭୋଜନ କରାଉଥିଲେ, ସେହି ଭ୍ରାତାମାନଙ୍କୁ ଅଦ୍ୟ ବନ ମଧ୍ୟରେ ବନ ଫଳମୂଳଜୀବୀ ଦେଖି ମୋର ମନ କଦାପି ଶାନ୍ତି ହେଉ ନାହିଁ । ୧୯ । ଏହି ଭୀମସେନଙ୍କୁ ବନବାସୀ ଓ ଦୁଃଖିତ ଦେଖି ଆପଣଙ୍କ ମନରେ ଏହି ସମୟରେ ସୁଦ୍ଧା କି କ୍ରୋଧ ବୃଦ୍ଧି ହେଉ ନାହିଁ ? ସୁଖଭୋଗୀ ଅପ୍ରତିମ ବୀର ଭୀମସେନ କାହାରି ସାହାଯ୍ୟ ନ ଲୋଡ଼ି ସ୍ୱୟଂ କାର୍ଯ୍ୟ ସାଧନ କରନ୍ତି । ଏହାଙ୍କୁ ଦୁଃଖିତ ଦେଖି ଆପଣଙ୍କ ମନରେ କି ହେତୁରୁ କ୍ରୋଧ ବୃଦ୍ଧି ହେଉ ନାହିଁ ? ଯେ ସର୍ବଦା ବିବିଧ ଯାନ ଓ ବହୁତ ଉତ୍କୃଷ୍ଟ ବସନ ଭୂଷଣରେ ସଜ୍ଜିତ ହେଉଥିଲେ, ସେହି ବୃକୋଦରଙ୍କୁ ବନଚାରୀ ଦେଖି ଆପଣଙ୍କର କି ହେତୁରୁ କ୍ରୋଧ ବୃଦ୍ଧି ହେଉ ନାହିଁ ? ଏହି ବୃକୋଦର ସର୍ବ ବିଷୟରେ ସମର୍ଥ । ସଂଗ୍ରାମରେ ଏ ସମୁଦାୟ କୁରୁକୁଳକୁ ବିନାଶ କରିବାକୁ ଉତ୍ସାହୀ ହୁଅନ୍ତି; କିନ୍ତୁ ଆପଣଙ୍କ ପ୍ରତିଜ୍ଞାକୁ ମାନ୍ୟକରି ଏହି ଦୁଃଖ ସହ୍ୟ କରୁଅଛନ୍ତି ।

 

ହେ ମହାରାଜ ! ଯେ ସ୍ୱୟଂ ଦ୍ୱିବାହୁ ହୋଇ ସୁଦ୍ଧା ଶରଯୁଦ୍ଧରେ ଶୀଘ୍ରହସ୍ତତା-ପ୍ରଯୁକ୍ତ ସହସ୍ରବାହୁ କାର୍ତ୍ତବୀର୍ଯ୍ୟଙ୍କ ସମାନ, ଯେ ଶତ୍ରୁମାନଙ୍କର କାଳାନ୍ତକ ସମାନ, ଯାହାଙ୍କ ଶସ୍ତ୍ର ପ୍ରତାପରେ ସମୁଦାୟ ରାଜଗଣ ପ୍ରଣତ ହୋଇ ଆପଣଙ୍କ ଯଜ୍ଞରେ ବ୍ରାହ୍ମଣମାନଙ୍କର ପରିଚର୍ଯ୍ୟା କରିଥିଲେ ଓ ଦେବଦାନବମାନେ ସୁଦ୍ଧା ଯାହାଙ୍କର ସର୍ବଦା ପୂଜା କରନ୍ତି, ଏତାଦୃଶ ପୁରୁଷଶ୍ରେଷ୍ଠ ଅର୍ଜୁନଙ୍କୁ ଆପଣ ଚିନ୍ତିତ ଦେଖି କି ହେତୁରୁ କ୍ରୋଧ କରୁନାହାନ୍ତି ? ଯେ ଅର୍ଜୁନ ଏକ ରଥରେ ବସି ଦେବ, ଦାନବ ଓ ନାଗମାନଙ୍କୁ ଜୟ କରିଥିଲେ, ତାହାଙ୍କୁ ବନବାସୀ ଦେଖି କି ହେତୁରୁ ଆପଣଙ୍କ ମନରେ କ୍ରୋଧଜାତ ହେଉ ନାହିଁ । ୨୮ । ଯେଉଁ ପରନ୍ତପ ଅଦ୍ଭୁତାକାର ରଥ, ଅଶ୍ୱ ଓ ହସ୍ତୀନିକର ସଙ୍ଗରେ ଘେନି ମହିପତିମାନଙ୍କ ଠାରୁ ବଳପୂର୍ବକ ଅର୍ଥ ଗ୍ରହଣ କରିଥିଲେ ଓ ଯେ ଏକାବେଳକେ ପଞ୍ଚଶତଶର ମୋଚନ କରିପାରନ୍ତି, ସେହି ଅର୍ଜୁନକୁ ବନବାସୀ ଦେଖି କି କାରଣରୁ ଆପଣଙ୍କ ମନରେ କ୍ରୋଧ ବୃଦ୍ଧି ହେଉ ନାହିଁ । ୩୦ ।* ଚର୍ମୀଙ୍କ ଶ୍ରେଷ୍ଠ, ଶ୍ୟାମରୂପ, ତରୁଣ ଓ ବୃହତ୍‌କାୟ ନକୁଳକୁ ବନଚାରୀ ଦେଖି କି ହେତୁରୁ ଆପଣଙ୍କର ମନ୍ୟୁ ବୃଦ୍ଧି ହେଉ ନାହିଁ ? ହେ ପାର୍ଥିବ ଯୁଧିଷ୍ଠିର ! ସୁନ୍ଦର ଓ ଶୂର ମାଦ୍ରୀସୁତ ସହଦେବଙ୍କୁ ବନରେ ଦେଖି ଆପଣ କି ହେତୁରୁ କ୍ଷମାଚରଣ କରୁଅଛନ୍ତି ? ନକୁଳ, ସହଦେବ ଏତାଦୃଶ ଦୁଃଖର ଅଯୋଗ୍ୟ ଓ ସୁଖାର୍ହ ଅଟନ୍ତି । ହେ ମନୁଷ୍ୟେନ୍ଦ୍ର-! ଏହାକୁ ଦେଖି କି ନିମିତ୍ତ ଆପଣଙ୍କ ମନ୍ୟୁ ବୃଦ୍ଧି ହେଉ ନାହିଁ । ୩୩ ।

 

[* ଯେଉଁମାନେ ଢାଲ ତଲବାର ଖେଳନ୍ତି ତାହାକୁ ଚର୍ମୀ କୁହାଯାଏ ।]

 

ହେ ପାର୍ଥିବ ! ଦ୍ରୁପଦ କୁଳରେ ଆମ୍ଭର ଜନ୍ମ । ଆମ୍ଭେ ପାଣ୍ଡୁଙ୍କର ପୁତ୍ରବଧୂ । ଧୃଷ୍ଟଦ୍ୟୁମ୍ନଙ୍କ ଭଗିନୀ ଓ ବୀରମାନଙ୍କର ଅନୁବ୍ରତା ପତ୍ନୀ, ମୋତେ ବନରେ ଥିବାର ଦେଖି କି କାରଣ କ୍ଷମା ଦେଉ ନାହାନ୍ତି । ୩୫ । ହେ ଭରତସତ୍ତମ ! ଆପଣଙ୍କର ଭ୍ରାତାମାନଙ୍କର ଓ ଆମ୍ଭର ଏହି ଦୁରବସ୍ଥା ଦେଖି ସୁଦ୍ଧା ଆପଣଙ୍କର ମନୋମଧ୍ୟରେ ବ୍ୟଥା ହେଉ ନାହିଁ । ଏଥିରୁ ଜଣାଯାଉଅଛି ଯେ, ନିଶ୍ଚୟ ଆପଣଙ୍କର ମନ୍ୟୁ ନାହିଁ । ୩୬ । ଲୋକରେ କହନ୍ତି ଯେ, କ୍ଷତ୍ରିୟ ହୋଇ ନିକ୍ରୋଧୀ ନାହିଁ । ପରନ୍ତୁ ଅଦ୍ୟ ଆମ୍ଭେ ବିପରୀତ ଦେଖିଲୁ ଯେ, ତୁମ୍ଭେ କ୍ଷତ୍ରିୟ ହୋଇ ତୁମ୍ଭର କ୍ରୋଧ ନାହିଁ । ୩୭ ।

 

ହେ ପାର୍ଥିବ ! ସମୟ ଉପସ୍ଥିତ ହେଲେ ଯେଉଁ କ୍ଷତ୍ରିୟ ସ୍ୱକୀୟ ତେଜକୁ ପ୍ରକାଶ ନ କରେ, ପ୍ରାଣୀମାନେ ତାହାକୁ ପରିଭବ କରନ୍ତି । ୩୮ । ଅତଏବ ଶତ୍ରୁଙ୍କ ପ୍ରତି ତୁମ୍ଭର କ୍ଷମା କରିବା କଦାପି କର୍ତ୍ତବ୍ୟ ନୁହେଁ । ନିଜର ତେଜଦ୍ୱାରା ସେମାନେ ନିହତ ହୁଅନ୍ତି, ଏଥିରେ ସଂଶୟ ନାହିଁ । ୩୯ । ପୁନଶ୍ଚ କ୍ଷମା ଦେବାବେଳେ ଯେଉଁ କ୍ଷତ୍ରିୟ କ୍ଷମାଚରଣ ନ କରେ, ସେ ସର୍ବ ପ୍ରାଣୀମାନଙ୍କର ଅପ୍ରିୟ ହୁଏ ଓ ଇହଲୋକ ପରଲୋକ ଦୁଇଠାରେ ନଷ୍ଟ ହୁଏ ।

 

॥ ଅଧ୍ୟାୟ – ୨୮ ॥

 

ପୁନଶ୍ଚ ଦ୍ରୌପଦୀ କହିଲେ, ପ୍ରହ୍ଲାଦଙ୍କର ଓ ବିରୋଚନଙ୍କ ପୁତ୍ର ବଳୀଙ୍କର ଗୋଟିଏ ପୁରାତନ ସମ୍ବନ୍ଧ ଅଛି । ରାଜା ବଳୀ ଦିନେ ସ୍ୱକୀୟ ପିତାମହ ମହାପ୍ରାଜ୍ଞ ପରମଧାର୍ମିକ ଦୈତ୍ୟେନ୍ଦ୍ର ପ୍ରହ୍ଲାଦଙ୍କୁ ପଚାରିଲେ । ବଳୀ ବୋଇଲେ– ହେ ତାତ, କ୍ଷମା ଶ୍ରେୟସ୍କର ନା ତେଜ ଶ୍ରେୟସ୍କର ? ଏଥିରେ ମୋର ସଂଶୟ ଅଛି । ମୁଁ ପଚାରୁଅଛି, ମୋତେ ବୋଲିବା ହେଉନ୍ତୁ । ହେ ଧର୍ମଜ୍ଞ ! ଏ ଦୁଇଥିରୁ ଯହିଁରେ ଶ୍ରେୟ ହୁଏ, ତାହା ନିଃସନ୍ଦେହରେ ମୋତେ କହିବା ହେଉନ୍ତୁ । ଆପଣ ଯେପରି ଅନୁଶାସନ କରିବା ହେବେ, ମୁଁ ତଦନୁରୂପ କାର୍ଯ୍ୟ କରିବି । ସର୍ବନିଶ୍ଚୟବେତ୍ତା ଓ ପ୍ରାଜ୍ଞ ପିତାମହ ଉକ୍ତ ପ୍ରକାରେ ପୃଷ୍ଟ ହୁଅନ୍ତେ ବଳୀଙ୍କୁ ସବୁ ଉତ୍ତର ଦେଲେ । ୫ ।

 

ପ୍ରହ୍ଲାଦ ବୋଇଲେ, ହେ ତାତ ! ତେଜ ସର୍ବଦା ଶ୍ରେୟସ୍କର ନୁହେଁ କି କ୍ଷମା ସବୁବେଳେ ଶ୍ରେୟସ୍କର ନୁହେଁ । ଏ ଦୁଇ ବିଷୟ ଆମ୍ଭେ ଯେପରି କହୁଅଛୁ, ତାହା ତୁମ୍ଭେ ଜାଣିବ । ୬ । ହେ ତାତ, ଯେ ସର୍ବଦା କ୍ଷମା କରେ ତାହାର ବହୁ ଦୋଷ ହୁଏ । ତାହାର ଭୃତ୍ୟମାନେ ସୁଦ୍ଧା ତାହାକୁ ପରାଭବ ଦିଅନ୍ତି ଓ ଶତ୍ରୁମାନେ ତାହାକୁ ତୁଚ୍ଛ ଜ୍ଞାନ କରନ୍ତି । ଅତଏବ ହେ ତାତ ! ପଣ୍ଡିତମାନେ କହିଅଛନ୍ତି ଯେ, ସର୍ବଦା କ୍ଷମାଦେବା ବିହିତ ନୁହେଁ । ୮ । ତାହାର ଭୃତ୍ୟମାନେ ସୁଦ୍ଧା ତାହାକୁ ଅବଜ୍ଞା କରନ୍ତି, ବହୁ ଦୋଷଯୁକ୍ତ ହୁଅନ୍ତି । ସେହି କ୍ଷୁଦ୍ରାଶୟ ଭୃତ୍ୟମାନେ ତାହାର ଯାନ, ବସ୍ତ୍ର, ଅଳଙ୍କାର, ଆସନ, ଭୋଜନ ଦ୍ରବ୍ୟ ଓ ପାନୀୟ ପ୍ରଭୃତି ସମସ୍ତ ଉପକରଣମାନ ଗ୍ରହଣ କରନ୍ତି ଓ ଅଧିକାରୀ ଯାହାକୁ ଯାହା ଅନୁମତି ଦିଅନ୍ତି ତାହା ଦିଅନ୍ତି ନାହିଁ । ୧୧ । ଅପରନ୍ତୁ ସେହି ଭୃତ୍ୟମାନେ ନିଜ ଭର୍ତ୍ତାଙ୍କର ଯଥାଯୋଗ୍ୟ ସେବା କରନ୍ତି ନାହିଁ । ଏପରି ଅବଜ୍ଞାତ ହୋଇ ରହିବା ଅପେକ୍ଷା ମରଣ ଶ୍ରେୟସ୍କର । ୧୨ । ହେ ତାତ ! ସେହି କ୍ଷମାଶୀଳ ସ୍ୱାମୀଙ୍କ ପ୍ରତି କଟୂକ୍ତି ପ୍ରୟୋଗ କରନ୍ତୁ ।

 

ଦୂତ, ଭୃତ୍ୟ ଓ ଅପରାପର ବ୍ୟକ୍ତିମାନେ ସୁଦ୍ଧା ସେ କ୍ଷମାକାରୀଙ୍କର ପତ୍ନୀମାନଙ୍କୁ ହରଣ କରିବାର ଇଚ୍ଛା କରନ୍ତି । ସେହି ନିର୍ବୁଦ୍ଧିଙ୍କର ସ୍ତ୍ରୀମାନେ ମଧ୍ୟ ଯଥେଚ୍ଛାଚରଣ କରନ୍ତି । ଏହି ପ୍ରକାରେ ପ୍ରଭୁ ଯେବେ ଅଳ୍ପ ଦଣ୍ଡ ସୁଦ୍ଧା ନ ଦିଅନ୍ତି, ତେବେ ସେହି ଦୁଷ୍ଟ ବ୍ୟକ୍ତିମାନେ ନିତ୍ୟ ଆମୋଦ ପ୍ରମୋଦରେ କାଳାତିପାତ କରନ୍ତି ଓ ପ୍ରଭୁଙ୍କର ଅପକାର କରିବାରେ ପ୍ରବୃତ୍ତ ହୁଅନ୍ତି । ୧୫ । ହେ ବିରୋଚନପୁତ୍ର ! କ୍ଷମାଶୀଳ ବ୍ୟକ୍ତିଙ୍କର ଯେଉଁ ଦୋଷ ହୁଏ, ତାହା କହିଲୁ । ଏବେ ଯେ କ୍ଷମା ନ ଦିଅନ୍ତି ତାହାଙ୍କର କି ଦୋଷ ଘଟେ, ତାହା କହୁଅଛୁ ଶ୍ରବଣ କର । ୧୬ ।

 

ଦଣ୍ଡର ଯୋଗ୍ୟ ହେଉ ବା ନ ହେଉ, ପ୍ରାଣୀ ପ୍ରତି ଯେ ସର୍ବଦା କ୍ରୁଦ୍ଧ ହୋଇଥାନ୍ତି, ସେ ନାନାପ୍ରକାର ଦଣ୍ଡବିଧାନ କରନ୍ତି । ସେ କ୍ରୁଦ୍ଧ ହୋଇଥିବାରେ ଅଗ୍ରେ ମିତ୍ରଙ୍କ ସହିତ ତାହାଙ୍କର ବିରୋଧ ହୁଏ । ନିଜେ ନିଜଠାରୁ ଓ ପରଙ୍କଠାରୁ ସୁଦ୍ଧା ଶତ୍ରୁତା ପ୍ରାପ୍ତ ହୁଅନ୍ତି । ୧୮ । ସେହି ପ୍ରାଣୀ କ୍ରୋଧାଭିଭୂତ ହେବାରୁ ଲୋକଙ୍କର ଅବମାନନା କରନ୍ତି । ଏହି କାରଣରୁ ସେ ଅର୍ଥହାନି, ଭର୍ତ୍ସନା, ଅନାଦର, ମନସ୍ତାପ, ଦ୍ୱେଷ ଓ ମୋହ ପ୍ରାପ୍ତ ହୁଅନ୍ତି, ଅଥଚ ସମସ୍ତେ ତାହାଙ୍କଠାରେ ଶତ୍ରୁତାଚରଣ କରନ୍ତି । ୧୯ । ମନୁଷ୍ୟମାନଙ୍କଠାରେ କ୍ରୋଧ କରିବାରୁ ଓ ଅନ୍ୟାୟରେ ଦଣ୍ଡବିଧାନ କରିବାରୁ ସେ ବ୍ୟକ୍ତି ଶୀଘ୍ର ଐଶ୍ଚର୍ଯ୍ୟରୁ ଭ୍ରଷ୍ଟ ହୁଏ, ଅଥଚ ନିଳ ଜନ ଓ ପରିଶେଷରେ ପ୍ରାଣୀମାନଙ୍କଠାରୁ ମଧ୍ୟ ବିଯୁକ୍ତ ହୁଏ । ୨୦ । ଉପକାରୀ ଓ ଅପକାରୀ ଉଭୟଙ୍କ ପ୍ରତି ଯେ କ୍ରୋଧ ପ୍ରକାଶ କରନ୍ତି, ଗୃହରେ ସର୍ପ ଥିଲେ ଯେପରି ନିବାସୀଙ୍କର ଭୀତି ରହେ, ସେହିପରି ଲୋକେ ତାହାଙ୍କଠାରୁ ସର୍ବଦା ଭୟ ପ୍ରାପ୍ତ ହୁଅନ୍ତି । ୨୧ । ଯାହାଙ୍କୁ ପ୍ରାଣୀମାନେ ଭୟ କରନ୍ତି, ତାହାଙ୍କର ମଙ୍ଗଳ କିପରି ହୋଇପାରେ-? ଲୋକେ ସମସ୍ତେ ଜାଗରୁକ ଥାନ୍ତି, ସୁଯୋଗ ପାଇଲେ ତାହାର ଅପକାର କରନ୍ତି । ୨୨-। ଅତଏବ ସର୍ବଦା କ୍ରୋଧ କରିବ ନାହିଁ, ଅଥଚ ନିତ୍ୟ ମୃଦୁ ହେବ ନାହିଁ । ଯେଉଁ ସମୟରେ ଯେପରି, ତଦନୁସାରେ କ୍ରୁଦ୍ଧ ବି ମୃଦୁ ହେବ ନାହିଁ । ୨୩ । ସମୟ ଅନୁସାରେ ଯେ କ୍ରୁଦ୍ଧ ଓ ଯେ କ୍ଷମାବନ୍ତ ହୁଏ, ଇହଲୋକରେ ଓ ପରଲୋକରେ ସେ ସୁଖ ପ୍ରାପ୍ତ ହୁଏ । ୨୪ ।

 

ଏବେ ଯେତେବେଳେ ଯାହାକୁ କ୍ଷମା କରିବାକୁ ହେବ, ସେ ବିଷୟ ବିସ୍ତାରରୂପେ କହୁଅଛୁ ଶ୍ରବଣ କର । ପଣ୍ଡିତମାନେ ଯାହା ନିର୍ଦ୍ଦେଶ କରିଅଛନ୍ତି ତାହା କଦାପି ଲଙ୍ଘନ କରିବାର ନୁହେଁ । ୨୫ । ଯେଉଁ ବ୍ୟକ୍ତି ପୂର୍ବେ ଉପକାର କରିଅଛି, ସେ ଯେତେ ଗରିଷ୍ଠ ଅପରାଧ କରେ ତଥାପି ତାହାର ପୂର୍ବ ଉପକାର ସ୍ମରଣ ରଖି ଅପରାଧ କ୍ଷମାଦେବା କର୍ତ୍ତବ୍ୟ । ୨୬ । ସମସ୍ତେ ସବୁ ବିଷୟ ଜାଣନ୍ତି ନାହିଁ, ଅତଏବ ଯଦି କେହି ଅଜ୍ଞାନରେ କୌଣସି ଦୋଷ କରେ, ତେବେ ତାହାକୁ କ୍ଷମାଦେବା ବିଧେୟ । ୨୭ । ଯଦି କେହି ବାଣୀ ଶୁଣି ଅପରାଧ କରେ ଓ କହେ ଯେ ସେ ଅଜ୍ଞାତରେ ଦୋଷୀ ହୋଇଅଛି; ତେବେ ଅଳ୍ପ ଅପରାଧରେ ସୁଦ୍ଧା କପଟୀକୁ ଦଣ୍ଡଦେବା କର୍ତ୍ତବ୍ୟ । ୨୮ । ପ୍ରଥମ ଅପରାଧ ସମସ୍ତଙ୍କର କ୍ଷମାର ଯୋଗ୍ୟ; ଦ୍ୱିତୀୟ ଥର ଅଳ୍ପ ଅପରାଧ ହେଉ ପଛେ ତାହାର ଦଣ୍ଡ ବିଧାନ କର୍ତ୍ତବ୍ୟ । ୨୯ ।

 

କେହି ଯଦି ଅଜ୍ଞାତରେ କୌଣସି ଅପରାଧ କରିଥାଏ, ତେବେ ପଣ୍ଡିତମାନେ କହିଅଛନ୍ତି ଯେ, ଅଗ୍ରେ ଉତ୍ତମ ପ୍ରମାଣ ନେବ; ପ୍ରକୃତରେ ଯଦି ସେ ଅଜ୍ଞାତରେ ଦୋଷୀ ହୋଇଥାଏ, ତେବେ ତାହାକୁ କ୍ଷମା ଦେବ । ୩୦ । ମୃଦୁବ୍ୟକ୍ତି ନିଜ ସ୍ୱଭାବରେ, କି ମୃଦୁ କି ଦାରୁଣ ସମସ୍ତଙ୍କୁ ଆୟତ୍ତ କରିପାରେ । ମୃଦୁ ବ୍ୟକ୍ତିର କିଛିମାତ୍ର ଅସାଧ୍ୟ ନାହିଁ । ଅତଏବ ମୃଦୁ ସ୍ୱଭାବକୁ ତୀବ୍ରତର ସ୍ୱଭାବ ବୋଲି ଜାଣିବ । ୩୧ । ପୁନଶ୍ଚ ମନୁଷ୍ୟ ଦେଶକାଳ ବିବେଚନା କରି ଓ ନିଜର ବଳାବଳ ଦେଖି ବ୍ୟକ୍ତିବିଶେଷ ପ୍ରତି ଦଣ୍ଡ ବା କ୍ଷମା କରିବ । ଅନୁପଯୁକ୍ତ ଦେଶରେ ବା ଅନୁପଯୁକ୍ତ କାଳରେ କୌଣସି ପ୍ରୟୋଜନ ସିଦ୍ଧ ହୁଏ ନାହିଁ । ଅତଏବ ମନୁଷ୍ୟ ସବୁ ବିଷୟରେ ଦେଶ ଓ କାଳର ପ୍ରତୀକ୍ଷା କରିବ । ଆହୁରି କେତେକ ସ୍ଥଳରେ ଲୋକର ଭୟରେ କ୍ଷମା ଦେବାକୁ ହୁଏ । ୩୨ । ପଣ୍ଡିତମାନେ ଉକ୍ତ କାଳକୁ କ୍ଷମାର ସମୟ ବୋଲି ନିରୂପଣ କରିଅଛନ୍ତି । ଅତଃପର ଅନ୍ୟଥାକାରୀମାନଙ୍କ ପ୍ରତି ତେଜଃ ପ୍ରକାଶ କରିବା କର୍ତ୍ତବ୍ୟ । ୩୩ । ଅତଏବ ଆମ୍ଭେ ବିବେଚନା କରୁ ଯେ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଲୁବ୍‌ଧ ଓ ସତତ ଅପକାରୀ ।

 

ହେ ନରାଧିପ ! ସେମାନଙ୍କ ପ୍ରତି ତେଜଃ ପ୍ରକାଶର ଏହି କାଳ ଉପସ୍ଥିତ ହୋଇଅଛି । ୩୪ । ସମ୍ପ୍ରତି ସେହି କୁରୁଙ୍କ ପ୍ରତି କ୍ଷମା କରିବାର କାଳ ଆଉ ନାହିଁ । ତେଜଃ ପ୍ରକାଶର ଏହି ଉପଯୁକ୍ତ ସମୟ । ଅତଏବ ସେମାନଙ୍କ ପ୍ରତି ତେଜଃ ପ୍ରକାଶ କରନ୍ତୁ । ଯେଉଁ ବ୍ୟକ୍ତି ମୃଦୁ ହୁଏ, ତାହାକୁ ସମସ୍ତେ ଅବଜ୍ଞା କରନ୍ତି ଓ ଯେଉଁ ବ୍ୟକ୍ତି ତୀକ୍ଷ୍‌ଣ ହୁଏ, ତାହାଠାରୁ ପ୍ରାଣୀମାନେ ଉତ୍ତେଜିତ ହୁଅନ୍ତି । ଅତଏବ ଉପଯୁକ୍ତ ସମୟରେ ଯେ ଏହି ଦୁହିଁଙ୍କର ବ୍ୟବହାର କରନ୍ତି, ତାହାଙ୍କୁ ମହୀପତି ବୋଲାଯାଏ ।

 

॥ ଅଧ୍ୟାୟ – ୨୯ ॥

 

ଯୁଧିଷ୍ଠିର ବୋଇଲେ–ମହାପ୍ରାଜ୍ଞ ! କ୍ରୋଧଟି ମନୁଷ୍ୟର ବିନାଶକାରୀ ଓ କ୍ରୋଧ ମନୁଷ୍ୟର କଲ୍ୟାଣପ୍ରଦ ହୁଏ; ସୁତରାଂ ମଙ୍ଗଳ ଓ ଅମଙ୍ଗଳ ଦୁହେଁ କ୍ରୋଧରୁ ଉତ୍ପନ୍ନ ହୁଅନ୍ତି । ୧ । ଯେଉଁ ବ୍ୟକ୍ତି କ୍ରୋଧ ସମ୍ବରଣ କରିପାରେ ତାହାର ମଙ୍ଗଳ ହୁଏ ଓ ଯେଉଁ ପୁରୁଷ କ୍ରୋଧକୁ ସହ୍ୟ କରିନପାରେ, ଅତି ଦାରୁଣ ସ୍ୱଭାବ କ୍ରୋଧ ତାହାର ବିନାଶର ନିମିତ୍ତ ହୁଏ । ୨ । ଦେଖାଯାଏ ଯେ, ରାଜା ପ୍ରଜାମାନଙ୍କ ମଧ୍ୟରେ କ୍ରୋଧରୁ ବିନାଶ ହୁଏ, ଅତଏବ ମାଦୃଶ ବ୍ୟକ୍ତି କିପରି ଏହି ଲୋକ ବିନାଶକାରୀ କ୍ରୋଧକୁ ପ୍ରକାଶ କରିପାରେ । ୩ ।

 

କ୍ରୋଧୀ ବ୍ୟକ୍ତି ବିବିଧ ପାପକର୍ମ କରେ । କ୍ରୋଧୀ ବ୍ୟକ୍ତି ଗୁରୁଙ୍କୁ ବିନାଶ କରେ । କ୍ରୋଧୀ ପୁରୁଷ ନିଷ୍ଠୁର ବଚନଦ୍ୱାରା ଶ୍ରେଷ୍ଠ ବ୍ୟକ୍ତିମାନଙ୍କୁ ଅବମାନିତ କରେ; ଅଥଚ କ୍ରୁଦ୍ଧ ବ୍ୟକ୍ତିର ଜ୍ଞାନ ନ ଥାଏ ଯେ କ’ଣ କହିଲେ, କ’ଣ ହେବ । କ୍ରୋଧାନ୍ଧ, ବ୍ୟକ୍ତିର ଅକର୍ତ୍ତବ୍ୟ କିଛି ନାହିଁ କି ଅବକ୍ତବ୍ୟ ବାକ୍ୟ କିଛି ନାହିଁ । ୫ । କ୍ରୁଦ୍ଧ ବ୍ୟକ୍ତି ଅବଧ୍ୟକୁ ନିହତ କରେ ଓ ବଧ୍ୟକୁ ପୂଜା କରେ, ପରନ୍ତୁ କ୍ରୁଦ୍ଧ ହୋଇ ସ୍ୱୟଂ ଯମ ସଦନକୁ ଗମନ କରେ । ୬ । ଏହି ଦୋଷୀ ମାନଙ୍କୁ ଦେଖି ମନୀଷୀ ବ୍ୟକ୍ତି କ୍ରୋଧକୁ ଜୟ କରନ୍ତି । ଇହ ଓ ପରଲୋକରେ ମଙ୍ଗଳ ସାଧନ ନିମିତ୍ତ କ୍ରୋଧକୁ ଜୟ କରିବା ବିଧେୟ । ଧୀର ବ୍ୟକ୍ତି ଯେଉଁ କ୍ରୋଧକୁ ତ୍ୟାଗ କରନ୍ତି, ସେ କ୍ରୋଧକୁ ଅସ୍ମବିଧ ବ୍ୟକ୍ତି କିପରି ଆଚରିପାରେ ?

 

ହେ ଦ୍ରୌପଦୀ ! ଏହିସବୁ ବିଷୟ ବିଚାରି ଆମ୍ଭର ମନ୍ୟୁ ପ୍ରବର୍ଦ୍ଧିତ ହେଉ ନାହିଁ । ୮ । ଯେଉଁ ପୁରୁଷ କ୍ରୁଦ୍ଧ ପ୍ରତି କ୍ରୋଧ ପ୍ରକାଶ ନ କରେ, ସେ ଆପଣାକୁ ଓ ପ୍ରତିପକ୍ଷକୁ ମହତ୍ ଭୟରୁ ପରିତ୍ରାଣ କରେ । ସୁତରାଂ ସେହି ଶାନ୍ତ ପୁରୁଷକୁ ନିଜର ଓ ପରର ଚିକିତ୍ସକ ବୋଲାଯାଏ । ୯ । ଦୁର୍ବଳକୁ ଯଦି ବଳବାନ ବାଧା ଦିଏ ଓ ତାହା ପ୍ରତି କ୍ରୁଦ୍ଧ ହୁଏ, ତେବେ ମୂଢ଼ ସ୍ୱୟଂ ଆପଣାକୁ ଆପେ ତ୍ୟାଗ କରେ । ୧୦ । ଏହିରୂପେ ଜିତଚିତ୍ତ ସେହି ଆତ୍ମ ପରିତ୍ୟାଗୀ ବ୍ୟକ୍ତିର ସୁଖଲୋକ ପ୍ରାପ୍ତି ହୁଏ ନାହିଁ । ଏହି ହେତୁରୁ ହେ ଦ୍ରୌପଦୀ ! ଆସକ୍ତ ପ୍ରାଣୀର ମନ୍ୟୁ ନିଗ୍ରହ କରିବା ଶାସ୍ତ୍ରରେ ବିହିତ ହୋଇଅଛି । ୧୧ । ତଦ୍ରୂପ ବିଜ୍ଞ ବ୍ୟକ୍ତି ଯେବେ ଅନ୍ୟଠାରୁ କ୍ଳେଶ ପାଏ ଓ ତାହାର ସାମର୍ଥ୍ୟ ସତ୍ତ୍ୱେ କ୍ଳେଶଦାତାଙ୍କୁ ବିନାଶ ନ କରେ, ତେବେ ସେହି ବ୍ୟକ୍ତି ପରମ ସୁଖ ପ୍ରାପ୍ତ ହୁଏ । ୧୨ । ଜ୍ଞାନୀ ପୁରୁଷ ସବଳ ହୁଅନ୍ତୁ ଅଥବା ଦୁର୍ବଳ ହୁଅନ୍ତୁ, ସର୍ବଦା ଏମନ୍ତ କି ଆପଦ କାଳରେ ସୁଦ୍ଧା କ୍ଷମାଚରଣ କରିବାକୁ ପଣ୍ଡିତମାନେ କହିଅଛନ୍ତି । ୧୩ ।

 

ହେ କୃଷ୍ଣେ ! ସାଧୁ ପୁରୁଷମାନେ କ୍ରୋଧ ସଂଯମକୁ ପ୍ରଶଂସା କରନ୍ତି ପୁନଶ୍ଚ କ୍ଷମାଶୀଳ ସାଧୁପୁରୁଷମାନଙ୍କର ସର୍ବଦା ଜୟ ହୁଏ ବୋଲି ପଣ୍ଡିତମାନେ କହିଅଛନ୍ତି । ୧୪ । ମିଥ୍ୟାଠାରୁ ସତ୍ୟ ଭଲ; ନିଷ୍ଠୁରତାଠାରୁ ଦୟା ଶ୍ରେୟସ୍କର । ଅତଏବ ଆମ୍ଭ ସଦୃଶ ବ୍ୟକ୍ତି ଦୁର୍ଯ୍ୟୋଧନଠାରୁ ପରାଭବ ପାଇଲେ ସୁଦ୍ଧା ସାଧୁବିବର୍ଜିତ ଓ ବହୁ ଦୋଷର ଆକର କ୍ରୋଧକୁ କିପରି ଆଶ୍ରୟ ଦେଇପାରେ ? ଦୀର୍ଘଦର୍ଶୀ ପଣ୍ଡିତମାନେ ଯାହାଙ୍କୁ ତେଜସ୍ୱୀ ବୋଲନ୍ତି ତାହାଙ୍କ ମନରେ କଦାପି କ୍ରୋଧ ନ ଥାଏ, ଏହା ନିଶ୍ଚିତ ଅଟେ । ୧୫ । ନିଜ ବୁଦ୍ଧିଦ୍ୱାରା ଯେ ସମୁତ୍ପନ୍ନ କ୍ରୋଧକୁ ନିବାରଣ କରେ, ପଣ୍ଡିତମାନେ ଏକା ତାହାକୁ ତେଜସ୍ୱୀ ବୋଲନ୍ତି । ୧୭ । ହେ ସୁଶ୍ରୋଣି ! କ୍ରୁଦ୍ଧ ବ୍ୟକ୍ତି ଆପଣାର କୌଣସି କର୍ତ୍ତବ୍ୟକର୍ମର ପ୍ରକୃତ ରୂପ ଦେଖିନପାରେ । ପୁନଶ୍ଚ କ୍ରୁଦ୍ଧ ବ୍ୟକ୍ତି କାର୍ଯ୍ୟକୁ, କି ମର୍ଯ୍ୟାଦାକୁ ସୁଦ୍ଧା ଦେଖିନପାରେ । ୧୮ । କ୍ରୁଦ୍ଧଜନ ଅବଧ୍ୟକୁ ସୁଦ୍ଧା ବଧ କରାଇ ନିଜର ଗୁରୁଜନମାନଙ୍କୁ ମଧ୍ୟ ଆଘାତ କରେ । ଏହି କାରଣରୁ ତେଜସ୍ୱୀ ବ୍ୟକ୍ତିଙ୍କର କ୍ରୋଧକୁ ଦୂର କରିବା କର୍ତ୍ତବ୍ୟ । ୧୯ । କାର୍ଯ୍ୟରେ କୁଶଳତା, ଶତ୍ରୁର ଅପକାର ଚିନ୍ତା ଓ ଶତ୍ରୁକୁ ପରାସ୍ତ କରିବାର ସାମର୍ଥ୍ୟ ତେଜସ୍ୱୀର ଗୁଣ ଅଟେ; କିନ୍ତୁ ସେ ଯଦି କ୍ରୁଦ୍ଧ ହୁଏ, ଉକ୍ତ କାର୍ଯ୍ୟମାନ ତାହାଦ୍ୱାରା ସୁସମ୍ପନ୍ନ ହୁଏ ନାହିଁ । ୨୦ ।

 

ହେ ମହାବୁଦ୍ଧିମତି ! ମନୁଷ୍ୟ କ୍ରୋଧକୁ ତ୍ୟାଗ କଲେ ତାହାର ତେଜଃ ବର୍ଦ୍ଧିତ ହୁଏ, କିନ୍ତୁ କ୍ରୋଧରେ ବଶୀଭୂତ ହେଲେ ଯଥାକାଳରେ ତେଜ ପ୍ରକାଶ କରିନପାରେ । ୨୧ । ଅପଣ୍ଡିତ ବ୍ୟକ୍ତି କ୍ରୋଧକୁ ତେଜ କହନ୍ତି । ମନୁଷ୍ୟମାନଙ୍କ ଅନ୍ତଃକରଣରେ ସେହି କ୍ରୋଧ ଲୋକବିନାଶର କାରଣସ୍ୱରୂପ ରହିଅଛି । ୨୨ । ଅତଏବ ଯେଉଁ ପୁରୁଷ ସ୍ୱଧର୍ମକୁ ଅତିକ୍ରମ ନ କରନ୍ତି, ସେ କଦାପି କ୍ରୋଧର ବଶୀଭୂତ ହେବେ ନାହିଁ । ସୁତରାଂ ଭଦ୍ରବ୍ୟକ୍ତିମାନଙ୍କର ସୁଦ୍ଧା କ୍ରୋଧକୁ ପରିତ୍ୟାଗ କରିବା କର୍ତ୍ତବ୍ୟ । ୨୩ । ହେ ଅନିନ୍ଦିତେ ! ଅସ୍ଥିରଚିତ୍ତ ଓ ବୁଦ୍ଧିହୀନ ବ୍ୟକ୍ତି ଯଦି ସତ୍‌ପଥକୁ ଅତିକ୍ରମ କରିବେ, ସେହି ଦୃଷ୍ଟାନ୍ତ ଅନୁସାରେ ଆମ୍ଭ ସଦୃଶ ବ୍ୟକ୍ତି ତଦ୍ରୂପ କାର୍ଯ୍ୟ କରିପାରେ ।

 

ମନୁଷ୍ୟମାନଙ୍କ ମଧ୍ୟରେ ଯଦ୍ୟପି ପୃଥିବୀସମ କ୍ଷମାଶୀଳ ବ୍ୟକ୍ତି ନ ଥାନ୍ତେ, ତେବେ ସେମାନଙ୍କ ମଧ୍ୟରେ ସନ୍ଧି ହୁଅନ୍ତା ନାହିଁ ଓ ସେମାନେ ସର୍ବଦା ବିଗ୍ରହ କରନ୍ତେ, ଯେହେତୁରୁ କ୍ରୋଧ ବିଗ୍ରହର ମୂଳ ଅଟେ । ୨୫ । ଜଣେ ଆଉ ଜଣଙ୍କୁ ସନ୍ତପ୍ତ କଲେ ସେ ଯଦି ତାହାଙ୍କୁ ସନ୍ତପ୍ତ କରେ ଓ ଗୁରୁଜନ କେହି ତାଡ଼ନା କଲେ ତାଡ଼ିତ ବ୍ୟକ୍ତି ଯେବେ ସେ ଗୁରୁଙ୍କୁ ଆଘାତ କରେ, ତେବେ ଏପରି ନିୟମ ପ୍ରଚାର ହେଲେ ସମସ୍ତ ପ୍ରାଣୀଙ୍କର ବିନାଶ ଓ ଅଧର୍ମ ପ୍ରଥାର ପ୍ରବଳତା ହେବ । ୨୬ । କୌଣସି ପୁରୁଷକୁ କେହି କଟୁ କଥା କହିଲେ ସେହି ପୁରୁଷ ଯେବେ ସହ୍ୟ ନ କରି କଟୂକ୍ତି କରେ, ସ୍ୱୟଂ ଆହତ ହେଲେ ସେ ଯେବେ ପ୍ରତ୍ୟାଘାତ କରେ, କେହି କାହାକୁ ହିଂସା କଲେ ସେ ଯେବେ ପ୍ରତିହିଂସା କରେ, ତାହା ହେଲେ ପିତା ପୁତ୍ରକୁ ଓ ପୁତ୍ର ପିତାକୁ, ପତି ଭାର୍ଯ୍ୟାକୁ ଓ ଭାର୍ଯ୍ୟା ପତିଙ୍କୁ ନିହତ କରିବାର ହେଲା । ୨୭ ।

 

ହେ ଶୁଭାନନେ ! ଯଦି ସମସ୍ତ ଲୋକ ଏହିପରି କ୍ରୋଧପରାୟଣ ହୁଅନ୍ତି, ତେବେ ସଂସାରରେ କାହାରି ଜନ୍ମଲାଭ କରିବାର ସମ୍ଭାବନା ନାହିଁ । ହେ କୃଷ୍ଣେ ! ପରସ୍ପର ସନ୍ଧି ହେତୁରୁ ସିନା ପ୍ରାଣୀଙ୍କର ଉତ୍ପତ୍ତି ହୁଏ, କଳହ ହେଲେ ଅର୍ଥାତ୍ ଦାମ୍ପତ୍ୟ ପ୍ରୀତିର ଅଭାବ ହେଲେ ଜନ୍ମ ଓ ପ୍ରଜାବୃଦ୍ଧି ରହିତ ହୁଏ । ୨୯ । ଏହିରୂପେ ରାଜା କ୍ରୋଧର ବଶବର୍ତ୍ତୀ ହେଲେ ପ୍ରଜାମାନେ ବିନଷ୍ଟ ହୁଅନ୍ତି ଓ ସେମାନଙ୍କ ସୁଖ ବୃଦ୍ଧି ହୁଏ ନାହିଁ । ୩୦ । ଏହା ମଧ୍ୟ ଦେଖା ଯାଇଅଛି ଯେ, ସଂସାରରେ ପୃଥିବୀସମ କ୍ଷମାଶୀଳ ମନୁଷ୍ୟ ଅଛନ୍ତି । ସେମାନେ ଥିବାରୁ ହିଁ ପ୍ରାଣୀମାନଙ୍କର ଉତ୍ପତ୍ତି ଓ ମଙ୍ଗଳ ସାଧନ ହେଉଅଛି । ୩୧ ।

 

ହେ ସୁଶୋଭନେ ! ଅତ୍ୟନ୍ତ ଆପଦ କାଳରେ ସୁଦ୍ଧା ପୁରୁଷର କ୍ଷମା ଦେବା ଉଚିତ ଯେହେତୁ ପଣ୍ଡିତମାନେ କହିଅଛନ୍ତି ଯେ, କ୍ଷମାଶୀଳ ବ୍ୟକ୍ତିଙ୍କଠାରୁ ପ୍ରାଣୀମାନଙ୍କର ଜନ୍ମଲାଭ ହୁଏ । ୩୨ । ବଳବାନ ବ୍ୟକ୍ତିଦ୍ୱାରା ଆକୃଷ୍ଟ ହେଲେ ଯେପରି ଦୁର୍ବଳ ବ୍ୟକ୍ତି ତାହା ପ୍ରତି କ୍ଷମାଚରଣ କରେ, ସେହିପରି ଯେଉଁ ବ୍ୟକ୍ତି ପ୍ରଭାବଶାଳୀ ହୋଇ କ୍ରୋଧକୁ ସର୍ବକାଳରେ ଜୟ କରେ ସେହି ବ୍ୟକ୍ତିକୁ ବିଦ୍ୱାନ୍ ଓ ଉତ୍ତମ ପୁରୁଷ ବୋଲାଯାଏ । ୩୩ । ଅଥଚ ତାହାଙ୍କ ସୁଖଭୋଗ ନିମିତ୍ତ ସନାତନ ଲୋକମାନେ ଅଛନ୍ତି । କିନ୍ତୁ କ୍ରୋଧୀ ବ୍ୟକ୍ତିଙ୍କୁ ଲୋକରେ ଅଳ୍ପଜ୍ଞ କହନ୍ତି ଓ ତାଙ୍କର ଇହଲୋକ ଓ ପରଲୋକ ଉଭୟ ନଷ୍ଟ ହୁଏ । ୩୪ ।

 

ହେ କୃଷ୍ଣେ ! କ୍ଷମାବନ୍ତ ଓ ମହାମନା କଶ୍ୟପ ଋଷି କ୍ଷମାଶୀଳ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି ଏହିପରି କହିଛନ୍ତି, “କ୍ଷମାକୁ ଧର୍ମ କହି, ଯେ କ୍ଷମା ସେ ଯଜ୍ଞ, କ୍ଷମାକୁ ବେଦ ଓ ଅନ୍ୟାନ୍ୟ ଶାସ୍ତ୍ର ଜାଣିବ । ଏକଥା ସେ ଜାଣେ ସେ ସବୁ କ୍ଷମା ଦେବାର ଯୋଗ୍ୟ । ୩୬ । କ୍ଷମାଟି ବ୍ରହ୍ମ, କ୍ଷମାଟି ସତ୍ୟ, କ୍ଷମା ହିଁ ଭୂତ, କ୍ଷମା ହିଁ ଭବିଷ୍ୟତ ! କ୍ଷମା ଯେ ସେ ତପସ୍ୟା ଓ ଶୌଚ; ଏହି ଜଗତ୍ କ୍ଷମାଦ୍ୱାରା ଧୃତ ହୋଇଅଛି । ୩୭ । ଯଜ୍ଞ, ବେଦାଧ୍ୟୟନ ଓ ତପସ୍ୟାଦ୍ୱାରା ଯେଉଁ ସମସ୍ତ ଲୋକ ଲାଭ ହୁଏ, କ୍ଷମାଶୀଳ ବ୍ୟକ୍ତି ମଧ୍ୟ ସେହିସବୁ ଲୋକ ପାଏ । ୩୮ । ଯଜୁର୍ବେଦ ଅନୁସାରେ ଗାର୍ହପତ୍ୟାଦି, ଅଗ୍ନିତ୍ରୟ, ସାଧ୍ୟଲୋକ ଅଛି । ତଡ଼ାଗ, ପ୍ରାସାଦାଦି କର୍ମଦ୍ୱାରା ମଧ୍ୟ ସେହି ଉତ୍ତମ ଲୋକ ପ୍ରାପ୍ତ ହୁଏ; କିନ୍ତୁ ବ୍ରହ୍ମଲୋକରେ ଯେଉଁ ସବୁଲୋକ ପୂଜନୀୟ, ସେହି ସବୁ ଲୋକକୁ କ୍ଷମାବନ୍ତ ଲୋକେ ପାଆନ୍ତି । ୩୯ । ତେଜସ୍ୱୀ ବ୍ୟକ୍ତିଙ୍କ ତେଜକୁ କ୍ଷମା, ତପସ୍ୱୀମାନଙ୍କର ବ୍ରହ୍ମକୁ ଓ ସତ୍ୟପରାୟଣ ବ୍ୟକ୍ତିଙ୍କର ସତ୍ୟକୁ କ୍ଷମା ବୋଲନ୍ତି । ଯଜ୍ଞର ଫଳ ଓ ଯଜ୍ଞ ପରେ ଯେଉଁ ଶାନ୍ତି ଲାଭ ହୁଏ ତାହାକୁ କ୍ଷମା କହିବ” । ୪୦ । ହେ କୃଷ୍ଣେ ! ଏପରି କ୍ଷମାକୁ ଆମ୍ଭ ସଦୃଶ ବ୍ୟକ୍ତି କି ପ୍ରକାରେ ତ୍ୟାଗ କରିବ ?

 

ଯେଉଁ କ୍ଷମାରେ ବ୍ରହ୍ମ, ସତ୍ୟ ଓ ଯଜ୍ଞ ଲଭି ଲୋକମାନେ ଅବସ୍ଥିତ କରନ୍ତି, ଜାଣିବା ଲୋକେ ସେହି କ୍ଷମାକୁ ସନ୍ତତଃ ଆଚରଣ କରିବେ ଓ ସର୍ବଦା କ୍ଷମାଦେଇ ବ୍ରହ୍ମଲାଭ କରିବେ । ୪୨ । କ୍ଷମାବନ୍ତର ଇହଲୋକ ଓ ପରଲୋକରେ ମଙ୍ଗଳ ହୁଏ । ସେମାନେ ଇହଲୋକରେ ସମ୍ମାନ ଓ ପରଲୋକରେ ଶୁଭଗତିକୁ ପ୍ରାପ୍ତ ହୁଅନ୍ତି । ୪୩ । ଯାହାଙ୍କର କ୍ରୋଧ ସର୍ବଦା କ୍ଷମାଦ୍ୱାରା ଅଭିହିତ ହୁଏ, ସେମାନେ ଉତ୍କୃଷ୍ଟ ଲୋକକୁ ଗମନ କରନ୍ତି । ଏହି ହେତୁରୁ କ୍ଷମାକୁ ପଣ୍ଡିତମାନେ ସର୍ବୋତ୍କୃଷ୍ଟ ବୋଲି କୀର୍ତ୍ତନ କରିଅଛନ୍ତି । ୪୪ । ଏହିପରି ଗାଥାକୁ କଶ୍ୟପ ମୁନି ବୋଲିଅଛନ୍ତି । ହେ ଦ୍ରୌପଦୀ ! ତୁମ୍ଭେ ଏହି ଗାଥାକୁ ଶ୍ରବଣ କରି ସନ୍ତୋଷ ଅବଲମ୍ବନ କର ଓ କ୍ରୋଧକୁ ବିସର୍ଜନ ଦିଅ । ୪୫ । ପିତାମହ ଭୀଷ୍ମ କ୍ରୋଧ ସଂଯମକୁ ସର୍ବତୋଭାବେ ପ୍ରଶଂସା କରିବେ । ଦେବକୀପୁତ୍ର କୃଷ୍ଣ ସୁଦ୍ଧା ଶାନ୍ତିକୁ ପରମାଦର କରିବେ । ୪୬ । ଦ୍ରୋଣାଚାର୍ଯ୍ୟ ଓ ବିଦୁର ମଧ୍ୟ ଶମକୁ ଆଦର କରିବେ । କୃପ ଓ ସଞ୍ଜୟ ସୁଦ୍ଧା ଶାନ୍ତିର ପକ୍ଷପାତୀ । ୪୭ । ସୋମଦତ୍ତ, ଯୁଯୁତ୍ସୁ ଓ ଦ୍ରୋଣପୁତ୍ର ଅଶ୍ୱତ୍‌ଥାମା ଅଥଚ ଆମ୍ଭମାନଙ୍କର ପିତାମହ ବ୍ୟାସ ଶାନ୍ତିକୁ ସର୍ବଦା ପ୍ରଶଂସା କରନ୍ତି । ୪୮ । ଆମ୍ଭଙ୍କୁ ବୋଧ ହେଉଅଛି ଯେ, ଏମାନେ ସମସ୍ତେ ରାଜା ଧୃତରାଷ୍ଟ୍ରଙ୍କୁ ଶାନ୍ତି ସ୍ଥାପନ କରିବାକୁ ଉପଦେଶ ଦେବେ ଓ ଆମ୍ଭଙ୍କୁ ରାଜ୍ୟ ପ୍ରଦାନ କରିବାକୁ କହିବେ । ଯଦି ଆମ୍ଭର ରାଜ୍ୟକୁ ଆମ୍ଭଙ୍କୁ ପ୍ରତ୍ୟର୍ପଣ ନ କରନ୍ତି, ତେବେ ଲୋଭ ପରବଶ ହୋଇ ଆପେ ବିନଷ୍ଟ ହେବେ । ୪୯ ।

 

ଭରତ ବଂଶର ବିନାଶ ନିମିତ୍ତ ଏହି ଦାରୁଣ କାଳ ଉପସ୍ଥିତ ହୋଇଅଛି । ହେ ଭାବିନୀ ! ଏହା ଆମ୍ଭେ ପୂର୍ବରୁ ନିଶ୍ଚୟ କରିଅଛୁ । ୫୦ । ସୁଯୋଧନ ରାଜ୍ୟ ଭୋଗ କରିବାକୁ ଯୋଗ୍ୟ ପାତ୍ର ନୁହେଁ । ଏହି ହେତୁରୁ ସେ କ୍ଷମା ଲାଭ କରିପାରି ନାହିଁ । ଆମ୍ଭେ ରାଜ୍ୟ ଲଭିବାର ଯୋଗ୍ୟ, ଏହି କାରଣରୁ କ୍ଷମା ଓ ଦୟାକୁ ଜ୍ଞାନୀ ପୁରୁଷମାନେ ଆଶ୍ରୟ କରନ୍ତି । ଏହା ତାଙ୍କର ପରମ କାର୍ଯ୍ୟ ଓ ସନାତନ ଧର୍ମ ଅଟେ । ସେହି ହେତୁରୁ ଆମ୍ଭେ ତାହା ଆଚରଣ କରିବା ।

 

॥ ଅଧ୍ୟାୟ – ୩୦ ॥

 

ଦ୍ରୌପଦୀ ବୋଇଲେ, ହେ ମହାରାଜ ! ପରାକ୍ରମଦ୍ୱାରା ରାଜ୍ୟଭାର ଗ୍ରହଣ ଓ ବହନ କରିବା ଆପଣଙ୍କର ପିତୃପିତାମହଙ୍କର ଧର୍ମ । ଏଥିରେ ଯେଉଁସ୍ଥଳେ ଆପଣଙ୍କର ଅନ୍ୟଥା ବୃଦ୍ଧି ହୋଇଅଛି, ତେତେବେଳେ ଆପଣଙ୍କର ନିଶ୍ଚୟ ମୋହ ଉପସ୍ଥିତ ହୋଇଅଛି । ଏଥିରେ ସନ୍ଦେହ ନାହିଁ । ଯେଉଁମାନେ ଆପଣଙ୍କର ଈଦୃଶ ମୋହର ସୃଷ୍ଟି କରିଅଛନ୍ତି, ସେହି ଈଶ୍ୱର ଓ ପୂର୍ବକୃତ କର୍ମଦ୍ୱାରା ଭିନ୍ନ ଭିନ୍ନ ଉପାଧିରେ ଜନ୍ମଗ୍ରହଣ କରି ପୃଥକ୍‌, ପୃଥକ୍ ଲୋକକୁ ଗମନ କରନ୍ତି । କର୍ମଦ୍ୱାରା ସେମାନେ ସୁଖ ଦୁଃଖ ଭୋଗ କରନ୍ତି । ଅତଏବ କର୍ମ ଫଳକୁ କେହି ତ୍ୟାଗ କରିନପାରେ । ସେହି କର୍ମର ଫଳ ଦୁଃଖରୁ ମୁକ୍ତ ହେବା ନିମିତ୍ତ ଅଜ୍ଞାନବଶରୁ ଲୋକେ ବାଞ୍ଛା କରନ୍ତି । ୨ ।

 

ହେ ଭରତକୁଳତିଳକ ! ଆପଣ ଓ ଆପଣଙ୍କର ଏହି ମହାତେଜସ୍ୱୀ ଭ୍ରାତାମାନେ ଦୁଃଖଭୋଗର ଏକାନ୍ତ ଅଯୋଗ୍ୟ ହେଲେହେଁ ଯେଉଁ ସ୍ଥଳେ ଆପଣମାନଙ୍କ ଉପରେ ଏତାଦୃଶ ଦୁଃସହ ଦୁଃଖ ଉପସ୍ଥିତ ହୋଇଅଛି ଓ ଯେଉଁ ସ୍ଥଳେ ଆପଣମାନଙ୍କର ରାଜ୍ୟଭୋଗ ଥାଉ କି ନ ଥାଉ ଆପଣମାନେ ଧର୍ମ ବ୍ୟତିରେକେ ଆଉ କିଛି ଜାଣନ୍ତି ନାହିଁ, ସେ ସ୍ଥଳେ ଏହା ସ୍ପଷ୍ଟ ପ୍ରତିଭାତ ହେଉଅଛି ଯେ, କୌଣସି ପ୍ରାଣୀ ଧର୍ମ, ଦୟା, କ୍ଷମା, ସରଳତା ଓ ଲୋକାପବାଦ ଭୟ ପ୍ରଭୃତି ସଦ୍‌ଗୁଣାବଳୀଙ୍କୁ ଆଶ୍ରୟ କରି ସୁଦ୍ଧା ଶ୍ରୀଲାଭ କରିନପାରେ । ୪ । ଆପଣଙ୍କ ରାଜ୍ୟ ଓ ଜୀବନ କେବଳ ଧର୍ମନିମିତ୍ତ ହୋଇଅଛି, ଏହା ବ୍ରାହ୍ମଣ, ଗୁରୁ ଓ ଦେବତାମାନେ ସମସ୍ତେ ଜାଣନ୍ତି । ଆମ୍ଭେ ବିବେଚନା କରୁ ଯେ, ଆପଣ ଭୀମ, ଅର୍ଜୁନ, ନକୁଳ ଓ ସହଦେବ ପ୍ରଭୃତି ଭ୍ରାତାମାନଙ୍କୁ ଓ ଆମ୍ଭଙ୍କୁ ସୁଦ୍ଧା ତ୍ୟାଗ କରିପାରନ୍ତି, କିନ୍ତୁ ଧର୍ମକୁ ପରିତ୍ୟାଗ କରିନପାରନ୍ତି । ୭ । ଆମ୍ଭେ ଆର୍ଯ୍ୟମାନଙ୍କଠାରୁ ଶୁଣିଅଛୁ ଯେ, ଯେଉଁ ରାଜା ଧର୍ମକୁ ରକ୍ଷା କରନ୍ତି, ଧର୍ମ ତାହାଙ୍କୁ ରକ୍ଷା କରନ୍ତି; କିନ୍ତୁ ସମ୍ପ୍ରତି ଆମ୍ଭେ ଦେଖୁଅଛୁ ଯେ, ଆପଣ ଧର୍ମକୁ ରକ୍ଷା କରନ୍ତି; କିନ୍ତୁ ଆପଣଙ୍କୁ ଧର୍ମ ରକ୍ଷା କରୁନାହାନ୍ତି । ୮ ।

 

ହେ ନରଶ୍ରେଷ୍ଠ ! ପୁରୁଷର ଛାୟା ଯେପରି ସର୍ବଦା ତାହାର ଅନୁସାରିଣୀ ହୁଏ, ସେହିପରି ଆପଣଙ୍କର ଧର୍ମାନୁସାରିଣୀ ମତି ସତତ ଧର୍ମର ଅନୁସାରିଣୀ ହୁଏ । ୯ । ଆପଣ ଏହି ସସାଗରା ଧରାର ଯେତେବେଳେ ଅଧିପତି ହୋଇଥିଲେ, ତେତେବେଳେ ସୁଦ୍ଧା ଦର୍ପ ଓ ପ୍ରଭୁତ୍ୱାଭିମାନ ଆପଣଙ୍କୁ ସ୍ପର୍ଶ କରିପାରି ନ ଥିଲା । ଯେହେତୁରୁ ଆପଣ ନିଜ ଅପେକ୍ଷା ଉତ୍କୃଷ୍ଟ କି ଅପକୃଷ୍ଟ ଅଥବା ସମାନ ବ୍ୟକ୍ତି କାହାରିକୁ କଦାପି ଅବଜ୍ଞା କରିନଥିଲେ । ୧୦ । ଶ୍ରାଦ୍ଧ, ଯଜ୍ଞ ଓ ବିଧାନାନୁସାରେ ପିତୃଗଣଙ୍କୁ, ଦେବତାମାନଙ୍କୁ ଓ ବ୍ରାହ୍ମଣମାନଙ୍କୁ ଆପଣ ସର୍ବଦା ସେବା କରନ୍ତି । ୧୧ । ଓ ବ୍ରାହ୍ମଣମାନଙ୍କୁ ସଦା ସର୍ବଦା ସେମାନଙ୍କର ସର୍ବାଭିଳାଷ ପୂର୍ଣ୍ଣ କରି ପରିତୃପ୍ତ କରନ୍ତି । ଆପଣଙ୍କ ଗୃହରେ ଯତି, ସନ୍ନ୍ୟାସୀ ଓ ଗୃହସ୍ଥମାନେ ସୁବର୍ଣ୍ଣ ପାତ୍ରରେ ଯଥେଚ୍ଛା ଅଭିଳଷିତ ସାମଗ୍ରୀ ଭୋଜନ କରନ୍ତି । ଆମ୍ଭେ ପରିଚାରିକା ହୋଇ ସେମାନଙ୍କୁ ଭୋଜନ କରାଉ । ଆପଣ ବାନପ୍ରସ୍ଥମାନଙ୍କୁ କାଞ୍ଚନ ପାତ୍ର ପ୍ରଦାନ କରନ୍ତି । ଆପଣଙ୍କ ଗୃହରେ କୌଣସି ଦ୍ରବ୍ୟ ବ୍ରାହ୍ମଣଙ୍କୁ ଅଦେୟ ନ ଥାଏ । ୧୩ ।

 

ହେ ରାଜନ୍‌ ! ଶାନ୍ତି ନିମିତ୍ତ ଆପଣ ଗୃହରେ ଥାଇ ଯେଉଁ ବୈଶ୍ୱଦେବ କର୍ମ ସମ୍ପାଦନ କରନ୍ତି, ତାହା ଅତିଥି ଓ କ୍ଷୁଧାର୍ତ୍ତ ପ୍ରାଣୀମାନଙ୍କୁ ଦେଇ ଅବଶିଷ୍ଟ ଯାହା ରହେ ତାହାଦ୍ୱାରା ନିଜର ଜୀବନ ଧାରଣ କରନ୍ତି । ୧୪ । ରିଷ୍ଟ, ପଶୁବଦ୍ଧ, ଗାର୍ହସ୍ଥ୍ୟବିହିତ ଯଜ୍ଞ ଓ ଅନ୍ୟାନ୍ୟ ଯଜ୍ଞମାନେ ଅଥଚ କାମ୍ୟ ଓ ନୈମିତ୍ତିକ ଯାହା କିଛି କର୍ମ ଅଛି, ସେ ସବୁ ଆପଣଙ୍କ ଗୃହରେ ନିଷ୍ପାଦିତ ହୁଏ । ରାଜ୍ୟରୁ ବହିଷ୍କୃତ ହୋଇ ନିର୍ଜନ ଓ ଦସ୍ୟୁପୂର୍ଣ୍ଣ ଏହି ମହାରଣ୍ୟ ମଧ୍ୟରେ ଆପଣ ବାସ କରିଅଛନ୍ତି; ଏଠାରେ ସୁଦ୍ଧା ଆପଣଙ୍କ ଧର୍ମ କର୍ମ ରହିତ ହେଉ ନାହିଁ । ୧୬ । ଅଶ୍ୱମେଧ, ରାଜସୂୟ, ପୁଣ୍ଡରୀକ ଓ ଗୋତ୍ସବ ପ୍ରଭୃତି ଭୂରୀ ଦକ୍ଷିଣାଯୁକ୍ତ ମହାଯଜ୍ଞମାନଙ୍କୁ ଆପଣ ନିଷ୍ପନ୍ନ କରିଅଛନ୍ତି । ୧୭ ।

 

ହେ ମହାରାଜ ! ଆପଣଙ୍କର ତାଦୃଶ ଉନ୍ନତ ହୃଦୟ ହେଲେହେଁ, କିପରି ବିପରୀତ ବୁଦ୍ଧି ଆପଣଙ୍କର ଉପସ୍ଥିତ ହେଲା, ଯଦ୍ଦ୍ୱାରା ଆପଣ ଧନ, ଅସ୍ତ୍ର, ଭ୍ରାତା ଓ ମୋତେ ସୁଦ୍ଧା ବିଷମ ଦ୍ୟୂତରେ ପଣରଖି ପରାଜିତ ହେଲେ । ୧୮ । ଆପଣଙ୍କର ମତି ସରଳ, ମୃଦୁ, ବଦାନ୍ୟ, ଲଜ୍ଜାଶୀଳ ଓ ସତ୍ୟବାଦୀ ହେଲେହେଁ, କି ହେତୁରୁ ଆପଣଙ୍କ ବୁଦ୍ଧିଦ୍ୟୂତ ବ୍ୟସନରେ ନିପତିତ ହେଲା । ୧୯ । ଆପଣଙ୍କର ଏତାଦୃଶ ଦୁଃଖ ଓ ବିପଦ ଦେଖି ଆମ୍ଭର ଅତିଶୟ ମୋହ ଉପସ୍ଥିତ ହେଉଅଛି; ଦାରୁଣ ବିପଦ-ସମୁଦ୍ରରେ ମୋର ମନ ମଗ୍ନ ହେଉଅଛି । ୨୦ । ଲୋକରେ ଏହି ପୁରାତନ ଇତିହାସ ପ୍ରକଟିତ ଅଛି ଯେ, ପ୍ରାଣୀମାନେ ଈଶ୍ୱରଙ୍କ ବଶରେ ଥାନ୍ତି; ନିଜ ବଶରେ ନ ଥାନ୍ତି । ୨୧ ।

 

ହେ ନରବୀର ! ସର୍ବନିୟନ୍ତା ବିଧାତା ପ୍ରାଣୀମାନଙ୍କର କର୍ମର ଅନୁଗାମୀ ହୋଇ ଜନ୍ମପୂର୍ବରୁ ସେମାନଙ୍କର ସୁଖ ଦୁଃଖ ଓ ପ୍ରିୟାପ୍ରିୟ ବିଧାନ କରିଥାନ୍ତି । ୨୨ । ଦାରୁମୟୀ ପୁତ୍ତଳି ଯେପରି ମନୁଷ୍ୟଦ୍ୱାରା ପରିଚାଳିତ ହୋଇ ଅଙ୍ଗପ୍ରତ୍ୟଙ୍ଗ ଚାଳନ କରେ,* ତଦ୍ରୂପ ଏହି ପ୍ରଜାମାନେ ଈଶ୍ୱରଙ୍କ କର୍ତ୍ତୃକ ନିୟମିତ ହୋଇ ସଂସାରର ସମୁଦାୟ କାର୍ଯ୍ୟ ନିର୍ବାହ କରନ୍ତି । ୨୩ । ଆକାଶ ସଦୃଶ ଈଶ୍ୱର ସର୍ବଦେହରେ ବ୍ୟାପ୍ତ ହୋଇ ରହି ଜୀବ ନିକରର ମଙ୍ଗଳାମଙ୍ଗଳ ସାଧନ କରନ୍ତି । ଜରାୟୁଜ, ଅଣ୍ଡଜ, ସ୍ୱେଦଜ ଓ ଉଦ୍ଭିଜ୍ଜ ସମସ୍ତେ ଈଶ୍ୱରଙ୍କର ବଶୀଭୂତ ହୋଇଅଛନ୍ତି । ୨୪ । ସୂତ୍ରବଦ୍ଧ ପକ୍ଷୀ ଯେପରି ସ୍ୱାଧୀନ ହୋଇନପାରେ, ସେହିପରି କୌଣସି ପ୍ରାଣୀ ଈଶ୍ୱରଙ୍କ ବଶବର୍ତ୍ତୀ ନ ହୋଇ ନିଜର ବା ଅପରର ଅଧୀନ ହୋଇ ଚଳି ନ ପାରେ । ୨୫ । ଚିଦାତ୍ମାର ଆଭାସସ୍ୱରୂପ ଜୀବ, ସୂତ୍ରଗ୍ରଥିତ ମଣି ଓ ନାସାବିଦ୍ଧ ବୃଷସଦୃଶ ସେହି ଚିଦାତ୍ମାରୂପ ବିଧାତାଙ୍କର ନିଯୋଗାନୁସାରେ କାଳାତିପାତ କରେ । ଯେଉଁ ଦ୍ରବ୍ୟ ଯହିଁରେ ନିର୍ମିତ ସେ ତଦନୁବର୍ତ୍ତୀ ହୁଏ । ନଦୀକୂଳସ୍ଥିତ ବୃକ୍ଷ ଯେପରି କୁଳକୁ ତ୍ୟାଗକରି ସ୍ରୋତରେ ନିପତିତ ହେଲେ ସ୍ରୋତର ବଶୀଭୂତ ହୁଏ ଓ ନିଜର କିଛି ମାତ୍ର କ୍ଷମତା ନ ଥାଏ, ସେହିପରି ପ୍ରାଣୀମାନେ ଇହ ସଂସାରରେ ଈଶ୍ୱରଙ୍କର ଅଧୀନ ହୋଇ ସ୍ୱାଧୀନ ଭାବରେ ଅଳ୍ପକ୍ଷଣ ସୁଦ୍ଧା କ୍ଷେପଣ କରିନପାରନ୍ତି । ୨୭ ।

 

[*ଗୋପଲୀଳାରେ ଏ ଦେଶରେ ସ୍ପଷ୍ଟ ଦେଖାଯାଏ ।]

 

ଜୀବ ଅଜ୍ଞ ଓ ନିଜର ସୁଖ ଦୁଃଖ ବିଧାନରେ ଅକ୍ଷମ । ସ୍ୱର୍ଗକୁ ହେଉ ବା ନରକକୁ ହେଉ ଈଶ୍ୱର ତାହାକୁ ପ୍ର୍ରେରଣ କରନ୍ତି । ୨୮ । ଯେପରି ତୃଣର ଅଗ୍ରସମସ୍ତ ବଳବାନ ବାୟୁରେ ବଶୀଭୂତ ହୋଇ ଯେଣିକି ବାୟୁ ବହେ ସେହି ଦିଗକୁ ଢଳିପଡ଼ନ୍ତି, ସେହିପରି ସମଗ୍ର ପ୍ରାଣୀ ଈଶ୍ୱରଙ୍କ ବଶରେ ରହି ତାହାଙ୍କ ଅଭିପ୍ରେତ କାର୍ଯ୍ୟରେ ନିଯୁକ୍ତ ହୁଅନ୍ତି । ୨୯ । ଚିଦାତ୍ମାସ୍ୱରୂପ ଈଶ୍ୱର ଶୁଭାଶୁଭ କର୍ମରେ ସଂଯୁକ୍ତ ହୋଇ ଚରାଚର ଦେହରେ ବ୍ୟାପୀ ରହି କର୍ମଫଳ ଭୋଗ କରନ୍ତି; କିନ୍ତୁ ଏ ଈଶ୍ୱର ବୋଲି କେହି ତାଙ୍କୁ ଚିହ୍ନି ନ ପାରନ୍ତି । ୩୦ । ସେହି ଚିଦାତ୍ମା ବିଧାତା ଅଟନ୍ତି ଓ ତାହାଙ୍କର ରହିବାର ସ୍ଥାନରେ ଅର୍ଥାତ୍ ଏହି ଶରୀରରେ ସୁଖଦୁଃଖ ଭୋଗ କରନ୍ତି । ୩୧-। ମାୟାର ଏହି ପ୍ରଭାବକୁ ଦେଖନ୍ତୁ, ଈଶ୍ୱର ଆପଣାର ମାୟାଦ୍ୱାରା ସମସ୍ତଙ୍କୁ ମୋହିତ କରି ରଖିଅଛନ୍ତି ଯେ, ପ୍ରାଣୀମାତ୍ରେ ଅଭିମାନୀ ହୋଇ ଅପର ପ୍ରାଣୀଙ୍କର ବିନାଶ ସାଧନ କରନ୍ତି (୩୨) ଓ ତତ୍ତ୍ୱଦର୍ଶୀ ମୁନିମାନେ ଚରାଚର ସଂସାରକୁ ଇନ୍ଦ୍ରଜାଲସ୍ୱରୂପ ମଣନ୍ତି । ପୁନଶ୍ଚ ସାମାନ୍ୟ ମନୁଷ୍ୟଙ୍କ ବୋଧରେ ସେହି ଦ୍ରବ୍ୟ ଅନ୍ୟପ୍ରକାର ଦୃଷ୍ଟ ହୁଏ । ପ୍ରଭୁ ଈଶ୍ୱର ସେହିସବୁ ଦ୍ରବ୍ୟକୁ ଭିନ୍ନ ଭିନ୍ନ ଆକାରରେ ଉତ୍ପାଦନ କରନ୍ତି ଓ ପରିବର୍ତ୍ତନ କରନ୍ତି ।

 

ହେ ଯୁଧିଷ୍ଠିର ! ଯେପରି ଅଚେତନ କାଷ୍ଠଦ୍ୱାରା ଅଚେତନ କାଷ୍ଠକୁ ଛେଦନ କରାଯାଏ, ପ୍ରସ୍ତରଦ୍ୱାରା ପ୍ରସ୍ତରକୁ ଓ ଲୌହଦ୍ୱାରା ଲୌହକୁ ଅଥବା କାଷ୍ଠ ପ୍ରସ୍ତରକୁ ଛେଦନ କରାଯାଏ, ସେହିପରି ପ୍ରପିତାମହ ଆଦିଦେବ ସ୍ୱୟମ୍ଭୂ ଭଗବାନ ମାୟାସହକାରେ ଭୂତଦ୍ୱାରା ଭୂତକୁ ବିନାଶ କରନ୍ତି । ୩୬ । ବାଳକ ଯେପରି ସ୍ୱେଚ୍ଛାନୁସାରେ କ୍ରୀଡ଼ାଦ୍ରବ୍ୟକୁ ଘେନି ସଂଯୋଗ ବା ବିଯୋଗକରି କ୍ରୀଡ଼ା କରୁଥାଏ, ସେହିପରି ପ୍ରଭୁ ଭଗବାନ ସ୍ୱକୀୟ ଇଚ୍ଛାନୁସାରେ ଭୂତନିଚୟକୁ ସଂଯୋଗ ଓ ବିଯୋଗ କରି କ୍ରୀଡ଼ା କରୁଅଛନ୍ତି । ୩୭ ।

 

ହେ ରାଜନ୍‌ ! ବିଧାତା ପ୍ରାଣୀମାନଙ୍କ ପ୍ରତି ମାତାପିତାରୂପେ ବ୍ୟବହାର କରୁନାହାନ୍ତି । ଇତର ଜନ ପ୍ରାୟ କ୍ରୋଧକରି କାର୍ଯ୍ୟ କରୁଅଛନ୍ତି । ୩୮ । କାରଣ ଆମ୍ଭେ ଦେଖୁଅଛୁ ଯେ, ଲଜ୍ଜାଶୀଳ ସୁଶୀଳ ବ୍ୟକ୍ତିମାନେ ଅତି କଷ୍ଟରେ କାଳଯାପନ କରୁଅଛନ୍ତି ଓ ନିର୍ଲଜ୍ଜ ଏବଂ ଦୁଶ୍ଚରିତ୍ର ପ୍ରାଣୀ ପରମ ସୁଖରେ କାଳାତିପାତ କରୁଅଛନ୍ତି । ଏହା ଦେଖି ଆମ୍ଭେ ଚିନ୍ତାରେ ବିହ୍ୱଳ ହେଉଅଛୁ । ୩୯ ।

 

ହେ ପାର୍ଥ ! ଆପଣଙ୍କର ଏପରି ଆପଦ ଓ ଦୁର୍ଯ୍ୟୋଧନର ଏତାଦୃଶ ସମୃଦ୍ଧି ଦେଖି ଆମ୍ଭେ ବିଧାତାଙ୍କୁ ବିପରୀତ ବିଚାରକର୍ତ୍ତା ବୋଲି ନିନ୍ଦା କରୁଅଛୁ । ୪୦ । ଆର୍ଯ୍ୟଶାସ୍ତ୍ରର ଅତିକ୍ରମକାରୀ, କ୍ରୂର, ଲୁବ୍‌ଧ ଓ ଅଧର୍ମରତ ଧୃତରାଷ୍ଟ୍ରପୁତ୍ରଙ୍କୁ ସମୃଦ୍ଧିଶାଳୀ କରି ବିଧାତା କି ଫଳ ଲଭୁଅଛି ? ୪୧ । କର୍ମର ଫଳ ଯେବେ କର୍ତ୍ତାଙ୍କୁ ମିଳେ ଓ ଅନ୍ୟକୁ ନ ମିଳେ, ତେବେ ନିଶ୍ଚୟ ଏହି ପାପକର୍ମଦ୍ୱାରା ଈଶ୍ୱର ଲିପ୍ତ ହୁଅନ୍ତି । ୪୨ । କୃତକର୍ମ ପାପ ଯେବେ କର୍ତ୍ତାକୁ ଭୋଗ ନ ହୁଏ, ତେବେ ଈଶ୍ୱରଙ୍କୁ କର୍ମର କାରଣ ବୋଲା ଯାଇନପାରେ, ବଳକୁ କର୍ମର କାରଣ କୁହାଯିବ; ଯେହେତୁରୁ ବଳଦ୍ୱାରା ସେ ଇଷ୍ଟସିଦ୍ଧ କରୁଅଛନ୍ତି । ଅତଏବ ବଳବାନ ବ୍ୟକ୍ତି ଧନ୍ୟ । ଦୁର୍ବଳ ବ୍ୟକ୍ତିମାନେ କେବଳ ଶୋକର ଯୋଗ୍ୟ । ୪୩ ।

 

॥ ଅଧ୍ୟାୟ – ୩୧ ॥

 

ଯୁଧିଷ୍ଠିର ବୋଇଲେ–ଯାଜ୍ଞସେନୀ ! ତୁମ୍ଭେ ବିଚିତ୍ର ଓ କୋମଳ ପଦସଂଯୁକ୍ତ ଯେଉଁ ବଚନ କହିଲ ଓ ଆମ୍ଭେ ଯାହା ଶୁଣିଲୁ, ତାହା ନାସ୍ତିକଙ୍କର ମତ । ୧ । ହେ ରାଜପୁତ୍ରୀ ! କର୍ମଫଳକୁ ଅନ୍ୱେଷଣ କରି ଆମ୍ଭେ କୌଣସି କାର୍ଯ୍ୟରେ ପ୍ରବୃତ୍ତ ହେଉ ନାହୁଁ । ଦେବାକୁ ହୁଏ ବୋଲି ଆମ୍ଭେ ଦାନ କରୁ ଓ ଯଜ୍ଞ କର୍ତ୍ତବ୍ୟ ବୋଲି ଯଜ୍ଞ କରୁ । ୨ । ଫଳ ମିଳୁ ବା ନ ମିଳୁ ପୁରୁଷର ଯାହା କର୍ତ୍ତବ୍ୟ ଆମ୍ଭେ ତାହା କରୁ । ବନରେ ଥାଉଁ ଅଥବା ଗୃହରେ ଥାଉଁ, ହେ କୃଷ୍ଣେ ! ଆମ୍ଭର ଶକ୍ତି ଅନୁସାରେ ଆମ୍ଭେ କର୍ମାଚରଣ କରୁ । ୩ ।

 

ହେ ସୁଶ୍ରୋଣି ! ଧର୍ମର ଫଳ ପ୍ରାପ୍ତି ହେବ ବୋଲି ଆମ୍ଭେ ଧର୍ମାଚରଣ କରୁ ନାହୁଁ । ଶାସ୍ତ୍ରର ଉପଦେଶକୁ ଉଲ୍ଲଙ୍ଘନ ନ କରି ଓ ସଜ୍ଜନଙ୍କ ଆଚରିତ କର୍ମକୁ ଦେଖି ଆମ୍ଭେ ଧର୍ମାଚରଣ କରୁ । ଆମ୍ଭର ମନ ସ୍ୱଭାବତଃ ଧର୍ମରେ ରତ ହୁଅଇ । ହେ କୃଷ୍ଣେ ! ଯେଉଁ ବ୍ୟକ୍ତି ଧର୍ମକୁ ଦ୍ୱାହି କରିବାକୁ ଇଚ୍ଛା କରେ, ତାହାକୁ ଧର୍ମବଣିକ ବୋଲାଯାଏ । ସେ ଧର୍ମର ବଳ ପାଏ ନାହିଁ । ଧର୍ମବାଦୀଙ୍କ ଅଭିମତରେ ସେ ହୀନ ଓ ଜଘନ୍ୟ ଅଟେ । ୫ । ଯେ ଧର୍ମକୁ ବିଶ୍ୱାସ ନ କରେ ସେ ନାସ୍ତିକ । ପାପବୁଦ୍ଧି ଜନ ଧର୍ମର ଫଳ ଲାଭ କରେ ନାହିଁ । ୬ । ଆମ୍ଭେ ବେଦର ପ୍ରବଳ ପ୍ରମାଣ ଦେଖି କହୁଅଛୁ, ତୁମ୍ଭେ ଧର୍ମପ୍ରତି କୌଣସି ପ୍ରକାର ସନ୍ଦେହ କରନାହିଁ । ଧର୍ମକୁ ଯେ ଶଙ୍କା କରେ ତାହାର ପଶୁପକ୍ଷୀଙ୍କ ଯୋନିରେ ଜନ୍ମ ହୁଏ । ଶୂଦ୍ରର ବେଦରେ ଅଧିକାର ନ ଥିଲା ପରି ଯେଉଁ ଜନ ଧର୍ମରେ ଅଥବା ଋଷିବଚନରେ ଅବିଶ୍ୱାସ କରେ, ସେହି ହିଁ ଦୁର୍ବଳ ବ୍ୟକ୍ତିର ଅଜରାମର ଲୋକରେ ଅଧିକାର ନ ଥାଏ ।

 

ହେ ମନସ୍ୱିନୀ ! ସତ୍କୁଳଜାତ ବାଳକ ହୋଇ ଯେବେ ବେଦାଧ୍ୟୟନ କରେ ଓ ଧର୍ମପରାୟଣ ହୁଏ, ତେବେ ଧର୍ମଚାରୀ ରାଜାମାନେ ତାହାକୁ ସ୍ଥବିର ମଧ୍ୟରେ ଗଣନା କରନ୍ତି । ୯-। ଯେ ଶାସ୍ତ୍ରକୁ ଅତିକ୍ରମ କରେ ସେ ମନ୍ଦବୁଦ୍ଧି, ଧର୍ମରେ ଅବିଶ୍ୱାସୀ ଓ ପାପୀ ଅଟେ । ଶୂଦ୍ର ଓ ଦସ୍ୟୁ ଅପେକ୍ଷା ସେ ନୀଚ । ୧୦ । ଅପ୍ରମେୟମନା ମହାତପୀ ମାର୍କଣ୍ଡେୟ ଋଷି ଗମନ କରୁଥିଲେ, ତାହାଙ୍କୁ ତୁମ୍ଭେ ପ୍ରତ୍ୟକ୍ଷ କରିଅଛ । ଧର୍ମବଳରୁ ସେ ଚିରଜୀବୀତ୍ୱ ଲାଭ କରିଅଛନ୍ତି । ୧୧ । ବ୍ୟାସ, ବଶିଷ୍ଠ, ମୈତ୍ରେୟ, ନାରଦ, ଲୋମଶ, ଶୁକ ଓ ଅନ୍ୟାନ୍ୟ ଋଷିମାନେ କେବଳ ଧର୍ମାନୁଷ୍ଠାନଦ୍ୱାରା ବିଶୁଦ୍ଧଚିତ୍ତ ହୋଇଅଛନ୍ତି । ୧୨ । ତୁମ୍ଭେ ପ୍ରତ୍ୟକ୍ଷ ଦେଖୁଅଛ ଯେ, ଏମାନେ ଦିବ୍ୟ ଯୋଗ କରି ଅଭିଶାପ ଓ ବର ଦେବାକୁ ସମର୍ଥ ହୋଇଅଛନ୍ତି । ଏମାନେ ଦେବତାମାନଙ୍କ ଅପେକ୍ଷା ମଧ୍ୟ ଶ୍ରେଷ୍ଠତା ଲାଭ କରିଅଛନ୍ତି । ୧୩ ।

 

ହେ ଅନଘେ ! ଅମର ସଦୃଶ ସେହି ଋଷିମାନେ ବେଦୋକ୍ତ ବିଷୟକୁ ପ୍ରତ୍ୟକ୍ଷ କରିଅଛନ୍ତି ଓ ସେମାନେ ଯାହା ବର୍ଣ୍ଣନା କରନ୍ତି, ତାହା ସର୍ବତୋଭାବେ ବିଶ୍ୱାସନୀୟ ଅଟେ । ୧୪ । ଅତଏବ ହେ କଲ୍ୟାଣୀ ରାଜ୍ଞି ! ବିଧାତାଙ୍କୁ ଓ ଧର୍ମକୁ ମୂଢ଼ ବୁଦ୍ଧିରେ ନିନ୍ଦା କରିବାକୁ ଅଥବା ଅବିଶ୍ୱାସ କରିବାକୁ ତୁମ୍ଭର ଉଚିତ ନୁହେଁ । ୧୫ । ଧର୍ମ ସନ୍ଦେହୀ ବ୍ୟକ୍ତି ଆପଣାର ବୁଦ୍ଧିକୁ ପ୍ରମାଣସ୍ୱରୂପ ଗ୍ରହଣ କରେ । ସେ ମନ ମଧ୍ୟରେ ଅହଂକାର କରେ । କଲ୍ୟାଣଦାୟୀ ଧର୍ମର ଅବମାନନା କରେ । ଅନାଗତ ବିଷୟରେ ନିଶ୍ଚୟକର୍ତ୍ତା ପଣ୍ଡିତମାନଙ୍କୁ ଉନ୍ମତ୍ତ ବୋଲି ଜ୍ଞାନ କରେ । ଆପଣାର ବୁଦ୍ଧି ବ୍ୟତିରେକେ ଅନ୍ୟ ଲୋକେ ଯେଉଁ ଜ୍ଞାନକୁ ପ୍ରମାଣ କରିଥାନ୍ତି ତାହାକୁ ଅଗ୍ରାହ୍ୟ କରେ । ସୁତରାଂ ସେହି ଲୋକେ ଇନ୍ଦ୍ରିୟ ପ୍ରୀତି ବିଷୟରେ ଯାହା ପ୍ରତ୍ୟକ୍ଷ କରନ୍ତି ତାହାକୁ ବିଶ୍ୱାସ କରନ୍ତି । ଏହା ବ୍ୟତିରେକେ ମୋହବଶରୁ ଅତୀନ୍ଦ୍ରିୟ ପଦାର୍ଥ ସମ୍ବନ୍ଧରେ କୌଣସି କଥାକୁ ବିଶ୍ୱାସ କରନ୍ତି ନାହିଁ । ୧୭ । ଯେଉଁ ବ୍ୟକ୍ତି ଧର୍ମକୁ ସନ୍ଦେହ କରେ ତାହାର ପ୍ରାୟଶ୍ଚିତ୍ତ ନାହିଁ; ସେ ପଶ୍ଚାତ୍ ସନ୍ତାପ କରେ ଓ ତାହା ନିମିତ୍ତ କୌଣସି ଲୋକ ନ ଥାଏ । ୧୮ । ଯେ ପ୍ରମାଣକୁ ଅଗ୍ରାହ୍ୟ କରେ, ବେଦଶାସ୍ତ୍ରକୁ ନିନ୍ଦା କରେ, କାମ ଓ ଲୋଭର ବଶବର୍ତ୍ତୀ ହୁଏ, ସେ ମୂଢ଼ ନରକକୁ ଗମନ କରେ । ୧୯ ।

 

ହେ କଲ୍ୟାଣୀ ! ଯେଉଁ ବ୍ୟକ୍ତି ସର୍ବଦା ସଂଶୟରହିତ ହୋଇ ଧର୍ମର ସେବା କରେ ସେ ବୁଦ୍ଧିମାନ ପୁରୁଷ; ପରଲୋକରେ ଅନନ୍ତ ସୁଖ ଭୋଗ କରେ । ଯେଉଁ ବ୍ୟକ୍ତି ଧର୍ମକୁ ପ୍ରତିପାଳନ ନ କରେ, ଋଷିଙ୍କ ନିର୍ଦ୍ଦିଷ୍ଟ ପ୍ରମାଣକୁ ଅତିକ୍ରମ କରେ ସେ ମୂଢ଼; କୌଣସି ଜନ୍ମରେ ସୁଦ୍ଧା ସୁଖଲାଭ କରେ ନାହିଁ । ୨୧ । ହେ ଭାବିନୀ ! ଯେ ଋଷିଙ୍କ ପ୍ରଣୀତ ବାକ୍ୟ ଓ ଶିଷ୍ଠାଚାରକୁ ମାନ୍ୟ ନ କରଇ ତାହାର ଇହଲୋକ ନାହିଁ କି ପରଲୋକ ନାହିଁ, ଏହାକୁ ନିଶ୍ଚୟ ଜାଣିବ । ୨୨ । ହେ କୃଷ୍ଣେ ! ସର୍ବଦର୍ଶୀ ଓ ସର୍ବଜ୍ଞ ମହର୍ଷିଗଣଙ୍କ ଅଭିହିତ ପୁରାତନ ଧର୍ମକୁ ଶିଷ୍ଟବ୍ୟକ୍ତିମାନେ ଆଚରି ଅଛନ୍ତି; ତାହାପ୍ରତି ତୁମ୍ଭେ ଆଶଙ୍କା କରନାହିଁ । ୨୩ । ହେ ଦ୍ରୌପଦୀ ! ସାଗର ପାରକୁ ଗମନାଭିଳାଷୀ ବଣିକରସ୍ୱରୂପ ଧର୍ମକୁ ସ୍ୱର୍ଗାକାଙ୍‌କ୍ଷୀ ଲୋକ ସର୍ବଦା ଆଚରଣ କରିବ । ୨୪ ।

 

ହେ ସୁନ୍ଦରୀ ! ଧାର୍ମିକମାନଙ୍କର ଆଚରିତ ଧର୍ମ ଯେବେ ନିଷ୍ଫଳ ହୋଇଥାନ୍ତା, ତେବେ ଏହି ସଂସାର ଘୋର ଅନ୍ଧକାରରେ ନିମଗ୍ନ ହୋଇଯାନ୍ତା । ୨୫ । ଧର୍ମାନୁଷ୍ଠାନ ନିଷ୍ଫଳ ହେଲେ କେହି ମୋକ୍ଷ ଲାଭ କରିବାକୁ ସମର୍ଥ ହୁଅନ୍ତେ ନାହିଁ, କେହି ବିଦ୍ୟାଭ୍ୟାସରେ ନିଯୁକ୍ତ ହୁଅନ୍ତେ ନାହିଁ; କାହାରି ଅର୍ଥଲାଭ ହୁଅନ୍ତା ନାହିଁ; ସୁତରାଂ ସମସ୍ତେ ପଶୁ ଜୀବିକାରେ ଜୀବନଯାପନ କରନ୍ତେ । ୨୬ । ଯଦି ତପସ୍ୟା, ବ୍ରହ୍ମଚର୍ଯ୍ୟ, ଯଜ୍ଞ, ସ୍ୱାଧ୍ୟାୟ, ଦାନ ବା ସରଳତା ନିଷ୍ଫଳ ହୁଅନ୍ତା, ତେବେ ଲୋକେ କେହି ଧର୍ମାଚରଣ କରନ୍ତେ ନାହିଁ । କ୍ରିୟାସବୁ ନିଷ୍ଫଳ ହୁଅନ୍ତା ଓ ସଂସାରରେ ମହା ବିସମ୍ବାଦ ଉପସ୍ଥିତ ହୁଅନ୍ତା, ଏଥିରେ ସନ୍ଦେହ ନାହିଁ । ୨୯ । ହେ କୃଷ୍ଣେ ! ସେମାନେ ବିଧାତାଙ୍କୁ ଶ୍ରେୟ କର୍ମରେ ଫଳଦାତା ବୋଲି ନିଶ୍ଚୟ ଜାଣି ଧର୍ମାଚରଣ କରନ୍ତି । ଧର୍ମକୁ ସନାତନ ଓ ମଙ୍ଗଳସ୍ୱରୂପ ଜାଣିବ । ୩୦ । ଯେଉଁ ସ୍ଥଳରେ ବିଦ୍ୟା ଓ ତପସ୍ୟାର ଫଳ ଦୃଷ୍ଟ ହେଉଅଛି, ସେ ସ୍ଥଳରେ ଧର୍ମ ଅଥବା ଅଧର୍ମକୁ ନିଷ୍ଫଳ ବୋଲାଯାଇ ନ ପାରେ । ୩୧ । ହେ କୃଷ୍ଣେ ! ତୁମ୍ଭେ ନିଜର ଜନ୍ମବୃତ୍ତାନ୍ତ ଯେପରି ଶୁଣିଅଛ, ତାହାକୁ ବାରେ ବିବେଚନା କର ଓ ପ୍ରତାପଶାଳୀ ଧୃଷ୍ଟଦ୍ୟୁମ୍ନଙ୍କର ଜନ୍ମକଥା ଥରେ ସ୍ମରଣ କର । ୩୨ ।

 

ହେ ଶୁଭସ୍ମିତେ ! ଏତିକି ହେଲେ ଯଥେଷ୍ଟ ତୁମ୍ଭେ ଜାଣିବ ଯେ, ଧର୍ମର ନିଶ୍ଚୟ ଫଳ ଅଛି-। ଧୀର ବ୍ୟକ୍ତି କର୍ମଫଳ ପ୍ରାପ୍ତ ହୁଅନ୍ତି; ଏହି ନିମିତ୍ତ ସେ ଅଳ୍ପ ଲାଭରେ ତୁଷ୍ଟ । ୩୩ । ଅବିଦ୍ୱାନ, ନିର୍ବୁଦ୍ଧି ଲୋକେ ବହୁ ଲାଭରେ ସୁଦ୍ଧା ସନ୍ତୁଷ୍ଟ ହୁଅନ୍ତି ନାହିଁ । ସେମାନେ ଇହଜନ୍ମରେ ସୁଖ ପାଆନ୍ତି ନାହିଁ କି ପରଲୋକରେ ତାହାଙ୍କର ଧର୍ମଫଳ ଭୋଗ ହୁଏ ନାହିଁ । ୩୪ । ହେ ଭାବିନୀ-! ଦେବବିହିତ ଶୁଭାଶୁଭ କର୍ମର ଫଳ ଓ କି ହେତୁରୁ କର୍ମର ଉତ୍ପତ୍ତି ହୁଏ ଓ କାହିଁରେ ସେ କର୍ମର ବିନାଶ ହୁଏ, ଏହା ସମସ୍ତଙ୍କୁ ଜଣା ନ ଥାଏ । ସାଧାରଣ ପ୍ରଜାମାନେ ଏସବୁ ବିଷୟରେ ଅଜ୍ଞ-। ଦେବତାମାନେ ଏସବୁ ବିଷୟ ପାଳନ କରନ୍ତି, ଯେ ହେତୁରୁ ସେମାନଙ୍କର ମାୟା ମନୁଷ୍ୟକୁ ବିଦିତ ନାହିଁ । ଯେଉଁମାନଙ୍କର ସାମାନ୍ୟ ବିଷୟରେ ଆଶା ନଷ୍ଟ ହୋଇଅଛି ଏବଂ ବ୍ରତାଦି ପାଳନରେ ଓ ତପସ୍ୟାରେ ପାପମାନ ବିନଷ୍ଟ ହୋଇଅଛି ଅଥଚ ଶ୍ରବଣ, ମନନ, ନିଦିଧ୍ୟାସନଦ୍ୱାରା ମନ ନିର୍ମଳ ଓ ପ୍ରସନ୍ନ ହୋଇଅଛି, କେବଳ ସେହି ବ୍ରାହ୍ମଣମାନେ କର୍ମଫଳାଦିର ବିଷୟ ଜାଣନ୍ତି । ୩୭ । ଅତଏବ ପ୍ରତ୍ୟକ୍ଷ ଫଳ ନ ଦେଖିଲେ ହେଁ ଧର୍ମ ଓ ଦେବତାଙ୍କଠାରେ ଅବିଶ୍ୱାସ କରିବା କର୍ତ୍ତବ୍ୟ ନୁହେଁ-। ପରନ୍ତୁ ଶୁଦ୍ଧ ମନରେ ଯତ୍ନସହକାରେ ଯଜ୍ଞ ଓ ଦାନ ଆଚରଣ କରିବ । ୩୮ । ଇହଲୋକରେ କର୍ମ ଫଳ ଓ ଧର୍ମର ଫଳ ଚିରକାଳ ସ୍ଥାୟୀ । ଏହା ବ୍ରହ୍ମା ନିଜ ପୁତ୍ରମାନଙ୍କୁ କହିଅଛନ୍ତି ଓ କଶ୍ୟପ ଋଷି ତାହା ଜାଣନ୍ତି । ୩୯ ।

 

ଅତଏବ ହେ କୃଷ୍ଣେ ! ସୂର୍ଯ୍ୟୋଦୟରେ ନିହାର ଅଦୃଶ୍ୟ ହେଲା ପ୍ରାୟ ତୁମ୍ଭ ମନରୁ ଏହି ସଂଶୟମାନ ବିନଷ୍ଟ ହେଉ । ନାସ୍ତିକୀ ବୁଦ୍ଧିକୁ ତୁମ୍ଭେ ପରିତ୍ୟାଗ କର । ୪୦ । ଈଶ୍ୱରଙ୍କୁ ଓ ପ୍ରାଣୀମାନଙ୍କର କର୍ତ୍ତା ବିଧାତାଙ୍କୁ ନିନ୍ଦା କରନାହିଁ । ତାହାଙ୍କୁ ଜାଣିବାର ଉପାୟ ଶିକ୍ଷା କର ଓ ତାହାଙ୍କୁ ନମସ୍କାର କର; ଆଉ ଏତାଦୃଶ ନାସ୍ତିକୀ ବୁଦ୍ଧି ତୁମ୍ଭର ଯେପରି ନ ହୁଏ । ୪୧ । ଯାହାଙ୍କର ଭକ୍ତ ହେଲେ ମରଣଶୀଳ ମନୁଷ୍ୟ ଅମର ହୁଏ, ହେ କୃଷ୍ଣେ ! ସେହି ଉତ୍ତମ ଦେବତାଙ୍କୁ କଦାପି ଅବମାନନା କରନାହିଁ । ୪୨ ।

 

॥ ଅଧ୍ୟାୟ – ୩୨ ॥

 

ଦ୍ରୌପଦୀ ବୋଇଲେ–ହେ ପାର୍ଥ ! ଧର୍ମକୁ ଆମ୍ଭେ କୌଣସି ପ୍ରକାରେ ନିନ୍ଦା କରୁ ନାହୁଁ କି ଅବମାନନା କରୁ ନାହୁଁ । ପ୍ରଜାପତି ଈଶ୍ୱରଙ୍କୁ ଆମ୍ଭେ କି ହେତୁରୁ ନିନ୍ଦା କରିବୁଁ ? ୧ । ହେ ଭାରତ-! ଆପଣ ଜାଣନ୍ତୁ ଯେ ମୁଁ ଦୁଃଖାର୍ତ୍ତ ହୋଇ ରୋଦନ କରୁଅଛି ଓ ଆହୁରି ରୋଦନ କରିବି । ଆପଣ ସୁମନା ହୋଇ ଶୁଣିବା ହେବେ । ୨ ।

 

ହେ ଶତ୍ରୁ ନାଶନ ! ଇହଲୋକରେ ଜୀବମାନଙ୍କର କର୍ମ କରିବା କର୍ତ୍ତବ୍ୟ । ଯେହେତୁରୁ ସ୍ଥାବର ବ୍ୟତିରେକେ କୌଣସି ପ୍ରାଣୀ କର୍ମ ନ କରି ଜୀବିତ ରହି ନ ପାରେ (୩), ହେ ଯୁଧିଷ୍ଠିର ! କୌଣସି ବ୍ୟକ୍ତିର ଗୋଟିଏ ରୂପ ଲେଖି ଅର୍ଥାତ୍ ଗଢ଼ି ତହିଁରେ କଣ୍ଟା ଫୋଡ଼ିଲେ ସେପରି ସେହି ବ୍ୟକ୍ତି ଦେହରେ ଦୁଃଖ ଅନୁଭୂତ ହୁଏ । ପୁନଶ୍ଚ, ଜନ୍ମ ହେଲା ମାତ୍ରେ ଗୋବତ୍ସର ଯେପରି ମାତୃସ୍ତନ୍ୟ ପାନ କରିବାର ପ୍ରବୃତ୍ତି ହୁଏ, ଏତଦ୍ଦ୍ୱାରା ଜନ୍ତୁମାନଙ୍କର ପୂର୍ବଜନ୍ମର ସଂସ୍କାର ପ୍ରତିପନ୍ନ ହେଉଅଛି । ପୂର୍ବଜନ୍ମର ସଂସ୍କାର ଅନୁସାରେ ସେମାନେ ଇହଲୋକରେ ଜୀବିକା ନିର୍ବାହ କରନ୍ତି । ୪ ।

 

ହେ ଭରତଶ୍ରେଷ୍ଠ ! ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟର ବିଶେଷତ୍ୱ ଏହି ଯେ, ସେ ନିଜ କର୍ମଦ୍ୱାରା ଇହଲୋକରେ ଓ ପରଲୋକରେ ଜୀବିକାପ୍ରାପ୍ତ ହେବାକୁ ଇଚ୍ଛା କରେ । ୫ । ହେ ଭାରତ ! ସମସ୍ତ ପ୍ରାଣୀ ନିଜର ପୂର୍ବଜନ୍ମର ସଂସ୍କାର ଅନୁସାରେ ପ୍ରତ୍ୟକ୍ଷ ଫଳ ଅନୁଭବ କରନ୍ତି । ୬ । ବକ ପକ୍ଷୀ ଯେପରି ପୂର୍ବ ସଂସ୍କାରବଶତଃ ଜଳରେ ଆପଣାର ଜୀବିକା ନିର୍ବାହ କରେ, ସେହିପରି ସବୁପ୍ରାଣୀ ସ୍ୱ ସ୍ୱ ପ୍ରାକ୍ତନ କର୍ମାନୁସାରେ ଜୀବିକା ନିର୍ବାହ କରନ୍ତି । ଈଶ୍ୱର ଓ ଧର୍ମ ଏମାନେ ମଧ୍ୟ ଅନାଦି ସିଦ୍ଧ ସଂସ୍କାରର ବଶବର୍ତ୍ତୀ ହୋଇ ସୃଷ୍ଟ୍ୟାଦି ସମସ୍ତ କାର୍ଯ୍ୟରେ ପ୍ରବୃତ୍ତ ହେଉଅଛନ୍ତି । ଜୀବମାନେ କର୍ମହୀନ ହେଲେ ସେମାନଙ୍କର କୌଣସି ଜୀବିକା ସମ୍ଭବି ନ ପାରେ । ଅତଏବ କର୍ମରେ ପ୍ରବୃତ୍ତ ହେବ, କଦାପି ତହିଁରୁ ନିବୃତ୍ତ ହେବ ନାହିଁ । ୮ ।

 

ଆପଣ ମଧ୍ୟ କର୍ମାନୁଷ୍ଠାନ କରନ୍ତି । କର୍ମକୁ ପରିତ୍ୟାଗ କରି ଗ୍ଳାନିଯୁକ୍ତ ହୁଅନ୍ତୁ ନାହିଁ । ବର୍ମସ୍ୱରୂପ କର୍ମଦ୍ୱାରା ଆପଣ ନିଜ ଶରୀରକୁ ଆଚ୍ଛାଦିତ କରନ୍ତୁ; ଯେହେତୁରୁ ସହସ୍ର ମନୁଷ୍ୟ ମଧ୍ୟରେ ଜଣେ କର୍ମଜ୍ଞ ବ୍ୟକ୍ତି ଅଛି କି ନାହିଁ ସନ୍ଦେହ । ୯ । ଅର୍ଥର ରକ୍ଷା ଓ ଅର୍ଥର ବୃଦ୍ଧି ନିମିତ୍ତ କର୍ମ କରିବା ଅତି ଆବଶ୍ୟକ, କାରଣ ଅର୍ଥକୁ ଉପାର୍ଜନ ନ କରି କେବଳ ଉପଭୋଗ କଲେ ତାହା ହିମାଳୟ ଗିରି ସଦୃଶ ହେଲେହେଁ କ୍ଷୟ ପ୍ରାପ୍ତ ହୁଏ । ୧୦ । ପୃଥିବୀରେ ଯେବେ କେହି କର୍ମ ନ କରନ୍ତେ, ତେବେ ସବୁ ପ୍ରଜା ଉଚ୍ଛନ୍ନ ହୋଇଯାନ୍ତେ ଓ କର୍ମର ଫଳ ନ ଥିଲେ ଏହି ସବୁ ପ୍ରଜା କଦାପି ବୃଦ୍ଧିପ୍ରାପ୍ତ ହୁଅନ୍ତେ ନାହିଁ । ୧୧ । ଏହା ମଧ୍ୟ ଦେଖାଯାଏ ଯେ, କେବଳ ଲୋକେ ନିଷ୍ଫଳ କର୍ମ କରନ୍ତି କାରଣ ଲୋକେ କର୍ମ ନ କରି କୌଣସି ପ୍ରକାରେ ଜୀବନ ଧାରଣ କରିନପାରନ୍ତି । ୧୨ ।

 

ସଂସାର ମଧ୍ୟରେ ଯେଉଁ ବ୍ୟକ୍ତି ଭାଗ୍ୟ ପ୍ରତି ନିର୍ଭର କରେ ଓ ଯେଉଁ ବ୍ୟକ୍ତି ହଠବାଦୀ ଅର୍ଥାତ୍ ପ୍ରାକ୍ତନ କର୍ମକୁ ନ ମାନେ, ସେ ଦୁହେଁ ଅଧମ । ପରନ୍ତୁ ଯେଉଁ ବ୍ୟକ୍ତି କର୍ମଦ୍ୱାରା ଇଷ୍ଟ ସାଧନ କରିବାକୁ ପ୍ରବୃତ୍ତ ହୁଏ, ସେ ପ୍ରଶଂସନୀୟ । ୧୩ । ଯେ ଚେଷ୍ଟା ନ କରି ସୁଖରେ ଶୋଇ ରହେ ଓ ଭାଗ୍ୟର ଉପାସନାରେ ନିବିଷ୍ଟ ଥାଏ, ସେହି ଦୁର୍ବୁଦ୍ଧି ଲୋକ ଜଳସ୍ଥିତ ଆମଘଟ* ସଦୃଶ ଅବସନ୍ନ ହୁଏ । ୧୪ । ଆହୁରି ଯେଉଁ ବ୍ୟକ୍ତି କର୍ମ କରିବାକୁ ସମର୍ଥ ହୋଇ ସୁଦ୍ଧା କର୍ମ ନ କରେ, କେବଳ ବସିଥାଏ କି ଶୋଇଥାଏ, ସେ ବ୍ୟକ୍ତି ସାମର୍ଥ୍ୟହୀନ, ଅନ୍ୟଥା ବ୍ୟକ୍ତି ପ୍ରାୟ ବହୁ ଦିନ ଜୀବିତ ରହିପାରେ ନାହିଁ । ୧୫ । ଯଦି କେହି ବ୍ୟକ୍ତି ଅକସ୍ମାତ୍ ଇହଲୋକରେ କିଞ୍ଚିତ୍ ଧନ ପ୍ରାପ୍ତ ହୁଏ, ତାହାକୁ ସେ ହଠାତ୍ ପ୍ରାପ୍ତ ବୋଲି ମନେ କରେ, ଯେହେତୁରୁ ସେ ଧନ କାହାରି ଯତ୍ନଦ୍ୱାରା ଲବ୍ଧ ହୋଇ ନାହିଁ ।

 

[*ଯେଉଁ କଳସୀ ଅଗ୍ନିରେ ଦଗ୍ଧ ନ ହୋଇ କଞ୍ଚା ଥାଏ ସେ ଯେପରି ଜଳରେ ମିଳେଇଯାଏ ।]

 

ହେ ପାର୍ଥ ! କୌଣସି ପୁରୁଷ ଯଦି ଦେବତାଙ୍କୁ ଆରାଧନା କରି ଧନଲାଭ କରେ, ତେବେ ସେ ଧନକୁ ଦୈବ ବୋଲି ବୋଲାଯାଏ । ଆପଣା ଯତ୍ନଦ୍ୱାରା ଯଦି କେହି ପୁରୁଷ ସମ୍ମତି ଲାଭ କରେ, ତାହାକୁ ପୌରୁଷ ବୋଲାଯାଏ, ଯେ ହେତୁରୁ ସେ ପୁରୁଷକାରଦ୍ୱାରା ଲବ୍ଧ ହୋଇଥାଏ । ହେ ପୁରୁଷସତ୍ତମ ! ମନୁଷ୍ୟ ସ୍ୱଭାବତଃ ପ୍ରବୃତ୍ତ ହୋଇ ବିନା କାରଣରେ ଯେଉଁ ଅର୍ଥ ପ୍ରାପ୍ତ ହୁଏ, ଯେପରିକି ଜଣେ ଗୋଟିଏ କଉଡ଼ି ପଙ୍କରେ ହଜାଇ ତାକୁ ଖୋଜୁଁ ଖୋଜୁଁ ରତ୍ନ ପାଏ, ତେବେ ସେ ଧନକୁ ସ୍ୱାଭାବିକ ଫଳ ବୋଲାଯାଏ । ୧୯ । ଏହିପରି ଯେଉଁ ଧନ ହଠାତ୍‌, ଦୈବାତ୍‌, ସ୍ୱଭାବତଃ ବା କର୍ମବଶତଃ ଲବ୍ଧ ହୁଏ, ତାହା ପ୍ରାକ୍ତନ କର୍ମର ଫଳ । ୨୦ । ବିଧାତା, ଈଶ୍ୱର, ଇହଲୋକରେ ମନୁଷ୍ୟମାନଙ୍କର ପୂର୍ବଜନ୍ମକୃତ ସ୍ୱ ସ୍ୱ କର୍ମ ବିଭାଗ କରି ସେହି ସେହି କର୍ମ ହେତୁରୁ ଫଳବିଧାନ କରନ୍ତି । ୨୧ । ଯେ କେହି ପୁରୁଷ ହେଉ, ସମସ୍ତେ ଶୁଭାଶୁଭ କର୍ମ କରନ୍ତି; କିନ୍ତୁ ବିଧାତା ତତ୍ସମୁଦାୟ ତାହାର ପୂର୍ବକୃତ କର୍ମ ଅନୁସାରେ ବିଧାନ କରନ୍ତି । ଅର୍ଥାତ୍ ପୂର୍ବରେ ସେ ସୁକୃତ କରିଥିଲେ, ତାହାଦ୍ୱାରା ଶୁଭ କର୍ମ କରାନ୍ତି ଓ ଦୃଷ୍କୃତ କରିଥିଲେ, ତାହାକୁ ଅଶୁଭ କର୍ମରେ ପ୍ରବୃତ୍ତ କରାନ୍ତି । ୨୨ । ଧାତାଙ୍କ ନିର୍ମିତ ଏହି ଦେହ କର୍ମରେ ପ୍ରବୃତ୍ତ ହୁଏ । ତନ୍ନିମିତ୍ତ ଏହି ଦେହକୁ ସେ କର୍ମର କାରଣ କୁହାଯାଏ । ଏହି ଦେହ ପ୍ରାଣୀର ନିଜ ବଶରେ ନ ରହି ବିଧାତା ତାହାଙ୍କୁ ଯହିଁରେ ପ୍ରବୃତ୍ତ କରାନ୍ତି, ସେ ଦେହ ତାହାଙ୍କ ବଶରେ ରହି ପ୍ରବୃତ୍ତ ହୁଏ । ୨୩ ।

 

ହେ କୌନ୍ତେୟ ! କୌଣସି ପ୍ରାଣୀ ନିଜ ବଶରେ ନ ଥାଏ । ପ୍ରଭୁ ମହେଶ୍ୱର ସେମାନଙ୍କର ସ୍ୱ ସ୍ୱ କର୍ମର ନିୟୋଗକର୍ତ୍ତା ହୋଇ ସେମାନଙ୍କୁ ସ୍ୱକର୍ମ କରାନ୍ତି । ୨୪ । ହେ ବୀର ! ମନୁଷ୍ୟ ଅଗ୍ରେ ଚିନ୍ତାଦ୍ୱାରା ବିଷୟ ନିଶ୍ଚୟ କରେ, ପରେ ବୁଦ୍ଧିପୂର୍ବକ କର୍ମ ଅର୍ଥାତ୍ ପ୍ରଯତ୍ନାଦି କ୍ରିୟାଦ୍ୱାରା ତାହା ପ୍ରାପ୍ତ ହୁଏ । ଏହି ନିମିତ୍ତ ସେହି ପୁରୁଷକୁ ସେ କାର୍ଯ୍ୟର କାରଣ ବୋଲାଯାଏ । ୨୫ ।

 

ହେ ପୁରୁଷଶ୍ରେଷ୍ଠ ! କର୍ମର ସଂଖ୍ୟା କରିବା ଅସାଧ୍ୟ, ଯେହେତୁରୁ ଗୃହ, ନଗର ପ୍ରଭୃତି ସମୁଦାୟ ପଦାର୍ଥ ପୁରୁଷର କର୍ମାଧୀନ ସିଦ୍ଧ ହୁଏ । ୨୬ । ଧୀର ବ୍ୟକ୍ତି ଜାଣେ ଯେ ତିଳରେ ତୈଳ ଅଛି, ଧେନୁଠାରେ ଦୁଗ୍ଧ ଅଛି ଓ କାଷ୍ଠରେ ଅଗ୍ନି ଅଛି । ଏହା ଜାଣି କିପରି ସେ ଦ୍ରବ୍ୟ ଲାଭ ହେବ, ତହିଁର ଉପାୟ ଉଦ୍‌ଭାବନ କରେ ଓ ତତ୍‍ପରେ ସେ କର୍ମରେ ପ୍ରବୃତ୍ତ ହୁଏ । ଏହିରୂପେ ଜୀବମାନେ ଇହଲୋକରେ କର୍ମଦ୍ୱାରା ଜୀବିକା ନିର୍ବାହ କରନ୍ତି । ୨୮ । ନିପୁଣ ବ୍ୟକ୍ତି କୌଣସି କର୍ମ ଉତ୍ତମରୂପେ କରିଥିଲେ, ତାହାର ଉତ୍ତମ ଫଳ ହୁଏ । ସେ କର୍ମକୁ ଯଦି ଅନିପୁଣ ବ୍ୟକ୍ତି କରିଥାଏ, ତେବେ ତାହାର ଫଳ ଭେଦ ହୁଏ; ଅର୍ଥାତ୍ କଦାଚିତ୍ ଉତ୍ତମ ଫଳ ହୁଏ ଅଥବା କଦାଚିତ୍ ମନ୍ଦ ଫଳ ହୁଏ । ୨୯ । ପୁରୁଷକାର ଯେବେ ବ୍ୟର୍ଥ ହୁଅନ୍ତା, ତେବେ ଲୋକେ କି ନିମିତ୍ତ ଯଜ୍ଞାଦି କର୍ମ କରନ୍ତେ ଅଥବା ତଡ଼ାଗ, ପ୍ରାସାଦ ପ୍ରଭୃତି ନିର୍ମାଣ କରନ୍ତେ ? କୌଣସି ବ୍ୟକ୍ତି ସେହି କର୍ମମାନଙ୍କରେ ପ୍ରବୃତ୍ତ ହୁଅନ୍ତେ ନାହିଁ କି ଗୁରୁଶିଷ୍ୟ କେହି ନ ଥାନ୍ତେ । ପୁରୁଷ କର୍ମକର୍ତ୍ତା । ଏହି ନିମିତ୍ତ କର୍ମ ସିଦ୍ଧ ହେଲେ ପୁରୁଷର ପ୍ରଶଂସା ହୁଏ; ଅସିଦ୍ଧ ହେଲେ କାହାର ନିନ୍ଦା ହୁଏ ? କିନ୍ତୁ ଏ ବିଷୟରେ କେହି କର୍ତ୍ତା ନ ଥିଲେ ଏପରି କେହି କହେ ନାହିଁ । କେହି କହନ୍ତି, ସବୁ କାର୍ଯ୍ୟ ହଠରୁ ଅର୍ଥାତ୍ ଅକସ୍ମାତ୍ ହୁଏ; କେହି କହନ୍ତି, ଦୈବବଶରୁ କର୍ମମାନ ହୁଏ; କେହି କହନ୍ତି ପୁରୁଷର ପ୍ରଯତ୍ନରେ କର୍ମମାନ ସିଦ୍ଧ ହୁଏ ଓ ଲାଭ ହୁଏ ।

 

ଏହିପରି ତିନିପ୍ରକାର ଉକ୍ତି ଅଛି । ତିନି ପ୍ରକାର ଲୋକେ କାର୍ଯ୍ୟସିଦ୍ଧ ବିଷୟରେ ତିନିପ୍ରକାର କାର୍ଯ୍ୟ ନିର୍ଦ୍ଦେଶ କରନ୍ତି । ୩୨ । ଆଉ କେହି କେହି ଉକ୍ତ ତିନିପ୍ରକାର କାରଣଦ୍ୱାରା ଅର୍ଥସିଦ୍ଧି ସ୍ୱୀକାର କରନ୍ତି ନାହିଁ । ସେମାନେ ବୋଲନ୍ତି ଯେ, ଦୈବାତ୍ ପ୍ରାପ୍ତ ଓ ହଠାତ୍ ପ୍ରାପ୍ତ ବୋଲି ଯାହାକୁ କୁହାଯାଏ, ସେସବୁ ଶୁଭାଶୁଭ ପ୍ରାକ୍ତନ କର୍ମର ଫଳ । ୩୩ । ପରନ୍ତୁ ଯେଉଁମାନେ ବୁଦ୍ଧିକୌଶଳପ୍ରଯୁକ୍ତ ତତ୍ତ୍ୱଜ୍ଞ ହୋଇଅଛନ୍ତି, ସେମାନେ ଏହିରୂପେ ବିବେଚନା କରନ୍ତି ଯେ, ଯେଉଁ ସ୍ଥଳେ ହଠାତ୍ ବା ଦୈବାତ୍ ଅର୍ଥସିଦ୍ଧି ହେବାର ଦେଖାଯାଉଅଛି, ସେ ସ୍ଥଳେ ଏହା ନିଶ୍ଚିତ ହେଉଅଛି ଯେ, ପୁରୁଷମାନେ ଦୈବାତ୍‌, ହଠାତ୍ ଓ ପ୍ରଯତ୍ନଦ୍ୱାରା ଫଳ ଲାଭ କରନ୍ତି ଓ ତଦ୍ଭିନ୍ନ ଅନ୍ୟ ପ୍ରକାରେ ଫଳଲାଭ କରନ୍ତି ନାହିଁ; ଅର୍ଥାତ୍ ଅର୍ଥସିଦ୍ଧି ବିଷୟରେ ଦୈବ, ସ୍ୱଭାବ ଓ ପ୍ରଯତ୍ନ ବ୍ୟତିରେକେ ଚତୁର୍ଥ କାରଣ ନାହିଁ । ଯେଉଁମାନେ ଏପରି କହନ୍ତି, ସେମାନଙ୍କ ପ୍ରତି ବକ୍ତବ୍ୟ ଏହି ଯେ, ତାହାଙ୍କ କଥାକୁ ଯେବେ ସତ୍ୟ ବୋଲାଯାଏ, ତେବେ ବିଧାତା ଯେ ପ୍ରାଣୀମାନଙ୍କର ଇଷ୍ଟନିଷ୍ଟ ଫଳଦାତା ଓ ତାଙ୍କର ପ୍ରାକ୍ତନ କର୍ମାନୁସାରେ ଫଳ ପ୍ରଦାନ କରନ୍ତି, ଏହା ବୋଲାଯାଇ ନ ପାରେ; କିନ୍ତୁ ବିଧାତା ଯେବେ ପ୍ରାଣୀମାନଙ୍କୁ ଏହି ସଂସାରରେ ତାହାଙ୍କର ପ୍ରାକ୍ତନ କର୍ମ ଅନୁସାରେ ଶୁଭାଶୁଭ ଫଳ ପ୍ରଦାନ ନ କରନ୍ତି, ତେବେ ଏହି ସଂସାରରେ କେହି ଦୀନ ନ ଥାନ୍ତେ । ୩୬ । ପୁନଶ୍ଚ ପ୍ରାଣୀମାନଙ୍କର ଯେବେ ପ୍ରାକ୍ତନ କର୍ମ ନ ଥାନ୍ତା, ତେବେ ପୁରୁଷ ଯେଉଁ ବିଷୟରେ ଅଭିଳାଷୀ ହୋଇ କର୍ମାରମ୍ଭ କରନ୍ତା ତାହାର ସେ କର୍ମ ଅବଶ୍ୟ ସଫଳ ହୁଅନ୍ତା । ଯେଉଁମାନେ ଉପର୍ଯୁକ୍ତ ହଠାତ୍‌, ଦୈବାତ୍ ଓ ପ୍ରଯତ୍ନ ଏହି ତିନିକୁ ଅର୍ଥସିଦ୍ଧିର କାରଣ ବୋଲି ମାନନ୍ତି ଓ ପ୍ରାକ୍ତନ କର୍ମକୁ କାରଣ ବୋଲି ନ ମାନନ୍ତି, ସେମାନଙ୍କୁ ଦେହ ସଦୃଶ ଜଡ଼ ବୋଲାଯାଏ । ୩୮ ।

 

ଭଗବାନ ମନୁ ମଧ୍ୟ କହିଅଛନ୍ତି ଯେ କର୍ମକୁ ଅବଶ୍ୟ କରିବ, କାରଣ ପୁରୁଷ ହଠବାଦୀ ହୋଇ ଏକାନ୍ତ ନିଶ୍ଚେଷ୍ଟ ହେଲେ ପରାଭବ ପ୍ରାପ୍ତ ହୁଏ । ୩୯ । ହେ ମହାରାଜ ! ଯେଉଁ ପୁରୁଷମାନେ କର୍ମାନୁଷ୍ଠାନ ନ କରନ୍ତି, ସେମାନେ ପ୍ରାୟ ଫଳଲାଭ କରନ୍ତି । ଆଳସ୍ୟପରବଶ ଲୋକ କଦାପି ଫଳସିଦ୍ଧିକୁ ଲଭି ନ ପାରେ । ୪୦ । କର୍ମ କଲେ ଯଦ୍ୟପି ଅଙ୍ଗର ଗ୍ଳାନି ହୁଏ ଓ କଦାଚିତ୍ ଫଳ ଲାଭ ନ ହୁଏ, ତେବେ ସେ କର୍ମକୁ ପ୍ରାୟଶ୍ଚିତ୍ତ ରୂପ ଜ୍ଞାନ କରି ଅପର କର୍ମକୁ ଯତ୍ନପୂର୍ବକ ଅବଲମ୍ବନ କରିବ । ସର୍ବ ଯତ୍ନରେ କର୍ମାନୁଷ୍ଠାନ କଲେ ହେଁ ଯଦି ଫଳସିଦ୍ଧି ପ୍ରଯତ୍ନ ନ ହୁଏ, ତେବେ କର୍ମାନୁଷ୍ଠାନଦ୍ୱାରା ବେଦବାକ୍ୟର ଋଣରୁ ମୁକ୍ତ ହେଲେ ବୋଲି ଜ୍ଞାନ କରିବ । ୪୧ । ଯେଉଁ ଜନ ଆଳସ୍ୟବଶରେ ରହି ଶୋଇରହେ, ତାହାକୁ ଅଲକ୍ଷ୍ମୀ ଆଶ୍ରୟ କରେ ଓ କର୍ମଦକ୍ଷ ବ୍ୟକ୍ତି ଫଳଲାଭ କରି ଐଶ୍ୱର୍ଯ୍ୟଶାଳୀ ହୁଏ । ୪୨ । ସଂଶୟରହିତ କର୍ମରତ ଧୀର ଜନମାନେ ଜାଣନ୍ତି ଯେ, ଯେ ସଂଶୟ କରେ, ତାହାର ଅର୍ଥସିଦ୍ଧି ହୁଏ ନାହିଁ ଓ ଯେ ସଂଶୟ ନ କରି କର୍ମରେ ପ୍ରବୃତ୍ତ ହୁଏ, ତାହାର ଅବଶ୍ୟ ଅର୍ଥସିଦ୍ଧି ହୁଏ । ୪୩ ।

 

ସମ୍ପ୍ରତି ଆମ୍ଭମାନଙ୍କର ଏହି ଯେ ଅଯତ୍ନ, ଅନର୍ଥ ଉପସ୍ଥିତ ହୋଇଅଛି, ତାହାର ନିବାରଣ ନିମିତ୍ତ ଆପଣ ଉପଯୁକ୍ତ କର୍ମ ଅବଲମ୍ବନ କଲେ, ସେ ଆନନ୍ଦ ଅବଶ୍ୟ ବିଦୂରିତ ହେବ । ୪୪ । ଯଦ୍ୟପି ଆପଣଙ୍କର ଅନୁଷ୍ଠିତ କାର୍ଯ୍ୟ ସୁସିଦ୍ଧ ନ ହୁଏ, ତେବେ ଆମ୍ଭେମାନେ ଜାଣିବା ଯେ ଭୀମ, ଅର୍ଜୁନ, ନକୁଳ, ସହଦେବ ଓ ଆପଣ କେହି ରାଜ୍ୟଲାଭ କରିପାରିଲେ ନାହିଁ । ଏହା ଜାଣି ଆମ୍ଭେମାନେ ଉଦବେଗଶୂନ୍ୟ ହୋଇ ରହିବା ଓ ଆମ୍ଭର ଏହି ଉଦବେଗ ପରିତ୍ୟାଗକୁ ଆମ୍ଭ କର୍ମର ଫଳସ୍ୱରୂପ ଜ୍ଞାନ କରି ନିଶ୍ଚିନ୍ତ ରହିବା । ୪୫ । ଆମ୍ଭେମାନେ ଦେଖୁଅଛୁଁ ଯେ ଅନ୍ୟ ଲୋକେ କର୍ମାରମ୍ଭ କରି ଫଳଲାଭ କରୁଅଛନ୍ତି । ସେହିପରି ଆମ୍ଭେମାନେ ମଧ୍ୟ କର୍ମ ଆରମ୍ଭ ନ କରି କିପରି ଆଗରୁ ଜାଣିବା ଯେ, ଆମ୍ଭମାନଙ୍କର ଫଳସିଦ୍ଧ ନ ହେବ ? ୪୬ ? କୃଷିକାରୀ ଲଙ୍ଗଳଦ୍ୱାରା ଭୂମି କର୍ଷଣ କରି ଓ ବୀଜ ବପନ କରି ଅପେକ୍ଷା କରିଥାଏ । ବୃଷ୍ଟି ହେଲେ ଶସ୍ୟ ଉତ୍ପନ୍ନ ହୁଏ । ଯଦି ବୃଷ୍ଟି ନ ହୁଏ ଅଥବା ଅନ୍ୟ କାରଣରୁ ଶସ୍ୟ ନଷ୍ଟ ହୁଏ, ତେବେ କୃଷକକୁ ଦୋଷୀ ବୋଲାଯାଇ ନ ପାରେ । ସେ ମନେକରେ ଯେ, ଅପର ବ୍ୟକ୍ତି ଯେପରି ଭୂମି କର୍ଷଣ ଓ ବୀଜ ବପନ କରିଅଛି, ଆମ୍ଭେ ମଧ୍ୟ ସେହିପରି କରିଅଛୁ । ଏଥିରେ ଯଦି ଆମ୍ଭର କୃତକର୍ମ ବିଫଳ ହେଲା, ତେବେ ଆମ୍ଭର କୌଣସି ଦୋଷ ନାହିଁ । ଏହା ଭାବି ସେ ଧୈର୍ଯ୍ୟ ଧରି ରହେ ଓ ଆପଣଙ୍କୁ କଦାପି ନିନ୍ଦା କରେ ନାହିଁ । ୪୯ ।

 

ହେ ଭାରତ ! ଆମ୍ଭେ କର୍ମ କରୁଅଛୁ ଓ ଆମ୍ଭର କର୍ମ ସଫଳ ହେଉ ନାହିଁ । ଏଥି ନିମିତ୍ତ ଶୋଚନା କରିବା ବିଧେୟ ନୁହେଁ । କାରଣ ଫଳସିଦ୍ଧି ପ୍ରତି ଆଉ ଦୁଇଗୋଟି କାରଣ ଅଛି । ୫୦ । ସିଦ୍ଧ ହେଉ ଅଥବା ଅସିଦ୍ଧ ହେଉ, କର୍ମ କରିବା ସର୍ବତୋଭାବେ ବିଧେୟ । କାରଣ ଅନେକ କାରଣ ଏକତ୍ର ହେଲେ ଫଳସିଦ୍ଧି ହୁଏ । ୫୧ । ଅଙ୍ଗହାନି ହେଲେ ନ୍ୟୂନତା ବା ତାରତମ୍ୟ ଅଥବା ନିଷ୍ଫଳ ହୁଏ, କିନ୍ତୁ କର୍ମାରମ୍ଭ ନ ହେଲେ କିଛି ଜଣାଯାଏ ନାହିଁ କି ଆପଣାର ଶୌର୍ଯ୍ୟାଦି ଗୁଣ ପ୍ରକାଶ ପାଏ ନାହିଁ । ଧୀର ବ୍ୟକ୍ତି ଦେଶକାଳପାତ୍ରକୁ ବିବେଚନା କରି ଆପଣାର ବଳ ଓ ଶକ୍ତି ଅନୁରୂପ କଲ୍ୟାଣ ବୃଦ୍ଧି ନିମିତ୍ତ ନିଜର ବୁଦ୍ଧି ଓ ଜ୍ଞାନଦ୍ୱାରା ଉପାୟମାନଙ୍କୁ ଅବଲମ୍ବନ କରେ । ୫୩ । ପୁରୁଷର ପରାକ୍ରମ ଥିଲେ, ସେ ପରାକ୍ରମ ତାହାକୁ ସମ୍ପୂର୍ଣ୍ଣରୂପେ ଉପଦେଶ ଦିଏ । ଏହି ହେତୁରୁ ସ୍ଥିରଭାବରେ ଦେଶକାଳ ବିବେଚନା କରି ପ୍ରୟୋଗ କଲେ ପରାକ୍ରମଦ୍ୱାରା ଅବଶ୍ୟ ଅର୍ଥସିଦ୍ଧି ହୁଏ । ୫୪ ।

 

ବୁଦ୍ଧିମାନ ବ୍ୟକ୍ତି ଯେବେ ଦେଖେ ଯେ ଶତ୍ରୁ ତାହାଠାରୁ ଅନେକ ଗୁଣରେ ଉତ୍କୃଷ୍ଟ, ତେବେ ସାମଦ୍ୱାରା ତାହାଠାରୁ ଅର୍ଥ ଗ୍ରହଣ କରିବାକୁ ଅଭିଳାଷୀ ହେବ ଓ ତତ୍‌ନିମିତ୍ତ ଉପଯୁକ୍ତ ଉପାୟ ଅବଲମ୍ବନ କରିବ । ୫୫ । ସେହି ଶତ୍ରୁର ରାଜ୍ୟରେ ବିପ୍ଳବ ଉତ୍‌ଥାପନ କରାଇବ ଅଥବା ତାହାକୁ ନିର୍ବାସିତ କରିବାର ଚେଷ୍ଟା କରିବ । ସିନ୍ଧୁ ବା ପର୍ବତ ଯେବେ ଅପକାରୀ ହୁଏ, ତାହାକୁ ସୁଦ୍ଧା ଅନ୍ତର କରିବାର ଚେଷ୍ଟା କରିବ । ମରଣଧର୍ମଶୀଳ ମନୁଷ୍ୟ କଥା କ’ଣ କହିବା ?୫୬ । ମନୁଷ୍ୟର କର୍ତ୍ତବ୍ୟ ଯେ, ସେ ଶତ୍ରୁମାନଙ୍କର ସତତ ଛିଦ୍ରାନ୍ୱେଷଣ କରିବ; ତାହାହେଲେ ସେ ନିଜର ଓ ଅମାତ୍ୟବର୍ଗଠାରୁ ଋଣମୁକ୍ତ ହୁଏ । ୫୮ ।

 

ହେ ଭାରତ ! ଲୋକଙ୍କର ଅର୍ଥସିଦ୍ଧି ବିଷୟରେ ଏହିପରି ବ୍ୟବସ୍ଥା ଅଛି । ଅତଃପର ଦେଶ, କାଳ ଓ ଅବସ୍ଥା ଅନୁକୂଳ ହେଲେ ଅର୍ଥସିଦ୍ଧି ସହଜରେ ଘଟେ । ୫୯ । ହେ ଭରତଶ୍ରେଷ୍ଠ ! ପୂର୍ବେ ଆମ୍ଭର ପିତା ଜଣେ ପଣ୍ଡିତ ବ୍ରାହ୍ମଣଙ୍କୁ ନିକଟରେ ରଖିଥିଲେ । ବୃହସ୍ପତିଙ୍କ ପ୍ରଣୀତ ଏହି ନୀତିକଥାସବୁ ସେ ଆମ୍ଭ ପିତାଙ୍କୁ ଶୁଣାଇଥିଲେ ଓ ଆମ୍ଭର ଭ୍ରାତାମାନଙ୍କୁ ମଧ୍ୟ ଶିକ୍ଷା ଦେଇଥିଲେ । ଆମ୍ଭେ ପିତୃଗୃହରେ ଥାଇ ଏହି ସମସ୍ତ ଉପଦେଶ ଭ୍ରାତାଙ୍କଠାରୁ ଶୁଣିଥିଲୁଁ । ୬୧ । ହେ ମହାରାଜ-! ଆମ୍ଭେ ଗୃହକାର୍ଯ୍ୟରେ ରତ ଥିଲେ ହେଁ, ପିତାଙ୍କ କ୍ରୋଡ଼ରେ ଆସି ବସିଲେ ସେହି ପଣ୍ଡିତ ଆମ୍ଭଙ୍କୁ ସାନ୍ତ୍ୱନାପୂର୍ବକ ଏହି ନୀତି ସବୁ କହୁଥିଲେ । ୬୨ ।

 

॥ ଅଧ୍ୟାୟ – ୩୩ ॥

 

ବୈଶମ୍ପାୟନ ବୋଇଲେ, ଯାଜ୍ଞସେନୀଙ୍କ ବଚନ ଶ୍ରବଣ କରି ଅମର୍ଷୀ ଭୀମସେନ ଦୀର୍ଘ ନିଃଶ୍ୱାସ ପରିତ୍ୟାଗ କରି ଯୁଧିଷ୍ଠିରଙ୍କ ନିକଟବର୍ତ୍ତୀ ହୋଇ କହିଲେ, ସୁପୁରୁଷମାନେ ରାଜ୍ୟ ବିଷୟରେ ଯେଉଁ ଧର୍ମସମ୍ମତ ପଥରେ ପ୍ରଚଳନ କରନ୍ତି, ଆପଣ ସେହି ପଥରେ ଗମନ କରନ୍ତୁ । ଧର୍ମକାମାର୍ଥହୀନ ହୋଇ ତପୋବନରେ ବାସ କରିବାର ପ୍ରୟୋଜନ କ’ଣ ? ଧର୍ମଦ୍ୱାରା କି ସରଳତାଦ୍ୱାରା ଅଥବା ପରାକ୍ରମଦ୍ୱାରା ଦୁର୍ଯ୍ୟୋଧନ ଆମ୍ଭର ସେହି ରାଜ୍ୟକୁ ଅପହରଣ କରି ନାହିଁ-। କେବଳ କପଟ ଦ୍ୟୂତର ଆଶ୍ରୟ କରି ଅପହରଣ କରିଅଛି । ୩ । ଉଚ୍ଛିଷ୍ଟଭୋଗୀ ଶୃଗାଳ ଯେପରି ସିଂହର ଭୋଜ୍ୟସାମଗ୍ରୀ ଛଳରେ ଗ୍ରହଣ କରେ, ସେହିପରି ଦୁର୍ଯ୍ୟୋଧନ ମଧ୍ୟ ଆମ୍ଭର ରାଜ୍ୟ ହରଣ କରିଅଛି । ୪ ।

 

ହେ ରାଜନ୍‌ ! ପ୍ରତିଜ୍ଞା ପାଳନ, ଅତ୍ୟଳ୍ପ ଧର୍ମ, ଏତିକି ରକ୍ଷା ନିମିତ୍ତ ଆପଣ କି ହେତୁରୁ ରାଜ୍ୟ ଓ ସମ୍ପତ୍ତି ତ୍ୟାଗ କରୁଅଛନ୍ତି ? ସେ ରାଜ୍ୟ ଓ ଧନ ଥିଲେ, ଆପଣ କେତେ କେତେ ଧର୍ମ ଆଚରଣ କରିନପାରନ୍ତେ ? ଆପଣ ଅକାରଣ ଦୁଃଖରେ ସନ୍ତପ୍ତ ହେଉଅଛନ୍ତି । ୫ । ଯେଉଁ ରାଜ୍ୟକୁ ଗାଣ୍ଡୀବଧନ୍ୱା ଅର୍ଜୁନ ସର୍ବତୋଭାବେ ରକ୍ଷା କରୁଥିଲେ, ଏମନ୍ତ କି ଇନ୍ଦ୍ରଙ୍କର ସୁଦ୍ଧା ସେ ରାଜ୍ୟ ହରଣ କରିବାର ସାମର୍ଥ୍ୟ ନ ଥିଲା, କେବଳ ଆପଣଙ୍କର ଅନବଧାନତା ହେତୁରୁ ସେ ରାଜ୍ୟକୁ ଦୁର୍ଯ୍ୟୋଧନ ଆମ୍ଭଠାରୁ ଦେଖୁ ଦେଖୁ ହରଣ କରି ନେଲା । ବୁଢ଼ୀଠାରୁ ଯେପରି ବେଲ ଛଡ଼ାଇ ନିଅନ୍ତି ଓ ପଙ୍ଗୁଠାରୁ ଯେପରି ଧେନୁ ଘେନିଯିବା ସହଜ, ଆମ୍ଭେମାନେ ଜୀବିତ ଥାଉଁ ଥାଉଁ ଆମ୍ଭମାନଙ୍କର ଐଶ୍ୱର୍ଯ୍ୟ କେବଳ ଆପଣଙ୍କ ହେତୁରୁ ହରଣ ହେଲା ୭ । ହେ ଭାରତ ! ଆପଣଙ୍କର ଧର୍ମ କର୍ମ କରିବାରେ ଶ୍ରଦ୍ଧା ଅଛି; ଅତଏବ କେବଳ ଆପଣଙ୍କ ପ୍ରୀତି ନିମିତ୍ତ ଆମ୍ଭେମାନେ ଏତାଦୃଶ ଅସହ୍ୟ ବ୍ୟସନ ଭୋଗ କରୁଅଛୁଁ । ୮ । ହେ ଭରତଶ୍ରେଷ୍ଠ ! ଆମ୍ଭେମାନେ ଆପଣଙ୍କ ଶାସନରେ ରହି ଆତ୍ମନିଗ୍ରହ କରି ମିତ୍ରମାନଙ୍କୁ ଦୁଃଖିତ ଓ ଶତ୍ରୁମାନଙ୍କୁ ଆନନ୍ଦିତ କରୁଅଛୁ । ୯ । ଆମ୍ଭେମାନେ ଆପଣଙ୍କ ମତର ଅନୁବର୍ତ୍ତୀ ହୋଇ ଧାର୍ତ୍ତରାଷ୍ଟ୍ରମାନଙ୍କୁ ଯେ ତତ୍କାଳରେ ବିନଷ୍ଟ କରି ନାହୁଁ, ସେହି ଦୁଷ୍କୃତ ଏବେ ଆମ୍ଭମାନଙ୍କୁ ସନ୍ତାପିତ କରୁଅଛି । ୧୦ ।

 

ହେ ମହାରାଜ ! ଆପଣଙ୍କର ଏତାଦୃଶ ବ୍ୟବହାରକୁ କି କୃଷ୍ଣ, କି ଅର୍ଜୁନ, କି ଅଭିମନ୍ୟୁ, କି ସଞ୍ଜୟ, କି ନକୁଳ, କି ସହଦେବ କିମ୍ବା ଆମ୍ଭେମାନେ କେହି ଅନୁମୋଦନ କରୁ ନାହୁଁ । ୧୨ । ହେ ମହାରାଜ ! ଆପଣ ସର୍ବଦା ଧର୍ମକର୍ମ କରି ବ୍ରତକର୍ଷିତ ହୋଇ ଅବଶେଷରେ ବୈରାଗ୍ୟ ହେତୁରୁ ଏହି କ୍ଳୀବ ଜୀବିକାପ୍ରାପ୍ତ ହେଲେ । ୧୩ । ଯେଉଁମାନେ କାପୁରୁଷ, ସେମାନେ ନିଜର ସମ୍ପତ୍ତି ସଂରକ୍ଷଣ କରିବାକୁ ଅଶକ୍ତ ହୋଇ ସ୍ୱାର୍ଥଘାତୀ ନିଷ୍ଫଳ ବୈରାଗ୍ୟକୁ ଅବଲମ୍ବନ କରନ୍ତି ଓ ତଦ୍ଦ୍ୱାରା ଆପଣାର ପ୍ରୀତି ଜାତ କରାନ୍ତି । ୧୪ । ହେ ରାଜନ୍‌ ! ଆପଣ ସମର୍ଥ ଓ ଚକ୍ଷୁଷ୍ମାନ୍ ଏବଂ ଆମ୍ଭମାନଙ୍କର କୀଦୃଶ ପୌରୁଷ, ତାହା ଜାଣି ସୁଦ୍ଧା କେବଳ ଦୟାପରବଶ ହୋଇ ଆପଣାର ଲାଭ ବୁଝୁ ନାହାନ୍ତି । ୧୫ । ଆମ୍ଭେମାନେ କ୍ଷମାଶୀଳ ହୋଇଥିବାରୁ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଆମ୍ଭମାନଙ୍କୁ ଅସମର୍ଥ ଜ୍ଞାନ କରୁଅଛନ୍ତି । ଏ ଦୁଃଖରେ ରଣରେ ମୃତ୍ୟୁ କ’ଣ ଆମ୍ଭମାନଙ୍କର ଶ୍ରେୟସ୍କର ନୁହେଁ ?

 

ହେ ଭରତଶ୍ରେଷ୍ଠ ! ଯଦି ଆମ୍ଭେମାନେ ଅକପଟ ଭାବରେ ଯୁଦ୍ଧରେ ପ୍ରବୃତ୍ତ ହେଉ ଓ ପରାଙ୍‍ମୁଖ ନ ହୋଇ ମୃତ୍ୟୁମୁଖରେ ପତିତ ହେଉ, ତେବେ ସେହି ମୃତ୍ୟୁ ଆମ୍ଭମାନଙ୍କର ସର୍ବତୋଭାବେ ଶ୍ରେୟସ୍କର; କାରଣ ସେହିପରି ମରଣଦ୍ୱାରା ଆମ୍ଭେମାନେ ପରଲୋକରେ ସଦ୍‌ଗତି ଲାଭ କରିପାରିବା । ୧୭ । ଅଥବା ଆମ୍ଭେମାନେ ଯଦି ଜୟଲାଭ କରି ସେମାନଙ୍କୁ ନିପାତ କରିପାରି ସମଗ୍ର ଧରାର ଅଧୀଶ୍ୱର ହୋଇପାରିବୁଁ, ତେବେ ମଧ୍ୟ ଆମ୍ଭମାନଙ୍କର ମଙ୍ଗଳ । ୧୮ । ଆମ୍ଭମାନଙ୍କର ଇଚ୍ଛା ଅଛି ଯେ, ବୈର ନିର୍ଯାତନ କରି ବିପୁଳ କୀର୍ତ୍ତିକୁ ଲାଭ କରିବା; ଅତଏବ ସ୍ୱଧର୍ମାନୁଷ୍ଠାନ କରି ଯୁଦ୍ଧରେ ପ୍ରବୃତ୍ତ ହେବା ବିଧେୟ । ୧୯ । ଯେଉଁ ସ୍ଥଳେ ଅନ୍ୟ ବ୍ୟକ୍ତି ଆମ୍ଭ ରାଜ୍ୟକୁ ହରଣ କରିଅଛି, ସେ ସ୍ଥଳେ ଆମ୍ଭେମାନେ ଯେବେ ନିଜ ନିମିତ୍ତ ଯୁଦ୍ଧରେ ପ୍ରବୃତ୍ତ ହେଉ ଓ ଲୋକେ ଏକଥା ଜାଣନ୍ତି ତେବେ ଆମ୍ଭମାନଙ୍କର ପ୍ରଶଂସା ଅଛି, ନିନ୍ଦା ନାହିଁ । ୨୦ । ଯେଉଁ ଧର୍ମାଚରଣ କଲେ ମିତ୍ରମାନଙ୍କର ଓ ନିଜର ଦୁଃଖ ଜାତ ହୁଏ, ତାହା ଆଦୌ ଧର୍ମ ନୁହେଁ, ତାହାକୁ କୁଧର୍ମ କହନ୍ତି । ୨୧ ।

 

ପ୍ରକୃତ ଧର୍ମକୁ ଆଚରଣ କରିବାକୁ ଯେ ସମର୍ଥ ନ ହୁଏ ସେ ସର୍ବଦା ଧର୍ମ ଧର୍ମ କହି ଧର୍ମରେ ରତ ଥାଏ ଓ ମୃତ ବ୍ୟକ୍ତିକୁ ଯେପରି ସୁଖଦୁଃଖ ଦୁହେଁ ପରିତ୍ୟାଗ କରନ୍ତି, ସେହିପରି ସେ ଅସମର୍ଥ ବ୍ୟକ୍ତିକୁ ଧର୍ମ ଓ ଅର୍ଥ ଦୁହେଁ ପରିତ୍ୟାଗ କରନ୍ତି । ଯେଉଁ ବ୍ୟକ୍ତି କେବଳ ଧର୍ମ ନିମିତ୍ତ ଧର୍ମାଚରଣ କରେ, ସେ ବ୍ୟକ୍ତି କ୍ଳେଶଭାଗୀ ହୁଏ । ତାହାକୁ ପଣ୍ଡିତ ବୋଲାଯାଏ ନାହିଁ । ଅନ୍ଧ ଯେପରି ସୂର୍ଯ୍ୟଙ୍କର ପ୍ରଭା ଦର୍ଶନ କରିନପାରେ, ସେହିପରି ସେ ବ୍ୟକ୍ତି ଧର୍ମର ପ୍ରୟୋଜନ ବୁଝି ନ ପାରେ । ୨୩ । ଯେଉଁ ବ୍ୟକ୍ତିର ଅର୍ଥ କେବଳ ନିଜ ପ୍ରୟୋଜନକୁ ଆସେ, ସେ ବ୍ୟକ୍ତିକୁ ଅର୍ଥ ବିଷୟରେ ପଣ୍ଡିତ ବୋଲାଯାଏ ନାହିଁ; ସେ ବ୍ୟକ୍ତି ଅରଣ୍ୟସ୍ଥିତ ଗୋରୁ ରଖୁଆଳ ପ୍ରାୟ ଗଣନୀୟ ହୁଏ । ଯେଉଁ ବ୍ୟକ୍ତି ଅତିଶୟ ଅର୍ଥାଭିଳାଷୀ ହୁଏ ଅଥଚ ଧର୍ମ ଓ କର୍ମର ଅନୁଷ୍ଠାନ ନ କରେ, ସେହି ମନୁଷ୍ୟ ବ୍ରହ୍ମଘାତକ ସଦୃଶ ନିନ୍ଦ୍ୟ ଓ ସବୁ ପ୍ରାଣୀଙ୍କର ବଧ୍ୟ । ୨୫ । ଏହିରୂପେ ଯେଉଁ ବ୍ୟକ୍ତି ନିରନ୍ତର କାମାଭିଳାଷୀ ହୋଇ ହୋଇ ଧର୍ମ ଓ ଅର୍ଥର ଅନୁଷ୍ଠାନ ନ କରେ, ତାହାର କେହି ମିତ୍ର ହୁଅନ୍ତି ନାହିଁ ଓ ସେ ଧର୍ମ ଓ ଅର୍ଥଲାଭରୁ ବଞ୍ଚିତ ହୁଏ । ୨୬ ।

 

ଜଳ ଶୁଷ୍କ ହୋଇଗଲେ ଯେପରି ମତ୍ସ୍ୟ ନିଧନପ୍ରାପ୍ତ ହୁଏ, ସେ ବ୍ୟକ୍ତିର କାମଭୋଗ ଶେଷ ହେଲେ ସେହିପରି ନିଧନ ଉପସ୍ଥିତ ହୁଏ; ଏହା ନିଶ୍ଚିତ ଅଟେ । ୨୭ । ଏହି ନିମିତ୍ତ ଧର୍ମ ଓ ଅର୍ଥ ଏ ଦୁଇ ବିଷୟରେ ପଣ୍ଡିତମାନେ ବିଶେଷ ସାବଧାନ ଥାଆନ୍ତି । ଆରଣୀ ଯେପରି ଅଗ୍ନିର ପ୍ରକୃତି, ଧର୍ମ ଓ ଅର୍ଥ ଦୁହେଁ ସେହିପରି କାମର ପ୍ରକୃତି । ମେଘର କାରଣ ଯେପରି ସମୁଦ୍ର ଓ ସମୁଦ୍ରର କାରଣ ଯେପରି ମେଘ, ସେହିପରି ଧର୍ମର କାରଣ ଅର୍ଥ ଓ ଅର୍ଥର କାରଣ ଧର୍ମ ଅଟେ । ଅତଏବ ଧର୍ମ ଓ ଅର୍ଥ ଦୁହିଁଙ୍କୁ ପରାସ୍ପରାଶ୍ରିତ ବୋଲି ଜାଣିବ । ସ୍ରକ୍‌-ଚନ୍ଦନାଦିଦ୍ୱାରା ଯେଉଁ ସୁଖ ହୁଏ ଓ ଅର୍ଥଲାଭରେ ଯେଉଁ ପ୍ରୀତି ଜନ୍ମେ, ତାହାକୁ ପଣ୍ଡିତମାନେ କାମ ବୋଲନ୍ତି । କାମ ଶରୀର କଦାପି ଦୃଷ୍ଟ ହୁଏ ନାହିଁ । ସେ କେବଳ ମନର ଗୋଟିଏ ସଂକଳ୍ପ । ୩୦ । ହେ ମହାରାଜ ! ଧର୍ମରେ ଅର୍ଥଲାଭ ହୁଏ । ଏଥିନିମିତ୍ତ ପୁରୁଷ ଅର୍ଥ ପାଇଁ ବା ଆଶାରେ ପ୍ରଚୁର ଧର୍ମ ଇଚ୍ଛା କରେ । ପୁନଶ୍ଚ ଅର୍ଥରୁ କାମନା ପୂର୍ଣ୍ଣ ହୁଏ । ତନ୍ନିମିତ୍ତ ପୁରୁଷ କାମ ପାଇବା ଲାଳସାରେ ଅର୍ଥ ଇଚ୍ଛା କରେ; କିନ୍ତୁ କାମଦ୍ୱାରା ଆଉ ଗୋଟିଏ ସ୍ୱତନ୍ତ୍ର କାମନା ସିଦ୍ଧ ହୁଏ ନାହିଁ । ଅତଏବ ପୁରୁଷ କାମଦ୍ୱାରା ଆଉ କିଛି ଲାଭ କରିବାର ଚେଷ୍ଟା କରେ ନାହିଁ ।

 

ପଣ୍ଡିତମାନେ କହନ୍ତି, ଯେପରି କାଷ୍ଠରୁ ଭସ୍ମ ହୁଏ, ମାତ୍ର ଭସ୍ମରୁ ପ୍ରକାରାନ୍ତର ଭସ୍ମ କରିବା କାହାରି ସାଧ୍ୟ ନୁହେଁ, ସେହିପରି କାମଦ୍ୱାରା ଅନ୍ୟ କାମ ସାଧନା କରିହୁଏ ନାହିଁ; କାରଣ କାମ ଭୋଗଦ୍ୱାରା ଯେଉଁ ପ୍ରୀତି, ତାହା କାମନାର ଫଳ । ୩୨ । ହେ ମହାରାଜ ! *ବୈତଂସିକ ଯେପରି ପକ୍ଷୀମାନଙ୍କୁ ହିଂସା କରେ, ସେହିରୂପେ ଅଧର୍ମ ମଧ୍ୟ ପ୍ରାଣୀମାନଙ୍କୁ ସମ୍ପୂର୍ଣ୍ଣରୂପେ ହିଂସା କରେ । ୩୩ । ଯେଉଁ ପୁରୁଷ କାମ ଲୋଭବଶରୁ ଧର୍ମର ପ୍ରକୃତି ନ ଦେଖେ, ସେ ଦୁର୍ମତି ଇହଲୋକରେ ଓ ପରଲୋକରେ ପ୍ରାଣୀମାନଙ୍କର ବଧର ଯୋଗ୍ୟ । ୩୪ । ଗୋ, ସ୍ତ୍ରୀ, ଧନ, ହସ୍ତୀ, ଅଶ୍ୱ ପ୍ରଭୃତି ଦ୍ରବ୍ୟଦ୍ୱାରା ଯେ କାମସିଦ୍ଧି ହୁଏ, ଏହା ଆପଣଙ୍କୁ ଜଣାଅଛି ଓ ସେ ଦ୍ରବ୍ୟମାନଙ୍କର ପ୍ରକୃତି ଓ ବିକୃତି ମଧ୍ୟ ଆପଣଙ୍କୁ ସୁବିଦିତ ଅଛି । ୩୫ । ଉକ୍ତ ଦ୍ରବ୍ୟମାନଙ୍କର ଅଭାବ ହେଲେ ଅଥବା ବିନାଶ ହେଲେ ଅଥବା ଜରା କିମ୍ବା ରୋଗବଶରୁ ସେମାନଙ୍କର ମୃତ୍ୟୁ ହେଲେ, ପଣ୍ଡିତମାନେ ତାହାକୁ ଅନର୍ଥ କହନ୍ତି । ସମ୍ପ୍ରତି ଆମ୍ଭମାନଙ୍କର ସେହି ଅନର୍ଥ ଆପତିତ ହୋଇଅଛି । ପଞ୍ଚ ଇନ୍ଦ୍ରିୟ, ମନ ଓ ଚିତ୍ତ ଏମାନେ ବିଷୟସଙ୍ଗୀ ହୋଇ ଯେଉଁ ପ୍ରୀତି ପ୍ରାପ୍ତ ହୁଅନ୍ତି; ତାହାକୁ କାମ ବୋଲି ବିବେଚନା କରାଯାଏ ଓ ଏହା ଶୁଭକର୍ମର ଫଳ । ଏହିରୂପେ ମନୁଷ୍ୟ ଧର୍ମ, ଅର୍ଥ ଓ କାମକୁ ପୃଥକ୍ ବିବେଚନା କରି କେବଳ ଧର୍ମପର ହେବ ନାହିଁ କି କେବଳ ଅର୍ଥପର ହେବ ନାହିଁ ଅଥବା କଦାପି କାମ ଭୋଗରେ ରତ ହେବ ନାହିଁ । ଧର୍ମ, ଅର୍ଥ ଓ କାମ ଏହି ତିନିକୁ ସର୍ବଦା ସେବା କରିବ । ୩୯ ।

 

[*ବୈତଂସିକ = ଚଢ଼େଇମରା ।]

 

ଦିବସର ପ୍ରଥମ ଭାଗରେ ଧର୍ମ, ମଧ୍ୟ ଭାଗରେ ଅର୍ଥ ଓ ଶେଷ ଭାଗରେ କାମାଚରଣ କରିବା କର୍ତ୍ତବ୍ୟ । ଏହି ପ୍ରକାରେ ଦିବାରାତ୍ରର ଅନୁବର୍ତ୍ତୀ ହୋଇ ବିଚରଣ କରିବା ଉଚିତ ଓ ଶାସ୍ତ୍ରକାରମାନେ ଏହି ବିଧି ନିର୍ଦ୍ଦେଶ କରିଅଛନ୍ତି । ପୁନଶ୍ଚ ପ୍ରଥମ ବୟସରେ କାମାଚରଣ, ମଧ୍ୟମ ବୟସରେ ଅର୍ଥସେବା ଓ ଶେଷ ବୟସରେ ଧର୍ମାଚରଣ କରିବ ବୋଲି ଶାସ୍ତ୍ରକାରମାନେ ବିଧି ଦେଇଅଛନ୍ତି । ହେ ବାଗ୍ମୀଶ୍ରେଷ୍ଠ ! ଅତଏବ ପଣ୍ଡିତ ବ୍ୟକ୍ତି ବୟସର ଅନୁଗାମୀ ହୋଇ କାମ, ଅର୍ଥ ଓ ଧର୍ମ ଆଚରଣ କରି ଯଥାସୁଖରେ ବିଚରଣ କରିବ । ୪୨ । ହେ ରାଜନ୍‌ ! ଯେ ସୁଖାର୍ଥୀ ହେବେ, ତାଙ୍କ ପକ୍ଷରେ ଧର୍ମ, ଅର୍ଥ ଓ କାମକୁ ପରିତ୍ୟାଗ କରିବା ଶ୍ରେୟସ୍କର, ତାହାକୁ ଲଭିବା ବି ଶ୍ରେୟସ୍କର, ଏହା ନିଶ୍ଚୟ କରି ହୁଏ–ପରିତ୍ୟାଗ କରନ୍ତୁ ଅଥବା ଲାଭର ଯତ୍ନ ନିଅନ୍ତୁ; ଏହି ଦିଓଟି ମଧ୍ୟରୁ ଗୋଟିଏ ଆଚରଣ କରନ୍ତୁ । କାରଣ ସଂଶୟାରୂଢ଼ ବ୍ୟକ୍ତିର ଜୀବନ ଯେପରି, ଆତୁର ବ୍ୟକ୍ତିର ଜୀବନ ମଧ୍ୟ ସେହିପରି ଦୁଃଖପ୍ରଦ ହୋଇଥାଏ । ୪୪ । ଆପଣ ସକଳ ଧର୍ମ ଅବଗତ ଅଛନ୍ତି ଓ ନିରନ୍ତର ସେହି ଧର୍ମକୁ ଆଚରଣ କରନ୍ତି । ଅତଏବ ଆପଣଙ୍କର ସୁହୃଦ୍‌ବର୍ଗ ଆପଣଙ୍କ ପ୍ରତି କର୍ମବିଧିର କୀର୍ତ୍ତନ କରନ୍ତି । ୪୫ ।

 

ଦାନ, ଯଜ୍ଞ, ସାଧୁସେବା, ବେଦାର୍ଥ ଧାରଣ ଓ ସରଳତା ପରମଧର୍ମ ବୋଲି ପ୍ରଥିତ ଅଛି । ଏହି ଧର୍ମସମୂହ ଇହଲୋକରେ ଓ ପରଲୋକରେ ବଳବାନ ହୁଅନ୍ତି । ୫୬ । ହେ ପୁରୁଷଶ୍ରେଷ୍ଠ ! ମନୁଷ୍ୟର ଅନେକାନେକ ସଦ୍‌ଗୁଣ ଥାଉ ପଛେ, ଅର୍ଥ ବ୍ୟତିରେକେ ସେ ଉପର୍ଯ୍ୟୁକ୍ତ ପରମ ଧର୍ମମାନଙ୍କୁ ଆଚରଣ କରିବାକୁ ସମର୍ଥ ହୁଏ ନାହିଁ । ହେ ରାଜନ୍‌ ! ଏହି ଜଗତ୍ ଧର୍ମରେ ଚଳୁଅଛି । ଧର୍ମଠାରୁ ଅଧିକ କେହି ନୁହେଁ । କେବଳ ମହାନ ଅର୍ଥ ହେଲେ ସେହି ଧର୍ମାଚରଣ କରିବା ପାଇଁ ସମର୍ଥ ହୁଏ । ୪୮ । ହେ ରାଜନ୍‌ ! ଭିକ୍ଷାଦ୍ୱାରା କି ନିରୀହ ବୃତ୍ତିଦ୍ୱାରା ପ୍ରଚୁର ଅର୍ଥ ଲାଭ ହୁଏ ନାହିଁ କି କେବଳ ଧର୍ମବୁଦ୍ଧିଦ୍ୱାରା ଅର୍ଥାଗମ ହୁଏ ନାହିଁ । ୪୮ ।

 

ହେ ପୁରୁଷଶ୍ରେଷ୍ଠ ! ଭିକ୍ଷା ଆପଣଙ୍କ ପକ୍ଷରେ ପ୍ରତିଷିଦ୍ଧ । ଅତଏବ ଅର୍ଥଲାଭ ନିମିତ୍ତ ତେଜଃ ପ୍ରକାଶ କରନ୍ତୁ । ୫୦ । କ୍ଷତ୍ରିୟଙ୍କ ପକ୍ଷରେ ଭିକ୍ଷାବୃତ୍ତି ବା ବୈଶ୍ୟ ଓ ଶୂଦ୍ରଙ୍କ ଜୀବିକା ବିହିତ ନୁହେଁ । କ୍ଷତ୍ରିୟର ବୀରତ୍ୱ ବିଶେଷ ବୃତ୍ତି । ୫୧ । ଅତଏବ ହେ ପାର୍ଥ ! ଆପଣ ସ୍ୱଧର୍ମ ପ୍ରତିପାଳନ କରି ଉପସ୍ଥିତ ଶତ୍ରୁମାନଙ୍କୁ ବିନାଶ କରନ୍ତୁ । ଆମ୍ଭ ଅର୍ଜନଙ୍କଦ୍ୱାରା ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କର ବଳକୁ ବିନାଶ କରନ୍ତୁ । ୫୨ । ଯେଉଁ ବିଦ୍ୟାବନ୍ତ ଲୋକେ ମନୀଷୀ, ସେମାନେ ଐଶ୍ୱର୍ଯ୍ୟଙ୍କୁ ଧର୍ମ ବୋଲନ୍ତି । ଅତଏବ ଆପଣ ଐଶ୍ୱର୍ଯ୍ୟ ଲାଭ କରନ୍ତୁ । ଆପଣଙ୍କ ପକ୍ଷରେ ଏପରି ଦୁଃଖଦଶା ଉପଯୁକ୍ତ ନୁହେଁ । ୫୩ । ହେ ରାଜେନ୍ଦ୍ର ! ସ୍ୱଜାତିର ସନାତନ ଧର୍ମ ଆପଣଙ୍କୁ ଅବିଦିତ ନାହିଁ । ମନୁଷ୍ୟମାନେ ସର୍ବଦା ଯାହାକୁ ଶଙ୍କା କରନ୍ତି, ସେହି ନୃଶଂସ କ୍ଷତ୍ରିୟବଂଶରେ ଆପଣ ଜନ୍ମଗ୍ରହଣ କରିଅଛନ୍ତି । ଏପରି ହୋଇ ସୁଦ୍ଧା ଯଦ୍ୟପି ଆପଣ ପ୍ରଜାପାଳନ କରନ୍ତି, ତେବେ ଆପଣଙ୍କର ତହିଁରେ ନିନ୍ଦା ହେବ ନାହିଁ । ବିଧାତା ଆପଣଙ୍କ ପକ୍ଷରେ ସେହି ସନାତନ ଧର୍ମ ନିରୂପଣ କରିଅଛନ୍ତି-। ୫୫ । ହେ ପାର୍ଥ ! ତହିଁରୁ ଯେବେ ଆପଣ ଅପସରିତ ହେବେ, ତେବେ ଲୋକେ ଆପଣଙ୍କୁ ହାସ୍ୟ କରିବେ । ମନୁଷ୍ୟମାନଙ୍କର ସ୍ୱଧର୍ମରୁ ବିଚଳିତ ହେବା ପ୍ରଶଂସନୀୟ ନୁହେଁ । ୫୬ । ଅତଏବ ହେ କୁରୁକୁଳାବତଂସ ! ଆପଣ ଏହି ନିରୀହଭାବକୁ ପରିତ୍ୟାଗ କରି କ୍ଷତ୍ରିମାନଙ୍କର ହୃଦୟକୁ ଅବଲମ୍ବନ କରି, ରାଜ୍ୟଭାରକୁ ରାଜା ହୋଇ ବହନ କରନ୍ତୁ । ୫୮ ।

 

ହେ ନୃପ ! ଆପଣ ବିବେଚନା କରି ଦେଖନ୍ତୁ, କୌଣସି କାଳରେ କେହି ରାଜା କେବଳ ଧର୍ମାତ୍ମା ହୋଇ ଐଶ୍ୱର୍ଯ୍ୟ ବା ସମ୍ପତ୍ତି ଲାଭ କରିନାହାନ୍ତି । ୫୮ । ବ୍ୟାଧ ଯେ ପ୍ରକାର ଲୋଭୀ କ୍ଷୁଦ୍ର ପଶୁମାନଙ୍କୁ ଆହାର ପ୍ରଦାନ କରେ ଓ ଛଳଦ୍ୱାରା ସେମାନଙ୍କୁ ବିନାଶ କରି ନିଜ ବୃତ୍ତି ଲାଭ କରେ ଅଥବା ଶଲ୍ୟକ ବୋଲି ଏକପ୍ରକାର ଜନ୍ତୁ ଅଛି,ଯେ ବହୁସଂଖ୍ୟକ କ୍ଷୁଦ୍ର ମଧୁମକ୍ଷିକାମାନଙ୍କୁ ସ୍ୱାଦୁଯୁକ୍ତ ଆହାର ଦିଏ ଓ ସେମାନେ ମଧୁଚକ୍ର ଛାଡ଼ି ଆସିଲେ ସଞ୍ଚିତ ମଧୁକୁ ସ୍ୱୟଂ ଭକ୍ଷଣ କରେ; ରାଜାମାନେ ମଧ୍ୟ ସେହିପରି ଛଳଦ୍ୱାରା ରାଜ୍ୟ ଲାଭ କରନ୍ତି । ୫୯ । ହେ ରାଜଶ୍ରେଷ୍ଠ ! ଅସୁରମାନେ ଦେବତାମାନଙ୍କର ଅଗ୍ରଜ ଭ୍ରାତା । ତଥାପି ସେମାନେ ସମୃଦ୍ଧିଶାଳୀ ହେଲେ ଦେବତାମାନେ ସେମାନଙ୍କୁ ଛଳନାଦ୍ୱାରା ଜୟ କରନ୍ତି । ୬୦ । ଏହି ପ୍ରକାରେ ହେ ମହାବାହୋ ! ମହୀପତେ ! କପଟତାକୁ ଆଶ୍ରୟ କରି ବଳବାନ ଶତ୍ରୁମାନଙ୍କୁ ପରାସ୍ତ କର । ୬୧ । ସଂଗ୍ରାମରେ ଅର୍ଜୁନଙ୍କ ପ୍ରାୟ ଯୁଧିଷ୍ଠିର ଓ ଆମ୍ଭେ ସମାନ । ଗଦା ଯୋଦ୍ଧା ଆଉ କିଏ ଅଛି ? କେହି ନାହିଁ ବୋଇଲେ ଅଯୁକ୍ତି ନୁହେଁ । ହେ ମହାଶୟ ! ଅତିଶୟ ବଳବାନ ବ୍ୟକ୍ତି ଆପଣାର ସାହସ ଘେନି ଯୁଦ୍ଧରେ ପ୍ରବୃତ୍ତ ହୁଏ । ଅନେକ ଲୋକ ସହାୟ ଅଛନ୍ତି ଅଥବା ଶତ୍ରୁମାନଙ୍କର ଛିଦ୍ର ଦେଖି ସେ ଯୁଦ୍ଧକୁ ଯାଏ ନାହିଁ ।

 

ଅତଏବ ହେ ପାଣ୍ଡବ ! ଆପଣ ସାହସ କରନ୍ତୁ । ୬୩ । ଅର୍ଥର ମୂଳ ସାହସ । ଆଉ ଯେତେ ସେସବୁ ମିଥ୍ୟା । ହେମନ୍ତ କାଳର ବୃକ୍ଷଛାୟା ଯେପରି ପ୍ରଶସ୍ତ ହୁଏ ନାହିଁ, ସେହିପରି ସାହସ ବ୍ୟତିରେକେ ଆଉ ସବୁ ଗୁଣ ସେ ଛାୟାସଦୃଶ ଅନୁପକାରୀ ବୋଲି ଜାଣିବା ହେଉନ୍ତୁ । ୬୪ । ହେ କୌନ୍ତେୟ ! ଯେପରି ଆଉ ବୀଜ ପାଇବା ଇଚ୍ଛାରେ ଭୂମିରେ ବୀଜ ବପନ କରିବାକୁ ହୁଏ, ସେହିପରି ବିଶେଷ ଅର୍ଥଲାଭ ଆଶାରେ ସଞ୍ଚିତ ଅର୍ଥକୁ ମଧ୍ୟ ତ୍ୟାଗ କରିବାକୁ ହୁଏ, ଏଥିରେ ସଂଶୟ କ’ଣ ? ୬୫ । ଯେଉଁ ଅର୍ଥ ତ୍ୟାଗଦ୍ୱାରା ଅର୍ଥର ଉନ୍ନତି ନ ହୁଏ, କି ପ୍ରଯୁକ୍ତ ଅର୍ଥର ସମାନ ଆଉ ଅର୍ଥର ଆଗମ ସୁଦ୍ଧା ନ ହୁଏ, ଏପରି ସ୍ଥଳରେ ବାଣିଜ୍ୟ କରିବା ଗଦ୍ଦର୍ଭର ଗାତ୍ର କଣ୍ଡୁୟନ ସଦୃଶ ପଶ୍ଚାତ୍ କ୍ଳେଶ ଆଦାୟ ହୁଏ । ୬୬ ।

 

ହେ ମନୁଷ୍ୟେନ୍ଦ୍ର ! ଏହି ପ୍ରକାରେ ଅଳ୍ପ ଧର୍ମକୁ ତ୍ୟାଗ କରି ବୃହତ୍ ଧର୍ମକୁ ଯେ ପ୍ରାପ୍ତ ହୁଏ, ସେ ମନୁଷ୍ୟକୁ ଜ୍ଞାନବାନ୍ ବୋଲି ନିଶ୍ଚୟ କରାଯାଏ । ୬୭ । ଯେଉଁଠାରେ ଶତ୍ରୁସଙ୍ଗେ ତାହାର ଅନେକ ମିତ୍ର ଥାନ୍ତି, ସେଠାରେ ପଣ୍ଡିତ ବ୍ୟକ୍ତି ସେମାନଙ୍କ ମଧ୍ୟରେ ଭେଦ ଜାତ କରନ୍ତି । ଏହା ହେଲେ ମିତ୍ରମାନେ ତାହାକୁ ପରିତ୍ୟାଗ କରନ୍ତି । ଏଥିରେ ଶତ୍ରୁ ବଳହୀନ ହୁଏ ଓ ବଳହୀନ ହେଲେ ତାହାକୁ ସହଜରେ ପରାଭୂତ କରି ହୁଏ । ୬୯ । ହେ ରାଜନ୍‌ ! ଯେଉଁ ବ୍ୟକ୍ତିର ମହାନ ବଳ ଅଛି, ସେ ସୁଦ୍ଧା ସାହସଦ୍ୱାରା ଯୁଦ୍ଧ କରେ ଓ ପ୍ରଜାମାନଙ୍କୁ ବଶୀଭୂତ କରେ । କେବଳ ଉଦ୍ୟମ ଅଥବା ମଧୁର ବାକ୍ୟରେ ଆହ୍ୱାନ କଲେ ପ୍ରଜାମାନେ ବଶ୍ୟତା ସ୍ୱୀକାର କରନ୍ତି ନାହିଁ । ୬୯ । ଅନେକ ମଧୁମକ୍ଷିକା ଏକତ୍ର ହୋଇ ଯେପରି ମଧୁହାରୀକୁ ବିନଷ୍ଟ କରିବାକୁ ସମର୍ଥ ହୁଅନ୍ତି, ସେହିଭଳି ଦୁର୍ବଳ ବ୍ୟକ୍ତି ଅନେକ ଏକତ୍ର ହେଲେ ବଳବାନ ଶତ୍ରୁକୁ ବିନାଶ କରିପାରନ୍ତି । ୭୦ ।

 

ହେ ରାଜନ୍‌ ! ସୂର୍ଯ୍ୟ ଯେମନ୍ତ ନିଜ ରଶ୍ମିଦ୍ୱାରା ପ୍ରଜାମାନଙ୍କୁ ପାଳନ କରେ ଓ ସେମାନଙ୍କୁ ସଂହାର କରେ, ତେମନ୍ତ ଆପଣ ସୂର୍ଯ୍ୟଙ୍କ ସଦୃଶ ହୁଅନ୍ତୁ । ୭୧ । ହେ ରାଜନ୍‌ ! ଏହିପରି ଭୂମିର ପାଳନ କରିବା ତପସ୍ୟା ଅଟେ ଓ ପୁରାଣର ବଚନ ଅନୁସାରେ ଆମ୍ଭର ପିତୃପିତାମହମାନେ ଏହି ବିଧିରେ ପୃଥିବୀ ପାଳନ କରିଥିଲେ । ୭୨ । ହେ ରାଜନ୍‌ ! କ୍ଷତ୍ରିୟ ହୋଇ ଯୁଦ୍ଧ କରିବା ତାହାର ଧର୍ମ । ତହିଁରେ ତାହାର ଜୟ ହେଉ ବା ପରାଜୟ ହେଉ, ଯୁଦ୍ଧଦ୍ୱାରା କ୍ଷତ୍ରିୟର ଯେପରି ମହାନ ଲୋକପ୍ରାପ୍ତି ହୁଏ ତପସ୍ୟାଦ୍ୱାରା ସେପରି ଲୋକ କଦାପି ଲବ୍ଧ ହୁଏନାହିଁ । ୭୫ । ମହାରାଜ ! ଆପଣଙ୍କର ଏହି ଦୁଃଖାବସ୍ଥା ଦେଖି ଲୋକେ ସ୍ଥିର କରିଅଛନ୍ତି ଯେ, ସୂର୍ଯ୍ୟଙ୍କଠାରୁ ତାହାଙ୍କର ପ୍ରଭା ଅନ୍ତର୍ହିତ ହୁଏ ଓ ଚନ୍ଦ୍ରଙ୍କଠାରୁ ମଧ୍ୟ ତାହାଙ୍କ ଶୋଭା ଅପଗତ ହୁଏ । ୭୪ । ସବୁ ସ୍ଥାନରେ ସଭାସଦ୍‌ଗଣ ଏକତ୍ର ହୋଇଥିବାବେଳେ, କି ପୃଥକ, ପୃଥକ୍ ହୋଇଥିବା ବେଳେ କ’ଣ ତୁମ୍ଭର ପ୍ରଶଂସା ଓ ଦୁର୍ଯ୍ୟୋଧନାଦିଙ୍କର ନିନ୍ଦା କରୁଅଛନ୍ତି ? ୭୫ । ବିଶେଷରେ ବ୍ରାହ୍ମଣମାନେ ଓ କୁରୁବଂଶୀୟ ଏକତ୍ର ହୋଇ ଆନନ୍ଦମୟ ଚିତ୍ତରେ ଆପଣଙ୍କର ସତ୍ୟପରାୟଣତାର ପ୍ରଶଂସା ଅନୁକ୍ଷଣ କରୁଅଛନ୍ତି । ୭୬ । ଯେହେତୁରୁ ଆପଣ ମୋହ, କାର୍ପଣ୍ୟ, ଲୋଭ, ଭୟ ଓ କାମର କିମ୍ବା ଅର୍ଥର ବଶୀଭୂତ ହୋଇ କଦାପି ମିଥ୍ୟା କଥା କହିନାହାନ୍ତି । ୭୭ ।

 

ହେ ରାଜନ୍‌ ! ଭୂମିଲାଭ କରିବା ବେଳେ ରାଜା କିଛି ଅଧର୍ମ କରିଥିଲେ, ପଶ୍ଚାତ୍ ବଡ଼ ବଡ଼ ଯଜ୍ଞ କରି ଅନେକ ଦକ୍ଷିଣା ଦେଇ ସେହି ଅଧର୍ମକୁ ଦୂରୀଭୂତ କରନ୍ତି । ୭୮ । ସେମାନେ ବ୍ରାହ୍ମଣମାନଙ୍କୁ ବହୁସଂଖ୍ୟକ ଗ୍ରାମ ଓ ସହସ୍ର ସହସ୍ର ଧେନୁ ଦାନକରି ରାହୁମୁକ୍ତ ଚନ୍ଦ୍ରମାଙ୍କ ସଦୃଶ ସର୍ବପାପରୁ ବିମୁକ୍ତ ହୁଅନ୍ତି । ୭୯ । ହେ କୁରୁନନ୍ଦନ ଯୁଧିଷ୍ଠିର ! କି ପୁରବାସୀ, କି ଦେଶବାସୀ, କି ବୃଦ୍ଧ, କି ବାଳକ, ପ୍ରାୟ ସବୁ ଲୋକେ ଆପଣଙ୍କର ପ୍ରଶଂସା କରୁଅଛନ୍ତି । ୮୦ । ହେ ଭାରତ ! ଲୋକେ କହୁଛନ୍ତି ଯେ, କୁକୁରଚର୍ମନିର୍ମିତ ପାତ୍ରରେ ଦୁଗ୍ଧ ରଖିଲେ ଯେପରି, ଶୂଦ୍ର ବେଦପାଠ କଲେ ଯେପରି, ତସ୍କରଠାରେ ସତ୍ୟପଣ ଯେପରି ଓ ନାରୀମାନଙ୍କ ଦେହରେ ପରାକ୍ରମ ଯେପରି, ଦୁର୍ଯ୍ୟୋଧନଠାରେ ଏହି ରାଜ୍ୟଭାର ମଧ୍ୟ ସେହିପରି ଜଣାଯାଉଅଛି । ୮୧ । ହେ ଭାରତ ! ପ୍ରଜାମାନେ ସର୍ବଦା ଏହି ପ୍ରକାର କଥା କହୁଅଛନ୍ତି । ଅଧିକ କ’ଣ କହିବା, ସ୍ତ୍ରୀ ଓ ବାଳକମାନେ ଉକ୍ତ ଶ୍ଳୋକଟିକୁ ବେଦ ଘୋଷିଲା ପ୍ରାୟ ପଢ଼ୁଅଛନ୍ତି । ହେ ଶତ୍ରୁସୂଦନ ! ଆପଣ ଆମ୍ଭମାନଙ୍କୁ ନେଇ ଈଦୃଶ ଦଶା ପ୍ରାପ୍ତ ହୋଇଅଛନ୍ତି; ରାଜ୍ୟଭ୍ରଷ୍ଟ ହୋଇ କେବଳ ଆପଣଙ୍କ ନିମିତ୍ତ ଆମ୍ଭେମାନେ ସମସ୍ତେ ଏହି ବିପଦରେ ପଡ଼ି ନଷ୍ଟ ହେଲୁ । ୮୩ ।

 

ହେ ମହାରାଜ ! ଆପଣ ମହାବଳସମ୍ପନ୍ନ । ଆପଣ ସତ୍ୱର ବ୍ରାହ୍ମଣମାନଙ୍କୁ ଜୟଲବ୍ଧ ଅର୍ଥ ପ୍ରଦାନ କରିବାକୁ କହି ସେମାନଙ୍କଦ୍ୱାରା ସ୍ୱସ୍ତିବାଚନ କରାଇ ଅଦ୍ୟ ହସ୍ତିନାପୁରକୁ ରଥାରୋହଣ କରି ପ୍ରସ୍ଥାନ କରନ୍ତୁ । ମରୁଦ୍‌ଗଣପରିବୃତ ଇନ୍ଦ୍ରଙ୍କ ସମାନ ଆପଣ ଧନୁର୍ଦ୍ଧାରୀ ଭ୍ରାତାମାନଙ୍କଦ୍ୱାରା ବେଷ୍ଟିତ ହୋଇ ଯୁଦ୍ଧର ଉପକରଣମାନଙ୍କୁ ରଥରେ ସଜ୍ଜିତ କରି ଗମନ କରନ୍ତୁ । ଆପଣଙ୍କ ଭ୍ରାତାମାନେ ଆଶୀବିଷ ସଦୃଶ ଅସ୍ତ୍ର-ନିକ୍ଷେପରେ ବିଶାରଦ ଅଟନ୍ତି । ବୃତ୍ତ୍ରହନ୍ତା ଇନ୍ଦ୍ର ଯେପରି ଅସୁରମାନଙ୍କୁ ମର୍ଦ୍ଦନ କରନ୍ତି, ଆପଣ ତଦ୍ରୂପ ସ୍ୱକୀୟ ତେଜଦ୍ୱାରା ଶତ୍ରୁମାନଙ୍କୁ ମର୍ଦ୍ଦନ କରି ଧୃତରାଷ୍ଟ୍ର ପୁତ୍ରମାନଙ୍କଠାରୁ ରାଜଶ୍ରୀ ଆଣନ୍ତୁ । ୮୬ । ଗାଣ୍ଡୀବ ଧନୁରୁ ଯେଉଁସବୁ ଗୃଧ୍ନପକ୍ଷ ଶୋଭିତ ଶରମାନ ସର୍ପସଦୃଶ ନିର୍ମୁକ୍ତ ହୁଅନ୍ତି, ସେ ଶରର ସ୍ପର୍ଶକୁ ମର୍ତ୍ତ୍ୟରେ କେହି ସ୍ପର୍ଶ କରିନପାରେ । ହେ ଭାରତ ! ରଣଭୂମିରେ କ୍ରୁଦ୍ଧ ହେଲେ ମୋର ଗଦାବେଗକୁ ସହ୍ୟ କରିପାରେ, ଏପରି କୌଣସି ଅଶ୍ୱ ବା ଗଜ ଅଥବା କେହି ବୀରପୁରୁଷକୁ ଆମ୍ଭେ ଦେଖୁ ନାହୁଁ । ୮୮ । ଆମ୍ଭେମାନେ ଯେବେ ସଞ୍ଜୟ ଓ କେକୟବଂଶୀୟ ବୀରମାନଙ୍କୁ ଘେନି ଓ ବୃଷ୍ଣିପ୍ରବୀର ଶ୍ରୀକୃଷ୍ଣଙ୍କ ସହିତ ଯୁଦ୍ଧ କରୁ, ତେବେ କି କାରଣରୁ ଆମ୍ଭେମାନେ ରାଜ୍ୟ ନ ପାଇବୁଁ ? ୮୯ । ହେ ରାଜନ୍ ଏତାଦୃଶ ମହତ୍ ବଳ ଘେନି ଯତ୍ନପୂର୍ବକ ଯୁଦ୍ଧ କଲେ କି ହେତୁରୁ ଆମ୍ଭେମାନେ ଶତ୍ରୁଙ୍କ ହସ୍ତଗତ ରାଜ୍ୟକୁ ହରଣ କରି ଆଣି ନ ପାରିବା ? ୯୦ ।

 

॥ ଅଧ୍ୟାୟ – ୩୪ ॥

 

ବୈଶମ୍ପାୟନ ବୋଇଲେ–ରାଜା ଯୁଧିଷ୍ଠିର ସତ୍ୟବ୍ରତ ଓ ମହାନୁଭବ ଥିଲେ । ତାହାଙ୍କର କେହି ଶତ୍ରୁ ନୁହନ୍ତି । ସେ ଭୀମସେନଙ୍କ ବାକ୍ୟ ଶ୍ରବଣ କରି ଧୈର୍ଯ୍ୟାବଲମ୍ବନପୂର୍ବକ କହିଲେ–ହେ ଭାରତ । ତୁମ୍ଭେ ଯାହା କହିଲ ତାହା ସବୁ ତଥ୍ୟ, ଏଥିରେ କିଛି ସଂଶୟ ନାହିଁ । ତୁମ୍ଭେ ଯାହା ବାକ୍ୟଶୂଳଦ୍ୱାରା ଆମ୍ଭଙ୍କୁ ବ୍ୟଥା ଦେଲ, ଏଥିରେ ଆମ୍ଭେ ତୁମ୍ଭଙ୍କୁ ନିନ୍ଦା କରିପାରୁ ନାହୁଁ ଯେହେତୁରୁ ଆମ୍ଭମାନଙ୍କର ସମସ୍ତଙ୍କର ଏତାଦୃଶ ଦୁଃଖ ଉପସ୍ଥିତ ହେଲା । ୨ । ଆମ୍ଭେ ଧୃତରାଷ୍ଟ୍ରଙ୍କ ପୁତ୍ରଙ୍କଠାରୁ ରାଜ୍ୟ ଆହରଣ କରିବା ନିମିତ୍ତ ଦ୍ୟୂତକ୍ରୀଡ଼ାରେ ପ୍ରବୃତ୍ତ ହେଲୁ । ସେହି ହେତୁରୁ କପଟ ଦ୍ୟୂତକାରୀ ସୁବଳପୁତ୍ର ଶକୁନି, ଦୁର୍ଯ୍ୟୋଧନଙ୍କ ନିମିତ୍ତ ଆମ୍ଭ ସହିତ କ୍ରୀଡ଼ା ଆରମ୍ଭ କଲା । ୩ ।

 

ହେ ଭୀମସେନ ! ପାର୍ବତୀୟ ଶକୁନି ମହାକପଟୀ; କିନ୍ତୁ ଆମ୍ଭେ ନିଷ୍କପଟ । ସୁତରାଂ ସେ କପଟଦ୍ୱାରା ସଭା ମଧ୍ୟରେ ପଶାନିକ୍ଷେପ କରି ଆମ୍ଭଙ୍କୁ ପରାଜିତ କଲା । ତହିଁରେ ଆମ୍ଭଙ୍କୁ ଏତାଦୃଶ ଦୁଃଖଭୋଗ କରିବାକୁ ହେଲା । ୪ । ଆମ୍ଭେ ତେତେବେଳେ ଦେଖିଲୁ ଯେ ଶକୁନିର ଇଚ୍ଛାନୁରୂପ ଅକ୍ଷକାଠି ପଡ଼ିଲା, ସେତେବେଳେ ଆମ୍ଭେ ମନକୁ ନିଗ୍ରହ କରିଥାନ୍ତୁ; କିନ୍ତୁ ମନୁଷ୍ୟର କ୍ରୋଧ ଜାତ ହେଲେ ଧୈର୍ଯ୍ୟ ବିନଷ୍ଟ ହୋଇଯାଏ । ୫ । ମନୁଷ୍ୟର ମନ ଯେବେ ପୌରୁଷର ବଳରେ ଅଥବା ଅଭିମାନରେ ଆବଦ୍ଧ ହୁଏ, ତେବେ ତାହାକୁ ଦମନ କରି ହୁଏ ନାହିଁ । ଏହି ହେତୁରୁ ଆମ୍ଭେ ଧୈର୍ଯ୍ୟାବଲମ୍ବନ କରି ଦ୍ୟୂତକ୍ରୀଡ଼ାରୁ ନିବୃତ୍ତ ହୋଇପାରିଲୁ ନାହିଁ । ତୁମ୍ଭ ବାକ୍ୟରେ କ୍ରୋଧ କଲେ କ’ଣ ହେବ ? ଏହା ହେବାର ଥିଲା ବୋଲି ହେଲା । ଆମ୍ଭେ ସ୍ୱୀକାର କରୁଅଛୁଁ । ୬-। ଧୃତରାଷ୍ଟ୍ରପୁତ୍ର ରାଜା ଦୁର୍ଯ୍ୟୋଧନ ରାଜ୍ୟାଭିଳାଷୀ ହୋଇ ଆମ୍ଭମାନଙ୍କୁ ଦୁଃଖରେ ନିକ୍ଷିପ୍ତ କରି ଦାସ କରିଥିଲା; କିନ୍ତୁ ଦ୍ରୌପଦୀ ଆମ୍ଭମାନଙ୍କୁ ତତ୍କାଳରେ ସେହି ବିପଦରୁ ରକ୍ଷା କରିଥିଲେ । ୭-। ପୁନର୍ବାର ଆମ୍ଭେମାନେ ଦ୍ୟୂତକ୍ରୀଡ଼ା କରିବା ନିମିତ୍ତ ସଭାକୁ ଆହୂତ ହେଲୁ । ଭରତବଂଶୀୟ ସମସ୍ତଙ୍କ ସମକ୍ଷରେ ଦ୍ୟୂତକ୍ରୀଡ଼ାର ଗୋଟିଏ ପଣସ୍ୱରୂପ ଦୁର୍ଯ୍ୟୋଧନ ଯାହା କହିଥିଲା, ତାହା ତୁମ୍ଭେ ଶୁଣିଅଛ ଓ ଅର୍ଜୁନ ମଧ୍ୟ ଜାଣନ୍ତି । ୮ ।

 

ହେ ଅଜାତଶତ୍ରୁ ରାଜପୁତ୍ର ! ଦ୍ୟୂତକ୍ରୀଡ଼ାରେ ପରାଜିତ ହେଲେ ଦ୍ୱାଦଶ ବର୍ଷ ସବୁ ଭ୍ରାତାଙ୍କ ସହିତ ଲୋକଙ୍କ ବିଦିତରୂପେ ଯଥାଭିଳଷିତ ବନରେ ବାସ କରିବ ଓ ତତ୍‍ପରେ ଆଉ ଏକ ବର୍ଷ ଛଦ୍ମଭାବରେ ଗୁପ୍ତ ହୋଇ ବାସ କରିବ ଯେ ଲୋକେ ତୁମ୍ଭମାନଙ୍କୁ ଚିହ୍ନିପାରିବେ ନାହିଁ । ସେ ସମୟରେ ଭରତବଂଶୀୟ ଦୂତମାନେ ଯେବେ ତୁମ୍ଭଙ୍କୁ ଚିହ୍ନନ୍ତି, ତେବେ ପୁନର୍ବାର ଦ୍ୱାଦଶ ବର୍ଷ ବନବାସ ଓ ଏକ ବର୍ଷ ଅଜ୍ଞାତ ଭାବରେ ବନବାସ କରିବ । ଏହିରୂପ ପ୍ରତିଜ୍ଞା ତୁମ୍ଭେ ନିଶ୍ଚୟ କର । ହେ ଭରତରାଜ ! ଆମ୍ଭେ ଏହି କୁରୁସଭା ମଧ୍ୟରେ ସତ୍ୟକରି କହୁଅଛୁଁ ଯେ, ଯଦି ତୁମ୍ଭେ ଉକ୍ତ ପ୍ରତିଜ୍ଞା ପାଳନରେ ନିଯୁକ୍ତ ହୋଇ ଆମ୍ଭର ଚରମାନଙ୍କୁ ଦେଖା ନ ଦେଇ ସେହି ସମୟକୁ ଅତିବାହିତ କରିବ, ତେବେ ଏହି ପଞ୍ଚନଦୀବିଶିଷ୍ଟ ଦେଶ ତୁମ୍ଭର ହେବ । ୧୧ । ଓ ଯଦି ତୁମ୍ଭେ ଆମ୍ଭମାନଙ୍କୁ ପରାଜିତ କର, ତେବେ ଆମ୍ଭେମାନେ ମଧ୍ୟ ସମସ୍ତ ଭୋଗ ପରିତ୍ୟାଗ କରି ସେହିପରି ତ୍ରୟୋଦଶ ବତ୍ସର ବଣରେ କ୍ଷେପଣ କରିବୁ । ସୁଯୋଧନ କୁରୁସଭା ମଧ୍ୟରେ ଏହିପରି କହିଲେ; ଆମ୍ଭେ ମଧ୍ୟ ତଥାସ୍ତୁ ବୋଲି କହି ସ୍ୱୀକାର କଲୁ । ୧୨ । ତଦନନ୍ତର ସେଠାରେ ଆମ୍ଭମାନଙ୍କର ସେହି ରୂପ ଅପକୃଷ୍ଟ ଦ୍ୟୂତକ୍ରୀଡ଼ା ଆରମ୍ଭ ହେଲା । ଆମ୍ଭେମାନେ ସେମାନଙ୍କଠାରେ ପରାଜିତ ହୋଇ ରାଜ୍ୟରୁ ବାହାରି ଆସିଲୁ । ଏହି ହେତୁରୁ ଆମ୍ଭେମାନେ ବହୁବିଧ କଷ୍ଟପ୍ରଦ ବନରେ ଓ ନାନା ଦେଶରେ ପରିଭ୍ରମଣ କରି କଷ୍ଟଦାୟକ ଅବସ୍ଥାକୁ ଭୋଗ କରୁଅଛୁ । ୧୩ ।

 

ଆମ୍ଭେମାନେ ଯେତେବେଳେ ପ୍ରବ୍ରଜିତ ହେଲ ତେତେବେଳେ ସୁଯୋଧନ ମଧ୍ୟ ଶାନ୍ତିର ଅଭିଳାଷୀ ନ ହୋଇ କ୍ରୋଧର ବଶୀଭୂତ ହୋଇଥିଲା ଓ ତାହାର ବଶବର୍ତ୍ତୀ ଲୋକମାନଙ୍କୁ ଓ କୁରୁବଂଶୀୟ ଅପରବ୍ୟକ୍ତିଙ୍କୁ ଆମ୍ଭମାନଙ୍କ ଦୁଃଖ ବୃଦ୍ଧି ନିମିତ୍ତ ନିଯୁକ୍ତ କଲା । ୧୪ । ଅତଏବ କେଉଁ ସାଧୁଜନ ସଜ୍ଜନମାନଙ୍କ ସମକ୍ଷରେ ତାଦୃଶ ନିୟମ ସ୍ୱୀକାର କରି ପରେ ରାଜ୍ୟଲୋଭରେ ତାହା ପରିତ୍ୟାଗ କରିପାରେ ? ଯେହେତୁରୁ ଧର୍ମକୁ ଉଲ୍ଲଙ୍ଘନ କରି ରାଜ୍ୟ ଶାସନ କରିବା ଆର୍ଯ୍ୟବ୍ୟକ୍ତିଙ୍କ ପକ୍ଷରେ ମରଣ ଅପେକ୍ଷା ମଧ୍ୟ ଗୁରୁତର । ୧୫ ।

 

ହେ ବୀର ଭୀମସେନ ! ଦ୍ୟୂତକ୍ରୀଡ଼ା ବେଳେ ତୁମ୍ଭେ ଆମ୍ଭର ବାହୁଦ୍ୱୟ ଦଗ୍ଧ କରିବାକୁ ଇଚ୍ଛା କରନ୍ତେ, ଅର୍ଜୁନ ତୁମ୍ଭଙ୍କୁ ନିଷେଧ କଲେ । ତହିଁରେ ତୁମ୍ଭେ ଗଦାକୁ ମାର୍ଜନ କଲ । ତେତେବେଳେ ଯେବେ ତୁମ୍ଭେ ସେହି କର୍ମ କରିଥାନ୍ତ, ତେବେ ଏହି ଦୁଷ୍କୃତ ଓ ଦୁଃଖ କ’ଣ ହୋଇଥାନ୍ତା ?୧୬ । ତୁମ୍ଭେ ସ୍ୱୀୟପୌରୁଷ ଜାଣି ସୁଦ୍ଧା ପ୍ରତିଜ୍ଞା କରିବା ପୂର୍ବରୁ କି ନିମିତ୍ତ ଏପରି ନ କଲ ? ଏବେ ଉପରିସ୍ଥିତ ବିପଦ ପ୍ରାପ୍ତ ହୋଇ ଆମ୍ଭଙ୍କୁ ଅଧିକଗୁଡ଼ାଏ କହିଲେ କ’ଣ ହେବ ? ୧୭-। ହେ ଭୀମସେନ ! ଦ୍ରୌପଦୀଙ୍କୁ ଏପରି ଦୁଃଖିତା ଦେଖି ଆମ୍ଭର ହୃଦୟ ବିଷରସ ପାନକରି ସନ୍ତପ ହେବା ଅପେକ୍ଷା ଅଧିକ ବ୍ୟଥିତ ହେଉଅଛି । ୧୮ ।

 

ହେ ଭରତପ୍ରବୀର ! କୁରୁବୀରମାନଙ୍କ ମଧ୍ୟରେ ଆମ୍ଭେ ପ୍ରତିଜ୍ଞା କରି ଯାହା କହିଅଛୁ, ତାହା ବର୍ତ୍ତମାନ ଉଲ୍ଲଙ୍ଘନ କରିବା କଦାପି କର୍ତ୍ତବ୍ୟ ନୁହେଁ । ଅତଏବ ବୀଜବପନ କରି ଫଳ ପ୍ରତୀକ୍ଷା କରିବା ବ୍ୟକ୍ତି ସଦୃଶ ତୁମ୍ଭେ ସୁଖୋଦୟର ସମୟକୁ ପ୍ରତୀକ୍ଷା କର । ୧୯ । ଜଣେ ଯେବେ ଅନ୍ୟ ବ୍ୟକ୍ତିକୁ ବଞ୍ଚନା କରେ ଓ ସେହି ବଞ୍ଚକର କାର୍ଯ୍ୟ ସଫଳ ହେବାର ଦେଖି ବଞ୍ଚିତ ଜନ ନିଜ ପୌରୁଷଦ୍ୱାରା ବଞ୍ଚକକୁ ପରାସ୍ତ କରେ, ତାହାହେଲେ ସେ ସମଗ୍ର ସମ୍ପତ୍ତି ସ୍ୱୟଂ ଲାଭ କରେ; ସଂସାରରେ ଯଶ ଉପାର୍ଜନ କରେ ଓ ଶତ୍ରୁମାନେ ତାହାଙ୍କଠାରେ ସମ୍ପୂର୍ଣ୍ଣରୂପେ ଅବନତ ହୁଅନ୍ତି; ଅଥଚ ଦେବତାମାନେ ଯେପରି ଇନ୍ଦ୍ରଙ୍କୁ ଆଶ୍ରୟ କରି ଉପଜୀବ୍ୟ ନିର୍ବାହ କରନ୍ତି, ସେହିପରି ସେ ପ୍ରାଣୀର ମିତ୍ରମାନେ ତାହାଙ୍କ ଆଶ୍ରୟରେ ରହି ନିଜ ନିଜ ଜୀବିକା ନିର୍ବାହ କରନ୍ତି । ୨୧ । ହେ ଭୀମସେନ ! ତୁମ୍ଭେ ନିଶ୍ଚୟ ଜାଣିବ ଯେ ଆମ୍ଭର ପ୍ରତିଜ୍ଞା ଅସତ୍ୟ ହେବାର ନୁହେଁ । ଜୀବନ ଅପେକ୍ଷା ଅର୍ଥାତ୍ ଦେବତ୍ୱ ଅପେକ୍ଷା ଆମ୍ଭେ ଧର୍ମକୁ ଅଧିକ ମାନ୍ୟ କରୁ । ରାଜ୍ୟ, ପୁତ୍ର, ଯଶ ଓ ଧନ ଏମାନେ ସତ୍ୟର ଷୋଡ଼ଶାଂଶରୁ ଏକାଂଶ ସୁଦ୍ଧା ନୁହନ୍ତି । ୨୨ ।

 

॥ ଅଧ୍ୟାୟ – ୩୫ ॥

 

ଭୀମ ବୋଇଲେ, ମହାରାଜ ! ମନୁଷ୍ୟ ମରଣଧର୍ମୀ, କାଳର ଅଧୀନ । ଫେନ ଯେପରି ଅସାର ପ୍ରାଣ, ଦେହ ସେହିପରି ଅଳ୍ପ ସମୟରେ ବିନଷ୍ଟ ହୁଏ । ବୃକ୍ଷର ଫଳ ଝୁଲୁଥାଏ । ତାହା ଯେପରି ଖସିପଡ଼େ, ମନୁଷ୍ୟ ଥାଏ ଥାଏ ସେହିପରି ଦିନେ ଟଳିପଡ଼େ । ପୁନଶ୍ଚ କାଳ ସମସ୍ତଙ୍କ ପ୍ରଭୁ, ସବୁ ଗ୍ରାସ କରେ; ଶରସଦୃଶ ଦ୍ରୁତଗାମୀ ଓ ଅନନ୍ତ । ଆପଣ ଏପରି ଏହି କାଳ ସହିତ ସନ୍ଧି କରୁଅଛନ୍ତି ଓ ତାହାକୁ ପ୍ରତ୍ୟକ୍ଷ ମଣୁଅଛନ୍ତି । ୨ । ସୂଚୀ ଅଗ୍ରଭାଗରେ ଯତ୍‌କିଞ୍ଚିତ୍ ଅଞ୍ଜନ ଚୂର୍ଣ୍ଣ ନେଇ ଚକ୍ଷୁରେ ଦେଉ ଦେଉ ସେ ଅଞ୍ଜନ ଯେପରି କ୍ଷୟପ୍ରାପ୍ତ ହୁଏ, ସେହିପରି ଯେଉଁ ମନୁଷ୍ୟର ପରମାୟୁ ପ୍ରତି ନିମିଷରେ ହ୍ରାସ ହେଉଅଛି, ସେ ବ୍ୟକ୍ତି କିପରି କାଳକୁ ପ୍ରତୀକ୍ଷା କରି ରହିବ ? ୩ । ଯାହାର ପରମାୟୁ ନିଃସଂଶୟରେ ଅପରିମିତ ଓ ଯେ ନିଜର ପରମାୟୁର ଅବଧି ନିଶ୍ଚିତରୂପେ ଅବଗତ ହୋଇଅଛି, ସେ ବ୍ୟକ୍ତି କାଳକୁ ପ୍ରତୀକ୍ଷା କରିପାରେ । ୪ । ଆମ୍ଭେମାନେ ତ୍ରୟୋଦଶ ବର୍ଷ ଅପେକ୍ଷା କରି ରହିଲେ ଆମ୍ଭମାନଙ୍କର ଆୟୁ କ୍ଷୟକରି ଆମ୍ଭମାନଙ୍କୁ ମୃତ୍ୟୁ ମୁଖରେ ପତିତ କରିବ-। ୫ । ମୃତ୍ୟୁ ସର୍ବଦା ଶରୀରୀମାନଙ୍କ ଶରୀରକୁ ଆଶ୍ରୟ କରି ରହିଅଛି । ଅତଏବ ମରଣ ପୂର୍ବରୁ ଆମ୍ଭେମାନେ ରାଜ୍ୟ ନିମିତ୍ତ ଯତ୍ନ କରିବା । ୬ ।

 

ଯେଉଁ ବ୍ୟକ୍ତି ଶତ୍ରୁମାନଙ୍କୁ ଦମନ ବା ସଂହାର ନ କରି ଅଥବା ତଦ୍‌ବିଷୟରେ ସଂଶ୍ରବରହିତ ହୋଇ ଉତ୍ତମ ଯଶୋପାର୍ଜନ ନ କରେ, ସେ ବ୍ୟକ୍ତି ବୃହତ୍ ବଳୀବର୍ଦ୍ଦ ପରି ପୃଥିବୀର କେବଳ ଭାର ହୋଇ ଦିନେ ଅବସନ୍ନ ହୁଏ । ୭ । ଯେଉଁ ବ୍ୟକ୍ତି ଅଳ୍ପ ବଳ ଓ ଅଳ୍ପ ଉଦ୍ୟମୀ ହୋଇ ବୈର ନିର୍ଯାତନା ନ କରେ, ଆମ୍ଭେ ସେ ମନ୍ଦଜନ୍ମା ପୁରୁଷର ଜନ୍ମକୁ ନିଷ୍ଫଳ ବୋଲି ଜାଣୁ । ୮ । ଆପଣଙ୍କର ବାହୁଦ୍ୱୟ ସୁବର୍ଣ୍ଣର ଅଧିପତି ଓ ଯଶ ପୃଥୁରାଜାଙ୍କର ବଂଶୀୟ ଯଶ । ଅତଏବ ଆପଣ ସଂଗ୍ରାମରେ ଶତ୍ରୁମାନଙ୍କୁ ଜୟ କରି ନିଜ ଭୁଜ ଅର୍ଜିତ ଧନକୁ ଭୋଗ କରନ୍ତୁ । ୯ ।

 

ହେ ଅରିନ୍ଦମ ! ନରନାଥ ! ପୁରୁଷ ଯଦି ବଞ୍ଚକକୁ ବିନଷ୍ଟ କରି ସଦ୍ୟ ନରକକୁ ଗମନ କରେ, ତେବେ ସେ ନରକ ତାହା ପକ୍ଷରେ ସ୍ୱର୍ଗ ସମାନ । ୧୦ । ଯେହେତୁ କ୍ରୋଧଜନିତ ମନସ୍ତାପ ଅଗ୍ନି ଅପେକ୍ଷା ଅଧିକ ଦୀପ୍ତିମାନ୍‌, ଆମ୍ଭେ ତଦ୍ଦ୍ୱାରା ସନ୍ତପ୍ତ ହୋଇ ଦିବାରାତ୍ର ଶୋଇପାରୁ ନାହୁଁ । ୧୧ । ଧନୁର୍ଦ୍ଧରମାନଙ୍କ ଶ୍ରେଷ୍ଠ ଅର୍ଜୁନ ଗହ୍ୱରେସ୍ଥିତ ସିଂହପ୍ରାୟ ସ୍ତବ୍‌ଧ ହୋଇ ରହିଅଛନ୍ତି, ଏଥିରେ ସଂଶୟ ନାହିଁ । ୧୨ । ପୃଥିବୀସ୍ଥିତ ସମସ୍ତ ଧନୀ ନିରସ୍ତ୍ର କରିପାରିବେ ବୋଲି ଯେଉଁ ଅର୍ଜୁନ ମନରେ ଜାଣନ୍ତି, ସେ ଆପଣାର ମନସ୍ଥ ସନ୍ତାପକୁ ମନରେ ମାରୁଅଛନ୍ତି । ୧୩ । ନକୁଳ, ସହଦେବ ଓ ବୀରଜନନୀ ବୃଦ୍ଧାମାତା ଆପଣଙ୍କର ପ୍ରିୟ ଇଚ୍ଛାକରି ଗିଢ଼ ଓ ମୂକ ହୋଇଅଛନ୍ତି । ୧୪ । ସୃଞ୍ଜୟମାନେ ଓ ଅପରାପର ବାନ୍ଧବମାନେ ସମସ୍ତେ ଆପଣଙ୍କର ପ୍ରିୟ କାମନାରେ ତୁନି ହୋଇ ରହିଅଛନ୍ତି । କେବଳ ଆମ୍ଭେ ଓ ପ୍ରତିବିନ୍ଧ୍ୟଙ୍କ ମାତା ସନ୍ତପ୍ତ ହେଉଅଛୁ । ୧୫ । ଆମ୍ଭେ ଯାହା କହୁଅଛୁ, ତାହା ସମସ୍ତଙ୍କର ଉପକାର ନିମିତ୍ତ । ଆମ୍ଭେମାନେ ସମସ୍ତେ ଦୁଃଖରେ ସନ୍ତପ୍ତ ହେଉଅଛୁ ଓ ଯୁଦ୍ଧରେ ପ୍ରବୃତ୍ତ ହେବା ସମସ୍ତଙ୍କର ଅଭିପ୍ରାୟ । ୧୬ ।

 

ହେ ରାଜନ୍‌ ! ଆମ୍ଭମାନଙ୍କର ଯେଉଁ ଆପଦ ଉପସ୍ଥିତ ହୋଇଅଛି, ଏଥିରୁ ଅଧିକ ଦୁଃଖପ୍ରଦ ଆପଦ ଆଉ ନାହିଁ । ନୀଚ ଓ ଅଳ୍ପବଳ ବ୍ୟକ୍ତିମାନେ ଆମ୍ଭମାନଙ୍କଠାରୁ ରାଜ୍ୟକୁ ଛଡ଼ାଇନେଇ ଭୋଗ କରୁଅଛନ୍ତି । ୧୭ । ହେ ପରନ୍ତପ ! ଆପଣ ଅତିଶୟ ସୌଜନ୍ୟ ଓ ଦୟାର ବଶୀଭୂତ ହୋଇ ଏହି ଯେଉଁ କ୍ଳେଶ ସହ୍ୟ କରିଅଛନ୍ତି, ତାହାକୁ ଅପର କେହି ପ୍ରଶଂସା କରୁନାହାନ୍ତି-। ୧୮ । ହେ ରାଜନ୍‌ ! କେହି ଅବିଦ୍ୱାନ ଶ୍ରୋତ୍ରୀୟର ବୁଦ୍ଧି ଯେବେ କୌଣସି ବିଶେଷ ଶ୍ରୂତି ବାକ୍ୟରେ ନିହତ ହୁଏ, ସେ ତତ୍ତ୍ୱାର୍ଥ ଦର୍ଶନ କରିବାରେ ଅକ୍ଷମ ହୁଏ । ସେହିପରି ଆପଣଙ୍କ ବୁଦ୍ଧି ଏ ରୂପ ହୋଇଅଛି ଯେ, ଆପଣ ତତ୍ତ୍ୱାର୍ଥ ଦେଖିପାରୁ ନାହାନ୍ତି । ୧୯ । ଆମ୍ଭେ ଦେଖୁଅଛୁ ଯେ, ଆପଣ ବ୍ରାହ୍ମଣସଦୃଶ ଦୟାଳୁ; ଅତଏବ ଆପଣ କ୍ଷତ୍ରିୟକୁଳରେ ଯେ ଜନ୍ମ ଲାଭ କରନ୍ତି, ସେମାନେ ପ୍ରାୟ କ୍ରୂରବୁଦ୍ଧି ହୁଅନ୍ତି । ୨୦ । ଆପଣ ରାଜଧର୍ମମାନଙ୍କୁ ଶ୍ରବଣ କରିଅଛନ୍ତି । ମନୁ କହିଛନ୍ତି ଯେ, କ୍ରୂରତା, କପଟତା, ଅସମତାରେ ରାଜଧର୍ମ ପରିପୂର୍ଣ୍ଣ ହୋଇଅଛି । ୨୧ ।

 

ହେ ରାଜନ୍‌ ! ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଦୁରାତ୍ମା । ଆପଣ କେଉଁ କାରଣରୁ ସେମାନଙ୍କୁ କ୍ଷମା ଦେଉଅଛନ୍ତି, ତାହା ଜଣାଯାଉ ନାହିଁ । ହେ ପୁରୁଷବ୍ୟାଘ୍ର ! ଆପଣ କର୍ତ୍ତବ୍ୟ କର୍ମ ନ କରି କି ହେତୁରୁ ଅଜଗର ସର୍ପ ପ୍ରାୟ ତୁନି ହୋଇ ରହିଅଛନ୍ତି ? ୨୨ । ଆପଣଙ୍କର ବୁଦ୍ଧି ଅଛି, ପରାକ୍ରମ ଅଛି; ଆପଣ ଅନେକ ଶାସ୍ତ୍ର ଅଧ୍ୟୟନ କରିଅଛନ୍ତି ଓ ଆପଣଙ୍କର ଅଭିଜନମାନେ ଅଛନ୍ତି । ଅତଏବ ଆପଣ ମୌନ ଭାବରେ ରହିବା କର୍ତ୍ତବ୍ୟ ନୁହେଁ । ତୃଣ ବିଡ଼ାକରେ ହିମାଳୟ ପର୍ବତକୁ ଆଚ୍ଛାଦନ କରିବା ଯେପରି ଅସାଧ୍ୟ, ସେହିପରି ଆମ୍ଭମାନଙ୍କୁ ଗୋପନ କରି ରଖିବା ଆପଣଙ୍କର ଅସାଧ୍ୟ ଅଟେ । ହେ ପାର୍ଥ ! ସୂର୍ଯ୍ୟ ଯେପରି ଗୋପନ ହୋଇ ଆକାଶରେ ବିଚରଣ କରିନପାରନ୍ତି, ସେହିରୂପେ ଆପଣ ପୃଥିବୀବିଖ୍ୟାତ ହୋଇ କିପରି ଗୋପନ ଭାବରେ ରହିବେ ? ଶାଖା, ପୁଷ୍ପ ଓ ଫଳ ସଂଯୁକ୍ତ ବୃହତ୍ ଶାଳବୃକ୍ଷ କି ଅନୁପଦେଶରେ ଲୁଚି ରହିପାରେ ? ୨୫ । ଶ୍ୱେତ ହସ୍ତୀସଦୃଶ ଅର୍ଜୁନ କିପରି ଅଜ୍ଞାତ ଭାବରେ ବିଚରଣ କରିବେ ? ସିଂହସଦୃଶ ଏହି ଦୁଇ ଭ୍ରାତା ନକୁଳ ଓ ସହଦେବ କିପରି ଗୁପ୍ତ ଭାବରେ ବୁଲିବେ ?

 

ହେ ପାର୍ଥ ! ଏହି ରାଜପୁତ୍ରୀ ଦ୍ରୌପଦୀଙ୍କର କୀର୍ତ୍ତି ଚତୁର୍ଦ୍ଦିଗରେ ବିଖ୍ୟାତ । ଏହାଙ୍କର ପୁତ୍ରମାନେ ବୀର; ଏ କିପରି ଗୋପନରେ ରହିବେ ? ହେ ରାଜନ୍‌ ! ବାଳକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସବୁ ପ୍ରଜାମାନେ ଆମ୍ଭଙ୍କୁ ଚିହ୍ନନ୍ତି । ମେରୁ ପର୍ବତକୁ ଢାଙ୍କି ରଖିବା ଯେପରି ଅସାଧ୍ୟ, ଆମ୍ଭେ ଗୁପ୍ତ ଭାବରେ ରହିବା ସେହିପରି ଅସମ୍ଭବ । ପରନ୍ତୁ ଅନେକ ରାଜା ଓ ରାଜପୁତ୍ରଙ୍କୁ ସେମାନଙ୍କ ରାଜ୍ୟରୁ ଆମ୍ଭେମାନେ ତଡ଼ି ଦେଇଅଛୁ । ସେ ବର୍ତ୍ତମାନ ଧୃତରାଷ୍ଟ୍ରଙ୍କ ପକ୍ଷାବଲମ୍ବନ କରିଅଛନ୍ତି । ଅଦ୍ୟାବଧି ସେମାନେ ଆମ୍ଭମାନଙ୍କ ପ୍ରତି ଶାନ୍ତ ହୋଇନାହାନ୍ତି । ୩୦ । ସେମାନେ ଅବଶ୍ୟ ଦୁର୍ଯ୍ୟୋଧନଙ୍କର ପ୍ରିୟ କାମନାରେ ଆମ୍ଭମାନଙ୍କର ଅନିଷ୍ଟ କରିବାର ଚେଷ୍ଟା କରିବେ ଓ ପ୍ରଚ୍ଛନ୍ନ ଭାବରେ ଅନେକ ଚରମାନଙ୍କୁ ନିଯୁକ୍ତ କରିବେ । ସେହି ଚରମାନେ ଯେବେ ଆମ୍ଭମାନଙ୍କୁ ଜାଣିପାରି ପ୍ରକାଶ କରନ୍ତି, ତେବେ ପୁନଶ୍ଚ ଆମ୍ଭମାନଙ୍କର ମହାଭୟ ଉପସ୍ଥିତ ହେବ । ୩୧ ।

 

ଆମ୍ଭେମାନେ ଆଜକୁ ପୂର୍ଣ୍ଣ ତେରମାସ ବନରେ ବାସ କଲୁ । ଆପଣ ଏହାକୁ ତେର ବର୍ଷ ଜ୍ଞାନ କରନ୍ତୁ । ୩୨ । ସୋମଲତାର ପ୍ରତିନିଧି ଯେପରି ପୂତିକା, ସେହିପରି ବର୍ଷର ପ୍ରତିନିଧି ମାସ ହୁଏ; ଏହା ମନୀଷୀମାନେ କହିଅଛନ୍ତି । ଅତଏବ ଆପଣ ଏ ସ୍ଥଳରେ ସେହିପରି ବ୍ୟବହାର କରନ୍ତୁ-। ୩୩ । ସାଧୁଶୀଳ ଓ ସାଧୁବାହକ ବୃଷଭକୁ ଉତ୍ତମ ଭୋଜନ ଦେଇ ଆପଣ ଏହି ପାପରୁ ମୁକ୍ତ ହୋଇପାରିବେ । ୩୪ । ହେ ରାଜନ୍‌ ! ଅତଏବ ଆପଣ ଶତ୍ରୁବଧ ବିଷୟରେ ନିଶ୍ଚୟ କରନ୍ତୁ-। ଯୁଦ୍ଧକୁ ଛାଡ଼ି କ୍ଷତ୍ରିୟର ଅପର କୌଣସି ଧର୍ମ ନାହିଁ । ୩୫ ।

 

Unknown

॥ ଅଧ୍ୟାୟ – ୩୬ ॥

 

ବୈଶମ୍ପାୟନ ବୋଇଲେ–ଭୀମସେନଙ୍କ ବାକ୍ୟ ଶ୍ରବଣ କରି କୁନ୍ତୀପୁତ୍ର ପରନ୍ତପ ଯୁଧିଷ୍ଠିର ନିଃଶ୍ୱାସ ତ୍ୟାଗ କରି ଭାବିଲେ । ୧ । ଆମ୍ଭେ ରାଜ୍ୟଧର୍ମ ଓ ବର୍ଣ୍ଣଧର୍ମମାନଙ୍କୁ ଶ୍ରବଣ କରିଅଛୁ । କିନ୍ତୁ ଯେଉଁ ବ୍ୟକ୍ତି ଭବିଷ୍ୟତ ଓ ବର୍ତ୍ତମାନ କାଳରେ ସେମାନଙ୍କୁ ବିବେଚନା କରି କାର୍ଯ୍ୟ କରେ, ସେହି ବ୍ୟକ୍ତି ସର୍ବଦର୍ଶୀ । ଧର୍ମର ଗତିକୁ ଜାଣିବା ଅତି କଠିନ । ଆମ୍ଭେ ସେ ଧର୍ମର ମୁଖ୍ୟଗତିକୁ ଜାଣିଶୁଣି ମେରୁ ପର୍ବତକୁ ମର୍ଦ୍ଦନ କଲା ପ୍ରାୟ କିପରି ତାହାକୁ ମର୍ଦ୍ଦନ କରିବୁ ? ମୁହୂର୍ତ୍ତେ ପର୍ଯ୍ୟନ୍ତ ସେ ଏପରି ଚିନ୍ତାକରି କର୍ତ୍ତବ୍ୟ ସ୍ଥିର କଲେ ଓ ଭୀମସେନ ଆଉ କିଛି ନ କହିବାରୁ ତାହାଙ୍କୁ ଉତ୍ତର ଦେଲେ । ୪ ।

 

ହେ ବାକ୍ୟବିଶାରଦ ! ମହାବାହୁ ଭରତ ! ତୁମ୍ଭେ ଯାହା କହିଲ, ତାହା ସମୁଦାୟ ସତ୍ୟ; କିନ୍ତୁ ଆମ୍ଭଠାରୁ ଗୋଟିଏ କଥା ମନୋଯୋଗପୂର୍ବକ ଶ୍ରବଣ କର । ୫ । ହେ ଭାରତ ! କେବଳ ସାହସକୁ ଅବଲମ୍ବନ କରି ମହାପାପଜନକ କର୍ମକୁ ଆରମ୍ଭ କଲେ ପଶ୍ଚାତ୍ ସେ କର୍ମ ପୀଡ଼ାଦାୟକ ହୁଏ । ୬ । ହେ ମହାବାହୋ ! ସୁମନ୍ତ୍ରଣା, ସୁବିଚାର ଓ ସୁବିକ୍ରମଦ୍ୱାରା ଯେଉଁ କାର୍ଯ୍ୟକୁ ସୁନ୍ଦରରୂପେ କରାଯାଏ, ସେହି କାର୍ଯ୍ୟର ଫଳ ସିଦ୍ଧ ହୁଏ; ଦୈବ ମଧ୍ୟ ତହିଁରେ ଅନୁକୂଳ ହୁଅନ୍ତି । ୭ । ହେ ବୃକୋଦର ! ଯେଉଁ କର୍ମକୁ କେବଳ ଚପଳତାଦ୍ୱାରା କରାଯାଏ ଓ ବଳଦର୍ପରେ ଉତ୍‌ଥିତ ହୋଇ ଯେଉଁ କର୍ମକୁ ଆବଦ୍ଧ ବୋଲି ମନେ କରୁଅଛ, ସେହି ବିଷୟରେ ଆମ୍ଭଠାରୁ କିଛି ଶ୍ରବଣ କର । ୮ ।

 

ହେ କୌରବ୍ୟ ! ଭୂରୀଶ୍ରବା, ଶଳ, ବୀର୍ଯ୍ୟଶାଳୀ ଜଳସନ୍ଧ, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ବୀର୍ଯ୍ୟବାନ ଅଶ୍ଚତ୍‌ଥାମା ଓ ଧୃତରାଷ୍ଟ୍ରଙ୍କର ଦୁର୍ଯ୍ୟୋଧନାଦି ପୁତ୍ରମାନେ, ସମସ୍ତେ କୃତାସ୍ତ୍ର, ଦୁରାଧର୍ଷ ଓ ସର୍ବଦା ଆତତାୟୀ । ଏମାନଙ୍କ ବ୍ୟତିରେକେ ଆଉ ଯେଉଁ ରାଜାମାନଙ୍କୁ ଆମ୍ଭେ ଉପତାପିତ କରିଅଛୁ, ସେମାନେ କୌରବଙ୍କ ପକ୍ଷକୁ ଆଶ୍ରୟ କରିଅଛନ୍ତି ଓ ଦୁର୍ଯ୍ୟୋଧନଙ୍କ ପ୍ରତି ସେମାନଙ୍କର ସ୍ନେହ ଜାତ ହେଉଅଛି । ହେ ଭାରତ ! ସେ ରାଜାମାନେ ଦୁର୍ଯ୍ୟୋଧନଙ୍କ ହିତରେ ଯେପରି ରତ ହୋଇଅଛନ୍ତି, ଆମ୍ଭ ହିତରେ ସେପରି ନାହାନ୍ତି । ଦୁର୍ଯ୍ୟୋଧନ ସେ ରାଜାମାନଙ୍କର କୋଷପୂର୍ଣ୍ଣ କରିଅଛି ଓ ସେମାନେ ନିଜ ନିଜ ବଳ ବୁଦ୍ଧି କରିଅଛନ୍ତି ଏବଂ ଯୁଦ୍ଧରେ ସେମାନେ ସମସ୍ତେ ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯତ୍ନ କରିବେ । ୧୨ । କୁରୁସେନାମାନଙ୍କର ସମସ୍ତ ବୀରପୁରୁଷଙ୍କୁ ଓ ତାହାଙ୍କର ପୁତ୍ର ଓ ଅମାତ୍ୟବର୍ଗଙ୍କୁ ଯାହାକୁ ଯେପରି ସମ୍ମାନିତ କରିବା ଉଚିତ ତାହାକୁ ସେହିପରି ଭୋଗଦ୍ୱାରା ଦୁର୍ଯ୍ୟୋଧନ ବଶୀଭୂତ କରିଅଛି । ୧୩ । ସେମାନେ ବିଶେଷରୂପେ ଦୁର୍ଯ୍ୟୋଧନଦ୍ୱାରା ସମ୍ମାନିତ ହୋଇଅଛନ୍ତି । ଯୁଦ୍ଧରେ ସେମାନେ ଦୁର୍ଯ୍ୟୋଧନ ନିମିତ୍ତ ପ୍ରାଣ ପର୍ଯ୍ୟନ୍ତ ପରିତ୍ୟାଗ କରିବାକୁ ଉଦ୍ୟତ ଅଛନ୍ତି, ଆମ୍ଭେ ଏହା ନିଶ୍ଚୟ ବୁଝିଅଛୁ । ୧୪ ।

 

ହେ ମହାବାହୋ ! ଆହୁରି ଆମ୍ଭେ ନିଶ୍ଚୟ ବୁଝିଅଛୁ ଯେ, ଭୀଷ୍ମ, ଦ୍ରୋଣ ଓ କୃପାଚାର୍ଯ୍ୟଙ୍କର ଆମ୍ଭମାନଙ୍କଠାରେ ଏବଂ ଦୁର୍ଯ୍ୟୋଧନଙ୍କଠାରେ ସମାନ ଦୃଷ୍ଟି ଥିଲେ ହେଁ ରାଜଦତ୍ତ ଭୋଗର ପରିଶୋଧ ନିମିତ୍ତ ସେମାନେ ସମରଭୂମିରେ ଦୁର୍ଯ୍ୟୋଧନ ସହାୟରେ ଦୁସ୍ତ୍ୟଜ୍ୟ ପ୍ରାଣ ପର୍ଯ୍ୟନ୍ତ ବିସର୍ଜନ କରିବେ । ୧୬ । ସେମାନେ ସମସ୍ତେ ଦିବ୍ୟାସ୍ତ୍ର-ବିଶାରଦ, ସମସ୍ତେ ଧର୍ମପରାୟଣ; ଏହି ହେତୁରୁ ଆମ୍ଭର ବୋଧ ହେଉଅଛି ଯେ, ଇନ୍ଦ୍ରଙ୍କ ସହିତ ସମସ୍ତ ଦେବତା ସୁଦ୍ଧା ସେମାନଙ୍କୁ ଜୟ କରିପାରିବେ ନାହିଁ । ୧୭ । ପୁନଶ୍ଚ ସେମାନଙ୍କ ମଧ୍ୟରେ ମହାରଥୀ କର୍ଣ୍ଣ, ଦୁର୍ଦ୍ଧର୍ଷ ଓ ସର୍ବାସ୍ତ୍ରବେତ୍ତା ଅଭେଦ୍ୟ କବଚରେ ଆବୃତ୍ତ ହୋଇଅଛି । ୧୮ । ଏହି ପୁରୁଷସତ୍ତମମାନେ ରଣରେ ଅଜେୟ, ବିନା ସହାୟରେ ତୁମ୍ଭେ ଦୁର୍ଯ୍ୟୋଧନକୁ ନିହତ କରିପାରିବ ନାହିଁ । ୧୯ । ହେ ବୃକୋଦର ! ଉକ୍ତ ସମସ୍ତ ଧନୁର୍ଦ୍ଧାରୀଙ୍କର ବିଶେଷରେ କର୍ଣ୍ଣଙ୍କର ହସ୍ତଲଘୁତା ଚିନ୍ତାକରି ରାତ୍ରିରେ ଆମ୍ଭଙ୍କୁ ନିଦ୍ରା ହୁଏ ନାହିଁ । ୨୦ ।

 

ବୈଶମ୍ପାୟନ ବୋଇଲେ–ଭୀମଙ୍କର ସ୍ୱଭାବ ଅତ୍ୟନ୍ତ ଅସହନଶୀଳ । ଯୁଧିଷ୍ଠିରଙ୍କର ଏହିରୂପ ବଚନ ଶ୍ରବଣ କରି ସେ ତ୍ରସ୍ତ ଓ ବିମନା ହୋଇ କିଛି ମାତ୍ର ଉତ୍ତର ଦେଲେ ନାହିଁ । ୨୧ । ପାଣ୍ଡୁପୁତ୍ର ଯୁଧିଷ୍ଠିର ଓ ଭୀମସେନ ଦୁହେଁ ଏହିପରି କଥୋପକଥନ କରୁଅଛନ୍ତି; ଏମନ୍ତ ସମୟରେ ସତ୍ୟବତୀସୁତ ମହାଯୋଗୀ ବ୍ୟାସ ସେଠାରେ ଉପସ୍ଥିତ ହେଲେ । ପାଣ୍ଡବମାନେ ତାହାଙ୍କୁ ଦେଖି ଯଥାନ୍ୟାୟରେ ପୂଜା କଲେ । ତଦନନ୍ତର ବକ୍ତାଶ୍ରେଷ୍ଠ ମହର୍ଷି ବ୍ୟାସ ଯୁଧିଷ୍ଠିରଙ୍କୁ ସମ୍ବୋଧନ କରି କହିଲେ । ୨୩ । ବ୍ୟାସ ବୋଇଲେ–ହେ ନରସିଂହ ମହାବାହୁ ଯୁଧିଷ୍ଠିର ! ଆମ୍ଭେ ସ୍ୱକୀୟ ବୁଦ୍ଧିଦ୍ୱାରା ତୁମ୍ଭର ମନୋଭାବ ଜ୍ଞାତ ହୋଇଅଛୁ । ଏଥି ନିମିତ୍ତ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆଗମନ କରିଅଛୁ । ୨୪ ।

 

ହେ ଶତ୍ରୁନିସୂଦନ ! ଭାରତ ! ଭୀଷ୍ମ, ଦ୍ରୋଣ, କୃପ, କର୍ଣ୍ଣ, ଅଶ୍ୱତ୍‌ଥାମା, ରାଜପୁତ୍ର ଦୁର୍ଯ୍ୟୋଧନ ଓ ଦୁଃଶାସନଠାରୁ ତୁମ୍ଭର ଯେଉଁ ଭୟ ହୋଇଅଛି, ତାହା ଆମ୍ଭେ ବିଧିଦୃଷ୍ଟ କର୍ମଦ୍ୱାରା ବିନଷ୍ଟ କରିବୁ । ୨୬ । ହେ ରାଜେନ୍ଦ୍ର ! ତୁମ୍ଭେ ଆମ୍ଭର ବଚନ ଶ୍ରବଣ କରି ଧୈର୍ଯ୍ୟାବଲମ୍ବନ କର ଓ କର୍ମଦ୍ୱାରା ସେ ଧୈର୍ଯ୍ୟକୁ ପ୍ରତିପାଦନ କରି ମାନସିକ ଜ୍ୱରକୁ ଦୂର କର । ୨୭ । ବାକ୍ୟବିଶାରଦ ପରାଶର-ନନ୍ଦନ ବ୍ୟାସ ଏକାନ୍ତକୁ ଯୁଧିଷ୍ଠିରଙ୍କୁ ଡାକିନେଇ କହିଲେ, ହେ ଭରତସତ୍ତମ ! ତୁମ୍ଭର ଶ୍ରେୟର କାଳ ଉପସ୍ଥିତ ହୋଇଅଛି । ପୃଥାନନ୍ଦନ ଧନୁର୍ଦ୍ଧର ଅର୍ଜୁନ ରଣରେ ତୁମ୍ଭର ଶତ୍ରୁମାନଙ୍କୁ ପରାଭୂତ କରିବେ । ୨୯ । ତୁମ୍ଭେ ଆମ୍ଭର ଶରଣାଗତ, ଅତଏବ ତୁମ୍ଭଙ୍କୁ ଗୋଟିଏ ବିଦ୍ୟା ପ୍ରଦାନ କରୁଅଛୁ । ତାହାର ନାମ ପ୍ରତିସ୍ମୃତି ପ୍ରାୟ ମୂର୍ତ୍ତିମତୀ ଓ ସିଦ୍ଧିଦାୟିନୀ । ସେହି ବିଦ୍ୟାକୁ ତୁମ୍ଭେ ଗ୍ରହଣ କର । ୩୦ । ତଦନନ୍ତର ମହାବାହୁ ଅର୍ଜୁନ ଏହି ବିଦ୍ୟାକୁ ପ୍ରାପ୍ତ ହୋଇ ଆପଣାର ଅଭୀଷ୍ଟ ସାଧନ କରିବେ ଓ ଅର୍ଥଲାଭ ନିମିତ୍ତ ଇନ୍ଦ୍ର ଓ ରୁଦ୍ରଙ୍କ ସମୀପକୁ ଗମନ କରିପାରିବେ । ୩୧ ।

 

ହେ ପାଣ୍ଡବ ! ଯମ, ବରୁଣ, କୁବେରଙ୍କ ନିକଟକୁ ଅର୍ଜୁନ ଗମନ କରନ୍ତେ, ତପସ୍ୟା ଓ ବିକ୍ରମଦ୍ୱାରା ସେ ଦେବତାମାନଙ୍କୁ ଦର୍ଶନ କରିବାକୁ ସମର୍ଥ ହେବେ । ୩୨ । ଯେହେତୁ ଏ ପୁରାଣ ଋଷି, ମହାତେଜସ୍ୱୀ ଓ ନାରାୟଣଙ୍କ ସଖା, ଚିରଜୀବୀ ଦେବତା, ଜୟଶୀଳ ଓ ଅକ୍ଷୟ ପୁରୁଷ; ଏହାଙ୍କୁ ଜୟ କରିବାକୁ କାହାରି ସାମର୍ଥ୍ୟ ନାହିଁ । ୩୩ । ଇନ୍ଦ୍ରଙ୍କଠାରୁ, ରୁଦ୍ରଙ୍କଠାରୁ ଓ ଅନ୍ୟ ଲୋକପାଳଙ୍କଠାରୁ ସେ ମହାବାହୁ ଅନାୟାସରେ ଅସ୍ତ୍ରମାନଙ୍କୁ ଆନୟନ କରି ନିର୍ବିଘ୍ନରେ ମହତ୍ କର୍ମମାନଙ୍କୁ ସମ୍ପାଦନ କରିବେ । ୩୪ ।

 

ହେ ପୃଥିବୀପତେ ! ଏ ବନକୁ ପରିତ୍ୟାଗ କରି ଅନ୍ୟ ଯେଉଁ ବନରେ ତୁମ୍ଭର ରହିବାର ଉପଯୁକ୍ତ ହେବ, ସେଠାକୁ ଗମନ କର; ଚିରକାଳ ଏକ ସ୍ଥାନରେ ବାସ କରିବା ପ୍ରୀତିପଦ ହୁଏ ନାହିଁ-। ତାପସମାନଙ୍କର ତହିଁରେ ଉଦବେଗ ଜାତ ହୁଏ । ୩୬ । ଅନେକଗୁଡ଼ିଏ ବେଦ ବେଦାଙ୍ଗ ସାରଗାମୀ ବ୍ରାହ୍ମଣମାନଙ୍କୁ ଆପଣ ଭରଣ ପୋଷଣ କରନ୍ତି । ଅତଏବ ଯେଉଁଠାରେ ଆପଣ ବାସ କରନ୍ତି, ସେଠାରେ ମୃଗମାନଙ୍କର ବିନାଶ ଓ ଲତା ଔଷଧିମାନଙ୍କର ସମ୍ୟକ୍ କ୍ଷୟ ହୁଏ । ୩୭ । ବୈଶମ୍ପାୟନ ବୋଇଲେ–ଭଗବାନ ବ୍ୟାସ ଲୋକତତ୍ତ୍ୱଜ୍ଞ ଓ ପ୍ରଭୁ ଅଟନ୍ତି । ସେ ମହାଯୋଗୀ ଯୁଧିଷ୍ଠିରଙ୍କୁ ଉକ୍ତ ପ୍ରକାର ଉପଦେଶ ଦେଇ ତାହାଙ୍କର ଶରଣାଗତ ବିଶୁଦ୍ଧଚିତ୍ତ ଧର୍ମରାଜଙ୍କୁ ସେହି ପ୍ରତିଶ୍ରୁତି ବିଦ୍ୟା ପ୍ରଦାନ କଲେ । ୩୮ । ତଦନନ୍ତର ସତ୍ୟବତୀ ନନ୍ଦନ, କୁନ୍ତୀସୁତ ଯୁଧିଷ୍ଠିରଙ୍କଠାରୁ ବିଦାୟ ହୋଇ ସେହି ସ୍ଥାନରେ ଅନ୍ତର୍ହିତ ହେଲେ । ୩୯ । ମେଧାବୀ ଧର୍ମାତ୍ମା ଯୁଧିଷ୍ଠିର ମଧ୍ୟ ଯତ୍ନ ସହିତ ସେହି ବିଦ୍ୟାକୁ ଲାଭ କରି ସମୟ ସମୟରେ ଅଭ୍ୟାସ କରି ତାହାକୁ ମନ ମଧ୍ୟରେ ଉତ୍ତମରୂପେ ଧାରଣ କଲେ । ୪୦ । ତତ୍‍ପରେ ବ୍ୟାସଦେବଙ୍କ ବାକ୍ୟ ଅନୁସାରେ ହୃଷ୍ଟଚିତ୍ତରେ ଦ୍ୱୈତବନରୁ ସରସ୍ୱତୀ ତୀରସ୍ଥିତ କାମ୍ୟକ ବନକୁ ଗମନ କଲେ । ୪୧ ।

 

ହେ ମହାରାଜ ! ବେଦବେଦାଙ୍ଗ ପାରଦର୍ଶୀ ବ୍ରାହ୍ମଣମାନେ ସୁଦ୍ଧା ଇନ୍ଦ୍ରଙ୍କ ଅନୁଗାମୀ ଋଷିବୃନ୍ଦ ସଦୃଶ ଧର୍ମରାଜଙ୍କର ପଶ୍ଚାତ ପଶ୍ଚାତ୍ ଗମନ କଲେ । ୪୨ । ଭରତବଂଶଭୂଷଣ ମହାତ୍ମା ପାଣ୍ଡବମାନେ ପରିଚ୍ଛଦ, ଅମାତ୍ୟ ଓ ପୁରୋହିତଙ୍କ ସହିତ କାମ୍ୟକ ବନରେ ଉପନୀତ ହୋଇ ସେ ସ୍ଥାନରେ ପୁନର୍ବାର ବାସ କଲେ । ୪୩ । ହେ ରାଜନ୍‌ ! ଧର୍ମପରାୟଣ ଧନୁର୍ବେଦବେତ୍ତା ପ୍ରଶାନ୍ତଚିତ୍ତ ସେହି ବୀରମାନେ ନିତ୍ୟ ନିତ୍ୟ ବେଦଧ୍ୱନି ଶ୍ରବଣ କଲେ ଓ ମୃଗାର୍ଥୀ ହୋଇ ବିଶୁଦ୍ଧ ବାଣରେ ମୃଗୟା କରି ପିତୃଦେବ ଓ ବ୍ରାହ୍ମଣମାନଙ୍କ ଉଦ୍ଦେଶ୍ୟରେ ଯଥାବିହିତ କାର୍ଯ୍ୟ ନିର୍ବାହ କରି କିୟତ୍‌କାଳ ସେଠାରେ ବାସ କଲେ । ୪୫ ।

 

॥ ଅଧ୍ୟାୟ – ୩୭ ॥

 

ବୈଶମ୍ପାୟନ ବୋଇଲେ–କେତେକ କାଳ ଅତୀତ ହୁଅନ୍ତେ ଦିନେ ଧର୍ମରାଜ ଯୁଧିଷ୍ଠିର ବ୍ୟାସମୁନିଙ୍କ ବଚନ ଶ୍ରବଣ କରି ପ୍ରଜ୍ଞାଶୀଳ ଅର୍ଜୁନଙ୍କୁ ନିର୍ଜନ ସ୍ଥାନକୁ ଡାକିନେଇ, କରରେ କରକୁ ସ୍ପର୍ଶକରି ସସ୍ମିତ ବଚନରେ ସାନ୍ତ୍ୱନା ଦେଇ, ଗୁପ୍ତରେ ମୁହୂର୍ତ୍ତେ କାଳ ଧ୍ୟାନ କରି କହିଲେ, ହେ ଭାରତ ! ଭୀଷ୍ମ, ଦ୍ରୋଣ, କୃପ, କର୍ଣ୍ଣ, ଅଶ୍ୱତ୍‌ଥାମା–ଏହି ପାଞ୍ଚ ଜଣଙ୍କୁ ଚତୁଷ୍ପାଦ ଧନୁର୍ବେଦ ଜ୍ଞାତ ଅଛି । ୪ । ବ୍ରାହ୍ମ, ଦୈବ୍ୟ, ମାନୁଷ ଓ ବାୟବ୍ୟ ଅସ୍ତ୍ରମାନଙ୍କର ପ୍ରୟୋଗ ଓ ପ୍ରତିସଂହାର ସେମାନଙ୍କୁ ନିଖିଳରୂପେ ବିଦିତ ଅଛି । ଧୃତରାଷ୍ଟ୍ରଙ୍କ ପୁତ୍ର ସେମାନଙ୍କୁ ସାନ୍ତ୍ୱନା ଦେଇ ଧନାଦି ପ୍ରଦାନଦ୍ୱାରା ସନ୍ତୁଷ୍ଟ କରି ଓ ଗୁରୁସଦୃଶ ମାନ୍ୟକରି ରଖିଅଛନ୍ତି । ଏମାନଙ୍କ ବ୍ୟତିରେକେ ଅପର ଯୋଦ୍ଧାମାନଙ୍କୁ ମଧ୍ୟ ତଦ୍ରୂପ ଉତ୍କୃଷ୍ଟ ପ୍ରିୟ ବ୍ୟବହାର କରନ୍ତି । ୭ । ସେମାନେ ଏତାଦୃଶ ପ୍ରତିପୂଜିତ ହୋଇ ଅଛନ୍ତି ଯେ, ସମୟ ଉପସ୍ଥିତ ହେଲେ ସେମାନେ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବେ ।

 

ହେ ପାର୍ଥ ! ବର୍ତ୍ତମାନ ଗ୍ରାମ, ନଗର, ବନ, ଆକର ଓ ସାଗର ସହିତ ଏହି ସମୁଦାୟ ପୃଥ୍ୱୀ ଦୁର୍ଯ୍ୟୋଧନର ବଶୀଭୂତ ହୋଇଅଛି; ଆମ୍ଭମାନଙ୍କର ତୁମ୍ଭେ ଏକାକୀ ପ୍ରିୟ ସହାୟକ ଅଛ । କେବଳ ତୁମ୍ଭରି ଉପରେ ଆମ୍ଭେମାନେ ଏହି ଭାର ଅର୍ପଣ କରିଅଛୁ । ୯ । ଏଥି ନିମିତ୍ତ ସମୟୋଚିତ ତୁମ୍ଭର କର୍ତ୍ତବ୍ୟ କର୍ମ ଯାହା କହୁଅଛୁ, ଶ୍ରବଣ କର ।

 

ହେ ବତ୍ସ ! ଆମ୍ଭେ କୃଷ୍ଣଦ୍ୱୈପାୟନଙ୍କଠାରୁ ଯେଉଁ ରହସ୍ୟ ବିଦ୍ୟା ପ୍ରାପ୍ତ ହୋଇଅଛୁ, ତୁମ୍ଭେ ତାହା ପ୍ରୟୋଗ କରିବା ମାତ୍ରେ ସମସ୍ତ ଜଗତକୁ ସମ୍ୟକ୍‍ରୂପେ ଦର୍ଶନ କରିପାରିବ । ଅତଏବ ହେ ତାତ, ତୁମ୍ଭେ ସମାହିତ ହୋଇ ସେହି ବିଦ୍ୟାକୁ ଶିକ୍ଷା କର । ତଦନନ୍ତର ଦେବତାମାନଙ୍କର ପ୍ରସନ୍ନତା ଲାଭ କର । ହେ ଭରତେନ୍ଦ୍ର ! ତୁମ୍ଭେ ଆତ୍ମାକୁ ଉଗ୍ର ତପସ୍ୟାରେ ସଂଯୋଜିତ କର । ଖଡ଼୍‌ଗ, ଧନୁ ଓ କବଚ ଧାରଣ କରି ସାଧୁବ୍ରତରେ ଅବସ୍ଥିତ ଓ ମନନଶୀଳ ହୋଇ କାହାରିକୁ ପଥ ପ୍ରଦାନ ନ କରି ଉତ୍ତର ଦିଗକୁ ଗମନ କର । ୧୩ । ହେ ଧନଞ୍ଜୟ ! ଇନ୍ଦ୍ରଙ୍କ ନିକଟରେ ସମସ୍ତ ଦିବ୍ୟାସ୍ତ୍ର ଅଛି-। ପୂର୍ବକାଳରେ ଦେବତାମାନେ ବୃତ୍ତ୍ରାସୁର ଭୟରେ ସମୁଦାୟ ଅସ୍ତ୍ରକୁ ଇନ୍ଦ୍ରଙ୍କଠାରେ ରଖିଥିଲେ-। ୧୪ । ସେହି ଅସ୍ତ୍ରସବୁ ଏକତ୍ର ହୋଇଅଛି । ତୁମ୍ଭେ ଇନ୍ଦ୍ରଙ୍କ ନିକଟରୁ ସେସବୁ ପାଇପାରିବ । ଅତଏବ ତୁମ୍ଭେ ଇନ୍ଦ୍ରଙ୍କ ଶରଣାପନ୍ନ ହୁଅ । ଶରଣାଗତ ହେଲେ ସେ ତୁମ୍ଭଙ୍କୁ ଅସ୍ତ୍ରସବୁ ପ୍ରଦାନ କରିବେ । ୧୫ । ହେ ତାତ ! ତୁମ୍ଭେ ଅଦ୍ୟ ଦୀକ୍ଷିତ ହୋଇ ପୁରନ୍ଦରଙ୍କ ଦର୍ଶନାର୍ଥ ଗମନ କର-

 

ବୈଶମ୍ପାୟନ ବୋଇଲେ, ଧର୍ମରାଜ ଏହା କହି ଅର୍ଜୁନଙ୍କୁ ସେ ବିଦ୍ୟା ଅଧ୍ୟାପନା କଲେ । ବୀର ଅର୍ଜୁନ ବିଧିପୂର୍ବକ ଦୀକ୍ଷିତ ହୋଇ କାୟମନବଚନକୁ ସ୍ଥିର କରି ଅଗ୍ରଜଙ୍କ ଆଜ୍ଞାନୁସାରେ ପ୍ରସ୍ଥାନ କରିବାକୁ ଉଦ୍ୟତ ହେଲେ । ୧୭ । ମହାଭୁଜ ଅର୍ଜୁନ ଧର୍ମରାଜଙ୍କ ନିର୍ଦ୍ଦେଶାନୁଯାୟୀ ଇନ୍ଦ୍ରଙ୍କ ଦର୍ଶନ କରିବାର ଅଭିଳାଷୀ ହୋଇ ଗାଣ୍ଡୀବ ଧନୁ ଓ ଅକ୍ଷୟ ତୂଣୀରଦ୍ୱୟ ଗ୍ରହଣ କରି, ଯଥାବିହିତ ହୋମକର୍ମ ନିଷ୍ପାଦନ କର, ବ୍ରାହ୍ମଣମାନଙ୍କୁ ବହୁଳ ସୁବର୍ଣ୍ଣମୁଦ୍ରା ପ୍ରଦାନ କରି, ସେମାନଙ୍କଦ୍ୱାରା ସ୍ୱସ୍ତିବାଚନ କରାଇ କବଚ, କରତଳ ତ୍ରାଣ ଓ ଅଙ୍ଗୁଳିତ୍ର ପରିଧାନ କରି ଯାତ୍ରା କଲେ । ଯାତ୍ରା ସମୟରେ ଅର୍ଜୁନ ଊର୍ଦ୍ଧ୍ୱକୁ ଦୃଷ୍ଟିକରି କିପରି ଧୃତରାଷ୍ଟ୍ର ପୁତ୍ରମାନଙ୍କୁ ବଧ କରିବେ, ତହିଁ ନିମିତ୍ତ ଦୀର୍ଘ ନିଃଶ୍ୱାସ ତ୍ୟାଗ କଲେ । ୧୦ । ଶରାସନଧାରୀ କୁନ୍ତୀସୁତଙ୍କୁ ତଦବସ୍ଥ ଦେଖି ସିଦ୍ଧ ବ୍ରାହ୍ମଣମାନେ ଓ ଅନ୍ତର୍ହିତ ଭୂତମାନେ ଆଶୀର୍ବାଦ କରି କହିଲେ, ହେ ଅର୍ଜୁନ ! ତୁମ୍ଭେ ଯାହା ଯାହା ମନରେ ବାଞ୍ଛା କରିଅଛ, ତାହା ତୁମ୍ଭେ ଶୀଘ୍ର ପ୍ରାପ୍ତ ହୁଅ । ବ୍ରାହ୍ମଣମାନେ ଏହିପରି ବଚନଦ୍ୱାରା ଅର୍ଜୁନଙ୍କୁ ଆଶୀର୍ବାଦ କଲେ । ଆହୁରି ବୋଇଲେ, ହେ କୌନ୍ତେୟ ! ତୁମ୍ଭେ କାର୍ଯ୍ୟ ସିଦ୍ଧ କର, ତୁମ୍ଭର ଜୟ ହେଉ । ଶାଳ ତରୁ ସଦୃଶ ଉଚ୍ଚ ଓ ସୁନ୍ଦର ପ୍ରସ୍ଥାନୋନ୍ମୁଖ ଅର୍ଜୁନଙ୍କୁ ଲକ୍ଷ୍ୟକରି ଉପସ୍ଥିତ ବ୍ୟକ୍ତିମାନଙ୍କ ଅଭିପ୍ରାୟାନୁସାରେ ଦ୍ରୌପଦୀ ମଧ୍ୟ କହିଲେ ।

 

କୃଷ୍ଣା କହିଲେ, ହେ ମହାବାହୋ, ଧନଞ୍ଜୟ, ତୁମ୍ଭେ ଜନ୍ମିବାବେଳେ ଆର୍ଯ୍ୟା କୁନ୍ତୀ ଯାହା ଇଚ୍ଛା କରିଥିଲେ ଓ ତୁମ୍ଭେ ସ୍ୱୟଂ ଯାହା ଇଚ୍ଛା କରୁଅଛ, ସେ ସମସ୍ତ ସିଦ୍ଧ ହେଉ । କ୍ଷତ୍ରିୟ କୁଳରେ ଆଉ ଆମ୍ଭ ମଧ୍ୟରୁ କାହାରି ଯେପରି ଜନ୍ମ ନ ହେଉ । ୨୫ । ଯେଉଁମାନେ ଭିକ୍ଷାଦ୍ୱାରା ନିଜ ଜୀବିକାନିର୍ବାହ କରନ୍ତି, ସେହି ବ୍ରାହ୍ମଣମାନଙ୍କୁ ମୋର ନିତ୍ୟ ନମସ୍କାର । ପାପାତ୍ମା ଦୁର୍ଯ୍ୟୋଧନ ସଭା ମଧ୍ୟରେ ରାଜାମାନଙ୍କ ସମକ୍ଷରେ ମୋତେ ଦେଖି ଗୌ ବୋଲି କହି ଯାହା ହାସ୍ୟ କଲା, ଏଥିରେ ମୋର ଅତିଶୟ ଦୁଃଖ ହେଲା । ପୁନଶ୍ଚ ସେ ଦୁଃଖରୁ ବଳି ମୋ ବିଚାରରେ ଏ ଦୁଃଖ ଅଧିକ ଯେ, ସଭା ମଧ୍ୟରେ ସେ ଅନେକ ଅଯୁକ୍ତ କଥା କହିଲା । ତୁମ୍ଭର ଭ୍ରାତାମାନେ ଜାଗ୍ରତ ଥିବାବେଳେ ତୁମ୍ଭର ବୀର କର୍ମମାନ ପୁନଃ ପୁନଃ କହି ଆନନ୍ଦିତ ହେବେ । ହେ ପାର୍ଥ ! ତୁମ୍ଭେ ଦୀର୍ଘକାଳ ପ୍ରବାସରେ ରହିଲେ ଆମ୍ଭର ଧନରେ, ଭୋଗରେ ଅଥବା ଜୀବନରେ ପ୍ରୟୋଜନ ନାହିଁ । ୨୯ ।

 

ହେ ପାର୍ଥ ! ଆମ୍ଭ ସମସ୍ତଙ୍କର ସୁଖ ଦୁଃଖ ଉଭୟ ତୁମ୍ଭଠାରେ ରହିଅଛି । ଆମ୍ଭମାନଙ୍କର ଜୀବନ ମରଣ, ରାଜ୍ୟ ଓ ଐଶ୍ୱର୍ଯ୍ୟ ସବୁ ତୁମରିଠାରେ ନିହିତ ଅଛି । ହେ ଭରତ ପାର୍ଥ ! ଆମ୍ଭର ସମ୍ଭାଷଣ ସମାପ୍ତ ହେଲା, ଏବେ ତୁମ୍ଭର ମଙ୍ଗଳ ହେଉ । ହେ ଅନଘ ! ଅତିଶୟ ବଳବାନ ଲୋକଙ୍କ ସହିତ ଆମ୍ଭର ବିରୋଧ କରିବା କର୍ତ୍ତବ୍ୟ ନୁହେଁ; ହେ ମହାବଳ ! ତୁମ୍ଭେ ନିର୍ବିଘ୍ନରେ ପ୍ରସ୍ଥାନ କରି ସ୍ୱକୀୟ କାର୍ଯ୍ୟ ଶୀଘ୍ର ସାଧନ କର । ଧାତା ଓ ବିଧାତାଙ୍କୁ ଆମ୍ଭେ ନମସ୍କାର କରୁଅଛୁ । ତୁମ୍ଭର ଅନାମୟ ହେଉ । ହେ ଧନଞ୍ଜୟ ! ଯେ ହେତୁରୁ ତୁମ୍ଭେ ଜ୍ୟେଷ୍ଠଭ୍ରାତାଙ୍କ ଆଜ୍ଞାକାରୀ, ଅତଏବ ହ୍ରୀ, ଶ୍ରୀ, କୀର୍ତ୍ତି, ଧୃତି, ପୁଷ୍ଟି, ଉମା, ଲକ୍ଷ୍ମୀ ଓ ସରସ୍ୱତୀ, ଏମାନେ ତୁମ୍ଭଙ୍କୁ ପଥରେ ରକ୍ଷା କରନ୍ତୁ । ୩୩ । ହେ ଭରତଶ୍ରେଷ୍ଠ ! ତୁମ୍ଭ ଶାନ୍ତି ନିମିତ୍ତ ଆମ୍ଭେ ବସୁ, ରୁଦ୍ର, ଆଦିତ୍ୟ, ମରୁତ୍‌, ବିଶ୍ୱଦେବ, ସାଧ୍ୟକରଣଙ୍କୁ ନମସ୍କାର କରି ସେମାନଙ୍କର ଶରଣାର୍ଥୀ ହୋଇଅଛୁ । ୩୪ । ହେ ଭରତ ! ଆକାଶଚାରୀ ଓ ପାର୍ଥିବ ପ୍ରାଣୀମାନଙ୍କଠାରୁ ତୁମ୍ଭର ମଙ୍ଗଳ ହେଉ । ଯେଉଁମାନେ ଦେବଲୋକ ପ୍ରାଣୀ ଓ ଯେଉଁମାନେ ବିଘ୍ନ ଜାତ କରନ୍ତି, ସେମାନେ ତୁମ୍ଭର କୁଶଳ ବିଧାନ କରନ୍ତୁ । ୩୫ ।

 

ବୈଶମ୍ପାୟନ ବୋଇଲେ, ଯଶସ୍ୱିନୀ କୃଷ୍ଣା ଏହିପରି କହି କ୍ଷାନ୍ତ ହେଲେ । ୩୬ । ତଦନନ୍ତର ମହାବାହୁ ଅର୍ଜୁନ ଭ୍ରାତାମାନଙ୍କୁ ଓ ପୁରୋହିତ ଧୌମ୍ୟଙ୍କୁ ପ୍ରଦକ୍ଷିଣ କରି ରୁଚିର ଧନୁ ଗ୍ରହଣ କରି ପ୍ରସ୍ଥାନ କଲେ । ୩୭ । ପରାକ୍ରମଶାଳୀ ବୃଷଭ ଯିବାବେଳେ ତାହା ଆଗରୁ ଯେପରି ପ୍ରାଣୀମାନେ ଅନ୍ତରିତ ହୋଇଯାନ୍ତି, ସେହିପରି ଇନ୍ଦ୍ରଙ୍କ ଦର୍ଶନାର୍ଥୀ ଅର୍ଜୁନଙ୍କ ମାର୍ଗ ଛାଡ଼ି ସମସ୍ତ ପ୍ରାଣୀ ଦୂରବର୍ତ୍ତୀ ହେଲେ । ୩୮ । ହେ ତାତ ! ପରନ୍ତପ ଅର୍ଜୁନ ପର୍ବତମାନଙ୍କୁ ଅତିକ୍ରମ କଲେ । ପୁଣ୍ୟମୟ ସେହି ହିମାଳୟ ପର୍ବତରେ ତପସ୍ୱୀମାନେ, ଦେବତାମାନେ ସତତ ବାସ କରିଥାନ୍ତି । ମହାମନା ଅର୍ଜୁନ ଯୋଗ ବଳରେ ପବନ ପ୍ରାୟ ଗତି କରି ଏକା ଦିନକରେ ସେହି ପୁଣ୍ୟ ପର୍ବତକୁ ପାର ହେଲେ । ୪୦ । ହିମବନ୍ତକୁ ଅତିକ୍ରମ କରି ଆଉ ଏକ ଦିନରେ ଗନ୍ଧମାର୍ଦନକୁ ପାର ହେଲେ-

 

ଏହିପରି ଅତନ୍ଦ୍ରିତ ହୋଇ ସେହି ଦୁର୍ଗମ ସ୍ଥାନମାନଙ୍କୁ ଅର୍ଜୁନ ପାର ହେଲେ । ୪୧ । ତଦନନ୍ତର ଇନ୍ଦ୍ରକୀଳକୁ ଗମନ କଲେ । ସେହିଠାରେ ପ୍ରବିଷ୍ଟ ହୁଅନ୍ତେ, ‘ତିଷ୍ଠ’ ଅର୍ଥାତ୍ ରହ ବୋଲି ଆକାଶବାଣୀ ଶୁଣିଲେ । ଏହି ବଚନ ଶୁଣି ପାଣ୍ଡୁନନ୍ଦନ ଅର୍ଜୁନ ଚତୁର୍ଦ୍ଦିଗକୁ ବିଲୋକନ କରି ବୃକ୍ଷମୂଳରେ ଗୋଟିଏ ତପସ୍ୱୀଙ୍କୁ ଦେଖିଲେ । ୪୩ । ସେହି ଋଷି ବ୍ରହ୍ମତେଜରେ ଦୀପିତ, ପିଙ୍ଗଳ ବର୍ଣ୍ଣ, ଜଟିଳ ଓ କୃଶ । ଅର୍ଜୁନଙ୍କୁ ସେଠାରେ ସ୍ଥିତ ହେବାର ଦେଖି ସେ ମହାତପା ବୋଇଲେ, ହେ ତାତ ! ତୁମ୍ଭେ କିଏ ? ଧନୁର୍ଦ୍ଧାରୀ ହୋଇ କବଚ ପରିଧାନ କରି ଶର ଘେନି ଆସିଅଛ ? କ୍ଷତ୍ରିୟଧର୍ମକୁ ଆଚରିଲା ପ୍ରାୟ ଦିଶୁଅଛ ? ୪୫ । ଏଠାରେ ଶସ୍ତ୍ରର ପ୍ରୟୋଜନ ନାହିଁ । ଏହି ଆଳୟ ଶାନ୍ତ ଜନମାନଙ୍କର; ଯେଉଁମାନେ କ୍ରୋଧ ଓ ହର୍ଷକୁ ପରିତ୍ୟାଗ କରିଅଛନ୍ତି, ଏପରି ବିନୀତ ବ୍ରାହ୍ମଣ ଓ ତପସ୍ୱୀମାନଙ୍କର ବାସସ୍ଥାନ । ୪୬ । ଏଠାରେ ଧନୁରେ କିଛି କାର୍ଯ୍ୟ ନାହିଁ ଓ କାହାରି ସହିତ ଏଠାରେ ସଂଗ୍ରାମ ହେବାର ନୁହେଁ । ହେ ତାତ ! ତୁମ୍ଭେ ଏହି ଧନୁକୁ ନିକ୍ଷେପ କର । ତୁମ୍ଭେ ପରମ ଗତିକୁ ପ୍ରାପ୍ତ ହେଲ । ୪୭ । ହେ ବୀର ! ତୁମ୍ଭ ସଦୃଶ ଓଜ ଓ ତେଜରେ ଏପରି ବଳିଷ୍ଠ ପୁରୁଷ ଦେଖିବାର ନାହିଁ । ଏହିପରି ହସି ହସି ସେ ବ୍ରାହ୍ମଣ ଅର୍ଜୁନଙ୍କୁ କହିଲେ; କିନ୍ତୁ ତାହାଙ୍କୁ ଧୈର୍ଯ୍ୟରୁ ବିଚଳିତ କରିପାରିଲେ ନାହିଁ । ଅର୍ଜୁନ ଯଥାବତ୍ ଧୈର୍ଯ୍ୟ ଧରି ସ୍ଥିତ ହୋଇଥାନ୍ତି । ୪୮ ।

 

ତତ୍‍ପରେ ସେ ଦ୍ୱିଜ ପ୍ରୀତ ହୋଇ ସହାସ୍ୟ ମୁଖରେ କହିଲେ–ହେ ଅରିସୂଦନ ! ଆମ୍ଭେ ଶତ୍ରୁ; କି ବର ବରଣ କରିବ କର ! ତୁମ୍ଭର ମଙ୍ଗଳ ହେଉ । ଏହା ଶୁଣି କୁରୁବଂଶଶ୍ରେଷ୍ଠ ବୀର ଧନଞ୍ଜୟ ପ୍ରଣତ ହୋଇ କରଯୋଡ଼ି ପ୍ରତ୍ୟୁତ୍ତର ଦେଲେ । ୫୦ । ହେ ଭଗବନ ! ଆଦ୍ୟ ଆମ୍ଭେ ଆପଣଙ୍କଠାରୁ ସମସ୍ତ ଅସ୍ତ୍ର ଶିକ୍ଷା କରିବାର କାମନା କରୁଅଛୁ, ଆପଣ ଆମ୍ଭଙ୍କୁ ଏହି ବର ଦିଅନ୍ତୁ । ୫୧ । ମହେନ୍ଦ୍ର ପ୍ରୀତହୋଇ ହାସ୍ୟ ବଦନରେ ଉତ୍ତର ଦେଲେ, ହେ ଧନଞ୍ଜୟ ! ତୁମ୍ଭେ ଯେତେବେଳେ ଏଠାକୁ ଆସିଅଛ, ତେତେବେଳେ ଆଉ ତୁମ୍ଭର ଅସ୍ତ୍ରରେ କି ପ୍ରୟୋଜନ ? ୫୨ । ସମ୍ପ୍ରତି ତୁମ୍ଭେ ପରମଗତି ପ୍ରାପ୍ତ ହୋଇଅଛ; ଅତଏବ ତୁମ୍ଭେ କୌଣସି ଉତ୍ତମ ଲୋକରେ ବାସ କରିବା ନିମିତ୍ତ ପ୍ରାର୍ଥନା କର । ଏହା ଶୁଣି ସହସ୍ରାକ୍ଷଙ୍କୁ ଧନଞ୍ଜୟ କହିଲେ, । ୫୩ । “ହେ ତ୍ରିଦଶାଧିପ ! ମୁଁ ଉତ୍ତମ ଲୋକ କାମନା କରୁ ନାହିଁ କି ଦେବତ୍ୱ କାମନା କରୁ ନାହିଁ । ସୁଖବାଞ୍ଛା ଦୂରରେ ଥାଉ, ସର୍ବ ଦେବଙ୍କର ଐଶ୍ୱର୍ଯ୍ୟକୁ ମଧ୍ୟ ମୋର ଲାଳସା ନାହିଁ । ୫୦ । ମୋର ଭାଇମାନଙ୍କୁ ବନରେ ଛାଡ଼ି ଆସିଅଛି । ଯଦି ମୁଁ ବୈର ନିର୍ଯାତନା ନ କରେ, ତେବେ ଲୋକରେ ଚିରକାଳ ମୋର ଅକୀର୍ତ୍ତି ଘୋଷିତ ହେବ । ୫୫ । ସର୍ବଲୋକ ନମସ୍କୃତ ବୃତ୍ତ୍ରନିହନ୍ତା ଇନ୍ଦ୍ର ଏହା ଶ୍ରବଣ କରି ପାଣ୍ଡୁନନ୍ଦନ ଅର୍ଜୁନଙ୍କୁ ସାନ୍ତ୍ୱନା ବାକ୍ୟଦ୍ୱାରା ପ୍ରତ୍ୟୁତ୍ତର ଦେଲେ । ୫୬ । ତାତ ଶୂଳଧାରୀ ତ୍ରିନେତ୍ର ଭୂତପତି ଶିବଙ୍କୁ ତୁମ୍ଭେ ଦେଖିଲେ ଆମ୍ଭେ ସମସ୍ତ ଦିବ୍ୟ ଅସ୍ତ୍ରମାନଙ୍କୁ ତୁମ୍ଭଙ୍କୁ ପ୍ରଦାନ କରିବୁ ।”

 

ହେ କୌନ୍ତେୟ ! ତୁମ୍ଭେ ପରମେଷ୍ଠୀ ସେହି ଦେବ ଶିବଙ୍କୁ ଦର୍ଶନ କରିବାକୁ ଯତ୍ନ କର, ତାହାହେଲେ ତୁମ୍ଭେ ସିଦ୍ଧ ହୋଇ ସର୍ବ ଦ୍ରବ୍ୟ ଲାଭ କରିବ । ୫୮ । ଫାଲ୍‌ଗୁନୀକୁ ଏହିପରି କହି ଇନ୍ଦ୍ର ପୁନର୍ବାର ଅଦର୍ଶନ ହେଲେ । ଅର୍ଜୁନ ମଧ୍ୟ ସେହିଠାରେ ବସି ଯୋଗଧ୍ୟାନ ଆରମ୍ଭ କଲେ । ୫୯ ।

 

॥ ଅଧ୍ୟାୟ – ୩୮ ॥

 

ଜନ୍ମେଜୟ ବୋଇଲେ–ହେ ଭଗବନ ! ଦୀର୍ଘବାହୁ, ପୁରୁଷ-ପ୍ରବର, ଉଦାରକର୍ମା ଅର୍ଜୁନ ଯେପରି ଦିବ୍ୟାସ୍ତ୍ରମାନଙ୍କୁ ଲାଭ କଲେ ଓ ନିର୍ଭୟ ଚିତ୍ତରେ ସେହି ତେଜସ୍ୱୀ ଯେପରି ନିର୍ମନୁଷ୍ୟ ବନ ମଧ୍ୟରେ ପ୍ରବେଶ କଲେ, ତାହା ଆମ୍ଭେ ବିସ୍ତାରପୂର୍ବକ ଶ୍ରବଣ କରିବାକୁ ଇଚ୍ଛା କରୁଅଛୁ । ୨ । ହେ ବେବିତ୍ତମ ! ସେଠାରେ ରହି ସେ କି କାର୍ଯ୍ୟ କଲେ ଓ ଦେବରାଜ ଭଗବାନ ଶିବ କିପରି ତୋଷିତ ହେଲେ ? ହେ ଦ୍ୱିଜୋତ୍ତମ ! ଆପଣଙ୍କ ପ୍ରସାଦରୁ ଆମ୍ଭେ ଏହାକୁ ଶ୍ରବଣ କରିବାକୁ ଇଚ୍ଛା କରୁଅଛୁ । ଆପଣ ସର୍ବଜ୍ଞ, ଦେବ ଓ ମନୁଷ୍ୟଲୋକରେ ଯାହା ଯାହା ହେଉଅଛି, ତାହା ଆପଣଙ୍କୁ ବିଦିତ ଅଛି-। ୪ । ହେ ବ୍ରହ୍ମନ୍‌ ! ଅର୍ଜୁନ ଯୁଦ୍ଧକାରୀଙ୍କ ମଧ୍ୟରେ ଶ୍ରେଷ୍ଠ, ସଂଗ୍ରାମରେ କେହି ତାହାଙ୍କୁ ପରାସ୍ତ କରିପାରନ୍ତି ନାହିଁ । ପୂର୍ବ-କାଳରେ ସେ ମହାଦେବଙ୍କ ସହିତ ଯୁଦ୍ଧ କରିଥିଲେ, ଯେଉଁ ଅଭୟ ଓ ଅନୁପମ ଯୁଦ୍ଧର ବୃତ୍ତାନ୍ତ ଶ୍ରବଣ କଲେ ଲୋକେ ରୋମାଞ୍ଚିତ ହୁଅନ୍ତି ଓ ପାଣ୍ଡବମାନଙ୍କର ମଧ୍ୟ ଯେଉଁ ଯୁଦ୍ଧକଥା ଶୁଣି* ଦୈନ୍ୟ, ହର୍ଷ ଓ ବିସ୍ମୟ ହେତୁର ହୃଦୟ କମ୍ପିତ ହୋଇଥିଲା, ଅପରନ୍ତୁ ଅର୍ଜୁନ ଆଉ ଯେଉଁ ଅଲୌକିକ କାର୍ଯ୍ୟମାନ ସମ୍ପାଦନ କରିଥିଲେ, ତାହା ସମୁଦାୟ ମଧ୍ୟ ଆପଣ ଆମ୍ଭଙ୍କୁ ବୋଲିବା ହେଉନ୍ତୁ । ୭ । ଶୂର ଅର୍ଜୁନ ଯେତେ କାର୍ଯ୍ୟ କରିଅଛନ୍ତି, ତନ୍ମଧ୍ୟରୁ କୌଣସି କାର୍ଯ୍ୟ ସୁଦ୍ଧା ନିନ୍ଦନୀୟ ନୁହେଁ । ଅତଏବ ଆପଣ ତାହାଙ୍କର ସମୁଦାୟ ଚରିତ୍ର କହିବା ହେଉନ୍ତୁ । ୮-

 

[* ଯୁଦ୍ଧ କରୁଁ କରୁଁ ଅର୍ଜୁନ ଯେ ବିନଷ୍ଟ ନ ହୋଇ ଜୀବିତ ରହିଲେ, ତଜ୍ଜନିତ ପାଣ୍ଡବମାନଙ୍କ ମନରେ ଯେଉଁ ଭୀତି ଜାତ ହୋଇଥାଏ, ସେହି ମନୋବୃତ୍ତିକୁ ଦୈନ୍ୟ ବୋଲି କୁହାଯାଇଅଛି ।]

 

ବୈଶମ୍ପାୟନ ବୋଇଲେ, ହେ ତାତ ! କୁରୁଶାର୍ଦ୍ଦୂଳ, ମହାତ୍ମା ପାର୍ଥଙ୍କର ଓ ମହାଦେବଙ୍କର ଯେଉଁ ଦେହକୁ ଦେହ ଘର୍ଷଣଯୁଦ୍ଧ ହୋଇଥିଲା, ସେହି ବିଷୟର ଅଦ୍ଭୁତ ଓ ଅନୁପମ କଥା ଆମ୍ଭେ ସମ୍ୟକ୍‍ରୂପେ କହିବୁ, ତୁମ୍ଭେ ଶ୍ରବଣ କର । ୧୦ । ଅର୍ଜୁନ ମହାବଳ ମହାବାହୁ ଓ ତାହାଙ୍କର ପରାକ୍ରମର ସୀମା ନାହିଁ । ସେହି କୁରୁନନ୍ଦନ ଯୁଧିଷ୍ଠିରଙ୍କର ଆଜ୍ଞାରୁ କାର୍ଯ୍ୟସିଦ୍ଧି ନିମିତ୍ତ ସୁରେଶ୍ୱର ଇନ୍ଦ୍ରଙ୍କୁ ଓ ଦେବଦେବ ମହାଦେବଙ୍କୁ ଦର୍ଶନ କରିବା ନିମିତ୍ତ ଦିବ୍ୟଧନୁ ଓ ସୁବର୍ଣ୍ଣମୁଷ୍ଟିଯୁକ୍ତ ଖଡ଼୍‌ଗ ଘେନି ହିମାଳୟ ଶିଖରକୁ ଉଦ୍ଦେଶ୍ୟ କରି ଉତ୍ତରାଭିମୁଖରେ ଗମନ କଲେ ।

 

ହେ ରାଜନ୍‌ ! ଇନ୍ଦ୍ରଙ୍କ ସୁତ ସର୍ବଲୋକରେ ପ୍ରସିଦ୍ଧ ମହାରଥୀ । ସେ ସ୍ଥିରମନା ହୋଇ ଆପଣାକୁ ଉତ୍କୃଷ୍ଟ ତପସ୍ୟାରେ ନିୟୋଜିତ କରି କଣ୍ଟକମୟ ସେହି ଘୋର ଅରଣ୍ୟରେ ଏକାକୀ ପ୍ରବିଷ୍ଟ ହେଲେ । ୧୪ । ସେ ଅରଣ୍ୟରେ ନାନା ପ୍ରକାର ପୁଷ୍ପ ପ୍ରସ୍ଫୁଟିତ ହୋଇଅଛନ୍ତି ଓ ନାନାବିଧ ପକ୍ଷୀମାନେ ବାସ କରିଅଛନ୍ତି । ନାନାପ୍ରକାରର ପଶୁ ତହିଁରେ ପୂର୍ଣ୍ଣ ହୋଇଅଛନ୍ତି । ସିଦ୍ଧଗଣ ଓ ଚାରଣଗଣ ତହିଁରେ ଆଶ୍ରୟ କରି ରହି ଅଛନ୍ତି । ୧୫ । କୁନ୍ତୀସୁତ ଅର୍ଜୁନ ଯେତେବେଳେ ସେ ନିର୍ମନୃଷ୍ୟ ଦେଶରେ ଉପନୀତ ହେଲେ, ତେତେବେଳେ ଆକାଶରେ ଶଙ୍ଖ ଓ ପଟହ ଶବ୍ଦ ଶ୍ରୁତ ହେଲା । ୧୬ । ମହୀତଳରେ ସୁମହତ୍ ପୁଷ୍ପ ବର୍ଷଣ ହେଲା । ମେଘଖଣ୍ଡମାନ ଦୃଶ୍ୟ ହୋଇ ଆକାଶକୁ ଆଚ୍ଛନ୍ନ କଲେ । ୧୭ । ଦୁର୍ଗମ ବନମାନଙ୍କୁ ପାରହୋଇ ମହାଗିରି ହିମାଳୟର ପୃଷ୍ଠଭାଗରେ ବାସ କରି ଅର୍ଜୁନ ଶୋଭାନ୍ୱିତ ହେଲେ । ୧୮ ।

 

ସେ ଦେଖିଲେ ଯେ, ସେଠାରେ ବୃକ୍ଷମାନେ ପ୍ରଫୁଲ୍ଲିତ ହୋଇଅଛନ୍ତି ଓ ତହିଁରେ ବିହଗମାନେ ବସି ମନୋହର ନାଦ କରୁଅଛନ୍ତି । ୧୯ । ନଦୀମାନେ ତହିଁରେ ବିପୁଳ ଆବର୍ତ୍ତ ଘେନି ବୈଦୂର୍ଯ୍ୟସମ ପ୍ରଭା ପ୍ରକାଶ କରୁଅଛନ୍ତି; ହଂସ, କାରଣ୍ଡବ ଓ ସାରସ ପ୍ରଭୃତି ଜଳପକ୍ଷୀମାନେ ବିବିଧ ଗାନ କରୁଅଛନ୍ତି । ପୁଂକୋକିଳମାନଙ୍କ ନାଦରେ ଓ ବକସମୂହର ଚିତ୍କାର ଶବ୍ଦରେ ଅରଣ୍ୟ ପୂର୍ଣ୍ଣ ହୋଇଅଛି । ଏହି ମନୋହର ବନର ଶୋଭା ଓ ଶୀତ, ପବିତ୍ର ଏବଂ ନିର୍ମଳ ଜଳକୁ ବିଲୋକନ କରି ଅତିରଥ ଅର୍ଜୁନଙ୍କ ମନ ଅତିଶୟ ପ୍ରୀତ ହେଲା । ୨୧ ।

 

ଉଗ୍ରତେଜା ମହାମନା ଅର୍ଜୁନ ରମଣୀୟ ବନରେ ଥାଇ ଉଗ୍ର ତପସ୍ୟାଚରଣ କଲେ । ୨୨ । ଦଣ୍ଡ, କୌପୀନ, କୁଶ ଓ ମୃଗଚର୍ମରେ ଭୂଷିତ ହୋଇ ଭୂମିରେ ପତିତ ଶୁଷ୍କପତ୍ର ଭୋଜନ କରି ତପସ୍ୟାରେ ରତ ହେଲେ । ପ୍ରଥମ ମାସରେ ତିନି ଦିନ ଅନ୍ତେ ବାରେ ଓ ଦ୍ୱିତୀୟ ମାସରେ ଛ’ ଦିନ ଅନ୍ତେ ଓ ତୃତୀୟ ମାସରେ ଏକ ପକ୍ଷ ପରେ ବାରେ ଫଳ ଭକ୍ଷଣ କଲେ । ଚତୁର୍ଥ ମାସ ଉପନୀତ ହୁଅନ୍ତେ ମହାବାହୁ ଭରତସତ୍ତମ ଅର୍ଜୁନ ବାୟୁମାତ୍ର ଭକ୍ଷଣ କରି ରହିଲେ । ତତ୍‍ପରେ ଊର୍ଦ୍ଧ୍ୱବାହୁ ଓ ନିରାଶୟ ପାଦର ଅଙ୍ଗୁଷ୍ଠି ପରେ ନିର୍ଭର ଦେଇ ଦଣ୍ଡାୟମାନ ହେଲେ । ସର୍ବଦା ସ୍ନାନ କରିବାରେ ଅପରିମିତ ତେଜସ୍ୱୀ ଓ ମହାତ୍ମା ଅର୍ଜୁନଙ୍କର ଜଟାମାନ ବିଦ୍ୟୁତ୍‌ପ୍ରାୟ ପ୍ରଦୀପ୍ତ ଦିଶିଲେ ଓ ସରୋରୁହର ବର୍ଣ୍ଣ ପ୍ରାୟ ମନୋହର ବର୍ଣ୍ଣ ଧାରଣ କଲେ । ୨୭ । ତତ୍‍ପରେ ମହର୍ଷିମାନେ ସମସ୍ତେ ଏକତ୍ର ହୋଇ ଅର୍ଜୁନଙ୍କର କଠୋର ତପସ୍ୟା କଥା ନିବେଦନ କରିବା ନିମିତ୍ତ ପିନାକ ପାଣିଙ୍କ ନିକଟକୁ ଗମନ କଲେ । ୨୮ । ସେମାନେ ମହାଦେବଙ୍କୁ ପ୍ରଣାମ କରି ଅର୍ଜୁନଙ୍କ ଘୋର ତପସ୍ୟା ବିଷୟ ଜଣାଇଲେ । ୨୯ ।

 

ହେ ଦେବେଶ ! ମହାତେଜ ପୃଥାପୁତ୍ର ଅର୍ଜୁନ ହିମାଳୟପୃଷ୍ଠରେ ରହି ଉଗ୍ର ତପସ୍ୟା କରୁଅଛନ୍ତି । ସେ ତପସ୍ୟା ପ୍ରଭାବରୁ ଚତୁର୍ଦ୍ଦିଗରୁ ଧୂମ ଉତ୍‌ଥିତ ହୋଇଅଛି । ତାହାଙ୍କର କି ଅଭିପ୍ରାୟ, ଆମ୍ଭମାନଙ୍କୁ ଜଣା ନାହିଁ । ୩୦ । ଆମ୍ଭମାନଙ୍କୁ ସେ ସନ୍ତାପିତ କରୁଅଛନ୍ତି । ଆପଣ ତାହାଙ୍କୁ ତପସ୍ୟାରୁ ନିରସ୍ତ କରନ୍ତୁ । ଆତ୍ମାରାମ ମୁନିମାନଙ୍କର ବଚନ ଶ୍ରବଣ କରି ଭୂତପତି ଉମାପତି ଏହି ବଚନ କହିଲେ–ଅର୍ଜୁନଙ୍କ ନିମିତ୍ତ ଆପଣମାନେ ବିଷାଦ କରନ୍ତୁ ନାହିଁ । ୩୨ । ଆପଣମାନେ ଯେ ଯେଉଁଠାରୁ ଆସିଅଛନ୍ତି, ସେଠାକୁ ହୃଷ୍ଟ ହୋଇ ଗମନ କରନ୍ତୁ । ଅର୍ଜୁନଙ୍କ ମନରେ ଯେଉଁ ସଙ୍କଳ୍ପ ଅଛି, ତାହା ଆମ୍ଭଙ୍କୁ ବିଦିତ ଅଛି । ୩୩ । ତାହାଙ୍କର ସ୍ୱର୍ଗଗମନ ସ୍ପୃହା ନାହିଁ, ଐଶ୍ୱର୍ଯ୍ୟ ସ୍ପୃହା ନାହିଁ କି ଦୀର୍ଘାୟୁ କାମନା ନାହିଁ । ତାହାଙ୍କର ଯାହା କାମନା ଅଛି, ତାହାକୁ ଅଦ୍ୟ ଆମ୍ଭେ ପୂରଣ କରିବୁ । ୩୪ । ବୈଶମ୍ପାୟନ ବୋଇଲେ, ସତ୍ୟବାଦୀ ଋଷିମାନେ ମହାଦେବଙ୍କ ବଚନ ଶ୍ରବଣ କରି ପ୍ରହୃଷ୍ଟମନା ହୋଇ ନିଜ ନିଜ ଆଳୟକୁ ଗମନ କଲେ । ୩୫ ।

 

॥ ଅଧ୍ୟାୟ – ୩୯ ॥

 

ବୈଶମ୍ପାୟନ ବୋଇଲେ, ମହାମନା ତାପସମାନେ ସମସ୍ତେ ଗମନ କରନ୍ତେ, ସର୍ବପାପହର ପିନାକପାଣି ମହାଦେବ କିରାତବେଶ ଧାରଣ କରି, ଦ୍ୱିତୀୟ ବିପୁଳ ସୁମେରୁ ଗିରିସମ ଉଚ୍ଚକାୟ ଓ ଅଗ୍ନିସମ ଜ୍ୱଳତ୍ କଳେବର ହୋଇ, ଶ୍ରୀଯୁକ୍ତ ଧନୁ ଧରି ଓ ଅଶୀବିଷସମ ଶରମାନଙ୍କୁ ଘେନି ଦେହିବାନ ଦହନପ୍ରାୟ ହୋଇ ମହାବେଗରେ ଅର୍ଜୁନଙ୍କ ସାକ୍ଷାତରେ ଉପସ୍ଥିତ ହେଲେ । ୩ । ଉମାଦେବୀ ମଧ୍ୟ ମହାଦେବଙ୍କ ବେଶୋଚିତ ବେଶ ଧାରଣ କରି ବିବିଧ ବେଶଧାରୀ ଭୂତଗଣରେ ପରିବୃତ୍ତ ହୋଇ ସେଠାରେ ଉପଗତ ହେଲେ ।

 

ହେ ରାଜନ୍‌ ! ଭାରତରେ ପ୍ରଚ୍ଛନ୍ନ ହୋଇ ସହସ୍ର ସହସ୍ର ନାରୀ ମଧ୍ୟ ସେ ସ୍ଥାନକୁ ଅତ୍ୟନ୍ତ ଶୋଭାନ୍ୱିତ କଲେ । ୫ । ତତ୍କାଳରେ କ୍ଷଣେ ପର୍ଯ୍ୟନ୍ତ ସେ ସ୍ଥାନ ନିଃଶବ୍ଦ ହୋଇଗଲା । ପ୍ରସ୍ରବଣମାନଙ୍କର ଓ ପକ୍ଷୀମାନଙ୍କର ଶବ୍ଦ ଉପରତ ହେଲା । ୬ । ପୂର୍ଣ୍ଣକର୍ମା ଅର୍ଜୁନଙ୍କ ନିକଟକୁ ମହାଦେବ ଆସିଲାକ୍ଷଣି ଦନୁର ପୁତ୍ର ମୂକ ନାମକ ଗୋଟାଏ ଅସୁର ଅର୍ଜୁନଙ୍କୁ ଦେଖା ଦେଲା । ସେ ବରାହ ରୂପ ଧାରଣକରି ଅର୍ଜୁନଙ୍କୁ ବଧ କରିବାକୁ ଇଚ୍ଛା କଲା, କିନ୍ତୁ ସେ ରାକ୍ଷସ ଆକ୍ରମଣ କରିବାପୂର୍ବରୁ ଅର୍ଜୁନ ତାହାକୁ କହିଲେ । ୧୮ । ଅର୍ଜୁନ ଗାଣ୍ଡୀବ ଧନୁରେ ଗୁଣ ଦେଇ ଓ ତହିଁରେ ସର୍ପସମ ଶରମାନଙ୍କୁ ବସାଇ ଜ୍ୟାଘୋଷରେ ଦିଗମାନଙ୍କୁ କମ୍ପିତ କରି କହିଲେ, ଆମ୍ଭେ ଏଠାକୁ ଆସିଅଛୁ ସତ୍ୟ, ଆମ୍ଭେ ତୁମ୍ଭର କୌଣସି ଅପରାଧ କରି ନାହୁଁ । ଏଥିରେ ତୁମ୍ଭେ ଆମ୍ଭଙ୍କୁ ବଧ କରିବାକୁ ଇଚ୍ଛା କରିଅଛ; ଅତଏବ ତୁମ୍ଭର ଉଦ୍ୟମ ପୂର୍ବରୁ ଆମ୍ଭେ ତୁମ୍ଭଙ୍କୁ ଯମସଦନକୁ ପ୍ରେରଣ କରିବୁ ।

 

ଦ୍ରୁତଧ୍ୱନୀ ଅର୍ଜୁନଙ୍କୁ ପ୍ରହାର କରିବାର ଉଦ୍ୟତ ଦେଖି କିରାତରୂପୀ ଶଙ୍କର ଅର୍ଜୁନଙ୍କୁ ଏହା ବୋଲି ନିବାରଣ କଲେ । ୧୧ । ଇନ୍ଦ୍ରନୀଳ ପ୍ରଭାରୂପୀ ଏହି ଦାନବକୁ ଆମ୍ଭେ ଆଗରୁ ବଧିବାକୁ ଇଚ୍ଛା କରିଅଛୁ । ପରନ୍ତୁ ସେ ବଚନକୁ ଅନାଦୃତ କରି ଅର୍ଜୁନ ପ୍ରହାର କଲେ । ୧୨ । ମହାଦ୍ୟୁତି କିରାତ ମଧ୍ୟ ସେହି ଲକ୍ଷ୍ୟ ପ୍ରତି ଏକକାଳରେ ଅଗ୍ନିଶିଖା ସମାନ ଓ ପ୍ରଜ୍ୱଳିତ ବଜ୍ରତୁଲ୍ୟ କଠିନ ଗୋଟିଏ ଶର ନିକ୍ଷେପ କଲେ । ୧୩ । ସୁକାସୁରର ଶୈଳସମ କଠିନ ଦେହରେ ସେ ଦୁଇ ଶର ଏକକାଳରେ ନିପତିତ ହେଲା । ୧୪ । ମେଘନିର୍ଗତ ବଜ୍ର ଓ ଇନ୍ଦ୍ରଙ୍କର ପ୍ରହରଣ ବଜ୍ର ଏକ କାଳରେ ପର୍ବତ ପରେ ପଡ଼ିଲେ ଯେପରି ମହା ଶବ୍ଦ କରେ, ସେହିପରି ଅର୍ଜୁନଙ୍କର ଓ କିରାତରୂପୀ ମହାଦେବଙ୍କର ଶରଦ୍ୱୟ ସଂଯୋଗରେ ଭୀଷଣ ଶବ୍ଦ ଉତ୍‌ଥିତ ହେଲା । ୧୫ । ଜ୍ୱଳିତମୁଖ ସର୍ପସମ ବହୁ ସଂଖ୍ୟକ ବାଣରେ ବିଦ୍ଧ ହୋଇ ସେ ଅସୁର ନିଜର ଭୟଙ୍କର ରୂପ ଧାରଣ କରି ପ୍ରାଣତ୍ୟାଗ କଲା । ୧୬ ।

 

ତତ୍‍ପରେ ଶତ୍ରୁହନ୍ତା ଅର୍ଜୁନ ଦେଖିଲେ ଯେ, ସୁବର୍ଣ୍ଣବର୍ଣ୍ଣ ସମ ଗୋଟିଏ ପୁରୁଷ କିରାତବେଶରେ ପ୍ରଚ୍ଛନ୍ନ ହୋଇ ଅଛନ୍ତି ଓ ତାହାଙ୍କ ନିକଟରେ ଗୋଟିଏ ନାରୀ ଅଛି । ୧୭ । ତାହାଙ୍କୁ ଦେଖି ଅର୍ଜୁନ ପ୍ରୀତମନା ହୋଇ ହାସ୍ୟ ବଦନରେ ପଚାରିଲେ, ଆପଣ କିଏ ? ଏହି ଶୂନ୍ୟ ବନରେ ସ୍ତ୍ରୀଗଣଦ୍ୱାରା ବେଷ୍ଟିତ ହୋଇ ଭ୍ରମଣ କରୁଅଛନ୍ତି । ୧୮ । ହେ କାଞ୍ଚନପ୍ରଭ ! ଏହି ଘୋର ବଣରେ ଆପଣ କି ଭୟ କରୁନାହାନ୍ତି ? ଆମ୍ଭର ପରିଗ୍ରହ ଏହି ବରାହକୁ ଆପଣ କି ନିମିତ୍ତ ବିଦ୍ଧ କଲେ ? ୧୯ । ଆମ୍ଭଙ୍କୁ ମାରିବାକୁ ହେଉ ଅଥବା ସ୍ୱେଚ୍ଛାଚାରିତା ହେଉ, ଏ ରାକ୍ଷସ ଏଠାକୁ ଆସିଥିଲା ଓ ଆମ୍ଭେ ତାହାକୁ ପୂର୍ବରୁ ମାରିବାକୁ ଉଦ୍ୟତ ହୋଇଥିଲୁ । ତୁମ୍ଭେ କି ନିମିତ୍ତ ଏହାକୁ ବଧ କଲ ? ଅତଏବ ତୁମ୍ଭେ କଦାପି ଆମ୍ଭଠାରୁ ଜୀବିତାବସ୍ଥାରେ ମୁକ୍ତ ହୋଇପାରିବ ନାହିଁ । ହେ ପର୍ବତାଶ୍ରିତ, ତୁମ୍ଭେ ଅଦ୍ୟ ଆମ୍ଭ ପ୍ରତି ଯେପରି ବ୍ୟବହାର କରିଅଛ, ତାହା ମୃଗୟାର ଧର୍ମ ନୁହେଁ, ଅତଏବ ଆମ୍ଭେ ତୁମ୍ଭଙ୍କୁ ଅଦ୍ୟ ପ୍ରାଣବିମୁକ୍ତ କରିବୁ । ୨୧ ।

 

ପାଣ୍ଡବଙ୍କ ବଚନ ଶ୍ରବଣ କରି କିରାତ ହସ ହସ ହୋଇ ମଧୁର ବଚନରେ ସବ୍ୟସାଚୀଙ୍କୁ କହିଲେ । ୨୨ । ହେ ବୀର ! ଆମ୍ଭେ ବନରେ ରହିଲୁ ବୋଲି ତୁମ୍ଭେ କାହିଁକି ଭୟ କରୁଅଛ ? ତୁମ୍ଭେ ଭୟ କରନାହିଁ । ଏହି ଭୂମିରେ ଆମ୍ଭେ ସର୍ବଦା ବାସ କରୁ ଓ ଏ ଭୂମି ଆମ୍ଭର । ତୁମ୍ଭେ କି ନିମିତ୍ତ ଏଠାରେ ଏତେ କଷ୍ଟ ସହ୍ୟ କରି ବାସ କରୁଅଛ ? ହେ ତପୋଧନ ! ବହୁ ମୃଗାକୀର୍ଣ୍ଣ ଏହି ଅରଣ୍ୟରେ ଆମ୍ଭେମାନେ ସର୍ବଦା ବାସ କରୁ । ୨୨ । ଆପଣ ସୁକୁମାର, ସୁଖଭୋଗୀ ଓ ଅଗ୍ନିସମ ତେଜସ୍ୱୀ, ଏହି ଜନଶୂନ୍ୟ ପ୍ରଦେଶରେ ଆପଣ କି ନିମିତ୍ତ ଏକାକୀ ବିଚରଣ କରୁଅଛନ୍ତି ? ୨୫ । ଅର୍ଜୁନ ଉତ୍ତର ଦେଲେ, ଏହି ଗାଣ୍ଡୀବ ଧନୁକୁ ଓ ଅଗ୍ନିସମ ଶରସମୂହକୁ ଆଶ୍ରୟ କରି ଆମ୍ଭେ ଦ୍ୱିତୀୟ କାର୍ତ୍ତିକେୟଙ୍କ ସଦୃଶ ହୋଇ ଏହି ମହାରଣ୍ୟରେ ବାସ କରୁଅଛୁ । ଏହି ମହାଜନ୍ତୁ ମୃଗରୂପ ଧାରଣ କରି ଆମ୍ଭଙ୍କୁ ବଧ କରିବା ନିମତ୍ତ ଏଠାକୁ ଆସିଥିଲା; କିନ୍ତୁ ସେ ଘୋର ରାକ୍ଷସ; ସ୍ୱୟଂ ନିହତ ହେଲା । ୨୭ ।

 

କିରାତ ବୋଇଲେ, ଆମ୍ଭେ ଏହାକୁ ପୂର୍ବରୁ ଧନୁଦ୍ୱାରା ତାଡ଼ିତ କରିଥିଲୁ ଓ ବର୍ତ୍ତମାନ ଆମ୍ଭ ବାଣରେ ନିହତ ହୋଇ ଯମାଳୟକୁ ପ୍ରେରିତ ହେଲା । ୨୮ । ଆଗେ ଆମ୍ଭେ ଏହାକୁ ଲକ୍ଷ୍ୟ କରିଥିବାର ଏ ଆମ୍ଭର ପରିଗ୍ରହ ଓ ଆମ୍ଭରି ଶରପ୍ରହାରରେ ଏହାର ଜୀବନ ଯାଇଅଛି । ୨୯ । ତୁମ୍ଭେ ନିଜ ବଳରେ ଦର୍ପ କରି ନିଜର ଦୋଷକୁ ଅନ୍ୟଠାରେ ଅର୍ପଣ କରିବା ବିହିତ ନୁହେଁ । ହେ ମନ୍ଦବୁଦ୍ଧେ ! ତୁମ୍ଭେ ଅହଂକାରୀ; ଅତଏବ ତୁମ୍ଭଙ୍କୁ ଜୀବିତାବସ୍ଥାରେ ଆମ୍ଭେ ତ୍ୟାଗ କରିବୁ ନାହିଁ । ୩୦ । ତୁମ୍ଭେ ସ୍ଥିର ହୁଅ । ବଜ୍ରସମ ଶରମାନଙ୍କୁ ଆମ୍ଭେ ପ୍ରେରଣ କରିବୁ । ତୁମ୍ଭର ମଧ୍ୟ ଯେତେ ବଳ ଅଛି, ତଦନୁସାରେ ଶରମାନଙ୍କୁ ମୋଚନ କର । ୩୧ ।

 

କିରାତଙ୍କର ସେହି ବଚନ ଶ୍ରବଣ କରି ଅର୍ଜୁନ କ୍ରୁଦ୍ଧ ହୋଇ ଶର ନିକ୍ଷେପଦ୍ୱାରା ତାହାଙ୍କୁ ତାଡ଼ିତ କଲେ । ୩୨ । ତତ୍‍ପରେ ହୃଷ୍ଟ ମନରେ ଶରମାନଙ୍କୁ ଘେନି ପୁନଃ ପୁନଃ ତହିଁ ‘ମନ୍ଦରେ ମନ୍ଦ’ ବୋଲି କହିଲେ । ଏହି ମର୍ମଭେଦୀ ଶର ଓ ନାରାଚମାନଙ୍କୁ ପ୍ରହାର କର । ଏହା ଶୁଣି ଅର୍ଜୁନ ସହସା ଶର ବୃଷ୍ଟି କରିବାକୁ ଆରମ୍ଭ କଲେ । ୩୪ । ଅନନ୍ତର କିରାତ ଓ ଅର୍ଜୁନ ଦୁହେଁ କ୍ରୁଦ୍ଧ ହୋଇ ପରସ୍ପର ପ୍ରତି ବାରମ୍ବାର ଆଶୀବିଷସଦୃଶ ବାଣମାନଙ୍କୁ ନିକ୍ଷେପ କଲେ । ଅର୍ଜୁନଙ୍କ ଶରବୃଷ୍ଟିକୁ କିରାତରୂପୀ ଶଙ୍କର ପ୍ରସନ୍ନ ମନରେ ଗ୍ରହଣ କଲେ । ୩୬ । ମୁହୂର୍ତ୍ତେ ପର୍ଯ୍ୟନ୍ତ ସେହି ଶରବର୍ଷଣକୁ ପ୍ରତିଗ୍ରହ କରି ପିନାକପାଣି ଶଙ୍କର ଅକ୍ଷତ ଶରୀରରେ ଗିରି ସମ ଅଚଳ ହୋଇ ରହିଲେ । ୩୭ । ଧନଞ୍ଜୟ ନିଜର ବାଣବର୍ଷଣରୁ ବିରତ ହେବା ଦେଖି ବିସ୍ମୟାବିଷ୍ଟ ହୋଇ ସାଧୁ ସାଧୁ ବୋଲି ବୋଇଲେ । ୩୮ । ହିମାଳୟ ଶିଖରବାସୀ ଏହି ସୁକୁମାର-ଅଙ୍ଗ-ବ୍ୟକ୍ତି ଗାଣ୍ଡୀବ ନିର୍ମୁକ୍ତ ଶରମାନଙ୍କୁ ଅବିହ୍ୱଳ ହୋଇ ପ୍ରତିଗ୍ରହ କରୁଅଛି । ୩୯ । ଏ କିଏ ? ସାକ୍ଷାତ୍ ଦେବ ରୁଦ୍ର ହେବେ, କି ଯକ୍ଷ, କି ସୁର ଅସୁର ହେବେ ? ହିମାଳୟପୃଷ୍ଠରେ ପ୍ରାୟ ଦେବତାମାନଙ୍କର ସମାଗମ ହୋଇଥାଏ । ୪୦ । ପିନାକପାଣି ମହାଦେବଙ୍କ ବ୍ୟତିରେକେ ଆଉ କେହି ମୋର ନିସୃଷ୍ଟ ସହସ୍ର ସହସ୍ର ବାଣର ବେଗ ସହ୍ୟ କରିବାକୁ ସମର୍ଥ ହେବେ ନାହିଁ । ୪୧ । ଅତଏବ ଏ ବ୍ୟକ୍ତି ଯକ୍ଷ ହେଉନ୍ତୁ ଅଥବା ରୁଦ୍ରଙ୍କ ବ୍ୟତିରେକେ ଅନ୍ୟ କେହି ଦେବତା ହେଉନ୍ତୁ, ତାହାଙ୍କୁ ଅଦ୍ୟ ମୁଁ ତୀକ୍ଷ୍‌ଣ ଶରଦ୍ୱାରା ଯମସଦନକୁ ପ୍ରେରଣ କରିବ । ୪୨ ।

 

ତଦନନ୍ତର ଜିଷ୍ଣୁ ହୃଷ୍ଟମନା ହୋଇ ଭାସ୍କର କିରଣଜାଳକୁ ବିକ୍ଷିପ୍ତ କଲା ପ୍ରାୟ ଏକାବେଳକେ ସହସ୍ରଧାର ହୋଇ ଶରମାନଙ୍କୁ ବିମୋଚନ କଲେ । ୪୩ । ପର୍ବତ ଯେପରି ଶିଳାବୃଷ୍ଟିକୁ ଗ୍ରହଣ କରେ, ସେହିପରି ଲୋକଭାବନ ମହାଦେବ ଅର୍ଜୁନଙ୍କ ନିସୃଷ୍ଟ ଶରମାନଙ୍କୁ ପ୍ରସନ୍ନ ମନରେ ପ୍ରତିଗ୍ରହ କଲେ । ୪୪ । କ୍ଷଣକ ମଧ୍ୟରେ ଫାଲ୍‌ଗୁନୀଙ୍କର ସମସ୍ତ ଶର କ୍ଷୟ ହେଲା ଓ ଶରସଂକ୍ଷୟ ଦେଖି ଅର୍ଜୁନଙ୍କ ଚିତ୍ତରେ ତୀଦ୍ର ଭୟ ଜାତ ହେଲା । ୪୫ । ଯେଉଁ ହୁତାଶନ ଖଣ୍ଡବବନ ଦାବାନଳରେ ଅକ୍ଷୟ ତୂଣୀର ପ୍ରଦାନ କରିଥିଲେ, ସେହି ଅଗ୍ନିଦେବଙ୍କୁ ଅର୍ଜୁନ ଭାବନା କଲେ । ୪୬ । ଆମ୍ଭର ଶରମାନେ କ୍ଷୟପ୍ରାପ୍ତ ହେଲେ ଏବେ ଧନୁଦ୍ୱାରା କ’ଣ ପ୍ରେରଣ କରିବୁ ? ଏ ପୁରୁଷ କିଏ ? ଯେ କି ଆମ୍ଭର ସମସ୍ତ ବାଣମାନଙ୍କୁ ଗ୍ରାସ କରୁଅଛନ୍ତି । ଶୂଳାଗ୍ରରେ କୁଞ୍ଜରକୁ ବିନାଶ କଲା ପ୍ରାୟ ଧନୁଷ୍ଟୋଟିଦ୍ୱାରା ଏହାକୁ ନିହତ କରି ଦଣ୍ଡଧାରୀ ଯମଙ୍କ ସଦନକୁ ପ୍ରେରଣ କରିବୁ । ୪୪ । ଏଥି ଉତ୍ତାରୁ ମହାତେଜସ୍ୱୀ ଅର୍ଜୁନ ଗୁଣପାଶରେ ତାହାଙ୍କୁ ଆକର୍ଷଣ କରି ଧନୁଷ୍କୋଟିଦ୍ୱାରା ଓ ବଜ୍ରସମ ମୁଷ୍ଟିଦ୍ୱାରା ପୁନଃ ପୁନଃ ପ୍ରହାର କଲେ । ୪୯ ।

 

ଶତ୍ରୁଘାତୀ ଅର୍ଜୁନ ଯେତେବେଳେ ଧନୁଷ୍କୋଟିଦ୍ୱାରା ଯୁଦ୍ଧ ଆରମ୍ଭ କଲେ, ତେତେବେଳେ ସେହି କିରାତ-ବେଶଧାରୀ ମହାଦେବ ଗାଣ୍ଡୀବ ଧନୁକୁ ତାହାଙ୍କ ହସ୍ତରୁ ବଳପୂର୍ବକ ଛଡ଼ାଇନେଲେ-। ୫୦ । ଅର୍ଜୁନଙ୍କର ଧନୁକୁ ଯେତେବେଳେ ହରଣ କଲେ, ତେତେବେଳେ ସେ ଖଡ଼୍‌ଗ ଧରି ଦଣ୍ଡାୟମାନ ହେଲେ ଓ ଯୁଦ୍ଧ ଶେଷ କରିବା ଅଭିପ୍ରାୟରେ ସେ କିରାତଙ୍କ ଅଭିମୁଖକୁ ଧାବିତ ହେଲେ । ୫୧ । ଯେଉଁ ଅସିକୁ ପର୍ବତରେ ଆଘାତ କଲେ ସୁଦ୍ଧା କୁଣ୍ଠିତ ନ ହୁଏ, ସେହି ଶାଣିତ ଅସିକୁ ବିକ୍ରମପ୍ରକାଶପୂର୍ବକ କୁରୁନନ୍ଦନ ନିଜ ଭୁଜବଳଦ୍ୱାରା ତାହାଙ୍କ ମସ୍ତକରେ ପ୍ରହାର କଲେ-। ୫୨ । କିନ୍ତୁ ସେହି ଖଡ଼୍‌ଗ ସୁଦ୍ଧା କିରାତଙ୍କ ଶିର ସ୍ପର୍ଶ କଲା ମାତ୍ରେ ଛିନ୍ନ ହୋଇଗଲା । ତଦନନ୍ତର ଫାଲ୍‌ଗୁନୀ ବୃକ୍ଷ ଓ ଶିଳାମାନଙ୍କୁ ଘେନି ଯୁଦ୍ଧ କଲେ । ୫୩ । କିରାତରୂପୀ ଭଗବାନ ମହାଦେବ ମଧ୍ୟ ସେହି ବୃହତ୍ ବୃକ୍ଷ ଓ ଶିଳାପ୍ରହାରକୁ ନିଜ ଦେହରେ ସହ୍ୟ କଲେ ।

 

ତତ୍‍ପରେ ମହାବଳ ପାର୍ଥ କ୍ରୋଧଯୁକ୍ତ ମୁଖରେ ଧୂମ ଉଦ୍‌ଗିରଣ କରି କିରାତରୂପୀ ଦୁରାଧର୍ଷ ମହାଦେବଙ୍କ ଦେହରେ ବଜ୍ରସମ ମୁଷ୍ଟି ପ୍ରହାର କଲେ । ୫୫ । କିରାତରୂପୀ ମହାଦେବ ମଧ୍ୟ ଇନ୍ଦ୍ରଙ୍କ ବଜ୍ରସମ ଦାରୁଣ ମୁଷ୍ଟିଦ୍ୱାରା ଫାଲ୍‌ଗୁନୀଙ୍କୁ ପୀଡ଼ିତ କଲେ । ୫୬ । କିରାତ ଓ କୁରୁନନ୍ଦନଙ୍କ ମୁଷ୍ଟିଯୁଦ୍ଧରେ ଘୋରତର ଚଟାଚଟ ଶଦ୍ଦ ଉତ୍‌ଥିତ ହେଲା । ୫୭ । ଯେ ପ୍ରକାର ବୃତ୍ତ୍ରାସୁର ଓ ଇନ୍ଦ୍ରଙ୍କ ମଧ୍ୟରେ ଘୋରତର ଯୁଦ୍ଧ ହୋଇଥିଲା, ସେହିପରି ବଳଶାଳୀ ଅର୍ଜୁନ ନିଜ ବକ୍ଷସ୍ଥଳଦ୍ୱାରା କିରାତକୁ ଆଘାତ କଲେ ଓ ବଳଶାଳୀ କିରାତ ମଧ୍ୟ ନିଜ ବକ୍ଷଦ୍ୱାରା ଅର୍ଜୁନଙ୍କୁ ଆହତ କଲେ । ୫୯ । ଏ ଦୁଇ ବୀରଙ୍କର ଭୁଜକ୍ଷେପଣ ଓ ବକ୍ଷର ଆଘାତଦ୍ୱାରା ପରସ୍ପରର ଶରୀରରୁ ଧୂମ ସହିତ ଅଙ୍ଗାରଯୁକ୍ତ ଅଗ୍ନି ଉତ୍ପନ୍ନ ହେଲା । ୬୦ । ଅନନ୍ତର ରୋଷପରବଶ ହୋଇ ମହାଦେବ ଏପରିଭାବରେ ସ୍ୱକୀୟ ତେଜ ସହିତ ଦେହଦ୍ୱାରା ଅର୍ଜୁନଙ୍କ ଗାତ୍ରକୁ ପୀଡ଼ନ କଲେ ଯେ, ସେ ପୀଡ଼ନ ପ୍ରଭାବରେ ଅର୍ଜୁନଙ୍କର ଚୈତନ୍ୟ ବିମୋହିତ ହୋଇ ଆସିଲା ।

 

ହେ ଭାରତ ! ତତ୍‍ପରେ ଦେବଦେବଙ୍କ କର୍ତ୍ତୃକ ନିରୁଦ୍ଧ ହୋଇ ଅଙ୍ଗପ୍ରତ୍ୟଙ୍ଗ ଚାଳନାରେ ଅସମର୍ଥ ହୋଇ ସେ ପିଣ୍ଡୀକୃତ ହେଲା ପ୍ରାୟ ହେଲେ । ମହାତ୍ମା ମହାଦେବଙ୍କଦ୍ୱାରା ନିରୁଦ୍ଧ ହୁଅନ୍ତେ, ଅର୍ଜୁନ ଶ୍ୱାସଶୂନ୍ୟ ଓ ନିଶ୍ଚେଷ୍ଟ ହୋଇ ଭୂମିରେ ପଡ଼ି ଗତସତ୍ତ୍ୱ ପ୍ରାୟ ହେଲେ । ୬୩ । ପାଣ୍ଡୁନନ୍ଦନ ଏହିପରି ଅବସ୍ଥାରେ ମୁହୂର୍ତ୍ତେ ମାତ୍ର ଥିଲେ । ତତ୍‍ପରେ ରୁଧିରାକ୍ତ ଦେହରେ ପୁନର୍ବାର ଚୈତନ୍ୟ ପ୍ରାପ୍ତ ହୋଇ ଅତ୍ୟନ୍ତ ଦୁଃଖିତ ମନରେ ଭୂତଳରୁ ଉତ୍‌ଥିତ ହେଲେ । ଅତଃପର ଶରଣ-ରକ୍ଷାକାରୀ ଭଗବାନ ପିନାକପାଣି ମହାଦେବଙ୍କର ଶରଣାଗତ ହୋଇ ମୃଣ୍ମୟ ସ୍ଥଣ୍ଡିଳ ନିର୍ମାଣ କରି ତହିଁରେ ପୁଷ୍ପମାଳ ଦେଇ ମହାଦେବଙ୍କ ପୂଜା ଆରମ୍ଭ କଲେ । ପାଣ୍ଡବଶ୍ରେଷ୍ଠ ଦେଖିଲେ ଯେ, ସେହି ପୂଜାର ମାଲ୍ୟ କିରାତଙ୍କ ମସ୍ତକରେ ଅବସ୍ଥିତ ଅଛି । ଏହି ଅଭୁତ ବ୍ୟାପାର ଦେଖି ଅର୍ଜୁନ ହର୍ଷ ଓ ସ୍ୱାସ୍ଥ୍ୟଲାଭ କରି ସେହି କିରାତଙ୍କ ଚରଣତଳେ ପତିତ ହେଲେ ।

 

ଭଗବାନ ଭବ ଦେଖିଲେ ଯେ, ଅର୍ଜୁନ ବିସ୍ମୟରେ ଓ ତପସ୍ୟାରେ କ୍ଷୀଣାଙ୍ଗ ହୋଇଅଛନ୍ତି-। ଅତଏବ ଏହାଙ୍କ ପ୍ରତି ପ୍ରସନ୍ନ ହୋଇ ମେଘସଦୃଶ ଗମ୍ଭୀର ସ୍ୱରରେ ଏହିପରି କହିଲେ । ୬୭ । ଭବ ବୋଇଲେ, ହେ ଫାଲ୍‌ଗୁନୀ ! ତୁମ୍ଭର ଅପ୍ରତିମ କାର୍ଯ୍ୟଦ୍ୱାରା ଆମ୍ଭେ ପରିତୃପ୍ତ ହେଲୁ । ଧୈର୍ଯ୍ୟ ଓ ଶୌର୍ଯ୍ୟରେ ତୁମ୍ଭ ସମ ଆଉ କେହି କ୍ଷତ୍ରିୟ ନାହାନ୍ତି । ୬୮ । ହେ ଅନଘ ! ତୁମ୍ଭର ତେଜ ଓ ବୀର୍ଯ୍ୟ ଆମ୍ଭର ତେଜ ଓ ବୀର୍ଯ୍ୟର ସମାନ ଅଟେ । ହେ ମହାବାହୋ ଭରତର୍ଷଭ ! ଆମ୍ଭେ ତୁମ୍ଭଠାରେ ପ୍ରୀତ ହେଲୁ, ତୁମ୍ଭେ ଆମ୍ଭଙ୍କୁ ଚାହଁ । ହେ ବିଶାଳାକ୍ଷ ! ଆମ୍ଭେ ତୁମ୍ଭଙ୍କୁ ଦିବ୍ୟଚକ୍ଷୁ ପ୍ରଦାନ କରୁଅଛୁ । ତୁମ୍ଭେ ପ୍ରାଚୀନ ଋଷି ଅଟ । ରଣରେ ତୁମ୍ଭେ ଶତ୍ରୁମାନଙ୍କୁ ଓ ସମସ୍ତ ଦେବତାମାନଙ୍କୁ ସୁଦ୍ଧା ଜୟ କରିବ । ୭୦ । ଯେଉଁ ଅସ୍ତ୍ରକୁ ଅନ୍ୟ କେହି ବାରଣ କରିନପାରିବେ, ସେହି ଅସ୍ତ୍ରକୁ ଆମ୍ଭେ ପ୍ରୀତିପୂର୍ବକ ତୁମ୍ଭଙ୍କୁ ପ୍ରଦାନ କରିବୁ । କ୍ଷଣକ ମଧ୍ୟରେ ତୁମ୍ଭେ ଆମ୍ଭର ସେହି ଅସ୍ତ୍ରକୁ ଧାରଣ କରିବାକୁ ସମର୍ଥ ଅଟ । ୭୧ ।

 

ବୈଶମ୍ପାୟନ ବୋଇଲେ–ତଦନନ୍ତର ମହାଦେବଙ୍କୁ ଅର୍ଜୁନ ଦେଖିଲେ ଯେ ସେ କୈଳାସ ଶିଖରରେ ଉମାଙ୍କୁ ଅଙ୍କରେ ଘେନି ହସ୍ତରେ ଶୂଳଧାରଣ କରି ମହାତେଜସ୍ୱୀ ହୋଇ ବିରାଜମାନ କରିଅଛନ୍ତି । ଶତ୍ରୁପୁରଜୟୀ ଅର୍ଜୁନ ଭୂମିରେ ଜାନୁଦ୍ୱୟ ନିହିତ କରି ମସ୍ତକଦ୍ୱାରା ପ୍ରଣିପାତପୂର୍ବକ ଦେବହରଙ୍କୁ ପ୍ରସନ୍ନ କଲେ । ୭୩ । ଅର୍ଜୁନ ବୋଇଲେ, ହେ କପର୍ଦ୍ଦୀ ! ହେ ସର୍ବଦେବେଶ ! ହେ ଭବନେତ୍ରହର ! ହେ ଦେବଦେବ ! ହେ ମହାଦେବ ! ହେ ନୀଳକଣ୍ଠ ! ହେ ଜଟାଧର ! ସମସ୍ତ କାରଣ ମଧ୍ୟରେ ଆମ୍ଭେ ଆପଣଙ୍କୁ ପରମ କାରଣ ବୋଲି ଜ୍ଞାନ କରୁଅଛୁ । ଆପଣ ସବୁ ଦେବତାଙ୍କର ଗତି । ଆପଣ ତ୍ରୈମ୍ବକ ଓ ସର୍ବବ୍ୟାପକ ବୋଲି ଆମ୍ଭେ ଜାଣୁ । ହେ ଦେବ ! ଆପଣଙ୍କଠାରେ ଏହି ଦୃଶ୍ୟମାନ ସମସ୍ତ ଜଗତ୍ ଉତ୍ପନ୍ନ ହୋଇଅଛି । ୭୫ । ତିନିଲୋକରେ ଆପଣଙ୍କୁ ଜୟ କରିବାକୁ ଦେବତା, ଅସୁର ଓ ମନୁଷ୍ୟ ମଧ୍ୟରେ କେହି ନାହିଁ । ଆପଣ ବିଷ୍ଣୁରୂପୀ ଶିବ ଓ ଶିବରୂପୀ ବିଷ୍ଣୁ । ଅତଏବ ଆପଣଙ୍କୁ ନମସ୍କାର କରୁଅଛୁ । ୭୬ । ଯେଉଁ ସଂହାରମୂର୍ତ୍ତି ଧାରଣ କରି ଦକ୍ଷଯଜ୍ଞକୁ ବିନାଶ କରିଥିଲେ, ଆପଣଙ୍କର ସେହି ମୂର୍ତ୍ତିକୁ ନମସ୍କାର କରୁଅଛୁ । ଆପଣ ଲଲାଟାକ୍ଷ, ସର୍ବସ୍ୱରୂପ, ସମସ୍ତଙ୍କର ଅର୍ଚ୍ଚନୀୟ; ଅତଏବ ଆପଣଙ୍କୁ ନମସ୍କାର । ୭୭ ।

 

ହେ ଶୂଳପାଣେ ! ଆପଣ ପିନାକଧାରୀ, ସୂର୍ଯ୍ୟସ୍ୱରୂପ, ବିଶୁଦ୍ଧ ଦେହ ଓ ଆପଣ ସମସ୍ତଙ୍କର ବିଧାତା ଅଟନ୍ତି । ଆପଣଙ୍କୁ ନମସ୍କାର । ହେ ଭଗବନ ! ହେ ମହେଶ୍ୱର ! ଆପଣ ସବୁ ପ୍ରାଣୀଙ୍କ ଦେହରେ ବିଦ୍ୟମାନ ଅଛନ୍ତି । ଅତଏବ ଆପଣଙ୍କୁ ନମସ୍କାର । ୭୮ । ଆପଣ ଗଣଦେବତାଙ୍କ ଅଧିପତି, ଜଗତର କଲ୍ୟାଣକାରୀ, ସୃଷ୍ଟିର କାରଣର କାରଣ ଅଟନ୍ତି । ଆପଣ ପ୍ରକୃତି ଓ ପୁରୁଷ ଦୁହିଁଙ୍କର ଅତୀତ; ଆପଣ ସୂକ୍ଷ୍ମରୁ ସୂକ୍ଷ୍ମ; ଅତଏବ ହେ ହର ! ଆପଣଙ୍କୁ ନମସ୍କାର-। ୭୯ । ହେ ଶଙ୍କର ! ଆପଣ ମୋର ଅପରାଧକୁ କ୍ଷମା ଦିଅନ୍ତୁ । ହେ ଭଗବନ ! ଆପଣଙ୍କ ଦର୍ଶନାର୍ଥୀ ହୋଇ ମୁଁ ଏହି ମହାଗିରିକୁ ଆଗମନ କଲି । ୮୦ । ହେ ଦେବେଶ ! ଆପଣଙ୍କ ପ୍ରିୟ ଏହି ତପସ୍ୱୀମାନଙ୍କର ବାସଭୂମି ଅତି ଉତ୍ତମ ଅଟେ । ଆପଣ ସର୍ବଲୋକ ନମସ୍କୃତ ଏଠାରେ ବିରାଜିତ ଅଛନ୍ତି । ହେ ଭଗବନ ! ମୋଠାରେ ପ୍ରସନ୍ନ ହେଉନ୍ତୁ । ୮୧ । ହେ ମହାଦେବ-! ଅଜ୍ଞାନବଶରୁ ମୁଁ ଏତାଦୃଶ ଅସୀମ ସାହସ କରି ଆପଣଙ୍କ ସହିତ ଯେ ଯୁଦ୍ଧ କରିଅଛି, ତଜ୍ଜନିତ ମୋର ଅପରାଧକୁ ଆପଣ କ୍ଷମା କରନ୍ତୁ । ହେ ଶଙ୍କର ! ଅଦ୍ୟ ଆପଣଙ୍କଠାରେ ଶରଣ ପଶୁଅଛି-। ଅତଏବ ଏହି ଶରଣାଗତ ବ୍ୟକ୍ତିକୁ କ୍ଷମା ଦିଅନ୍ତୁ । ୮୨ ।

 

ବୈଶମ୍ପାୟନ ବୋଇଲେ, ମହାତେଜା ବୃଷଭଧ୍ୱଜ ଅର୍ଜୁନଙ୍କ ମନୋହର ବାହୁ, ବୃଷଧ୍ୱଜ ଭଗବାନ ହର ପୁନଶ୍ଚ ପ୍ରୀତ ମନରେ ଉଭୟ ବାହୁଦ୍ୱାରା ଅର୍ଜୁନକୁ ଆଲିଙ୍ଗନ କରି ସାନ୍ତ୍ୱନାପୂର୍ବକ ତାହାଙ୍କୁ ବୋଇଲେ । ୮୪ ।

 

॥ ଅଧ୍ୟାୟ – ୪୦ ॥

 

ବାମଦେବ ବୋଇଲେ, ତୁମ୍ଭେ ନରରୂପୀ, ପୂର୍ବ ଦେହରେ ନାରାୟଣଙ୍କର ସହାୟ ହୋଇ ବଦରିକାଶ୍ରମରେ ତୁମ୍ଭେ ଦଶ ସହସ୍ର ବର୍ଷ ବହୁ ଉଗ୍ର ତପସ୍ୟା କରିଥିଲ । ୧ । ତୁମ୍ଭେ ଓ ପୁରୁଷୋତ୍ତମ ବିଷ୍ଣୁ ଦୁହେଁ ପରମ ତେଜସ୍ୱୀ ଓ ପ୍ରଧାନ ପୁରୁଷ ଅଟ । ତୁମ୍ଭରି ତେଜରେ ଏହି ଜଗତ ଧୃତ ହୋଇଅଛି । ୨ । ହେ ପ୍ରଭୋ ! ଇନ୍ଦ୍ରଙ୍କ ଅଭିଷେକ ସମୟରେ ତୁମ୍ଭେ ଓ ନାରାୟଣ ଦୁହେଁ ମେଘସଦୃଶକାରୀ ଧନୁ ଗ୍ରହଣ କରି ଦାନବ ଗଣକୁ ଶାସନ କରିଥିଲ । ୩ । ହେ ପୁରୁଷୋତ୍ତମ ପାର୍ଥ ! ସେହି ଧନୁ ଏହି ଗାଣ୍ଡୀବ । ଏହା ତୁମ୍ଭର ହସ୍ତରେ ରହିବାର ଯୋଗ୍ୟ । ଆମ୍ଭେ ମାୟାବଲମ୍ବନ କରି ତାହାକୁ ଗ୍ରହଣ କରିଥିଲୁ । ୪ । ହେ କୁରୁନନ୍ଦନ ପାର୍ଥ ! ତୁମ୍ଭେ ଏହି ତୃଣଦ୍ୱୟ ଧରିବାର ଯୋଗ୍ୟ, ଏ ଦୁହେଁ ପୁନର୍ବାର ଅକ୍ଷୟ ହେବେ । ୫ । ହେ ପାର୍ଥ, ଆମ୍ଭେ ତୁମ୍ଭଠାରେ ପ୍ରୀତିଯୁକ୍ତ ହେଉଅଛୁ, ଆପଣ ସତ୍ୟ ପରାକ୍ରମ ଅଟନ୍ତି । ହେ ପୁରୁଷୋତ୍ତମ ! ତୁମ୍ଭର ଅଭିଳଷିତ ବରକୁ ଆମ୍ଭଠାରୁ ଗ୍ରହଣ କର । ୬ । ହେ ମାନବ ! ଶତ୍ରୁଦମନ ! ସ୍ୱର୍ଗ କି ମର୍ତ୍ତ୍ୟରେ ତୁମ୍ଭ ସମାନ କୌଣସି ପୁରୁଷ ନାହିଁ କି ତୁମ୍ଭଠାରୁ ପ୍ରଧାନ ହୋଇ କ୍ଷତ୍ରିୟ କେହି ନାହିଁ । ୭ ।

 

ଅର୍ଜୁନ ବୋଇଲେ–ଭଗବନ୍ ବୃଷଧ୍ୱଜ ! ଆପଣ ଯଦି ପ୍ରୀତିପୂର୍ବକ ମୋତେ ବର ପ୍ରଦାନ କରନ୍ତି, ତେବେ ହେ ପ୍ରଭୋ ! ବ୍ରହ୍ମଶିର ନାମକ ପାଶୁପତ ଅସ୍ତ୍ରକୁ ପ୍ରଦାନ କରନ୍ତୁ । ଯେଉଁ ଭୟଙ୍କର ଓ ପରାକ୍ରମଶାଳୀ ଅସ୍ତ୍ର ମହାଦାରୁଣ ଯୁଗାନ୍ତ କାଳରେ ସମୁଦାୟ ଜଗତ ସଂହାର କରେ । ୯ । ଯେତେବେଳେ କର୍ଣ୍ଣ, ଭୀଷ୍ମ ଓ ଦ୍ରୋଣଙ୍କ ସହିତ ମହାଯୁଦ୍ଧ ହେବ, ତେତେବେଳେ ହେ ମହାଦେବ ! ଆପଣଙ୍କ ପ୍ରସାଦରୁ ମୁଁ ସେମାନଙ୍କୁ ଜୟ କରିବି । ୧୦ । ଓ ତଦ୍ଦ୍ୱାରା ମୁଁ ଦାନବ, ରାକ୍ଷସ, ଭୂତ, ପିଶାଚ, ଗନ୍ଧର୍ବ ଓ ପନ୍ନଗମାନଙ୍କୁ ସଂଗ୍ରାମରେ ଦହନ କରିବି । ଯେଉଁ ଅସ୍ତ୍ର ମନ୍ତ୍ରିତ ହେବା ମାତ୍ରେ ସହସ୍ର ସହସ୍ର ଶୂଳ ଓ ଭୟଙ୍କର ଗଦା ଓ ଆଶୀବିଷ ସମ ଶରଜ୍ୱାଳାକୁ ସୃଜନ କରେ । ୧୨ । ଯେଉଁ ଅସ୍ତ୍ର ଘେନି ଯୁଦ୍ଧ କରିବ । ହେ ଭରତେନ୍ଦ୍ର ହର ଭଗବନ ! ଏହିଟି ମୋର ପ୍ରଥମ କାମନା ଅଟେ । ଆପଣଙ୍କ ପ୍ରସାଦରୁ ମୁଁ ସେମାନଙ୍କୁ ପରାଜିତ କରି କୃତକାର୍ଯ୍ୟ ହୋଇପାରିବି । ୧୪ । ମହାଦେବ ବୋଇଲେ–ହେ ପାଣ୍ଡବ, ମୋର ପ୍ରିୟ ସେହି ପାଶୁପତ ଅସ୍ତ୍ରକୁ ତୁମ୍ଭକୁ ଦେଲି । ସେ ଅସ୍ତ୍ରକୁ ତୁମ୍ଭେ ଧାରଣ କରିବାକୁ, ମୋଚନ କରିବାକୁ ଓ ସଂହାର କରିବାକୁ ସମର୍ଥ ଅଟ । ୧୫ । ସ୍ୱର୍ଗର ଇନ୍ଦ୍ର ସୁଦ୍ଧା ଏହି ଅସ୍ତ୍ରର ପ୍ରୟୋଗ ପ୍ରଭୃତି ଜାଣନ୍ତି ନାହିଁ । ଯମ, କୁବେର, ବରୁଣ, ବାୟୁ, ଏମାନେ ସୁଦ୍ଧା ଜାଣନ୍ତି ନାହିଁ । ମନୁଷ୍ୟ କଥା କି କହିବା ! ୧୬ ।

 

ହେ ପାର୍ଥ ! ସହସା ଏହି ଅସ୍ତ୍ରକୁ ତୁମ୍ଭେ ମନୁଷ୍ୟ ପ୍ରତି ମୋଚନ କରିବ ନାହିଁ । ଅଳ୍ପ ତେଜସ୍ୱୀଠାରେ ଏହି ଅସ୍ତ୍ର ପ୍ରହାର କଲେ ଏହା ସମସ୍ତ ଜଗତକୁ ଦହନ କରିଦେବ । ୧୭ । ମନେ ମନେ ସଂକଳ୍ପ କରି, ଚକ୍ଷୁରେ ଦର୍ଶନ କରି ମନ୍ତ୍ର ଉଚ୍ଚାରଣ ପୂର୍ବକ ଏହି ଅସ୍ତ୍ରକୁ ଧନୁରେ ସଂଯୋଜିତ ଓ ପୀଡ଼ିତ କଲେ ତ୍ରୈଲୋକ୍ୟ ମଧ୍ୟରେ ଏହାର କେହି ଅବଧ୍ୟ ରହିବେ ନାହିଁ । ୧୮ । ବୈଶାମ୍ପୟନ ବୋଇଲେ, ତାହା ଶୁଣି ପାର୍ଥ ଶୀଘ୍ର ଶୁଚି ଓ ମନୋଯୋଗୀ ହୋଇ ବିଶ୍ୱେଶ୍ୱରଙ୍କ ନିକଟବର୍ତ୍ତୀ ହେଲେ ଓ ବିନୟପୂର୍ବକ କହିଲେ, ଉପଦେଶ ଦେବା ହେଉନ୍ତୁ । ୧୯ । ଅତଃପର ମହାଦେବ ପାଣ୍ଡବଶ୍ରେଷ୍ଠ ଅର୍ଜୁନଙ୍କୁ ରହସ୍ୟ ଓ ଉପସଂହାର ସହିତ ମୂର୍ତ୍ତିମାନ ଯମଙ୍କ ସଦୃଶ ସେହି ଅସ୍ତ୍ରର ଉପଦେଶ ଦେଲେ । ୨୦ । ଉପାସନା କରୁଥିଲା; ଏବେ ପାର୍ଥଙ୍କ ଉପାସନାରେ ମଧ୍ୟ ସେହିପରି ନିଯୁକ୍ତ ରହିଲା । ପାର୍ଥ ମଧ୍ୟ ପ୍ରୀତିଯୁକ୍ତ ହୋଇ ତାହାଙ୍କୁ ଗ୍ରହଣ କଲେ । ୨୧ ।

 

ଏହି ସମୟରେ ପର୍ବତ, ବନ, ବୃକ୍ଷ, ଗ୍ରାମ, ନଗର, ଆକର, ସାଗର ଓ ତତ୍ସମୀପବର୍ତ୍ତୀ ବନଦେଶ ସହିତ ସମୁଦାୟ ପୃଥିବୀମଣ୍ଡଳ ପ୍ରକମ୍ପିତ ହେଲା । ୨୨ । ସେହି ମୁହୂର୍ତ୍ତରେ ଶଙ୍ଖ ଓ ଦୁନ୍ଦୁଭି ଶବ୍ଦ ଓ ସହସ୍ର ସହସ୍ର ଭେରୀମାନଙ୍କ ଶବ୍‌ଦ ଜାତ ହେଲା ଅଥଚ ଆକାଶରେ ମୁହୁର୍ମୁହୁଃ ନିର୍ଘାତ ଶ୍ରୁତ ହେଲା । ୨୩ । ଅନନ୍ତର ଦେବ ଓ ଦାନବମାନେ ଅପରିମିତତେଜା ଅର୍ଜୁନଙ୍କ ପାର୍ଶ୍ୱରେ ଅସ୍ତ୍ରର ଜାଜ୍ୱଲ୍ୟମାନ ମୂର୍ତ୍ତିଧାରୀ ରହିବାର ଦେଖିଲେ । ୨୪ । ଅପରିମିତତେଜା ଅର୍ଜୁନଙ୍କ ଦେହରେ ଯାହା କିଛି ଅଶୁଭ ଥିଲା, ତାହା ମହାଦେବଙ୍କ ସ୍ପର୍ଶରୁ ନାଶପ୍ରାପ୍ତ ହେଲା । ୨୫-। ତତ୍‍ପରେ ମହାଦେବ ଆଜ୍ଞା ଦେଲେ, “ତୁମ୍ଭେ ସ୍ୱର୍ଗକୁ ଗମନ କର ।”

 

ହେ ରାଜନ୍‌ ! ତାହା ଶୁଣି ଅର୍ଜୁନ କରଯୋଡ଼ି ମହାଦେବଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲେ । ୨୬ । ତତ୍‍ପରେ ଉମାକାନ୍ତ ମହାଦ୍ୟୁତି ଗିରିବାସୀ ଶିବ, ଦୈତ୍ୟ-ପିଶାଚ-ଅରି ଗାଣ୍ଡୀବ ଧନୁକୁ ପୁରୁଷଶ୍ରେଷ୍ଠ ଅର୍ଜୁନଙ୍କୁ ପ୍ରଦାନ କଲେ । ଏଥି ଉତ୍ତାରୁ ଅର୍ଜୁନ ଦେଖୁଥାନ୍ତି, ଏଣେ ମହାଦେବ ସେହି ମହର୍ଷିସେବିତ ଶୁଭ ଗିରିବରକୁ ପରିତ୍ୟାଗ କରି ଉମାଙ୍କୁ ସଙ୍ଗରେ ଘେନି ଆକାଶ-ପଥରେ ଗମନ କଲେ । ୨୮ ।

 

॥ ଅଧ୍ୟାୟ – ୪୧ ॥

 

ବୈଶମ୍ପାୟନ ବୋଇଲେ–ସୂର୍ଯ୍ୟ ଯେପରି ଲୋକମାନଙ୍କ ସମକ୍ଷରେ ଅସ୍ତଗତ ହୁଅନ୍ତି, ପିନାକପାଣି ବୃଷଧ୍ୱଜ ମଧ୍ୟ ସେହିପରି ଅର୍ଜୁନଙ୍କ ସାକ୍ଷାତରେ ଅନ୍ତର୍ହିତ ହେଲେ । ୧ । ହେ ଭାରତ-! ତତ୍‍ପରେ ପରବୀରହନ୍ତା ଅର୍ଜୁନ ଅତିଶୟ ବିସ୍ମୟାପନ୍ନ ହେଲେ । ସେ ଭାବିଲେ, ଅହୋ, ସାକ୍ଷାତ୍ ମହାଦେବଙ୍କୁ ମୁଁ ଦର୍ଶନ କଲି । ମୁଁ ଧନ୍ୟ, ତ୍ରିନେତ୍ର ହର ଯାହା ମୋଠାରେ ଅନୁଗ୍ରହ କଲେ, ବରଦାତା ପିନାକପାଣିଙ୍କ ରୂପକୁ ମୁଁ ଯାହା ଦର୍ଶନ କଲି ଓ ତାହାଙ୍କୁ ହସ୍ତରେ ସ୍ପର୍ଶ କଲି । ଏହିକ୍ଷଣି ମୁଁ ଆପଣାକୁ କୃତାର୍ଥ ଓ ପରମ ପବିତ୍ର ବୋଲି ଜ୍ଞାନ କରୁଅଛି । ମୁଁ ବୋଧ କରୁଅଛି, ଯେପରି କି ମୋର ଶତ୍ରୁମାନେ ପରାଜିତ ହେଲେ ଓ ମୋର ପ୍ରୟୋଜନ ସିଦ୍ଧ ହେଲା । ୪ ।

 

ଅପରିମିତ ତେଜସ୍ୱୀ ପୃଥାପୁତ୍ର ଏହିପରି ଭାଳୁଅଛନ୍ତି, ଏମନ୍ତ ସମୟରେ ବୈଦୂର୍ଯ୍ୟବର୍ଣ୍ଣ ଶୋଭିତ ଜଳେଶ୍ୱର ସମସ୍ତ ଜଳଜନ୍ତୁଙ୍କଦ୍ୱାରା ବେଷ୍ଟିତ ହୋଇ ସର୍ବଦିଗକୁ ଆଲୋକିତ କରି ଆଗମନ କଲେ । ୫ । ନାଗ, ନଦ, ନଦୀ, ଦୈତ୍ୟ, ସାଧ୍ୟ ଓ ଅନ୍ୟ ଦେବତାଗଣଙ୍କଦ୍ୱାରା ବେଷ୍ଟିତ ହୋଇ ଜଳଜନ୍ତୁଙ୍କ ଭର୍ତ୍ତା ସେଠାରେ ଉପଗତ ହେଲେ । ପୁନଶ୍ଚ ସୁବର୍ଣ୍ଣ କାନ୍ତିଧାରୀ କୁବେର ଦିବ୍ୟଦ୍ୟୁତିମନ୍ତ ବିମାନରେ ବସି ଯକ୍ଷମାନଙ୍କଦ୍ୱାରା ପରିବେଷ୍ଟିତ ହୋଇ ସେହିଠାରେ ଉପସ୍ଥିତ ହେଲେ । ୭ । ଅଦ୍ଭୁତ ରୂପଧାରୀ ଧନମାନଙ୍କର ଈଶ୍ୱର ଆକାଶକୁ ଆଲୋକିତ କରି ଅର୍ଜୁନଙ୍କୁ ଦର୍ଶନ କରିବା ନିମିତ୍ତ ସେଠାରେ ଆଗତ ହେଲେ । ୮ । ଆହୁରି ପ୍ରାଣୀମାନଙ୍କର ଅନ୍ତକାରୀ ପ୍ରତାପଶାଳୀ ଶ୍ରୀମାନ୍ ଯମ ସାକ୍ଷାତ୍ ଉପସ୍ଥିତ ହେଲେ । ଅମୂର୍ତ୍ତିମାନ୍ ପିତୃଗଣ ମୂର୍ତ୍ତିଧର ହୋଇ ଅଚିନ୍ତ୍ୟରୂପ ସୂର୍ଯ୍ୟତନୟ ସର୍ବଭୂତ ବିନାଶକାରୀ ଦଣ୍ଡପାଣିଙ୍କ ବିମାନକୁ ବେଷ୍ଟନ କରି ଆଗତ ହେଲେ । ୧୦ । ଆଗମନ ସମୟରେ ସ୍ୱର୍ଗ, ମର୍ତ୍ତ୍ୟ, ରସାତଳ, ଗୁହ୍ୟକ ଓ ପନ୍ନଗ ଲୋକମାନେ ସେମାନଙ୍କ ତେଜରେ ଭାସିତ ହେଲେ । ଯୁଗାନ୍ତକାଳୀନ ମାର୍ତ୍ତଣ୍ଡଙ୍କ ତେଜସଦୃଶ ତେଜସ୍ୱୀ ହୋଇ ଯମ ବିରାଜିତ ହେଲେ । ୧୧ । ସେହି ମହାଗିରିର ବିଚିତ୍ର ଓ ଉଜ୍ଜ୍ୱଳ ଶିଖରଦେଶରେ ରହି ସେମାନେ ସମସ୍ତେ ତପୋବନଯୁକ୍ତ ଅର୍ଜୁନଙ୍କୁ ଦର୍ଶନ କଲେ । ୧୨ । ମୁହୂର୍ତ୍ତକ ପରେ ଐରାବତ ଶିରରେ ଇନ୍ଦ୍ରାଣୀଙ୍କ ସହିତ ଇନ୍ଦ୍ର ଆରୋହଣ କରି ସୁରଗଣଙ୍କଦ୍ୱାରା ପରିବୃତ୍ତ ହୋଇ ସମାଗତ ହେଲେ । ୧୩ । ଇନ୍ଦ୍ରଙ୍କ ମସ୍ତକ ଉପରେ ପାଣ୍ଡୁର ବର୍ଣ୍ଣ ଛତ୍ର ଧୃତ ହୋଇଥାଏ । ତହିଁରେ ସେ ଶୁଭ୍ରବର୍ଣ୍ଣ ମେଘର ମଧ୍ୟବର୍ତ୍ତୀ ନକ୍ଷତ୍ରନାଥଙ୍କ ପ୍ରାୟ ଶୋଭାନ୍ୱିତ ଦିଶୁଥାନ୍ତି । ୧୪ । ଗନ୍ଧର୍ବମାନେ ଓ ଋଷିମାନେ ତାହାଙ୍କର ସ୍ତୁତିପାଠ କରୁଥାନ୍ତି । ଏହିପରି ଭାବରେ ସେ ସୂର୍ଯ୍ୟୋଦିତ ହେଲା ପ୍ରାୟ ଗିରିଶୃଙ୍ଗରେ ଉପଗତ ହେଲେ । ୧୫ । ଅନନ୍ତର ପରମ ଧର୍ମଜ୍ଞ ଯମ ଦକ୍ଷିଣ ଦିଗରେ ଥାଇ ମେଘସମ ଗମ୍ଭୀର ସ୍ୱରରେ ଏହି ଶୁଭମୟ ବଚନକୁ ଭାଷଣ କଲେ । ୧୬ ।

 

ହେ ଅର୍ଜୁନ ! ଲୋକପାଳକମାନେ ଆମ୍ଭେ ସମସ୍ତେ ସମାଗତ ହୋଇଅଛୁ । ଆମ୍ଭମାନଙ୍କୁ ବିଲୋକନ କର । ଆପଣ ଆମ୍ଭମାନଙ୍କୁ ଦର୍ଶନ କରିବାର ଯୋଗ୍ୟ ଅଟନ୍ତି । ଅତଏବ ଆମ୍ଭେ ତୁମ୍ଭଙ୍କୁ ଦିବ୍ୟଦୃଷ୍ଟି ଦାନ କରୁଅଛୁ । ହେ ତାତ ! ତୁମ୍ଭେ ପୂର୍ବଜନ୍ମରେ ନର ନାମରେ ମହାବଳବାନ ଋଷି ଥିଲ-। ତୁମ୍ଭର ତେଜ ଅପରିମିତ । ବ୍ରହ୍ମାଙ୍କ ନିଯୋଗରୁ ତୁମ୍ଭେ ମର୍ତ୍ତ୍ୟଲୋକରେ ଜନ୍ମଗ୍ରହଣ କରିଅଛ-। ୧୮ । ହେ ନିଷ୍ପାପ ! ହେ ପରମଧାର୍ମିକ ମହାବୀର୍ଯ୍ୟଶାଳୀ ବତ୍ସସନ୍ତାନ ! ତୁମ୍ଭର ପିତାମହ ଭୀଷ୍ମଙ୍କ ରକ୍ଷିତ କ୍ଷତ୍ରିୟମାନଙ୍କୁ ରଣରେ ତୁମ୍ଭେ ଜୟ କରିବ । ୧୯ । ଭରଦ୍ୱାଜଙ୍କ ରକ୍ଷିତ ଅଗ୍ନିତୁଲ୍ୟ ଦୁସ୍ପୃଶ୍ୟ କ୍ଷତ୍ରିୟମାନଙ୍କୁ ଓ ଯେଉଁ ମହାବୀର୍ଯ୍ୟ ଦାନବମାନେ ମନୁଷ୍ୟ ଜନ୍ମଗ୍ରହଣ କରିଅଛନ୍ତି,ସେମାନଙ୍କୁ ତୁମ୍ଭେ ପରାଜିତ କରିବ । ୨୦ । ହେ କୁରୁନନ୍ଦନ, ଧନଞ୍ଜୟ ! ନିବାତ, କବଚ ପ୍ରଭୃତି ଦାନବମାନେ ଅଥଚ ଆମ୍ଭ ପିତାଙ୍କ ଅଂଶରୁ ଜାତ ସର୍ବଲୋକ-ପ୍ରତାପୀ ମହାବୀର୍ଯ୍ୟ କର୍ଣ୍ଣ ମଧ୍ୟ ତୁମ୍ଭର ବଧ୍ୟ ହେବେ-। ୨୧ । ହେ ଅରିସୂଦନ ! ଆଉ ଯେତେ ପ୍ରାଣୀ ଦେବଦାନବଙ୍କ ଅଂଶରୁ ମନୁଷ୍ୟଲୋକରେ ଜନ୍ମିଅଛନ୍ତି, ସେମାନେ ମଧ୍ୟ ରଣରେ ତୁମ୍ଭଦ୍ୱାରା ନିହତ ହୋଇ ନିଜ ନିଜ କର୍ମଫଳ ଅନୁସାରେ ଗତି ଲାଭ କରିବେ । ୨୩ । ହେ ଫାଲ୍‌ଗୁନୀ ! ଲୋକରେ ତୁମ୍ଭର କୀର୍ତ୍ତି ଅକ୍ଷୟ ହୋଇ ରହିବ । ସାକ୍ଷାତ୍ ମହାଦେବଙ୍କୁ ତୁମ୍ଭେ ମହାଯୁଦ୍ଧରେ ପରିତୁଷ୍ଟ କଲ । ୨୪ । ବିଷ୍ଣୁଙ୍କ ସଙ୍ଗରେ ତୁମ୍ଭେ ଏହି ବସୁମତୀକୁ ଉଶ୍ୱାସ କରିବ । ହେ ମହାବାହୋ ! ଆମ୍ଭଠାରୁ ତୁମ୍ଭେ ଏହି ଅସ୍ତ୍ରକୁ ଗ୍ରହଣ କର । ଏହି ଦଣ୍ଡକୁ କେହି ବାରଣ କରିପାରିବେ ନାହିଁ । ଏହାଦ୍ୱାରା ତୁମ୍ଭେ ସୁମହତ କର୍ମମାନ ନିଷ୍ପନ୍ନ କରିବ । ୨୫ ।

 

ବୈଶମ୍ପାୟନ ବୋଇଲେ, ହେ କୁରୁନନ୍ଦନ ! ପାର୍ଥ ସେ ଅସ୍ତ୍ରକୁ ବିଧିପୂର୍ବକ ଗ୍ରହଣ କଲେ । ଯେପରି ତାହାକୁ ମନ୍ତ୍ର ସହିତ ପ୍ରୟୋଗ ଓ ସଂହାର କରିବାକୁ ହେବ, ତାହା ମଧ୍ୟ ଶିକ୍ଷା କଲେ । ୨୬ । ତତ୍‍ପରେ ଜଳଧର ସଦୃଶ ଶ୍ୟାମଳବର୍ଣ୍ଣ ଜଳଜନ୍ତୁଙ୍କର ଅଧିପତି ପ୍ରଭୁ ବରୁଣ ପଶ୍ଚିମ ଦିଗରେ ଥାଇ ଏହି ବଚନ ଉଚ୍ଚାରଣ କଲେ, ହେ ପାର୍ଥ ! ତୁମ୍ଭେ କ୍ଷତ୍ରିୟମାନଙ୍କର ମୁଖ୍ୟ ! କ୍ଷାତ୍ରଧର୍ମକୁ ତୁମ୍ଭେ ପରିପାଳନ କରୁଅଛ । ତୁମ୍ଭର ବିଶାଳ ଓ ଆରକ୍ତ ବର୍ଣ୍ଣ ଚକ୍ଷୁଦ୍ୱାରା ଆମ୍ଭଙ୍କୁ ବିଲୋକନ କର । ଆମ୍ଭେ ଜଳମାନଙ୍କର ଅଧିପତି ବରୁଣ । ୨୮ । ଆମ୍ଭର ସମୁଦ୍ୟତ ଏହି ବରୁଣ ପାଶକୁ ପ୍ରତିଗ୍ରହ କର । ଏ ପାଶ ଅନିବାରିତ । ହେ କୁନ୍ତୀସୁତ ! ଏହାର ପ୍ରୟୋଗ ଓ ନିବର୍ତ୍ତନ ମଧ୍ୟ ଶିକ୍ଷା କର । ୨୯ ।

 

ହେ ବୀର ! ତାରକାସୁର ସଂଗ୍ରାମରେ ଆପଣ ସହସ୍ର ସହସ୍ର ବିପୁଳ ବଳଶାଳୀ ଦାନବଙ୍କୁ ସଂଯତ କରିଥିଲେ । ୩୦ । ହେ ମହାବଳ ! ଆମ୍ଭ ପ୍ରସାଦରୁ ଏ ପାଶମାନଙ୍କୁ ଗ୍ରହଣ କରି ଏଥିରେ ବଧ ହୋଇଥିଲେ ସ୍ୱୟଂ ଅନ୍ତକ ମଧ୍ୟ ମୁକ୍ତ ହୋଇ ପାରିବେ ନାହିଁ । ୩୧ । ଏହି ପାଶମାନଙ୍କୁ ଘେନି ତୁମ୍ଭେ ସଂଗ୍ରାମରେ ବିଚରଣ କଲେ ଭୂମି ନିଶ୍ଚୟ ନିକ୍ଷତ୍ରିୟ ହେବ, ଏଥିରେ କିଛି ମାତ୍ର ସନ୍ଦେହ ନାହିଁ-। ୩୨ । ବୈଶମ୍ପାୟନ ବୋଇଲେ, କୈଳାସବାସୀ, ଧନାଧ୍ୟକ୍ଷ କୁବେର, ବରୁଣ ଓ ଯମ ଦିବ୍ୟଅସ୍ତ୍ରମାନଙ୍କୁ ପ୍ରଦାନ କଲା ପରେ, ହେ ମହାବଳ ପ୍ରାଜ୍ଞ ପଣ୍ଡୁସୁତ ! ଆମ୍ଭେ ମଧ୍ୟ ତୁମ୍ଭଠାରେ ପ୍ରୀତ ହେଲୁ । ଶ୍ରୀକୃଷ୍ଣଙ୍କ ସହିତ ସାକ୍ଷାତ୍ ହେଲେ ଆମ୍ଭେ ଯେପରି ପ୍ରୀତ ହେଉ, ତୁମ୍ଭଠାରେ ସାକ୍ଷାତ୍ ହେବାରୁ ଆମ୍ଭର ତାଦୃଶ ପ୍ରୀତି ହେଲା । ୨୪ ।

 

ହେ ସବ୍ୟସାଚିନ୍‌ ! ହେ ମହାବାହୋ ! ନାରାୟଣଙ୍କର ତୁମ୍ଭେ ସଖା ! ପୂର୍ବକାଳରେ ତୁମ୍ଭେ ଆମ୍ଭମାନଙ୍କ ସହିତ ନିରନ୍ତର ତପସ୍ୟା କରି ଶ୍ରାନ୍ତ ହୋଇଥିଲ । ୩୫ । ହେ ନରଶ୍ରେଷ୍ଠ ! ତୁମ୍ଭେ ଆପଣାକୁ ଚିହ୍ନିପାରିବ ବୋଲି ଆମ୍ଭେ ତୁମ୍ଭକୁ ଏହି ଦିବ୍ୟ ଆଦେଶ କରୁଅଛୁ । ଦୁର୍ଜୟ ଅମାନୁଷ ଶତ୍ରୁକୁ ସୁଦ୍ଧା ତୁମ୍ଭେ ଜୟ କରିବ । ଏହି ଅତି ଉତ୍ତମ ଅସ୍ତ୍ରକୁ ତୁମ୍ଭେ ଆମ୍ଭଠାରୁ ଗ୍ରହଣ କର । ଏହାଦ୍ୱାରା ତୁମ୍ଭେ ଧୃତରାଷ୍ଟ୍ର ପୁତ୍ରଙ୍କର ସେନାମାନଙ୍କୁ ଦହନ କରିବ । ୩୭ । ଏହି ହେତୁରୁ ଆମ୍ଭର ପ୍ରିୟ ଏହି ଅନ୍ତର୍ଦ୍ଧାନ ଅସ୍ତ୍ରକୁ ପ୍ରତିଗ୍ରହ କର । ଏହି ଅସ୍ତ୍ରଦ୍ୱାରା ତୁମ୍ଭ ଶତ୍ରୁଙ୍କର ମୋହ ଜାତ ହେବ । ସେମାନେ ମୋହିତ ହୋଇ ଭୂମିରେ ପତିତ ହେବେ । ଏତଦ୍ଦ୍ୱାରା ତୁମ୍ଭର ଓଜ, ତେଜ ଓ ଦ୍ୟୁତି ବର୍ଦ୍ଧିତ ହେବ । ୩୮ । ଯେଉଁ କାଳରେ ମହାତ୍ମା ଶଙ୍କର ତ୍ରିପୁରାସୁରକୁ ନିହତ କଲେ, ତେତେବେଳେ ସେ ଏହି ଅସ୍ତ୍ରକୁ ପ୍ରୟୋଗ କରିଥିଲେ ଯେ, ଏତଦ୍ଦ୍ୱାରା ମହାମହା ଅସୁରମାନେ ଦଗ୍ଧ ହୋଇଗଲେ । ୩୯ । ହେ ସତ୍ୟ ପରାକ୍ରମ ! ଆମ୍ଭେ ତୁମ୍ଭଙ୍କୁ ଏହାକୁ ଅର୍ପଣ କରିଦେଲୁ । ସୁମେରୁସଦୃଶ ତୁମ୍ଭର ଗୌରବ; ଅତଏବ ତୁମ୍ଭେ ଏହାକୁ ଧରିବାର ଯୋଗ୍ୟ ପାତ୍ର । ତଦନନ୍ତର କୁରୁନନ୍ଦନ ମହାବାହୁ ଅର୍ଜୁନ ବିଧିପୂର୍ବକ ସେହି କୌବେର ନାମକ ଦିବ୍ୟ ଅସ୍ତ୍ରକୁ ପ୍ରତିଗ୍ରହ କଲେ । ୪୧ ।

 

ତଦନନ୍ତର ପୁଣ୍ୟକାରୀ ପୃଥାପୁତ୍ରଙ୍କୁ ଦେବରାଜ ଇନ୍ଦ୍ର ମଧୁର ବାକ୍ୟଦ୍ୱାରା ସାନ୍ତ୍ୱନା ଦେଇ ମେଘସମ ଗମ୍ଭୀର ସ୍ୱରରେ ବୋଇଲେ । ୪୨ । ହେ କୁନ୍ତୀନନ୍ଦନ, ମହାବାହୋ ! ତୁମ୍ଭେ ପୂର୍ବେ ଈଶାନ ଥିଲ । ତପସ୍ୟାଦ୍ୱାରା ତୁମ୍ଭେ ପରମସିଦ୍ଧି ପ୍ରାପ୍ତ ହୋଇ ଦେବତ୍ୱ ଗତିକୁ ଲାଭ କରିଥିଲ । ୪୩ । ହେ ଶତ୍ରୁସୂଦନ ! ତୁମ୍ଭେ ଦେବତାମାନଙ୍କର ସୁମହତ୍ କାର୍ଯ୍ୟ କରିବ । ହେ ମହାଦ୍ୟୁତେ ! ତୁମ୍ଭେ ସଜ୍ଜୀଭୂତ ହୁଅ । ସ୍ୱର୍ଗକୁ ଆରୋହଣ କରିବ । ୪୪ । ତୁମ୍ଭନିମିତ୍ତ ମାତଳି ରଥ ସଂଯୁକ୍ତ କରି ପୃଥିବୀକୁ ଆଗମନ କରିବେ । ହେ କୌରବ ! ସେହିଠାରେ ଆମ୍ଭେ ତୁମ୍ଭଙ୍କୁ ଦିବ୍ୟାସ୍ତ୍ରମାନ ପ୍ରଦାନ କରିବୁ । ୪୫ । କୁନ୍ତୀସୁତ ଧନଞ୍ଜୟ ସେହି ଲୋକପାଳମାନଙ୍କୁ ଗିରିମୁର୍ଦ୍ଧାରେ ଏକତ୍ର ହେବାର ଦେଖି ଅତିଶୟ ବିସ୍ମିତ ହେଲେ । ୪୬ ।

 

ତତ୍‍ପରେ ମହାତେଜା ଅର୍ଜୁନ ସମାଗତ ଲୋକପାଳମାନଙ୍କୁ ବିଧିପୂର୍ବକ ମଧୁର ବଚନ, ପାଦ୍ୟ ଓ ଅର୍ଘ୍ୟଦ୍ୱାରା ପୂଜା କଲେ ଓ ଫଳଗୁଡ଼ିଏ ନେଇ ସେମାନଙ୍କ ଅଗ୍ରତରେ ରଖିଦେଲେ । ୪୭-। ଏହା ଉତ୍ତାରେ ସେହି ଦେବତାମାନେ ଧନଞ୍ଜୟଙ୍କୁ ମାନ୍ୟ ଦେଇ ଯଥାଗତ ଦିଗକୁ ପ୍ରତିଗମନ କଲେ । ସେମାନେ ସମସ୍ତେ ମନ ସଦୃଶ ବେଗଗାମୀ ଓ ଯେଉଁଠାକୁ ତାହାଙ୍କର ଗମନ କରିବାର ଇଚ୍ଛା ହୁଏ, ସେହିଠାକୁ ଗମନ କରନ୍ତି । ୪୮ । ତତ୍‍ପରେ ପୁରୁଷଶ୍ରେଷ୍ଠ ଅର୍ଜୁନ ଲବ୍‌ଧାସ୍ତ୍ର ହୋଇ ପରମ ସନ୍ତୋଷ ଲାଭ କଲେ ଓ ନିଜର କାମନା ପୂର୍ଣ୍ଣ ହେବାରୁ ଆପଣଙ୍କୁ କୃତାର୍ଥ ଜ୍ଞାନ କଲେ-। ୪୯ ।

 

॥ ଅଧ୍ୟାୟ – ୪୨ ॥

 

ହେ ରାଜେନ୍ଦ୍ର ! ଲୋକପାଳମାନେ ସ୍ୱ ସ୍ୱ ସ୍ଥାନକୁ ଗମନ କରନ୍ତେ, ଶତ୍ରୁନିସୂଦନ ଅର୍ଜୁନ ଇନ୍ଦ୍ରଙ୍କର ରଥକୁ ଅପେକ୍ଷା କରି ରହିଲେ । ୧ । ବୁଦ୍ଧିମାନ ଗୁଡ଼ାକେଶ ମନରେ ଚିନ୍ତା କରୁଅଛନ୍ତି, ଏମନ୍ତ ସମୟରେ ମହାପ୍ରଭୁ ମାତଳି ରଥ ଘେନି ଉପସ୍ଥିତ ହେଲେ । ଆଗମନ କାଳରେ ରଥ ପ୍ରଭାଦ୍ୱାରା ଆକାଶ ଆଲୋକିତ ହେଲା । ମେଘପାଟଳୀ ଦୁଇ ଖଣ୍ଡ ହୋଇ ବିଦାରିତ ହେଲା । ମହା ମେଘ ରବ ସଦୃଶ ନିନାଦରେ ଦଶଦିଗ ପରିପୂର୍ଣ୍ଣ ହେଲା । ୩ । ଭୟଙ୍କର ଅସୀ, ଶକ୍ତି ଓ ଗଦାସମୂହ, ଦିବ୍ୟ ପ୍ରଭାଯୁକ୍ତ ପ୍ରାସ, ମହା ପ୍ରଭାନ୍ୱିତ ବିଦ୍ୟୁତ୍ ଓ ବଜ୍ର, ଚକ୍ର ସଂଯୁକ୍ତ ଲଗୁଡ଼ନିଚୟ, ବାୟୁ ସ୍ଫୋଟ, ମହାମେଘ ସ୍ୱନ ସମ ନିର୍ଘାତ ନିକର, ମହା କାୟଧାରୀ ଜ୍ୱଳିତ ମୁଖ ଓ ସୁଦାରୁଣ ଅସଂଖ୍ୟ ନାଗମାନେ, ଶ୍ୱେତ ଗିରି ଶୃଙ୍ଗସମ ଶିଳା ସଞ୍ଚୟ ସେ ରଥରେ ରଞ୍ଜିତ ଓ ସଞ୍ଚିତ ହୋଇଥିଲେ । ୬ । ବାତ ବେଗସମ ବେଗଗାମୀ ଦଶ ସହସ୍ର ଅଶ୍ୱ ସେ ରଥକୁ ବହନ କରୁଥିଲେ ଓ ସେହି ମାୟାମୟ ରଥକୁ ଚାହିଁଲେ ଦୃଷ୍ଟି ମୋହିତ ହେଉଥିଲା । ରଥର ଉପରିଭାଗରେ କନକଭୂଷିତ ବଂଶ ଓ ତହିଁରେ ଇନ୍ଦୀବର ସଦୃଶ ଶ୍ୟାମଳ ବର୍ଣ୍ଣ ମହା ପ୍ରଭାନ୍ୱିତ ବୈଜୟନ୍ତ ନାମକ ପତାକା ପରିଶୋଭିତ ହେଉଥିଲା । ପୁନଶ୍ଚ ମହାବାହୁ ପାର୍ଥ ସେହି ରଥରେ ଦେଖିଲେ ଯେ, ଉଜ୍ଜ୍ୱଳ ସୁବର୍ଣ୍ଣାଳଙ୍କାର ମଣ୍ଡିତ ଇନ୍ଦ୍ରଙ୍କ ସାରଥି ବସିଅଛନ୍ତି । ତାହାଙ୍କୁ ଦେଖି ଅର୍ଜୁନ ବୋଧ କଲେ ଯେ, ସେହି ସେ ଦେବରାଜ ଇନ୍ଦ୍ର !

 

ଅର୍ଜୁନ ଏହିପରି ବିତର୍କ କରୁଅଛନ୍ତି, ଏମନ୍ତ ସମୟରେ ମାତଳି ଅବନତ ଓ ବିନୀତ ହୋଇ କହିଲେ, “ହେ ଶ୍ରୀମନ୍ ଇନ୍ଦ୍ରାତ୍ମଜ ! ଇନ୍ଦ୍ର ଆପଣଙ୍କୁ ଦେଖିବାକୁ ଇଚ୍ଛା କରୁଅଛନ୍ତି । ଅତଏବ ଆପଣ ତାହାଙ୍କ ପ୍ରେରିତ ଏହି ରଥରେ ବିଳମ୍ବ ନ କରି ଆରୋହଣ କରନ୍ତୁ । ଆପଣଙ୍କ ପିତା ଅମରଶ୍ରେଷ୍ଠ ଶତକ୍ରତୁ ମୋତେ ବୋଇଲେ ଯେ କୁନ୍ତୀସୁତ ଅର୍ଜୁନ ଆସିଅଛନ୍ତି । ତାହାଙ୍କୁ ଦେବତାମାନେ ଦେଖନ୍ତୁ । ୧୨ । ଅତଏବ, ଦେବ, ଋଷି, ଗନ୍ଧର୍ବ, ଅପ୍‌ସରାଗଣଙ୍କଦ୍ୱାରା ପରିବୃତ୍ତ ହୋଇ ଇନ୍ଦ୍ର ଆପଣଙ୍କୁ ଦେଖିବା ନିମିତ୍ତ ପ୍ରତୀକ୍ଷା କରୁଅଛନ୍ତି । ୧୩ । ପାକ ଶାସନଙ୍କ ଆଜ୍ଞା ହୋଇଅଛି ଯେ ଆପଣ ଏହି ଲୋକରୁ ଦେବଲୋକକୁ ଆମ୍ଭ ସହିତ ଗମନ କରନ୍ତୁ । ସେଠାରେ ଅସ୍ତ୍ରଲାଭ କରି ପୁନଶ୍ଚ ଏଠାକୁ ଆଗମନ କରିବେ” । ୧୪ ।

 

ଅର୍ଜୁନ ବୋଇଲେ, ହେ ମାତଳେ ! ଆପଣ ଶୀଘ୍ର ଏହି ଦିବ୍ୟ ରଥରେ ଆରୋହଣ କରନ୍ତୁ-। ଶହେ ଅଶ୍ୱମେଧ କରିଥିଲେ ହେଁ, ଏଥିରେ ଆରୋହଣ କରିବା ଦୁର୍ଲଭ । ୧୫ । ଅନେକ ଦକ୍ଷିଣା ଦେଇ ଅନେକ ଯାଜ୍ଞିକ ନରପତିମାନେ ଓ ଅତି ଭାଗ୍ୟବାନ ଦେବତା ଓ ଦାନବମାନେ ସୁଦ୍ଧା ଏହି ରଥରେ ଆରୋହଣ କରିବାକୁ ଅସମର୍ଥ ହୁଅନ୍ତି । ୧୬ । ଉତ୍ତମ ତପସ୍ୟା ନ କରିଥିଲେ ଏହି ଦିବ୍ୟ ମହାରଥରେ କେହି ଆରୋହଣ କରିନପାରେ । ଆରୋହଣ କରିବା ତେଣିକି ଥାଉ, ତପସ୍ୟା ନ କରିଥିଲେ ଏହାକୁ ଦର୍ଶନ କରିବାକୁ କି ସ୍ପର୍ଶ କରିବାକୁ କେହି ସମର୍ଥ ହେବେ ନାହିଁ । ୧୭ । ହେ ସାଧୋ ! ତୁମ୍ଭେ ରଥରେ ଆରୂଢ଼ ହୋଇ ଅଧିଷ୍ଠିତ ହେଲେ ଅଶ୍ୱମାନେ ସ୍ଥିର ହେବେ । ତତ୍‍ପରେ ସୁକୃତୀ ଯେପରି ସତ୍‌ପଥକୁ ପ୍ରାପ୍ତ ହୁଏ, ସେହିପରି ଆମ୍ଭେ ଏହି ରଥରେ ଆରୋହଣ କରିବୁ । ୧୮ ।

 

ବୈଶମ୍ପାୟନ କହିଲେ, ତାହାଙ୍କର ସେହି ବଚନ ଶ୍ରବଣ କରି ଇନ୍ଦ୍ର ସାରଥି ମାତଳି ଶୀଘ୍ର ରଥରେ ଆରୋହଣ କରି ରଶ୍ମିଦ୍ୱାରା ହୟମାନଙ୍କୁ ଦମନ କଲେ । ୧୯ । ତତ୍‍ପରେ କୁନ୍ତୀତନୟ ଅର୍ଜୁନ ହୃଷ୍ଟାନ୍ତଃକରଣରେ ଗଙ୍ଗାରେ ସ୍ନାନ କରି ଶୁଚିହୋଇ ଯାହା ଜପ କରିବାର ତାହା ଜପ କଲେ-। ୨୦ । ତଦନନ୍ତର ବିଧିପୂର୍ବକ ପିତୃଗଣଙ୍କୁ ପରିତୃପ୍ତ କରି ସେହି ମନ୍ଦର ପର୍ବତଙ୍କଠାରୁ ବିଦାୟ ହେବା ନିମିତ୍ତ କହିବାକୁ ଆରମ୍ଭ କଲେ । ୨୧ । ହେ ଶୈଳ ! ଯେଉଁମାନେ ସାଧୁ, ପୁଣ୍ୟଶୀଳ ମୁନି, ସ୍ୱର୍ଗକୁ ଗମନ କରିବା ନିମିତ୍ତ ଯେଉଁମାନଙ୍କର ଅଭିଳାଷ, ସେମାନଙ୍କର ତୁମ୍ଭେ ସର୍ବଦା ଆଶ୍ରୟ-। ୨୨ । ହେ ଶୈଳ ! ତୁମ୍ଭ ପ୍ରସାଦରୁ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ସ୍ୱର୍ଗକୁ ଗମନ କରି ଦେବତାମାନଙ୍କ ସହିତ ଅତି ଆନନ୍ଦରେ ବିଚରଣ କରନ୍ତି । ୨୩ । ହେ ପର୍ବତରାଜ ! ମହାଶୈଳ, ମୁନିମାନେ ତୁମ୍ଭ ଆଶ୍ରୟରେ ଥାନ୍ତି, ତୁମ୍ଭେ ତୀର୍ଥସ୍ୱରୂପ, ତୁମ୍ଭଠାରୁ ଆମ୍ଭେ ବିଦାୟ ହୋଇ ଯାଉଅଛୁ । ଯେତେଦିନ ରହିଲୁ, ତୁମ୍ଭଠାରେ ସୁଖରେ ରହିଲୁ । ତୁମ୍ଭ ଦେହରେ ଅନେକାନେକ କୁଞ୍ଚୀ, ନଦୀ, ପ୍ରସ୍ରବଣ ଓ ତୀର୍ଥମାନଙ୍କୁ ଦର୍ଶନ କଲୁ । ସୁଗନ୍ଧି ଫଳମାନଙ୍କୁ ଭକ୍ଷଣ କଲୁ । ତୁମ୍ଭ ଶରୀରରୁ ବିନିଃସୃତ ସୁଗନ୍ଧମୟ ଜଳଧାରାମାନଙ୍କର ଜଳ ପାନ କଲୁ । ୨୬ । ଅମୃତପ୍ରାୟ ସୁସ୍ୱାଦୁ ପ୍ରସ୍ରବଣର ଜଳକୁ ଆମ୍ଭେ ପାନ କଲୁ । ହେ ନଗ ! ଶିଶୁ ଯେପରି ପିତାର କ୍ରୋଡ଼ରେ ସୁଖରେ ବାସ କରେ, ସେହିପରି ହେ ପ୍ରଭୋ ! ଶୈଳରାଜ ! ତୁମ୍ଭର ମନୋହର ଅଙ୍କରେ ଆମ୍ଭେ ବାସ କଲୁ । ଅପ୍‌ସରାଗଣଙ୍କ ଗାୟନ ଓ ମୁନିଗଣଙ୍କ ବେଦଧ୍ୱନି ଶ୍ରବଣ କରି ପ୍ରୀତ ହେଲୁ । ୨୮ । ହେ ଶୈଳ ! ତୁମ୍ଭ ଦେହରେ ଯେତେ ଦିନ ରହିଲୁ, ଆମ୍ଭେ ସର୍ବଦା ସୁଖରେ ବାସ କଲୁ ।

 

ଏହି ପ୍ରକାରେ ଅର୍ଜୁନ ଶୈଳରାଜାଙ୍କୁ କହି ତାହାଙ୍କଠାରୁ ବିଦାୟ ଗ୍ରହଣ ଓ ସୂର୍ଯପ୍ରାୟ ଚତୁର୍ଦ୍ଦିଗକୁ ଆଲୋକିତ କରି ସେହି ରଥରେ ଆରୋହଣ କଲେ । ଆଦିତ୍ୟସ୍ୱରୂପ ସେହି ରଥରେ କୁରୁନନ୍ଦନ ବସି ହୃଷ୍ଟ ହୋଇ ଊର୍ଦ୍ଧ୍ୱକୁ ଉତ୍‌ଥାନ କଲେ । ମର୍ତ୍ତ୍ୟଲୋକସ୍ଥିତ ଧର୍ମଚାରୀମାନଙ୍କ ଦୃଷ୍ଟିପଥରୁ ଅତିକ୍ରାନ୍ତ ହେଲେ । ୩୧ । ଆକାଶରେ ଅଦ୍ଭୁତରୂପ ସହସ୍ର ସହସ୍ର ବିମାନମାନଙ୍କୁ ଗତାଗତ ହେଉଥିବାର ଦେଖିଲେ । ସେଠାରେ କି ଚନ୍ଦ୍ର, କି ସୂର୍ଯ୍ୟ, କି ଅଗ୍ନି କେହି ପ୍ରକାଶିତ ହେଉ ନାହାନ୍ତି । ମର୍ତ୍ତ୍ୟକୁ ଯେଉଁସବୁ ଉଜ୍ଜ୍ୱଳ ତାରାମାନେ ପରିଦୃଶ୍ୟ ହୁଅନ୍ତି, ସେହି ସବୁ ସେଠାରେ ସ୍ୱୀକୀୟ ତେଜରେ ଉଜ୍ଜ୍ୱଳ ହୋଇ ପ୍ରକାଶିତ ହୁଅନ୍ତି । ୩୩ । ଯେଉଁସବୁ ଅତି ବୃହତ୍ ପଦାର୍ଥ ଦୂରତାବଶରୁ ଏହି ପୃଥିବୀକୁ କ୍ଷୁଦ୍ର ଦୀପ ପ୍ରାୟ ଦୃଶ୍ୟ ହୁଅନ୍ତି, ସେହିମାନେ ସେଠାରେ ନିଜ ନିଜ ତେଜରେ ପ୍ରକାଶ ପାଉଅଛନ୍ତି । ୩୪ । ସଂଗ୍ରାମନିହତ ଶତଶତ ସିଦ୍ଧବୀର ରାଜର୍ଷିମାନେ ସ୍ୱ ସ୍ୱ ତପସ୍ୟାର୍ଜିତ ସୁରଲୋକକୁ ଗମନ କରୁଅଛନ୍ତି । ଅର୍ଜୁନ ଦେଖି ବିସ୍ମିତ ହେଲେ ଯେ, ନିଜ ନିଜ ପ୍ରଭାରେ ଦ୍ୟୋତିତ ହୋଇ ସୂର୍ଯ୍ୟମଣ୍ଡଳରେ ତେଜସ୍ୱୀ ସହସ୍ର ସହସ୍ର ଗନ୍ଧର୍ବ ଓ ଗୂହ୍ୟକଗଣ, ଋଷିଗଣ ଓ ଅପ୍‌ସରାଗଣ ଗମନାଗମନ କରୁଅଛନ୍ତି । ଏହା ଦେଖି ସେ ପଚାରିଲେ ଓ ମାତଳି ମଧ୍ୟ ଉତ୍ତର କଲେ ଯେ, ଏମାନେ ସୁକୃତୀ ପୁରୁଷ । ସ୍ୱକୃତ ପୁଣ୍ୟଦ୍ୱାରା ସ୍ୱ ସ୍ୱ ସ୍ଥାନରେ ଅବସ୍ଥାନ କରୁଅଛନ୍ତି । ୩୮ । ଆପଣ ଭୂତଳରେ ଥାଇ ଏହିମାନଙ୍କୁ ତାରା ସଦୃଶ ଦେଖୁଥାନ୍ତି ।

 

ତତ୍‍ପରେ ଇନ୍ଦ୍ରଙ୍କ ଦ୍ୱାରରେ ଦେଖିଲେ ଯେ, କୈଳାସ ପର୍ବତ ସମଶୁଭ୍ର ଓ ବୃହତ୍ ଚତୁର୍ଦ୍ଦନ୍ତଯୁକ୍ତ, ବିଜୟୀ, ଶୁଭଦର୍ଶନ ଐରାବତ ହସ୍ତୀ ଅଛି । ଅନନ୍ତର ରାଜୀବଲୋଚନ ପାଣ୍ଡୁନନ୍ଦନ ଅର୍ଜୁନ ସିଦ୍ଧଗତିକୁ ପ୍ରାପ୍ତ ହୋଇ ପୁଣ୍ୟଶୀଳ ରାଜାମାନଙ୍କ ସ୍ଥାନସବୁ ଅତିକ୍ରମ କଲେ । ସେହି ଯଶସ୍ୱୀ ଏହିରୂପେ ସ୍ୱର୍ଗକୁ ପରିଭ୍ରମଣ କରି ପଶ୍ଚାତ୍ ଅମରାବତୀ- ନାମ୍ନୀ ଇନ୍ଦ୍ରପୁରକୁ ବିଲୋକନ କଲେ । ୪୨ ।

 

॥ ଅଧ୍ୟାୟ – ୪୩ ॥

 

ବୈଶମ୍ପାୟନ ବୋଇଲେ, ସିଦ୍ଧ ଚାରଣଗଣସେବିତ, ସର୍ବତ୍ର କୁସୁମବିଭୂଷିତ, ପବିତ୍ର ପାଦପନିକରରେ ଶୋଭିତ ସେହି ରମଣୀୟ ପୁରୀକୁ ଅର୍ଜୁନ ଦର୍ଶନ କଲେ । ଅନନ୍ତର ସେହି ଅମରାବତୀ ମଧ୍ୟରେ ଅପ୍‌ସରାଗଣ ନିସେବିତ ନନ୍ଦନକାନନକୁ ଦେଖିଲେ । ସେ ସ୍ଥାନର ସୁଗନ୍ଧଯୁକ୍ତ କୁସୁମ ସମୂହର ସୌରଭରେ ପରିପୂରିତ ବାୟୁପ୍ରବାହ ଅର୍ଜୁନଙ୍କ ଅଙ୍ଗକୁ ସ୍ପର୍ଶ କଲା ଓ ତାହା ଶରୀରରେ ଆପଣାକୁ ଏତେ ପବିତ୍ର ବୋଧ ହେଲା ଯେହ୍ନେ ଦ୍ରୁମାନେ ତାହାଙ୍କୁ ସେ ସ୍ଥାନକୁ ଆହ୍ୱାନ କରୁଅଛନ୍ତି । ସେ ସେଠାରେ ଅପ୍‌ସରାଗଣଙ୍କ ଦିବ୍ୟ ସଙ୍ଗୀତକୁ ଶ୍ରବଣ କରିବେ । ୩ । ସେହି ସ୍ଥାନ ପୁଣ୍ୟବାନ ଲୋକଙ୍କର ପ୍ରାପ୍ତି ଯୋଗ୍ୟ, ଯେଉଁମାନେ ତପସ୍ୟା କରିନାହାନ୍ତି, ଅଗ୍ନିହୋତ୍ର କରିନାହାନ୍ତି, କି ଯୁଦ୍ଧରେ ପରାଙ୍‍ମୁଖ ହୋଇଅଛନ୍ତି । ଯେଉଁମାନେ ବ୍ରତହୀନ, ବେଦାଧ୍ୟୟନ ବିରତ, ତୀର୍ଥସ୍ଥାନବିବର୍ଜିତ, ଯଜ୍ଞ ଓ ଦାନହୀନ ଅଥଚ ଯେଉଁମାନେ ଯଜ୍ଞଘାତୀ, କ୍ଷୁଦ୍ର, ମଦ୍ୟପାନରତ, ଗୁରୁତଳ୍ପଗାମୀ, ବୃଥା ମାଂସଭୋଜୀ ଓ ଦୁରାତ୍ମା ସେମାନେ କଦାପି ସେ ସ୍ଥାନକୁ ଦର୍ଶନ କରିପାରନ୍ତି ନାହିଁ । ୬ । ଦିବ୍ୟ ଗୀତଦ୍ୱାରା ନିନାଦିତ ସେହି ନନ୍ଦନକାନନର ଶୋଭା ଦେଖୁ ଦେଖୁ ଅର୍ଜୁନ ଯାଇ ଇନ୍ଦ୍ରଙ୍କ ପ୍ରିୟ ସେହି ପୁରୀ ମଧ୍ୟରେ ପ୍ରବେଶ କଲେ ଓ ସେଠାରେ ସହସ୍ର ସହସ୍ର କାମଗାମୀ ଦେବ ବିମାନକୁ ଦେଖିଲେ । କେହି ଅବସ୍ଥିତ କରୁଅଛି ଓ କେହି ଗମନ ଅବଗମନ କରୁଅଛି, ଏହିପରି ଅୟୁତାୟୁତ ବିମାନମାନଙ୍କୁ ଅର୍ଜୁନ ବିଲୋକନ କଲେ । ୮ ।

 

ସେଠାରେ ଗନ୍ଧର୍ବ ଓ ପରୀମାନେ ତାହାଙ୍କର ସ୍ତବ ଆରମ୍ଭ କଲେ । ତାହା ଶ୍ରବଣକରି ଓ କୁସୁମ ସୌରଭ ପରିପୂରିତ ପବିତ୍ର ସମୀରଣଦ୍ୱାରା ଅନୁବିଜିତ ହୋଇ ଅର୍ଜୁନ ଆନନ୍ଦରେ ପରିପୂର୍ଣ୍ଣ ହେଲେ । ୯ । ତତ୍‍ପରେ ପୂର୍ଣ୍ଣକର୍ମା ଅର୍ଜୁନଙ୍କୁ ଦେବତା, ଗନ୍ଧର୍ବ, ସିଦ୍ଧ ଓ ପରମ ଋଷିମାନେ ହୃଷ୍ଟ ହୋଇ ସମାଦର କଲେ । ୧୦ । ଆଶୀର୍ବଚନରେ ଓ ଦିବ୍ୟ ବାଦିତ ସ୍ୱନରେ ପୂଜିତ ହୋଇ ମହାବାହୁ ଅର୍ଜୁନ ଶଙ୍ଖ ଓ ଦୁନ୍ଦୁଭିର ନାଦ ଶ୍ରବଣ କଲେ । ୧୧ । ଏହି ପ୍ରକାରେ ଚତୁର୍ଦ୍ଦିଗରୁ ସଂସ୍ତୁତ ହୋଇ ଇନ୍ଦ୍ରଙ୍କ ସୁରଗୀଥୀ ନାମକ ବିପୁଳ ନକ୍ଷତ୍ରମାର୍ଗ ପରି ଦର୍ଶନାର୍ଥ ଗମନ କଲେ । ୧୨ । ସେଠାରେ ସାଧ୍ୟଗଣ, ବିଶ୍ୱଦେବଗଣ, ରୁଦ୍ରଗଣ, ନିର୍ମଳ ବ୍ରହ୍ମର୍ଷି ସମୂହ, ଦିଲୀପ ପ୍ରଭୃତି ବହୁସଂଖ୍ୟକ ରାଜର୍ଷି ସମୂହ, ତୁମ୍ବୁରୁ ଓ ନାରଦ ଏବଂ ହାହା ଓ ହୁହୁ ଗନ୍ଧର୍ବ ଦ୍ୱୟ ଏହିପରି ସମସ୍ତଙ୍କ ସହିତ ଅରିନ୍ଦମ କୁରୁନନ୍ଦନ ବିଧିପୂର୍ବକ ସମାଗତ ହୋଇ ପରିଶେଷରେ ଦେବରାଜ ଶତକ୍ରତୁଙ୍କର ଦର୍ଶନ କଲେ । ୧୫ । ତତ୍‍ପରେ ମହାବାହୁ ପାର୍ଥ ସେହି ଦିବ୍ୟରଥରୁ ଅବତରଣ କରି ସ୍ୱକୀୟ ପିତା ଦେବେଶ ପାକଶାସନଙ୍କ ନିକଟକୁ ଗମନ କଲେ । ୧୬ ।

 

ଅର୍ଜୁନ ଦେଖିଲେ, ଦେବେନ୍ଦ୍ର ହେମଦଣ୍ଡ ସ୍ଥିତ ପାଣ୍ଡୁର ବର୍ଣ୍ଣ ଆତପତ୍ରଦ୍ୱାରା ସୁଶୋଭିତ ହୋଇଅଛନ୍ତି । ଦିବ୍ୟ ଗନ୍ଧଯୁକ୍ତ ବ୍ୟଜନ ବିଶ୍ୱାବସୁ ପ୍ରଭୃତି ଗନ୍ଧର୍ବମାନେ ସଞ୍ଚାଳିତ କରୁଅଛନ୍ତି । ବନ୍ଦୀମାନେ ଓ ଦ୍ୱିଜମୁଖ୍ୟମାନେ ଋକ୍‌, ଯଜୁ, ସାମ ବେଦୋକ୍ତ ସ୍ତୁତି ମନ୍ତ୍ରଦ୍ୱାରା ସ୍ତବ କରୁଅଛନ୍ତି । ୧୮ । ବଳବାନ କୁନ୍ତୀପୁତ୍ର ତାହାଙ୍କ ସମ୍ମୁଖକୁ ଗମନକରି ମସ୍ତକ ଅବନତ କରି ପ୍ରଣାମ କଲେ । ଇନ୍ଦ୍ର ତାହାଙ୍କୁ ନିଜର ବର୍ତ୍ତୁଳ ଓ ପୀତ ବାହୁଦ୍ୱାରା ପ୍ରତିଗ୍ରହ କଲେ । ୧୯ । ଇନ୍ଦ୍ର ତାହାଙ୍କ ହସ୍ତ ଧରି ନେଲେ । ତତ୍‍ପରେ ଦେବର୍ଷିଗଣସେବିତ ଓ ପବିତ୍ର ଇନ୍ଦ୍ରାସନରେ ନିଜ ପାର୍ଶ୍ୱରେ ତାହାଙ୍କୁ ଉପବେଶନ କରାଇଲେ । ୨୦ ।

 

ଏଥି ଉତ୍ତାରୁ ଶତ୍ରୁନିସୂଦନ ଦେବେନ୍ଦ୍ର ତାହାଙ୍କ ମସ୍ତକକୁ ଆଘ୍ରାଣ କରି ମାନ୍ୟରେ ଅବନତ ଅର୍ଜୁନକୁ ସ୍ୱକୀୟ ଅଙ୍କରେ ଆରୋପଣ କଲେ । ୨୧ । ସହସ୍ରାକ୍ଷଙ୍କ ଆଜ୍ଞାବଶରୁ ଅପରିମିତ ତେଜସ୍ୱୀ ଅର୍ଜୁନ ଦ୍ୱିତୀୟ ଇନ୍ଦ୍ରଙ୍କ ତୁଲ୍ୟ ହୋଇ ଆସନରେ ବସିଲେ । ୨୨ । ତତ୍‍ପରେ ବୃତ୍ତ୍ରଶତ୍ରୁ ଇନ୍ଦ୍ର ପୁଣ୍ୟ ଗନ୍ଧଯୁକ୍ତ କରରେ ଅର୍ଜୁନଙ୍କ ସୁନ୍ଦର ମୁଖକୁ ସ୍ପର୍ଶକରି ସାନ୍ତ୍ୱନା ଦେଲେ । ଏଥିଉତ୍ତାରୁ ସୁବର୍ଣ୍ଣ ସ୍ତମ୍ଭ ସଦୃଶ ସୁନ୍ଦର ଶରକ୍ଷେପ ଓ ଜ୍ୟାଘାତଜନିତ କଠିନ ତାହାଙ୍କର ଦୀର୍ଘବାହୁଦ୍ୱୟକୁ ବାସବ ସ୍ୱକୀୟ ବଜ୍ରଚିହ୍ନିତ କରଦ୍ୱାରା ମାର୍ଜନାକରି ଓ ସହାସ୍ୟ ମୁଖରେ ଥିରି ଥିରି ସାନ୍ତ୍ୱନା ପ୍ରଦାନ କରି ସହସ୍ର ନୟନଦ୍ୱାରା ବିଲୋକନ କରି ସୁଦ୍ଧା ପରିତୃପ୍ତ ହେଲେ ନାହିଁ । ୨୬ । ଚତୁର୍ଦ୍ଦଶୀ ତିଥିରେ ବ୍ୟୋମରେ ସୂର୍ଯ୍ୟ ଓ ଚନ୍ଦ୍ରମା ଏକତ୍ର ଉଦିତ ହେଲା ପ୍ରାୟ ଏକାସନୋପବିଷ୍ଟ ପିତାପୁତ୍ର ଦୁହେଁ ସେ ସଭାକୁ ଶୋଭିତ କଲେ । ୨୭ ।

 

ତତ୍କାଳରେ ସାମଗାନବିଶାରଦ ତୁମ୍ବୁରୁ ପ୍ରଭୃତି ଗନ୍ଧର୍ବମାନେ ପରମ ମନୋରଥ ସାମଗାଥାମାନଙ୍କୁ ଗାୟନ କଲେ । ୨୮ । ଘୃତାଚାରୀ ମେନକା, ରମ୍ଭା, ପୂର୍ବଚିତ୍ତି, ସ୍ୱୟଂପ୍ରଭା, ଉର୍ବଶୀ, ମିଶ୍ରକେଶୀ, ଦଣ୍ଡଗୌରୀ, ବରଥିନୀ, ଗୋପାଳୀ, ସହଜନ୍ୟା, କୁମ୍ଭଯୋନି, ପ୍ରଦାଗରା, ଚିତ୍ରସେନା, ଚିତ୍ରଲେଖା, ସହା, ମଧୁରସ୍ୱରା ଓ ଅନ୍ୟାନ୍ୟ ସହସ୍ର ସହସ୍ର ବିପୁଳ ନିତମ୍ବିନୀ, କମଳନୟନା ନର୍ତ୍ତକୀମାନେ ପୟୋଧର କମ୍ପନଦ୍ୱାରା ଓ କଟାକ୍ଷପାତ ଓ ହାବଭାବ ଲାଳିତ୍ୟଦ୍ୱାରା ସଭ୍ୟବୃନ୍ଦ ଓ ସିଦ୍ଧଗଣଙ୍କର ମନ, ଚିତ୍ତ ଓ ବୁଦ୍ଧିକୁ ଆକର୍ଷଣ କରି ସ୍ଥାନେ ସ୍ଥାନେ ନୃତ୍ୟ କରିବାକୁ ଆରମ୍ଭ କଲେ ।

 

॥ ଅଧ୍ୟାୟ – ୪୪ ॥

 

ବୈଶମ୍ପାୟନ ବୋଇଲେ– ତଦନନ୍ତର ଇନ୍ଦ୍ରଙ୍କ ଅଭିପ୍ରାୟାନୁସାରେ ଦେବ ଓ ଋଷିମାନେ ଉତ୍ତମ ଅର୍ଘ୍ୟ ନେଇ ଶୀଘ୍ର ପାର୍ଥଙ୍କର ପୂଜା କଲେ । ୧ । ତତ୍‍ପରେ ତାହାଙ୍କୁ ପାଦ୍ୟ ଓ ଆଚମନୀୟ ଦେଇ ଇନ୍ଦ୍ରଙ୍କ ବାସଭବନରେ ପ୍ରବେଶ କରାଇଲେ । ୨ । ଏହି ପ୍ରକାରେ ସମ୍ୟକ୍ ଆଦର ସହିତ ଜିଷ୍ଣୁ ପିତାଙ୍କ ଭବନରେ ବାସ କଲେ ଓ ସଂହାର ସହ ମହାସ୍ତ୍ରମାନଙ୍କୁ ଶିକ୍ଷା କଲେ । ୩ । ଇନ୍ଦ୍ରଙ୍କ ପ୍ରିୟ ଦୁଃସହ ବଜ୍ରାସ୍ତ, ମହା ଶବ୍ଦକାରୀ ମେଘାସ୍ତ୍ର, ମୟୂରଚିହ୍ନିତ ଅସ୍ତ୍ରମାନଙ୍କୁ ଇନ୍ଦ୍ରଙ୍କ ହସ୍ତରୁ ସେ ଶିକ୍ଷା କଲେ । ୪ । ଏହି ପ୍ରକାରେ କୁନ୍ତୀସୁତ ସମସ୍ତ ଅସ୍ତ୍ରକୁ ଶିକ୍ଷାକରି ଭାଇମାନଙ୍କୁ ମନେ କରୁଥିଲେ ହେଁ, ଇନ୍ଦ୍ରଙ୍କ ନିଯୋଗାନୁସାରେ ପଞ୍ଚବର୍ଷକାଳ ସ୍ୱର୍ଗରେ କ୍ଷେପଣ କଲେ । ୫ । ତଦନନ୍ତର ଦିନେ ଶକ୍ର ଅର୍ଜୁନଙ୍କୁ କହିଲେ, ତୁମ୍ଭେ କୃତାସ୍ତ୍ର ହେଲ, ଏବେ ଚିତ୍ରସେନଙ୍କଠାରୁ ନୃତ୍ୟଗୀତ ଶିକ୍ଷା କର । ୬ । ହେ କୌନ୍ତେୟ ! ଦେବତାଙ୍କର ବାଦ୍ୟ ମର୍ତ୍ତ୍ୟଲୋକରେ ନାହିଁ । ଏହାକୁ ତୁମ୍ଭେ ଶିକ୍ଷା କର, ତୁମ୍ଭର ଉପକାର ହେବ । ୭ ।

 

ପୁରନ୍ଦର ଚିତ୍ରସେନକୁ ତାହାଙ୍କର ସଖା କରିଦେଲେ ଓ ଏହାକୁ ତୁମ୍ଭେ ନେଇ ନୃତ୍ୟଗୀତାଦି ଶିକ୍ଷା ଦିଅ ବୋଲି କହିଲେ । ଏହା କହନ୍ତେ, ଅର୍ଜୁନ ସୁସ୍ଥ ଶରୀରରେ ତାହାଙ୍କ ସହିତ କ୍ରୀଡ଼ା କଲେ । ୮ । ସ୍ୱର୍ଗୀୟ ଗୀତ ବାଦିତ୍ର ନୃତ୍ୟ ଶିକ୍ଷାକରି ଓ କୃତାସ୍ତ୍ର ହୋଇ ସୁଦ୍ଧା ସେ, ସୁବଳପୁତ୍ର ଶକୁନୀର ଦ୍ୟୂତକ୍ରୀଡ଼ା ସ୍ମରଣକରି ତ୍ରସ୍ତ ହୋଇଥାନ୍ତି ଓ ତାହାଙ୍କ ମନରେ ସୁଖ ନ ଥାଏ । ଦୁଃଶାସନକୁ କିପରି ବଧ କରିବେ, ଏହା ସର୍ବଦା ଭାବନା କରୁଥାନ୍ତି । ନୃତ୍ୟଗୀତ ବାଦ୍ୟଦ୍ୱାରା ସମୟ ସମୟରେ ଯେଉଁ ଅତିଶୟ ଆନନ୍ଦ ଲାଭ କରୁଥାନ୍ତି, ତଦ୍ଦ୍ୱାରା କେବଳ ସେ ଗାନ୍ଧର୍ବ ବିଦ୍ୟାକୁ ଶିକ୍ଷା କରିବାକୁ ସମର୍ଥ ହୋଇଥିଲେ । ୧୦ । ଅନେକବିଧ ନୃତ୍ୟଗୀତବାଦିତ୍ର ଓ ଗୀତାର୍ଥ ଏବଂ ତାହାର ଗୁଣମାନଙ୍କୁ ଶିକ୍ଷା କରି ସୁଦ୍ଧା ଶତ୍ରୁହନ୍ତା ଅର୍ଜୁନ ଭ୍ରାତୃମାନଙ୍କୁ ଓ ଜନନୀଙ୍କୁ ସ୍ମରଣ କରି ବିଶୁଦ୍ଧ ସୁଖଲାଭ କରିବାକୁ ସମର୍ଥ ହୋଇ ନ ଥିଲେ ।

 

॥ ଅଧ୍ୟାୟ – ୪୫ ॥

 

ବୈଶମ୍ପାୟନ ବୋଇଲେ–ଅର୍ଜୁନଙ୍କ ଚକ୍ଷୁ ଉର୍ବଶୀଙ୍କ ପ୍ରତି ଆସକ୍ତ ହୋଇଥିବାର ଜାଣି ଦେବରାଜ ବାସବ ଦିନେ ଚିତ୍ରସେନକୁ ନିର୍ଜନକୁ ଡାକି କହିଲେ, ହେ ଗନ୍ଧର୍ବରାଜ ! ଅଦ୍ୟ ତୁମ୍ଭେ ମୋ ପ୍ରେରିତ ବୋଲି କହି ଅପ୍‌ସରାପ୍ରଧାନା ଉର୍ବଶୀଙ୍କୁ ଜଣାଇବ, ସେ ଯେପରି ପୁରୁଷଶ୍ରେଷ୍ଠ ଫାଲ୍‌ଗୁନୀଙ୍କୁ ସେବା କରନ୍ତି । ତୁମ୍ଭେ ଯେପରି ଆମ୍ଭ ନିଯୋଗାନୁସାରେ ଅର୍ଜୁନଙ୍କୁ ଅସ୍ତ୍ରଶିକ୍ଷା ଓ ବିଦ୍ୟାଶିକ୍ଷା ଦେଇଅଛ, ସେହିପରି ନାରୀ ସଂସର୍ଗ ବିଷୟରେ ତାହାଙ୍କୁ ନିପୁଣ କରିବ । ଏହା ଶୁଣି ବାସବଙ୍କଠାରୁ ଅନୁଜ୍ଞା ପାଇ ହେଉ ବୋଲି କହି ଅପ୍‌ସରାଙ୍କ ଶ୍ରେଷ୍ଠ ଉର୍ବଶୀଙ୍କ ନିକଟକୁ ଗମନ କଲେ । ୪ ।

 

ପରେ ଉର୍ବଶୀଙ୍କ ସହିତ ଚିତ୍ରସେନ ସାକ୍ଷାତ୍ କଲେ । ଉର୍ବଶୀ ତାହାଙ୍କ ଅଭିପ୍ରାୟ ବୁଝିପାରି ସ୍ୱାଗତ ପ୍ରଶ୍ନଦ୍ୱାରା ସମ୍ମାନିତ କଲେ । ଅନନ୍ତର ଚିତ୍ରସେନ ସୁଖରେ ଉପବିଷ୍ଟ ହେଲେ । ଉର୍ବଶୀ ମଧ୍ୟ ସୁଖରେ ବସିଲେ । ତତ୍‍ପରେ ଈଷତ୍ ହାସ୍ୟ କରି ଉର୍ବଶୀଙ୍କୁ ଚିତ୍ରସେନ କହିଲେ । ୫-। ହେ ସୁଶ୍ରୋଣି ! ସୁରଲୋକରେ ଇନ୍ଦ୍ରଙ୍କର ଏକାଧିପତ୍ୟ ଥିଲେ ହେଁ, ତୁମ୍ଭ ପ୍ରସନ୍ନତାକୁ ସେ ଅଭିନନ୍ଦନ କରନ୍ତି । ସେ ମୋତେ ପ୍ରେରଣ କରିଅଛନ୍ତି । ଏହି ନିମିତ୍ତ ଆମ୍ଭେ ଆଗମନ କରିଅଛୁ-। ୬ । ନିଜର ସହଜ ଗୁଣରେ ଯେ ଦେବ ଓ ମନୁଷ୍ୟ ଲୋକରେ ବିଖ୍ୟାତ, ଶୋଭାରେ, ବିନୟରେ ଓ ସମ୍ପ୍ରତିରେ, ବ୍ରତାଚରଣ ଓ ଇନ୍ଦ୍ରିୟ ନିଗ୍ରହରେ ଯେ ପ୍ରଖ୍ୟାତ,ଯେ ପରାକ୍ରମରେ ସମ୍ମତ ଓ ପ୍ରତିଭାଶାଳୀ ଅଟନ୍ତି, ଯେ ବିଦ୍ୟା ଓ ଐଶ୍ୱର୍ଯ୍ୟସମ୍ଭୂତ ତେଜୋଯୁକ୍ତ, ସେ କ୍ଷମାଶୀଳ ଓ ମତ୍ସରତାରହିତ, ଯେ ବେଦ ଓ ବେଦାଙ୍ଗମାନଙ୍କୁ ତଥା ଆଖ୍ୟାନମାନଙ୍କୁ ଅଧ୍ୟୟନ କରିଅଛନ୍ତି । ୮ । ଗୁରୁ ଶୁଶ୍ରୂଷା ଓ ମେଧାରେ ଯେ ଅଦ୍ୱିତୀୟ, ବ୍ରହ୍ମଚର୍ଯ୍ୟ ଦକ୍ଷତା ଅନାଳସ୍ୟ ଓ ଆରୁଣ୍ୟରେ ତ୍ରିଦିବରାଜ ଇନ୍ଦ୍ରଙ୍କ ସମାନ, ଯେ ବୃଥାଶ୍ଳାଘା କରନ୍ତି ନାହିଁ ଓ ସମ୍ମାନଦାତା ଓ ପ୍ରିୟବାଦୀ, ଯାହାଙ୍କର ଲକ୍ଷ୍ୟ ସୂକ୍ଷ୍ମ ହେଲେ ହେଁ ସ୍ଥୂଳପ୍ରାୟ ଉପଲବ୍ଧ ହୁଏ, * ଯେ ସୁହୃଦବର୍ଗଙ୍କ ପ୍ରତିପାଳନ ନିମିତ୍ତ ବିବିଧ ଅନ୍ନପାନ ବର୍ଷଣ କରନ୍ତି, ଯେ ସତ୍ୟବାଦୀ, ସର୍ବଲୋକପୂଜିତ, ସୁବକ୍ତା, ଅହଙ୍କାରଶୂନ୍ୟ, ଶରଣାଗତ ରକ୍ଷକ, ଲୋକ ମନୋହର, ସମସ୍ତଙ୍କର ପ୍ରିୟ ଓ ଯୁଦ୍ଧରେ ଅଚଳ, ଯେ ବାଞ୍ଛନୀୟ ଗୁଣସମୂହରେ ମହେନ୍ଦ୍ର ଓ ବରୁଣଙ୍କ ସଦୃଶ, ସେହି ବୀରଶ୍ରେଷ୍ଠ ଅର୍ଜୁନଙ୍କୁ ତୁମ୍ଭେ ମଧ୍ୟ ଜାଣ । ଦେବରାଜଙ୍କ ଅଭିପ୍ରାୟ ଯେ ତାଦୃଶ ଗୁଣସମ୍ପନ୍ନ ଅର୍ଜୁନ ଅଦ୍ୟ ସ୍ୱର୍ଗ ଫଳ ଲାଭ କରନ୍ତୁ । ହେ କଲ୍ୟାଣୀ ! ଇନ୍ଦ୍ରଙ୍କ ଆଜ୍ଞାନୁସାରେ ସେ ଯେପରି ଅଦ୍ୟ ତୁମ୍ଭର ଶରଣାପନ୍ନ ହୋଇ ତୁମ୍ଭର ଚରଣଯୁଗଳ ପ୍ରାପ୍ତ ହୁଅନ୍ତି, ତାହା ତୁମ୍ଭେ କର । ୧୩ ।

 

[*ଏହାର ଅର୍ଥ ଏହି ଯେ, କୌଣସି ଗୁରୁତର ବିଷୟରେ ସିଦ୍ଧାନ୍ତ କରିବାକୁ ହେଲେ ସେ ତତ୍‍କ୍ଷଣାତ ତାହାର ସିଦ୍ଧାନ୍ତ କରନ୍ତି । ଏଥିରୁ ଅନୁମିତ ହୁଏ ଯେ, ଯେ ସୂକ୍ଷ୍ମ କଥା ସେ ତାହାକୁ ସ୍ଥୂଳପ୍ରାୟ ଉପଲବ୍ଧ ହୁଏ ।]

 

ସୁନ୍ଦରୀ ଉର୍ବଶୀ ଚିତ୍ରସେନଙ୍କ ଏହି କଥା ଶ୍ରବଣକରି ଈଷଦ୍ଧାସ୍ୟ କରି ତାହାଙ୍କ ବାକ୍ୟର ସମ୍ମାନ ରକ୍ଷା କଲେ । ପ୍ରୀତଚିତ୍ତରେ ସେ କହିଲେ ହେ ସାଧୋ ! ତୁମ୍ଭେ ଆମ୍ଭ ନିକଟରେ ସେହି ପୁରୁଷଶ୍ରେଷ୍ଠ ଅର୍ଜୁନଙ୍କର ଯେଉଁ ଗୁଣାନୁବାଦ କଲ ତାହା ଶୁଣି ଆମ୍ଭ ମନ ମନ୍ମଥବାଣରେ ବ୍ୟଥିତ ହୋଇଅଛି । ଅତଏବ ଆମ୍ଭେ ତାହାଙ୍କୁ କି ନିମିତ୍ତ ବରଣ ନ କରିବୁ । ଏକେ ଇନ୍ଦ୍ରଙ୍କ ଆଜ୍ଞା, ତହିଁରେ ପୁଣି ତୁମ୍ଭ ସହିତ ଆମ୍ଭର ପ୍ରଣୟ, ତତ୍‍ପରେ ଫାଲ୍‌ଗୁନୀଙ୍କର ମନୋହର ଗୁଣରାଶି, ଏହି ସବୁ ଏକତ୍ର ହେବାରୁ ଆମ୍ଭ ଅନ୍ତଃକରଣରେ ଅନ୍ୟଥାଭାବ ଉପସ୍ଥିତ ହୋଇଅଛି । ଅତଏବ ତୁମ୍ଭେ ଯଥାଭିଳଷିତ ସ୍ଥାନକୁ ଗମନ କର । ଆମ୍ଭେ ଅର୍ଜୁନଙ୍କ ସମୀପକୁ ସୁଖରେ ଗମନ କରିବୁ । ୧୬ ।

 

॥ ଅଧ୍ୟାୟ – ୪୬ ॥

 

ବୈଶମ୍ପାୟନ ବୋଇଲେ, ଉର୍ବଶୀ ଈଷଦ୍ଧାସ୍ୟକରି ଚିତ୍ରସେନ ଗନ୍ଧର୍ବକୁ ବିଦାୟ କଲେ । ଅନନ୍ତର ଅର୍ଜୁନଙ୍କ ପ୍ରତି ଅତିଶୟ ଅଭିଳାଷିଣୀ ହୋଇ ପ୍ରଥମତଃ ସ୍ନାନ ସମାପନ କଲେ । ୧ । ତତ୍‍ପରେ ବହୁବିଧ ମନୋହର ଅଳଙ୍କାର ଓ ଗନ୍ଧମାଲ୍ୟାଦି ପରିଧାନ କଲେ । ଏହି ସମୟରେ ଧନଞ୍ଜୟଙ୍କ ରୂପଧ୍ୟାନ କରି ଉର୍ବଶୀ ମନ୍ମଥବାଣରେ ପୀଡ଼ିତ ହୋଇଥିଲେ ଓ ମନୋରଥଦ୍ୱାରା ଅର୍ଜୁନଙ୍କୁ ଲାଭକରି ପଲ୍ଲବାଦି ବିରଚିତ ବିସ୍ତୀର୍ଣ୍ଣ ଓ ଉତ୍କୃଷ୍ଟ ଶଯ୍ୟାରେ ଶୟନର ରତି କ୍ରୀଡ଼ାରେ ପ୍ରବୃତ୍ତ କରିଥିଲେ । ୪ ।

 

କିୟତ୍‌କ୍ଷଣ ପରେ ପ୍ରଦୋଷ ସମୟ ଆଗତ ହେଲା । ନିର୍ମଳ ଚନ୍ଦ୍ରୋଦୟ ଦର୍ଶନ କରି ପୃଥୁଳ ନିତମ୍ବିନୀ ଉର୍ବଶୀ ନିଜ ଗୃହରୁ ବାହାରି ଅର୍ଜୁନଙ୍କ ଭବନକୁ ଧୀରେ ଧୀରେ ଗମନ କଲେ । ୫ । ସେହି ଲଳନା କୁସୁମରାଜି ବିଭୂଷିତ କୁଞ୍ଚିତ ଓ ବିମଳ କୋମଳ କେଶକଳାପରେ ସୁଶୋଭିତ ସ୍ୱକୀୟ ମୁଖଚନ୍ଦ୍ରଦ୍ୱାରା ଗଗନସ୍ଥ ଚନ୍ଦ୍ରଙ୍କୁ ଆସ ଆସ ବୋଲି ଡାକି ପଦ ବିନ୍ୟାସ କରିବାରେ ପ୍ରବୃତ୍ତ ହେଲେ । ୭ । ଆସ ଆସ ଯୁଦ୍ଧ କରିବା, ଶୋଭାରେ କିଏ କାହାକୁ ପରାସ୍ତ କରିବ । ହାରଶୋଭିତ ତାହାଙ୍କର ସୁମୁଖ ସ୍ତନଯୁଗଳ ଉତ୍କୃଷ୍ଟ ଚନ୍ଦନ ରସରେ ସିକ୍ତ ହୋଇ ଅଳ୍ପ ଅଳ୍ପ କମ୍ପିତ ହେବାକୁ ଲାଗିଲା । ୮ । ସ୍ତନ ବହନ ଭାରରେ ତ୍ରିବଳୀଶୋଭିତ ତାହାଙ୍କର ମଧ୍ୟଭାଗ ଆନମିତ ହେଲା । ୯-। ଚନ୍ଦ୍ରର ବିଭୂଷିତ ତାହାଙ୍କର ହାର ନିତମ୍ବ ଦେଶ ମନ୍ମଥର ଉପବେଶନ ପୀଠ ଓ ନିର୍ଦ୍ଦୋଷ ଜଘନଭାଗ ସୂକ୍ଷ୍ମ ବସନରେ ଆବୃତ । ତାହାଙ୍କୁ ଦେଖିଲେ ଦେବର୍ଷିମାନଙ୍କର ମଧ୍ୟ ମନ କ୍ଷୁବ୍‌ଧ ହେବ । ୧୧ ।

 

ପଦବିନ୍ୟାସର ଅବା କି ଭଙ୍ଗୀ ! କୂର୍ମ ପୃଷ୍ଠପ୍ରାୟ ଈଷଦ୍ୟୁନ୍ନତୀ ଗୁଳ୍ପଦ୍ୱୟ କିଙ୍କିଣୀରେ ବିଭୂଷିତ ହୋଇ ଗମନ କାଳରେ ମଧୁର ଶବ୍ଦ ଜାତ କରୁଅଛି । ତାହାଙ୍କର ପରିଷ୍କାର ପାଦତଳ ତାମ୍ରବନର ଶୋଭା ଧରିଅଛି । ୧୨ । ପୁନଶ୍ଚ, ଅଳ୍ପ ସୀଧୁପାନଦ୍ୱାରା ଓ ମଦନଜନିତ ମନର ସନ୍ତୋଷ ଓ ବିବିଧ ବିଳାସଦ୍ୱାରା ସେହି ଅପ୍‌ସରା ତତ୍କାଳରେ ଆହୁରି ଅଧିକ ସୁନ୍ଦରୀ ଦିଶୁଥିଲେ । ୧୩ । ପ୍ରୟାଣ କାଳରେ ଉର୍ବଶୀଙ୍କର ଆକୃତି ଏପରି ମଧୁର ଓ ଆଶ୍ଚର୍ଯ୍ୟ ଦିଶୁଥିଲା ଯେ, ବହୁବିଧ ଆଶ୍ଚର୍ଯ୍ୟର ଆକର ସ୍ୱର୍ଗ ମଧ୍ୟରେ ସୁଦ୍ଧା ସିଦ୍ଧଚାରଣ ଓ ଗର୍ନ୍ଧବମାନେ କଦାପି ଏତାଦୃଶ ସୌନ୍ଦର୍ଯ୍ୟ ଦେଖି ନ ଥିଲେ । ୧୪ । ଉଜ୍ଜ୍ୱଳ ମେଘବର୍ଣ୍ଣ, ଅତି ସୂକ୍ଷ୍ମ ଉତ୍ତରୀୟ ବସନରେ ତାହାଙ୍କର ଅର୍ଦ୍ଧାଙ୍ଗ ଆବୃତ୍ତ ହୋଇଥିବାରୁ ତାହାଙ୍କୁ ଗଗନତଳସ୍ଥିତ ମେଘାଚ୍ଛନ୍ନ ଚନ୍ଦ୍ରଲେଖା ପ୍ରାୟ ଦେଖା ଯାଉଥିଲା । ୧୫ । ଅନନ୍ତର ଅପ୍‌ସରାଶ୍ରେଷ୍ଠା ଉର୍ବଶୀ ଏହି ରୂପ ଅବସ୍ଥାରେ ଓ ବେଶରେ ମନ ବା ପବନ ସମ ବେଶ ଗତି କରି ମନ୍ଦମନ୍ଦ ହାସ୍ୟ ବଦନରେ କ୍ଷଣକାଳରେ ପାଣ୍ଡୁପୁତ୍ର ଫାଲ୍‌ଗୁନୀଙ୍କ ଭବନରେ ଉପନୀତ ହେଲେ । ୧୬ । ଅର୍ଜୁନଙ୍କ ବାସ ଗୃହ ଦ୍ୱାରରେ ଉପସ୍ଥିତ ହୁଅନ୍ତେ, ଦ୍ୱାରପାଳମାନେ ଉର୍ବଶୀଙ୍କ ଆଗମନ ବାର୍ତ୍ତା ଅର୍ଜୁନଙ୍କଠାରେ ନିବେଦନ କଲେ । ତହୁଁ ସେହି ବାମଲୋଚନା ଅର୍ଜୁନଙ୍କର ଅତି ମନୋହର ଓ ପରିଷ୍କୃତ ନିକେତନ ମଧ୍ୟରେ ପ୍ରବେଶ କଲେ; କିନ୍ତୁ ହେ ରାଜନ୍‌ ! ରାତ୍ରିକାଳରେ ଉର୍ବଶୀଙ୍କୁ ନିଜ ଭବନରେ ପ୍ରବେଶ ହେବାର ଜାଣି ସଶଙ୍କଚିତ୍ତରେ ତାହାଙ୍କ ନିକଟକୁ ପ୍ରତ୍ୟୁଦ୍‌ଗମନ ଓ ଲଜ୍ଜାବୃତ ଲୋଚନରେ ତାହାଙ୍କୁ ଗୁରୁ ପରି ସମାଦର କଲେ । ୧୯ ।

 

ଅର୍ଜୁନ ବୋଇଲେ–ହେ ଦେବି ! ଅପ୍‌ସରାଶ୍ରେଷ୍ଠ ! ଆପଣଙ୍କୁ ମୁଁ ମସ୍ତକଦ୍ୱାରା ନମସ୍କାର କରୁଅଛି । ଆପଣ କି ଅଭିଳାଷରେ ଏଠାକୁ ଆଗମନ କରିଅଛନ୍ତି ଆଦେଶ କରନ୍ତୁ । ଆପଣଙ୍କ ଆଜ୍ଞାକାରୀ ଏହିଠାରେ ଉପସ୍ଥିତ ଅଛି । ୨୦ । ବୈଶମ୍ପାୟନ ବୋଇଲେ–ଫାଲ୍‌ଗୁନୀଙ୍କ ବଚନ ଶ୍ରବଣ କରି ଉର୍ବଶୀ ତତ୍କାଳରେ ଚେତନାବିରହିତ ହେଲେ ଓ ଚିତ୍ରସେନ ଯାହା ଯାହା କହିଥିଲେ ତାହା ସମୁଦାୟ କହିଲେ । ୨୧ । ଉର୍ବଶୀ ବୋଇଲେ–ହେ ନରୋତ୍ତମ ! ଚିତ୍ରସେନ ଆମ୍ଭଙ୍କୁ ଯେପରି କହିଅଛନ୍ତି ଓ ଆମ୍ଭେ ଯେପରି ଏଠାକୁ ଆସିଅଛୁ, ତାହା କହୁଅଛୁ ଶ୍ରବଣ କର । ତୁମ୍ଭ ଆଗମନରେ ସ୍ୱର୍ଗରେ ଯେଉଁ ମହାନ ଓ ମନୋହର ଉତ୍ସବ ହୋଇଥିଲା, ଯହିଁରେ ସ୍ୱୟଂ ମହେନ୍ଦ୍ର, ରୁଦ୍ରଗୁଣ, ସାଧ୍ୟଗଣ, ଆଦିତ୍ୟଗଣ, ଅଶ୍ୱନୀକୁମାର ଦ୍ୱୟ, ବସୁଗଣ, ମହର୍ଷିସମୂହ, ସିଦ୍ଧଚାରଣ, ଯକ୍ଷଗଣ, ମହୋରଗ ନିକର ଯେଉଁଠାରେ ସ୍ଥାନମାନ ଓ ପ୍ରଭାବ ଅନୁସାରେ ଉପବିଷ୍ଟ ହୋଇଥିଲେ, ଯେଉଁ ସଭାରେ ଅଗ୍ନି, ଚନ୍ଦ୍ର ଓ ସୂର୍ଯ୍ୟ ନିଜ ନିଜ ପ୍ରଭାବରେ ପ୍ରଜ୍ୱଳିତ ହୋଇ ସ୍ୱ ସ୍ୱ ଦେହଧରି ବିରାଜମାନ ହୋଇଥିଲେ । ୨୬ ।

 

ହେ ଇନ୍ଦ୍ରନନ୍ଦନ ! ବିଶାଳଲୋଚନ ! ଯେତେବେଳେ ଗନ୍ଧର୍ବମାନେ ବୀଣାବାଦନ କଲେ ଓ ଦିବ୍ୟ ଏବଂ ମନୋରମ ସଙ୍ଗୀତ ପ୍ରବୃତ୍ତ ହେଲା । ହେ କୁରୁକୁଳରକ୍ଷକ ! ଯେତେବେଳେ ପ୍ରଧାନ ପ୍ରଧାନ ଅପସରାମାନେ ନୃତ୍ୟ କରିବାରେ ପ୍ରବୃତ୍ତ ହେଲେ, ତେତେବେଳେ ତୁମ୍ଭେ ଏକାକୀ ମୋପ୍ରତି ଅନିମିଷ ନୟନରେ ଦୃଷ୍ଟି ନିକ୍ଷେପ କରିଥିଲ । ଦେବତାମାନଙ୍କର ଏହି ମହୋତ୍ସବ ଯଜ୍ଞର ଅବସାନ ହୁଅନ୍ତେ, ତୁମ୍ଭ ପିତାଙ୍କ ଆଜ୍ଞାନୁସାରେ ଦେବତାମାନେ ସ୍ୱ ସ୍ୱ ନିକେତନକୁ ଗମନ କଲେ । ୨୯ । ହେ ଶତ୍ରୁଘାତୀ ! ବିଶିଷ୍ଟ ଅପ୍‌ସରାମାନେ ଓ ଅନ୍ୟ ସମସ୍ତେ ମଧ୍ୟ ତୁମ୍ଭ ପିତାଙ୍କ ଆଜ୍ଞାକ୍ରମେ ନିଜ ନିଜ ଭବନକୁ ପ୍ରସ୍ଥାନ କଲେ । ୩୦ ।

 

ହେ କମଳପତ୍ରାକ୍ଷ ! ଅନନ୍ତର ଗନ୍ଧର୍ବରାଜ ଚିତ୍ରସେନ ଦେବରାଜଙ୍କ ଆଦେଶାନୁକ୍ରମେ ଆମ୍ଭ ନିକଟକୁ ଆସି କହିଲେ, “ସୁରପତି ଆମ୍ଭଙ୍କୁ ତୁମ୍ଭ ନିକଟକୁ ପ୍ରେରଣ କରିଅଛନ୍ତି । ଅତଏବ ତୁମ୍ଭେ ସୁରପତିଙ୍କର, ଆମ୍ଭର ଓ ତୁମ୍ଭର ନିଜର ମଧ୍ୟ ପ୍ରିୟକାର୍ଯ୍ୟ ସମ୍ପାଦନ କର । ୩୨ । ହେ ସୁଶ୍ରୋଣି ! ପୃଥାନନ୍ଦନ ଅର୍ଜୁନ, ସଂଗ୍ରାମରେ ଶୌର୍ଯ୍ୟସମ୍ପନ୍ନ, ସର୍ବଦା ଉଦାର ଗୁଣରେ ଅଳଙ୍କୃତ, ସର୍ବାଂଶରେ ଇନ୍ଦ୍ରଙ୍କ ସମାନ, ଅତଏବ ତୁମ୍ଭେ ଆମ୍ଭଙ୍କୁ ଅଭିଳାଷ କର ।” ହେ ଅନଘ ! ଅରିନ୍ଦମ ଚିତ୍ରସେନ ଆମ୍ଭଙ୍କୁ ଏହିପରି କହିବାରୁ, ଆମ୍ଭେ ତାହାଙ୍କ କହିବା ଅନୁସାରେ ଓ ତୁମ୍ଭ ପିତାଙ୍କ ଆଜ୍ଞାକ୍ରମେ ତୁମ୍ଭର ଶୁଶ୍ରୂଷା କରିବାକୁ ସମାଗତ ହେଇଅଛୁ । ହେ ବୀର ! ତୁମ୍ଭର ଗୁଣ ଶୁଣି ଆମ୍ଭର ଚିତ୍ତ ଆକୃଷ୍ଟ ହୋଇଅଛି ଓ ଆମ୍ଭେ ଅନଙ୍ଗ ବାଣରେ ପୀଡ଼ିତ ହୋଇଅଛୁ । ଆମ୍ଭର ଏହି ମନୋରଥ-। ୩୫ ।

 

ବୈଶମ୍ପାୟନ ବୋଇଲେ– ସ୍ୱର୍ଗରେ ଉର୍ବଶୀଙ୍କର ସେହି ଉକ୍ତି ଶ୍ରବଣରେ ଅର୍ଜୁନ ଅତିଶୟ ଲଜ୍ଜାନ୍ୱିତ ହେଲେ ଓ ହସ୍ତଦ୍ୱୟରେ କର୍ଣ୍ଣଦ୍ୱୟକୁ ଆଚ୍ଛାଦନ କରି ତାହାଙ୍କୁ କହିଲେ । ୩୬ । ହେ ଭାମିନି ! ବରାନନେ ସୁଭଗେ ! ଆପଣ ଯାହା ମୋତେ କହିଲେ, ତାହା ମୁଁ ଶୁଣିବାର ଯୋଗ୍ୟ ନୁହେଁ । କାରଣ ତୁମେ ନିଶ୍ଚୟ ଆମ୍ଭର ଗୁରୁପତ୍ନୀ ସମ । ହେ କଲ୍ୟାଣୀ ! ଆମ୍ଭ ନିକଟରେ କୁନ୍ତୀଦେବୀ ଓ ଇନ୍ଦ୍ରପତ୍ନୀ ଶଚୀ ଦେବୀ ଯେପରି ମାନନୀୟ, ଆପଣ ମଧ୍ୟ ତାଦୃଶ୍ୟ ମାନନୀୟ । ୩୮ । ହେ ଶୁଚିସ୍ମିତେ ! ଆମ୍ଭେ ଯେ ଆପଣଙ୍କୁ ବିଶେଷରୂପେ ଚାହିଁଥିଲୁ ତାହାର ହେତୁ ଆମ୍ଭେ ସତ୍ୟକରି କହୁଅଛୁ, ଆପଣ ଶ୍ରବଣ କରନ୍ତୁ । ୩୯ । ଏହି ପ୍ରମୁଦିତା ଅଙ୍ଗନା, ପୌରବ ବଂଶର ଜନନୀ, ଏହା ଚିନ୍ତାକରି ଆମ୍ଭେ ପ୍ରଫୁଲ୍ଲ ନୟନରେ ତୁମ୍ଭଙ୍କୁ ଦେବସଭା ମଧ୍ୟରେ ବିଲୋକନ କରିଥିଲୁ । ୪୦ । ହେ କଲ୍ୟାଣୀ ! ଆପଣ ଆମ୍ଭର ବଂଶବର୍ଦ୍ଧନୀ, ଅତଏବ ଆମ୍ଭର ଗୁରୁ ଅପେକ୍ଷା ଆହୁରି ଗୁରୁତରା । ଏହି ହେତୁରୁ ଆପଣ ଆମ୍ଭ ପ୍ରତି ଅନ୍ୟଭାବ ବହିବା ଉଚିତ ନୁହେଁ । ୪୧ ।

 

ଉର୍ବଶୀ ବୋଇଲେ–ହେ ବୀର ! ଦେବରାଜନନ୍ଦନ ! ଆମ୍ଭେମାନେ କାହାରି ଆବୃତା ନୋହୁଁ । ଅତଏବ ଆମ୍ଭଙ୍କୁ ଗୁରୁସ୍ଥାନରେ ନିଯୁକ୍ତ କରିବା ତୁମ୍ଭର କର୍ତ୍ତବ୍ୟ ନୁହେଁ । ୪୨ । ପୁରୁବଂଶୀୟ ଯେଉଁସବୁ ପୁତ୍ର ବା ନପ୍ତା ତପଃ ପ୍ରଭାବରେ ଏଠାକୁ ଆଗମନ କରନ୍ତି ସେମାନେ ସମସ୍ତେ ଆମ୍ଭମାନଙ୍କ ସହିତ କ୍ରୀଡ଼ା କରନ୍ତି । କଦାପି ସେମାନଙ୍କର ବ୍ୟତିକ୍ରମ ଭାବ ଦୃଶ୍ୟ ହୁଏ ନାହିଁ । ଅତଏବ ତୁମ୍ଭେ ମଧ୍ୟ ଆମ୍ଭ ପ୍ରତି ପ୍ରସନ୍ନ ହୁଅ । ୪୩ । ହେ ମାନପ୍ରଦ ! ଆମ୍ଭେ ମନ୍ମଥାନଳରେ ସନ୍ତପ୍ତ ଓ ପୀଡ଼ିତ ହୋଇଅଛୁ, ଆମ୍ଭଙ୍କୁ ପରିତ୍ୟାଗ କରିବା ତୁମ୍ଭର ଉଚିତ ନୁହେଁ । ବିଶେଷରେ ଆମ୍ଭେ ତୁମ୍ଭର ଅନୁଗତା ହୋଇଅଛୁ । ଅତଏବ ଆମ୍ଭଙ୍କୁ ଭଜନା କର । ଅର୍ଜୁନ କହିଲେ, ହେ ବରାରୋହେ ! ଆମ୍ଭେ ସତ୍ୟ କହୁଅଛୁ, ଆପଣ ଶ୍ରବଣ କରନ୍ତୁ ଓ ଦିକ୍ ବିଦିକ୍ ସମସ୍ତେ ଓ ତାହାଙ୍କର ଅଧିଷ୍ଠାତ୍ରୀ ଦେବତାମାନେ ମଧ୍ୟ ଶ୍ରବଣ କରନ୍ତୁ । ହେ ଅନଙ୍ଗେ ! ଆମ୍ଭ ପକ୍ଷରେ ଯେ ପ୍ରକାର କୁନ୍ତୀ, ମାଦ୍ରୀ ଓ ଶଚୀ ଦେବୀ ଗରୀୟସୀ, ସେହିପରି ବଂଶ ଜନନୀ ଆପଣ ମଧ୍ୟ ଆମ୍ଭ ପକ୍ଷରେ ଗରୀୟସୀ ଅଟନ୍ତି । ୪୬ । ହେ ବରବର୍ଣ୍ଣିନେ ! ଆପଣ ଏଠାରୁ ଗମନ କରନ୍ତୁ-। ମସ୍ତକଦ୍ୱାରା ମୁଁ ଆପଣଙ୍କ ଚରଣଦ୍ୱୟ ସ୍ପର୍ଶ କରିଅଛି । ଆପଣ ମୋର ମାତୃ ସଦୃଶା ପୂଜନୀୟା ଓ ମୁଁ ଆପଣଙ୍କର ପୁତ୍ର ସମ ରକ୍ଷଣୀୟ । ୪୭ ।

 

ବୈଶମ୍ପାୟନ ବୋଇଲେ–ପାର୍ଥଙ୍କର ଏତାଦୃଶ ବଚନ ଶ୍ରବଣ କରି ଉର୍ବଶୀ କ୍ରୋଧରେ ମୂର୍ଚ୍ଛିତ ହେଲେ ଓ କମ୍ପିତ କଳେବରରେ ଭ୍ରୁକୁଟୀଦ୍ୱୟ ବକ୍ରକରି ଧନଞ୍ଜୟଙ୍କୁ ଅଭିଶାପ ଦେଲେ । ୪୮ । ଉର୍ବଶୀ ବୋଇଲେ–ତୁମ୍ଭ ପିତାଙ୍କ ଆଜ୍ଞାନୁସାରେ ଆମ୍ଭେ ସ୍ୱୟଂ ତୁମ୍ଭ ଗୃହଠାକୁ ଆଗତ ହୋଇଅଛୁ । ବିଶେଷରେ ଆମ୍ଭେ କନ୍ଦର୍ପର ବଶୀଭୂତ ହୋଇଅଛୁ । ଏପରି ଅବସ୍ଥାରେ ସୁଦ୍ଧା ତୁମ୍ଭେ ଯେଉଁ ସ୍ଥଳେ ଆମ୍ଭଙ୍କୁ ଅଭିନନ୍ଦନ ନ କଲ, ଏହି କାରଣରୁ ତୁମ୍ଭେ ପୁରୁଷତ୍ୱ ବିହୀନସ୍ୱରୂପ ବିଖ୍ୟାତ ହେବ ଓ ମାନହୀନ ନର୍ତ୍ତକ ହୋଇ ସ୍ତ୍ରୀମାନଙ୍କ ମଧ୍ୟରେ କ୍ଳୀବ ସଦୃଶ ବିଚରଣ କରିବ । ୫୦ । ବୈଶମ୍ପାୟନ ବୋଇଲେ, ଏହି ପ୍ରକାର ଅର୍ଜୁନକୁ ଅଭିଶାପ ଦେଇ, କ୍ରୋଧରେ ଓଷ୍ଠ ପ୍ରକମ୍ପିତ କରି ଓ ଖର ଶ୍ୱାସ ପରିତ୍ୟାଗ କରି ଉର୍ବଶୀ ଅତି ସତ୍ୱର ନିଜ ଗୃହକୁ ପ୍ରତ୍ୟାଗତ ହେଲେ । ୫୧ ।

 

ଅନନ୍ତର ପାଣ୍ଡୁନନ୍ଦନ ଅରିନ୍ଦମ ଅର୍ଜୁନ ଶୀଘ୍ର ଚିତ୍ରସେନଙ୍କ ସମୀପକୁ ଗମନ କରି ରାତ୍ରକାଳରେ ଉର୍ବଶୀଙ୍କ ସଂକ୍ରାନ୍ତ ସମସ୍ତ ବୃତ୍ତାନ୍ତ ଆଦ୍ୟୋପ୍ରାନ୍ତ ଆନୁପୂର୍ବିକ ନିବେଦନ କଲେ । ତତ୍‍ପରେ ଚିତ୍ରସେନ ଯାଇ ଯେପରି ଅର୍ଜୁନକୁ ଉର୍ବଶୀ ଅଭିଶାପ ଦେଲେ ଓ ଅନ୍ୟାନ୍ୟ ଯେଉଁ ସବୁ ଘଟଣା ହୋଇଥିଲା, ତତ୍ସମୁଦାୟ ମହେନ୍ଦ୍ରଙ୍କଠାରେ ନିବେଦନ କଲେ । ହବିବାହନ ଇନ୍ଦ୍ର ଆପଣାର ତନୟଙ୍କୁ ନିର୍ଜନକୁ ଡକାଇଆଣି ସାନ୍ତ୍ୱନା ପ୍ରଦାନ କରି ହାସ୍ୟ ମୁଖରେ କହିଲେ, ବତ୍ସ ! ମହାଭୁଜ ! ତୁମ୍ଭର ଜନନୀ ପୃଥା ତୁମ୍ଭଙ୍କୁ ପୁତ୍ରସ୍ୱରୂପ ପ୍ରାପ୍ତ ହୋଇ ଅଦ୍ୟ ସୁପୁତ୍ରିଣୀ ହେଲେ । ସେ ସତ୍ତମ ! ୫୫ । ଋଷିମାନେ ମଧ୍ୟ ତୁମ୍ଭଦ୍ୱାରା ଧୈର୍ଯ୍ୟଗୁଣରେ ପରାଜିତ ହେଲେ । ହେ ମହାଭୁଜ ! ମାନଦ ! ଉର୍ବଶୀ ତୁମ୍ଭଙ୍କୁ ଯେଉଁ ଅଭିଶାପ ଦେଇଛନ୍ତି, ତୁମ୍ଭ ପକ୍ଷରେ ଅର୍ଥକାରୀ ଓ କାର୍ଯ୍ୟସାଧକ ହେବ । ୫୭ । ହେ ଅନଘ ! ଭୂତଳରେ ତୁମ୍ଭମାନଙ୍କର ଯେତେବେଳେ ତ୍ରୟୋଦଶ ବର୍ଷ ଅଜ୍ଞାତବାସ କରିବାକୁ ହେବ, ତେତେବେଳେ ଉର୍ବଶୀଙ୍କର ସେହି ଅଭିଶାପକୁ ତୁମ୍ଭେ ଭୋଗକରି ସୁଖରେ କାଳାତିପାତ କରିବ । ୫୮ । ବର୍ଷେକାଳ ତୁମ୍ଭେ ପୁରୁଷତ୍ୱବିହୀନ ହୋଇ ନର୍ତ୍ତକ ବେଶରେ ବିହାର କରି ତତ୍‍ପରେ ପୁରୁଷତ୍ୱ ପ୍ରାପ୍ତ ହେବ । ୫୯ ।

 

ଶତ୍ରୁବୀର ବିନାଶକାରୀ ଫାଲ୍‌ଗୁନୀ ଇନ୍ଦ୍ରଙ୍କର ତାଦୃଶ ବଚନ ଶ୍ରବଣ କରି ପରମ ହର୍ଷ ଲାଭ କଲେ ଓ ଶାପ ବିଷୟରେ କୌଣସି ଭାବନା କଲେ ନାହିଁ । ୬୦ । ଗନ୍ଧର୍ବରାଜ ଯଶସ୍ୱୀ ଚିତ୍ରସେନଙ୍କ ସହିତରେ ପାଣ୍ଡୁପୁତ୍ର ଅର୍ଜୁନ ସ୍ୱର୍ଗଭୁବନରେ ବିହାର କଲେ । ୬୧ । ଯେଉଁ ବ୍ୟକ୍ତି ପାଣ୍ଡୁପୁତ୍ରଙ୍କର ଏହିଠାରୁ ଏହି ଚରିତ୍ର ନିତ୍ୟ ଶ୍ରବଣ କରେ, ତାହାର ଅଭିଳାଷ ପାପକର୍ମରେ ପ୍ରବୃତ୍ତ ହୁଏ ନାହିଁ । ୬୨ । ଅମରବରଙ୍କର ନନ୍ଦନ ଫାଲ୍‌ଗୁନୀଙ୍କର ଏହି ପବିତ୍ର ଓ ଭୟଙ୍କର ଚରିତ୍ରକୁ ଯେଉଁ ମାନବେନ୍ଦ୍ରମାନେ ଶ୍ରବଣ କରନ୍ତି, ସେମାନେ ନିରହଂକାରୀ ହୋଇ ରାଗ, ଦ୍ୱେଷ ଓ ଦମ୍ଭକୁ ପରିତ୍ୟାଗ କରି ତ୍ରିଦିବରେ ବିହାର କରନ୍ତି । ୬୩ ।

 

॥ ଅଧ୍ୟାୟ – ୪୭ ॥

 

ବୈଶମ୍ପାୟନ ବୋଇଲେ, ହେ ମହାରାଜ ! କୌଣସି ସମୟରେ ମହର୍ଷି ଲୋମଶ ଭ୍ରମଣ କରୁକରୁ ପୁରନ୍ଦରଙ୍କ ଦର୍ଶନରେ ଅଭିଳାଷୀ ହୋଇ ଅମରାବତୀପୁରକୁ ଗମନ କଲେ । ୧ । ସେହି ମହାମୁନି ଦେବରାଜଙ୍କ ସମୀପରେ ଉପନୀତ ହୋଇ ତାହାଙ୍କୁ ନମସ୍କାର କରି ପାଣ୍ଡବଙ୍କୁ ତଦୀୟ ଅର୍ଦ୍ଧାସନରେ ଉପବିଷ୍ଟ ଦେଖିଲେ । ୨ । ତତ୍ରସ୍ଥ ମହର୍ଷିମାନେ ସେହି ଦ୍ୱିଜବରଙ୍କର ବିହିତ ସମ୍ମାନ କଲା ପରେ ଇନ୍ଦ୍ରଙ୍କ ଆଜ୍ଞାକ୍ରମେ ସେ ଉତ୍କୃଷ୍ଟ ଆସନରେ ଉପବିଷ୍ଟ ହେଲେ । ୩ । ସେ ପାର୍ଥଙ୍କୁ ଇନ୍ଦ୍ରାସନରେ ଉପବିଷ୍ଟ ହୋଇଥିବାର ଦେଖି ମନରେ ଭାବିଲେ, ଏହି ପାର୍ଥ କ୍ଷତ୍ରିୟ ହୋଇ କିପରି ଇନ୍ଦ୍ରଙ୍କ ଆସନ ପ୍ରାପ୍ତ ହେଲେ । ୪ । ଏ କି ସୁକୃତ କରିଅଛନ୍ତି ? ଓ ତପସ୍ୟାଦ୍ୱାରା କେଉଁ ଲୋକଙ୍କୁ ଜୟ କରିଅଛନ୍ତି ଯେ ଦେବ ନମସ୍କୃତ ଇନ୍ଦ୍ରଙ୍କ ଆସନରେ ଏ ବସିଲେ ? ୫ । ଲୋମଶ ଋଷିଙ୍କର ଏହି ସଂକଳ୍ପ ଅବଗତ ହୋଇ ବୃତ୍ତ୍ର ନିସୂଦନ ଇନ୍ଦ୍ର ହାସ୍ୟମୁଖରେ ତାହାଙ୍କୁ କହିଲେ । ୬ । ହେ ବ୍ରହ୍ମର୍ଷେ ! ଆପଣଙ୍କ ମନରେ ଯାହା ଜାଣିବାକୁ ଇଚ୍ଛା ହୋଇଅଛି, ତାହାର ଉତ୍ତର ଆମ୍ଭଠାରୁ ଶ୍ରବଣ କରନ୍ତୁ । ଏ କେବଳ ମର୍ତ୍ତ୍ୟର ନୁହେଁ, ମନୁଷ୍ୟତ୍ତ୍ୱ ମଧ୍ୟ ପ୍ରାପ୍ତ ହୋଇ ଅଛନ୍ତି । ହେ ମହର୍ଷେ ! କୁନ୍ତୀଙ୍କର ଗର୍ଭଜାତ ଏହି ମହାଭୁଜ ଆମ୍ଭର ପୁତ୍ର ଅଟନ୍ତି । କୌଣସି କାରଣରୁ ଅସ୍ତ୍ର ନେବା ନିମିତ୍ତ ସେ ଏଠାକୁ ଆଗମନ କରିଅଛନ୍ତି । ୮ । ଅହୋ ! ଆପଣ ଏହାଙ୍କୁ ଚିହ୍ନନ୍ତି ନାହିଁ । ଏ ପୁରାଣ ଋଷି ସତ୍ତମ ।

 

ହେ ବ୍ରହ୍ମନ୍‌ ! ନର ଓ ନାରାୟଣ ନାମରେ ଯେଉଁ ଦୁଇ ଋଷିଶ୍ରେଷ୍ଠ ପ୍ରସିଦ୍ଧ ଅଛନ୍ତି, ସେହିମାନେ ଅର୍ଜୁନ ଓ କୃଷ୍ଣରୂପେ ଆବିର୍ଭୂତ ହୋଇଅଛନ୍ତି । ୧୦ । ତ୍ରିଲୋକ ବିଖ୍ୟାତ ପୁରାଣ ଋଷି ଦୁହେଁ ପ୍ରୟୋଜନ ସିଦ୍ଧି ନିମିତ୍ତ ପୁଣ୍ୟଭୂମି ପୃଥିବୀରେ ଅବତୀର୍ଣ୍ଣ ହୋଇଅଛନ୍ତି । ସୁରଗଣ ଯାହାକୁ ଦର୍ଶନ କରିବାକୁ ପାରନ୍ତି ନାହିଁ, ଋଷିମାନେ ଓ ମହାତ୍ମାମାନେ ମଧ୍ୟ ଯାହାକୁ ଦେଖି ନ ପାରନ୍ତି, ସେହି ପୁଣ୍ୟ ଆଶ୍ରମ ବଦରୀ ନାମରେ ବିଖ୍ୟାତ । ୧୨ । ହେ ବିପ୍ର ! ଯେଉଁଠାରୁ ସିଦ୍ଧଚାରଣସେବିତା ଗଙ୍ଗା ନିର୍ଗତ ହୋଇ ଅଛନ୍ତି, ସେହି ସ୍ଥାନ ବିଷ୍ଣୁ ଓ ଜୀଷ୍ଣୁ ଦୁହିଁଙ୍କର ବାସଭୂମି । ୧୩ । ହେ ମହର୍ଷେ ! ଆମ୍ଭ ନିଯୋଗ ବଶରୁ ସେ ମହାଦ୍ୟୁତି ଦୁହେଁ କ୍ଷିତିରେ ଜନ୍ମ ଗ୍ରହଣ କଲେ । ସେହି ମହାବଳୀ ଦୁଇ ଜଣ ଭୂମିର ଭାର ଅବତରଣ କରିବେ । ୧୪ । ଅତିରିକ୍ତ କେତେକ ଅସୁର ନିବାତ କବଚ ନାମରେ ବିଖ୍ୟାତ; ସର୍ବଦା ଆମ୍ଭମାନଙ୍କର ଅପ୍ରିୟାଚରଣରେ ପ୍ରବୃତ୍ତ । ଆମ୍ଭମାନଙ୍କଠାରୁ ବରପ୍ରାପ୍ତ ହୋଇ ମୋହିତ ଓ ବଳଦର୍ପିତ ହୋଇ ଆମ୍ଭମାନଙ୍କୁ ବିନାଶ କରିବା ନିମିତ୍ତ ତର୍କ କରୁଅଛନ୍ତି । ବରପ୍ରାପ୍ତ ହୋଇ ସେମାନେ ଦେବତାମାନଙ୍କୁ ତୁଚ୍ଛ ଜ୍ଞାନ କରୁଅଛନ୍ତି । ୧୬ । ଦନୁଙ୍କର ପୁତ୍ରମାନେ ପାତାଳରେ ବାସ କରୁଅଛନ୍ତି । ସେମାନେ ଭୟଙ୍କର ଓ ମହାବଳଶାଳୀ । ସବୁ ଦେବତାମାନେ ଏକତ୍ର ହୋଇ ସୁଦ୍ଧା ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରିବାକୁ ସମର୍ଥ ନୁହନ୍ତି । ମଧୁସୂଦନ ବିଷ୍ଣୁ ଭୂମିରେ ଜନ୍ମଗ୍ରହଣ କରିଅଛନ୍ତି । କପିଳ ନାମରେ ସେ ପ୍ରସିଦ୍ଧ ।

 

ହେ ବିଭୋ ! ପୂର୍ବେ ସଗର ରାଜାଙ୍କର ମହାତ୍ମା ପୁତ୍ରମାନେ, ଯାହାଙ୍କ ଦୃଷ୍ଟି ନିକ୍ଷେପ ହେଲା କ୍ଷଣି ଦଗ୍ଧ ହୋଇଥିଲେ, ହେ ଦ୍ୱିଜସତ୍ତମ ! ସେ ଶ୍ରୀମାନ୍ ହରି କିମ୍ବା ପାର୍ଥ ଅଥବା ଏ ଦୁହେଁ ମିଳିତ ହୋଇ ମହାଯୁଦ୍ଧରେ ଆମ୍ଭମାନଙ୍କର ମହତ କାର୍ଯ୍ୟ ସମ୍ପାଦନ କରିବେ, ଏଥିରେ ସନ୍ଦେହ ନାହିଁ । ସେହି ଭଗବାନ ହରିଙ୍କ ଦର୍ଶନରେ ଅସୁରମାନେ ନିଜ ନିଜ ଅନୁଚରବର୍ଗଙ୍କ ସହିତ ବିନଷ୍ଟ ହେବେ । ନାଗମାନେ ମହାହ୍ରଦରେ ନିପତିତ ହେଲେ ଯେପରି ନଷ୍ଟ ହୁଅନ୍ତି, ସେହିପରି ଭଗବାନଙ୍କ ଦୃଷ୍ଟିରେ ନିବାତ କବଚ ପ୍ରଭୃତି ଅସୁରମାନେ ବିନାଶ ପ୍ରାପ୍ତ ହେବେ । ୨୧ । କିନ୍ତୁ ଅଳ୍ପ କାର୍ଯ୍ୟ ନିମିତ୍ତ ହରିଙ୍କୁ ଅନୁରୋଧ କରିବା ଉପଯୁକ୍ତ ନୁହେଁ । କାରଣ ସେ ମହାନ ତେଜରାଶି ପ୍ରବୃଦ୍ଧ ହେଲେ ତଦ୍ଦ୍ୱାରା ସମସ୍ତ ଦଗ୍ଧ ହୋଇପାରେ । ୨୨ । ଏହି ପାର୍ଥ ନିବାତ କବଚ ପ୍ରଭୃତି ଅସୁରମାନଙ୍କ ସହିତ ପ୍ରତିଯୁଦ୍ଧ କରିବାକୁ ସମର୍ଥ ଅଟନ୍ତି । ଅତଏବ ଅଗ୍ରେ ସେମାନଙ୍କୁ, ତତ୍‍ପରେ ସେ ମନୁଷ୍ୟଲୋକକୁ ଗମନ କରିବେ । ଆମ୍ଭ ନିଯୋଗାନୁସାରେ ଆପଣ ମହାତଳକୁ ଗମନ କରନ୍ତୁ । ସେଠାରେ କାମ୍ୟକ ବନରେ ଯୁଧିଷ୍ଠିର ବାସ କରୁଅଛନ୍ତି । ଆପଣ ତାହାଙ୍କୁ ଦର୍ଶନ କରିବା ହେବେ । ୨୪ । ସେହି ଧର୍ମାତ୍ମା ସତ୍ୟବ୍ରତ ଏହି ସନ୍ଦେଶ ଦେବା ହେବେ ଯେ, ଫାଲ୍‌ଗୁନୀଙ୍କ ନିମିତ୍ତ ସେ ଉତ୍କଣ୍ଠିତ ହେବେ ନାହିଁ । ଶୀଘ୍ର କୃତାସ୍ତ୍ର ହୋଇ ସେ ଗମନ କରିବେ । ୨୫ । ବିଳମ୍ବର କାରଣ ଏହି ଯେ, ବାହୁବୀର୍ଯ୍ୟ ସଂସ୍କୃତ ନ ହେଲେ ଓ କୃତାସ୍ତ୍ର ନ ହେଲେ ଭୀଷ୍ମ, ଦ୍ରୋଣ ଏମାନଙ୍କ ସହିତ ପ୍ରତିଯୁଦ୍ଧ କରିବାକୁ ସମର୍ଥ ହେବେ ନାହିଁ । ୨୬ । ମହାବାହୁ ଓ ମହାମନା ଗୁଡ଼ାକେଶ କୃତାର୍ଥ ହୋଇ ଦିବ୍ୟ ନୃତ୍ୟଗୀତ ଓ ବାଦିତ୍ର-ଶିକ୍ଷାର ପାରକୁ ଗମନ କରିଅଛନ୍ତି । ୨୭ ।

 

ହେ ଅରିନ୍ଦମ ! ଆପଣ ମଧ୍ୟ ଭ୍ରାତାମାନଙ୍କୁ ସଙ୍ଗରେ ଘେନି ବିବିକ୍ତ ତୀର୍ଥମାନଙ୍କୁ ଦର୍ଶନ କରିବାକୁ ଉଦ୍ୟତ ହେଉନ୍ତୁ । ୨୮ । ହେ ରାଜେନ୍ଦ୍ର ! ପୁଣ୍ୟ ତୀର୍ଥମାନଙ୍କରେ ଅବଗାହନ କରି ପାପଶୂନ୍ୟ ଓ କ୍ଳେଶରହିତ ହୋଇ ଆପଣ ଆନନ୍ଦମନରେ ରାଜ୍ୟଭୋଗ କରିବା ହେବେ । ୨୯ । ହେ ଦ୍ୱିଜଶ୍ରେଷ୍ଠ ! ରାଜା ଯୁଧିଷ୍ଠିର ଭ୍ରାତୃଗଣଙ୍କ ସହିତ ପୃଥିବୀ ପର୍ଯ୍ୟଟନ କରିବେ । ଆପଣ ବିପ୍ରପ୍ରଧାନ ଓ ତପୋବଳ ସମନ୍ୱିତ; ଅତଏବ ଆପଣ ସେମାନଙ୍କୁ ରକ୍ଷା କରିବାର ଯୋଗ୍ୟ ପାତ୍ର ଅଟନ୍ତି । ଗିରିଦୁର୍ଗ ଓ ବିଷମ ଦେଶରେ ସର୍ବଦା ଭୟାନକ ରାକ୍ଷସମାନେ ବାସ କରନ୍ତି । ଅତଏବ ସେମାନଙ୍କଠାରୁ ଆପଣ ଯୁଧିଷ୍ଠିର ଓ ତାହାଙ୍କ ଭ୍ରାତାମାନଙ୍କୁ ରକ୍ଷା କରିବା ହେବେ । ୩୧ । ଲୋମଶ ଋଷିଙ୍କ ପ୍ରତି ଇନ୍ଦ୍ରଙ୍କର ବଚନ ଶ୍ରବଣକରି ବିଭତ୍ସୁ ସଂଯତ ହୋଇ ଲୋମଶ ଋଷିଙ୍କୁ କହିଲେ, ହେ ସତ୍ତମ ! ମହାମୁନେ ! ଆପଣ ଯୁଧିଷ୍ଠିରଙ୍କୁ ରକ୍ଷାକରିବା ହେବେ । ସେ ରାଜା ଯେପରି ଆପଣଙ୍କଦ୍ୱାରା ସୁରକ୍ଷିତ ହୋଇ ତୀର୍ଥ ପର୍ଯ୍ୟଟନ ଓ ବିପ୍ରମାନଙ୍କୁ ଦାନ କରିପାରିବେ, ତାହା କରିବା ହେବେ । ୩୩ । ବୈଶମ୍ପାୟନ ବୋଇଲେ, ସୁମହାନ ତପସ୍ୱୀ ଲୋମଶ ତଥାସ୍ତୁ ବୋଲି କହି ସ୍ୱୀକାର କଲେ ଓ କାମ୍ୟକ ବନକୁ ଉଦ୍ଦେଶ୍ୟ କରି ମହୀତଳକୁ ଯାତ୍ରା କଲେ । ଅନନ୍ତର ସେ କାମ୍ୟକ ବନରେ ଉପସ୍ଥିତ ହୋଇ ପିତୃଗଣ ସହ ଧର୍ମରାଜଙ୍କୁ ଦେଖିଲେ ଯେ ତପସ୍ୱୀମାନେ ତାହାଙ୍କୁ ବେଷ୍ଟନ କରିଅଛନ୍ତି ।

 

॥ ଅଧ୍ୟାୟ – ୪୮ ॥

 

ଜନ୍ମେଜୟ ବୋଇଲେ, ହେ ବିପ୍ର ! ଅପରିମିତ ତେଜସ୍ୱୀ ଅର୍ଜୁନଙ୍କର ଏତାଦୃଶ ଅଦ୍ଭୁତ କର୍ମ ଶ୍ରବଣ କରି ଧୃତରାଷ୍ଟ୍ର କ’ଣ କହିଲେ ? ୧ । ବୈଶମ୍ପାୟନ ବୋଇଲେ, ଇନ୍ଦ୍ରଲୋକଙ୍କୁ ଅର୍ଜୁନଙ୍କର ଗମନବୃତ୍ତାନ୍ତ ଦ୍ୱୈପାୟନଙ୍କ ମୁଖରୁ ଶ୍ରବଣ କରି ଅମ୍ବିକାସୁତ ରାଜା ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପଚାରିଲେ । ୨ । ହେ ସୁତ ! ବୁଦ୍ଧିମାନ ପାର୍ଥଙ୍କର ଯାବତୀୟ କର୍ମ ଶ୍ରବଣ କଲି । ହେ ସାରଥେ ! ତୁମ୍ଭଙ୍କୁ ଏହି ବୃତ୍ତାନ୍ତମାନ ତଥ୍ୟରୂପେ ବିଦିତ ଅଛି କି ନା କହ ? ୩ ।

 

ପାପମତି ମନ୍ଦାତ୍ମା ଆମ୍ଭର ପୁତ୍ର ଗ୍ରାମ ମଧ୍ୟରେ ପ୍ରମତ୍ତ ହୋଇଅଛି । ତାହାର ଦୁର୍ବୁଦ୍ଧିରେ ସେ ପୃଥିବୀକୁ ବିନଷ୍ଟ କରିବ । ୪ । ଯେଉଁ ମହାତ୍ମାଙ୍କର ବଚନ ସର୍ବ ସମୟରେ ସତ୍ୟ ଓ ଯାହାଙ୍କର ଯୋଦ୍ଧା ଧନଞ୍ଜୟ, ତାହାଙ୍କର ଏହି ତ୍ରିଲୋକ । ୫ । ଶିଳାଶାଣିତ ଓ ତୀକ୍ଷ୍‌ଣ ନାରାଚମାନଙ୍କୁ ପ୍ରୟୋଗ କଲେ କେଉଁ ଜରାମରଣଶୀଳ ମନୁଷ୍ୟ ତାହାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇପାରେ ? ୬ । ଦୁରାଧର୍ଷ ପାଣ୍ଡବମାନଙ୍କ ସହିତ ଆମ୍ଭ ପୁତ୍ରମାନଙ୍କର ଯୁଦ୍ଧ ଉପସ୍ଥିତ, ଏଥିରେ ଆମ୍ଭର ପୁତ୍ରମାନେ ନିଶ୍ଚୟ ମୃତ୍ୟୁର ବଶୀଭୂତ, ସନ୍ଦେହ ନାହିଁ । ୭ । ନିରନ୍ତର ଚିନ୍ତାକରି ସୁଦ୍ଧା ଆମ୍ଭେ ଏପରି କୌଣସି ରଥୀକୁ ଦେଖୁ ନାହୁଁ, ଯେ କି ଗାଣ୍ଡୀବ-ଅର୍ଜୁନଙ୍କ ସମ୍ମୁଖରେ ଯୁଦ୍ଧରେ ଉଦ୍ୟତ ହୋଇପାରିବ ? ୮ । ଦ୍ରୋଣ, କର୍ଣ୍ଣ କିମ୍ବା ଭୀଷ୍ମ ସୁଦ୍ଧା ଯେବେ ରଣ କରନ୍ତି, ତେବେ କେବଳ ଲୋକରକ୍ଷା ହେବା ସନ୍ଦେହପର; କିନ୍ତୁ ଆମ୍ଭର ଯେ ଜୟ ହେବ, ତାହା କୁହାଯାଇନପାରେ-। ୯ । କାରଣ ଏହି ଯେ, କର୍ଣ୍ଣ କୃପାଳୁ ଓ ଅନବହିତ, ଦ୍ରୋଣାଚାର୍ଯ୍ୟ ସ୍ଥବିର ଓ ଗୁରୁ, କିନ୍ତୁ ଅର୍ଜୁନ ଅସହିଷ୍ଣୁ, ଉତ୍ସାହୀ ଓ ଦୃଢ଼ବିକ୍ରମୀ । ୧୦ । ପରନ୍ତୁ ଏହାଙ୍କର ଅତିଶୟ ଯୁଦ୍ଧ ହେବାର ସମ୍ଭାବନା-। କାରଣ ଫାଲ୍‌ଗୁନୀ ଓ କର୍ଣ୍ଣ ପ୍ରଭୃତି ସମସ୍ତେ ଅସ୍ତ୍ରବିଶାରଦ ଶୂର ଅଟନ୍ତି । ଲୋକରେ ଏ ସମସ୍ତଙ୍କର ବିଶେଷ ଯଶ ଅଛି । ୧୧ । ପରାଜିତ ହୋଇ ଏମାନେ ସମସ୍ତେ ସର୍ବେଶ୍ୱର ହେବାକୁ ସୁଦ୍ଧା ଇଚ୍ଛା କରନ୍ତି ନାହିଁ । ଏ ସମସ୍ତଙ୍କର ଅଥବା ଏକାକୀ ଅର୍ଜୁନଙ୍କର ମୃତ୍ୟୁ ହେଲେ ସୁଦ୍ଧା ଶାନ୍ତ ହୋଇପାରେ-। ୧୨ । ଅର୍ଜୁନଙ୍କୁ ନିହତ କରିବା ବ୍ୟକ୍ତି ନାହିଁ, କି ତାଙ୍କୁ ଜୟ କରିବା ବ୍ୟକ୍ତି କେହି ନାହିଁ । ଆମ୍ଭ ପ୍ରତି ତାହାଙ୍କର ବିଶେଷ କ୍ରୋଧ । ସେ କ୍ରୋଧ କିପରି ଶାନ୍ତ ହେବ, ତାହାର ଉପାୟ ଆମ୍ଭଙ୍କୁ ଦୃଶ୍ୟ ହେଉ ନାହିଁ । ୧୩ । ଇନ୍ଦ୍ରସମ ସେହି ବୀର ଖାଣ୍ଡବଦାହରେ ଅଗ୍ନିକୁ ପରିତୃପ୍ତ କରିଅଛନ୍ତି ଓ ରାଜସୂୟ ମହାଯଜ୍ଞରେ ସବୁ ନୃପତିଙ୍କୁ ପରାଜିତ କରିଅଛନ୍ତି । ୧୪-

 

ହେ ସଞ୍ଜୟ ! ବଜ୍ର ଯେବେ ପର୍ବତ ମସ୍ତକରେ ପତିତ ହୁଏ, ତେବେ ତାହାର ଅବଶେଷ ରହେ; କିନ୍ତୁ ଅର୍ଜୁନର କରନିକ୍ଷିପ୍ତ ଶର ଶତ୍ରୁ ଉପରେ ପତିତ ହେଲେ, ତାହା କିଛି ମାତ୍ର ଶେଷ ରଖେ ନାହିଁ । ୧୫ । ସୂର୍ଯ୍ୟଙ୍କ କିରଣ ଯେପରି ଚରାଚର ବିଶ୍ୱକୁ ସନ୍ତପ୍ତ କରେ, ସେହିପରି ପାର୍ଥଙ୍କର ଭୁଜ-ନିକ୍ଷିପ୍ତ ଶରସମୂହ ଆମ୍ଭର ପୁତ୍ରମାନଙ୍କୁ ସନ୍ତପ୍ତ କରିବ । ୧୬ । ସବ୍ୟସାଚୀଙ୍କ ରଥ ନିର୍ଘୋଷରେ ଭାରତବର୍ଷୀୟ ସେନାମାନେ ଭୟାର୍ତ୍ତ ଓ ବିଦୀର୍ଣ୍ଣ ହେଲା ପ୍ରାୟ ଆମ୍ଭଙ୍କୁ ଅନୁମିତି ହେଉଅଛି । ୧୭ । ବିଧାତା କି କିରୀଟୀଙ୍କୁ ସର୍ବସଂହାରକ ଅନ୍ତକରୂପେ ସୃଷ୍ଟି କରିଅଛନ୍ତି ? ସେହିପରି କିରୀଟୀ ମଧ୍ୟ ଆତତାୟୀ(୧) ହୋଇ ସମରକ୍ଷେତ୍ରରେ ଶରମାନଙ୍କୁ ଉଦ୍ଦୀପନ ଓ ପ୍ରବପନ(୨) କରି ଅବସ୍ଥାନ କରିବେ । ଏଥିରେ ସଂଶୟ ନାହିଁ । ଅତଏବ ତାହାଙ୍କୁ ପରାଜୟ କରିବା କାହାରି ସାଧ୍ୟ ନୁହେଁ । ୧୮ ।

 

[(୧) ଅଗ୍ନିଦୋଗ ରଦଶ୍ଚୈବ ଶସ୍ତ୍ରପାଣିନାପହଃ । କ୍ଷେତ୍ରଦାରାପହାରୁଁଚ ଷଡ଼ୌତ ଆତତାୟିନୀ । (୨) ଉପଯୁକ୍ତ ଓ ଚତୁର୍ଦ୍ଦିଗକୁ ନିକ୍ଷେପ କରିବେ ।]

 

॥ ଅଧ୍ୟାୟ – ୪୯ ॥

 

ସଞ୍ଜୟ ବୋଇଲେ–ହେ ମହୀପତେ ! ଆପଣ ଦୁର୍ଯ୍ୟୋଧନଙ୍କ ବିଷୟରେ ଯାହା କହିବା ହେଲେ, ତାହା ଯଥାର୍ଥ; କିଛି ମାତ୍ର ତହିଁରେ ଅତଥ୍ୟ ନାହିଁ । ୧ । ଅପରିମିତ ବଳଶାଳୀ ପାଣ୍ଡବମାନେ ଆପଣାର ଧର୍ମପତ୍ନୀ ଯଶସ୍ୱିନୀ ଦ୍ରୌପଦୀଙ୍କୁ ସଭାକୁ ଆନୀତ ହୋଇଥିବାର ଦେଖି, କର୍ଣ୍ଣ ଓ ଦୁଃଶାସନ ପ୍ରଭୃତି ଯେଉଁସବୁ ଦାରୁଣ ଦୁର୍ବାକ୍ ପ୍ରୟୋଗ କରିଥିଲେ ତାହା ଶ୍ରବଣ କରି ଯେ ରୂପ କ୍ରୋଧାବିଷ୍ଟ ହୋଇଅଛନ୍ତି, ଆମ୍ଭର ବୋଧହୁଏ ଯେ ସେମାନେ, କୌଣସି ପ୍ରକାରେ ତହିଁରୁ କ୍ଷାନ୍ତ ହେବେ ନାହିଁ । ୩ ।

 

ହେ ମହାରାଜ ! ଆମ୍ଭେ ଶୁଣୁଅଛୁ, “ଯେପରି ଏକାଦଶତନୁ ରୁଦ୍ର ସମରରେ ଅର୍ଜୁନଙ୍କଠାରେ ପରିତୁଷ୍ଟ ହୋଇଅଛନ୍ତି । ୪ । କିରାତ ବେଶକୁ ଧାରଣ କରି ସର୍ବଦେବଙ୍କ ଈଶ୍ୱର ଭଗବାନ କପର୍ଦ୍ଦୀ ଫାଲ୍‌ଗୁନୀଙ୍କୁ ପରିଚୟ ଦେବା ନିମିତ୍ତ ତାହାଙ୍କ ସହିତ ଯୁଦ୍ଧ କରିଥିଲେ । ପରନ୍ତୁ ସେହି ସ୍ଥାନରେ ଲୋକପାଳମାନେ ମଧ୍ୟ ତପଃପରାକ୍ରାନ୍ତ କୌରବବଂଶଜାତ ବୀର ଅର୍ଜୁନଙ୍କୁ ଅସ୍ତ୍ରପ୍ରଦାନ କରିବା ନିମିତ୍ତ ସମାଗତ ହୋଇ ଦର୍ଶନ ଦେଇଥିଲେ । ୬ । ଅର୍ଜୁନଙ୍କ ବ୍ୟତୀତ ଆଉ କେଉଁ ମନୁଷ୍ୟ ପୃଥିବୀ ମଣ୍ଡଳରେ ସେହି ଲୋକପତିମାନଙ୍କୁ ଦର୍ଶନ କରିବା ନିମିତ୍ତ ଉତ୍ସାହୀ ହୋଇପାରେ ? ୭ ।

 

ହେ ରାଜନ୍‌ ! ଅଷ୍ଟମୂର୍ତ୍ତି ମହେଶ୍ୱର ମଧ୍ୟ ଯାହାକୁ ନିର୍ମଳ କରିନପାରିଲେ, ସେହି ବ୍ୟକ୍ତିଙ୍କୁ କେଉଁ ନରବୀର କ୍ଷୀଣବଳ କରିବାକୁ ଉତ୍ସାହୀ ହେବ ? ଆପଣଙ୍କ ପୁତ୍ରମାନେ ସଭା ମଧ୍ୟରେ ଦ୍ରୌପଦୀଙ୍କୁ ଆକର୍ଷଣ କରି ପାଣ୍ଡବମାନଙ୍କର କ୍ରୋଧ ଜାତକରି ଏହି ଲୋମାଞ୍ଚଜନକ ଦାରୁଣ ସଙ୍କଟ ଉପସ୍ଥିତ କରିଅଛନ୍ତି । ୯ । ଦୁର୍ଯ୍ୟୋଧନ ଯେତେବେଳେ ଦ୍ରୌପଦୀଙ୍କ ଊରୁଦ୍ୱୟ ପ୍ରଦର୍ଶନ କରିଥିଲେ, ସେତେବେଳେ ଭୀମସେନ ତାହା ଦେଖି ଓଷ୍ଠସ୍ପୁର ହୋଇ କହିଥିଲେ, “ରେ ପାପମତି ! ତୁ ଯେପରି କପଟ ଦ୍ୟୂତକ୍ରୀଡ଼ାଦ୍ୱାରା ଜୟ କାମନା କରୁଅଛୁ, ସେହିପରି ମୁଁ ତ୍ରୟୋଦଶ ବର୍ଷ ପରେ ଭୀମସେନ ଗଦାର ଆଘାତଦ୍ୱାରା ତୋହର ଏହି ଊରୁଦ୍ୱୟ ଭଗ୍ନ କରିବି ।” ତାହାଙ୍କର ଏହି ବଚନ ବ୍ୟର୍ଥ ହେବାର ନୁହେଁ । ୧୧ । ପାଣ୍ଡବମାନେ ସମସ୍ତେ ପ୍ରଧାନ ଶସ୍ତ୍ରପ୍ରହାରକାରୀ; ସମସ୍ତେ ଅପରିମିତ ତେଜସ୍ୱୀ ଓ ସମସ୍ତେ ସର୍ବାସ୍ତ୍ର-ବିଶାରଦ ! ଅତଏବ ସେମାନେ ଦେବତାମାନଙ୍କର ସୁଦ୍ଧା ଦୁର୍ଜେୟ । ୧୨ । ଯେତେବେଳେ କି ସେମାନେ ଆପଣା ଭାର୍ଯ୍ୟାର ଅପମାନଜନିତ ଅସହ୍ୟ କ୍ରୋଧରେ କମ୍ପିତ ହୋଇଅଛନ୍ତି, ତେତେବେଳେ ଯୁଦ୍ଧ ଉପସ୍ଥିତ ହେଲେ ସେମାନେ ଯେ ତୁମ୍ଭ ପୁତ୍ରଙ୍କୁ ଜୀବିତ ରଖିବେ, ଏହା କଦାପି ବୋଧ ହୁଏ ନାହିଁ । ୧୩ ।

 

ଧୃତରାଷ୍ଟ୍ର ବୋଇଲେ, ହେ ସୂତ ! ପାଣ୍ଡବଙ୍କୁ କର୍ଣ୍ଣ ନିଷ୍ଠୁର ବଚନ କହି ବଡ଼ ମନ୍ଦ କର୍ମ କରିଅଛନ୍ତି । ହାୟ ହାୟ ! କୃଷ୍ଣାକୁ ଯେ ସଭା ମଧ୍ୟକୁ ଆଣିଥିଲେ, ଏହି କାର୍ଯ୍ୟଦ୍ୱାରା ପାଣ୍ଡବମାନଙ୍କ ସହିିତ ବୈରତାର ପରାମର୍ଶ ହୋଇଛି । ୧୪ । ଯେଉଁମାନଙ୍କର ଗୁରୁସଦୃଶ ଜ୍ୟେଷ୍ଠଭ୍ରାତା ନୀତିମାର୍ଗରେ ଗମନ ନ କରନ୍ତି, ତାହାଙ୍କର ଅନୁଜମାନେ କିପରି ସତ୍‌ମାର୍ଗରେ ଗମନ କରିବେ ? ହେ ସଞ୍ଜୟ ! ମନ୍ଦଭାଗ୍ୟ ଦୁର୍ଯ୍ୟୋଧନ ଆମ୍ଭଙ୍କୁ ଦୃଷ୍ଟିହୀନ ଓ ଅକ୍ଷମ ଦେଖି, ଅଜ୍ଞାନ ବୋଧକରି, ଆମ୍ଭ ବାକ୍ୟ ଶ୍ରବଣ କରିବାକୁ ଇଚ୍ଛା କରେ ନାହିଁ । କର୍ଣ୍ଣ ଓ ଶକୁନି ପ୍ରଭୃତି ତାହାର ଯେଉଁ ମନ୍ତ୍ରୀମାନେ ଅଛନ୍ତି, ସେମାନେ ମଧ୍ୟ ମନ୍ଦବୁଦ୍ଧି । ସେମାନଙ୍କର ଜ୍ଞାନ ନ ଥିବାରୁ ତାହାଙ୍କ ଦୋଷସମୂହକୁ ଅଧିକ ବୃଦ୍ଧି କରିଦିଅନ୍ତି । ୧୭ । ଅପରିମିତ ତେଜସ୍ୱୀ ଅର୍ଜୁନ ଯେବେ ସହଜରେ ବାଣ ନିକ୍ଷେପ କରନ୍ତି, ତେବେ ଆମ୍ଭର ପୁତ୍ରମାନେ ଦଗ୍ଧ ହୋଇଯିବେ । ପରନ୍ତୁ ସେ ଯେବେ କ୍ରୁଦ୍ଧ ହୋଇ ବାଣ ନିକ୍ଷେପ କରନ୍ତି, ତେବେ ତହିଁରେ ଆଉ କିଛି କଥା ଅଛି । ୧୮ । ଅର୍ଜୁନଙ୍କର ଦିବ୍ୟାସ୍ତ୍ରମାନେ ମନ୍ତ୍ରଦ୍ୱାରା ସଂସ୍କୃତ ହୋଇ ବାହୁବଳରେ ତାହା କାର୍ମୁକରୁ ବିନିସୃତ ହେଲେ ଦେବତାମାନଙ୍କୁ ପୀଡ଼ନ କରିବାକୁ ସମର୍ଥ ହୁଅନ୍ତି । ୧୯ । ତ୍ରିଲୋକନାଥ ଜନାର୍ଦ୍ଦନ ଯାହାଙ୍କର ସଖା, ମନ୍ତ୍ରୀ ଓ ରକ୍ଷକ, ଏ ସଂସାରରେ ତାହାର ଅଜେୟ କ’ଣ ଅଛି ? ୨୦ ।

 

ହେ ସଞ୍ଜୟ ! ଇହଲୋକରେ ଅର୍ଜୁନଙ୍କର ଏହି ଗୋଟିଏ ମହତ୍ ଓ ଆଶ୍ଚର୍ଯ୍ୟ କଥା ଶୁଣୁଅଛୁ ଯେ, ସେ ମହାଦେବଙ୍କ ବାହୁଯୁଗଳରେ ସମବେତ ହୋଇଅଛନ୍ତି । ଆହୁରି ସେ ପୂର୍ବକାଳରେ ଦାମୋଦରଙ୍କ ସହିତ ମିଳିତ ହୋଇ ଅଗ୍ନିଙ୍କ ତୃପ୍ତି ନିମିତ୍ତ ଖାଣ୍ଡବ ବନରେ ଯେଉଁ କର୍ମ କରିଥିଲେ, ତାହା ସମସ୍ତେ ପ୍ରତ୍ୟକ୍ଷ କରିଅଛନ୍ତି । ଭୀମ, ଅର୍ଜୁନ ଓ ସାତ୍ତ୍ୱତ ବାସୁଦେବ କ୍ରୁଦ୍ଧ ହେଲେ ଆମ୍ଭର ପୁତ୍ରମାନେ ଓ ସୁବଳବଂଶୀୟ ଶକୁନି ପ୍ରଭୃତି ସମସ୍ତ ଅମାତ୍ୟବର୍ଗ ଏକତ୍ର ହୋଇ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ସମର୍ଥ ହେବେ ନାହିଁ ।

 

॥ ଅଧ୍ୟାୟ – ୫୦ ॥

 

ଜନ୍ମେଜୟ କହିଲେ, ହେ ମୁନେ ! ରାଜା ଧୃତରାଷ୍ଟ୍ର ଅଗ୍ରେ ପାଣ୍ଡୁପୁତ୍ରମାନଙ୍କୁ ବନକୁ ପ୍ରବ୍ରଜିତ କରିଥିଲେ, ଏବେ ତାହାଙ୍କର ଅନୁତାପ କରିବା ବୃଥା । ପୁନଶ୍ଚ ତାହାଙ୍କର ପୁତ୍ର ଦୁର୍ଯ୍ୟୋଧନ ଯେ ମହାରଥ ପାଣ୍ଡବମାନଙ୍କର କ୍ରୋଧୋତ୍ପାଦନ କରିଥିଲେ, ସେହି ଅଜ୍ଞାନ ଦୁର୍ଯ୍ୟୋଧନକୁ କି ନିମିତ୍ତ ଉପେକ୍ଷା କଲେ । ୨ । ସେ ଯାହାହେଉ, ସମ୍ପ୍ରତି ପାଣ୍ଡୁପୁତ୍ରମାନେ ବନ ମଧ୍ୟରେ କି ପ୍ରକାର ଆହାର ନିଷ୍ପାଦନ କରୁଥିଲେ କହ । ସେମାନେ ବନଜାତ ଦ୍ରବ୍ୟ ଭୋଜନ କରୁଥିଲେ କି କୃଷିଜାତ ଦ୍ରବ୍ୟଦ୍ୱାରା ଭୋଜନ ନିର୍ବାହ କରିଥିଲେ, ତାହା ଆପଣ ଆମ୍ଭ ନିକଟରେ ବିଶେଷରୂପେ ବ୍ୟକ୍ତ କରନ୍ତୁ । ୩ ।

 

ବୈଶମ୍ପାୟନ ବୋଇଲେ, ହେ ରାଜନ୍‌ ! ପୁରୁଷେନ୍ଦ୍ର ପାଣ୍ଡବମାନେ ଯେଉଁ ଶରରେ ମୃଗ ବଧ କରନ୍ତି, ସେ ଶରରେ ବିଷଲିପ୍ତ ହୋଇନଥାଏ । ସେହି ମୃଗୟାର ମାଂସକୁ ଓ ନୀବାରାଦି ବନ୍ୟଶସ୍ୟର ଅଗ୍ରଭାଗ ବ୍ରାହ୍ମଣମାନଙ୍କୁ ନିବେଦନ କରି ଅବଶିଷ୍ଟ ଭାଗ ସ୍ୱୟଂ ଭୋଜନ କରନ୍ତି । ୪-। ମହାଧନୁର୍ଦ୍ଧର ଓ ଶୂର ପାଣ୍ଡବମାନେ ବନବାସ କଲାବେଳେ ତାହାଙ୍କ ସମଭିବ୍ୟାହାରରେ ଦଶ ସହସ୍ର ସାଗ୍ନିକ ଓ ନିରଗ୍ନିକ ମୋକ୍ଷଧର୍ମବେତ୍ତା ମହାତ୍ମା ସ୍ନାତକ ବ୍ରାହ୍ମଣମାନେ ସେମାନଙ୍କର ସଙ୍ଗୀ ହୋଇଥିଲେ । ରାଜା ଯୁଧିଷ୍ଠିର ସେହି ଅରଣ୍ୟ ମଧ୍ୟରେ ସୁଦ୍ଧା ସେମାନଙ୍କୁ ପ୍ରତିପାଳନ କରୁଥିଲେ । ସେ ବିବିଧ ବାଣଦ୍ୱାରା କୃଷ୍ଣସାର ମୃଗ ଓ ଅନ୍ୟାନ୍ୟ ପବିତ୍ର ପଶୁମାନଙ୍କୁ ଉନ୍ମଥିତ କରି ବ୍ରାହ୍ମଣମାନଙ୍କୁ ନିବେଦନ କରୁଥିଲେ । ୭ । ତାହାଙ୍କ ସଙ୍ଗରେ ଯେତେ ଲୋକ ଥିଲେ, ତନ୍ମଧ୍ୟରୁ କେହି ଦୁର୍ବର୍ଣ୍ଣ, ବ୍ୟାଧିଗ୍ରସ୍ତ, କି କୃଶ, କି ଦୁର୍ବଳ କିମ୍ବା ଦୀନ ଓ ଭୀତ ନ ଥିଲେ । ୮ । କୌରବ-ପ୍ରଧାନ ଧର୍ମରାଜ ଯୁଧିଷ୍ଠିର ଭ୍ରାତାମାନଙ୍କୁ ପ୍ରିୟପୁତ୍ର ସଦୃଶ ଓ ଜ୍ଞାତିବର୍ଗଙ୍କୁ ସହୋଦର ସମାନ ପୋଷଣ କରୁଥିଲେ । ୯ । ଯଶସ୍ୱିନୀ ଦ୍ରୌପଦୀ ମଧ୍ୟ ମାତା ପ୍ରାୟ ସ୍ନେହପରାୟଣ ହୋଇ ଦ୍ୱିଜାତିମାନଙ୍କୁ ଓ ପତିମାନଙ୍କୁ ଅଗ୍ରେ ଭୋଜନ କରାଇ ପଶ୍ଚାତ୍ ଅବଶିଷ୍ଟ ଯାହା ଥାଏ, ସ୍ୱୟଂ ତାହା ଭୋଜନ କରୁଥିଲେ । ୧୦ । ରାଜା ଯୁଧିଷ୍ଠିର ପୂର୍ବ ଦିଗକୁ, ଭୀମସେନ ଦକ୍ଷିଣ ଦିଗକୁ, ନକୁଳ ଓ ସହଦେବ ପଶ୍ଚିମ ଓ ଉତ୍ତର ଦିଗକୁ ଧନୁ ଧରି ପାରିଧି କରିବାକୁ ଗମନ କରନ୍ତି । ୧୧ । ପାଣ୍ଡବମାନେ ଏହିରୂପେ ସେଠାରେ ବସତି କରି ଅର୍ଜୁନ-ବିହୀନ ହୋଇ ଔତ୍ସୁକ୍ୟପୂର୍ବକ ଅଧ୍ୟୟନ, ଜପ ଓ ହୋମର ଅନୁଷ୍ଠାନରେ ବ୍ୟାପୃତ ରହି ପଞ୍ଚବର୍ଷକାଳ ଅତିବାହିତ କଲେ । ୧୨ ।

 

॥ ଅଧ୍ୟାୟ – ୫୧ ॥

 

ବୈଶମ୍ପାୟନ ବୋଇଲେ– ହେ ପୁରୁଷପ୍ରଧାନ ! ଅମ୍ବିକା-ନନ୍ଦନ ଧୃତରାଷ୍ଟ୍ର ପାଣ୍ଡବମାନଙ୍କର ସେହି ଅଲୌକିକ ଓ ଅଦ୍ଭୁତ ଚରିତ୍ର ଶ୍ରବଣ କରି ଚିନ୍ତା ଓ ଶୋକରେ ବ୍ୟାକୁଳିତ ହୋଇ ଦୀନଭାବରେ ଉଷ୍ଣ ନିଃଶ୍ୱାସ ପରିତ୍ୟାଗ କରି ସଞ୍ଜୟଙ୍କୁ ସମ୍ବୋଧନପୂର୍ବକ କହିଲେ । ୧ । ହେ ସଞ୍ଜୟ ! ଆମ୍ଭ ପୁତ୍ରମାନଙ୍କର ଅନୁଷ୍ଠିତ ଦ୍ୟୂତକ୍ରୀଡ଼ାର ଘୋର ଦୁର୍ନୀତି ଓ ଅପରିମିତ, ତେଜସ୍ୱୀ ପାଣ୍ଡୁକୁମାରମାନଙ୍କର ଶୂରପଣ, ଧୈର୍ଯ୍ୟଗୁଣ ଓ ପରସ୍ପର ଅଲୌକିକ ଅନୁରାଗ ବିଷୟ ଭାବନା କରି ଦିବାରାତ୍ର ମଧ୍ୟରେ କ୍ଷଣକାଳ ସୁଦ୍ଧା ଶାନ୍ତିଲାଭ କରିବାକୁ ପାରୁନାହୁଁ । ୪ । ଇନ୍ଦ୍ରସମ ତେଜସ୍ୱୀ, ମହାଭାଗ, ଦେବପୁତ୍ର ନକୁଳ ଓ ସହଦେବ ଏହି ଦୁଇ ପାଣ୍ଡବ ସ୍ୱଭାବରେ ଯୁଦ୍ଧଦୁର୍ମଦ, ଦୃଢ଼ାୟୁଧ, ଦୂରଲକ୍ଷ୍ୟଭେଦୀ, ଯୁଦ୍ଧରେ ଦୃଢ଼ନିଷ୍ଠ, ଲଘୁହସ୍ତ, ପ୍ରଗାଢ଼, କ୍ରୋଧାନ୍ୱିତ, ନିତ୍ୟ ଉଦ୍ୟୋଗୀ, ବେଗଶୀଳ ଓ ସିଂହସମ ବିକ୍ରମଶୀଳ ଓ ଅଶ୍ୱିନୀକୁମାରଙ୍କ ସଦୃଶ ଦୁଃସହ ହୋଇ ଯେତେବେଳେ ଭୀମାର୍ଜୁନଙ୍କ ସମ୍ମୁଖରେ ରଣଭୂମିରେ ଦଣ୍ଡାୟମାନ ହେବେ, । ୭ । ତେତେବେଳେ ଆମ୍ଭେ ଜାଣୁଅଛୁଁ ଯେ, ଆମ୍ଭ ସୈନ୍ୟମାନଙ୍କର ଅବଶେଷ ରହିବ ନାହିଁ । ୮ । ଯୁଦ୍ଧରେ ପ୍ରତିରଥୀରହିତ ଅତିକ୍ରୋଧୀ ମହାରଥ ଦେବପୁତ୍ର ଦ୍ୱୟ, ମହାଧନୁର୍ଦ୍ଧର ମହାତେଜସ୍ୱୀ ବୃଷ୍ଣିକୁଳ ଓ ପଞ୍ଚାଳଗଣ କେହି ଦ୍ରୌପଦୀଙ୍କର ସେହି କ୍ଲେଶକୁ ସ୍ମରଣକରି କ୍ଷମା କରିବେ ନାହିଁ । ପୃଥାନନ୍ଦନମାନେ ଯୁଦ୍ଧସ୍ଥଳରେ ବାସୁଦେବଙ୍କକର୍ତ୍ତୃକ ରକ୍ଷିତ ହୋଇ ଆମ୍ଭ ପୁତ୍ରମାନଙ୍କର ବାହିନୀଶ୍ରେଣୀକୁ ଦଗ୍ଧ କରିବେ; ଏଥିରେ ସନ୍ଦେହ ନାହିଁ । ୧୦ ।

 

ହେ ସୂତନନ୍ଦନ ! ଯେତେବେଳେ ଯୁଦ୍ଧସ୍ଥାନରେ ବୃଷ୍ଣି ବୀରମାନେ ରାମ ଓ କୃଷ୍ଣଙ୍କଦ୍ୱାରା ପ୍ରଣୀତ ହେବେ, ତେତେବେଳେ ଆମ୍ଭର ଏମାନେ ସମସ୍ତେ ଏକତ୍ରିତ ହେଲେ ହେଁ, ସେମାନଙ୍କର ବେଗ ସହ୍ୟ କରିବାକୁ ସମର୍ଥ ହେବେ ନାହିଁ । ୧୧ । ତନ୍ମଧ୍ୟରେ ମହାଧନୁର୍ଦ୍ଧର, ଭୀମପରାକ୍ରମ ଭୀମସେନ ଯେତେବେଳେ ବୀରଘାତିନୀ, ଲୋହମୟୀ ଗଦାକୁ ହସ୍ତରେ ଘେନି ବିଚରଣ କରିବେ ଓ ଗାଣ୍ଡୀବ ଧନୁରୁ ଅର୍ଜୁନ ଯେତେବେଳେ ବଜ୍ରସମ ମହାନିର୍ଘୋଷ ଉତ୍ପାଦନ କରିବେ, ତେତେବେଳେ ରାଜାମାନଙ୍କ ମଧ୍ୟରୁ କେହି ସୁଦ୍ଧା ସେମାନଙ୍କର ବେଗ ସହ୍ୟ କରିପାରିବେ ନାହିଁ । ତେତେବେଳେ ଆମ୍ଭେ ସୁହୃଦ ବଦାନ୍ୟ ସବୁ ସ୍ମରଣ କରୁଥିବୁ, ଯେହେତୁରୁ ଆମ୍ଭେ ଦୁର୍ଯ୍ୟୋଧନଙ୍କ ବଶବର୍ତ୍ତୀ ହୋଇ ସେହି ଉପଦେଶମାନଙ୍କୁ ପ୍ରତିପାଳନ କରି ନାହୁଁ । ୧୪ ।

 

ସଞ୍ଜୟ କହିଲେ–ମହାରାଜ, ଆପଣଙ୍କର ଏହି ଗୋଟିଏ ମହାବ୍ୟତିକ୍ରମ ହୋଇଅଛି ଯେ, ଆପଣ ସମର୍ଥ ହୋଇ ସୁଦ୍ଧା ମୋହବଶରୁ ଆପଣାର ପୁତ୍ରକୁ ଉପେକ୍ଷା କରି ଦୁଷ୍କର୍ମରୁ ନିବୃତ୍ତ କରାଇ ନାହାନ୍ତି । ୧୫ । ଅଚ୍ୟୁତ ମଧୁସୂଦନ ପାଣ୍ଡବମାନଙ୍କର ଦ୍ୟୂତରେ ପରାଜୟ ବାର୍ତ୍ତା ଶ୍ରବଣ କରି, ଶୀଘ୍ର କାମ୍ୟକ ବନକୁ ଆଗମନ କରି, ସେମାନଙ୍କୁ ଆଶ୍ୱାସିତ କରିଅଛନ୍ତି । ୧୬ । ହେ ରାଜନ୍ ! ଧୃଷ୍ଟଦ୍ୟୁମ୍ନ ପ୍ରଭୃତି ଦ୍ରୁପଦପୁତ୍ରମାନେ ବିରାଟ, ଧୃଷ୍ଟକେତୁ ଓ କେକୟାଧିପତି ମହାରାଜବର୍ଗ ପାଣ୍ଡବମାନଙ୍କୁ ପରାଜିତ ହେବାର ଦେଖି ଯାହା କହିଅଛନ୍ତି, ତାହା ଆମ୍ଭେ ଚରଦ୍ୱାରା ସମସ୍ତ ଅବଗତ ହୋଇଅଛୁ ଓ ତାହା ଆପଣଙ୍କୁ ମଧ୍ୟ ଜଣାଉଅଛୁ, ଶ୍ରବଣ କରନ୍ତୁ । ୧୮ । ମଧୁସୂଦନ ସେଠାରେ ସମାଗତ ପାଣ୍ଡବମାନଙ୍କଦ୍ୱାରା ପରିବୃତ୍ତ ହୋଇ ଯୁଦ୍ଧସ୍ଥଳରେ ଅର୍ଜୁନଙ୍କ ସାରଥି ହେବେ ବୋଲି ସ୍ୱୀକାର କରିଅଛନ୍ତି । ପାଣ୍ଡବମାନଙ୍କର ତାଦୃଶ ଦୁରବସ୍ଥା ଦେଖି ଉତ୍ତରୀୟ ବସନହୀନ ଓ କୃଷ୍ଣାଜିନ ପରିଧାନ କରିଥିବାର ବିଲୋକନ କରି କ୍ରୁଦ୍ଧ ହୋଇ ଯୁଧିଷ୍ଠିର କହିଲେ, ଇନ୍ଦ୍ରସ୍ଥଳରେ ରାଜସୂୟ ଯଜ୍ଞରେ ପାର୍ଥଙ୍କର ଯେଉଁ ସମୃଦ୍ଧି ଦେଖିଥିଲୁ ତାହା ଅନ୍ୟ ରାଜାଙ୍କର ଅତି ଦୁର୍ଲଭ । ସେହି ଯଜ୍ଞରେ ଅଙ୍ଗ, ବଙ୍ଗ, ପୌଣ୍ଡ୍ର, ଓଡ଼୍ର, ଚୋଳ, ଦ୍ରବିଡ଼, ଅନ୍ଧକ, ସାଗର, ଅନୂପ, ପତନ, ସିଂହଳ, ବର୍ବର, ମ୍ଳେଚ୍ଛ, ଲଙ୍କା, ଶତ ଶତ ପାଶ୍ଚାତ୍ୟ ରାଜ୍ୟ, ସାଗରସନ୍ନିହିତ ପଲ୍ଲବ, ଦରଦ, କିରାତ, ଯବନ, ଶକ, ହାର ହୂଣ, ଚୀନ, ତୁଖାର, ବାତୁଷାର, ସୈନ୍ଧବ, ଜାଗୁଡ଼, ରମଠ, ମୁଣ୍ଡ, ସ୍ୱରାଜ୍ୟ, ତଙ୍ଗଣ, କେକୟ, ମାଳବ ଓ କାଶ୍ମୀର ଦେଶୀୟ ମହୀପାଳମାନଙ୍କୁ ପାର୍ଥଙ୍କ ଅସ୍ତ୍ରତେଜରେ ଭୟରେ ଅର୍ଦ୍ଦିତ ଓ ଆହୂତ ହୋଇ ପରିଚର୍ଯ୍ୟା କରିଥିବାର ଦେଖିଅଛୁ !

 

ହେ କୁରୁନନ୍ଦନ ! ଦୁର୍ଯ୍ୟୋଧନ, କର୍ଣ୍ଣ, ଦୁଃଶାସନ ଓ ସୁବଳପୁତ୍ର ଶକୁନି ଆପଣଙ୍କର ସେହି ଚପଳା ଓ ନୀଚଗାମିନୀ ସମୃଦ୍ଧିକୁ ହରଣ କରିଅଛନ୍ତି । ସେହି ଅପରାଧରେ ଏମାନଙ୍କୁ ଓ ଅପର ଯେଉଁ ବ୍ୟକ୍ତିମାନେ ଏମାନଙ୍କ ସାହାଯ୍ୟାର୍ଥ ଆମ୍ଭମାନଙ୍କ ସହିତ ପ୍ରତିଯୁଦ୍ଧ କରିବେ ସେମାନଙ୍କୁ, ଭୀମସେନ, ଅର୍ଜୁନ, ନକୁଳ, ସହଦେବ ଅକ୍ରୂର, ଗଦ, ଶାମ୍ବ, ପ୍ରଦ୍ୟୁମ୍ନ, ଆହୁକ, ବୀର ଧୃଷ୍ଟଦ୍ୟୁମ୍ନ ଓ ଶିଶୁପାଳପୁତ୍ର ଧୃତକେତୁଙ୍କ ସହିତ ମିଳିତ ହୋଇ ଆମ୍ଭେ ଯୁଦ୍ଧରେ ସଦ୍ୟ ଦହନ କରି ସେମାନଙ୍କ ଜୀବନଗ୍ରହଣପୂର୍ବକ ସେହି ସମୃଦ୍ଧିକୁ ପୁନରାହରଣ କରିବୁ । ଅନନ୍ତର ଆପଣ ଦୁର୍ଯ୍ୟୋଧନଙ୍କର ସେହି ସମ୍ପତ୍ତି ପ୍ରାପ୍ତ ହୋଇ ହସ୍ତିନାପୁରରେ ଭ୍ରାତୃଗଣଙ୍କ ସହିତ ବସତି କରି ଏହି ପୃଥିବୀକୁ ଶାସନ କରିବା ହେବେ । ତଦନନ୍ତର ରାଜା ଯୁଧିଷ୍ଠିର ସେହି ବୀରସମାଜରେ ଧୃଷ୍ଟଦ୍ୟୁମ୍ନ ପ୍ରଭୃତିଙ୍କ ସମ୍ବନ୍ଧରେ କୃଷ୍ଣଙ୍କୁ କହିଲେ । ୩୧ । ହେ ମହାବାହୁ ଜନାର୍ଦ୍ଦନ ! ତୁମ୍ଭେ ଯାହା କହିଲ, ତାହା ସତ୍ୟସ୍ୱରୂପ ସ୍ୱୀକାର କରୁଅଛୁ । କିନ୍ତୁ ତ୍ରୟୋଦଶ ବର୍ଷ ପରେ ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସବାନ୍ଧବ ବିନାଶ କରିବା ହେବେ । ହେ କେଶବ ! ତୁମ୍ଭେ ଏହା କରି ଆମ୍ଭର ସତ୍ୟରକ୍ଷା କରିବ, ଯେହେତୁ ଆମ୍ଭେ ରାଜାଗଣଙ୍କ ମଧ୍ୟରେ ତ୍ରୟୋଦଶ ବର୍ଷ ସମୟ ବନବାସାଦି ପ୍ରତିଜ୍ଞା କରିଅଛୁଁ ।

 

ଧୃଷ୍ଟଦ୍ୟୁମ୍ନ ପ୍ରଭୃତି ସେହି ସଭାସଦ୍‌ମାନେ ଧର୍ମରାଜ ଯୁଧିଷ୍ଠିରଙ୍କର ସେହି କଥାରେ ସମ୍ମତ ହୋଇ ଅମର୍ଷାପନ୍ନ କେଶବଙ୍କୁ ଶୀଘ୍ର ଶାନ୍ତ କଲେ ଓ ତାହାଙ୍କ ସମକ୍ଷରେ ପାଞ୍ଚାଳୀଙ୍କୁ କହିଲେ, “ହେ ଦେବି ! ବରବର୍ଣ୍ଣିନି ! ତୁମ୍ଭର କ୍ରୋଧ ହେତୁରୁ ଦୁର୍ଯ୍ୟୋଧନ ଜୀବନ ପରିତ୍ୟାଗ କରିବ । ୩୬-। ଓ ଆମ୍ଭେମାନେ ମଧ୍ୟ ସତ୍ୟକରି ପ୍ରତିଜ୍ଞା କରୁଅଛୁଁ ଯେ, ସେ ଜୀବନ ତ୍ୟାଗ କରିବ-। ଅତଏବ ତୁମ୍ଭେ ଶୋକ କରନାହିଁ । ହେ କୃଷ୍ଣେ ! ଯେଉଁମାନେ ତୁମ୍ଭଙ୍କୁ ଦ୍ୟୂତକ୍ରୀଡ଼ାରେ ଜୟକରି ତୁମ୍ଭ ପ୍ରତି ଦୃଷ୍ଟିପାତ କରି ହାସ୍ୟ କରିଥିଲେ, ସେମାନଙ୍କର ମାଂସକୁ ବୃକ ଓ ହିଂସ୍ର ପଶୁମାନେ ଆକର୍ଷଣ କରି ସେହିରୂପ ହାସ୍ୟ କରିବେ । ଯେଉଁମାନେ ତୁମ୍ଭଙ୍କୁ ରାଜସଭାକୁ ଆକର୍ଷଣ କରି ଆଣିଥିଲେ, ଗୃଧ୍ର ଓ ଶୃଗାଳମାନେ ସେମାନଙ୍କ ମସ୍ତକକୁ ଆକର୍ଷଣ କରି ଶୋଣିତ ପାନ କରିବେ । ୩୮ । ତୁମ୍ଭେ ଦେଖିବ ଯେ, ମାଂସାଶୀ ଜନ୍ତୁମାନେ ସେମାନଙ୍କ ଶରୀରକୁ ଓ ମସ୍ତକକୁ ଭୂତଳରେ ପୁନଃ ପୁନଃ ଆକର୍ଷଣ କରି ଭକ୍ଷଣ କରିବେ । ୩୯ । ଯେଉଁମାନେ ସେହି ଭାବରେ ତୁମ୍ଭଙ୍କୁ କ୍ଳେଶ ଦେଇଅଛନ୍ତି ଓ ଘୃଣିତ ବାକ୍ୟରେ ଉପେକ୍ଷା କରିଥିଲେ, ସେହିମାନେ ଛିନ୍ନ ମସ୍ତକରେ ଭୂତଳରେ ନିପତିତ ହେବେ ଓ ପୃଥିବୀ ସେମାନଙ୍କର ରକ୍ତପାନ କରିବ । ୪୦ ।

 

ହେ ଭରତଶ୍ରେଷ୍ଠ ! ଯୁଦ୍ଧଲକ୍ଷଣାକ୍ରାନ୍ତ, ତେଜସ୍ୱୀ ସେହିସବୁ ବୀର ଏହିପରି ଅନେକ ବାକ୍ୟ କହିଅଛନ୍ତି । ଅତଏବ ସେହିସବୁ ମହାରଥୀମାନେ, ତ୍ରୟୋଦଶ ବର୍ଷ ପୂର୍ଣ୍ଣ ହେବା ମାତ୍ରେ ଧର୍ମରାଜଙ୍କକର୍ତ୍ତୃକ ବୃତହୋଇ ବାସୁଦେବଙ୍କୁ ଅଗ୍ରେକରି ଉପସ୍ଥିତ ହେବେ, ଏଥିରେ ସନ୍ଦେହ ନାହିଁ । ରାମ, କୃଷ୍ଣ, ଧନଞ୍ଜୟ, ପ୍ରଦ୍ୟୁମ୍ନ, ଶାମ୍ବ, ସାତ୍ୟକି, ଭୀମ, ନକୁଳ, ସହଦେବ, ମତ୍ସ୍ୟରାଜ, କେକୟ ଓ ପଞ୍ଚାଳଦେଶୀୟ ରାଜପୁତ୍ର-ବର୍ଗ- ଏମାନେ ସମସ୍ତେ ଅପରାଜେୟ ଓ ଲୋକପ୍ରସିଦ୍ଧ ବୀର ଅଟନ୍ତି । ଏମାନେ ଯେତେବେଳେ ସ୍ୱକୀୟ ବନ୍ଧୁବାନ୍ଧବ ଓ ସେନାସମୂହ ଘେନି ସମରରେ ଉଦ୍ୟତ ହେବେ, ତେତେବେଳେ ଯାହାର ଜୀବନକୁ ଆଶା ଥିବ, ଏପରି କେଉଁ ଲୋକ, କ୍ରୁଦ୍ଧସିଂହ ସମ୍ମୁଖକୁ ଗଲା ପ୍ରାୟ ଏମାନଙ୍କ ସମ୍ମୁଖ ରଣରେ ଅଗ୍ରସର ହେବ ? ୪୪ ।

 

ଧୃତରାଷ୍ଟ୍ର ବୋଇଲେ–ହେ ସଞ୍ଜୟ ! ଦ୍ୟୂତକ୍ରୀଡ଼ା ବେଳେ ବିଦୁର ଆମ୍ଭଙ୍କୁ କହିଥିଲେ ଯେ, ହେ ନରେନ୍ଦ୍ର ! ଯଦି ଆପଣ ପାଣ୍ଡବମାନଙ୍କୁ ଦ୍ୟୂତକ୍ରୀଡ଼ାରେ ପରାଜିତ କରନ୍ତି, ତେବେ ନିଶ୍ଚୟ କୁରୁମାନଙ୍କର ଶୋଣିତ ପ୍ରବାହିତ ହେବ ଓ ମହାଭୟଙ୍କର ଅନ୍ତକାଳ ଉପସ୍ଥିତ ହେବ । ୪୫ । ଏବେ ଆମ୍ଭେ ବିବେଚନା କରୁଅଛୁଁ ଯେ, ପୂର୍ବେ ବିଦୁର ଆମ୍ଭଙ୍କୁ ଯାହା ଯାହା କହିଥିଲେ, ତାହା ଅବଶ୍ୟ ଘଟିବ । ପାଣ୍ଡବମାନଙ୍କର ପ୍ରତିଜ୍ଞାତ କାଳ ଅତୀତ ହେଲା କ୍ଷଣି ଯୁଦ୍ଧ ଉପସ୍ଥିତ ହେବ, ସନ୍ଦେହ ନାହିଁ ।

 

॥ ଅଧ୍ୟାୟ – ୫୨ ॥

 

ଜନେମେଜୟ ପଚାରିଲେ, “ମହାତ୍ମା ଅର୍ଜୁନ ଅସ୍ତ୍ରପ୍ରାପ୍ତି ନିମିତ୍ତ ସ୍ୱର୍ଗକୁ ଗଲାରୁ ଯୁଧିଷ୍ଠିର ପ୍ରଭୃତି ପାଣ୍ଡବମାନେ କିରୂପେ କାଳାତିପାତ କଲେ ? ୧ । ବୈଶମ୍ପାୟନ ବୋଇଲେ, ମହାତ୍ମା ପାର୍ଥ ଇନ୍ଦ୍ରଲୋକକୁ ଗମନ କଲା ଉତ୍ତାରୁ ଭରତବଂଶଶ୍ରେଷ୍ଠ ପାଣ୍ଡବମାନେ କୃଷ୍ଣଙ୍କ ସହିତ କାମ୍ୟକ ବନରେ ବାସ କରି ରହିଲେ । ୨ । ଏକଦା ସେମାନେ ଦ୍ରୌପଦୀଙ୍କ ସହିତ ନିର୍ଜନରେ ଗୋଟିଏ ଯବସ-ଶୋଭିତ ଭୂମିରେ ଦୁଃଖାର୍ତ୍ତ ହୋଇ ଉପବିଷ୍ଟ ହେଲେ ଓ ଅର୍ଜୁନଙ୍କ ନିମିତ୍ତ ଅତିଶୟ ଦୁଃଖିତ ହେବାରୁ ଅଶ୍ରୁପୂର୍ଣ୍ଣ କଣ୍ଠରେ ସେହି ଭରତଶ୍ରେଷ୍ଠ ପୁରୁଷମାନେ ପରସ୍ପର କଥା କହିବାକୁ ମଧ୍ୟ ଅକ୍ଷମ ହେଲେ । ୪ । ଏକେ ରାଜ୍ୟରୁ ଭ୍ରଷ୍ଟ ହୋଇଅଛନ୍ତି, ଏଥିପରେ ଅର୍ଜୁନଙ୍କ ବିଚ୍ଛେଦ ହେତୁରୁ ସେମାନେ ବିଶେଷରେ ଦୁଃଖିତ ହେଲେ ।

 

ଅନନ୍ତର ମହାବାହୁ ଭୀମ ଯୁଧିଷ୍ଠିରଙ୍କୁ କହିଲେ । ୫ । ହେ ମହାରାଜ ! ଆପଣଙ୍କ ଆଦେଶରେ ଭରତଶ୍ରେଷ୍ଠ ଅର୍ଜୁନ ପ୍ରସ୍ଥାନ କଲେ । ପାଣ୍ଡୁପୁତ୍ରମାନଙ୍କର ପ୍ରାଣ ତାହାଙ୍କ ଠାରେ ପ୍ରତିଷ୍ଠିତ ଅଛି । ୬ । ସେ ବିନଷ୍ଟ ହେଲେ, ପାଞ୍ଚାଳ ରାଜପୁତ୍ରମାନେ, ବାସୁଦେବ, ସାତ୍ୟକୀ ଓ ଆମ୍ଭେମାନେ ସପୁତ୍ର ବିନଷ୍ଟ ହେବୁ, ଏଥିରେ ସଂଶୟ ନାହିଁ । ୭ । ସେହି ଧର୍ମାତ୍ମା ଯେ ବହୁ କ୍ଳେଶ ପାଇବାର ଭାବନା କରି ସୁଦ୍ଧା ଆପଣଙ୍କ ଆଦେଶରେ ଗମନ କଲେ, ଏହା ଅପେକ୍ଷା ଅଧିକ ଦୁଃଖ ଆମ୍ଭର କ’ଣ ଅଛି ? ୮ । ଯେଉଁ ମହାତ୍ମାଙ୍କ ବାହୁକୁ ଆଶ୍ରୟ କରି ଆମ୍ଭେମାନେ ସମସ୍ତେ ଶତ୍ରୁଙ୍କୁ ଜୟ କଲୁ ବୋଲି ଓ ରାଜ୍ୟକୁ ଫେରିପାଇ ସାରିଲୁଣି ବୋଲି ବୋଧ କରୁଅଛୁ । ୯ । ଯେଉଁ ଧାନୁଷ୍କ ମହାତ୍ମାଙ୍କ ପ୍ରଭାବରେ ଶକୁନି ଓ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ମୁଁ ସଭା ମଧ୍ୟରେ ଯମସଦନକୁ ପ୍ରେରଣ ନ କଲି, ଆମ୍ଭମାନଙ୍କ ମନରେ ଯେଉଁ କ୍ରୋଧ ଜାତ ହୋଇଅଛି, ଆପଣ ତାହାର ମୂଳ । ସୁତରାଂ ଆମ୍ଭେ ବାହୁବଳଶାଳୀ ଓ ବାସୁଦେବଙ୍କଦ୍ୱାରା ରକ୍ଷିତ ହୋଇଥିଲେ ହେଁ କ୍ରୋଧ ସମ୍ବରଣ କରି ରହିଅଛୁ; ନତୁବା ଆମ୍ଭେ କୃଷ୍ଣଙ୍କ ସାହାଯ୍ୟରେ କର୍ଣ୍ଣ ପ୍ରଭୃତି ଶତ୍ରୁମାନଙ୍କୁ ବିନାଶ କରି ନିଜର ବାହୁବଳାର୍ଜିତ ଧରାମଣ୍ଡଳକୁ ଶାସନ କରନ୍ତୁ । ୧୨ । ଆମ୍ଭେମାନେ ପୌରୁଷାନ୍ୱିତ ହୋଇ ସୁଦ୍ଧା ଆପଣଙ୍କ ଦ୍ୟୂତଦୋଷରୁ ଏତାଦୃଶ ବିପଦଗ୍ରସ୍ତ ହୋଇଅଛୁ । କିନ୍ତୁ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଅଧୀନସ୍ଥ ନୃପତିମାନଙ୍କ ଠାରୁ ଉପହାର ଗ୍ରହଣ କରି କ୍ରମେ ଅଧିକ ବଳଶାଳୀ ହେଉଅଛନ୍ତି । ୧୩-

 

ହେ ମହାରାଜ ! ଆପଣ କ୍ଷତ୍ରିୟ-ଧର୍ମ ପ୍ରତି ଦୃଷ୍ଟିପାତ କରନ୍ତୁ । ବନବାସ କରିବା କ୍ଷତ୍ରିୟର ଧର୍ମ ନୁହେଁ । ପଣ୍ଡିତମାନେ କହିଅଛନ୍ତି, ରାଜତ୍ୱ କରିବା କ୍ଷତ୍ରିୟମାନଙ୍କର ପରମ ଧର୍ମ । ଅତଏବ ଆପଣ କ୍ଷତ୍ରିୟ-ଧର୍ମଜ୍ଞ; କ୍ଷତ୍ରିୟ ହୋଇ ଧର୍ମପଥକୁ ବିନଷ୍ଟ କରିବେ ନାହିଁ । ୧୫ । ହେ ରାଜନ୍‌ ! ଆପଣ ଦ୍ୱାଦଶ ବର୍ଷ ପୂର୍ବରୁ ବନବାସରୁ ନିବୃତ୍ତ ହୋଇ କୃଷ୍ଣ ଓ ପାର୍ଥଙ୍କୁ ଅଣାଇ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ସଂହାର କରନ୍ତୁ । ୧୬ । ହେ ମହାମତି ! ମହାରାଜ ! ସେମାନେ ସୈନ୍ୟବ୍ୟୂହ ମଧ୍ୟରେ ଥିଲେ ହେଁ, ଆମ୍ଭେମାନେ ବଳପୂର୍ବକ ସେମାନଙ୍କୁ ସଂହାର କରିପାରିବୁ । ୧୭ । ଆମ୍ଭେ ଏକାକୀ ସବୁ ପୁତ୍ରଙ୍କୁ ହନନ କରିବୁ । ଦୁର୍ଯ୍ୟୋଧନ ବା କର୍ଣ୍ଣ ଅଥବା ଅନ୍ୟ ଯେ କେହି ପ୍ରତିଯୁଦ୍ଧ କରିବେ, ସେ ସମସ୍ତଙ୍କୁ ଯମଘରେ ଅତିଥି କରିବୁ । ୧୮ । ହେ ନରପତେ ! ଆମ୍ଭେ ଆଗ ଯାଇ ଶତ୍ରୁମାନଙ୍କୁ ବିନାଶ କରୁଁ । ଆପଣ ପଶ୍ଚାତ୍ ପୁନର୍ବାର ବନକୁ ଗମନ କରିବେ; ଏପରି ହେଲେ ଆପଣଙ୍କର ପ୍ରତିଜ୍ଞା ଭଙ୍ଗଜନିତ ଦୋଷ ହେବ ନାହିଁ । ୧୯ ।

 

ହେ ଅରିନ୍ଦମ ! ନରଦେବ ! ଏପରି କାର୍ଯ୍ୟ କଲେ ଯଦ୍ୟପି ଆମ୍ଭମାନଙ୍କର ଶତ୍ରୁବଧ ଦୋଷ ଘଟେ, ତେବେ ଆମ୍ଭେମାନେ ବିବିଧ ଯଜ୍ଞଦ୍ୱାରା ସେ ଦୋଷକୁ ପ୍ରକ୍ଷାଳନ କରି ତତ୍‍ପରେ ଉତ୍କୃଷ୍ଟ ସ୍ୱର୍ଗପ୍ରାପ୍ତ ହୋଇପାରିବା । ୨୦ । ହାୟ ! ଆମ୍ଭମାନଙ୍କର ରାଜା ଯେବେ ଅପଣ୍ଡିତ ଓ ଦୀର୍ଘସୂତ୍ରୀ ନ ହୋଇଥାନ୍ତେ, ତେବେ ଆମ୍ଭେମାନେ ଅନାୟାସରେ ଏପରି କରିପାରନ୍ତୁ । ଆପଣ ଧର୍ମପରାୟଣ, ଆପଣଙ୍କ ଠାରେ କହିବା ବାହୁଲ୍ୟ । ୨୧ । ଯେ ଏହା ନିଶ୍ଚିତ ଅଛି ଯେ, ଧୂର୍ତ୍ତ ବ୍ୟକ୍ତିମାନଙ୍କୁ ଧୂର୍ତ୍ତତାଦ୍ୱାରା ବିନାଶ କଲେ ତହିଁରେ ପାପ ହୁଏ ନାହିଁ । ହେ ମହାରାଜ ! ଧର୍ମଶାସ୍ତ୍ରଜ୍ଞ ପଣ୍ଡିତମାନେ ଏକ ଅହୋରାତ୍ରକୁ ଏକ ସମ୍ବତ୍ସର ସମାନ ଜ୍ଞାନ କରନ୍ତି । ୨୩ । ହେ ବିଭୋ ! ଏପରି ବେଦବାକ୍ୟ ମଧ୍ୟ ଶୁଣାଯାଏ ଯେ, ଅତି ଅଳ୍ପ କଷ୍ଟସାଧ୍ୟ କର୍ମ କଲେ ଅଳ୍ପ ସମୟରେ ମଧ୍ୟ ସମ୍ବତ୍ସର ପୂର୍ଣ୍ଣ ବୋଲି ଜ୍ଞାନ କରାଯାଏ । ୨୪ । ଯଦି ଆପଣଙ୍କ ନିକଟରେ ବେଦବାକ୍ୟ ପ୍ରମାଣ ହୁଏ, ତେବେ ତ୍ରୟୋଦଶ ଦିବସ କାଳକୁ ତ୍ରୟୋଦଶ ସମ୍ବତ୍ସର ଜ୍ଞାନ କରନ୍ତୁ । ୨୫ । ହେ ଶତ୍ରୁନାଶକ ! ଆମ୍ଭେ ଯେଉଁ ସମୟ କହିଲୁ, ଏହି ସମୟ ଦୁର୍ଯ୍ୟୋଧନ ଓ ତାହାର ସହାୟକାରୀମାନଙ୍କୁ ବିନାଶ କରିବାର ଉପଯୁକ୍ତ ସମୟ ଅଟେ । ଏହା ନ କଲେ ଆମ୍ଭେ ଯୁଦ୍ଧ କରିବା ପୂର୍ବରୁ ସେ ପୃଥିବୀକୁ ଆପଣାର ସମ୍ପୂର୍ଣ୍ଣ ଅଧୀନ କରିବ । ୨୬ ।

 

ହେ ରାଜେନ୍ଦ୍ର ! ଆପଣ ଦ୍ୟୂତପ୍ରିୟ ହୋଇ ଯେଉଁ ଅଜ୍ଞାତ ବନବାସ କରିବାକୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ଦ୍ୱାରା ଆମ୍ଭେମାନେ ପ୍ରାୟ ନିପାତିତ ହୋଇଅଛୁ । ୨୮ । ସେହି କପଟୀ ପୁରୁଷାଧମ ଆମ୍ଭମାନଙ୍କୁ ସମସ୍ତଙ୍କୁ ଅଜ୍ଞାତବାସ ବେଳେ ଜାଣିପାରି ପୁନର୍ବାର ଆମ୍ଭଙ୍କୁ ଏହିପରି ବନକୁ ପ୍ରେରଣ କରିବ । ହେ ମହାରାଜ ! ଯଦି ସେ ପାପାତ୍ମା ଆମ୍ଭମାନଙ୍କୁ ଦେଖିବ ଯେ ଆମ୍ଭେମାନେ ଅଜ୍ଞାତ କାଳକୁ ଉତ୍ତୀର୍ଣ୍ଣ ହେଲୁ, ତାହାହେଲେ ସେ ପୁନର୍ବାର ଦ୍ୟୂତକ୍ରୀଡ଼ା କରିବାକୁ ଆହ୍ୱାନ କରିବ । ଆପଣ ମଧ୍ୟ ପୁନର୍ବାର ଆହୂତ ହୋଇ ପୁନର୍ବାର ଦ୍ୟୂତକ୍ରୀଡ଼ା ଦୁରବସ୍ଥା ପ୍ରାପ୍ତ ହେବେ । ୩୧ । ହେ ମହାରାଜ ! ଆପଣଙ୍କ ଦ୍ୟୂତରେ ତାଦୃଶ ନିପୁଣତା ନାହିଁ । କ୍ରୀଡ଼ା କରିବାକୁ ଡାକିଲେ ଆପଣ ଜ୍ଞାନଶୂନ୍ୟ ହୋଇ କ୍ରୀଡ଼ାରେ ପ୍ରବୃତ୍ତ ହେବେ । ସୁତରାଂ ପରାଜିତ ହୋଇ ପୁନର୍ବାର ବନରେ ବସତି କରିବେ । ହେ ମହୀପାଳ ! ଆପଣ ଯେବେ ଆମ୍ଭମାନଙ୍କୁ ଚିରଜୀବନ ଦୁଃଖୀ କରିବାକୁ ବାଞ୍ଛା ନ କରନ୍ତି, ତେବେ ନିପୁଣ ହୋଇ ଧର୍ମପ୍ରତି ଦୃଷ୍ଟି କରନ୍ତୁ । ତହିଁରେ ଏପରି ନିର୍ଦ୍ଦିଷ୍ଟ ଅଛି ଯେ, ଧୂର୍ତ୍ତ ବ୍ୟକ୍ତିମାନଙ୍କୁ ଧୂର୍ତ୍ତତାଦ୍ୱାରା ବିନଷ୍ଟ କରିବା କର୍ତ୍ତବ୍ୟ । ଆମ୍ଭେ ଆପଣଙ୍କ ଅନୁଜ୍ଞା ପ୍ରାପ୍ତ ହେଲେ ସେଠାକୁ ଗମନ କରି ପ୍ରଜ୍ୱଳିତ ଅଗ୍ନି ଯେପରି ତୃଣକାଷ୍ଠକୁ ଦଗ୍ଧ କରେ, ସେହିପରି ସ୍ୱୀୟ ଶକ୍ତିଦ୍ୱାରା ମନ୍ଦବୁଦ୍ଧି ଦୁର୍ଯ୍ୟୋଧନକୁ ବିନଷ୍ଟ କରିବି । ଅତଏବ ଆପଣ ଆମ୍ଭଙ୍କୁ ଅନୁଜ୍ଞା ହେଉନ୍ତୁ । ୩୫ ।

 

ବୈଶମ୍ପାୟନ ବୋଇଲେ, ଭୀମଙ୍କର ସମୁଦାୟ କଥା ଶ୍ରବଣ କରି ରାଜା ଯୁଧିଷ୍ଠିର ତାହାଙ୍କୁ ସାନ୍ତ୍ୱନା ଦେଇ ମସ୍ତକ ଆଘ୍ରାଣ କରି କହିଲେ । ୩୬ । ହେ ମହାବାହୋ ! ତ୍ରୟୋଦଶ ବର୍ଷ ପରେ ତୁମ୍ଭେ ଗାଣ୍ଡୀବଧନ୍ୱା ଅର୍ଜୁନଙ୍କ ସହାୟରେ ଅବଶ୍ୟ ଦୁର୍ଯ୍ୟୋଧନକୁ ବଧ କରିବ । ୩୭ । ହେ ପାର୍ଥ ! ତୁମ୍ଭେ ଯାହା କହିଲ, “ହେ ପ୍ରଭୋ ! ସମୟ ପୂର୍ଣ୍ଣ ହୋଇଅଛି”, ଏଥିରେ ଏ ବାକ୍ୟ ସତ୍ୟ ବୋଲି ଆମ୍ଭଙ୍କୁ ବୋଧ ହେଉ ନାହିଁ । ଆମ୍ଭର ଅନୃତ କହିବାକୁ ପ୍ରବୃତ୍ତି ହେଉ ନାହିଁ, କି ଆମ୍ଭଠାରେ ଅନୃତ ନାହିଁ । ୩୮ । ହେ କୌନ୍ତେୟ ! ଛଳକୁ ଆଶ୍ରୟ ନ କରି ସୁଦ୍ଧା ତୁମ୍ଭେ ସହାୟକ ଦୁର୍ଦ୍ଧର୍ଷ ଦୁର୍ଯ୍ୟୋଧନକୁ ବିନାଶ କରିବ । ୩୯ । ରାଜା ଯୁଧିଷ୍ଠିର ଭୀମକୁ ଏହିପରି କହୁଅଛନ୍ତି, ଏମନ୍ତ ସମୟରେ ମହର୍ଷି ବୃହଦଶ୍ୱ ସେଠାରେ ଉପସ୍ଥିତ ହେଲେ । ୪୦ । ଧର୍ମରାଜ ତାହାଙ୍କୁ ଆଗମନ କରିବାର ଦେଖି, ଶାସ୍ତ୍ରୋକ୍ତ ବିଧିରେ ମଧୁପର୍କଦ୍ୱାରା ତାହାଙ୍କର ପୂଜା କରିବାକୁ ଆରମ୍ଭ କଲେ । ୪୧ । ସେ ଆସନରେ ବସି ଆଶ୍ୱସ୍ତ ହୁଅନ୍ତେ, ମହାବାହୁ ଯୁଧିଷ୍ଠିର ତାହାଙ୍କ ସମକ୍ଷରେ ଉପବେଶନ କଲେ ଓ ତାହାଙ୍କୁ ଅନେକ କଥା ଦୀନ ଭାବରେ କହିଲେ । ୪୨ ।

 

ହେ ଭଗବନ ! ଅକ୍ଷକ୍ରୀଡ଼ାନିପୁଣ ଓ କପଟୀ ବ୍ୟକ୍ତିମାନେ ଆମ୍ଭଙ୍କୁ କ୍ରୀଡ଼ା କରିବାକୁ ଡାକିନେଇ ଆମ୍ଭର ସମସ୍ତ ରାଜ୍ୟ ଓ ଧନ ଅପହରଣ କରିନେଲେ । ୪୩ । ଆମ୍ଭେ ଅକ୍ଷକ୍ରୀଡ଼ାରେ ଅଜ୍ଞ, ପାପିଷ୍ଠମାନେ ପ୍ରଥମ ଥର ଆମ୍ଭଙ୍କୁ କପଟ ଦ୍ୟୂତରେ ପରାଜୟ କରି ପ୍ରାଣ ଅପେକ୍ଷା ଅଧିକ ପ୍ରିୟତମା ଆମ୍ଭର ଭାର୍ଯ୍ୟାକୁ ସଭା ମଧ୍ୟକୁ ଘେନିଗଲେ । ୪୪ । ଦ୍ୱିତୀୟଥର ଆମ୍ଭଙ୍କୁ ଦ୍ୟୂତକ୍ରୀଡ଼ାରେ ପରାଜିତ କରି ମୃଗଚର୍ମ ପରିଧାନ କରାଇ ସୁଦାରୁଣ ବନମଧ୍ୟକୁ ପ୍ରେରଣ କଲେ । ୪୫ । ଆମ୍ଭେ ଏହି ଦୁଃଖଜନକ ବନବାସରେ ନିରତିଶୟ କ୍ଲେଶ ଭୋଗ କରୁଅଛୁ । ବିଶେଷରେ ସେମାନେ ଦ୍ୟୂତକ୍ରୀଡ଼ା ସମୟରେ ଯେଉଁସବୁ କଟୁବାକ୍ୟ କହିଥିଲେ ଓ ସୁହୃଦବର୍ଗ ଆର୍ତ୍ତ ହୋଇ ଦ୍ୟୂତ ଓ ଅନ୍ୟାନ୍ୟ ବିଷୟରେ ଯାହା କହିଅଛନ୍ତି, ସେହିସବୁ କଥା ସ୍ମରଣ କରି ଆମ୍ଭର ରାତ୍ରିରେ ଆଉ ନିଦ୍ରା ହୁଏ ନାହିଁ । ଏହା ପରେ ଆମ୍ଭମାନଙ୍କ ପ୍ରାଣ ଯାହାଠାରେ ପ୍ରତିଷ୍ଠିତ ଅଛି, ସେହି ଗାଣ୍ଡୀବଧନ୍ୱା ଅର୍ଜୁନଙ୍କ ବ୍ୟତିରେକେ ଆମ୍ଭେ ମୃତପ୍ରାୟ ହୋଇଅଛୁ । ୧୮ । ବୀଭତ୍ସ କୃତାସ୍ତ୍ର ହୋଇ କେବେ ପ୍ରତ୍ୟାଗମନ କରିବେ ଓ ଆମ୍ଭେ ତାହାଙ୍କୁ କେବେ ଦେଖିବୁ ? ସେହି ପ୍ରିୟବାଦୀ ମହାଶୟ ଦୟାଳୁ ଓ ନିତ୍ୟ ଉଦ୍ୟୋଗୀ ଅର୍ଜୁନ କେବେ ପ୍ରତ୍ୟାଗମନ କରିବେ ? ଆମ୍ଭ ସଦୃଶ ଅଳ୍ପଭାଗ୍ୟ ରାଜା କି କେହି ପୃଥିବୀରେ ଅଛନ୍ତି ? ଆପଣ କାହାକୁ ଦେଖିଛନ୍ତି କି ଶୁଣି ଅଛନ୍ତି ? କହନ୍ତୁ, ଆମ୍ଭ ଅଭିମତରେ ଆମ୍ଭ ଅପେକ୍ଷା ଅଧିକ ଦୁଃଖୀ କେହି ନାହାନ୍ତି । ୫୦ ।

 

ବୃହଦଶ୍ୱ ବୋଇଲେ, ହେ ମହାରାଜ ! ଆପଣ ଯାହା କହିଲେ ଯେ, “ଆମ୍ଭ ଅପେକ୍ଷା ଅଳ୍ପଭାଗ୍ୟ ବ୍ୟକ୍ତି କୌଣସିଠାରେ କେହି ନାହିଁ”, ହେ ଅନଘ ପୃଥ୍ୱୀନାଥ ! ଆପଣଙ୍କ ଅପେକ୍ଷା ଯେଉଁ ରାଜା ଅଧିକ ଦୁଃଖ ପାଇଅଛନ୍ତି, ତାହାଙ୍କ କଥା ଯେବେ ଆପଣ ଶୁଣିବାକୁ ଇଚ୍ଛା କରନ୍ତି, ତେବେ ଆମ୍ଭେ କହିବୁ, ଶୁଣନ୍ତୁ । ୫୨ । ବୈଶମ୍ପାୟନ କହିଲେ– ଅନନ୍ତର ରାଜା ଯୁଧିଷ୍ଠିର ତାହାଙ୍କୁ କହିଲେ, ହେ ଭଗବାନ ! ଯେଉଁ ରାଜା ଏହି ରୂପ ଅବସ୍ଥା ପ୍ରାପ୍ତ ହୋଇଥିଲେ, ତାହା ଶୁଣିବାକୁ ଆମ୍ଭର ଇଚ୍ଛା ହେଉଅଛି; ଅତଏବ ଆପଣ ବୋଲନ୍ତୁ । ବୃହଦଶ୍ନ କହିଲେ, ହେ ରାଜନ୍‌ ! ଆପଣଙ୍କ ଅପେକ୍ଷା ଯେ ଅଧିକ ଦୁଃଖୀ ନରପତିମାନେ ଥିଲେ, ତାହାର ବିବରଣ ଆପଣ ଭ୍ରାତାମାନଙ୍କ ସହ ମନୋନିବେଶ କରି ଶ୍ରବଣ କରନ୍ତୁ । ୫୪ ।

 

ନିଷଧ ଦେଶରେ ବୀରସେନ ନାମରେ ଜଣେ ମହାନ ରାଜା ଥିଲେ । ଧର୍ମାର୍ଥ କୋବିଦ ନଳ ନାମରେ ତାହାଙ୍କର ଗୋଟିଏ ପୁତ୍ର ଥିଲେ । ୫୫ । ଏପରି ଶୁଣାଅଛି ଯେ, ସେହି ରାଜା ପୁଷ୍କରଦ୍ୱାରା ଦ୍ୟୂତକ୍ରୀଡ଼ାରେ ପରାଜିତ ହୋଇ ଭାର୍ଯ୍ୟାଙ୍କ ସହ ବନବାସକୁ ଗମନ କଲେ । ୫୬ । ହେ ରାଜନ୍ ! ବନବାସବେଳେ ତାହାଙ୍କ ସଙ୍ଗରେ ଦାସ, କି ଭ୍ରାତା, କି ବାନ୍ଧବ କିମ୍ବା ରଥ ପ୍ରଭୃତି କିଛି ନ ଥିଲା । ୫୭ । ଆପଣ ଦେବସଦୃଶ ବୀର ଭ୍ରାତାଗଣଙ୍କଦ୍ୱାରା ପରିବୃତ୍ତ ହୋଇଅଛନ୍ତି ଓ ଆପଣଙ୍କ ସଙ୍ଗରେ ତେଜସ୍ୱୀ ବ୍ରାହ୍ମଣମାନେ ଅନୁଗତ ହୋଇଅଛନ୍ତି । ଅତଏବ ଆପଣଙ୍କର ଶୋକ କରିବା କର୍ତ୍ତବ୍ୟ ନୁହେଁ । ଯୁଧିଷ୍ଠିର ବୋଇଲେ–ହେ ବାଗ୍ମୀଶ୍ରେଷ୍ଠ ! ସେହି ମହାତ୍ମା ନଳଙ୍କ ଚରିତକୁ ଆମ୍ଭେ ବିସ୍ତାରରୂପେ ଶ୍ରବଣ କରିବାକୁ ଇଚ୍ଛା କରୁଅଛୁଁ, ଆପଣ ଆଖ୍ୟାନ କରନ୍ତୁ । ୫୯ ।

 

॥ ଅଧ୍ୟାୟ – ୫୩ ॥

 

ବୃହଦଶ୍ୱ ବୋଇଲେ, ବୀରସେନଙ୍କର ପୁତ୍ର ନଳ ନାମରେ ଜଣେ ନରପାଳ ଥିଲେ । ରୂପ, ବଳ ଓ ବାଞ୍ଛନୀୟ ଅନେକ ଉତ୍କୃଷ୍ଟ ଗୁଣସମୂହରେ ସେ ପରିପୂର୍ଣ୍ଣ ଥିଲେ । ୧ । ଦେବପତି ଯେପରି ସ୍ୱର୍ଗରେ ଅଧିଷ୍ଠିତ, ସେହିପରି ଏ ପୃଥ୍ୱୀରେ ନଳ ସମସ୍ତ ମନୁଜପତିଙ୍କ ମୂର୍ଦ୍ଧାରେ ତେଜସ୍ୱୀ ହୋଇ ବିଦ୍ୟମାନ ଥିଲେ । ୨ । ନିଷଧ ଦେଶାଧିପତି ସେହି ବ୍ରାହ୍ମଣ, ବେଦବେତ୍ତା, ଶୂର, ସତ୍ୟବାଦୀ, ଜିତେନ୍ଦ୍ରିୟ, ଉଦାରସ୍ୱଭାବ, ଅକ୍ଷପ୍ରିୟ, ଅନେକ ଅକ୍ଷୌହିଣୀ ସେନାଙ୍କର ପତି, ଧନୁର୍ଦ୍ଧାରୀମାନଙ୍କ ମଧ୍ୟରେ ପ୍ରଧାନ, ମହାତ୍ମା, ସର୍ବଶ୍ରେଷ୍ଠ ଓ ସାକ୍ଷାତ୍ ମନୁଙ୍କସ୍ୱରୂପ ପ୍ରଭାଶାଳୀ ଥିଲେ । ୪ । ସେହିପରି ବିଦର୍ଭ ଦେଶରେ ଭୀମପରାକ୍ରମ ଭୀମ ନାମରେ ଜଣେ ମହୀପତି ଥିଲେ । କିନ୍ତୁ ତାହାଙ୍କର ସନ୍ତାନ ନ ଥିବାରୁ ସମାହିତ ହୋଇ ପୁତ୍ର କାମନାରେ ସେ ଅନେକ ଯତ୍ନ କଲେ ।

 

ହେ ଭରତ ! ଏକଦା ଦମନ ନାମରେ ଜଣେ ବ୍ରହ୍ମର୍ଷି ତାହାଙ୍କ ନିକଟକୁ ଆଗମନ କଲେ । ୬ । ଋଷିଙ୍କୁ ବିଲୋକନ କରି ଧର୍ମଜ୍ଞ ରାଜା ଭୀମ ପୁତ୍ରଲାଭ ଆଶାରେ ମହିଷୀଙ୍କ ସହିତ ତାହାଙ୍କର ସତ୍କାର କରି ସନ୍ତୋଷ ଜନ୍ମାଇଲେ । ଋଷି ପ୍ରସନ୍ନ ହୋଇ ରାଜା ଓ ତାହାଙ୍କ ମହିଷୀଙ୍କୁ ଏହି ବର ଦେଲେ, ତୁମ୍ଭେ ଗୋଟିଏ କନ୍ୟାରତ୍ନ ଓ ତିନି ଗୋଟି ଯଶସ୍ୱୀ କୁମାର ଲାଭ କର । ୮ । କନ୍ୟାଟିର ନାମ ଦମୟନ୍ତୀ ଓ ପୁତ୍ରଙ୍କର ନାମ ଦମ, ଦାନ୍ତ ଓ ଦମନ ବୋଲି ରଖିବ । ସେମାନେ ସର୍ବଗୁଣସମ୍ପନ୍ନ, ଭୟଙ୍କର ଓ ପରାକ୍ରମଶାଳୀ ହେବେ । ୯ । ସୁମଧ୍ୟମା ଦମୟନ୍ତୀ ରୂପ, ଶୋଭା, ତେଜ ଓ ସୌଭାଗ୍ୟଦ୍ୱାରା ଲୋକରେ ଯଶଃପ୍ରାପ୍ତ ହେବେ । ୧୦ । ବୟଃପ୍ରାପ୍ତ ହୁଅନ୍ତେ ଶତ ଶତ ଦାସୀ ଅଳଙ୍କାରରେ ଭୂଷିତାହୋଇ ଇନ୍ଦ୍ରାଣୀଙ୍କୁ ସେବା କଲା ପ୍ରାୟ ତାହାଙ୍କର ପରିଚର୍ଯ୍ୟା କଲେ । ୧୧ । ସର୍ବାଙ୍ଗସୁନ୍ଦରୀ ଦମୟନ୍ତୀ ସର୍ବାଭରଣରେ ବିଭୂଷିତା ହୋଇ ବିଦ୍ୟୁତ୍ ପ୍ରାୟ ସଖୀମାନଙ୍କ ମଧ୍ୟରେ ବିରାଜିତା ହେଲେ । ୧୨ । ସେହି ବିଶାଳଲୋଚନା ଦମୟନ୍ତୀ ଲକ୍ଷ୍ମୀଙ୍କ ସଦୃଶ ରୂପବତୀ; ଦେବତା କି ଯକ୍ଷ, କି ମନୁଷ୍ୟଙ୍କ ମଧ୍ୟରେ ସୁଦ୍ଧା ସେହିପରି ସୁନ୍ଦରୀ ଦେଖାଯାଇ ନାହିଁ, କି ଶୁଣାଯାଇନାହିଁ । ସେହି ସୁନ୍ଦରୀଙ୍କୁ ଦର୍ଶନ କଲେ ଦେବତାମାନଙ୍କ ଚିତ୍ତରେ ପ୍ରସନ୍ନତା ଜାତ ହୁଏ । ୧୪ । ନରଶାର୍ଦ୍ଦୂଳ ନଳ ରାଜା ମଧ୍ୟ ତ୍ରିଲୋକ ମଧ୍ୟରେ ଉପମାରହିତ ଓ ରୂପବାନ ଥିଲେ । ତାହାଙ୍କ ରୂପ ଦେଖିଲେ ମନୁଷ୍ୟ ହୃଦୟରେ ଏପରି କଳ୍ପନା ହୁଏ ଯେ, ସ୍ୱୟଂ କନ୍ଦର୍ପ ମୂର୍ତ୍ତିମାନ ହୋଇ ମହୀତଳରେ ଆବିର୍ଭୂତ ହୋଇଅଛନ୍ତି । ୧୫ । ଲୋକମାନେ କୌତୁକୀ ହୋଇ ନଳଙ୍କ ସମୀପରେ ଦମୟନ୍ତୀଙ୍କର ଓ ତାହାଙ୍କ ସାକ୍ଷାତରେ ନଳଙ୍କର ପ୍ରଶଂସା କଲେ । ୧୬ ।

 

ହେ କୌନ୍ତେୟ ! ଦମୟନ୍ତୀ ଓ ନଳ ଦୁହେଁ ଦୁହିଁଙ୍କର ଗୁଣ ବର୍ଣ୍ଣନା ନିରନ୍ତର ଶ୍ରବଣ କରିବାରୁ ପରସ୍ପର ପ୍ରତି ପରସ୍ପରଙ୍କର କାମନା ଗୂଢ଼ରୂପେ ଉତ୍ପନ୍ନ ହେଲା ଓ ମନୋମଧ୍ୟରେ ଉଭୟଙ୍କର ତାଦୃଶ ମନୋଭାବ ଜାତ ହେଲା । ୧୭ । ନଳରାଜା ଯେତେବେଳେ ନିଜ ହୃଦୟରେ ମଦନର ବେଗକୁ ଧାରଣ କରିନପାରିଲେ, ତେତେବେଳେ ସେ ଅନ୍ତଃପୁର ସମୀପରେ ଗୋଟାଏ ନିର୍ଜନ ବନରେ ଏକାକୀ ବସି କାଳକ୍ଷେପ କଲେ । ୧୮ । ଏକଦା ସେ ଦେଖିଲେ ଯେ ସୁବର୍ଣ୍ଣ ସଦୃଶ ପରିଷ୍କୃତ ପକ୍ଷଯୁକ୍ତ ହଂସମାନେ ସେ ବଣରେ ବିଚରଣ କରୁଅଛନ୍ତି । ସେ ପକ୍ଷୀ ମଧ୍ୟରୁ ଗୋଟିକୁ ରାଜା କୌତୁକୀ ହୋଇ ହସ୍ତରେ ଧରିଲେ । ୧୯ । ସେହି କାଳରେ ଅନ୍ତରୀକ୍ଷରୁ ଏହି ବଚନ ଶୁଣାହେଲା, ହେ ରାଜନ ! ତୁମ୍ଭେ ମୋତେ ବଧ କରନାହିଁ, ମୁଁ ତୁମ୍ଭର ପ୍ରିୟ କାର୍ଯ୍ୟ କରିବି । ୨୦ । ହେ ନୈଷଧ ! ମୁଁ ଯାଇ ଦମୟନ୍ତୀଙ୍କ ନିକଟରେ ତୁମ୍ଭର ଗୁଣକୀର୍ତ୍ତନ କରିବି, ଯେପରି ସେ ତୁମ୍ଭ ବ୍ୟତିରେକେ ଅନ୍ୟ ପୁରୁଷକୁ କଦାପି ମନନ ନ କରିବେ । ୨୧ । ଏହି ବଚନ ଶୁଣି ମହୀପତି ନଳ ହଂସକୁ ଛାଡ଼ିଦେଲେ, ତହୁଁ ସେହି ହଂସମାନେ ବିଦର୍ଭ ଦେଶକୁ ଉଡ଼ିଗଲେ । ୨୨ ।

 

ବିଦର୍ଭ ନଗରୀକୁ ଗମନ କରି ସେହି ପକ୍ଷୀମାନେ ଦମୟନ୍ତୀଙ୍କ ନିକଟରେ ଓହ୍ଲାଇଲେ ଓ ଦମୟନ୍ତୀ ସେମାନଙ୍କୁ ଦେଖିଲେ । ୨୩ । ଦମୟନ୍ତୀ ସଖୀଗଣରେ ପରିବୃତା ହୋଇଥାନ୍ତି । ସେହି ଅପୂର୍ବ ପକ୍ଷୀମାନଙ୍କୁ ଦେଖି ସେ ସେମାନଙ୍କୁ ଧରିବାକୁ ଉପକ୍ରମ କଲେ; କିନ୍ତୁ ହଂସମାନେ ସେହି ପ୍ରମଦାବନରେ ଇତସ୍ତତଃ ଉଡ଼ି ପଳାଇଲେ । ୨୫ । ଏଥିରେ କୁମାରୀମାନେ ପ୍ରତ୍ୟେକେ ଗୋଟି ଗୋଟିକ ପ୍ରତି ଧାବିତ ହେଲେ । ତନ୍ମଧ୍ୟରୁ ସ୍ୱୟଂ ଦମୟନ୍ତୀ ଯେଉଁ ହଂସ ପ୍ରତି ଧାବିତ ହୋଇଥିଲେ, ସେ ମନୁଷ୍ୟପରି ତାହାଙ୍କୁ ଏହି କଥା କହିଲା । ୨୬ । ଗୋ ଦମୟନ୍ତୀ ! ନିଷଧ ଦେଶରେ ନଳ ନାମରେ ଏକ ମହୀପତି ଅଛନ୍ତି । ରୂପରେ ସେ ଅଶ୍ୱିନୀକୁମାରଙ୍କ ସଦୃଶ, ମନୁଷ୍ୟ ମଧ୍ୟରେ ରୂପରେ କେହି ତାହାଙ୍କ ସମାନ ହେବେ ନାହିଁ । କନ୍ଦର୍ପ ମୂର୍ତ୍ତିମାନ ହୋଇ ଜନ୍ମ ହେଲା ପ୍ରାୟ ସେ ସୁନ୍ଦର । । ୨୭ । ହେ ବରବର୍ଣ୍ଣିନି ! ତୁମ୍ଭେ ଯେବେ ତାହାଙ୍କର ଭାର୍ଯ୍ୟା ହେବ, ତେବେ ତୁମ୍ଭର ଜନ୍ମ ଏହି ରୂପ ସଫଳ ହେବ । ୨୮ । ଆମ୍ଭେମାନେ ଦେବତା, ଗନ୍ଧର୍ବ, ମନୁଷ୍ୟ, ନାଗ ଓ ରାକ୍ଷସମାନଙ୍କୁ ଦେଖୁଅଛୁ; କିନ୍ତୁ ତାହାଙ୍କ ସଦୃଶ ସୁନ୍ଦର ରୂପ କାହିଁ ଦେଖି ନାହୁଁ । ନାରୀମାନଙ୍କ ମଧ୍ୟରେ ତୁମ୍ଭେ ରତ୍ନ ଓ ନରମାନଙ୍କ ମଧ୍ୟରେ ନଳ ସର୍ବ ସୁନ୍ଦର । ୩୦ ।

 

ଅତଏବ ବିଶିଷ୍ଟ ସହିତ ବିଶିଷ୍ଟର ସମାଗମ ହେଲେ ଗୁଣଯୁକ୍ତ ହୁଏ । ହେ ନରପତେ ! ହଂସ ଏହି ପ୍ରକାରେ ଦମୟନ୍ତୀଙ୍କୁ କହିଲା । ୩୧ । ଦମୟନ୍ତୀ କହିଲେ, ତେବେ ତୁମ୍ଭେ ମଧ୍ୟ ନଳଙ୍କୁ ଯାଇ ଏହିପରି କହ । ବିଦର୍ଭ ରାଜକନ୍ୟାଙ୍କୁ ହଂସ ‘ତଥା’ ବୋଲି କହି ଗମନ କଲା ଓ ପୁନର୍ବାର ନିଷଧ ଦେଶରେ ଉପନୀତ ହୋଇ ନଳଙ୍କ ସମକ୍ଷରେ ସମୁଦାୟ ବାର୍ତ୍ତା ନିବେଦନ କଲା । ୩୨ ।

 

॥ ଅଧ୍ୟାୟ – ୫୪ ॥

 

ବୃହଦଶ୍ୱ ବୋଇଲେ– ହେ ଭରତ ! ହଂସର ସେହି ବଚନକୁ ଦମୟନ୍ତୀ ଶ୍ରବଣ କରି ସେତିକିବେଳୁ ନଳଙ୍କୁ ଭାବନା କରି ଚିତ୍ତରେ ସୁସ୍ଥ ହେଲେ ନାହିଁ । ୧ । ସେହି ଦିନୁ ଦମୟନ୍ତୀ ଚିନ୍ତାନ୍ୱିତା, ଦୀନା, କୃଶା ଓ ବିବର୍ଣ୍ଣବଦନା ହୋଇ ଦୀର୍ଘନିଃଶ୍ୱାସ ତ୍ୟାଗପୂର୍ବକ ସମୟ କ୍ଷେପଣ କଲେ । ୨୦ । ନଳଙ୍କୁ ଧ୍ୟାନ କରି ସେ ଊର୍ଦ୍ଧ୍ୱଦୃଷ୍ଟି ହୋଇଥାନ୍ତି, ବର୍ଣ୍ଣ ତାହାଙ୍କର ପାଣ୍ଡୁର ହେଲା ଓ ମଦନରେ ବାତୁଳା ପ୍ରାୟ ଦିଶି ଅଭିଭୂତା ହେଲେ । ୩ । ଶଯ୍ୟାରେ କି ଭୋଜନରେ ତାହାଙ୍କର ରୁଚି ହେଲା ନାହିଁ । ସେ ରୋଦନ କରି କରି ହାୟ ହାୟ ହୋଇ ଦିବସରେ କି ରଜନୀରେ ନିଦ୍ରାଲାଭ କଲେ ନାହିଁ । ୪ ।

 

ସଖୀମାନେ ତାହାଙ୍କର ଈଦୃଶ ଆକାର ଓ ଅବସ୍ଥା ଦେଖି ଇଙ୍ଗିତଦ୍ୱାରା ବିଦର୍ଭପତିଙ୍କ ସମୀପରେ ସବୁ ବିଷୟ ନିବେଦନ କଲେ । ୫ । ଦମୟନ୍ତୀଙ୍କର ସଖୀସମୂହଠାରୁ ନରପତି ଭୀମ ସମସ୍ତ ବୃତ୍ତାନ୍ତ ଅବଗତ ହୋଇ ଆପଣା ଦୁହିତାଙ୍କର ସେହିସବୁ ଘଟଣା ଗୁରୁତର ଜାଣି ଭାବନା କଲେ, “କି କାରଣ ଆମ୍ଭର ଦୁହିତା ଏତାଦୃଶ ଅସୁସ୍ଥତା ଦିଶୁଅଛନ୍ତି” ?୭ । ସେ ମହୀପତି ଦେଖିଲେ ଯେ, ତାହାଙ୍କର ସୁତା ଯୌବନପ୍ରାପ୍ତା ହୋଇଅଛନ୍ତି । ଅତଏବ ଦମୟନ୍ତୀଙ୍କର ସ୍ୱୟମ୍ବର କରିବା ସ୍ଥିର କଲେ । ୮ । ବିଦର୍ଭ ମହୀପତି ଅପର ରାଜାମାନଙ୍କୁ ଏହା ବୋଲି ନିମନ୍ତ୍ରଣ କରି ପଠାଇଲେ ଯେ, ଆମ୍ଭ ଦୁହିତାଙ୍କର ସ୍ୱୟମ୍ବର ହେବ; ଅତଏବ ହେ ବୀରବୃନ୍ଦ ! ଆପଣମାନେ ତାହା ଦେଖିବାକୁ ଉପସ୍ଥିତ ହେଉନ୍ତୁ । ୯ ।

 

ଅନନ୍ତର ଦମୟନ୍ତୀଙ୍କର ସ୍ୱୟମ୍ବର ବାର୍ତ୍ତା ଶ୍ରବଣ କରି ପାର୍ଥିବମାନେ ସମସ୍ତେ ହସ୍ତୀ, ଅଶ୍ୱ ଓ ରଥ ନିର୍ଘୋଷରେ ବସୁନ୍ଧରାକୁ ପରିପୂର୍ଣ୍ଣ କରି ବିଚିତ୍ରମାଲ୍ୟ ଓ ଆଭରଣଧାରୀ ସୁସଜ୍ଜିତ ଓ ସୁଦୃଶ୍ୟ ସେନାନିକର ସମଭିବ୍ୟାହାରରେ ବିଦର୍ଭ ନଗରୀରେ ଉପନୀତ ହେଲେ । ୧୧ । ମହାବାହୁ ଭୀମ ସେହି ମହାତ୍ମା ପାର୍ଥିବମାନଙ୍କର ଯଥୋଚିତ ପୂଜା କରନ୍ତେ, ସେମାନେ ସୁଖରେ ସେଠାରେ ନିବାସ କଲେ । ୧୨ ।

 

ଏହି ସମୟରେ ମହାପ୍ରାଜ୍ଞ ମହାବ୍ରତୀ ମହାତ୍ମା ଦେବର୍ଷିସତ୍ତମ ନାରଦ ପର୍ବତ ଭ୍ରମଣ କରୁ କରୁ ଯଦୃଚ୍ଛା କ୍ରମେ ଇନ୍ଦ୍ରଲୋକରେ ଉପସ୍ଥିତ ହେଲେ । ଅତିଶୟ ମାନନୀୟ ସେହି ଋଷିଦ୍ୱୟ ଦେବରାଜଙ୍କ ଭବନରେ ପ୍ରବିଷ୍ଟ ହୁଅନ୍ତେ ପ୍ରଭୁ ଇନ୍ଦ୍ର ସେମାନଙ୍କର ଯଥୋଚିତ ପୂଜା କଲେ । ତଦନନ୍ତର ସବୁ ବିଷୟ ଅକ୍ଷୟ ଓ ଅନାମୟ ପ୍ରଶ୍ନ କଲେ । ନାରଦ ବୋଇଲେ, ହେ ବିଭୋ ! ଦେବେଶ୍ୱର ! ମଘବାନ ! ଆମ୍ଭମାନଙ୍କର ସର୍ବତ୍ର କୁଶଳ ଓ ସବୁ ଲୋକରେ ନୃପତିମାନେ ମଧ୍ୟ କୁଶଳୀ ଅଛନ୍ତି । ୧୬ ।

 

ବୃହଦଶ୍ୱ ବୋଇଲେ– ବଳି ଓ ବୃତ୍ତନିସୂଦନ ଇନ୍ଦ୍ର ନାରଦଙ୍କ ବାକ୍ୟ ଶ୍ରବଣ କରି ତାହାକୁ ପଚାରିଲେ, ମହର୍ଷେ ! ଯେଉଁ ସବୁ ଧାର୍ମିକ ପାର୍ଥିବମାନେ ଜୀବନର ଆଶା ପରିତ୍ୟାଗ କରି ଯୁଦ୍ଧକରି ସେ ଯୁଦ୍ଧରେ ପରାଙ୍‍ମୁଖ ନ ହୋଇ ଯଥୋଚିତ ସମୟରେ ଅସ୍ତ୍ରଦ୍ୱାରା ନିଧନ ପ୍ରାପ୍ତ ହୁଅନ୍ତି, ସେମାନଙ୍କ ନିମିତ୍ତ ଆମ୍ଭର ଏହି ସ୍ୱର୍ଗଲୋକ ସଦୃଶ ସୁଖପ୍ରଦ ଲୋକମାନେ ଆମ୍ଭର ଏଠାରେ ରହିଅଛନ୍ତି । ଏବେ ସେହି ବୀର କ୍ଷତ୍ରିୟମାନେ କାହାନ୍ତି ? ଆମ୍ଭର ପ୍ରିୟ ଅତିଥି ସେହିସବୁ ରାଜାମାନଙ୍କୁ ଏବେ କି କାରଣରୁ ଦେଖୁ ନାହିଁ । ୧୯ । ଶକ୍ରଙ୍କ କଥା ଶୁଣି ନାରଦ ପ୍ରତ୍ୟୁତ୍ତର ଦେଲେ, ହେ ମଘବାନ୍‌ ! ଯେଉଁ କାରଣରୁ ରାଜାମାନେ ଆସୁ ନାହାଁନ୍ତି ତାହା କହୁଅଛି ଶୁଣିବା ହେଉନ୍ତୁ । ଦମୟନ୍ତୀ ନାମରେ ବିଦର୍ଭ ରାଜାଙ୍କର ଗୋଟିଏ ଦୁହିତା ଅଛନ୍ତି । ପୃଥିବୀରେ ଯେତେ ନାରୀ ଅଛନ୍ତି, ଏ ସମସ୍ତଙ୍କ ଅପେକ୍ଷା ଅଧିକ ରୂପବତୀ । ୨୧ । ହେ ଶକ୍ର ! ଅଳ୍ପଦିନ ପରେ ତାହାଙ୍କର ସ୍ୱୟମ୍ବର ହେବ ! ସବୁ ସ୍ଥାନରୁ ରାଜା ଓ ରାଜପୁତ୍ରମାନେ ସେଠାକୁ ଗମନ କରିଅଛନ୍ତି । ୨୨ । ହେ ବଳିବୃତ୍ତ୍ରହନ୍ତା ! ରାଜାମାନେ ସମସ୍ତେ ସେହି ନାରୀରତ୍ନକୁ ଲାଭ କରିବା ନିମିତ୍ତ ଇଚ୍ଛା କରୁଅଛନ୍ତି । ୨୩ । ନାରଦ ଏହିପରି କହୁଅଛନ୍ତି, ଏମନ୍ତ ସମୟରେ ଅଗ୍ନିଙ୍କ ସହିତ ଅମରବର ଲୋକପାଳମାନେ ଦେବରାଜଙ୍କ ସମୀପକୁ ସମାଗତ ହେଲେ । ତଦନନ୍ତର ସେମାନେ ସମସ୍ତେ ନାରଦଙ୍କ ମହତ୍ ବଚନ ଶ୍ରବଣ କଲେ ଓ ହୃଷ୍ଟ ହୋଇ ବୋଇଲେ, ଆମ୍ଭେମାନେ ମଧ୍ୟ ସେ ସ୍ୱୟମ୍ବରକୁ ଗମନ କରିବା । ୨୫ ।

 

ହେ ମହାରାଜ ! ଅତଃପର ସେମାନେ ନିଜ ନିଜ ଗଣ ଓ ବାହନ ସହିତ ଯେଉଁ ସ୍ଥାନକୁ ମହୀପତି ଗମନ କରୁଥିଲେ, ସେହି ବିଦର୍ଭ ଦେଶକୁ ଯାତ୍ରା କଲେ । ହେ କୌନ୍ତେୟ ! ଏଣେ ମହାତ୍ମା ନଳରାଜା ମଧ୍ୟ ଶୁଣିଲେ ଯେ, ସ୍ୱୟମ୍ବର ସଭାକୁ ରାଜାମାନେ ଗମନ କରୁଛନ୍ତି । ଏହା ଶୁଣି ସେ ଦମୟନ୍ତୀଙ୍କ ପ୍ରତି ଏକାଗ୍ରଚିତ୍ତ ହୋଇ ପ୍ରସ୍ଥାନ କଲେ । ପଥରେ ଲୋକପାଳ ଦେବତାମାନେ ଦେଖିଲେ ଯେ, ଏହି ଭୂତଳରେ ସାକ୍ଷାତ୍ କନ୍ଦର୍ପଙ୍କ ସଦୃଶ ନଳରାଜା ଗମନ କରୁଅଛନ୍ତି । ସୂର୍ଯ୍ୟଙ୍କ ସଦୃଶ ଦୀପ୍ୟମାନ ନଳଙ୍କୁ ନିରୀକ୍ଷଣ କରି, ତାହାଙ୍କ ରୂପ ସମ୍ପଦରେ ବିସ୍ମିତ ହୋଇ, ଦମୟନ୍ତୀଙ୍କ ଲାଭରୁ ହତାଶ ହେଲେ । ୨୯ । ହେ ରାଜନ୍‌ ! ତଦନନ୍ତର ଦେବତାମାନେ ସ୍ୱ ସ୍ୱ ବିମାନକୁ ଅନ୍ତରୀକ୍ଷରେ ରଖି ସେଠାରୁ ଅବତରଣ କରି ନିଷଧରାଜଙ୍କୁ କହିଲେ, “ଭୋ ଭୋ ନିଷଧ-ରାଜେନ୍ଦ୍ର ନଳ ! ଆପଣ ସତ୍ୟପରାୟଣ; ଅତଏବ ଆମ୍ଭମାନଙ୍କୁ କିଞ୍ଚିତ୍ ସାହାଯ୍ୟ କରନ୍ତୁ । ହେ ନରୋତ୍ତମ, ଆପଣ ଆମ୍ଭମାନଙ୍କର ଦୂତ ହୁଅନ୍ତୁ । ୩୧ ।

 

॥ ଅଧ୍ୟାୟ – ୫୫ ॥

 

ବୃହଦଶ୍ୱ କହିଲେ, ହେ ଭରତ ! ନଳ ଦେବଗଣଙ୍କ ନିକଟରେ ଦୌତ୍ୟକର୍ମ କରିବି ବୋଲି ସ୍ୱୀକାର କଲେ । ପରେ ସମୀପସ୍ଥ ହୋଇ କୃତାଞ୍ଜଳିପୁଟରେ ସେମାନଙ୍କୁ ପ୍ରଶ୍ନ କଲେ, ଆପଣମାନେ କିଏ ? ଯେ ଆମ୍ଭଙ୍କୁ ଦୂତ ହେବାକୁ କହୁଅଛନ୍ତି ? ସେ ବା କିଏ ? ଆପଣମାନଙ୍କ ନିମିତ୍ତ ଆମ୍ଭଙ୍କୁ କି କାର୍ଯ୍ୟ କରିବାକୁ ହେବ ? ଏହା ଯଥାର୍ଥରୂପେ ଆଜ୍ଞା କରନ୍ତୁ । ୨ ।

 

ନିଷଧପତି ଏହି ପ୍ରକାର ପଚାରନ୍ତେ ଇନ୍ଦ୍ର ବୋଇଲେ, ଆମ୍ଭେମାନେ ଦେବତା, ଦମୟନ୍ତୀଙ୍କ ନିମିତ୍ତ ଆଗମନ କରିଅଛୁଁ । ୩ । ହେ ପାର୍ଥିବ ! ଆମ୍ଭେ ଇନ୍ଦ୍ର, ଏ ଅଗ୍ନି, ଏ ଜଳାଧିପତି ବରୁଣ ଏବଂ ଏ ମନୁଷ୍ୟମାନଙ୍କ ଶରୀରର ଅନ୍ତକାରୀ ଯମ । ତୁମ୍ଭେ ଦମୟନ୍ତୀଙ୍କୁ ଆମ୍ଭମାନଙ୍କର ଆଗମନ ବାର୍ତ୍ତା ନିବେଦନ କର । ତୁମ୍ଭେ କହିବ– ମହେନ୍ଦ୍ର ପ୍ରଭୃତି ଲୋକପାଳମାନେ ସ୍ୱୟମ୍ବର ଦର୍ଶନାଭିଳାଷୀ ହୋଇ ସଭାକୁ ଆଗମନ କରିଅଛନ୍ତି । ୫ । ଇନ୍ଦ୍ର, ଅଗ୍ନି, ବରୁଣ, ଯମ ତୁମ୍ଭଙ୍କୁ ଲାଭ କରିବାକୁ ଇଚ୍ଛା କରୁଅଛନ୍ତି । ଅତଏବ ତୁମ୍ଭେ ସେମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଦେବତାଙ୍କୁ ପତିସ୍ୱରୂପ ବରଣ କର । ୬ । ଇନ୍ଦ୍ର ନଳଙ୍କୁ ଏହିପରି କହନ୍ତେ, ସେ କୃତାଞ୍ଜଳି ହୋଇ କହିଲେ, ଆପଣମାନେ ଯେଉଁ ଉଦ୍ଦେଶ୍ୟରେ ଆଗମନ କରିଅଛନ୍ତି, ଆମ୍ଭେ ମଧ୍ୟ ସେହି ଉଦ୍ଦେଶ୍ୟରେ ଆଗତ ହୋଇଅଛୁ । ଅତଏବ ଆମ୍ଭଙ୍କୁ ପ୍ରେଷ୍ୟ କାର୍ଯ୍ୟରେ ନିଯୁକ୍ତ କରିବା ଆପଣମାନଙ୍କର ଉଚିତ ହେଉ ନାହିଁ । ହେ ପ୍ରଭୁମାନେ ! କେଉଁ ପୁରୁଷ ସ୍ତ୍ରୀପ୍ରତି କୃତସଙ୍କଳ୍ପ ହୋଇ ତାହାକୁ ପର ନିମିତ୍ତ ଏପରି କହିବାକୁ ଉତ୍ସାହୀ ହୋଇପାରିବ ? ଅତଏବ ଆପଣମାନେ ଆମ୍ଭଙ୍କୁ ଏହି ବିଷୟରେ କ୍ଷମା କରନ୍ତୁ । ୮ ।

 

ଦେବତାମାନେ କହିଲେ– ହେ ନିଷଧରାଜ ! ତୁମ୍ଭେ ଆଗେ ଆମ୍ଭମାନଙ୍କ ନିକଟରେ ‘କରିବି’ ବୋଲି କହି ଏବେ କି ନିମିତ୍ତ “କରିବି ନାହିଁ” ବୋଲି କହୁଅଛ, ତାହା ଶୀଘ୍ର କହ ? ୯ । ବୃହଦଶ୍ୱ କହିଲେ, ଦେବତାମାନେ ଏହି ବାକ୍ୟ କହିବାରୁ ନଳରାଜା ପୁନର୍ବାର ଉତ୍ତର ଦେଲେ, ରକ୍ଷକ ଦ୍ୱାରପାଳମାନେ ଦମୟନ୍ତୀଙ୍କ ଗୃହକୁ ଉତ୍ତମରୂପେ ରକ୍ଷା କରିଥାନ୍ତି; ଅତଏବ ତନ୍ମଧ୍ୟରେ ପ୍ରବେଶ କରିବାକୁ ଆମ୍ଭେ କିପରି ଉତ୍ସାହୀ ହେବୁ ? ୧୦ । ଇନ୍ଦ୍ର ବୋଇଲେ, ତୁମ୍ଭେ ସେଠାରେ ପ୍ରବିଷ୍ଟ ହୋଇପାରିବ । ଅନନ୍ତର ସେ ତଥାସ୍ତୁ ବୋଲି ସ୍ୱୀକାର କରି ଦମୟନ୍ତୀଙ୍କ ଭବନକୁ ଗମନ କଲେ ଓ ସେଠାରେ ଉପନୀତ ହୋଇ ଦେଖିଲେ, ସଖୀଗଣଙ୍କଦ୍ୱାରା ପରିବେଷ୍ଟିତ ହୋଇ ଅତି ସୁକୁମାରାଙ୍ଗୀ, କ୍ଷୀଣମଧ୍ୟା, ସୁଲୋଚନା, ବରବର୍ଣ୍ଣିନୀ ଦମୟନ୍ତୀ ଦୀପ୍ତିମତୀ ହୋଇ ଶଶାଙ୍କ ଶୋଭାକୁ ତିରସ୍କାର କରୁଅଛନ୍ତି । ୧୩ । ସେହି ଚାରୁହାସିନୀଙ୍କୁ ଚାହିଁବାମାତ୍ରେ ନଳ ବିସ୍ମୟାପନ୍ନ ହେଲେ ଓ ତାହାଙ୍କ ହୃଦୟରେ କନ୍ଦର୍ପ ଆବିର୍ଭୂତ ହୋଇ ବୃଦ୍ଧି ପାଇଲା; କିନ୍ତୁ ସେ ଦେବତାମାନଙ୍କ ନିକଟରେ ଯେଉଁ ସତ୍ୟ କରିଥିଲେ, ତାହାକୁ ପ୍ରତିପାଳନ କରିବା ନିମିତ୍ତ ଧୈର୍ଯ୍ୟଧରି ମନକୁ ସଂଯତ କଲେ । ୧୪ ।

 

ତଦନନ୍ତର ସେହି ପରମାଙ୍ଗନାମାନେ ସହସା ନିଷଧରାଜାଙ୍କୁ ଦେଖି ତାହାଙ୍କ ତେଜରେ ପରାଭୂତ ହୋଇ ସସମ୍ଭ୍ରମରେ ସମସ୍ତେ ସ୍ୱ ସ୍ୱ ଆସନରୁ ଉତ୍‌ଥିତ ହେଲେ । ୧୫ । ସେମାନେ ନଳଙ୍କୁ ଦେଖି ପ୍ରୀତ ଓ ବିସ୍ମିତ ହେଲେ ହେଁ ବାକ୍ୟଦ୍ୱାରା ତାହାଙ୍କର କୌଣସି ସମ୍ବର୍ଦ୍ଧନା କରିପାରିଲେ ନାହିଁ । ତଥାପି ମନେ ମନେ ତାହାଙ୍କର ପୂଜା କଲେ ଓ ଏହିପରି ପ୍ରଶଂସା କଲେ । ୧୬ । “ଆହା, ଏହି ମହାତ୍ମାଙ୍କର କିପରି ଆଶ୍ଚର୍ଯ୍ୟ ରୂପ ! କି ଆଶ୍ଚର୍ଯ୍ୟ କାନ୍ତି ! କି ଆଶ୍ଚର୍ଯ୍ୟ ଧୀରତା ! ଏ କିଏ ? ଏ କ’ଣ ଦେବତା, କି ଯକ୍ଷ, କି ଗନ୍ଧର୍ବ ?” ଯେତେବେଳେ ସେ ପରିଚାରିକାମାନେ ନଳଙ୍କ ରୂପରେ ପରାଭୂତ ହୋଇ ଲଜ୍ଜାବଶତଃ ତାହାଙ୍କୁ କିଛି କହି ନ ପାରିଲେ, ତେତେବେଳେ ଦମୟନ୍ତୀ ବିସ୍ମିତା ହୋଇ ସୁଦ୍ଧା ବିସ୍ମୟାନ୍ୱିତ ନଳଙ୍କୁ ଈଷତ୍ ହାସ୍ୟସହ ପଚାରିଲେ, ହେ ପବିତ୍ରଦର୍ଶନ ବୀର ! ଆପଣଙ୍କ ଅଙ୍ଗ ସର୍ବପ୍ରକାରରେ ଅନିନ୍ଦିତ ଦେଖୁଅଛି । ଅତଏବ ଦେବସମାନ ଆପଣ କିଏ ? ଆମ୍ଭର ମନସିଜ ବର୍ଦ୍ଧନକାରୀ ହୋଇ ଏଠାକୁ ଆଗମନ କରିଅଛନ୍ତି-? ହେ ଅନଘ ! ଆପଣଙ୍କ ଠାରୁ ଆମ୍ଭେ ଏହି ବିଷୟ ଅବଗତ ହେବାକୁ ଇଚ୍ଛା କରୁଅଛୁଁ-। ଏଠାକୁ ଆପଣ କି ପ୍ରକାରେ ଆଗମନ କଲେ ? ଆମ୍ଭର ଗୃହ ସର୍ବପ୍ରକାରେ ସୁରକ୍ଷିତ । ରାଜ୍ୟ ମଧ୍ୟ ଉଗ୍ରଶାସନ । ଏପରି ସ୍ଥଳକୁ କୌଣସି ପୁରୁଷର ଆସିବାର ସମ୍ଭାବନା ଦେଖୁ ନାହୁଁ । ରକ୍ଷକମାନେ କି ହେତୁରୁ ଆପଣଙ୍କୁ ଲକ୍ଷ୍ୟକରିନପାରିଲେ ? ୨୧ ।

 

ବିଦର୍ଭ ରାଜନନ୍ଦିନୀ ତାହାଙ୍କୁ ଏହିପରି ପଚାରନ୍ତେ ସେ ଉତ୍ତର ଦେଲେ, ହେ କଲ୍ୟାଣୀ ! ଆମ୍ଭର ନାମ ନଳ ! ଆମ୍ଭେ ଦେବତାମାନଙ୍କର ଦୂତ ହୋଇ ଏଠାକୁ ଆସିଅଛୁ । ଇନ୍ଦ୍ର, ଅଗ୍ନି, ବରୁଣ ଓ ଯମ, ଏହିସବୁ ଦେବତାମାନେ ତୁମ୍ଭଙ୍କୁ ଲାଭ କରିବାକୁ ବାଞ୍ଛା କରନ୍ତି । ହେ ଶୋଭନେ ! ତୁମ୍ଭେ ସେମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଦେବତାଙ୍କୁ ପତିସ୍ୱରୂପ ବରଣ କର । ସେହିମାନଙ୍କ ପ୍ରଭାବରେ ଆମ୍ଭେ ଲୋକଙ୍କଦ୍ୱାରା ଅଲକ୍ଷିତ ହୋଇ ତୁମ୍ଭର ଏହି ଭବନ ମଧ୍ୟରେ ପ୍ରବେଶ କରିଅଛୁଁ-। ପ୍ରବେଶ କରିବାବେଳେ କେହି ଆମ୍ଭଙ୍କୁ ଦେଖିପାରିଲେନାହିଁ । ସୁତରାଂ କେହି ମନାକଲେ ନାହିଁ-। ୨୪ । ହେ ଭଦ୍ରେ ! ଦେବତାମାନେ ଯେଉଁ କାରଣରୁ ଆମ୍ଭଙ୍କୁ ପ୍ରେରଣ କରିଅଛନ୍ତି, ତାହା ତୁମ୍ଭେ ଶ୍ରବଣ କଲ । ହେ ଶୁଭେ ! ଏବେ ତୁମ୍ଭର ଯେ ରୂପ ଇଚ୍ଛା ହୁଏ, ତଦନୁସାରେ କାର୍ଯ୍ୟ କର-

 

॥ ଅଧ୍ୟାୟ – ୫୬ ॥

 

ବୃହଦଶ୍ୱ ବୋଇଲେ, ଦମୟନ୍ତୀ ଶ୍ରଦ୍ଧା ସହକାରେ ଦେବତାମାନଙ୍କ ଉଦ୍ଦେଶ୍ୟରେ ନମସ୍କାର କରି ହାସ୍ୟମୁଖରେ ନଳକୁ କହିଲେ, ହେ ରାଜନ୍‌ ! ଆପଣ ଆମ୍ଭଙ୍କୁ ସ୍ୱକୀୟ ପ୍ରଣୟର ଅଧିକାରିଣୀ କରନ୍ତୁ । କି କାର୍ଯ୍ୟ ଆପଣଙ୍କର କରିବି ଆଜ୍ଞା କରନ୍ତୁ । ୧ । ହେ ଈଶ୍ୱର ! ଆମ୍ଭେ ଓ ଆମ୍ଭର ଅନ୍ୟ ଯାହା କିଛି ସମ୍ପତ୍ତି ଅଛି, ସେ ସମୁଦାୟ ନିଶ୍ଚୟ ଆପଣଙ୍କର ଅଧୀନ; ଆପଣ ଏହା ବିଶ୍ୱାସ କରନ୍ତୁ । ହେ ପୃଥିବୀପତେ ! ହଂସମାନଙ୍କର ବାକ୍ୟ ଅଦ୍ୟପି ଆମ୍ଭଙ୍କୁ ଦଗ୍ଧ କରୁଅଛି । ହେ ବୀର ! ଆପଣଙ୍କ ନିମିତ୍ତ ଆମ୍ଭେ ସମଗ୍ର ରାଜାଙ୍କୁ ଏକତ୍ର କରିଅଛୁ । ହେ ମାନବ ! ଆମ୍ଭେ ଆପଣଙ୍କର ଏକାନ୍ତ ଭକ୍ତା । ଏହା ଦେଖି ସୁଦ୍ଧା ଆପଣ ଯେବେ ଆମ୍ଭଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ଆମ୍ଭେ ବିଷ, ଅଗ୍ନି କିମ୍ବା ଜଳ ଅଥବା ରଜ୍ଜୁର ଆଶ୍ରୟ ନେବୁ । ଏହା ନିଶ୍ଚୟ ଜାଣିବା ହେବେ ।

 

ବିଦର୍ଭ ରାଜନନ୍ଦିନୀ ନଳଙ୍କୁ ଏପରି କହିବାରୁ ସେ ପ୍ରତ୍ୟୁତ୍ତର କଲେ– ହେ ଶୋଭନାଙ୍ଗୀ ! ଦେବତାମାନେ ଉପସ୍ଥିତ ଥାଉ ଥାଉ ତୁମ୍ଭେ କି କାରଣରୁ ମନୁଷ୍ୟଙ୍କୁ ବରଣ କରିବ ? ୫ । ଆମ୍ଭେ ସେହି ମହାତ୍ମା ଲୋକପାଳ ଈଶ୍ୱରମାନଙ୍କର ଚରଣରେଣୁଯୋଗ୍ୟ ନୋହୁଁ; ଅତଏବ ତୁମ୍ଭେ ସେମାନଙ୍କ ପ୍ରତି ଆପଣା ମନକୁ ପ୍ରବୃତ୍ତ କର । ମନୁଷ୍ୟ ହୋଇ ଦେବତାମାନଙ୍କର ଅପ୍ରିୟାଚରଣ କଲେ ମୃତ୍ୟୁ ହୁଏ । ଅତଏବ ତୁମ୍ଭେ ଆମ୍ଭଙ୍କୁ ରକ୍ଷା କର । ସୁରୋତ୍ତମ ମଧ୍ୟରୁ ଗୋଟିକୁ ବରଣ କର-। ୭ । ତୁମ୍ଭେ ଦେବତାମାନଙ୍କୁ ଲାଭ କରି ନିର୍ମଳ ବସ୍ତ୍ର, ଦିବ୍ୟ ଓ ବିଚିତ୍ର ମାଲ୍ୟ ଏବଂ ଉତ୍କୃଷ୍ଟ ଭୂଷଣମାନଙ୍କୁ ଉପଭୋଗ କର । ୮ । ଯେଉଁ ଦେବତା ସମୁଦାୟ ଜଗତକୁ ସୃଜନା କରି ପୁନର୍ବାର ସଂହାର କରନ୍ତି, ସେହି ଦେବେଶ୍ୱର ହୁତାଶନଙ୍କୁ କେଉଁ କାମିନୀ ପତିତ୍ୱରେ ବରଣ କରିବାକୁ ଅଭିଳାଷୀ ନ ହେବ ? ସମଗ୍ର ପ୍ରାଣୀ ଯାହାଙ୍କ ଦଣ୍ଡ ପ୍ରତାପରେ ଭୀତ ହୁଅନ୍ତି ଓ ଅନୁଗତ ହୁଅନ୍ତି, ସେହି ଧର୍ମରାଜଙ୍କୁ କେଉଁ କାମିନୀ ପତିତ୍ୱରେ ବରଣ ନ କରିବ ? ପୁନଶ୍ଚ ସମସ୍ତ ଦୈତ୍ୟ ଓ ଦାନବମାନଙ୍କର ମର୍ଦ୍ଦନକାରୀ ସବୁ ଦେବତାମାନଙ୍କର ଅଧିପତି ଧର୍ମାତ୍ମା ମହାତ୍ମା ମହେନ୍ଦ୍ରଙ୍କୁ ପ୍ରାପ୍ତ ହେଲେ, କେଉଁ କାମିନୀ ତାହାଙ୍କୁ ପତିତ୍ୱରେ ବରଣ ନ କରିବ ? ୧୧ । ଅଥବା ଯଦି ତୁମର ରୁଚି ହୁଏ, ତେବେ ସେହି ଲୋକପାଳମାନଙ୍କ ମଧ୍ୟରେ ବରୁଣ ଦେବଙ୍କୁ ନିଃଶଙ୍କ ଚିତ୍ତରେ ବରଣ କର । ତୁମ୍ଭେ ଏହି ମିତ୍ରବଚନ ଗ୍ରହଣ କର । ୧୨ ।

 

ଦମୟନ୍ତୀଙ୍କୁ ନିଷଧରାଜ ଏହିପରି କହିବାରୁ ସେ ଦୁଃଖ ଓ ଶୋକ ସମ୍ଭୂତ ନୟନବାରିଦ୍ୱାରା ଆପ୍ଲୁତ ହୋଇ ପ୍ରତ୍ୟୁତ୍ତର ଦେଲେ । ୧୩ । ହେ ପୃଥ୍ୱୀପତେ ! ମୁଁ ସବୁ ଦେବତାମାନଙ୍କୁ ନମସ୍କାର କରି ଆପଣଙ୍କ ନିକଟରେ ସତ୍ୟକରି କହୁଅଛି, ଆପଣଙ୍କୁ ପତିସ୍ୱରୂପ ବରଣ କରିବି । ୧୪ । ନିଷଧରାଜଙ୍କୁ ଦମୟନ୍ତୀ ଏହି କଥା କହି କମ୍ପମାନା ଓ କୃତାଞ୍ଜଳି ହୋଇ ରହିଲେ । ନିଷଧ-ଅଧିପତି ନଳ ଦେବତାମାନଙ୍କର ଦୂତ ହୋଇ ଆସିଅଛନ୍ତି; ସୁତରାଂ ଦମୟନ୍ତୀଙ୍କୁ ସେହିପରି ଦେଖି ସୁଦ୍ଧା ଏହି କଥା କହିଲେ, ଭଦ୍ରେ ! ତୁମ୍ଭ ମନକୁ ଯାହା ଆସୁଛି, ତାହା ତୁମ୍ଭେ କରିପାର; କିନ୍ତୁ ଆମ୍ଭେ ଦେବତାମାନଙ୍କୁ କହି ଆସି ସେମାନଙ୍କ କାର୍ଯ୍ୟରେ ପ୍ରବୃତ୍ତ ହୋଇଅଛୁଁ । ଏତେବେଳେ ଆମ୍ଭେ କିପରି ସ୍ୱାର୍ଥସାଧନରେ ପ୍ରବୃତ୍ତ ହେବୁଁ । ୧୬ । ହେ ଭଦ୍ରେ ! ଯଦି ଆମ୍ଭ ପକ୍ଷରେ ଏହି ସ୍ୱାର୍ଥସାଧନରେ ଅଧର୍ମ ନ ହୁଏ, ତେବେ ଆମ୍ଭେ ଏହି ସ୍ୱାର୍ଥକାର୍ଯ୍ୟରେ ଉଦ୍ୟତ ହେବୁ-। ପରନ୍ତୁ ତୁମ୍ଭେ ଏହି କାର୍ଯ୍ୟ କଲେ ତୁମ୍ଭର ଅଧର୍ମ ହେବ ନାହିଁ । ଅତଏବ ତୁମ୍ଭେ ଯାହା ଉପଯୁକ୍ତ ମନେକର ତାହା କର ।

 

ଅନନ୍ତର ଦମୟନ୍ତୀ ଈଷତ୍ ହାସ୍ୟମୁଖ ବାଷ୍ପ ଗଦ୍‌ଗଦ ହୋଇ ଧୀରେ ଧୀରେ ନଳରାଜାଙ୍କୁ କହିଲେ, ହେ ନରେଶ୍ୱର ! ଯହିଁରେ ଆପଣଙ୍କର ଦୋଷ ନ ହେବ, ଏପରି ଗୋଟିଏ ସୁନ୍ଦର ବିଘ୍ନରହିତ ଉପାୟ ଅଛି; ଏଥିରେ ଆପଣଙ୍କର ଦୋଷ ହୋଇନପାରେ । ହେ ନରୋତ୍ତମ ! ଆମ୍ଭ ସ୍ୱୟମ୍ବର ସଭାରେ ଆପଣ ଓ ଇନ୍ଦ୍ର ପ୍ରଭୃତି ଦେବତାମାନେ ସମସ୍ତେ ମିଳିତ ହୋଇ ଗମନ କରିବା ହେବେ । ଆମ୍ଭେ ଲୋକପାଳମାନଙ୍କ ସମୀପରେ ଆପଣଙ୍କୁ ବରଣ କରିବୁ । ତାହାହେଲେ ଆପଣଙ୍କର ଦୋଷ ହେବ ନାହିଁ । ୧୯ । ବିଦର୍ଭ ରାଜନନ୍ଦିନୀ ନିଷଧରାଜ ନଳଙ୍କୁ ଏହିପରି କହନ୍ତେ, ଯେଉଁ ସ୍ଥାନରେ ଦେବତାମାନେ ଥିଲେ, ସେ ସେହି ସ୍ଥାନକୁ ପୁନର୍ବାର ଗମନ କଲେ । ୨୨ । ଲୋକପାଳ ମହେଶ୍ୱରମାନେ ପ୍ରତ୍ୟାଗତ ହେବାର ଦେଖି ତାହାଙ୍କୁ ସବୁ ବୃତ୍ତାନ୍ତ ପଚାରିଲେ-। ୨୩ । ଦେବତାମାନେ ପଚାରିଲେ, “ତୁମ୍ଭେ କି ଶୁଚିସ୍ମିତା ଦମୟନ୍ତୀଙ୍କୁ ଦେଖିଅଛ-? ସେ ଆମ୍ଭମାନଙ୍କୁ କ’ଣ କହିଲେ କହ ?” ନଳ ବୋଇଲେ, ଆପଣମାନଙ୍କ ଆଦେଶାନୁସାରେ ଆମ୍ଭେ ଦଣ୍ଡଧାରୀ ସ୍ଥବିର ରକ୍ଷୀମାନଙ୍କଦ୍ୱାରା ପରିବୃତ୍ତ ଦମୟନ୍ତୀଙ୍କର ମହତୀପୁରୀ ମଧ୍ୟରେ ପ୍ରବେଶ କଲୁ-। ଆପଣମାନଙ୍କ ପ୍ରଭାବରୁ ଆମ୍ଭେ ପ୍ରବେଶ କଲାବେଳେ ସେହି ବିଦର୍ଭ ନରପତିଙ୍କ ଦୁହିତା ବ୍ୟତିରେକେ ଆଉ କେହି ମନୁଷ୍ୟ ଆମ୍ଭଙ୍କୁ ଦେଖିବାକୁ ପାଇଲେ ନାହିଁ । ୨୬ ।

 

ହେ ବିବୁଧେ ! ତତ୍‍ପରେ ଆମ୍ଭେ ଯେତେବେଳେ ସଖୀମାନଙ୍କୁ ଅବଲୋକନ କଲୁ, ତେତେବେଳେ ସେମାନେ ମଧ୍ୟ ଆମ୍ଭଙ୍କୁ ଜାଣିପାରିଲେ । ସେମାନେ ସମସ୍ତେ ଆମ୍ଭଙ୍କୁ ଦେଖି ବିସ୍ମିତା ହେଲେ । ହେ ସୁରୋତ୍ତମମାନେ ! ତତ୍‍ପରେ ସେହି ରୁଚିରାନନା ଦମୟନ୍ତୀଙ୍କ ଛାମୁରେ ଆପଣମାନଙ୍କ ବାର୍ତ୍ତା ବର୍ଣ୍ଣନ କରନ୍ତେ, ସେ ଆପଣଙ୍କ ପ୍ରତି ସଂକଳ୍ପରହିତ ହୋଇ ଆମ୍ଭଙ୍କୁ ବରଣ କରିବାକୁ ଉଦ୍ୟମ ହେଲେ । ୨୮ । ସେ କହିଲେ, ନିଷେଧନାଥ ! ଦେବତାମାନେ ଓ ଆପଣ ଏକତ୍ର ହୋଇ ସ୍ୱୟମ୍ବର ସଭାକୁ ଆଗମନ କରନ୍ତୁ । ଆମ୍ଭେ ସେମାନଙ୍କ ସମୀପରେ ଆପଣଙ୍କୁ ବରଣ କରିବୁ । ଏପରି ହେଲେ ଆପଣଙ୍କର ଦୋଷ ହେବ ନାହିଁ ।” ହେ ତ୍ରିଦେବେଶ୍ୱର ଦେବମାନେ ! ଆମ୍ଭେ ଏହିସବୁ ଘଟଣା ଯେପରି ହୋଇଥିଲା, ଅବିକଳ ସେହିପରି ଆପଣମାନଙ୍କ ସମୀପରେ ନିବେଦନ କଲୁ, ଏବେ ଆପଣମାନଙ୍କର ଯେ ଇଚ୍ଛା ।

 

Unknown

॥ ଅଧ୍ୟାୟ – ୫୭ ॥

 

ବୃହଦଶ୍ୱ କହିଲେ–ଅନନ୍ତର ରାଜା ଭୀମ ଶୁଭକାଳରେ ପବିତ୍ର କ୍ଷଣ ଓ ପବିତ୍ର ତୀର୍ଥରେ ମହୀପାଳମାନଙ୍କୁ ସ୍ୱୟମ୍ବର ସଭାକୁ ଆହ୍ୱାନ କଲେ । ୧ । ଭୂପତିମାନେ ସଭାକୁ ଆଗମନ ବାର୍ତ୍ତା ପାଇ ମନୋଜବାଣରେ ବିଦ୍ଧ ହୋଇ ଦମୟନ୍ତୀଙ୍କ ଲାଭ ଆଶାରେ ସତ୍ୱର ସଭାମନ୍ଦିରରେ ପ୍ରବିଷ୍ଟ ହେଲେ । ୨ । ମହାସିଂହମାନେ ଯେପରି ପର୍ବତ ଉପରେ ଆରୋହଣ କରନ୍ତି, ସେହିପରି ନରପତିମାନେ ତୋରଣମଣ୍ଡିତ କନକ-ସ୍ତମ୍ଭର ମନୋହର ରଙ୍ଗ ମଧ୍ୟରେ ପ୍ରବିଷ୍ଟ ହେଲେ । ସୁଗନ୍ଧ ମାଲ୍ୟଧାରୀ ଓ ଉଜ୍ଜ୍ୱଳ ମଣିକୁଣ୍ଡଳ-ଭୂଷିତ ନରପତିମାନେ ବିବିଧ ଆସନରେ ଅଧିଷ୍ଠିତ ହେଲେ । ନାଗବୃନ୍ଦରେ ପରିପୂରିତ ଭୋଗବତୀ ପ୍ରାୟ ଓ ମହାବଳ ବ୍ୟାଘ୍ର ପରିପୂର୍ଣ୍ଣ ଗିରିଗହ୍ୱର ସଦୃଶ ସେହି ପବିତ୍ର ସଭାସଦନ ରାଜସମିତିରେ ପରିପୂର୍ଣ୍ଣ ହେଲା । ୫ । ସେମାନଙ୍କର ପରିଘସଦୃଶ ଦୀର୍ଘ ମନୋହର ବାହୁମାନ ପଞ୍ଚଶିରା ଭୁଜଙ୍ଗମ ପରି ଦୃଶ୍ୟ ହେଲେ । ୬ । ଅନ୍ତରୀକ୍ଷରେ ନକ୍ଷତ୍ରମାନେ ଯେପରି ଶୋଭାନ୍ୱିତ ଦିଶନ୍ତି, ସେହିପରି ନରପତିମାନଙ୍କର ସୁନ୍ଦର କେଶ, ନାସିକା, ନୟନ ଓ ଭ୍ରୂଯୁକ୍ତ ମୁଖମଣ୍ଡଳ ଶୋଭା ଦିଶିଲେ । ଅନନ୍ତର ସୁମୁଖୀ ଦମୟନ୍ତୀ ସ୍ୱକୀୟ କାନ୍ତି ଓ ଲାବଣ୍ୟଦ୍ୱାରା ରାଜାମାନଙ୍କର ଚକ୍ଷୁ ଓ ମନକୁ ସନ୍ତପ୍ତ କରି ରଙ୍ଗ ମଧ୍ୟରେ ପ୍ରବିଷ୍ଟ ହେଲେ । ୮ । ସେହି ନରପତିମାନଙ୍କ ମଧ୍ୟରୁ ଯାହାଙ୍କର ଦୃଷ୍ଟି ଦମୟନ୍ତୀଙ୍କର ଯେଉଁ ଅଙ୍ଗରେ ନିପତିତ ହେଲା, ସେହି ଅଙ୍ଗରେ ସେ ଦୃଷ୍ଟି ଲାଖିରହିଲା, ବିଚଳିତ ହେଲା ନାହିଁ । ୯ ।

 

ହେ ଭରତ ! ତଦନନ୍ତର ରାଜାମାନଙ୍କ ନାମ କୀର୍ତ୍ତିତ ହୁଅନ୍ତେ, ଦମୟନ୍ତୀ ସେହି ସଭା ମଧ୍ୟରେ ପାଞ୍ଚଗୋଟି ପୁରୁଷଙ୍କୁ ସମାନ ଆକୃତି ଥିବାର ଦେଖିଲେ ଓ ସେମାନଙ୍କର ରୂପ ଓ ବେଶରେ କୌଣସି ପ୍ରଭେଦ ନ ଥିବାରୁ ତନ୍ମଧ୍ୟରୁ ନଳ କିଏ, ତାହାଙ୍କୁ ଚିହ୍ନିପାରିଲେ ନାହିଁ । ୧୦ । ବିଦର୍ଭନନ୍ଦିନୀ ସେହି ପାଞ୍ଚ ଜଣଙ୍କ ମଧ୍ୟରୁ ଯାହାଙ୍କ ପ୍ରତି ନେତ୍ରପାତ କରନ୍ତି ତାହାଙ୍କୁ ନଳ ବୋଲି ଜ୍ଞାନ କରନ୍ତି । ସୁତରାଂ ସେ ଭାବନା କରି ବୁଦ୍ଧିଦ୍ୱାରା ବିଚାର କଲେ, ଆମ୍ଭେ କିରୂପେ ଦେବତାମାନଙ୍କର ପରିଚୟ ପ୍ରାପ୍ତ ହେବୁ ? ବିଦର୍ଭ ରାଜପୁତ୍ରୀ ଏହିରୂପେ ଚିନ୍ତା କରି ଅତିଶୟ ବିଷର୍ଣ୍ଣ ହେଲେ । ୧୩ ।

 

ହେ ଭରତ ! ସେ ପୂର୍ବେ ଦେବତାମାନଙ୍କର ଯେଉଁସବୁ ଚିହ୍ନ ଥିବାର ଶ୍ରବଣ କରିଥିଲେ, ଏକ୍ଷଣି ସେହିସବୁକୁ ସ୍ମରଣ କରି ବିତର୍କ କଲେ । ବୃଦ୍ଧମାନଙ୍କଠାରୁ ଆମ୍ଭେ ଦେବତାମାନଙ୍କର ଯେଉଁସବୁ ଚିହ୍ନ ଶୁଣିଥିଲୁ, ସେହିସବୁ ଲକ୍ଷଣ ଏହି ଭୂମିସ୍ଥିତ ଦେବତାମାନଙ୍କ ମଧ୍ୟରୁ କାହାରିଠାରେ ସୁଦ୍ଧା ଦେଖିପାରୁ ନାହୁଁ । ସେ ପୁନଃପୁନଃ ବହୁପ୍ରକାର ଚିନ୍ତାକରି ନିଶ୍ଚୟ କଲେ ଯେ, ତତ୍‌କାଳରେ ଦେବତାମାନଙ୍କର ଶରଣାପନ୍ନ ହେବା ବିଧେୟ । କମ୍ପିତ କଳେବରା ଦମୟନ୍ତୀ ମନ ଓ ବାକ୍ୟଦ୍ୱାରା ଦେବତାମାନଙ୍କୁ ନମସ୍କାର କରି କୃତାଞ୍ଜଳି ପୁଟରେ କହିଲେ, ହଂସମାନଙ୍କର ଉକ୍ତି ଶୁଣି ଆମ୍ଭେ ଯେଉଁ ନିଷଧରାଜଙ୍କୁ ପତିରୂପେ ବରଣ କରିଅଛୁ, ଆମ୍ଭର ସତ୍ୟରକ୍ଷା ନିମିତ୍ତ ଦେବତାମାନେ କୃପାକରି ଆମ୍ଭ ନିକଟରେ ତାହାଙ୍କୁ ପରିଚୟ କରି ଦେଉନ୍ତୁ । ୧୭ । ଆମ୍ଭେ ଯେ ବାକ୍ୟରେ କି ମନଦ୍ୱାରା ବ୍ୟଭିଚାର ଆଚରଣ କରି ନାହୁଁ; ଦେବତାମାନେ ଆମ୍ଭର ସେହି ସତ୍ୟରକ୍ଷା ନିମିତ୍ତ ଆମ୍ଭ ନିକଟରେ ତାହାଙ୍କର ଚିହ୍ନା ଦେଉନ୍ତୁ । ୧୮ । ଦେବତାମାନେ ଯେଉଁ ନଳଙ୍କୁ ଆମ୍ଭର ପତି ହେବାର ସ୍ଥିର କରି ଦେଇଅଛନ୍ତି, ସେମାନେ ନିଜର ସତ୍ୟ ରକ୍ଷାର୍ଥ ସୁଦ୍ଧା ନଳଙ୍କୁ ଆମ୍ଭ ନିକଟରେ ବିଦିତ କରି ଦେଉନ୍ତୁ । ୧୯ । ଅଥଚ ଯେଉଁ ନଳଙ୍କ ଆରାଧନା ନିମିତ୍ତ ଆମ୍ଭେ ଏହି ସ୍ୱୟମ୍ବର ବ୍ରତ ଅନୁଷ୍ଠାନ କରାଇଅଛୁ, ଦେବତାମାନେ ଆମ୍ଭର ସେହି ସତ୍ୟ ପ୍ରତିପାଳନ ନିମିତ୍ତ ଆମ୍ଭ ନିକଟରେ ତାହାଙ୍କୁ ବ୍ୟକ୍ତ କରି ଦେଉନ୍ତୁ । ୨୦ । ମହେଶ୍ୱର ଲୋକପାଳମାନେ ଆମ୍ଭପ୍ରତି କରୁଣା କରି ସ୍ୱ ସ୍ୱ ମୂର୍ତ୍ତି ଧାରଣ କରନ୍ତୁ । ଏହା ହେଲେ ଆମ୍ଭେ ପୁଣ୍ୟଶ୍ଳୋକ * ନରପତିମାନଙ୍କୁ ଜାଣିପାରିବୁ । ୨୧ ।

 

[* ପୁଣ୍ୟଶ୍ଳୋକ ନଳୋରାଜା, ପୁଣ୍ୟଶ୍ଳୋକ ଜନାର୍ଦ୍ଦନଃ, ପୁଣ୍ୟଶ୍ଳୋକା ଚ ବୈଦେହୀ ପୁଣ୍ୟଶ୍ଳୋକ ଯୁଧିଷ୍ଠିରଃ ।]

 

ବିଦର୍ଭରାଜ ଦୁହିତାଙ୍କର ଶୋକ ଓ ବିଳାପ ପରିପୂର୍ଣ୍ଣ ସେହି ସମସ୍ତ ସୁକରୁଣ ବାକ୍ୟ ଶ୍ରବଣ କରି ଓ ନିଷଧନାଥଙ୍କ ପ୍ରତି ତାହାଙ୍କର ବିଶେଷ ନିଷ୍ଠା, ଯଥାର୍ଥ ଅନୁରାଗ, ମନଃଶୁଦ୍ଧି ଓ ଭକ୍ତି ଥିବାର ଦେବତାମାନେ ଜାଣିପାରି ସାମର୍ଥ୍ୟ ଅନୁସାରେ ଯଥାପ୍ରସିଦ୍ଧ ସ୍ୱ ସ୍ୱ ଚିହ୍ନମାନଙ୍କୁ ଧାରଣ କଲେ । ୨୩ । ଅତଃପର ଦମୟନ୍ତୀ ଦେଖିଲେ ଯେ, ଦେବତାମାନଙ୍କର ଛାୟା ପଡ଼ି ନାହିଁ; ଦେହରୁ ସ୍ୱେଦ ଝରୁନାହିଁ; ଲୋଚନର ନିମିଷ ପଡ଼ୁନାହିଁ; ପୁଷ୍ପମାଳ ଗଳାରେ ଶୁଷ୍କ ହୋଇନାହିଁ; ବସନରେ କି ଦେହରେ ଧୂଳି ପଡ଼ିନାହିଁ କି ପାଦ ଭୂମିକୁ ସ୍ପର୍ଶ କରିନାହିଁ; ଅଥଚ ସେମାନେ ଶୂନ୍ୟରେ ବସିଅଛନ୍ତି । ଅପରନ୍ତୁ ନଳଙ୍କର ଦେହର ଛାୟା ପଡ଼ିଅଛି । ଗଳାରେ କୁସୁମମାଳ ମ୍ଳାନ ହୋଇଅଛି । ଘର୍ମରେ ସାନ ସାନ ବିନ୍ଦୁବୃନ୍ଦ ମୁଖରେ ଦୃଶ୍ୟ ହେଉଅଛନ୍ତି । ଦେହରେ ଓ ବସନରେ ଧୂଳି ଉଡ଼ି ପଡ଼ିଅଛି । ଲୋଚନରେ ନିମିଷ ପଡ଼ୁଅଛି ଓ ଭୂମିକୁ ସ୍ପର୍ଶକରି ବସିଅଛନ୍ତି । ଏହା ଦମୟନ୍ତୀ ଦେଖିଲେ । ହେ ଭରତପ୍ରବର ପାଣ୍ଡବ ! ଭୀମଦୁହିତା ଦମୟନ୍ତୀ ଏବେ ନିଷଧନାଥ ପୁଣ୍ୟଶ୍ଳୋକ ନଳଙ୍କୁ ଓ ଦେବତାମାନଙ୍କୁ ଚିହ୍ନିପାରିଲେ । ଧର୍ମପ୍ରମାଣେ ସେ ନଳଙ୍କୁ ବରଣ କଲେ । ୨୬ । ଆୟତନୟନା ରାଜକୁମାରୀ ଲଜ୍ଜାନ୍ୱିତା ହୋଇ ତାହାଙ୍କ ବସ୍ତ୍ରର ପ୍ରାନ୍ତଭାଗକୁ ଧାରଣପୂର୍ବକ ତାହାଙ୍କର ଗଳଦେଶରେ ଅତି ସୁନ୍ଦର ମାଲ୍ୟକୁ ଲମ୍ବାଇଦେଲେ । ୨୭ ।

 

ହେ ଭରତ ! ବରବର୍ଣ୍ଣିନୀ ଦମୟନ୍ତୀ ତାହାଙ୍କୁ ପତିତ୍ୱରେ ବରଣ କରନ୍ତେ ସଭାସ୍ଥ ମହୀପାଳମାନେ ସହସା ହାହାକାର ଧ୍ୱନି କରି ଉଠିଲେ ଓ ଦେବତାମାନେ ଏବଂ ଋଷିମାନେ ବିସ୍ମିତ ହୋଇ ନଳରାଜାଙ୍କୁ ପ୍ରଶଂସା କରି ସାଧୁବାଦ ପ୍ରଦାନ କଲେ । ୨୯ । ହେ କୁରୁନନ୍ଦନ ! ବୀରସେନ ନନ୍ଦନ ଆନନ୍ଦ ଚିତ୍ତରେ ବରାରୋହୀ ଦମୟନ୍ତୀଙ୍କୁ ଆଶ୍ୱାସ ପ୍ରଦାନ କରି କହିଲେ, ହେ କଲ୍ୟାଣୀନି-! ଦେବତାମାନଙ୍କ ସମାଗମରେ ସୁଦ୍ଧା ତୁମ୍ଭେ ଯାହା ଆମ୍ଭଙ୍କୁ ବରଣ କଲ, ଏଥିରୁ ଆମ୍ଭଙ୍କୁ ତୁମ୍ଭେ ଆଜ୍ଞାନୁବର୍ତ୍ତୀ ପତି ବୋଲି ଜାଣିବ । ହେ ଶୁଚିସ୍ମିତେ ! ତୁମ୍ଭଠାରେ ମୁଁ ସତ୍ୟକରି କହୁଅଛି ଯେ, ଯେତେ ଦିନ ପର୍ଯ୍ୟନ୍ତ ମୋ ଦେହରେ ପ୍ରାଣ ଥିବ, ତେତେ ଦିନ ପର୍ଯ୍ୟନ୍ତ ମୁଁ ତୁମ୍ଭର ହୋଇ ରହିଲି । ୩୨ । ଅନନ୍ତର ଦମୟନ୍ତୀ ମଧ୍ୟ କୃତାଞ୍ଜଳିପୁଟରେ ଅନୁରୂପ ବାକ୍ୟଦ୍ୱାରା ନଳଙ୍କର ଅଭିନନ୍ଦନ କଲେ । ସେ ଦୁହେଁ ପରସ୍ପର ପ୍ରତି ପ୍ରୀତ ହୋଇ ଅଗ୍ନି ପ୍ରଭୃତି ଦେବତାମାନଙ୍କୁ ଦର୍ଶନ କରି ମନେ ମନେ ସେମାନଙ୍କର ଶରଣାପନ୍ନ ହେଲେ । ନଳ ନୃପତିଙ୍କୁ ଦମୟନ୍ତୀ ବରଣ କରନ୍ତେ, ଦେବତାମାନେ ତାହାଙ୍କ ପ୍ରତି କୁପିତ ନ ହୋଇ ଆନନ୍ଦିତ ହେଲେ । ୩୪ । ମହାତେଜସ୍ୱୀ ଲୋକପାଳମାନେ ହୃଷ୍ଟହୋଇ ନଳଙ୍କୁ ଆଠ ଗୋଟି ବର ଦେଲେ ।

 

ଶଚୀପତି ଇନ୍ଦ୍ର ପ୍ରୀତ ହୋଇ ବୋଇଲେ, ଆମ୍ଭ ବର ପ୍ରଭାବରୁ ତୁମ୍ଭେ ଯଜ୍ଞରେ ଆମ୍ଭର ପ୍ରତ୍ୟକ୍ଷ ଦର୍ଶନ ପାଇବ ଓ ଅନ୍ତଃକାଳରେ ସର୍ବୋତ୍ତମ ଶୁଭଗତି ଲାଭ କରିବ । ୩୫ । ଅଗ୍ନି କହିଲେ, ହେ ନୈଷଧ ! ତୁମ୍ଭେ ଯେଉଁଠାରେ ଅଭିଳାଷ କରିବ, ଆମ୍ଭେ ସେହିଠାରେ ଆବିର୍ଭୂତ ହେବୁ ଓ ଆମ୍ଭସଦୃଶ ଦୀପ୍ତିମାନ ଲୋକମାନଙ୍କୁ ପ୍ରଦାନ କରିବୁ । ୩୬ । ଯମ କହିଲେ, ତୁମ୍ଭେ ଯାହା ତାହା ପାକ କଲେ ସେ ସୁସ୍ୱାଦୁ ହେବ ଓ ଧର୍ମରେ ତୁମ୍ଭର ନିଷ୍ଠା ଦୃଢ଼ ହେବ । ବରୁଣ ବୋଇଲେ, ତୁମ୍ଭେ ଯେଉଁଠାରେ ଇଚ୍ଛା କରିବ, ଆମ୍ଭେ ସେହିଠାରେ ଦୃଶ୍ୟ ହେବୁ । ଏହି ସୁଗନ୍ଧିମାଲ୍ୟ ଘେନି ଯେଉଁଠାରେ ଯେତେବେଳେ ତୁମ୍ଭେ ଇଚ୍ଛା କରିବ, ଏହିପରି ମାଲ୍ୟ ପାଇପାରିବ । ବରୁଣ ଏହି ଦୁଇ ବର ଦେଲେ । ଏହିପରି ସମସ୍ତେ ଦିଓଟି ଲେଖାଏଁ ବର ଦେଇ ସ୍ୱର୍ଗକୁ ଗମନ କଲେ ଓ ପାର୍ଥିବମାନେ ନଳ-ଦମୟନ୍ତୀଙ୍କର ବିବାହ ଦେଖି ବିସ୍ମୟାପନ୍ନ ହେଲେ । ୩୯ । ଏହିପରି ଦମୟନ୍ତୀଙ୍କ ବିବାହରେ ନରପତିମାନେ ମୁଦିତ ହୋଇ ସ୍ୱ ସ୍ୱ ଦେଶକୁ ପ୍ରତ୍ୟାଗମନ କଲେ । ନରପତି ମହାମନା ଭୀମ ମଧ୍ୟ ଅତିଶୟ ଆନନ୍ଦିତ ହେଲେ । ୪୦ । ନରପତିମାନେ ସ୍ୱ ସ୍ୱ ଦେଶକୁ ଗମନ କରନ୍ତେ ମହାତ୍ମା ଭୀମ ପ୍ରୀତ ଚିତ୍ତରେ ନଳଙ୍କ ସହିତ ଦମୟନ୍ତୀଙ୍କର ବିବାହକୃତ୍ୟ ସମାପନ କଲେ । ମନୁଷ୍ୟଶ୍ରେଷ୍ଠ ନୈଷଧ ସେହିଠାରେ ସୁଖରେ କିୟତ୍‌କାଳ ବାସ କଲେ । ୪୧ । ଭୀମଙ୍କଦ୍ୱାରା ଅନୁଜ୍ଞାତ ହୋଇ ପୁଣ୍ୟଶ୍ଳୋକ ପାର୍ଥିବ ନୈଷଧ ନାରୀରତ୍ନକୁ ଲାଭକରି ସ୍ୱକୀୟ ନଗରକୁ ଗମନ କଲେ । ୪୨ ।

 

ହେ ରାଜନ୍ ! ଦେବରାଜ ଇନ୍ଦ୍ର ଯେପରି ଶଚୀଙ୍କ ସହ ବିଳାସ କରନ୍ତି, ସେହିପରି ନରପାଳ ନଳ ଦମୟନ୍ତୀଙ୍କୁ ଭୋଗ କଲେ ଓ ଅତିଶୟ ମୁଦିତ ହୋଇ ସୂର୍ଯ୍ୟଙ୍କ ସଦୃଶ ବିରାଜମାନ ହେଲେ । ୪୩ । ଧର୍ମରେ ପ୍ରଜାମାନଙ୍କୁ ପାଳନ କରି ସେମାନଙ୍କର ମନୋରଞ୍ଜନ କଲେ । ନହୁଷପୁତ୍ର ଯଯାତିଙ୍କ ପ୍ରାୟ ଧୀମାନ୍ ନଳ ଅଶ୍ୱମେଧ ଓ ଅପରାପର ସଦକ୍ଷିଣ ବହୁବିଧ ଯଜ୍ଞମାନଙ୍କୁ ଯଜନ କଲେ । ୪୪ । ପୁନଶ୍ଚ ଅମର ପ୍ରାୟ ରମଣୀୟ ବନ ଓ ଉପବନରେ ଦମୟନ୍ତୀଙ୍କ ସହ ନଳରାଜା ବିହାର କଲେ । ତଦନନ୍ତର ସେହି ମହାମନା ଦମୟନ୍ତୀଙ୍କଠାରେ ଇନ୍ଦ୍ରସେନ ନାମକ ସୁତ ଓ ଇନ୍ଦ୍ରସେନା ନାମ୍ନୀ କନ୍ୟକାକୁ ଜାତ କଲେ । ଏହି ପ୍ରକାରେ ଯଥାସମୟରେ ଯଜ୍ଞକରି ଓ ଯଥାକାଳରେ ବିହାର କରି ବସୁ ସମ୍ପୂର୍ଣ୍ଣ ବସୁଧାକୁ ସେହି ବସୁଧାଧିପ ରକ୍ଷା କଲେ । ୪୭ ।

 

॥ ଅଧ୍ୟାୟ – ୫୮ ॥

 

ବୃହଦଶ୍ୱ କହିଲେ–ଭୀମଦୁହିତା ନୈଷଧଙ୍କୁ ବରଣ କରିସାରିବାରୁ ମହାପ୍ରତାପୀ ଲୋକପାଳମାନେ ଯାଉ ଯାଉ ଦ୍ୱାପରକୁ କଳି ସହିତ ଆସୁଥିବାର ଦେଖିଲେ । ୧ । ବଳିବୃତ୍ତ୍ରହନ୍ତା ଇନ୍ଦ୍ର କଳିକୁ ଦେଖି କହିଲେ, ହେ କଳେ ! ଦ୍ୱାପରକୁ ସଙ୍ଗରେ ଘେନି କେଉଁଠାକୁ ଗମନ କରୁଅଛ ? ତହିଁ ଉତ୍ତାରୁ ଶତ୍ରଙ୍କୁ କଳି କହିଲେ, ଆମ୍ଭେ ଦମୟନ୍ତୀଙ୍କ ସ୍ୱୟମ୍ବରକୁ ଯାଉଅଛୁ । ତାହାଙ୍କୁ ବରଣ କରିବୁ । ଆମ୍ଭ ମନ ତାଙ୍କଠାରେ ରତ ହୋଇଅଛି । ୩ । ଇନ୍ଦ୍ର ହାସ୍ୟ କରି କହିଲେ, ସେହି ସ୍ୱୟମ୍ବର ସମାପ୍ତ ହୋଇଅଛି । ଭୀମନନ୍ଦିନୀ ଆମ୍ଭମାନଙ୍କ ସାକ୍ଷାତରେ ନଳରାଜାଙ୍କୁ ପତିସ୍ୱରୂପ ବରଣ କରିଅଛନ୍ତି । ୪ । ଶତ୍ରଙ୍କଠାରୁ କଳି ଏକଥା ଶୁଣି କ୍ରୋଧାନ୍ୱିତ ହୋଇ ସେହି ଦେବତାମାନଙ୍କୁ ସମ୍ବୋଧନ କରି ଏହି କଥା କହିଲା । ୫ । ଦେବତାମାନେ ଉପସ୍ଥିତ ଥାଇ ସେ ଯେ ମନୁଷ୍ୟକୁ ପତିରୂପେ ବରଣ କଲା, ଅତଏବ ସେ ବିପୁଳ ଦଣ୍ଡଭୋଗ କରିବା ନ୍ୟାୟସଙ୍ଗତ ହେଉଅଛି । ୬ ।

 

କଳିର ତଦ୍ରୂପ ବଚନ ଶୁଣି ସବୁ ଦେବତାମାନେ ପ୍ରତ୍ୟୁତ୍ତର କଲେ । ଦମୟନ୍ତୀ ଆମ୍ଭମାନଙ୍କ ଅନୁଜ୍ଞାକ୍ରମେ ନଳଙ୍କୁ ବରଣ କରି ଅଛି । ସର୍ବେଗୁଣୋପେତ ନଳଙ୍କୁ କେଉଁ କାମିନୀ ବରଣ ନ କରିବ ? ଯେଉଁ ନଳ ଅଖିଳ ଧର୍ମମାନଙ୍କୁ ଜାଣନ୍ତି, ଯେ ବ୍ରତାଚାରୀ, ଯେ ଇତିହାସ ଓ ବେଦ ଚତୁଷ୍ଟୟକୁ ଅଧ୍ୟୟନ କରିଅଛନ୍ତି, ଯାହାଙ୍କ ଗୃହରେ ନିୟମିତ ଯଜ୍ଞାନୁଷ୍ଠାନ ହେଉଅଛି, ଯଦ୍ଦ୍ୱାରା ଦେବତାମାନେ ନିତ୍ୟ ପରିତୃପ୍ତ ହୋଇ ଅଛନ୍ତି ଓ ହେଉଅଛନ୍ତି, ଯେ ଅହିଂସାନିରତ, ସତ୍ୟବାଦୀ, ଦୃଢ଼ପ୍ରତିଜ୍ଞ ଓ ଲୋକପାଳମାନଙ୍କ ସମାନ, ଯେଉଁ ପୁରୁଷଶ୍ରେଷ୍ଠ ନରପତିମାନଙ୍କଠାରେ ସତ୍ୟ, ଧୈର୍ଯ୍ୟ, ଜ୍ଞାନ, ତପସ୍ୟା, ଶୌଚ, ଦମ ଓ ଶମ ପ୍ରଭୃତି ଗୁଣ ପରସ୍ପର ଅବାଧିତରୂପେ ଅଧିଷ୍ଠିତ ହୋଇଅଛନ୍ତି, ଏତାଦୃଶ ପୁରୁଷଙ୍କୁ ହେ କଳେ ! ଅଭିଶାପ ଦେବାକୁ ଯେ ଇଚ୍ଛା କରେ, ସେ ମୂଢ଼ ଆପଣାକୁ ଅଭିଶପ୍ତ କରେ ଓ ଆପେ ଆପଣାକୁ ବିନଷ୍ଟ କରେ । ୧୧ ।

 

ହେ କଳେ ! ତାଦୃଶ ଗୁଣସମ୍ପନ୍ନ ପୁରୁଷକୁ ଯେଉଁ ବ୍ୟକ୍ତି ଅଭିଶାପ ଦେବାକୁ ଅଭିଳାଷ କରେ, ସେ କଷ୍ଟପ୍ରଦ ଅଗାଧ ନରକରେ ନିମଗ୍ନ ହୁଏ । ଦେବମାନେ କଳିକୁ ଓ ଦ୍ୱାପରକୁ ଏହିପରି କହି ସ୍ୱର୍ଗ-ଲୋକକୁ ଗମନ କଲେ । ୧୨ । ତଦନନ୍ତର ଦେବତାମାନେ ପ୍ରସ୍ଥାନ କରନ୍ତେ ଦ୍ୱାପରକୁ କଳି କହିଲେ, ହେ ଦ୍ୱାପର ! ଆମ୍ଭେ କୋପ ସଂହାର କରିବାକୁ ଇଚ୍ଛା କରୁ ନାହୁଁ । ନଳଠାରେ ଆମ୍ଭେ ବାସ କରିବୁଁ । ୧୩ । ଆମ୍ଭେ ତାହାଙ୍କୁ ରାଜ୍ୟଭ୍ରଷ୍ଟ କରିବୁ । ଯେପରି ସେ ଦମୟନ୍ତୀଙ୍କୁ ଭୋଗ କରିନପାରିବ । ତୁମ୍ଭେ ମଧ୍ୟ ପଶାକାଠିକୁ ଆଶ୍ରୟ କରି ରହି ଆମ୍ଭର ସାହାଯ୍ୟ କର । ୧୪ ।

 

॥ ଅଧ୍ୟାୟ – ୫୯ ॥

 

ବୃହଦଶ୍ୱ କହିଲେ, ଦ୍ୱାପର ସହିତ କଳି ଏହିପରି ମନ୍ତ୍ରଣା କରି ଯେଉଁଠାରେ ନୈଷଧ ଥିଲେ, ସେହିଠାକୁ ଗମନ କଲେ । ୧ । ସର୍ବଦା ନଳଙ୍କର ଛିଦ୍ରାନ୍ୱେଷୀ ହୋଇ ନିଷଧ ଦେଶରେ କଳି ବହୁକାଳ ବସତି କଲା । ତଦନନ୍ତର ଦ୍ୱାଦଶ ବର୍ଷରେ କଳି ଗୋଟିଏ ଦୋଷ ଦେଖିଲା । ୨ । ଏକଦା ନଳରାଜା ମୂତ୍ର ତ୍ୟାଗକରି ମୁଖ ପ୍ରକ୍ଷାଳନ କରି ପାଦ ନ ଧୋଇ ସନ୍ଧ୍ୟା କରି ବସିଲେ । ସେହି ସମୟରେ କଳି ତାହାଙ୍କ ଶରୀରରେ ପ୍ରବେଶ କଲେ । ୩ । ଗୋଟିଏ ରୂପରେ କଳି ନଳଙ୍କ ଶରୀରରେ ପ୍ରବେଶ କଲା ଓ ଅପର ରୂପରେ ନଳଙ୍କ ଭ୍ରାତା ପୁଷ୍କରଙ୍କ ନିକଟକୁ ଯାଇ କହିଲା, ହେ ପୁଷ୍କର ! ତୁମ୍ଭେ ନଳଙ୍କ ସହିତ ଦ୍ୟୂତକ୍ରୀଡ଼ା କର । ଆମ୍ଭ ସାହାଯ୍ୟଦ୍ୱାରା ତୁମ୍ଭେ ନଳଙ୍କୁ ଅକ୍ଷକ୍ରୀଡ଼ାରେ ପରାଜିତ କରିପାରିବ । ତାହାଙ୍କୁ ଜୟକରି ତୁମ୍ଭେ ଏହି ନିଷଧ ଦେଶରେ ଆଧିପତ୍ୟ ଲାଭ କର । କଳି ପୁଷ୍କରଙ୍କୁ ଏହି ରୂପ କହିବାରୁ ପୁଷ୍କର ନଳଙ୍କ ଅଭିମୁଖକୁ ଗମନ କଲେ । କଳି ମଧ୍ୟ ଗୋରୂପକୁ ଧରି ପୁଷ୍କରଙ୍କ ସନ୍ନିହିତ ହେଲା ।

 

ଶତ୍ରୁଘାତୀ ପୁଷ୍କର ବୀର ନଳଙ୍କ ସମୀପକୁ ଯାଇ ପୁନଃପୁନଃ କହିଲେ, “ଆସିବା ହେଉନ୍ତୁ, ଆମ୍ଭେ ଦୁହେଁ ବୃଷକୁ ପଣ ରଖି ଦ୍ୟୂତକ୍ରୀଡ଼ା କରିବା” । ୭ । ମହାମନା ରାଜା ନଳ ଦମୟନ୍ତୀଙ୍କ ସମକ୍ଷରେ ପୁଷ୍କରର ପୁନଃ ପୁନଃ ଆହ୍ୱାନକୁ ସହ୍ୟ କରିପାରିଲେ ନାହିଁ; ସୁତରାଂ ସେହି ସମୟକୁ ଦ୍ୟୂତକ୍ରୀଡ଼ାର ସମୟ ଜାଣି କ୍ରୀଡ଼ା ଆରମ୍ଭ କଲେ । ୮ । ନଳଙ୍କ ଦେହରେ କଳି ଥିବାରୁ ସେ ଦ୍ୟୂତକ୍ରୀଡ଼ାରେ ପ୍ରବୃତ୍ତ ହୋଇ କ୍ରମଶଃ ଯେତେ ସୁବର୍ଣ୍ଣ, ରଜତ, ଯାନ ଓ ବସ୍ତ୍ର ଥିଲା, ସବୁ ପଣ ରଖି ପୁଷ୍କରଦ୍ୱାରା ପରାଜିତ ହେଲେ । ଅରିନ୍ଦମ ନୃପତି ନଳ ଦ୍ୟୁତମଦରେ ମତ୍ତ ହୋଇ କ୍ରୀଡ଼ାରେ ଅନୁରକ୍ତ ହେଲେ । ତାହାଙ୍କର ଯେତେ ସୁହୃଦବର୍ଗ ଥିଲେ, ତନ୍ମଧ୍ୟରୁ କେହି ସୁଦ୍ଧା ତାହାଙ୍କୁ କ୍ରୀଡ଼ାରୁ ନିବୃତ୍ତ କରିପାରିଲେ ନାହିଁ । ୧୦ ।

 

ହେ ଭାରତ ! ଅନନ୍ତର ପୁରବାସୀ ସମସ୍ତେ ମନ୍ତ୍ରୀମାନଙ୍କୁ ସଙ୍ଗରେ ଘେନି ସେହି କ୍ରୀଡ଼ାତୁର ରାଜାଙ୍କୁ ନିବୃତ୍ତ କରିବା ପାଇଁ ରାଜସଦନର ଦ୍ୱାରରେ ଉପସ୍ଥିତ ହେଲେ । ୧୧ । ତତ୍‍ପରେ ସାରଥି ଅନ୍ତଃପୁରକୁ ଆସି ଦମୟନ୍ତୀଙ୍କୁ କହିଲା–ହେ ଦେବୀ ! ରାଜକର୍ମଚାରୀ ଓ ପୁରବାସୀମାନେ ଦ୍ୱାରଦେଶରେ ଉପନୀତ ହୋଇଅଛନ୍ତି । ଅତଏବ ଆପଣ ମହାରାଜାଙ୍କ ନିକଟରେ ନିବେଦନ କରନ୍ତୁ ଯେ, ଧର୍ମାର୍ଥଦର୍ଶୀ ପ୍ରଜାମାନେ ମହାରାଜାଙ୍କର ବ୍ୟସନ ସହ୍ୟ କରିନପାରି ଦ୍ୱାରରେ ଉପସ୍ଥିତ ହୋଇଅଛନ୍ତି । ୧୩ । ଏଥି ଉତ୍ତାରୁ ଭୀମନନ୍ଦିନୀ ଶୋକରେ ହତଚେତନା ଓ ଦୁଃଖାର୍ତ୍ତ ହୋଇ ବାଷ୍ପପୂର୍ଣ୍ଣ ସ୍ୱରରେ ନିଷଧରାଜଙ୍କୁ କହିଲେ । ୧୪ । ମହାରାଜ ! ମନ୍ତ୍ରୀମାନଙ୍କ ସହିତ ପୁରବାସୀ ପ୍ରଜାମାନେ ଏକତ୍ର ରାଜଭକ୍ତିର ଅନୁଗାମୀ ହୋଇ ଆପଣଙ୍କୁ ଦର୍ଶନ କରିବା ଅଭିଳାଷରେ ଦ୍ୱାରଦେଶରେ ଦଣ୍ଡାୟମାନ ହୋଇଅଛନ୍ତି । ୧୫ । ଅତଏବ ସେମାନଙ୍କ ସହିତ ଆପଣଙ୍କର ସାକ୍ଷାତ୍ କରିବା କର୍ତ୍ତବ୍ୟ । ରୁଚିରାପାଙ୍ଗୀ ଦମୟନ୍ତୀ ବିଳାପ କରି ପୁନଃ ତଦ୍ରୂପ କହିଲେ ହେଁ କଳିଙ୍କଦ୍ୱାରା ଆବିଷ୍ଟ ହୋଇଥିବାରୁ ରାଜା ନଳ ତହିଁର କୌଣସି ଉତ୍ତର ଦେଲେ ନାହିଁ । ତତ୍‍ପରେ ସେହିସବୁ ମନ୍ତ୍ରୀମାନେ ଓ ପୁରବାସୀମାନେ କହିଲେ, “ଆଉ ହେବ ନାହିଁ, ଏ ସରିଲେ”; ଏହିପରି କହି ଦୁଃଖିତ ଓ ଲଜ୍ଜିତ ହୋଇ ସ୍ୱ ସ୍ୱ ଆଳୟକୁ ପ୍ରତିଗମନ କଲେ । ହେ ଯୁଧିଷ୍ଠିର ! ନଳ ଓ ପୁଷ୍କରଙ୍କ ସେହି ଦ୍ୟୂତକ୍ରୀଡ଼ା ବହୁ ମାସ ପର୍ଯ୍ୟନ୍ତ ଲାଗିଲା; କିନ୍ତୁ ତହିଁରେ ପୁଣ୍ୟଶ୍ଲୋକ ନଳ କେବଳ ପରାଜିତ ହେଲେ ।

 

॥ ଅଧ୍ୟାୟ – ୬୦ ॥

 

ବୃହଦଶ୍ୱ କହିଲେ, ହେ ରାଜନ୍‌ ! ସ୍ଥିରବୁଦ୍ଧି ଭୀମରାଜାଙ୍କ ପୁତ୍ରୀ ଦମୟନ୍ତୀ ଦେଖିଲେ ଯେ, ପୁଣ୍ୟଶ୍ଲୋକ ରାଜା ନଳ ଦ୍ୟୂତକ୍ରୀଡ଼ାରେ ଏକାବେଳକେ ଉନ୍ମତ୍ତ ପ୍ରାୟ ଓ ହତଚେତନ ହୋଇଅଛନ୍ତି-। ଏହା ଦେଖି ସେ ଦୁଃଖରେ ଓ ଭୟରେ ବ୍ୟାକୁଳିତ ହେଲେ ଏବଂ ରାଜାଙ୍କ ପକ୍ଷରେ ସେ କାର୍ଯ୍ୟ ମହାନ ଅହିତ ଥିବାର ଜାଣିଲେ । ୨ । ନଳଙ୍କର ସର୍ବସ୍ୱ ଅପହୃତ ହୋଇଥିବାର ଦେଖି ଅନିଷ୍ଟ ଆଶଙ୍କା କରି ବୃହତ୍‌ସେନାନାମ୍ନୀ ଧାତ୍ରୀକୁ ଡାକି କହିଲେ, । ୪ । ହେ ବୃହତ୍‌ସେନେ ! ତୁମ୍ଭେ ଅମାତ୍ୟମାନଙ୍କ ନିକଟକୁ ଗମନ କର ଓ ରାଜାଙ୍କ ଆଦେଶ ହୋଇଥିବାର କହି ସେମାନଙ୍କୁ ଡାକିଆଣ ଓ ସେମାନଙ୍କୁ ପଚାର ଯେ ରାଜା କେତେ ଦ୍ରବ୍ୟ ଓ ଧନ ଦ୍ୟୂତରେ ହାରିଅଛନ୍ତି ଓ କେତେ ଦ୍ରବ୍ୟ ଓ ଧନ ଅବଶିଷ୍ଟ ଅଛି । ଧାତ୍ରୀ ସେହି ଆଜ୍ଞାନୁସାରେ କାର୍ଯ୍ୟ କରନ୍ତେ ମନ୍ତ୍ରୀମାନେ ସେ ଆଦେଶକୁ ମହାରାଜାଙ୍କର ଆଦେଶ ଥିବା ଜାଣି ଆମ୍ଭମାନଙ୍କ ଭାଗ୍ୟ ବୋଲି କହି ନଳଙ୍କ ସମୀପକୁ ଆଗମନ କଲେ । ୬ । ଦ୍ୱିତୀୟଥର ମନ୍ତ୍ରୀମାନେ ଆଗମନ କରିଥିବାର ଦେଖି ଦମୟନ୍ତୀ ପୁନର୍ବାର ସେହି ବାର୍ତ୍ତା ରାଜାଙ୍କ ନିକଟରେ ନିବେଦନ କଲେ । କିନ୍ତୁ ନିଷଧନାଥ ପୂର୍ବ ପ୍ରାୟ ତାହାଙ୍କ କଥାରେ ଅନାଦର କଲେ । ୭ । ଦମୟନ୍ତୀ ଦେଖିଲେ ଯେ, ତାହାଙ୍କ କଥାରେ ନଳରାଜା ଅଭିନନ୍ଦନ କଲେ ନାହିଁ । ସୁତରାଂ ସେ ଲଜ୍ଜିତା ହୋଇ ପୁନର୍ବାର ସ୍ୱକୀୟ ଭବନରେ ପ୍ରବେଶ କଲେ । ୮ ।

 

ପୁନର୍ବାର ଦ୍ୟୂତକ୍ରୀଡ଼ାରେ ପଶାକାଠି ନିୟତ ନଳଙ୍କ ବିପକ୍ଷକାରୀ ହେଲା । ତହିଁରେ ରାଜାଙ୍କର ସର୍ବସ୍ୱ ଅପହୃତ ହୋଇଥିବାର ଦେଖି ପୁନର୍ବାର ଦମୟନ୍ତୀ ଧାତ୍ରୀଙ୍କୁ କହିଲେ । ୯ । ହେ କଲ୍ୟାଣୀ ! ବୃହତ୍‌ସେନେ ! ନିଦାରୁଣ ଗୁରୁତର ଘଟନା ହେଲା । ଅତଏବ ତୁମ୍ଭେ ମହାରାଜାଙ୍କ ଆଜ୍ଞା ଘେନି ପୁନଶ୍ଚ ଗମନ କର । ସାରଥି ବାର୍ଷ୍ଣେୟଙ୍କୁ ଶୀଘ୍ର ଆଣ । ୧୦ । ଦମୟନ୍ତୀଙ୍କ ଆଦେଶାନୁସାରେ ବୃହତ୍ସେନା ବିଶ୍ୱସ୍ତ ପୁରୁଷଦ୍ୱାରା ସାରଥିକୁ ଅଣାଇଲେ । ୧୧ । ତଦନନ୍ତର ଦେଶକାଳଜ୍ଞ ଦମୟନ୍ତୀ ମଧୁର ବଚନଦ୍ୱାରା ସାରଥିକୁ ସାନ୍ତ୍ୱନା ଦେଇ ସମୟୋଚିତ ବଚନରେ କହିଲେ, ହେ ସୂତ ! ରାଜା ସର୍ବଦା ତୁମ୍ଭ ପ୍ରତି ଯେପରି ବ୍ୟବହାର କରନ୍ତି, ତାହା ତୁମ୍ଭେ ବିଶେଷରୂପେ ଅବଗତ ଅଛ, ଏବେ ଦୁରବସ୍ଥାଗ୍ରସ୍ତ ପ୍ରଭୁଙ୍କର ସାହାଯ୍ୟ କରିବା ତୁମ୍ଭର ସର୍ବତୋଭାବେ କର୍ତ୍ତବ୍ୟ । ୧୩ । ପୁଷ୍କରଙ୍କଦ୍ୱାରା ନରପତି ଯେତେ ପରାଜିତ ହେଉଅଛନ୍ତି, ତାହାଙ୍କର ଦ୍ୟୂତକ୍ରୀଡ଼ାରେ ସେତେ ଆସକ୍ତି ବୃଦ୍ଧି ହେଉଅଛି । ୧୪ । ପୁଷ୍କରଙ୍କର ବଶବର୍ତ୍ତୀ ହୋଇ ଯେପରି ଦାନମାନ ପଡ଼ୁଅଛି, ନଳଙ୍କର ସେହିପରି ବିପରୀତ ଭାବରେ ପଡ଼ୁଥିବାର ଦେଖାଯାଉଅଛି-। ମହାରାଜା ମୋହିତ ହୋଇ ସୁହୃଦ୍‌ବର୍ଗ ଓ ସ୍ୱଜନଙ୍କର କଥା ଯେପରି ଶୁଣୁ ନାହାନ୍ତି, ସେହିପରି ଆମ୍ଭ ବାକ୍ୟ ସୁଦ୍ଧା ଅନୁମୋଦନ କରୁନାହାନ୍ତି । ୧୬ । ରାଜା ନିଷେଧପତି ମହାତ୍ମା ! ସେ ଯେ ମୋ ବଚନକୁ ଅନାଦର କରୁଅଛନ୍ତି, ତହିଁରେ ତାହାଙ୍କର ଦୋଷ ନାହିଁ । ସେ ନିଶ୍ଚୟ ମୋହିତ ହୋଇଅଛନ୍ତି, ଏଥିରେ ସନ୍ଦେହ ନାହିଁ । ୧୭ ।

 

ହେ ସାରଥେ ! ମୁଁ ତୁମ୍ଭର ଶରଣାପନ୍ନ ହେଉଅଛି । ତୁମ୍ଭେ ମୋର ବାକ୍ୟ ରକ୍ଷା କର । ୧୮ । ତୁମ୍ଭେ ମହାରାଜାଙ୍କର ପ୍ରିୟତମ ଓ ମନଃସଦୃଶ ବେଗଶାଳୀ ଅଶ୍ୱମାନଙ୍କୁ ରଥରେ ଯୋଜନା କରି ତହିଁରେ ଆମ୍ଭର ଏହି ପୁତ୍ର ଓ କନ୍ୟାକୁ ନେଇ କୁଣ୍ଡିନଗରକୁ ଗମନ କର । ୧୯ । ସେଠାରେ ଆମ୍ଭର ଜ୍ଞାତିମାନଙ୍କ ନିକଟରେ ଏହି ଦୁଇ ସନ୍ତାନ, ରଥ ଓ ଅଶ୍ୱମାନଙ୍କୁ ରଖି ତୁମ୍ଭେ ସେଠାରେ ସ୍ୱୟଂ ବାସ କର ଅଥବା ଇଚ୍ଛା ହେଲେ ଅନ୍ୟ କୌଣସିଠାକୁ ଗମନ କର । ୨୦ । ବିଦର୍ଭ ରାଜନନ୍ଦିନୀଙ୍କର ସେହି କଥା ଶ୍ରବଣ କରି ନଳଙ୍କ ସାରଥି ବାର୍ଷ୍ଣେୟ ସେହି କଥା ପ୍ରଧାନ ପ୍ରଧାନ ମନ୍ତ୍ରୀମାନଙ୍କୁ ଅବଗତ କଲେ । ୨୧ ।

 

ହେ ମହୀପତେ ! ସେମାନେ ସମସ୍ତେ ମିଳିତ ହୋଇ ପରାମର୍ଶପୂର୍ବକ ସେହି କଥା ସ୍ଥିର କରି ସାରଥିଙ୍କ ପ୍ରତି ଅନୁମତି ଦେଲେ । ସାରଥି ରାଜକୁମାର ଓ କୁମାରୀ ଦୁଇଜଣଙ୍କୁ ରଥରେ ବସାଇ ବିଦର୍ଭ ଦେଶକୁ ଯାତ୍ରା କଲେ । ସାରଥୀ ବାର୍ଷ୍ଣେୟ ସେହିଠାରେ ରଥ, ଅଶ୍ୱ ଓ ରାଜପୁତ୍ର ଇନ୍ଦ୍ରସେନ ଓ ରାଜପୁତ୍ରୀ ଇନ୍ଦ୍ରସେନାଙ୍କୁ ସେହି କୁଣ୍ଡିନଗରରେ ମାତାମହଙ୍କ ଗୃହରେ ରଖି ରାଜା ଭୀମଙ୍କଠାରୁ ବିଦାୟ ହୋଇ ଶୋକରେ ଆର୍ତ୍ତ ହେଲେ ଓ ଇତସ୍ତତଃ ଭ୍ରମଣ କରି ଅଯୋଧ୍ୟା ନଗରୀରେ ଉପନୀତ ହେଲେ । ୨୪ । ଅତି ଦୁଃଖିତ ଚିତ୍ତରେ ସେ ଅଯୋଧ୍ୟାପତି ଋତୁପୂର୍ଣ୍ଣ ରାଜାଙ୍କର ଉପାସନା କରି ତାହାଙ୍କର ସାରଥିକର୍ମ ସ୍ୱୀକାର କରି ନିଜର ଜୀବିକା ନିର୍ବାହ କଲେ । ୨୫ ।

 

॥ ଅଧ୍ୟାୟ – ୬୧ ॥

 

ବୃହଦଶ୍ୱ କହିଲେ, ହେ ମହାରାଜା ! ବାର୍ଷ୍ଣେୟ ବହିର୍ଗତ ହେଲା ଉତ୍ତାରୁ ଦ୍ୟୂତକ୍ରୀଡ଼ାସକ୍ତ ନିଷଧରାଜଙ୍କର ରାଜ୍ୟ ଓ ଅନ୍ୟାନ୍ୟ ଯାହା କିଛି ସମ୍ପତ୍ତି ଥିଲା, ତତ୍ସମୁଦାୟ ପୁଷ୍କର ପଣରେ ହରଣ କରିନେଲା । ନିଷଧେଶ୍ୱର ସର୍ବସ୍ୱାନ୍ତ ହେଲାରୁ ପୁଷ୍କର ତାହାଙ୍କୁ ହାସ୍ୟ କରି କହିଲା, ଆପଣ ପୁନର୍ବାର ଦ୍ୟୂତକ୍ରୀଡ଼ାରେ ପ୍ରବୃତ୍ତ ହେଉନ୍ତୁ । ପଣର ଉପଯୁକ୍ତ ଆପଣଙ୍କର ଆଉ କି ଧନ ଅଛି ? ୨-। ଆମ୍ଭେ ଦେଖୁଅଛୁ ଆପଣଙ୍କର ଏକମାତ୍ର ମହିଷୀ ଦମୟନ୍ତୀ କେବଳ ଅବଶିଷ୍ଟ ଅଛନ୍ତି । ତଦ୍‌ଭିନ୍ନ ସମସ୍ତ ଆମ୍ଭେ ଜୟ କରି ନେଇଅଛୁଁ । ଯେବେ ଇଚ୍ଛା ହୁଏ, ତେବେ ତାହାଙ୍କ ପଣ ରଖ । ୩ । ପୁଷ୍କର ଏହି କଥା କହନ୍ତେ ପୁଣ୍ୟଶ୍ଲୋକ ନଳଙ୍କର ହୃଦୟ ଦୁଃଖରେ ବିଦୀର୍ଣ୍ଣ ପ୍ରାୟ ହେଲା, କିନ୍ତୁ ସେ ତାହାକୁ କୌଣସି ଉତ୍ତର ଦେଲେ ନାହିଁ । ୪ ।

 

କିୟତ୍‌କ୍ଷଣ ପରେ ମହାଯଶସ୍ୱୀ ରାଜା ନଳ ପୁଷ୍କରଙ୍କ ପ୍ରତି ଦୃଷ୍ଟିପାତ କରି ଅତ୍ୟନ୍ତ କ୍ରୁଦ୍ଧ ଚିତ୍ତରେ ସର୍ବାଙ୍ଗରୁ ଭୂଷଣମାନଙ୍କୁ ବାହାର କରି ପୁଷ୍କରଙ୍କ ସମ୍ମୁଖରେ ସେସବୁ ରଖି ଖଣ୍ଡିଏ ବସ୍ତ୍ର ପିନ୍ଧି ଅନାବୃତ୍ତ ଅଙ୍ଗରେ ସୁହୃଦ୍‌ବର୍ଗଙ୍କ ଶୋକ ବୃଦ୍ଧି କରି ଅତି ବିପୁଳ ସମ୍ପତ୍ତିକୁ ବିସର୍ଜନ ଦେଇ ସେଠାରୁ ବହିର୍ଗତ ହେଲେ । ୬ । ପରେ ଦମୟନ୍ତୀ ମଧ୍ୟ ପତିଙ୍କୁ ଗମନ କରିବାର ଦେଖି ଏକମାତ୍ର ବସ୍ତ୍ର ପରିଧାନ କରି ତାହାଙ୍କର ଅନୁଗାମିନୀ ହେଲେ । ଅନନ୍ତର ନିଷଧରାଜ ନଗରର ବାହାରେ ତିନି ରାତି ପର୍ଯ୍ୟନ୍ତ ଦମୟନ୍ତୀଙ୍କ ସହିତ ବାସ କରି ରହିଲେ । ୭ ।

 

ହେ ମହାରାଜ ! ଏଣେ ପୁଷ୍କର ରାଜ୍ୟରେ ଘୋଷଣା କଲେ ଯେ, ନଳଙ୍କୁ ଯେ ଆଶ୍ରୟ ଦେବ, ସେ ତାହାଙ୍କର ବଧ୍ୟ ହେବ । ପୁଷ୍କରଙ୍କର ଏହି ଘଟଣାରୁ ପୌରଜନମାନେ ଜାଣିଲେ ଯେ, ନଳଙ୍କ ପ୍ରତି ତାହାଙ୍କର ବିଶେଷ ଦ୍ୱେଷ ଅଛି । ଏହି ହେତୁରୁ ସେମାନେ ନଳଙ୍କୁ କୌଣସି ପ୍ରକାରେ ସମାଦର କଲେ ନାହିଁ । ୯ । ନଗର ବାହାରେ ରାଜା ନଳ ତ୍ରିରାତ୍ର ବାସ କଲେ । ସତ୍କାରର ଯୋଗ୍ୟ ହେଲେ ହେଁ, ତାହାଙ୍କୁ କେହି ସତ୍କାର କଲେ ନାହିଁ । କେବଳ ଜଳମାତ୍ର ତିନି ଦିନ ଆହାର କରି ଜୀବନ ରକ୍ଷା କଲେ । ୧୦ । ତଦନନ୍ତର କ୍ଷୁଧାରେ ପୀଡ଼ିତ ହୋଇ ଫଳମୂଳ ଅନ୍ୱେଷଣ କରିବା ନିମିତ୍ତ ସେ ସ୍ଥାନରୁ ଗମନ କଲେ । ଦମୟନ୍ତୀ ମଧ୍ୟ ତାହାଙ୍କର ପଛେ ପଛେ ଗଲେ । ୧୧-

 

କ୍ଷୁଧାର୍ତ୍ତ ନଳ ବହୁଦିନ ପରେ କାଞ୍ଚନବର୍ଣ୍ଣ ପକ୍ଷଧାରୀ କେତେଗୁଡ଼ିଏ ପକ୍ଷୀ ଦେଖିଲେ । ୧୨ । ସେମାନଙ୍କୁ ଦେଖି ବଳଶାଳୀ ନଳ ବିଚାରିଲେ, ଅଦ୍ୟ ଏହିଗୁଡ଼ିକ ମୋର ଭକ୍ଷ୍ୟସ୍ୱରୂପ ଉପସ୍ଥିତ ହୋଇଅଛନ୍ତି । ଏତଦ୍ଦ୍ୱାରା ମୋର ଅର୍ଥ ମଧ୍ୟ ଲାଭ ହେବ । ୧୩ । ଏହା ଭାବି ସେ ନିଜର ପରିଧାନ ବସ୍ତ୍ରଦ୍ୱାରା ସେମାନଙ୍କୁ ଧଇଲେ; କିନ୍ତୁ ସେ ପକ୍ଷୀମାନେ ଲୁଗାକୁ ଘେନି ଆକାଶକୁ ଉଡ଼ିଗଲେ । ୧୪ । ରାଜା ତାହା ଦେଖି ମ୍ଳାନ ଓ ଆପଣାକୁ ଦିଗମ୍ବର ଦେଖି ଲଜ୍ଜାରେ ଅଧୋବଦନ ହୋଇ ରହିଲେ । ଉଡ଼ିଗଲା ବେଳେ ପକ୍ଷୀମାନେ ନଳରାଜାଙ୍କୁ ନଗ୍ନ, ଦୀନ ଓ ଅଧୋମୁଖରେ ଭୂମିରେ ବସିବାର ଦେଖି କହିଲେ । ୧୫ । ରେ ଦୁର୍ବୁଦ୍ଧି ! ଆମ୍ଭେମାନେ ସେହି ଅକ୍ଷ (ପଶା), ତୁ ଖଣ୍ଡିଏ ହେଲେ ବସ୍ତ୍ର ପିନ୍ଧିଯିବାର ଦେଖି ଆମ୍ଭର ସନ୍ତୋଷ ହେଲା ନାହିଁ । ଅତଏବ ତୋର ବସ୍ତ୍ର ହରଣ କରିବା ନିମିତ୍ତ ଆମ୍ଭେମାନେ ଆସିଥିଲୁ । ୧୬ । ହେ ରାଜନ୍‌ ! ଯେତେବେଳେ ପୁଣ୍ୟଶ୍ଲୋକ ନଳ ଆପଣାକୁ ବିବସନ ଦେଖିଲେ ଓ ପକ୍ଷୀମାନଙ୍କର କଥା ଶୁଣିଲେ, ତେତେବେଳେ ସେ ଦମୟନ୍ତୀଙ୍କୁ କହିଲେ, ହେ ଅନିନ୍ଦିତେ ! ଯେଉଁମାନଙ୍କ କୋପ ହେତୁରୁ ଆମ୍ଭେ ଐଶ୍ୱର୍ଯ୍ୟରୁ ଭ୍ରଷ୍ଟ ହୋଇଅଛୁ, କ୍ଷୁଧାପୀଡ଼ିତ ଦେହରେ ଅତି କଷ୍ଟରେ ସୁଦ୍ଧା ଜୀବନଯାତ୍ରା ନିର୍ବାହ କରିବାକୁ ସମର୍ଥ ହୋଇ ନାହୁଁ, ହେ ଭୀରୁ ! ଯେଉଁମାନଙ୍କ ହେତୁରୁ ନିଷଧ ଦେଶବାସୀ ପ୍ରଜାମାନେ ଆମ୍ଭଙ୍କୁ ଆଦର କଲେ ନାହିଁ, ସେହିମାନେ ପକ୍ଷୀ ହୋଇ ଆମ୍ଭର ବସନ ହରଣ କଲେ । ୧୯ ।

 

ହେ ପ୍ରିୟେ ! ଆମ୍ଭେ ବିଷମ ଦଶା ପ୍ରାପ୍ତ ହୋଇ ଓ ଦୁଃଖିତ ହୋଇ ଜ୍ଞାନଶୂନ୍ୟ ହୋଇଅଛୁ-। ଆମ୍ଭେ ତୁମ୍ଭର ଭର୍ତ୍ତା । ଅତଏବ ତୁମ୍ଭଙ୍କୁ ତୁମ୍ଭର ଗୋଟିଏ ହିତକଥା କହୁଅଛୁ, ଶ୍ରବଣ କର । ୨୦ । ଏହି ସବୁ ପଥ ଦକ୍ଷିଣାପଥକୁ ଯାଇଅଛି । ଅବନ୍ତୀ ଓ ରୁକ୍ଷବନ୍ତ ପର୍ବତକୁ ଅତିକ୍ରମ କରି ଯିବାକୁ ହେବ । ୨୧ । ଏହି ମହାଶୈଳ ବିନ୍ଧ୍ୟ ଦିଶୁଅଛି । ସମୁଦ୍ରଗାମିନୀ ପୟୋଷ୍ଣୀ ନଦୀ ପ୍ରବାହିତ ହେଉଅଛି । ତାହା ତଟରେ ମହର୍ଷିମାନଙ୍କର ଆଶ୍ରମ ଅଛି ଓ ସେଠାରେ ଫଳମୂଳ ଅନେକ ପ୍ରାପ୍ତି ହୁଏ । ୨୨ । ଏହି ପଥ ବିଦର୍ଭ ଦେଶକୁ ପଡ଼ିଅଛି । ଏହା କୋଶଳ ଦେଶକୁ ଯିବାର ପଥ । ଏଥି ଉତ୍ତାରୁ ଦକ୍ଷିଣାପଥ, ଦକ୍ଷିଣ ଦେଶ ଏହି ଦିଗରେ । ୨୩ ।

 

ହେ ଭାରତ ! ଏହି ବାକ୍ୟକୁ ନଳରାଜା ପୁନଃପୁନଃ ଦମୟନ୍ତୀଙ୍କୁ ଉଦ୍ଦେଶ୍ୟ କରି ଆର୍ତ୍ତ ହୋଇ କହିଲେ । ୨୪ । ତଦନନ୍ତର ଦମୟନ୍ତୀ ବାଷ୍ପାକୁଳିତ ବାକ୍ୟରେ ଦୁଃଖିତ ହୋଇ କରୁଣ ସ୍ୱରରେ ନିଷଧନାଥଙ୍କୁ କହିଲେ । ୨୫ । ହେ ପାର୍ଥିବ ! ତୁମ୍ଭର ସଙ୍କଳ୍ପକୁ ବାରମ୍ବାର ଚିନ୍ତାକରି ମୋର ହୃଦୟ ଉତ୍ତେଜିତ ହେଉଅଛି ଓ ଅଙ୍ଗମାନେ ଅବସନ୍ନ ହେଉଅଛନ୍ତି । ୨୬ । ଆପଣଙ୍କର ରାଜ୍ୟ ଓ ଧନ ଅପହୃତ ହୋଇଅଛି । ବର୍ତ୍ତମାନ ବିବସ୍ତ୍ର ହୋଇ କ୍ଷୁଧା ଓ ଶ୍ରମରେ କର୍ଷିତ ହେଉଅଛନ୍ତି । ଏପରି ଅବସ୍ଥାରେ ନିର୍ଜନ ବନରେ ଆପଣଙ୍କୁ ପରିତ୍ୟାଗ କରି କିପରି ଗମନ କରିବି-? ୨୭ । ହେ ମହାରାଜ ! ଆପଣ ଯେତେବେଳେ ଘୋର ବନ ମଧ୍ୟରେ ଶ୍ରାନ୍ତ ଓ କ୍ଷୁଧାର୍ତ୍ତ ହୋଇ ପୂର୍ବସୁଖ ସ୍ମରଣ କରି କାତର ହେବେ, ତେତେବେଳେ ମୁଁ ଆପଣଙ୍କର କ୍ଳେଶନାଶ କରିବି । ୨୮ । ଚିକିତ୍ସକମାନଙ୍କର ଏହି ମତ ଯେ, ସର୍ବପ୍ରକାର ଦୁଃଖରେ ଭାର୍ଯ୍ୟା ସମାନ କୌଣସି ଔଷଧ ନାହିଁ । ଏକଥା ମୁଁ ଆପଣଙ୍କୁ ସତ୍ୟ କହୁଅଛି । ୨୯ ।

 

ନଳ ବୋଇଲେ, ହେ ସୁମଧ୍ୟମେ ! ଦମୟନ୍ତୀ ! ତୁମ୍ଭେ ଯାହା କହିଲ, ସେ କଥା ସତ୍ୟ । ଆର୍ତ୍ତଜନର ଭାର୍ଯ୍ୟାସମ ଔଷଧ ନାହିଁ । ୩୦ । ହେ ଭୀରୁ ! ମୁଁ ତୁମ୍ଭଙ୍କୁ ତ୍ୟାଗ କରିବାକୁ ଇଚ୍ଛା କରୁ ନାହିଁ । ବୃଥା କି କାରଣ ଆଶଙ୍କା କରୁଅଛ ? ହେ ଅନିନ୍ଦିତେ ! ମୁଁ ଆତ୍ମାକୁ ହେଲେ ତ୍ୟାଗ କରିବି; ତଥାପି ତୁମ୍ଭଙ୍କୁ ତ୍ୟାଗ କରିବି ନାହିଁ । ୩୧ । ଦମୟନ୍ତୀ କହିଲେ, ହେ ମହାରାଜ ! ଯଦି ଆପଣଙ୍କର ମୋତେ ତ୍ୟାଗ କରିବାର ଇଚ୍ଛା ନାହିଁ, ତେବେ ବିଦର୍ଭ ଦେଶର ପନ୍ଥାମାନଙ୍କୁ କି କାରଣ ଉପଦେଶ ଦେଉଅଛନ୍ତି ? ହେ ନୃପତେ ! ମୁଁ ଜାଣେ ଯେ ଆପଣ ମୋତେ ପରିତ୍ୟାଗ କରିବେ ନାହିଁ; କିନ୍ତୁ ଯେତେବେଳେ ଆପଣଙ୍କର ମନ ବିକୃତ ହୋଇଅଛି, ତେତେବେଳେ ଆପଣ ତ୍ୟାଗ କଲେ କରିପାରନ୍ତି । ୩୩ । ହେ ନରୋତ୍ତମ ! ଆପଣ ମୁହୁର୍ମୁହୁଃ ମତେ ପଥ ଦେଖାଇ ମୋର ଶୋକ ବୃଦ୍ଧି କରୁଅଛନ୍ତି । ଯଦି ମୋର ଜ୍ଞାତିମାନଙ୍କ ନିକଟକୁ ମୋର ଗମନ କରିବା ଆପଣଙ୍କର ଅଭିପ୍ରେତ ହୁଏ, ତେବେ ଚାଲନ୍ତୁ ଆମ୍ଭେ ଦୁହେଁ ବିଦର୍ଭ ନଗରକୁ ଗମନ କରିବା । ୩୫ । ହେ ମାନପ୍ରଦ ! ବିଦର୍ଭପତି ଆପଣଙ୍କୁ ସମ୍ମାନପୂର୍ବକ ରଖିବେ । ହେ ରାଜନ୍‌ ! ଚାଲନ୍ତୁ, ସେ ଆପଣଙ୍କୁ ପୂଜା କରିବେ । ଆମ୍ଭ ଗୃହରେ ସୁଖରେ ବାସ କରିବା । ୩୬ ।

 

॥ ଅଧ୍ୟାୟ – ୬୨ ॥

 

ନଳ ବୋଇଲେ, ତୁମ୍ଭର ପିତାଙ୍କ ରାଜ୍ୟ ଯେପରି, ମୋର ରାଜ୍ୟ ମଧ୍ୟ ସେହିପରି, ଏଥିରେ କିଛି ସଂଶୟ ନାହିଁ; କିନ୍ତୁ ଏପରି ଦୁଃଖ ଅବସ୍ଥାରେ ମୁଁ କଦାପି ସେଠାକୁ ଯିବି ନାହିଁ । ୧ । ସମୃଦ୍ଧ ଅବସ୍ଥାରେ ତୁମ୍ଭର ହର୍ଷବର୍ଦ୍ଧନକାରୀ ହୋଇ ଯେଉଁଠାକୁ ଗମନ କରିଥିଲି, ଏବେ ତୁମ୍ଭର ଶୋକବର୍ଦ୍ଧନକାରୀ ହୋଇ କିପରି ସେଠାକୁ ଗମନ କରିବି ? ୨ । ବୃହଦଶ୍ୱ କହିଲେ, କଲ୍ୟାଣୀ ଦମୟନ୍ତୀ ନିଜ ବସ୍ତ୍ରରୁ ପାଖେ ପିନ୍ଧି ଆର ପାଖକ ରାଜା ନଳଙ୍କୁ ପରିଧାନ କରିବାକୁ ଦେଉଥାନ୍ତି । ନଳରାଜା ତାଙ୍କୁ ପୁନଃପୁନଃ ସାନ୍ୱନା ଦେଉଥାନ୍ତି । ଏହିପରି ଏକା ବସ୍ତ୍ରକୁ ଦୁହେଁ ପିନ୍ଧି ଇତସ୍ତତଃ ସଞ୍ଚରଣ କରୁ କରୁ କ୍ଷୁଧା ଓ ତୃଷ୍ଣାରେ କାତର ହୋଇ ଗୋଟିଏ ସଭା* ଦେଖିଲେ । ସେହି ସଭାକୁ ନିର୍ମଳ ଦେଖି ଦୁହେଁ ସେ ସ୍ଥାନକୁ ଗମନ କଲେ ଓ ବୈଦର୍ଭୀଙ୍କ ସହିତ ନିଷଧାଧିପତି ଭୂମିରେ ଉପବେଶନ କଲେ । ୫ । ନିଷଧରାଜା କାନିଏ ବସ୍ତ୍ରରୁ ପିନ୍ଧି ମଳିନ, ବିରୂପା, ଧୂଳିଗୁଣ୍ଠିତ ଓ ଶ୍ରାନ୍ତ ହୋଇ ଦମୟନ୍ତୀଙ୍କ ସହ ଧରଣୀତଳରେ ଶୋଇଲେ । ତଦନନ୍ତର ତପସ୍ୱିନୀ କଲ୍ୟାଣୀ ଅତି ସୁକୁମାରୀ ଦମୟନ୍ତୀ ନିଦ୍ରାରେ ଅଭିଭୂତ ହୋଇ ସହସା ଦୁଃଖରେ ଶୋଇପଡ଼ିଲେ । ୬ ।

 

[*ପଥିକମାନେ ଯାଉ ଯାଉ ଯେଉଁ ସ୍ଥାନରେ ରହି ବିଶ୍ରାମ କରନ୍ତି, ସେହି ସ୍ଥାନକୁ ସଭା କହନ୍ତି । ସେ ସ୍ଥାନଟି ପରିଷ୍କାର ହୋଇଥାଏ ।]

 

ହେ ରାଜନ୍‌ ! ଦମୟନ୍ତୀ ଶୋଇଗଲେ, କିନ୍ତୁ ରାଜା ନଳଙ୍କ ଚିତ୍ତ ଶୋକରେ ସନ୍ତପ୍ତ ହେବାରୁ ପୂର୍ବପ୍ରାୟ ନିଦ୍ରା ହେଲା ନାହିଁ । ୮ । ତହୁଁ ସେ ରାଜ୍ୟାପହରଣ, ସୁହୃତ୍‌ଜନଙ୍କର ପରିତ୍ୟାଗ ଓ ବନବାସ ବିଷୟ ଚିନ୍ତା କରିବାରୁ ତାହାଙ୍କର ନିଦ୍ରା ହେଲା ନାହିଁ । ୯ । ସେ ଭାବିଲେ, ଏପରି କଲେ ମୋର କି ହେବ ? ଏପରି ନ କଲେ ମୋର କି ହେବ ? ମୋର ମରଣ ଶ୍ରେୟସ୍କର କି ନା-? ଅବଶିଷ୍ଟ ଏହି ଭାର୍ଯ୍ୟାକୁ ପରିତ୍ୟାଗ କଲେ ଉତ୍ତମ ହେବ କି ନା ? ଏ ମୋର ଅନୁରକ୍ତା ହୋଇ ମୋ ନିମିତ୍ତ ଦୁଃଖ ପାଉଅଛନ୍ତି, ମୁଁ ଯଦି ଏହାଙ୍କୁ ପରିତ୍ୟାଗ କରିବି, ତେବେ ହୁଏତ ନିଜ ଦେଶକୁ ସ୍ୱଜନଙ୍କ ନିକଟକୁ ଯାଇପାରନ୍ତି । ୧୧ । କିନ୍ତୁ ଏ ମୋର ଅନୁବ୍ରତା ହୋଇ ମୋ ନିକଟରେ ରହିଲେ ନିଃସଂଶୟରେ ଦୁଃଖଭାଗିନୀ ହେବେ । ପରନ୍ତୁ ଏହାଙ୍କୁ ତ୍ୟାଗ କଲେ ଏ ଦୁଃଖ ପାଇଲେ ପାଇପାରନ୍ତି ଅଥବା ସୁଖ ପାଇପାରନ୍ତି । ୧୨ । ଏହିରୂପେ ସେ ନରାଧିପ ବହୁପ୍ରକାର ପୁନଃପୁନଃ ବିଚାର କରି ଦମୟନ୍ତୀଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ, ଯେ ହେତୁରୁ ତହିଁରେ ତାହାଙ୍କର ଶ୍ରେୟ ହୋଇପାରିବ । ୧୩ । ପଥରେ ଏହାଙ୍କର ତେଜ ଏହାଙ୍କୁ ରକ୍ଷା କରିବ । ଏହାଙ୍କର ତେଜ ଦେଖି କେହି ଏହାଙ୍କ ନିକଟକୁ ଆସିପାରିବେ ନାହିଁ । ପୁନଶ୍ଚ ଏ ଯଶସ୍ୱିନୀ, ମହାଭାଗା ମୋର ଅନୁଗାମିନୀ; ପତିବ୍ରତା ଥିବାରୁ ପରିତ୍ୟାଗରେ କୌଣସି ଆଶଙ୍କା ନାହିଁ । ୧୪ । ଦୁଷ୍ଟ ଭାବରେ କଳି ଆଶ୍ରୟ କରିଥିବାରୁ ଦମୟନ୍ତୀଙ୍କ ବିଷୟରେ ନଳ ପରିତ୍ୟାଗ କରିବା ନିଶ୍ଚୟ କଲେ-। ୫ ।

 

ନଳ ଭାବିଲେ ଯେ, ତାହାଙ୍କର ବସ୍ତ୍ର ନାହିଁ ଓ ଦମୟନ୍ତୀଙ୍କର ଖଣ୍ଡିଏ ମାତ୍ର ବସ୍ତ୍ର ଅଛି । ଅତଏବ ସେ ବସ୍ତ୍ରକୁ କର୍ତ୍ତନ କରିବାର ଇଚ୍ଛା କଲେ । ୧୬ । କିପରି ଏ ବସନକୁ କର୍ତ୍ତନ କରିବି ଓ ମୋର ପ୍ରିୟା ଜାଗ୍ରତ ନ ହେବେ; ଏହା ଭାବି ସେ ସେହି ସଭାର ନାନା ସ୍ଥାନକୁ ଅବଲୋକନ କଲେ-। ତହୁଁ ହେ ଭରତ ! ନଳ ଇତସ୍ତତଃ ଧାବମାନ ହୋଇ ସଭା ନିକଟରେ ଖଣ୍ଡିଏ ନିଷ୍କୋଷ ଖଡ଼୍‌ଗ ପାଇଲେ । ୧୮ । ତଦ୍ଦ୍ୱାରା ପରନ୍ତପ ନଳ ବସନର ଅର୍ଦ୍ଧକୁ ଛେଦନ କରି ତାହାକୁ ପରିଧାନ କରି ସୁପ୍ତା ଓ ଗତଚେତନା ଦମୟନ୍ତୀଙ୍କୁ ତ୍ୟାଗ କରି ଦଉଡ଼ି ପଳାଇଲେ । ୧୯ । ପୁନଶ୍ଚ ଫେରିଆସି ଦମୟନ୍ତୀଙ୍କୁ ଚାହିଁ ନିଷଧାଧିପତି ବହୁତ ରୋଦନ କଲେ । ୨୦ । ଯାହାକୁ ବାୟୁ କି ଆଦିତ୍ୟ ପୂର୍ବେ ଦେଖିନଥିଲେ, ମୋର ସେହି ପ୍ରିୟା ଅଦ୍ୟ ସଭା ମଧ୍ୟରେ ଭୂମିରେ ଅନ୍ୟଥା ହୋଇ ଶୟନ କରିଅଛନ୍ତି । ୨୧ । ଚାରୁହାସିନୀ, ବରାରୋହା ଛିନ୍ନବସ୍ତ୍ର ପରିଧାନ କରି ବର୍ତ୍ତମାନ ନିଦ୍ରା ଯାଇଅଛନ୍ତି; କିନ୍ତୁ ପ୍ରବୁଦ୍ଧ ହେଲେ କ’ଣ ନ ହେବେ ? ଉନ୍ନତ୍ତା ପ୍ରାୟ ହେବେ । ୨୨ । ଭୀମ ରାଜନନ୍ଦିନୀ ସତୀ କଲ୍ୟାଣୀ ଆମ୍ଭ ବିହୀନରେ ଏକାକିନୀ ହୋଇ ପଶୁ ସର୍ପ-ସେବିତ ଏହି ଘୋର ଅରଣ୍ୟରେ କି ପ୍ରକାରେ ବିଚରଣ କରିବେ !୨୩ ।

 

ମହାଭାଗେ ! ତୁମ୍ଭେ ଧର୍ମପରାୟଣ, ଅତଏବ ଆଦିତ୍ୟଗଣ, ବସୁଗଣ, ରୁଦ୍ରଗଣ, ଅଶ୍ୱିନୀକୁମାରଦ୍ୱୟ ଓ ମରୁଦ୍‌ଗଣ ତୁମ୍ଭଙ୍କୁ ରକ୍ଷା କରନ୍ତୁ । ୨୪ । ଏହି ପ୍ରକାରେ ପ୍ରିୟା ଭାର୍ଯ୍ୟାଙ୍କୁ କହି, ଯାହାଙ୍କ ସଦୃଶ ରୂପବତୀ ପୃଥିବୀରେ ଆଉ ନାହିଁ, ତାହାଙ୍କୁ ନଳରାଜା କଳି ପ୍ରବେଶ ହେତୁରୁ ବୁଦ୍ଧିଶୂନ୍ୟ ହୋଇ ଅନିଚ୍ଛାପୂର୍ବକ ତ୍ୟାଗ କରି ପ୍ରସ୍ଥାନ କଲେ । ୨୫ । ନଳରାଜା ଯାଇ ଯାଇ ପୁନର୍ବାର ମୁହୂର୍ତ୍ତକ ପରେ ସଭାକୁ ପ୍ରତ୍ୟାଗମନ କଲେ । ଏକ ଦିଗକୁ ତାହାଙ୍କୁ କଳି ଆକର୍ଷଣ କଲା ଓ ଅପର ଦିଗକୁ ସ୍ନେହ ଆକର୍ଷଣ କଲା । ୨୬ । ସେହି ଦୁଃଖାର୍ତ୍ତ ରାଜାଙ୍କର ହୃଦୟ ଦୁଇ ଭାଗ ହୋଇଗଲା । ଦୋଳାପ୍ରାୟ ସେ ସଭାଠାକୁ ଯାଉଥାନ୍ତି ଓ ଆସୁଥାନ୍ତି । ୨୭ । ପରିଶେଷରେ ସେ କଳିଦ୍ୱାରା ଆକୃଷ୍ଟ ହେବାରୁ ମୋହିତ ହୋଇ ସୁଷୁପ୍ତା ଭାର୍ଯ୍ୟାକୁ ପରିତ୍ୟାଗ କରି ରୋଦନପୂର୍ବକ ଧାବମାନ ହେଲେ । କଳିସ୍ପର୍ଶ କରିବାରୁ ତାହାଙ୍କର ବୁଦ୍ଧି ଏକାବେଳେକେ ନଷ୍ଟ ହେଲା । ଏହି ହେତୁରୁ ସେ ଜନଶୂନ୍ୟ ଅରଣ୍ୟରେ ଦମୟନ୍ତୀ ସଦୃଶ ଭାର୍ଯ୍ୟାକୁ ଏକାକିନୀ ଛାଡ଼ି ଦୁଃଖିତ ଚିତ୍ତରେ ତାହାଙ୍କ ଅବସ୍ଥା ଗୁଣନ କରି କରି ପ୍ରସ୍ଥାନ କଲେ । ୨୯ ।

 

॥ ଅଧ୍ୟାୟ – ୬୩ ॥

 

ବୃହଦଶ୍ୱ ବୋଇଲେ–ହେ ରାଜନ୍‌ ! ନଳ ପ୍ରସ୍ଥାନ କଲା ପରେ ଦମୟନ୍ତୀଙ୍କର କ୍ଲାନ୍ତି ଦୂର ହେବାରୁ ସେ ଜାଗ୍ରତ ହେଲେ ଓ ବିଜନ ବନରେ କାହାରିକୁ ନ ଦେଖି ଭୟରେ ତ୍ରସ୍ତ ହେଲେ । ୧ । ଭର୍ତ୍ତାଙ୍କୁ ନ ଦେଖି ଶୋକ ଓ ଦୁଃଖରେ ସମ୍ୟକ୍ ଭାବରେ ତ୍ରସ୍ତା ହୋଇ ଉଚ୍ଚୈଃସ୍ୱରରେ ରୋଦନ କଲେ ଓ ନୈଷଧଙ୍କ ଉଦ୍ଦେଶ୍ୟରେ, ମହାରାଜ ! ବୋଲି ଡାକ ଛାଡ଼ିଲେ । ୨ । ହା ନାଥ ! ହା ମହାରାଜ ! ହା ସ୍ୱାମିନ୍‌ ! ଆପଣ କ’ଣ ମତେ ପରିତ୍ୟାଗ କଲେ ? ମୁଁ ହତ ହେଳି, ବିନଷ୍ଟ ହେଲି । ଏହି ବିଜନ ବନରେ ମୁଁ ଭୀତା ହେଉଅଛି । ୩ । ହେ ମହାରାଜ ! ଆପଣ ଧର୍ମଜ୍ଞ ଓ ସତ୍ୟବାଦୀ । ଆପଣ କି ପ୍ରକାରେ ତାଦୃଶ ସତ୍ୟକରି ମୁଁ ସୁପ୍ତ ଥିବାବେଳେ କି ଉଦ୍ଦେଶ୍ୟରେ ପରିତ୍ୟାଗ କଲେ । ମୁଁ ଆପଣଙ୍କର ଅନୁବ୍ରତା ଓ ଆପଣଙ୍କର ସେବା କରିବାରେ କଦାପି ତ୍ରୁଟି କରି ନାହିଁ । ଆପଣଙ୍କର ମୁଁ କୌଣସି ଅପକାର କରି ନାହିଁ । ଅନ୍ୟ ଲୋକେ ଆପଣଙ୍କର ଅପକାର କରିଅଛନ୍ତି । ଏପରି ସ୍ଥଳେ ଆପଣ କେଉଁ କାରଣରୁ ମୋତେ ତ୍ୟାଗ କରି ଗମନ କଲେ ? ୫ ।

 

ହେ ନରେଶ୍ୱର ! ଆପଣ ପୂର୍ବେ ଲୋକପାଳମାନଙ୍କ ସମୀପରେ ଆମ୍ଭ ପ୍ରତି ଯେଉଁସବୁ କଥା କହିଥିଲେ, ତାକୁ ସଫଳ କରିବା ଆପଣଙ୍କର ଉଚିତ ଥିଲା । ୬ । ହେ ପୁରୁଷଶ୍ରେଷ୍ଠ ! ଆପଣ ଏହି କାନ୍ତାକୁ ପରିତ୍ୟାଗ କରି ଗଲେ ସେ ଯେ ଏତେବେଳଯାଏ ଜୀବିତା ଅଛି, ତାହାର ହେତୁ ଏହି ଯେ, ବିଧାତା ମନୁଷ୍ୟଙ୍କର ଅକାଳ ମୃତ୍ୟୁ ଘଟାନ୍ତି ନାହିଁ । ୭ । ହେ ପୁରୁଷ-ଶ୍ରେଷ୍ଠ ! ପ୍ରାଣେଶ୍ୱର ! ଆପଣ କି ପରିହାସ କରୁଅଛନ୍ତି ? ଏବେ ଯଥେଷ୍ଟ ପରିହାସ ହୋଇଅଛି । ମୁଁ ଭୀତା ହୋଇଅଛି । ଆପଣ ମୋତେ ଦର୍ଶନ ଦେଉନ୍ତୁ । ୮ । ହେଇ, ଆପଣ ଦୃଶ୍ୟ ହେଉଅଛନ୍ତି, ଦୃଶ୍ୟ ହେଉଅଛନ୍ତି । ହେ ନୈଷଧ ! ଆପଣ ଏହି ଗୁଳ୍ମ ମଧ୍ୟରେ ଲୁଚିଅଛନ୍ତି । ମୋତେ କି ନିମିତ୍ତ ଦର୍ଶନ ଦେଉ ନାହାନ୍ତି-? ୯ । ହେ ରଜେନ୍ଦ୍ରେ ! ମୁଁ ଏପରି ଦୂରବସ୍ଥାରେ ପଡ଼ି ବିଳାପ କରୁଅଛି । ଆପଣ ଆସି ମୋତେ ଆଶ୍ୱାସିତ କରୁନାହାନ୍ତି । ଏ କି ନୃଶଂସତା ନୁହେଁ ?୧୦ । ମୁଁ କିଛି ନିଜ ନିମିତ୍ତ ଶୋକ କରୁ ନାହିଁ କିମ୍ବା ଆଉ କାହା ଲାଗି ଶୋକ କରୁ ନାହିଁ । ହେ ନୃପ ! ତୁମ୍ଭେ ଏକାକୀ କିପରି ରହିବ, ଏହି ନିମିତ୍ତ ଶୋଚନା କରୁଅଛି । ଆପଣ କ୍ଷୁଧିତ, ତୃଷିତ ଓ ଶ୍ରମକର୍ଷିତ ହୋଇ ସାୟଂ ସମୟରେ ମୋତେ ନ ଦେଖି କିପରି ବୃକ୍ଷମୂଳରେ ଅବସ୍ଥିତ ହେବେ ?

 

ତଦନନ୍ତର ସେ ତୀବ୍ର ଶୋକରେ ଆର୍ତ୍ତ ହୋଇ ମନ୍ୟୁରେ ପ୍ରଜ୍ୱଳିତ ହେଲା ପ୍ରାୟ ରୋଦନପୂର୍ବକ ଇତସ୍ତତଃ ସଞ୍ଚରଣ କଲେ । ଖଣ୍ଡେ ବାଟ ଶୀଘ୍ର ଯାନ୍ତି, ଟିକିଏ ବସନ୍ତି; ପୁଣି ଉଠି ଛିଡ଼ା ହୁଅନ୍ତି, ବେଳେ ବେଳେ ବିହ୍ୱଳା ହୋଇପଡ଼ନ୍ତି; ବେଳେବେଳେ ଭୀତାହୋଇ ଗୁଳ୍ମ ଅନ୍ତରାଳରେ ଲୁଚି ଚାହାନ୍ତି; କେତେବେଳେ ଅବା ଚିତ୍କାର କରି ରୋଦନ କରନ୍ତି । ୧୪ । ଭୀମନନ୍ଦିନୀ ପତିବ୍ରତା ଅତିଶୟ ଶୋକରେ ସନ୍ତପ୍ତା ହୋଇ ବିହ୍ୱଳ ହେଲେ ଓ ଦୀର୍ଘନିଃଶ୍ୱାସ ପରିତ୍ୟାଗ କରି ରୋଦନ କଲେ ଓ କହିଲେ । ୧୫ । ଯେଉଁ ପ୍ରାଣୀର ଅଭିଶାପରୁ ନିଷଧନାଥ ଏହି କ୍ଲେଶ ଭୋଗ କରୁଅଛନ୍ତି, ସେହି ପ୍ରାଣୀର ଆମ୍ଭ ଅପେକ୍ଷା ସମଧିକ ଦୁଃଖ ହେଉ । ନିଷ୍ପାପଚିତ୍ତ ନଳଙ୍କୁ ଯେଉଁ ପାପାତ୍ମା ଏ ରୂପ ଦୁରବସ୍ଥାପନ୍ନ କରିଅଛି, ସେହି ଦୁରାତ୍ମା ନଳଙ୍କ ଅପେକ୍ଷା ଅଧିକ ଦୁଃଖିତ ହୋଇ ଅସୁଖ ଜୀବିକାଦ୍ୱାରା ଜୀବନଯାତ୍ରା ନିର୍ବାହ କରୁ । ୧୭ । ମହାତ୍ମା ନଳରାଜାଙ୍କର ତାଦୃଶ ଭାର୍ଯ୍ୟା ଉକ୍ତରୂପେ ବିଳାପ ଓ ପରିତାପ କରି ବ୍ୟାଘ୍ରାଦି ହିଂସ୍ରଜନ୍ତୁପୂର୍ଣ୍ଣ, ସେହି ମହାରଣ୍ୟ ମଧ୍ୟରେ ସ୍ୱାମୀଙ୍କୁ ଅନ୍ୱେଷଣ କଲେ । ୧୮ ।

 

ଭୀମନନ୍ଦିନୀ ବାତୁଳା ପ୍ରାୟ ହୋଇ, ହା ମହାରାଜ ! ମହାରାଜ ! ବୋଲି ମୁହୁର୍ମୁହୁଃ ବିଳାପକରି ଇତସ୍ତତଃ ପରିଭ୍ରମଣ ଆରମ୍ଭ କଲେ । ସେ କ୍ଷୀଣ ଦେହରେ କୁରରୀ ପକ୍ଷୀ ପ୍ରାୟ ଉଚ୍ଚ ଶବ୍ଦ କରି ପୁନଃପୁନଃ ବହୁ ପ୍ରକାର ସକରୁଣ ବିଳାପ କଲେ । ଏହିପରି ହୋଇ ସେ ଗୋଟିଏ ମହାକାୟ ଅଜଗର ସମ୍ମୁଖରେ ଇତସ୍ତତଃ ବିଚରଣ କରୁଥାନ୍ତି । ସେ ଗ୍ରାହ ମଧ୍ୟ କ୍ଷୁଧାର୍ତ୍ତ ଥିବାରୁ ତାହାଙ୍କୁ ଗ୍ରାସ କଲା । ୨୧ । ଶୋକ ପରିପ୍ଳୁତା ନଳମହିଷୀଙ୍କୁ ସର୍ପ ଯେତେବେଳେ ଗ୍ରାସ କଲା, ସେତେବେଳେ ସେ ତାହା ମୁଖ ମଧ୍ୟରେ ପ୍ରବେଶ କରି ସୁଦ୍ଧା ନିଷଧନାଥଙ୍କ ନିମିତ୍ତ ଯାଦୃଶ ଶୋକ ପ୍ରକାଶ କଲେ, ନିଜ ମରଣ ନିମିତ୍ତ ମଧ୍ୟ ତାଦୃଶ ଶୋକ କଲେ ନାହିଁ । ୨୨ । ହା ନାଥ ! ଏହି ଅଜଗର ଆଜି ବିଜନ ବନ ମଧ୍ୟରେ ଆମ୍ଭଙ୍କୁ ଅନାଥା ପାଇ ଗ୍ରାସ କରୁଅଛି । ଆପଣ କି ହେତୁରୁ ଦଉଡ଼ି ଆସୁ ନାହାନ୍ତି ?୨୩ । ହେ ପ୍ରଭୁ ନିଷଧନାଥ ! ଆପଣ କି ନିମିତ୍ତ ଆମ୍ଭଙ୍କୁ ବନରେ ପରିତ୍ୟାଗ କରିଗଲେ ? ଆପଣ ଯେତେବେଳେ ପାପମୁକ୍ତ ହେବେ, ପୁନର୍ବାର ସୁବୁଦ୍ଧି, ଚୈତନ୍ୟ ଓ ରାଜ୍ୟପ୍ରାପ୍ତ ହେବେ, ତେତେବେଳେ ମୋତେ ଅନୁସରଣ କରି କି ପ୍ରକାରେ ରହିବେ ? ହେ ରାଜଶାର୍ଦ୍ଦୂଳ ! ନୈଷଧ ! ଆପଣ ଶ୍ରାନ୍ତ କ୍ଷୁଧାର୍ତ୍ତ ଓ ପରିମ୍ଳାନ ହେଲାବେଳେ କିଏ ଆପଣଙ୍କର ଶ୍ରମ ଦୂର କରିବ ? । ୨୫ ।

 

ତଦନ୍ତର ଜଣେ ବ୍ୟାଧ ଦୁର୍ଗମ ବନରେ ବିଚରଣ କରୁ କରୁ ତାହାଙ୍କର କ୍ରନ୍ଦନ ସ୍ୱର ଶୁଣିପାରି ସତ୍ୱର ସେଠାକୁ ଆସିଲା । ୨୬ । ତତ୍‍ପରେ ଆରତନୟନାଙ୍କୁ ସର୍ପଗ୍ରସ୍ତା ଦେଖି ସେ ମୃଗୟୁ ଶୀଘ୍ର ତାହାଙ୍କ ସମ୍ମୁଖକୁ ଅସିଲା ଓ ଗୋଟାଏ ନିଶିତ ଶସ୍ତ୍ରରେ ସର୍ପର ମୁଖକୁ ଛେଦନ କଲା-। ୨୭ । ମୃଗଜୀବୀ ଭୁଜଙ୍ଗମକୁ ଶସ୍ତ୍ରାଘାତରେ ହାଣି ନିଶ୍ଚେଷ୍ଟ କରି ରାଜମହିଷୀଙ୍କୁ ତାହା ମୁଖରୁ ଉଦ୍ଧାର କଲା । ୨୮ । ସେ ବ୍ୟାଧ ତାହାକୁ ଜଳରେ ଧୋଇ ଅଶ୍ୱାସିତ କରି କିଛି ଆହାର କରାଇ ପଚାରିଲା । ୨୯ । ଗୋ ମୃଗଶାବନୟନି ! ତୁମ୍ଭେ କିଏ ? କାହାର ଭାର୍ଯ୍ୟା ? କି କାରଣରୁ ବନକୁ ଆସିଅଛ ? ହେ ଭାବିନି ! ତୁମ୍ଭେ କି ହେତୁରୁ ଏତାଦୃଶ ମହତ୍ କଷ୍ଟ ପାଉଅଛ ?

 

ହେ ନରପତେ ଭାରତ ! ସେହି ବ୍ୟାଧ ଦମୟନ୍ତୀଙ୍କୁ ଏହିପରି ପଚାରନ୍ତେ, ଦମୟନ୍ତୀ ଆଦ୍ୟେପ୍ରାନ୍ତ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନ କଲେ । ୩୧ । ଅନନ୍ତର ସେହି ମୃଗବ୍ୟାଧ ଦମୟନ୍ତୀଙ୍କର ନୟନପକ୍ଷ୍ମ, କୁଟିଳକେଶ, ପୂର୍ଣ୍ଣଚନ୍ଦ୍ରସଦୃଶ ଆନନ, ପୀନନିତମ୍ବ ଓ ପୟୋଧର ଏବଂ ସୁକୁମାର ଅଙ୍ଗପ୍ରତ୍ୟଙ୍ଗ ଦର୍ଶନରେ ମଦନର ବଶ ହେଲା । ୩୩ । ଲୁବ୍ଧକ କାମାର୍ତ୍ତ ହୋଇ ତାଦୃଶ ରୂପବତୀ ଦମୟନ୍ତୀଙ୍କୁ ମୃଦୁ ମଧୁର ବଚନରେ ସାନ୍ତ୍ୱନା ଦେଲା । ୩୪ । ପତିବ୍ରତା ଦମୟନ୍ତୀ ସେହି ବ୍ୟାଧକୁ ଦୋଷଭାବାବିଷ୍ଟ ଜାଣି କ୍ରୋଧରେ ପ୍ରଜ୍ୱଳିତା ହୋଇ ଉଠିଲେ । ୩୫ । ପାପାତ୍ମା ବ୍ୟାଧ ମଧ୍ୟ କାମାତୁର ହୋଇ ଦୁର୍ଦ୍ଧର୍ଷଣୀୟ ପ୍ରଜ୍ୱଳିତ ଅଗ୍ନିଶିଖାକୁ ଆକ୍ରମଣ କଲା ପ୍ରାୟ ଦମୟନ୍ତୀଙ୍କ ପ୍ରତି ବଳପ୍ରକାଶ କରିବାର ଅଭିଳାଷ କଲା । ୩୬ । ଦମୟନ୍ତୀ ଏକେ ରାଜ୍ୟବିୟୋଗ, ପତିବିଚ୍ଛେଦରେ ତାଦୃଶ ଦୁଃଖାର୍ତ୍ତ ଥିଲେ । ପୁନଶ୍ଚ ଏହି ଅନିର୍ବଚନୀୟ ଦୁଃସମୟ–ଏଥିରେ ସେ ରୋଷପୂର୍ବକ ଅଭିଶାପ ଦେଲେ । ୩୭ । ଯଦ୍ୟପି ଆମ୍ଭେ ନୈଷଧ ଭିନ୍ନ ଅନ୍ୟ ପୁରୁଷକୁ ମନମଧ୍ୟରେ କଦାପି ଚିନ୍ତା ନ କରିଥାଉ ତେବେ ସେହି ଫଳରୁ ଏହି ନୀଚ ମୃଗଜୀବୀ ପ୍ରାଣତ୍ୟାଗ କରି ପତିତ ହେଉ । ୩୮ । ସେହି ବଚନ କହିବା ମାତ୍ରକେ ସେ ମୃଗଜୀବୀ ପ୍ରାଣହୀନ ହୋଇ ଅଗ୍ନିଦଗ୍ଧ ଦ୍ରୁମ ପ୍ରାୟ ମେଦିନୀରେ ନିପତିତ ହେଲା । ୩୯ ।

 

॥ ଅଧ୍ୟାୟ – ୬୪ ॥

 

ବୃହଦଶ୍ୱ ବୋଇଲେ– ହେ ମହାରାଜ ! କମଳନୟନା ଦମୟନ୍ତୀ ମୃଗବ୍ୟାଧକୁ ନିହତ କରି ଜନଶୂନ୍ୟ ଅତି ଭୀଷଣ ଅରଣ୍ୟ ମଧ୍ୟକୁ ପ୍ରବେଶ କଲେ । ସେ ବନରେ କେବଳ ଝିଲ୍ଲୀମାନଙ୍କର ସ୍ୱନ ଶୁଣାଯାଉଥାଏ । ୧ । ସିଂହ, ଋକ୍ଷ, ମହିଷ, ବିବିଧ ବ୍ୟାଘ୍ର ଓ ବିବିଧ ମୃଗ ସେହି ବନରେ ବାସ କରନ୍ତି । ବିବିଧ ବିହଙ୍ଗମଯୂଥ ସେ ବନରେ ସମାକୀର୍ଣ୍ଣ ହୋଇଥାନ୍ତି । ମ୍ଲେଚ୍ଛ ଓ ତସ୍କରମାନେ ସ୍ଥାନେ ସ୍ଥାନେ ବାସ କରିଥାନ୍ତି । ଶାଳ, ବେଣୁ, ଧବ, ଅଶ୍ୱତ୍‌ଥ, ତିନ୍ଦୁକ, ଇଙ୍ଗୁଦ, କିଂଶୁଳ, ଅର୍ଜୁନ, ନିମ୍ବ, ଢଳିଶ, ଶାଳ୍ମଳୀ, ଜମ୍ବୁ, ଆମ୍ର, ଲୋଧ୍ର, ଖଦିର, ବେତ୍ର, ପଦ୍ମାକ, ଆମଳକ, ପ୍ଲକ୍ଷ, କଦମ୍ବ, ଉଡ଼ୁମ୍ବର ବୃକ୍ଷଦ୍ୱାରା ସମାକୁଳିତ ସେହି ବନ, ବଦର, ବିଲ୍ୱ, ବଟ, ପିୟାଳ, ତାଳ, ଖର୍ଜୁର, ହରିତକ ଓ ବିଭୀତକ ସମୂହରେ ସମାଚ୍ଛନ୍ନ ଥିଲା । ବିଦର୍ଭ ରାଜକୁମାରୀ ଏହି ପ୍ରକାର ବନ ମଧ୍ୟରେ ଗମନ କରୁ କରୁ ବିଚିତ୍ର ଓ ବହୁବିଧ ଧାତୁଦ୍ୱାରା ସଂଘଟିତ ପର୍ବତମାନଙ୍କୁ ଦେଖିଲେ ଓ ପକ୍ଷୀଗଣକୂଜିତ ନିକୁଞ୍ଜମାନଙ୍କୁ ଦେଖିଲେ । ଭୟଙ୍କର ଗିରିଗହ୍ୱର, ନଦୀ, ସରୋବର, ବାମ୍ଫି, ପଲ୍ୱଳ, ତଡ଼ାଗ, ଗିରିକୂଟ, ଅଦ୍ଭୁତ ପ୍ରକାର ନିର୍ଝରାକାର ସରିତସମୂହ, ଭୀଷଣମୂର୍ତ୍ତି, ବହୁସଂଖ୍ୟକ ପିଶାଚ, ସର୍ପ ଓ ରାକ୍ଷସଗଣ ଓ ମହିଷ, ବରାହ, ଶୃଗାଳ, ଭଲ୍ଲୁକ ଓ ବାନରମାନଙ୍କ ଯୂଥ ଅଥବା ପନ୍ନଗମାନଙ୍କୁ କେବଳ ଧର୍ମବଳରେ ଯଶଃ, ତେଜ, ଶୋଭା ଓ ମର୍ଯ୍ୟାଦା ଗୁଣରେ ସେ ସହାୟହୀନା ହୋଇ ଧୈର୍ଯ୍ୟ ଧରି ତାଦୃଶ ଅରଣ୍ୟରେ ନଳଙ୍କୁ ଅନ୍ୱେଷଣ କରି ବିଚରଣ କଲେ । ୧୦ । ସ୍ୱାମୀଙ୍କ ବିପଦରେ ପୀଡ଼ିତ ହୋଇ ସେ ନିଦାରୁଣ ଅଟବୀ ମଧ୍ୟରେ କାହାରିକୁ ଭୟ ନ କରି ଭ୍ରମଣ କଲେ । ୧୧ ।

 

ହେ ମହାରାଜ ! ଅତଃପର ଦମୟନ୍ତୀ ପତିଶୋକରେ ଦୁଃଖାର୍ତ୍ତା ଓ ଅବସନ୍ନା ହେଲେ ଏବଂ ଗୋଟିଏ ଶିଳା ଉପରେ ବସି ବିଳାପ କରିବାରେ ପ୍ରବୃତ୍ତ ହେଲେ । ୧୨ । ହେ ପୃଥୁଳହୃଦୟ, ମହାବାହୁ ନିଷଧନାଥ ! ଆପଣ ଅଦ୍ୟ ମୋତେ ଏହି ବିଜନ ବନରେ ବିସର୍ଜନ କରି କେଉଁଠାକୁ ଗମନ କଲ ? ହେ ବୀର ନରେନ୍ଦ୍ର ! ଆପଣ ଭୂରି ଦକ୍ଷିଣ ଅଶ୍ୱମେଧାଦିର ଅନୁଷ୍ଠାନ କରି କି କାରଣରୁ ମୋ ପ୍ରତି ମିଥ୍ୟା ବ୍ୟବହାର କଲେ ? ୧୪ । ହେ ରାଜସିଂହ ! ହେ କ୍ଷତ୍ରିୟପ୍ରବର ! ମହାତେଜସ୍ୱିନ୍‌ ! ଆପଣ ପୂର୍ବେ ମୋ ସାକ୍ଷାତରେ ଯାହା କହିଥିଲେ, ହେ ମଙ୍ଗଳମୟ ! ଆପଣଙ୍କର ତାହା ସ୍ମରଣ କରିବା ଉଚିତ ଥିଲା । ୧୫ । ବିହଙ୍ଗମ ହଂସମାନେ ଆପଣଙ୍କ ସମକ୍ଷରେ ଓ ଆମ୍ଭ ସମୀପରେ ଯାହା କହିଥିଲେ, ତାହା ସ୍ମରଣ କରନ୍ତୁ । ୧୬ । ହେ ଶତ୍ରୁଘ୍ନ ନରପତେ ! ସୁନ୍ଦରରୂପେ ଚାରି ବେଦକୁ ଅଧ୍ୟୟନ କରିବା ଏକଆଡ଼େ ଓ ସତ୍ୟ ଆର ଆଡ଼େ; ଦୁହେଁ ସମାନ । ଅତଏବ ପୂର୍ବେ ଆପଣ ମୋ ଆଗରେ ଯାହା ସତ୍ୟ କରିଥିଲେ, ତାହା କାର୍ଯ୍ୟରେ ପରିଣତ କରିବା ବିଧେୟ । ୧୮-

 

ହେ ବୀର ନଳ ! ମୁଁ ଆପଣଙ୍କର ହୋଇ ସୁଦ୍ଧା ଏହି ଘୋର ଅରଣ୍ୟ ମଧ୍ୟରେ ମଲି । ଆପଣ କାହିଁପାଇଁ ମୋ ସଙ୍ଗେ କଥା କହୁ ନାହାନ୍ତି । ୧୯ । କ୍ଷୁଧାବିଷ୍ଟ, ଭୀଷଣାକୃତି, ରୁଦ୍ରରୂପୀ ଏହି ସିଂହ ମୁଖ ବ୍ୟାଦାନ କରି ମୋତେ ଭକ୍ଷଣ କରିବାକୁ ଉଦ୍ୟତ ହେଉଅଛି । ମୋତେ ପରିତ୍ରାଣ କରିବା କ’ଣ ଆପଣଙ୍କର ଉଚିତ ନୁହେଁ ?୨୦ । ହେ ମହାରାଜ ! ଆପଣ ଯେ ପୂର୍ବେ ସର୍ବଦା କହୁଥିଲେ, ତୁମ୍ଭ ଭିନ୍ନ ମୋର କେହି ପ୍ରିୟା ନାହିଁ । ହେ ମଙ୍ଗଳାଧାର, ଏବେ ସେହି କଥା ସତ୍ୟ କରନ୍ତୁ । ୨୧ । ହେ ନରାଧିପ ! ମୁଁ ଆପଣଙ୍କର ପ୍ରିୟଭାର୍ଯ୍ୟା, ଆପଣ ମୋର ପ୍ରିୟପତି; ଅତଏବ ଆପଣ ପ୍ରିୟାଭାର୍ଯ୍ୟାକୁ ଉନ୍ମତ୍ତପ୍ରାୟ ବିଳାପ କରିବାର ଦେଖି କି ନିମିତ୍ତ ପ୍ରତ୍ୟୁତ୍ତର ଦେଉ ନାହାନ୍ତି ? ୨୨ ।

 

ହେ ବସୁଧାଧିପ ! ମୁଁ ଏକାକେ ଦୀନା, କୃଶା ଓ ବିବର୍ଣ୍ଣା ହୋଇ ଅନାଥାପ୍ରାୟ ବିଳାପ କରୁଅଛି । ୨୩ । ହେ ଅରିନ୍ଦମ ! ହେ ମାନନୀୟ ! ହେ ପୃଥୁନେତ୍ର ! ଯୂଥଭ୍ରଷ୍ଟା ହରିଣୀପ୍ରାୟ ହୋଇ ମୁଁ ଏକାକିନୀ ଏହି ଅରଣ୍ୟରେ ରୋଦନ କରୁଅଛି; ଆପଣ କି ହେତୁରୁ ମୋତେ ଅବଜ୍ଞା କରୁଅଛନ୍ତି ? । ୨୪ । ହେ ମହାରାଜ ! ମୁଁ ଆପଣଙ୍କର ସେହି ଅନୁବ୍ରତା ପତ୍ନୀ ଦମୟନ୍ତୀ । ମୁଁ ଏକାକିନୀ ଏହି ବନମଧ୍ୟରେ ପଡ଼ି ଆପଣଙ୍କୁ ଡାକୁଅଛି । ଆପଣ କି ନିମିତ୍ତ ମୋତେ ଉତ୍ତର ପ୍ରଦାନ କରୁନାହାନ୍ତି ? । ୨୫ । ହେ ମହାରାଜ ? ଆପଣ ମନୋହର ଓ ସର୍ବାଙ୍ଗ ସୁନ୍ଦର ! କୁଳଶୀଳସମ୍ପନ୍ନ-। ମୁଁ ଆଜି ଆପଣଙ୍କୁ ନ ଦେଖି ଶୋକ ଓ ଦୁଃଖରେ କାତର ହେଉଅଛି ।

 

ହେ ନିଷଧନାଥ ! ଆପଣ ଏହି ପର୍ବତ ମଧ୍ୟରେ ଅଥବା ସିଂହ-ବ୍ୟାଘ୍ରପୂର୍ଣ୍ଣ ଏହି ଘୋର ଅରଣ୍ୟ ମଧ୍ୟରେ କୌଣସି ସ୍ଥାନରେ ଶୟନ କରିଅଛନ୍ତି କି ? ଅଥବା ଦଣ୍ଡାୟମାନ ହୋଇଅଛନ୍ତି ? ହେ ମହାରାଜ ! ଆପଣ ମୋର ଶୋକବର୍ଦ୍ଧନ କରୁଅଛନ୍ତି ? ଆପଣ କେଉଁଠାରେ ଅଛନ୍ତି ? ମୁଁ ଦୁଃଖିନୀ କାହାକୁ ପଚାରିବି ଯେ, ତୁମ୍ଭେ ଏହି ଅରଣ୍ୟ ମଧ୍ୟରେ ନଳରାଜାଙ୍କୁ ଦେଖିଅଛ ? ସେ କେଉଁଠାରେ କି ପ୍ରକାରେ ଅଛନ୍ତି କହିପାର ? ଶତ୍ରୁବ୍ୟୂହ-ବିନାଶକାରୀ ମହାତ୍ମା ନଳଙ୍କୁ ଦେଖିଅଛ ବୋଲି କାହାକୁ ପଚାରିବି ? ଏ ବନ ମଧ୍ୟରେ ମୋତେ କିଏ ଏ ସମ୍ବାଦ ଦେବ ? କିଏ ମୋତେ ଏହି ମଧୁର ବଚନ କହିବ ? ତୁମ୍ଭେ ଯେଉଁ ପଦ୍ମଲୋଚନ ନଳଙ୍କୁ ଖୋଜୁଅଛ, ସେ ଏହି, ଅନ୍ୟଙ୍କୁ ପଚାରିବାର ମଧ୍ୟ କି ପ୍ରୟୋଜନ ! ମହାହନୁଯୁକ୍ତ ଚତୁର୍ଦ୍ଦନ୍ତଧାରୀ ଏହି ଯେ ଅରଣ୍ୟରାଜ ଶ୍ରୀମାନ୍ ଶାର୍ଦ୍ଦୂଳ ମୋ ସମ୍ମୁଖକୁ ଆସୁଅଛି, ମୁଁ ଶଙ୍କା ପରିତ୍ୟାଗ କରି ଏହାକୁ ପଚାରେ ।

 

ହେ ମୃଗେନ୍ଦ୍ର ! ତୁମ୍ଭେ ମୃଗକୁଳର ଅଧିପତି ଓ ଏହି ବନର ରାଜା ! ମୁଁ ବିଦର୍ଭ ରାଜାଙ୍କ ଦୁହିତା, ଶତ୍ରୁଘାତୀ ନିଷଧାଧିପତି ନଳଙ୍କର ଭାର୍ଯ୍ୟା । ମୋର ନାମ ଦମୟନ୍ତୀ । ସମ୍ପ୍ରତି ମୁଁ ପତିବିଚ୍ଛେଦରେ ଶୋକ-କର୍ଷତା, ଦୀନା ଓ ଏକାକିନୀ ହୋଇ ପତି ଅନ୍ୱେଷଣ କରୁଅଛି । ଅତଏବ ତୁମ୍ଭେ ଯଦି କୌଣସି ଠାରେ ନଳଙ୍କୁ ଦେଖିଥାଅ, ତେବେ ତାହା କହି ମୋତେ ଆଶ୍ୱାସିତ କର । ୩୪ । ହେ ବନନାଥ ! ହେ ମୃଗପତେ ! ଯଦି ତୁମ୍ଭେ ନଳଙ୍କ ସମ୍ବାଦ ନ କହ, ତେବେ ମୋତେ ଭକ୍ଷଣ କର । ଏହି ଦୁଃଖରୁ ମୋତେ ପରିତ୍ରାଣ କର । ୩୫ । ହାୟ ହାୟ ! ଏହି ମୃଗରାଜ ସୁଦ୍ଧା ଅରଣ୍ୟ ମଧ୍ୟରେ ମୋର ବିଳାପ ଶ୍ରବଣ ନ କରି ସାଗରଗାମିନୀ, ନିର୍ମଳଜଳା, ସେହି ନଦୀ ଆଡ଼କୁ ଗତି କରୁଅଛି !୩୬ । ଏବେ ଆଉ କାହାକୁ ପଚାରିବି ? କିଏ କହିବ ? ଏବେ ଏହି ମହାରଣ୍ୟର ଧ୍ୱଜସ୍ୱରୂପ ପର୍ବତକୁ ପଚାରିବି ? ସେ ଗଗନସ୍ପର୍ଶୀ, ବିବିଧ ବର୍ଣ୍ଣଯୁକ୍ତ ଧାତୁରେ ସମାକୀର୍ଣ୍ଣ, ମନୋହର, ବହୁଳ ଉଚ୍ଛ୍ରିତ ଶୃଙ୍ଗରେ ଶୋଭମାନ ହୋଇଅଛି । ସେ ସିଂହ, ବ୍ୟାଘ୍ର, ମାତଙ୍ଗ, ବରାହ, ଭଲ୍ଲୁକ ଓ ମୃଗସମୂହର ବାସସ୍ଥଳ । ତାହାର ଚତୁର୍ଦ୍ଦିଗରେ ବିହଙ୍ଗମାନେ ନାଦ କରୁଅଛନ୍ତି । କିଂଶୁକ, ଅଶୋକ, ବକୁଳ, ପୁନ୍ନାଗ, କର୍ଣ୍ଣିକାର, ଧବ, ପ୍ଳକ୍ଷ ଓ ପୁଷ୍ପିତ ବୃକ୍ଷସମୂହରେ ସେ ଉପଶୋଭିତ ହୋଇଅଛି । ଜଳଚର ବିହଙ୍ଗମମାନେ ତାହାର ଶୋଭା ବର୍ଦ୍ଧନ କରୁଅଛନ୍ତି । ତହିଁରେ ନଦୀମାନେ ପ୍ରବାହିତ ହେଉଅଛନ୍ତି । ଏହା ଶିଖରସମୂହରେ ସୁଶୋଭିତ । ଅତଏବ ଏହି ପୁଣ୍ୟମୟ ଗିରିରାଜ ଅବା ମୋତେ ନଳଙ୍କ ସମ୍ବାଦ କହିବେ ? ଏହାଙ୍କୁ ପଚାରେ । ୪୧ ।

 

ହେ ଭଗବନ ! ଅଚଳଶ୍ରେଷ୍ଠ ! ହେ ସୁନ୍ଦରଦର୍ଶନ ! ହେ ଲୋକପ୍ରସିଦ୍ଧ ! ହେ ଶରଣ୍ୟ ! ହେ କଲ୍ୟାଣର ଆଳୟ ! ହେ ପୃଥ୍ୱୀଧର ! ତୁମ୍ଭଙ୍କୁ ନମସ୍କାର । ୪୨ । ତୁମ୍ଭ ସମ୍ମୁଖକୁ ଆସି ତୁମ୍ଭଙ୍କୁ ପ୍ରଣାମ କରୁଅଛି । ମୁଁ ରାଜାଙ୍କର ପୁତ୍ରୀ, ରାଜାଙ୍କର ପୁତ୍ରବଧୂ ଓ ରାଜାଙ୍କର ଭାର୍ଯ୍ୟା । ମୋର ନାମ ଦମୟନ୍ତୀ । ୪୩ । ମୋର ପିତା ବିଦର୍ଭଦେଶର ଅଧିପତି । ସେ ମହାରଥ । ତାହାଙ୍କର ନାମ ଭୀମ-। ସେହି ମହୀପତି ଚାରି ବର୍ଣ୍ଣର ରକ୍ଷକ । ୪୪ । ଭୂରି ଦକ୍ଷିଣାଯୁକ୍ତ ବହୁଳ ବାଜପେୟ ଓ ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ କର୍ତ୍ତା । ରାଜାମାନଙ୍କ ମଧ୍ୟରେ ପ୍ରଧାନ ସେହି ମନୋହର ବିଶାଳନୟନ ରାଜା, ବ୍ରହ୍ମନିଷ୍ଠ, ସତ୍ୟବାଦୀ, ସଚ୍ଚରିତ୍ର, ଅସୂୟାରହିତ, ସୁଶୀଳ, ବଳଶାଳୀ, ବିପୁଳସମ୍ପତ୍ତିର ଈଶ୍ୱର, ସ୍ୱାଧୀନ, ଧର୍ମଜ୍ଞ ଓ ଶୁଚି । ୪୬ । ସେ ସମ୍ପୂର୍ଣ୍ଣରୂପେ ବିଦର୍ଭ ଦେଶକୁ ରକ୍ଷା କରିଥାନ୍ତି ଓ ଅରି ସମୂହକୁ ଜୟ କରିଅଛନ୍ତି । ହେ ଭଗବନ ! ମୁଁ ତାହାଙ୍କ ତନୟା । ତୁମ୍ଭର ଉପାସନା କରୁଅଛି-। ୪୭ । ମୋର ଶ୍ୱଶୁର ନିଷଧ ଦେଶର ଅଧିପତି । ସେ ବୀରସେନ ନାମରେ ବିଖ୍ୟାତ । ସେହି ନରୋତ୍ତମଙ୍କ ନାମ ସ୍ମରଣ କରାଯାଏ । ୪୮ । ସେହି ରାଜାଙ୍କ ପୁତ୍ରଙ୍କର ନାମ ଶ୍ରୀମାନ୍ ନଳ । ସେ ପୁଣ୍ୟଶ୍ଳୋକ* ବୋଲି ବିଖ୍ୟାତ । ସେ ସତ୍ୟପରାକ୍ରମ ବୀର, ସୁପୁରୁଷ, ବ୍ରହ୍ମନିଷ୍ଠ, ବେଦଜ୍ଞ, ବାକ୍‌ପଟୁ, ପୁଣ୍ୟକର୍ମା, ସୋମପ, ସାଗ୍ନିକ, ଯଜ୍ଞମାନଙ୍କର ଅନୁଷ୍ଠାତା, ଦାତା, ଯୋଦ୍ଧା । କ୍ରମପ୍ରାପ୍ତ ସ୍ୱକୀୟ ରାଜ୍ୟକୁ ସେ ପିତାଙ୍କଠାରୁ ପ୍ରାପ୍ତ ହୋଇ ସମ୍ୟକ୍‍ରୂପେ ଶାସନ କରନ୍ତି । ମୁଁ ତାହାଙ୍କର ଅବଳା ଭାର୍ଯ୍ୟା ପାଟରାଣୀ । ଆପଣଙ୍କ ନିକଟକୁ ଆସିଅଛି । ୫୧ ।

 

[*ପୁଣ୍ୟଶ୍ଳୋକ ନଳୋରାଜା ପୁଣ୍ୟଶ୍ଲୋକ ଜନାର୍ଦ୍ଦନଃ

ପୁଣ୍ୟଶ୍ଲୋକାଚ ବୈଦେହୀ ପୁଣ୍ୟଶ୍ଲୋକ ଯୁଧିଷ୍ଠିରଃ ।

ଏମାନଙ୍କ ନାମ ପ୍ରାତଃକାଳରେ ସ୍ମରଣ କରାଯାଏ ।]

 

ହେ ପର୍ବତବର ! ମୁଁ ଶ୍ରୀଭ୍ରଷ୍ଟା ! ପତିବିହୀନା, ଅନାଥା ଓ ବିପଦଗ୍ରସ୍ତା ହୋଇ ପତିଙ୍କୁ ଅନ୍ୱେଷଣ କରି କରି ଏଠାକୁ ଆଗମନ କରିଅଛି । ୫୨ । ହେ ଅଚଳପ୍ରବର ! ତୁମ୍ଭର ଶତ ଶତ ଶୃଙ୍ଗ ଅଭ୍ରକୁ ଭେଦକରି ଉଚ୍ଛ୍ରିତ ହୋଇଅଛି । ଅତଏବ ତଦ୍ଦ୍ୱାରା ତୁମ୍ଭେ ତୁମ୍ଭେ କି ଏହି ବିଶାଳ ବନରେ ନଳ ନରପତିଙ୍କୁ ଦେଖିଅଛ ? ୫୩ । ମୋର ସ୍ୱାମୀ ଗଜେନ୍ଦ୍ର ସଦୃଶ ବିକ୍ରମଶାଳୀ, ବୁଦ୍ଧିମାନ, ଦୀର୍ଘବାହୁ, ଅମର୍ଷୀ, ବିକ୍ରମୀ, ସତ୍ତ୍ୱବାନ, ମହାଯଶା, ନିଷଧ ଦେଶର ଅଧିପତି ନଳଙ୍କୁ ଦେଖିଅଛ କି ? ହେ ପର୍ବତଶ୍ରେଷ୍ଠ ! ମୁଁ ଏକାକିନୀ ବିହ୍ୱଳା ହୋଇ ବିଳାପ କରୁଅଛି । ୫୫ । ମୁଁ ତୁମ୍ଭର ଦୁହିତାସଦୃଶୀ । ଦୁଃଖିତା ହେଲେ ହେଁ ତୁମ୍ଭେ ମୋତେ ଆଶ୍ୱାସନା କରୁ ନାହଁ । ତାହାର କାରଣ କ’ଣ ? ହେ ବୀର ! ହେ ବିକ୍ରମିନ ! ହେ ଧର୍ମଜ୍ଞ ! ହେ ସତ୍ୟସନ୍ଧ ମହୀପତେ ! ଯଦି ତୁମ୍ଭେ ଏକାକିନୀ ବନ ମଧ୍ୟରେ ଅଛ, ତେବେ ହେ ରାଜନ୍‌ ! ଆପେ ଆପଣାକୁ ଦେଖାଦିଅ । ସୁସ୍ନିଗ୍ଧ ଓ ମେଘସମ ଗଭୀର ଅମୃତୋପମ ନୈଷଧଙ୍କର ବଚନକୁ କେବେ ଶୁଣିବି ? ସେହି ମହାତ୍ମା ନରପତିଙ୍କର “ବୈଦର୍ଭ” ବୋଲି ଶୁଭ ଓ ବିସ୍ପଷ୍ଟ ଡାକ ମୋ କର୍ଣ୍ଣରେ ବାଜିବ କି ? ହେ ନୃପତେ ! ଧର୍ମବତ୍ସଳ ! ଧରାନାଥ ! ମୁଁ ଭୀତ ହୋଇଅଛି । ଆପଣ ମୋତେ ଆଶ୍ୱାସନା ଦେଉନ୍ତୁ । ୫୯ ।

 

ରାଜନନ୍ଦିନୀ ଦମୟନ୍ତୀ ସେହି ବୃହତ୍ ପର୍ବତ ନିକଟରେ ଏହିରୂପ କହି ପୁନର୍ବାର ଉତ୍ତର ଦିଗକୁ ଗମନ କଲେ । ୬୦ । ଦିବାରାତ୍ର ତିନିଦିନ ପର୍ଯ୍ୟନ୍ତ ଗମନ କରି ସେ ପରମାଙ୍ଗନା ତପସ୍ୱୀମାନଙ୍କର ଗୋଟିଏ ସୁନ୍ଦର କାନନ ଦେଖିଲେ । ୬୧ । ସେଠାରେ ଦେଖିଲେ ଯେ, ବଶିଷ୍ଠ, ଭୃଗୁ ଓ ଅତ୍ରିଙ୍କ ସଦୃଶ ନିୟମୀ ଋଷିମାନେ ବାସ କରୁଅଛନ୍ତି । ତନ୍ମଧ୍ୟରୁ କେହି ସ୍ୱଳ୍ପ ମାତ୍ର ଆହାର କରନ୍ତି; କେହି ଦମ ଓ ଶମ ସମନ୍ୱିତ ହୋଇ ଜଳ ମାତ୍ର ଭକ୍ଷଣ କରନ୍ତି । କେହି ବାୟୁ ଭକ୍ଷଣ କରି, କେହି ପତ୍ର ଭୋଜନ କରି, ଜିତେନ୍ଦ୍ରିୟ ହୋଇ ରହି ସ୍ୱର୍ଗପଥକୁ ଦେଖିବାର ଇଚ୍ଛା କରୁଅଛନ୍ତି । କେହି ବୃକ୍ଷର ବଳ୍‌କଳ, କେହି ମୃଗଚର୍ମ ବା ଅପର ଚର୍ମ ପରିଧାନ କରି ମନଃ ସଂଯମ କରୁଅଛନ୍ତି । ୬୩-। ଏହି ପ୍ରକାରେ ତାପସମାନଙ୍କର ସେହି ରମଣୀୟ ଆଶ୍ରମ ମଣ୍ଡଳକୁ ଦେଖିଲେ-। ସେଠାରେ ନାନାବିଧ ମୃଗମାନେ ବାସ କରୁଛନ୍ତି ଓ ଶାଖାମୃଗମାନେ ବୃକ୍ଷଶାଖାରେ ଓ ଇତସ୍ତତଃ କ୍ରୀଡ଼ା କରୁଅଛନ୍ତି । ଏସବୁ ଦେଖି ଦମୟନ୍ତୀ ଆଶ୍ୱାସିତ ହେଲେ । ୬୫ ।

 

ସୁଭ୍ରୁ, ସୁକେଶୀ, ସୁସ୍ତନୀ, ସୁଦନ୍ତୀ, ସୁମୁଖୀ, ତେଜସ୍ୱିନୀ, କାନ୍ତିମତି ଆୟତଲୋଚନା, ବୀରସେନ ସୁତଙ୍କ ପତ୍ନୀ, ନାରୀରତ୍ନ, ମହାଭାଗା, ସତୀ ଦମୟନ୍ତୀ ସେ ଆଶ୍ରମ ସ୍ଥାନକୁ ପ୍ରବେଶ କଲେ । ୬୭ । ବୃଦ୍ଧ ତପସ୍ୱୀମାନଙ୍କୁ ସେ ଅଭିବାଦନ କରି ବିନୟରେ ଅବନତା ହୋଇ ରହିଲେ । ତାପସୋତ୍ତମମାନେ ତାହାଙ୍କୁ ସ୍ୱାଗତ ବୋଲି କହିଲେ । ୬୮ । ତପୋଧନମାନେ ତାହାଙ୍କର ଯଥାବିହିତ ସମ୍ମାନ କରି ବସ ବୋଲି କହିଲେ ଓ ତୁମ୍ଭ ପାଇଁ କ’ଣ କରିବୁ ବୋଲି ପଚାରିଲେ । ୬୯ । ବରରୋହା ଦମୟନ୍ତୀ ସେମାନଙ୍କୁ ଉତ୍ତର ଦେଲେ, ହେ ବିଶୁଦ୍ଧଭାବା ଭଗବନ ! ହେ ମହାଭାଗମାନେ ! ଆପଣମାନଙ୍କର ତପସ୍ୟାର କୁଶଳ ତ ? ମୃଗପକ୍ଷୀମାନେ ଉତ୍ତମ ଅଛନ୍ତି ? ଯଥାବିଧିରେ ହୋମ କାର୍ଯ୍ୟ ହେଉଅଛି ତ ? ଧର୍ମାଚରଣରେ ଆପଣମାନଙ୍କର କୁଶଳ ତ ? ସେମାନେ ଉତ୍ତର ଦେଲେ ଭଦ୍ରେ ! ଯଶସ୍ୱିନୀ ! ଆମ୍ଭମାନଙ୍କର ସର୍ବତ୍ର କୁଶଳ । ୭୨ । ହେ ସର୍ବାଙ୍ଗସୁନ୍ଦରି ! ତୁମ୍ଭେ କିଏ ? ତୁମ୍ଭର ଅଭିଳାଷ କ’ଣ ? ତୁମ୍ଭର ଉତ୍କୃଷ୍ଟ ରୂପ ଓ ଦ୍ୟୁତିକୁ ଦେଖି ଆମ୍ଭେମାନେ ବିସ୍ମିତ ହେଉଅଛୁ । ତୁମ୍ଭେ ଆଶ୍ୱାସିତ ହୁଅ । ଶୋକ କରନା । ହେ ଅନିନ୍ଦିତେ, କଲ୍ୟାଣୀ ! ତୁମ୍ଭେ କ’ଣ ଏହି ଅରଣ୍ୟର ଅଥବା ପର୍ବତର ଅଥବା ନଦୀର ଅଧିଷ୍ଠାତ୍ରୀ ଦେବତା ? ସତ୍ୟ କରି କହ ।

 

ସେ ଋଷିମାନଙ୍କୁ କହିଲେ–ମୁଁ ଏହି ଅରଣ୍ୟର ଦେବତା ନୁହେଁ । ୭୪ । ହେ ବିପ୍ରମାନେ ! ଏହି ପର୍ବତର ଅଥବା ନଦୀର ଅଧିଷ୍ଠାତ୍ରୀ ଦେବୀ ନୁହେଁ । ହେ ତପୋଧନମାନେ ! ମୋତେ ମନୁଷ୍ୟ ବୋଲି ଆପଣମାନେ ସମସ୍ତେ ଜାଣିବା ହେଉନ୍ତୁ । ୭୫ । ବିସ୍ତାରପୂର୍ବକ ମୁଁ କହିବି । ଆପଣମାନେ ସମଗ୍ର ବିଷୟ ଶୁଣିବା ହେଉନ୍ତୁ । ବିଦର୍ଭ ଦେଶରେ ରାଜା ଭୀମ ନାମରେ ମହୀପତି ଅଛନ୍ତି । ହେ ଦ୍ୱିଜସତ୍ତମମାନେ ! ମୋତେ ତାହାଙ୍କର ତନୟା ବୋଲି ଜାଣନ୍ତୁ । ନିଷଧ ଦେଶରେ ନଳ ନାମରେ ମହାଯଶା ନରପତି ଅଛନ୍ତି । ୭୭ । ସେ ରାଜା ବୀର, ସଂଗ୍ରାମବିଜୟୀ, ବିଦ୍ୱାନ୍ ଓ ମୋର ଭର୍ତ୍ତା ଅଟନ୍ତି ।

 

ସେ ଦେବାର୍ଚ୍ଚନାରେ ନିରତ ଓ ଦ୍ୱିଜାତିମାନଙ୍କୁ ପରମାଦର କରନ୍ତି । ୭୮ । ନିଷଧ ବଂଶର ସେ ରକ୍ଷାକାରୀ, ମହାତେଜା ଓ ମହାବଳୀ ଅଟନ୍ତି । ସେ ସତ୍ୟବାନ, ଧର୍ମବେତ୍ତା, ପ୍ରାଜ୍ଞ, ସତ୍ୟସନ୍ଧ, ଅରିମର୍ଦ୍ଦନ । ୭୯ । ସେ ବ୍ରହ୍ମଣ୍ୟ, ଦୈବତତ୍ପର, ଶ୍ରୀମନ୍‌, ଶତ୍ରୁପୁରଜୟୀ, ନୃପଶ୍ରେଷ୍ଠ ନଳ ନାମରେ ବିଦିତ । ସାକ୍ଷାତ୍ ଦେବରାଜ ଇନ୍ଦ୍ରଙ୍କ ସମାନ ତାହାଙ୍କର ଦ୍ୟୁତି । ୮୦ । ସେହି ଅରିହନ୍ତା,ପୂର୍ଣ୍ଣେନ୍ଦୁବଦନା, ବିଶାଳାକ୍ଷ ନଳ ମୋର ଭର୍ତ୍ତା । ସେ ବେଦ ଓ ବେଦାଙ୍ଗମାନଙ୍କରେ ପାରଦର୍ଶୀ; ପ୍ରଧାନ, କ୍ରତୁମାନଙ୍କର ଆହରଣ କର୍ତ୍ତା । ୮୧ । ଯୁଦ୍ଧରେ ସେ ପରମାନଙ୍କୁ ନିହତ କରନ୍ତି । ସୂର୍ଯ୍ୟ ଓ ଚନ୍ଦ୍ରସମ ତାହାଙ୍କର ପ୍ରଭା । କେତେକ କପଟୀ, ଅନାର୍ଯ୍ୟ, କ୍ଷୁଦ୍ରାଶୟ, ଦ୍ୟୂତନିପୁଣ, ନୀଚପ୍ରବୃତ୍ତି, ବଞ୍ଚକଙ୍କଦ୍ୱାରା ସତ୍ୟଧର୍ମପରାୟଣ ରାଜା ଆହୂତ ହୋଇ ଦ୍ୟୂତକ୍ରୀଡ଼ାରେ ପରାଜିତ ହେଲେ । ତାହାଙ୍କର ରାଜ୍ୟ, ଧନ ସମ୍ପତ୍ତି ଯାହା କିଛି ଥିଲା, ତାହା ସବୁ ସେହି କିତବମାନେ ଅପହରଣ କରିନେଲେ । ୮୩ । ମୁଁ ସେହି ନୃପସତ୍ତମଙ୍କର ଭାର୍ଯ୍ୟା ହୋଇ ତାହାଙ୍କର ଦର୍ଶନ-ଲାଳସାରେ ଏଠାକୁ ଆଗମନ କରିଅଛି । ମୋର ନାମ ଦମୟନ୍ତୀ ବୋଲି ବିଖ୍ୟାତ ଅଛି । ୮୪ । ବନ, ଗିରି, ସରୋବର, ସରିତ, ପଲ୍ୱଳମାନଙ୍କୁ ଓ ଅରଣ୍ୟମାନଙ୍କୁ ଅନ୍ୱେଷଣ କରି ରଣବିଶାରଦ ମହାତ୍ମା, କୃତାସ୍ତ୍ର ନଳଙ୍କୁ ପାଇବା ଆଶାରେ ଦୁଃଖିତା ହୋଇ ବିଚରଣ କରୁଅଛି ।

 

ହେ ମହାନୁଭବଗଣ ! ଉକ୍ତ ନିଷଧାଧିପତି ମହାରାଜ ନଳ କ’ଣ ଆପଣଙ୍କର ଏହି ରମଣୀୟ ତପୋବନକୁ ଆଗମନ କରିଅଛନ୍ତି ? ଯାହାଙ୍କ ନିମିତ୍ତ ମୁଁ ମୃଗଶାର୍ଦ୍ଦୂଳସେବିତା ଏହି ଦାରୁଣ ଓ ଅତି ଭୀକ୍ଷଣ ଅରଣ୍ୟକୁ ଆଗମନ କରିଅଛି, ଯଦି ଆଉ ଦିନାକେତେ ତାଙ୍କର ସାକ୍ଷାତ୍ ନ ପାଇବି, ତେବେ ନିଶ୍ଚୟ ଏହି ଦେହକୁ ପରିତ୍ୟାଗ କରି ଆପଣାର କଲ୍ୟାଣ ସାଧନ କରିବି । ସେହି ପୁରୁଷଶ୍ରେଷ୍ଠଙ୍କ ବ୍ୟତିରେକେ ମୋର ଜୀବନରେ ପ୍ରୟୋଜନ କ’ଣ ? ଭର୍ତ୍ତୃଶୋକରେ ପରିପୀଡ଼ିତା ହୋଇ କି ପ୍ରକାରେ ବଞ୍ଚିରହିବି ? ୯୨ ।

 

ଅରଣ୍ୟ ମଧ୍ୟରେ ଏକାକିନୀ ରୋଦନପରାୟଣା ଭୀମଦୁହିତା ଦମୟନ୍ତୀଙ୍କୁ ସତ୍ୟଦର୍ଶୀ ତପସ୍ୱୀମାନେ କହିଲେ–ହେ କଲ୍ୟାଣୀ ! ଆମ୍ଭେମାନେ ତପସ୍ୟାଦ୍ୱାରା ଦେଖୁଅଛୁ, ଉତ୍ତର କାଳକୁ ତୁମ୍ଭର ମଙ୍ଗଳ ହେବ । ଅଚିରକାଳରେ ତୁମ୍ଭେ ନଳଙ୍କୁ ଦେଖିବାକୁ ପାଇବ । ୯୨ । ହେ ଶୁଭ୍ରେ, ଭୀମନନ୍ଦିନୀ ! ତୁମ୍ଭେ ଶୀଘ୍ର ଦେଖିବ ଯେ, ଅରିକୁଳମର୍ଦ୍ଦନକାରୀ ଧାର୍ମିକପ୍ରଧାନ, ନିଷଧନାଥ ନଳ ବ୍ୟସନଯୁକ୍ତ ହୋଇଅଛନ୍ତି । ୯୩ । ହେ କଲ୍ୟାଣୀ ! ତୁମ୍ଭର ସେହି ପତି ସର୍ବପାପମୁକ୍ତ, ସର୍ବରତ୍ନସମନ୍ୱିତ ଓ କଲ୍ୟାଣଭାଜନ ହେବେ, ଦେଖିବ । ଆହୁରି ତୁମ୍ଭେ ଦେଖିବ ଯେ, ସେ ଶତ୍ରୁମାନଙ୍କ ଜୟ କରି ନିଷଧ ଦେଶକୁ ଶାସନ କରିବେ ଓ ଶତ୍ରୁମାନଙ୍କର ଭୟବର୍ଦ୍ଧନ କରି ସୁହୃଦ୍‌ଗଣଙ୍କର ଶୋକ ବିମୋଚନ କରିବେ । ୯୫ । ନଳ ରାଜାଙ୍କର ପ୍ରିୟମହିଷୀ, ନୃପନନ୍ଦିନୀ ଦମୟନ୍ତୀଙ୍କୁ ତପସ୍ୱୀମାନେ ଏହିପରି କହି ଅଗ୍ନିହୋତ୍ର ଓ ଆଶ୍ରମ ସହିତ ଅନ୍ତର୍ହିତ ହେଲେ । ୯୬ । ବୀରସେନ ନୃପତିଙ୍କ ପୁତ୍ରବଧୂ ଦମୟନ୍ତୀ ତଦ୍ରୂପ ଆଶ୍ଚର୍ଯ୍ୟ ବ୍ୟାପାର ସନ୍ଦର୍ଶନ କରି ବିସ୍ମୟାପ୍ରାପ୍ତା ହେଲେ ଓ ଭାବିଲେ, ମୁଁ କି ସ୍ୱପ୍ନ ଦେଖିଲି ? ଏଠାରେ ଏକ ଅଦ୍ଭୁତ ଘଟନା ଘଟିଲା ? ସେ ତପସ୍ୱିନୀ କାହିଁ ଗଲେ ଓ ସେମାନଙ୍କର ସେହି ଆଶ୍ରମମଣ୍ଡଳ କାହିଁ ? ନଦୀ କାହିଁ ଗଲା ? ଅଥଚ ଫଳପୁଷ୍ପୋପଶୋଭିତ ସେହି ପବିତ୍ର ବୃକ୍ଷମାନେ କେଉଁଠାକୁ ଗଲେ ? ଭୀମସୁତା ଶୁଚିସ୍ମିତା ଦମୟନ୍ତୀ ଏହିପରି ଚିନ୍ତା କରି ପୁନର୍ବାର ସ୍ୱୀମାକାତରା ହୋଇ ଅଧିକତର ଦୀନା ଓ ବିବର୍ଣ୍ଣବଦନା ହେଲେ । ୧୦୦ ।

 

ଅନନ୍ତର ସେ ସେଠାରୁ ସ୍ଥାନାନ୍ତର ଗମନ କରି ଗୋଟିଏ ବୃହତ୍ ଅଶୋକବୃକ୍ଷ ଦେଖିଲେ-। ପୁଷ୍ପ ଓ ପଲ୍ଲବାଦିଦ୍ୱାରା ସେହି ତରୁ ବିଭୂଷିତ ହୋଇଅଛି । ବିବିଧ ବିହଙ୍ଗମାନେ ତହିଁରେ ବସି ଶବ୍ଦ କରୁଅଛନ୍ତି । ଏପରି ସେ ତରୁ ମନୋହର ଦିଶୁଅଛି । ଅଶ୍ରୁପୂର୍ଣ୍ଣନୟନା ଦମୟନ୍ତୀ ତାହା ନିକଟକୁ ଯାଇ ବାଷ୍ପାକୁଳିତ ବାକ୍ୟରେ ବିଳାପ କଲେ । ୧୦୨ । ଆହା ! ଏହି ବନ ମଧ୍ୟରେ ଏହି ଗଛଟି ଶିରୋଭୂଷଣସ୍ୱରୂପ ପୁଷ୍ପପୁଞ୍ଜରେ ଶୋଭିତ ହୋଇ ପର୍ବତରାଜ ପ୍ରାୟ ଦିଶୁଅଛି । ୧୦୩ । ହେ ପ୍ରିୟଦର୍ଶନ ଅଶୋକ ! ତୁମ୍ଭେ ମୋର ଶୋକ ହରଣ କର । ତୁମ୍ଭେ କ’ଣ ରାଜାଙ୍କୁ ଦେଖିଅଛ-? ସେ ଶୋକ ଓ ଭୟରହିତ ହୋଇ ସ୍ୱଚ୍ଛନ୍ଦରେ ଅଛନ୍ତି ? ୧୦୪ । ମୋର ନାମ ଦମୟନ୍ତୀ-। ବୋଧହୁଏ ତୁମ୍ଭେ ମୋର ସେହି ପ୍ରିୟପତି ଶତ୍ରୁହନ୍ତା, ନିଷଧାଧିପତି, ସୁକୁମାର ଶରୀର ବୀର ନଳରାଜାଙ୍କୁ ଦୁଃଖଗ୍ରସ୍ତ ହୋଇ ଆସିବାର ଦେଖିଥିବ । ସେ ଖଣ୍ଡିଏ ବସ୍ତ୍ରରୁ ଅଧେ ପିନ୍ଧ ଆସିଥିବେ-। ୧୦୬ । ହେ ଅଶୋକ ବୃକ୍ଷ ! ମୁଁ ଯେପରି ଶୋକହୀନା ହୋଇ ଗମନ କରିବି, ତୁମ୍ଭେ ତାହାର ବିଧାନ କର । ତୁମ୍ଭେ ଅଶୋକ, ଅର୍ଥାତ୍ ଶୋକନାଶକ, ତୁମ୍ଭର ନାମକୁ ତୁମ୍ଭେ ସଫଳ କର । ୧୦୭-। ଏହି ପ୍ରକାରେ ଶୋକରେ ଆର୍ତ୍ତ ହୋଇ ଦମୟନ୍ତୀ ସେହି ଅଶୋକ ତରୁକୁ ତିନି ଥର ପ୍ରଦକ୍ଷିଣ କରି ସେଠାରୁ ଗୋଟିଏ ଭୀଷଣ ସ୍ଥାନକୁ ଗମନ କଲେ । ୧୦୮ ।

 

ଭୀମସୁତା ଦମୟନ୍ତୀ ପତିଙ୍କୁ ଅନ୍ୱେଷଣ କରୁ କରୁ ବହୁସଂଖ୍ୟକ ବୃକ୍ଷ, ପର୍ବତ, ମୃଗ, ପକ୍ଷୀ, କନ୍ଦର, ଗିରିନିତମ୍ବ ଓ ଅଦ୍ଭୁତ ରୂପ ନଦୀମାନଙ୍କୁ ଅବଲୋକନ କଲେ । ୧୧୦ । ଶୁଚିସ୍ମିତା ଦମୟନ୍ତୀ ଯାଉ ଯାଉ ଗୋଟିଏ ପ୍ରଶସ୍ତ ପଥ ଓ ନଦୀ ଦେଖିଲେ । ଗୋଟିଏ ବୃହତ୍ ସାର୍ଥ* ତାହାକୁ ପାରି ହେଉଅଛନ୍ତି । ସେମାନଙ୍କ ସହିତ ହସ୍ତୀ, ଅଶ୍ୱ, ରଥୀ ପ୍ରଭୃତି ଅଛନ୍ତି । ସେ ନଦୀର ଜଳ ସୁଶୀତଳ, କୂଳ ବେତସବନଦ୍ୱାରା ଆଚ୍ଛନ୍ନ ହୋଇଅଛି । ଜଳ ନିକଟରେ ବକ, କୁରର, ଚକ୍ରବାକ ପ୍ରଭୃତି ପକ୍ଷୀମାନେ ନାଦ କରୁଅଛନ୍ତି । ଜଳ ମଧ୍ୟରେ କୂର୍ମ, କୁମ୍ଭୀର ଓ ମତ୍ସ୍ୟମାନେ ସନ୍ତରଣ କରୁଅଛନ୍ତି । ସ୍ଥାନେ ସ୍ଥାନେ ହ୍ରଦସମୂହ ବିଶେଷ ଜଳପୂର୍ଣ୍ଣ ହୋଇଅଛି ଓ ସ୍ଥାନେ ସ୍ଥାନେ ଦ୍ୱୀପସବୁ ଅଛି । ଏହି ପ୍ରକାରେ ସେ ରମଣୀୟ ନଦୀକୁ ଓ ମହାନ ସାର୍ଥକୁ ନଳପତ୍ନୀ ଯଶସ୍ୱିନୀ ଦମୟନ୍ତୀ ଦେଖି ସେମାନଙ୍କ ମଧ୍ୟକୁ ଗମନ କଲେ । ୧୧୪ ।

 

[*ଅନେକ ବେପାରୀ ଏକତ୍ର ହୋଇ ବେପାର କରିବାକୁ ଯାନ୍ତି । ସେହି ଦଳକୁ ‘ସାର୍ଥ’ କୁହାଯାଏ ।]

 

ତତ୍କାଳରେ ଦମୟନ୍ତୀ ଶୋକାର୍ତ୍ତା ଓ ଉନ୍ମତ୍ତା ହୋଇଥାନ୍ତି । ଖଣ୍ଡିଏ ବସ୍ତ୍ରର ଅଧେ ପରିଧାନ କରିଥାନ୍ତି । କୃଶା, ବିବର୍ଣ୍ଣା ଓ ମଳିନା ହୋଇଥାନ୍ତି । ଧୂଳିରେ କେଶ ଧ୍ୱସ୍ତ ହୋଇଥାଏ । ୧୧୫ । ବଣିକମାନେ ତାହାଙ୍କୁ ତଥାବିଧି ଅବସ୍ଥାପନ୍ନ ଦେଖି କେହି କେହି ଭୀତ ହୋଇ ପଳାଇବାକୁ ବସିଲେ, କେହି ଅବା ଅତିଶୟ ଚିନ୍ତାନ୍ୱିତ ହେଲେ, କେହି ଅବା ଚିତ୍କାର କଲେ, କେହି ତାହାଙ୍କୁ ଦେଖି ହସିଲେ, କେହି ଗାଳି ଦେଲେ । ହେ ଭାରତ ! କେହି ଅବା ଦୟା କରି ତାହାକୁ ପଚାରିଲେ । ୧୧୭ । ତୁମ୍ଭେ କିଏ ? କାହାର ଭାର୍ଯ୍ୟା ? ଏହି ବନରେ କ’ଣ ଅନ୍ୱେଷଣ କରୁଅଛ-? ତୁମ୍ଭେ କି ମାନୁଷୀ ! ତୁମ୍ଭଙ୍କୁ ଆମ୍ଭେମାନେ ଦେଖି ବ୍ୟଥିତ ହେଉଅଛୁଁ । ୧୧୮ । ତୁମ୍ଭେ ସତ୍ୟ କହ । ତୁମ୍ଭେ କ’ଣ ଏହି ବନର, ପର୍ବତର, ଦିଗର ଅଧିଷ୍ଠାତ୍ରୀ ଦେବତା ? ଆମ୍ଭେମାନେ ତୁମ୍ଭର ଶରଣାଗତ ହେଲୁ । ୧୧୯ । ହେ ଅନିନ୍ଦିତେ ! ତୁମ୍ଭେ ଯକ୍ଷୀ, ରାକ୍ଷସୀ ବା ସୁରଙ୍ଗନା ହୁଅ; ଆମ୍ଭମାନଙ୍କର ମଙ୍ଗଳ କର । ଆମ୍ଭମାନଙ୍କୁ ରକ୍ଷା କର । ୧୨୦ । ଯେ ପ୍ରକାର ଏହି ସାର୍ଥ କୁଶଳରେ ଏଠାରୁ ଶୀଘ୍ର ଗମନ କରେ ତହିଁର ବିଧାନ କର ! ହେ କଲ୍ୟାଣୀ ! ଯେପରି ଆମ୍ଭମାନଙ୍କର ମଙ୍ଗଳ ହୁଏ, ତାହା କର । ୧୨୧ ।

 

ସାର୍ଥମାନଙ୍କର ତଦ୍ରୂପ ବଚନ ଶ୍ରବଣ କରି ସ୍ୱାମୀ ବିଚ୍ଛେଦରେ ଦୁଃଖିତା ନୃପଦୁହିତା ସାଧ୍ୱୀ ଦମୟନ୍ତୀ ପ୍ରତ୍ୟୁତ୍ତର ଦେଲେ । ୧୨୨ । ସାର୍ଥବାହ, ସାର୍ଥ, ଆଉ ଯେତେ ଲୋକ କି ଯୁବା, ବୃଦ୍ଧ ଓ ବାଳକ ଅଛ ଅଥବା ଯେଉଁମାନେ ସଙ୍ଗରେ ଯାଉଅଛ, ସେମାନେ ସମସ୍ତେ ଜାଣ ଯେ, ମୁଁ ମାନୁଷୀ, ରାଜାଙ୍କର ଦୁହିତା, ରାଜାଙ୍କର ପୁତ୍ରବଧୂ, ରାଜାଙ୍କର ଭାର୍ଯ୍ୟା; ମୋର ସ୍ୱାମୀଙ୍କୁ ଦର୍ଶନ କରିବାକୁ ମୁଁ ଅଭିଳାଷ କରୁଅଛି । ୧୨୪ । ବିଦର୍ଭ ଦେଶର ରାଜା ମୋର ପିତା, ରାଜା ନୈଷଧ ମୋର ସ୍ୱାମୀ, ତାହାଙ୍କର ନାମ ନଳ । ସେ ମହାଭାଗ ଓ ଅପରାଜିତ । ମୁଁ ତାହାଙ୍କୁ ଖୋଜୁଅଛି । ୧୨୫ । ଯଦି ତୁମ୍ଭେମାନେ ସେହି ସୁଦନ ପୁରୁଷଶାର୍ଦ୍ଦୂଳ ମୋର ପ୍ରିୟ ନଳଙ୍କୁ ଜାଣ, ତେବେ ଶୀଘ୍ର କହ, ସେ କେଉଁଠାରେ ଅଛନ୍ତି । ୧୨୬ ।

 

ସେହି ମହାନ ସାର୍ଥର ପ୍ରଭୁ ସେ ଅନବଦ୍ୟାଙ୍ଗୀଙ୍କୁ କହିଲେ–ମୁଁ ସାର୍ଥବାହ; ମୋର ନାମ ଶୁଚି । ହେ କଲ୍ୟାଣୀ ! ମୋର ବଚନ ଶ୍ରବଣ କର । ୧୨୭ । ହେ ଶୁଚିସ୍ମିତେ ! ମୁଁ ଏହି ସାର୍ଥର ନେତା, ସାର୍ଥବାହ ସ୍ୱୟଂ ମୁଁ ଅଟେ । ହେ ଯଶସ୍ୱିନି ! ନଳ ନାମକ ମନୁଷ୍ୟକୁ ମୁଁ ଦେଖି ନାହିଁ । ୧୨୮ । ଏହି ନିଖିଳ ବନରେ ମୁଁ ହସ୍ତୀ, ବ୍ୟାଘ୍ର, ମହିଷ, ଶାର୍ଦ୍ଦୂଳ, ଋକ୍ଷ ଓ ନାନାବିଧ ମୃଗମାନଙ୍କୁ ଦେଖୁଅଛି । ଏଥିରେ ମନୁଷ୍ୟର ବାସ ନାହିଁ । ୧୨୯ । ଏହି ମହାବନରେ ତୁମ୍ଭ ବ୍ୟତିରେକେ ଆଉ କେହି ମନୁଷ୍ୟକୁ ମୁଁ ଦେଖେ ନାହିଁ । ଅଦ୍ୟ ଯକ୍ଷରାଟ୍ ମଣିଭଦ୍ର ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେଉନ୍ତୁ । ୧୩୦ । ଏ କଥା ଶୁଣି ସେ ସାର୍ଥବାହଙ୍କୁ ଓ ସମସ୍ତ ବଣିକମାନଙ୍କୁ ପଚାରିଲେ । ଏ ସାର୍ଥ କେଉଁଠାକୁ ଗମନ କରିବ, ତାହା ମତେ କହ ? ସାର୍ଥବାହ ବୋଇଲେ, ହେ ନରେନ୍ଦ୍ର ଦୁହିତା ! ଏହି ସାର୍ଥଲାଭ ନିମିତ୍ତ ସତ୍ୟଦର୍ଶୀ ଚେଦିରାଜ ସୁବାହୁଙ୍କ ଜନପଦକୁ ଶୀଘ୍ର ଗମନ କରିବ । ୧୩୨ ।

 

॥ ଅଧ୍ୟାୟ – ୬୫ ॥

 

ବୃହଦଶ୍ୱ ବୋଇଲେ, ସର୍ବାଙ୍ଗସୁନ୍ଦରୀ ଦମୟନ୍ତୀ ସାର୍ଥବାହଙ୍କର ସେହି ବଚନ ଶ୍ରବଣ କରି, ପତିଙ୍କୁ ଦର୍ଶନ କରିବା ଅଭିଳାଷରେ ସେମାନଙ୍କ ସଙ୍ଗରେ ଗମନ କଲେ । ବହୁ ଦିନ ପରେ ବଣିକମାନେ ଗୋଟିଏ ନିବିଡ଼ ବନ ମଧ୍ୟରେ ସର୍ବଶୋଭାନ୍ୱିତ ଗୋଟିଏ ସରୋବର ଦେଖିଲେ । ପଦ୍ମପୁଷ୍ପର ସୌଗନ୍ଧି ତହିଁରେ ପ୍ରକଟିତ ହେଉଅଛି । ୨ । ତାହାର କୂଳରେ ଯଥେଷ୍ଟ ଘାସ ହୋଇଅଛି । ଇନ୍ଧନ ମଧ୍ୟ ଯଥେଷ୍ଟ ପ୍ରାପ୍ୟ । ଫଳ ଓ ପୁଷ୍ପଦ୍ୱାରା ଓ ନାନାବିଧ ବିହଙ୍ଗମଦ୍ୱାରା ସେ ସ୍ଥାନ ରମଣୀୟ ହୋଇଅଛି । ୩ । ତାହାର ଜଳ ନିର୍ମଳ, ସ୍ୱାଦୁ ଓ ସୁଶୀତଳ ଏବଂ ମନୋହର । ବାହପଶୁମାନେ କ୍ଳାନ୍ତ ହୋଇଥିବାରୁ ସେ ସ୍ଥାନରେ ବାସ କରିବାର ଇଚ୍ଛା ହେଲା । ସାର୍ଥବାହଙ୍କର ସମ୍ମତି ଅନୁସାରେ ସେହି ଉତ୍ତମ ବନ ମଧ୍ୟରେ ସମସ୍ତେ ପ୍ରବେଶ କଲେ । ସାୟଂକାଳରେ ସେ ମହାନ ସାର୍ଥ, ସରୋବରର ପଶ୍ଚିମ ପାର୍ଶ୍ୱରେ ବାସ କଲେ । ୫ ।

 

ଅନନ୍ତର ଅର୍ଦ୍ଧରାତ୍ର ସମୟରେ, ନିଃଶବ୍ଦ ହେଲାବେଳେ ସମସ୍ତେ ଶ୍ରାନ୍ତ ହୋଇ ଶୟନ କରିଅଛନ୍ତି, ଏମନ୍ତ ସମୟରେ ହସ୍ତୀଯୂଥ ସେଠାକୁ ଆସିଲେ । ସେମାନେ ଜଳପାନାର୍ଥେ ମଦ କଳୁଷିତ ଗିରିନଦୀକୁ ଗମନ କରୁଥିଲେ । ଯାଉ ଯାଉ ସେମାନେ ସାର୍ଥକୁ ଓ ତାହାର ପାଳିତ ହସ୍ତୀମାନଙ୍କୁ ବିଲୋକନ କଲେ । ୭ । ମଦୋତ୍କଟ ସେହି ବନଦନ୍ତୀମାନେ ଗ୍ରାମ୍ୟହସ୍ତୀମାନଙ୍କୁ ଦେଖି ହିଂସା କରିବା ଉଦ୍ଦେଶ୍ୟରେ ବେଗେ ସେମାନଙ୍କ ପ୍ରତି ଧାବିତ ହେଲେ । ୮ । ଯେ ପ୍ରକାର ପର୍ବତର ଅଗ୍ରଭାଗରୁ ଶୃଙ୍ଗମାନେ ଭାଙ୍ଗି ଭୂମିରେ ନିପତିତ ହୁଅନ୍ତି, ସେହି ପ୍ରକାର ବନ୍ୟଦନ୍ତୀମାନେ ଦୁଃସହ ବେଗରେ ଆପତିତ ହେବାରୁ ବନ୍ୟ ପଥମାନ ଧ୍ୱସ୍ତ ହେଲା ଓ ବଣିକମାନେ ଯେଉଁ ସରୋବରରେ ପଥକୁ ଅବରୋଧ କରି ମହୀତଳରେ ଶୟନ କରିଥିଲେ ଓ ନିଦ୍ରାରେ ହତଚେତନ ହୋଇଥିଲେ, ବନ୍ୟକରୀମାନେ ସେମାନଙ୍କ ନିକଟକୁ ଯାଇ ସହସା ମର୍ଦ୍ଦନ କଲେ । ବଣିକମାନେ ନିଦ୍ରାନ୍ଧ ଥିଲେ; ହଠାତ୍ କୁଞ୍ଜର ଯୂଥଙ୍କ ଉପଦ୍ରବରେ ବ୍ୟାକୁଳିତ ହୋଇ ହାହାକାର ଶବ୍‌ଦ କରି ସେହି ମହାଭୟରୁ ପରିତ୍ରାଣ ପାଇବା ଆଶାରେ ବନଗୁଳ୍ମ ଆଡ଼କୁ ଧାବିତ ହେଲେ । କେହି କେହି ସେ ବନ୍ୟକରୀଙ୍କ ଦନ୍ତାଘାତରେ, କେହି କେହି ଶୁଣ୍ଢାସ୍ଫାଳନରେ, କେହି ଅବା ପଦମର୍ଦ୍ଦନଦ୍ୱାରା ପ୍ରାଣତ୍ୟାଗ କଲେ । ୧୨ । ଏହିରୂପେ ସେ ସମୟରେ ଉଷ୍ଟ୍ର, ଅଶ୍ୱ ଓ ପଦାତିବର୍ଗ ଭୟରେ ଆର୍ତ୍ତ ହୋଇ ଇତସ୍ତତଃ ଧାବିତ ହେବାରୁ ପରସ୍ପରଦ୍ୱାରା ଆହତ ହୋଇ ଧରଣୀ ତଳରେ ନିପତିତ ହେଲେ । ଅନେକଗୁଡ଼ିଏ ବୃକ୍ଷ ପରେ ଆରୋହଣ କରି ହୃଷ୍ଟ ହେଲେ । ଅନେକଗୁଡ଼ିଏ ବିଷମ ସ୍ଥାନରେ ପତିତ ହୋଇ ହାହାକାର ଶବ୍ଦ କଲେ । ୧୪ ।

 

ହେ ରାଜନ୍‌ ! ଏହିରୂପେ ସମସ୍ତ ସାର୍ଥମଣ୍ଡଳ ଦୈବବଶରୁ କୁଞ୍ଜରଯୂଥଙ୍କ ପ୍ରକୋପରୁ ବହୁ ପ୍ରକାର ନିହତ ହେଲେ । ୧୫ । ହେ ଜନାଧିପ ! ଉକ୍ତ ପ୍ରକାର ହତ୍ୟା କାର୍ଯ୍ୟ ଉପସ୍ଥିତ ହେବାରୁ ଆକାଶଭେଦୀ ଘୋରତର କୋଳାହଳ ଉତ୍‌ଥିତ ହେଲା । “ଅଗ୍ନି ଉଠିଲା ! କି କଷ୍ଟ ! ପରିତ୍ରାଣ କର ! ଧାଅଁ । ୧୬ । ରତ୍ନରାଶି ବିକୀର୍ଣ୍ଣ ହୋଇଗଲା; ଗ୍ରହଣ କର । କି ନିମିତ୍ତ ଦଉଡ଼ୁଅଛ ? ମୋର ଏହି ଧନ ଅଳ୍ପ; ମୁଁ ମିଥ୍ୟା କହୁ ନାହିଁ” । ୧୭ । ଏହି ପ୍ରକାର ସମସ୍ତେ ନାନା କଥା କହି ଭୟର ବିହ୍ୱଳ ହୋଇ ଧାବମାନ ହେଲେ । “କାତର ହୁଅ ନାହିଁ, ଚିନ୍ତା କରନାହିଁ, ପୁନର୍ବାର ଏହାର ପ୍ରତିବିଧାନ କରାଯିବ” । ୧୮ । ଏହି ଦାରୁଣ ଜନକ୍ଷୟ ଉପସ୍ଥିତ ହୁଅନ୍ତେ ଦମୟନ୍ତୀ ଭୟରେ ତ୍ରସ୍ତା ହୋଇ ପ୍ରବୃଦ୍ଧ ହେଲେ । ୧୯ । ଓ ଲୋକଭୟଙ୍କର ସେହି ହତ୍ୟାକାଣ୍ଡ ଦେଖିଲେ । ପଦ୍ମଦଳନେତ୍ରୀ ଦମୟନ୍ତୀ ପୂର୍ବେ କଦାପି ତଦ୍ରୂପ ବୈଷମ୍ୟ ଦେଖି ନ ଥିଲେ । ବର୍ତ୍ତମାନ ତାହା ଦେଖିବାରୁ ତାହାଙ୍କ ମୁଖ ଶୁଷ୍କ ହେଲା । ଚିତ୍ତ ବିହ୍ୱଳ ହେଲା ।

 

ସାର୍ଥ ସମ୍ପର୍କୀୟ ଯେଉଁସବୁ ବ୍ୟକ୍ତିମାନେ ଜୀବିତ ଥିଲେ, ସେମାନେ ଏକତ୍ର ହୋଇ ବୋଲାବୋଲି ହେଲେ । ଏ କାହାର କର୍ମର ଫଳ ? ମହାଯଶା ମଣିଭଦ୍ରଙ୍କୁ ନିଶ୍ଚୟ ଆମ୍ଭେ ପୂଜା କରି ନାହୁଁ । ୨୦ । ଯକ୍ଷାଧିପ ଶ୍ରୀମନ୍ କୁବେରଙ୍କର ମଧ୍ୟ ପୂଜା ହୋଇ ନାହିଁ । ବିଘ୍ନକର୍ତ୍ତାମାନଙ୍କର ମଧ୍ୟ ପୂଜା ପ୍ରଥମରୁ ହୋଇ ନାହିଁ ଅଥବା ବିପରୀତଭାବରେ ହୋଇଅଛି । ୨୩ । ପ୍ରସ୍ଥାନବେଳେ ଅବା ଆମ୍ଭେମାନେ ମନ୍ଦ ଶକୁନ ଦେଖିଥିଲୁ । ତାହାରି ହେତୁରୁ ଏପରି ଫଳ ହେଲା । କେହି କହିଲେ, ଆମ୍ଭର ଗ୍ରହମାନେ ବିପରୀତ ହୋଇଥିବେ ଅଥବା ଅନ୍ୟ କାରଣରୁ ଏପରି ହେଲା । ୨୪-। ଆଉ କେତେଗୁଡ଼ିଏ ଦୁଃଖିତ ବଣିକ ସୃଜନ ନାଶ ହେତୁରୁ ଓ ଧନ ବିରହରୁ କାତର ହୋଇ କହିଲେ, ସେହି ଯେ ଗୋଟିଏ ଉନ୍ମତ୍ତା ନାରୀ ଦେଖିଥିଲୁ, ଯେ କି ଅମାନୁଷ ରୂପ ଧାରଣ କରି ସାର୍ଥ ମଧ୍ୟରେ ପ୍ରବେଶ କରିଥିଲା, ସେହି ବିକୃତରୂପା ନାରୀ ମାୟା କରି ଆମ୍ଭମାନଙ୍କୁ ଏତାଦୃଶ ବିପଦଗ୍ରସ୍ତ କରିଅଛି । ୨୬ । ତାହାକୁ ଆମ୍ଭେମାନେ ଚିହ୍ନି ନାହୁଁ । ସେ ନିଶ୍ଚୟ ରାକ୍ଷସୀ ହେବ କି ଯକ୍ଷନାରୀ ହେବ; ତାହା ନ ହେଲେ ହୁଏ ତ ନିଶ୍ଚୟ ପିଶାଚୀ ହେବ, ଏଥିରେ ସଂଶୟ ନାହିଁ-। ଏ ଦୁର୍ଘଟନା ଓ ଦୁଃଖ ସବୁ ନିଃସନ୍ଦେହରେ ତାହାରି କାର୍ଯ୍ୟ । ୨୭ । ସେହି ସାର୍ଥନାଶିନୀକୁ ଯେବେ ବର୍ତ୍ତମାନ ଦେଖନ୍ତି, ତେବେ କାଠ, ପଥର, ଶୂଳା ଯାହା ପାନ୍ତି, ତାହା ଉପରକୁ ଫିଙ୍ଗନ୍ତି ଅଥବା ଏହି ମୁଷ୍ଟି ପ୍ରହାରଦ୍ୱାରା ତାହାର ପ୍ରାଣନାଶ କରନ୍ତି । ଦମୟନ୍ତୀ ତାହାଙ୍କର ସେହି ସୁଦାରୁଣ ବଚନ ଶ୍ରବଣ କରି । ୨୯ । ଲଜ୍ଜା ଓ ଭୟରେ ସନ୍ଦିଗ୍‌ଧ ହୋଇ କାନନ ମଧ୍ୟକୁ ଧାବମାନ ହେଲେ ଓ ସେହି ଦୁର୍ଘଟନାର ହେତୁ ନିଜ ପ୍ରତି ଆରୋପ କରି ରୋଦନ କରିବାକୁ ଆରମ୍ଭ କଲେ-। ୩୦ ।

 

ହାୟ ! ମୋ ପ୍ରତି ବିଧାତାଙ୍କର କି ଦାରୁଣ କୋପ ! ଏହି ହେତୁରୁ ମୋର କୁଶଳ ହେଉ ନାହିଁ । ଏ ଦୁର୍ଘଟନା କାହା କର୍ମର ଫଳ ? କାୟ, ମନ ଓ ବାକ୍ୟଦ୍ୱାରା ମୁଁ କାହାରି ତିଳେ ସୁଦ୍ଧା ଅପକାର କରିଥିବାର ସ୍ମରଣ କରୁ ନାହିଁ । ତେବେ କି ହେତୁରୁ ମୋର ଏତେ ଦୁର୍ଦ୍ଦଶା ହେଉଅଛି ? ୩୨ । ନିଶ୍ଚୟ ମୋର ଜନ୍ମାନ୍ତରକୃତ ପାପର ଏହି ଫଳ ମୋତେ ଭୋଗ କରିବାକୁ ହେଉଅଛି । ଏହି କଷ୍ଟଦାୟକ ଆପଦ ମୋ ପ୍ରତି ଘଟୁଅଛି । ଅନ୍ୟ ଲୋକ କଦାପି ଏହା ଭୋଗ କରିନପାରେ । ସ୍ୱାମୀଙ୍କର ରାଜ୍ୟ ଅପହୃତ ହେଲା । ସ୍ୱଜନଙ୍କଠାରେ ପରାଭବ ହେଲା । ପତି ଓ ପୁତ୍ରକନ୍ୟାଙ୍କଠାରୁ ବିଚ୍ଛେଦ ହେଲା । ଅନାଥା ହୋଇ ହିଂସ୍ରଜନ୍ତୁପୂର୍ଣ୍ଣ ବନ ମଧ୍ୟରେ ଭ୍ରମଣ କରୁଅଛି । ଅତଃପର ଏ ଦିନ ହତଶେଷ ଜନମାନେ ମୋ ପ୍ରତି ଦୋଷ ଦେଉଅଛନ୍ତି । ସେଠାରୁ ନିଷ୍କ୍ରାନ୍ତ ହେଲି । ହେ ନରାଧିପ ! ଏହି ପ୍ରକାରେ ସେ ବୈଦର୍ଭୀ ପିତାପୁତ୍ର, ଭ୍ରାତା ଓ ସଖାମାନଙ୍କୁ ସ୍ମରଣ କରି ରୋଦନ କଲେ । ୩୬ ।

 

ଦମୟନ୍ତୀ କହିଲେ, ମୁଁ କି ଦୁଷ୍କୃତ କରିଥିଲି ! ଏହି ନିର୍ଜନ ବନ ମଧ୍ୟରେ ସୁଦ୍ଧା ମନୁଷ୍ୟଙ୍କର ସଙ୍ଗ ପାଇଥିଲି । ସେମାନେ ମଧ୍ୟ ମୋର ମନ୍ଦ ଭାଗ୍ୟରୁ ହସ୍ତୀଯୂଥଙ୍କଦ୍ୱାରା ହତ ହେଲେ । ମୁଁ ଦେଖୁଅଛି ଯେ, ଦୀର୍ଘକାଳ ମୋତେ ଦୁଃଖ ଭୋଗ କରିବାକୁ ହେବ । ୩୮ । ବୃଦ୍ଧାମାନଙ୍କଠାରୁ ଶୁଣାଅଛି ଯେ କାଳପ୍ରାପ୍ତ ନ ହେଲେ କାହାରି ମୃତ୍ୟୁ ହୁଏନାହିଁ । ବୋଧହୁଏ ଏହି କାରଣରୁ ମୁଁ ଦୁଃଖଗ୍ରସ୍ତା ହେଲେ ହେଁ ହସ୍ତୀଯୂଥ ମୋତେ ମର୍ଦ୍ଦନ କଲେନାହିଁ । ୩୯ । ଦୈବ ବିନା ମନୁଷ୍ୟମାନଙ୍କର ସୁଖଦୁଃଖ ହୁଏନାହିଁ । ବାଲ୍ୟକାଳରେ ସୁଦ୍ଧା ମୁଁ କୌଣସି ପାପ କରିନାହିଁ । ୪୦-। କର୍ମଦ୍ୱାରା ଓ ମନ ବଚନଦ୍ୱାରା ମୁଁ ଏପରି କୌଣସି ପାପ କରିନାହିଁ, ଯାହା ଦୋଷରୁ ମୋତେ ଏତେ ଦୁଃଖ ହେଲା । ଅତଏବ ବୋଧ ହେଉଅଛି ଯେ, ମୋର ସ୍ୱୟମ୍ବରକୁ ଯେଉଁ ଲୋକପାଳମାନେ ସମାଗତ ହୋଇଥିଲେ, ନଳଙ୍କ ନିମିତ୍ତ ମୁଁ ସେମାନଙ୍କୁ ପ୍ରତ୍ୟାଖ୍ୟାନ କଲି-। ଏସବୁ ତାହାରି ଫଳ । ସେହି ଲୋକପାଳମାନଙ୍କ ପ୍ରଭାବରେ ମୁଁ ଏହି ପତି ବିଚ୍ଛେଦ ଯନ୍ତ୍ରଣା ପାଉଅଛି, ଏଥିରେ ସଂଶୟ ନାହିଁ । ୪୨ ।

 

ହେ ରାଜଶାର୍ଦ୍ଦୂଳ ! ସେହି ବରାଙ୍ଗନା ଏତାଦୃଶ ବିଳାପ ଓ ପରିତାପ କରି ହତାବଶିଷ୍ଟ ବେଦପାରଗ ବ୍ରାହ୍ମଣମାନଙ୍କ ସହିତ ଶରତକାଳୀନ ଚନ୍ଦ୍ରଲେଖା ପ୍ରାୟ ଗମନ କଲେ । ତଦନନ୍ତର ସେ ଯାଇ ଯାଇ ଅଳ୍ପ ସମୟ ପରେ ସାୟାହ୍ନୀ, ସତ୍ୟଦର୍ଶୀ, ଚେଦିରାଜାଙ୍କର ମହତୀ ନଗରୀ ପ୍ରାପ୍ତ ହେଲେ । ୪୫ । ଅର୍ଦ୍ଧବସ୍ତ୍ରପରିହିତା ଦମୟନ୍ତୀ ସେହି ରମ୍ୟ ନଗର ମଧ୍ୟରେ ପ୍ରବେଶ କଲେ । ପୁରବାସୀମାନେ ଦେଖିଲେ, ସେ ଆହାର ବିନା କୃଶା, ଦୀନା ଓ ବିହ୍ୱଳା ହୋଇଅଛନ୍ତି । ତାହାଙ୍କର କେଶମୁକ୍ତ ହୋଇଅଛି; ଅଙ୍ଗ ଅପରିଷ୍କୃତ ଓ ଉନ୍ମତ୍ତାପ୍ରାୟ ଦିଶୁଅଛନ୍ତି । ନଗରର ବାଳକମାନେ ତାହାଙ୍କୁ ସେହିପରି ଦୁର୍ଦ୍ଦଶାଗ୍ରସ୍ତ ହୋଇ ଚେଦିରାଜାଙ୍କ ପୁର ମଧ୍ୟରେ ପ୍ରବେଶ କରିବାର ଦେଖି କୌତୁକ ପାଇ ପଛେ ପଛେ ଗମନ କଲେ । ବାଳକମାନେ ତାଙ୍କୁ ଘେରିଥାନ୍ତି ସେ ରାଜପ୍ରାସାଦ ନିକଟକୁ ଗମନ କରୁଥାନ୍ତି । ଏମନ୍ତ ସମୟରେ ରାଜମାତା ସେହି ପ୍ରାସାଦ ଉପରେ ଥିଲେ । ସେ ଦେଖିଲେ ଯେ, ଗୋଟିଏ ନାରୀକୁ ବାଳକମାନେ ବେଷ୍ଟନ କରି ବିରକ୍ତ କରୁଅଛନ୍ତି । ତହୁଁ ସେ ଧାତ୍ରୀକୁ କହିଲେ, “ତୁମ୍ଭେ ଯାଅ, ସେହି ଯେ ଆୟତନୟନା ନାରୀ ଗମନ କରୁଅଛି ଓ ଯାହାକୁ ନଗରର ବାଳକମାନେ ବେଢ଼ି କ୍ଲେଶ ଦେଉଅଛନ୍ତି, ବୋଧହୁଏ ସେହି କାମିନୀ ଅନାଥା, ଦୁଃଖିତା ଓ ଆଶ୍ରୟହୀନା । ଆହା ! ତାହାର ରୂପରେ ମୋର ପ୍ରାସାଦ ଦୀପିତ ହେଉଅଛି । ୫୦ । ତାହାର ଯେଉଁ ରୂପ ଦେଖୁଅଛି, ତହିଁରୁ ଅନୁମାନ ହୁଅଇ ଯେ, ସେ ଲକ୍ଷ୍ମୀ ଉନ୍ମତ୍ତା ବେଶରେ ପ୍ରଚ୍ଛନ୍ନ ହୋଇ ଆସିଛନ୍ତି । ତାହାକୁ ତୁମ୍ଭେ ଶୀଘ୍ର ଆମ୍ଭ ନିକଟକୁ ଆଣ ।

 

ହେ ରାଜନ୍‌ ! ଧାତ୍ରୀ ଦମୟନ୍ତୀଙ୍କ ସମୀପକୁ ଯାଇ ଯେଉଁ ଲୋକମାନେ ଘେରିଥିଲେ, ସେମାନଙ୍କୁ ଦୂର କରିଦେଇ ତାହାକୁ ସେହି ଉତ୍କୃଷ୍ଟ ପ୍ରାସାଦ ଉପରକୁ ଘେନିଗଲେ ଓ ବିସ୍ମିତ ଚିତ୍ତରେ ବିଚାରିଲେ, ଏପରି ଦୁରବସ୍ଥା ପାଇ ମଧ୍ୟ ତୁମ୍ଭେ ସୌନ୍ଦର୍ଯ୍ୟ ଧାରଣ କରିଅଛ । ଜଳଧରପଟ୍ଟଳି ମଧ୍ୟରେ ବିଜୁଳିରେଖା ପରି ଦିଶୁଅଛ । ଅତଏବ ତୁମ୍ଭଙ୍କୁ ପଚାରୁଅଛି, ତୁମ୍ଭେ କିଏ ? କାହାର ସହଧର୍ମଣୀ, ତାହା କହ ? ତୁମ୍ଭ ଦେହରେ କୌଣସି ଅଳଙ୍କାର ନାହିଁ, ତଥାପି ତୁମ୍ଭେ ଦେବୀ ପରି ଦିଶୁଅଛ । ଅମରଙ୍କ ପ୍ରଭା ପ୍ରାୟ ତୁମ୍ଭର କାନ୍ତି ହୋଇଅଛି, ତୁମ୍ଭର କେହି ସହାୟ ନାହିଁ, ତଥାପି ତୁମ୍ଭେ କାହାରିକୁ ଭୟ କରୁ ନାହଁ । ଧାତ୍ରୀଙ୍କର ସେହି ବଚନ ଶ୍ରବଣକରି ଭୀମରାଜନନ୍ଦିନୀ ଉତ୍ତରଦେଲେ, ମୋର ସଙ୍କଟ ଜାତ ହୋଇଅଛି । ମନୁଷ୍ୟା ଓ ପତିବ୍ରତା; ମୋତେ ଆପଣଙ୍କର ପରିଚାରିଣୀ ସୈରିନ୍ଧ୍ରୀ ବୋଲି ଜାଣନ୍ତୁ । ମୋର ଇଚ୍ଛା ଅନୁସାରେ ମୁଁ କୌଣସିଠାରେ ହେଲେ ରହି ଫଳମୂଳ ଭକ୍ଷଣ କରି କାଳପାତ କରେ, ଯେଉଁଠାରେ ସକାଳ ହୁଏ, ସେହି ସ୍ଥାନ ମୋର ଆଶ୍ରୟ ବୋଲି ଜାଣନ୍ତୁ । ମୋର ଭର୍ତ୍ତା ବୀର ଓ ତାହାଙ୍କର ଗୁଣର ସଂଖ୍ୟା କରି ହୁଏ ନାହିଁ । ସେ ମୋ ପ୍ରତି ସର୍ବଦା ଅନୁରକ୍ତ ଥାନ୍ତି । ମୁଁ ମଧ୍ୟ ତାହାଙ୍କର ଭକ୍ତି ଭାବରେ ଛାୟା ପ୍ରାୟ ଅନୁଗତା ହୋଇଥିଲି । ଏକଦା ଦୈବବଶରୁ ତାହାଙ୍କର ଦ୍ୟୂତକ୍ରୀଡ଼ାରେ ଅଭିରୁଚି ହେଲା । ସେହି ଦ୍ୟୂତକ୍ରୀଡ଼ାରେ ସେ ପରାଜିତ ହୋଇ ଏକାକୀ ବନକୁ ଗମନ କଲେ । ସେହି ବୀର ସ୍ୱାମୀଙ୍କୁ ଖଣ୍ଡିଏ ବସ୍ତ୍ର ପରିଧାନ କରି ଉନ୍ନତ୍ତପ୍ରାୟ ହୋଇ ଗମନ କରୁଥିବାର ଦେଖି, ମୁଁ ତାହାଙ୍କୁ ଆଶ୍ୱାସ ପ୍ରଦାନ କରି ତାହାଙ୍କ ସଙ୍ଗରେ ଅରଣ୍ୟକୁ ଗଲି । ୫୮ ।

 

ଏକଦା ସେହି ବୀର କ୍ଷୁଧାରେ ଓ ପିପାସାରେ ପୀଡ଼ିତ ହୋଇ କୌଣସି କାରଣରୁ ସେହି ଖଣ୍ଡିକ ବସ୍ତ୍ରକୁ ସୁଦ୍ଧା ହରାଇଲେ । ଏଥିରେ ସେ ନଗ୍ନ ଓ ଉନ୍ମତ୍ତ ପ୍ରାୟ ହୋଇ ଚୈତନ୍ୟରହିତ ହେଲେ । ୬୦ । ମୁଁ ତାହାଙ୍କ ସଙ୍ଗେ ସେହି ବସ୍ତ୍ର ଖଣ୍ଡିକ ପିନ୍ଧି ଅନୁଗତା ହୋଇ ରହିଲି । ନିଶାରେ ସୁଦ୍ଧା ଶୟନ ନ କରି ତାହାଙ୍କୁ ଜଗିଥାଏ । ତତ୍‍ପରେ ବହୁଦିନ ଅନ୍ତର ସେ ମୋତେ ଶୋଇଥିବା ବେଳେ ପରିତ୍ୟାଗ କରି ଗଲେ । ୬୧ । ମୋର ବସନରୁ ଯେଉଁ ଅର୍ଦ୍ଧେକ ସେ ପିନ୍ଧିଥିଲେ, ତାକୁ ଛେଦନ କରି ନେଇ ଏହି ନିରପରାଧିନୀକୁ ତ୍ୟାଗ କଲେ । ଏବେ ସେହି ସ୍ୱାମୀଙ୍କି ମୁଁ ଅନ୍ୱେଷଣ କରି ଦିବାନିଶି ଦହ୍ୟମାନା ହେଉଅଛି । ୬୨ । କମଳଗର୍ଭାଭ ହୃଦୟ, ପ୍ରିୟ, ଦେବସଦୃଶ ମୋର ପ୍ରଭୁ ସେହି ପ୍ରାଣେଶ୍ୱରଙ୍କର ମୂର୍ତ୍ତି ମୁଁ ଦେଖିବାକୁ ପାଉ ନାହିଁ । ୬୩ । ଅଶ୍ରୁପୂର୍ଣ୍ଣ ନୟନରେ ଆର୍ତ୍ତସ୍ୱରରେ ବହୁ ବିଳାପ କରିବାର ଦେଖି ଭୀମନନ୍ଦିନୀଙ୍କୁ ରାଜମାତା ସ୍ୱୟଂ କହିଲେ । ୬୪ । ହେ କଲ୍ୟାଣୀ ! ମୋର ତୁମ୍ଭ ଠାରେ ଅତିଶୟ ଶ୍ରଦ୍ଧା ହେଲା । ତୁମ୍ଭେ ଏହିଠାରେ ବାସ କର । ହେ ଭଦ୍ରେ-! ମୋର କିଙ୍କରମାନେ ତୁମ୍ଭର ପତିଙ୍କୁ ଅନ୍ୱେଷଣ କରିବେ । ୬୫ । ଅଥବା ସେ ଇତସ୍ତତଃ ଭ୍ରମଣ କରୁ କରୁ ସ୍ୱୟଂ ଏଠାକୁ ଆସିପାରନ୍ତି । ତୁମ୍ଭେ ଏହିଠାରେ ବାସ କର; ସ୍ୱାମୀଙ୍କୁ ପାଇବ-। ୬୬ ।

 

ଏହା ଶୁଣି ଦମୟନ୍ତୀ କହିଲେ, ହେ ବୀରମାତ ! ଏହିପରି ହେଲେ ମୁଁ ଆପଣଙ୍କ ନିକଟରେ ବାସ କରିବି । ମୁଁ କାହାରି ଉଚ୍ଛିଷ୍ଟ ଭୋଜନ କରିବି ନାହିଁ, କି କାହାରି ପାଦ ଧୋଇ ଦେବି ନାହିଁ, କି ଅନ୍ୟ ପୁରୁଷ ସଙ୍ଗେ କଦାପି କଥା କହିବି ନାହିଁ । ୬୮ । ଯଦ୍ୟପି ମୋତେ କେହି ପ୍ରାର୍ଥନା କରେ, ତେବେ ଆପଣ ତାହାକୁ ଦଣ୍ଡ ଦେବେ ଓ ଯଦି କେହି ଦୁର୍ବୁଦ୍ଧ ପୁରୁଷ ବାରମ୍ବାର ମୋତେ ପ୍ରାର୍ଥନା କରେ, ତେବେ ସେ ଆପଣଙ୍କର ବଧ୍ୟ ହେବ । ଏହାର ମୋର ବ୍ରତ । ୬୯ । ଭର୍ତ୍ତାଙ୍କ ଅନ୍ୱେଷଣ ନିମିତ୍ତ ମୁଁ ବ୍ରାହ୍ମଣମାନଙ୍କୁ ଦେଖିବି ଓ ସେମାନଙ୍କ ସହିତ କଥା କହିବି । ଯଦି ଏପରି ହୁଏ, ତେବେ କହନ୍ତୁ, ଆପଣଙ୍କ ଗୃହରେ ରହବି । ୭୦ । ଏଥିରୁ ଅନ୍ୟଥା ହେଲେ ମୋର ରହିବାର ଅଭିଳାଷ ନାହିଁ । ପ୍ରହୃଷ୍ଟ ମନରେ ରାଜମାତା ତାହାଙ୍କୁ କହିଲେ । ୭୧ । “ଭାଗ୍ୟବଶରୁ ତୁମ୍ଭର ଏତାଦୃଶ ବ୍ରତ ହୋଇଅଛି । ତୁମ୍ଭେ ଯେପରି କହିଲ, ସେହିପରି ହେବ” । ହେ ରାଜନ୍‌ ! ରାଜମାତା ଉକ୍ତରୂପେ ଭୀମନନ୍ଦିନୀଙ୍କୁ କହି ନିଜ ଦୁହିତା ସୁନନ୍ଦାଙ୍କୁ ଡକାଇଲେ । ୭୨ ।

 

ହେ ଭରତ ! ରାଜମାତା ସୁନନ୍ଦାଙ୍କୁ କହିଲେ, ହେ ସୁନନ୍ଦେ ! ଏହି ଦେବୀରୂପିଣୀଙ୍କୁ ତୁମ୍ଭେ ସୈରନ୍ଧ୍ରୀ ବୋଲି ଜାଣ । ୭୩ । ବୟସରେ ଏ ତୁମ୍ଭ ତୁଲ୍ୟ, ଅତଏବ ଏ ତୁମ୍ଭର ସଖୀ ହେଲେ । ସ୍ୱଚ୍ଛନ୍ଦରେ ତୁମ୍ଭେ ଏହାଙ୍କ ସଙ୍ଗରେ ରହି ଆନନ୍ଦିତା ହୁଅ । ୭୪ । ତତ୍‍ପରେ ଦମୟନ୍ତୀଙ୍କୁ ସଙ୍ଗରେ ଘେନି ସଖୀମାନଙ୍କଦ୍ୱାରା ବେଷ୍ଟିତା ହୋଇ ସୁନନ୍ଦା ହୃଷ୍ଟଚିତ୍ତରେ ନିଜ ଗୃହକୁ ଗମନ କଲେ । ୭୫ । ସମାଦର ପ୍ରାପ୍ତ ହୋଇ ଦମୟନ୍ତୀ ସେଠାରେ ସୁଖରେ ବାସ କଲେ । ସର୍ବକାମନାରେ ପୂରିତ ହେବାରୁ ସେ ନିରୁଦବେଗରେ ସେଠାରେ ରହିଲେ । ୭୬ ।

 

॥ ଅଧ୍ୟାୟ – ୬୬ ॥

 

ବୃହଦଶ୍ୱ ବୋଇଲେ, ଦମୟନ୍ତୀଙ୍କୁ ପରିତ୍ୟାଗ କରି, ହେ ରାଜନ୍‌ ! ନଳରାଜା ଗୋଟିଏ ଗହନ ବନ ମଧ୍ୟରେ ପ୍ରବିଷ୍ଟ ହେଲେ । ଦେଖିଲେ, ସେଠାରେ ମହାଦାବ ଦାହ ହେଉଅଛି ଓ ସେହି ପ୍ରଜ୍ୱଳିତ ଦାବାନଳ ମଧ୍ୟରୁ କୌଣସି ପ୍ରାଣୀର ଏହି ଶବ୍‌ଦ ଶୁଣାଯାଉଅଛି । ହେ ପୁଣ୍ୟଶ୍ଳୋକ ନଳ-! ତୁମ୍ଭେ ଶୀଘ୍ର ଆଗମନ କର । ଏହି ରୂପ ଶବ୍‌ଦ ସେ ବାରମ୍ବାର ଶୁଣିବାକୁ ପାଇଲେ-। ପରେ ନିଷଧରାଜ, “ଭୟ ନାହିଁ” ବୋଲି କହି ଅଗ୍ନି ମଧ୍ୟରେ ପ୍ରବିଷ୍ଟ ହେଲେ ଓ କୁଣ୍ଡଳୀକୃତ ନାଗରାଜଙ୍କୁ ଶୋଇଥିବାର ଦେଖିଲେ । ୩ ।

 

ତତ୍‍ପରେ ସେ ନାଗ କୃତାଞ୍ଜଳି ପୁଟରେ କମ୍ପିତ କଳେବର ହୋଇ ନଳଙ୍କୁ କହିଲା, ହେ ନୃପ ! ମୋତେ କର୍କୋଟକ ନାମଧେୟ ନାଗ ବୋଲି ଜାଣ । ୪ । ହେ ମନୁଜାଧିପ ! ମହାତପସ୍ୱୀ ମହର୍ଷି ନାରଦଙ୍କୁ ମୁଁ ପ୍ରତାରିତ କରିଥିଲି । ଏହି କାରଣରୁ ସେ କ୍ରୋଧକରି ମୋତେ ଅଭିଶାପ ଦେଲେ । ୫ । ତୁମ୍ଭେ ସ୍ଥାବର ପ୍ରାୟ ହୋଇ ଏହିଠାରେ ରହିଥିବ । ନଳ ନାମରେ କୌଣସି ବ୍ୟକ୍ତି ତୁମ୍ଭଙ୍କୁ ଏଠାରୁ ସ୍ଥାନାନ୍ତରକୁ ଉଠାଇନେଲେ ତୁମ୍ଭେ ସେଠାରେ ମୋର ଅଭିଶାପରୁ ମୁକ୍ତ ହେବ । ୬-। ତାହାଙ୍କ ଅଭିଶାପରୁ ମୁଁ ଏ ସ୍ଥାନରୁ ପାହୁଣ୍ଡେ ସୁଦ୍ଧା ଯିବାକୁ ସମର୍ଥ ହେଉ ନାହିଁ । ଆପଣଙ୍କର ଯହିଁରେ ଶ୍ରେୟ ହେବ, ମୁଁ ତାହାର ଉପଦେଶ ଦେବି । ମୋ ସମାନ ଆଉ କେହି ନାଗ ନାହାନ୍ତି । ମୁଁ ଉଶ୍ୱାସ ହେଉଅଛି । ଆପଣ ମୋତେ ଉଠାଇ ନେଇଯିବା ହେଉନ୍ତୁ । ୮ । ଏହା କହି ସେ ନାଗ ଅଙ୍ଗୁଷ୍ଠ ପରିମାଣ କ୍ଷୁଦ୍ର ହେଲା । ତାହାକୁ ଟେକିକରି ନଳ ଦାବବର୍ଜିତ ସ୍ଥାନକୁ ନେଇଗଲେ । ୯ । କିୟତ୍ ଦୂର ଗମନ କରି ସେ ଅଗ୍ନିମୁକ୍ତ ଆକାଶ ପ୍ରଦେଶକୁ ପ୍ରାପ୍ତ ହୋଇ ନାଗକୁ ପରିତ୍ୟାଗ କରିବାକୁ ଇଚ୍ଛା କଲେ । ପନ୍ନଗଶ୍ରେଷ୍ଠ ତାହା ଜାଣିପାରି ପୁନର୍ବାର ତାହାଙ୍କୁ କହିଲା । ୧୦ । ହେ ମହାବାହୁ ନିଷଧନାଥ ! ତୁମ୍ଭେ ଗଣି ଗଣି କେତେକ ପାହୁଣ୍ଡ ଚାଲ, ମୁଁ ତୁମ୍ଭର ଶ୍ରେୟ କରିବି । ୧୧-। ଅନନ୍ତର ନିଷଧାଧିପ ନିଜର ପଦ ବିକ୍ଷେପ ଗଣନା କରି ଚାଲିଲେ । ଯେତେବେଳେ ଦଶମ ବାର ପଦ ନିକ୍ଷେପ କଲେ, ତେତେବେଳେ ନାଗରାଜା ତାହାଙ୍କୁ ଦଂଶନ କଲା ।

 

କର୍କୋଟକ ଦଂଶନ କଲା ମାତ୍ରକେ ତାହାଙ୍କର ଶରୀରର ରୂପ ଅନ୍ତର୍ହିତ ହେଲା । ଆପଣାକୁ ବିକୃତ ରୂପ ଦେଖି ନଳ ବିସ୍ମିତ ହୋଇ ଛିଡ଼ା ହେଲେ ଓ ନାଗକୁ ସେ ମହାମତି ଦେଖିଲେ ଯେ, ସେ ନିଜ ରୂପକୁ ଧାରଣ କରିଅଛି । ୧୩ । ତଦନନ୍ତର କର୍କୋଟନାଗ ନଳଙ୍କୁ ସାନ୍ତ୍ୱନାପୂର୍ବକ କହିଲା, “ମୁଁ ଯେ ତୁମ୍ଭର ରୂପକୁ ଗ୍ରହଣ କଲି ତାହାର କାରଣ ଏହି ଯେ ଲୋକେ ତୁମ୍ଭଙ୍କୁ ଚିହ୍ନିପାରିବେ ନାହିଁ । ୧୪ । ହେ ନଳ ! ଯାହା ହେତୁରୁ ତୁମ୍ଭେ ଏତେ ଦୁଃଖ ପାଉଅଛ, ମୋ ବିଷଜ୍ୱାଳାରେ ସେ ଅତି ଦୁଃଖରେ ତୁମ୍ଭ ଦେହରେ ବାସ କରିବ । ୧୫ । ହେ ମହାରାଜ ! ଯେତେବେଳ ପର୍ଯ୍ୟନ୍ତ ସେ ତୁମ୍ଭଙ୍କୁ ତ୍ୟାଗ ନ କରିବ; ତେତେକାଳ ପର୍ଯ୍ୟନ୍ତ ସେ ମୋ ବିଷୟରେ ସସ୍ମିତ ହୋଇ ଅତି ଦୁଃଖରେ ତୁମ୍ଭ ଦେହରେ ବାସ କରିବ । ୧୬ । ହେ ଜନାଧିପ ! ତୁମ୍ଭେ ନିରପରାଧ, ସେ ତୁମ୍ଭଙ୍କୁ କଷ୍ଟ ଦେଇଅଛି । ଯେଉଁ ପାପୀ କ୍ରୋଧ ହେତୁରୁ ଆପଣଙ୍କୁ ପ୍ରବଞ୍ଚିତ କରିଅଛି, ମୁଁ ତାଠାରୁ ଆପଣଙ୍କୁ ରକ୍ଷା କଲି । ୧୭ । ହେ ନରାଧିପ ! ନରେନ୍ଦ୍ର ! ମୋ ପ୍ରାସାଦରୁ ଦଂଷ୍ଟ୍ରୀ, ଶତ୍ରୁ ଓ ବେଦବିତ୍ ବ୍ରାହ୍ମଣଙ୍କଠାରୁ ଆପଣଙ୍କର ଆଉ ଭୟ ରହିଲା ନାହିଁ । ମୋର ବିଷ ହେତୁରୁ ଆପଣଙ୍କର କଷ୍ଟ ଆଉ ହେବ ନାହିଁ ଓ ସଂଗ୍ରାମରେ ଆପଣ ନିରନ୍ତର ଜୟଲାଭ କରିବା ହେବେ । ୧୯ ।

 

ହେ ରାଜନ୍ ! ଏଠାରୁ ଋତୁପର୍ଣ୍ଣ ରାଜାଙ୍କ ଦେଶକୁ ଗମନ କର । ତୁମ୍ଭେ କହିବ ଯେ, “ମୁଁ ସାରଥି, ମୋର ନାମ ବାହୁକ” । ସେ ଅକ୍ଷକ୍ରୀଡ଼ାରେ ଅତି ନିପୁଣ । ୨୦ । ହେ ନିଷଧେଶ୍ୱର ! ଅଦ୍ୟ ତୁମ୍ଭେ ପରମ ରମଣୀୟ ଅଯୋଧ୍ୟା ନଗରୀକୁ ଗମନ କର । ତୁମ୍ଭେ ତାହାଙ୍କୁ ଅଶ୍ୱବିଦ୍ୟା ଦେବ ଓ ସେ ତୁମ୍ଭଙ୍କୁ ଅକ୍ଷବିଦ୍ୟା ପ୍ରଦାନ କରିବେ । ୨୧ । ଇକ୍ଷ୍ୱାକୁ କୁଳଜାତ ସେହି ରାଜା ଋତୁପର୍ଣ୍ଣ ତୁମ୍ଭର ମିତ୍ର ହେବେ । ତୁମ୍ଭେ ଯେବେ ଅକ୍ଷବିଦ୍ୟାକୁ ଶିକ୍ଷା କରିବ, ତେବେ ଯାଇ ତୁମ୍ଭର ଶ୍ରେୟ ହେବ । ୨୨ । ତୁମ୍ଭେ ଦାରା, ରାଜ୍ୟ, ପୁତ୍ର ଓ କନ୍ୟା ସବୁ ପ୍ରାପ୍ତ ହେବ । ମୁଁ ତୁମ୍ଭଙ୍କୁ ସତ୍ୟ କହୁଅଛି-। ତୁମ୍ଭେ ମନରେ ଶୋକ କରନାହିଁ । ୨୩ । ଯେବେ ତୁମ୍ଭ ନିଜ ରୂପକୁ ନେବାକୁ ଇଚ୍ଛା କରିବ, ତେବେ ମୋତେ ସ୍ମରଣ କରିବ ଓ ମୁଁ ଏହି ବସ୍ତ୍ର ଦେଉଅଛି, ଏହାକୁ ପରିଧାନ କରିବ-। ତାହାହେଲେ ନିଜ ରୂପକୁ ପାଇବ । ଏହା କହି ନାଗରାଜ ତାହାଙ୍କୁ ଦୁଇଟି ଦିବ୍ୟବସ୍ତ୍ର ପ୍ରଦାନ କଲେ-। ୨୫ । ହେ କୌରବ ! ଏହି ପ୍ରକାରେ ନଳରାଜାଙ୍କୁ ଆଦେଶ କରି, ବସ୍ତ୍ର ଦେଇ, ନାଗରାଜ ସେହିଠାରେ ଅନ୍ତର୍ହିତ ହେଲେ । ୨୬ ।

 

॥ ଅଧ୍ୟାୟ – ୬୭ ॥

 

ବୃହଦଶ୍ୱ କହିଲେ, ହେ ମହାରାଜ ! ନାଗରାଜ ଅନ୍ତର୍ହିତ ହେଲାପରେ ନିଷଧାଧିପ ନଳ ସେଠାରୁ ପ୍ରସ୍ଥାନ କଲେ । ପରେ ଦଶମ ଦିନରେ ଋତୁପର୍ଣ୍ଣ ନରପତିଙ୍କ ନଗରରେ ପ୍ରବେଶ କଲେ । ୧ । ଅନନ୍ତର ସେ ଋତୁପର୍ଣ୍ଣ ନରପତିଙ୍କ ସମୀପରେ ଉପସ୍ଥିତ ହୋଇ କହିଲେ, ମହାରାଜ ! ମୋର ନାମ ବାହୁକ । ପୃଥିବୀ ମଧ୍ୟରେ ଅଶ୍ୱପରିଚାଳନା ବିଷୟରେ ମୋ ସମାନ ଉପଯୁକ୍ତ କେହି ନାହିଁ । ୨ । ଅର୍ଥକୃଚ୍ଛ୍ର ଉପସ୍ଥିତ ହେଲେ ମୁଁ ଯଥାଯୋଗ୍ୟ ମନ୍ତ୍ରଣା ଦେଇପାରିବି । ସର୍ବ ବିଷୟରେ ମୋର ନିପୁଣତା ଅଛି । ଅନ୍ନ ସଂସ୍କାର କାର୍ଯ୍ୟ ମୁଁ ଅନ୍ୟମାନଙ୍କ ଅପେକ୍ଷା ବିଶେଷରୂପେ ଅବଗତ ଅଛି । ୩ । ଏହି ଲୋକରେ ଯେତେ ପ୍ରକାର ଶିଳ୍ପକାର୍ଯ୍ୟ ଅଛି ଓ ଯାହାକି ସୁଦୁଷ୍କର, ତତ୍ସମୁଦାୟ ମୁଁ ଯତ୍ନ ପୂର୍ବକ କରିପାରେ । ହେ ଋତୁପର୍ଣ୍ଣ ! ଆପଣ ମୋର ଭରଣପୋଷଣ କରନ୍ତୁ । ୪ ।

 

ଋତୁପର୍ଣ୍ଣ ବୋଇଲେ– ହେ ବାହୁକ ! ତୁମ୍ଭର ମଙ୍ଗଳ ହେଉ । ତୁମ୍ଭେ ଏଠାରେ ବାସ କର-। ଯେଉଁସବୁ କଥା କହିଲ ତାହା କରିବ । କିନ୍ତୁ ବିଶେଷରେ ଶୀଘ୍ର ଗମନ ବିଷୟରେ ସର୍ବଦା ମୋର ଇଚ୍ଛା ଥାଏ । ୫ । ଯାହାଦ୍ୱାରା ମୋର ଅଶ୍ୱମାନେ ଶୀଘ୍ର ଗମନ କରିପାରନ୍ତି, ତୁମ୍ଭେ ତାହାର ଉଦ୍ୟୋଗ କର । ତୁମ୍ଭେ ଅଶ୍ୱାଧ୍ୟକ୍ଷ ହେଲ । ତୁମ୍ଭର ବେତନ ଦଶ ସହସ୍ର ସୁବର୍ଣ୍ଣ ମୁଦ୍ରା ଧାର୍ଯ୍ୟ ହେଲା-। ୬ । ବାର୍ଷ୍ଣେୟ ଓ ଜୀବନ ଆମ୍ଭର ଦୁଇ ସାରଥି ଅଛନ୍ତି । ସେ ତୁମ୍ଭର ଅଧୀନ ଥାଇ ସର୍ବଦା କାର୍ଯ୍ୟ କରିବେ । ଏ ଦୁହିଁଙ୍କ ସଙ୍ଗରେ ତୁମ୍ଭେ ସୁଖରେ ରହିବ । ହେ ବାହୁକ ! ତୁମ୍ଭେ ମୋ ନିକଟରେ ଥାଅ-। ୭ । ବୃହଦଶ୍ୱ ବୋଇଲେ, ଏହି କଥା ଶୁଣି ରାଜା ନଳ ଋତୁପର୍ଣ୍ଣଙ୍କ ନଗରରେ ସମାଦୃତ ହୋଇ ବାର୍ଷ୍ଣେୟ ଓ ଜୀବନଙ୍କ ସହିତ ବାସ କଲେ । ୮ । ପ୍ରତିଦିନ ସାୟଂକାଳରେ ସେ ବୈଦର୍ଭୀଙ୍କୁ ସ୍ମରଣ କରି ଏହି ଶ୍ଲୋକଟି ପଢ଼ନ୍ତି । ୯ ।

 

କ୍ୱନୁ ସାକ୍ଷାତ୍ ପିପାସାର୍ତ୍ତା ଶାନ୍ତା ଶେତେ ତପସ୍ୱିନୀ,

ସ୍ମରନ୍ତି ତସ୍ୟ ମନ୍ଦସ୍ୟ କଂବା ସା ଦ୍ୟୋପତିଷ୍ଠତି ।

 

ତାହାର ଅର୍ଥ ଏହି ଯେ ହାୟ, ସେହି ସାଧ୍ୱୀ କ୍ଷୁଧା ଓ ପିପାସାରେ ଆର୍ତ୍ତ ହୋଇ କେଉଁଠାରେ ଶୋଇଥିବ ? ଏହି ମୂଢ଼କୁ ମନ ମଧ୍ୟରେ ସ୍ମରଣ କରୁଥିବ ଓ ଜୀବନଯାତ୍ରା ନିର୍ବାହ ନିମିତ୍ତ କାହାକୁ ଖଟୁଥିବ ?

 

ଦିନେ ନିଷଧପତି ନିଶାକାଳରେ ଏହି ରୂପ କହୁଥିଲେ । ତାହା ଶୁଣି ଜୀବନ ତାହାଙ୍କୁ ପଚାରିଲେ– ହେ ବାହୁକ ! ତୁମ୍ଭେ ପ୍ରତିଦିନ କେଉଁ କାମିନୀ ନିମିତ୍ତ ଏପରି ଶୋଚନା କରୁଅଛ ? ମୁଁ ତାହା ଶୁଣିବାକୁ ଇଚ୍ଛା କରୁଅଛି । ହେ ଆୟୁଷ୍ମାନ୍‌, ଯାହାଙ୍କୁ ତୁମ୍ଭେ ସ୍ମରଣ କରୁଅଛ, ସେ ନାରୀ କାହାର ? ରାଜା ନଳ ତାଙ୍କୁ ଉତ୍ତର ଦେଲେ, “ଜଣେ ମନ୍ଦବୁଦ୍ଧିର ବହୁଜନବିଶ୍ରୁତା ସତ୍ୟବାଦିନୀ ଗୋଟିଏ ଭାର୍ଯ୍ୟା ଥିଲା । କୌଣସି କାରଣରୁ ସେହ ମନ୍ଦବୁଦ୍ଧିଜନ ସହିତ ତାହାର ବିଚ୍ଛେଦ ଘଟନା ହେଲା । ୧୩ । ସେହି ମନ୍ଦମତି ବ୍ୟକ୍ତି ତାହାଠାରୁ ବିଚ୍ଛେଦ ହୋଇ ଦୁଃଖାର୍ତ୍ତ ଚିତ୍ତରେ ଭ୍ରମଣ କରୁଥିଲା । ଅଦ୍ୟାପି ଦିବାରାତ୍ର ଶୋକାନଳରେ ଦଗ୍ଧ ଓ ଅଧୀର ହୋଇ ନିଶାକାଳରେ ତାହାକୁ ସ୍ମରଣ କରି ଏହି ଶ୍ଲୋକଟିକୁ ଗାୟନ କଲେ । ତାଦୃଶ ଦୁଃଖଭୋଗର ଅଯୋଗ୍ୟ ହେଲେହେଁ ସମଗ୍ର ପୃଥିବୀ ପରିଭ୍ରମଣ କରି ଗୋଟିଏ ସ୍ଥାନରେ ଆଶ୍ରୟପ୍ରାପ୍ତ ହୋଇ ସେହିଠାରେ ରହି ପ୍ରିୟାକୁ ସ୍ମରଣ କରୁଅଛି । ସେ ନାରୀ ଏପରି ସତୀ ଯେ, ପୁରୁଷର ଦୁଃଖ ଅବସ୍ଥାରେ ସୁଦ୍ଧା ତାହାର ଅନୁଗାମିନୀ ହୋଇଥିଲା । ୧୬ । କିନ୍ତୁ ସେ ଦୁର୍ବୁଦ୍ଧି ପୁରୁଷ ତାହାକୁ ବନ ମଧ୍ୟରେ ପରିତ୍ୟାଗ କରିଗଲା । ତହିଁରେ ସେ ନାରୀ ଜୀବିତ ଅଛି କି ନା ସନ୍ଦେହ । ସେ ଏକାକିନୀ ଥିଲା ଓ ପଥ ଜାଣେ ନାହିଁ । ସେ ଏପରି ଦୁଃଖର ଯୋଗ୍ୟା ନୁହେ । ୧୭ । କ୍ଷୁଧାରେ ଓ ପିପାସାରେ ସେ ଆକୁଳିତ ଥିଲା । ଶ୍ୱାପଦପରିପୂର୍ଣ୍ଣ ଦାରୁଣ ମହାରଣ୍ୟରେ ସେ ବଞ୍ଚିଛି କି ନା ସନ୍ଦେହ । ୧୮ । ହେ ମାରିଷ ! ସେ ମନ୍ଦବୁଦ୍ଧି ପୁରୁଷ ତାହାକୁ ବନମଧ୍ୟରେ ପରିତ୍ୟାଗ କରିଆସିଲା ।” ଏହି ପ୍ରକାରେ ରାଜା ନୈଷଧ ଦମୟନ୍ତୀଙ୍କୁ ସ୍ମରଣ କରି ଋତୁପର୍ଣ୍ଣଙ୍କ ଗୃହରେ ଅଜ୍ଞାତ ବାସ କଲେ । ୧୯ ।

 

॥ ଅଧ୍ୟାୟ – ୬୮ ॥

 

ବୃହଦଶ୍ୱ କହିଲେ, ନଳଙ୍କ ମହିଷୀ ଓ ହୃତରାଜ୍ୟ ନଳ ଦାସତ୍ୱ ପ୍ରାପ୍ତ ହୁଅନ୍ତେ, ରାଜା ଭୀମ ସେମାନଙ୍କୁ ଦର୍ଶନ କରିବା ନିମିତ୍ତ ବ୍ରାହ୍ମଣମାନଙ୍କୁ ପ୍ରେରଣ କଲେ । ୧ । ସେମାନଙ୍କୁ ଯଥେଷ୍ଟ ଧନ ଦେଇ କହିଲେ, ତୁମ୍ଭେମାନେ ନଳ ଓ ମୋର କନ୍ୟା ଦମୟନ୍ତୀଙ୍କୁ ଅନ୍ୱେଷଣ କର । ୨ । ତୁମ୍ଭମାନଙ୍କ ମଧ୍ୟରୁ ଯେ ଏହି କର୍ମ ସମ୍ପନ୍ନ କରିପାରିବ ଅର୍ଥାତ୍ ନିଷଧପତିଙ୍କୁ ଦେଖି ଦୁହିଁଙ୍କୁ ଆଣିପାରିବ, ତାହାଙ୍କୁ ମୁଁ ସହସ୍ରେ ଧେନୁ ଦେବି । ୩ । ନଗରସଦୃଶ ବୃହତ୍ ଗ୍ରାମ ଦେବି । ଏଠାକୁ ନ ଆଣିପାରିଲେ ସୁଦ୍ଧା ସେ ଦୁହେଁ ଯେଉଁଠାରେ ଥିବେ, ତାହାର ଠିକଣା କହିଲେ ଶତଶତ ଗୋଧନ ଦେବି । ଏହା ଶୁଣି ବ୍ରାହ୍ମଣମାନେ ହୃଷ୍ଟହୋଇ ସର୍ବଦିଗକୁ ପ୍ରସ୍ଥାନ କଲେ । ସେମାନେ ନାନା ରାଷ୍ଟ୍ର ଓ ନଗର ଅନ୍ୱେଷଣ କରି ବୁଲିଲେ । କିନ୍ତୁ ନଳ ବା ଦମୟନ୍ତୀଙ୍କୁ କୌଣସିଠାରେ ଦେଖିଲେ ନାହିଁ । ୬ ।

 

ଅନନ୍ତର ସୁଦେବ ନାମରେ ଗୋଟିଏ ବ୍ରାହ୍ମଣ ଯାଉ ଯାଉ ରମଣୀୟ ଚେଦି ନଗରରେ ରାଜାଙ୍କ ଗୃହ ମଧ୍ୟରେ ବୈଦର୍ଭୀଙ୍କୁ ଦେଖିଲେ । ୭ । ଚେଦିରାଜା ପୁଣ୍ୟାହବାଚନ କଲାବେଳେ ତାହାଙ୍କ ଗୃହ ମଧ୍ୟରେ ସୁନନ୍ଦାଙ୍କ ନିକଟରେ ଦମୟନ୍ତୀଙ୍କୁ ଦେଖିଲେ । ଧୂମ ଜାଲରେ ଆବୃତ୍ତ ପ୍ରଭାକରଙ୍କ ପ୍ରଭାପରି ତାହାଙ୍କର ରୂପ ଅଳ୍ପ ପ୍ରକାଶମାନ ହେଉଥିଲା । ସେହି ବିଶାଳନୟନା ଦମୟନ୍ତୀଙ୍କୁ ମଳିନ ଓ କୃଶା ଦେଖି ସହସା ଚିହ୍ନିପାରିଲେ ନାହିଁ । ପରନ୍ତୁ ନାନା କାରଣରୁ ପ୍ରତିପନ୍ନ କଲେ ଯେ ସେ ଦମୟନ୍ତୀ ଅଟନ୍ତି । ୯ ।

 

ସୁଦେବ ବୋଇଲେ, ଆମ୍ଭେ ଏହି ଅଙ୍ଗନାକୁ ପୂର୍ବେ ଯେପରି ଦେଖିଥିଲୁ ବର୍ତ୍ତମାନ ମଧ୍ୟ ତଦ୍ରୂପ ଅଛନ୍ତି । ଅଦ୍ୟ ଆମ୍ଭେ ଏହାଙ୍କୁ ଦେଖି ସର୍ବଲୋକ ରମଣୀୟା ଲକ୍ଷ୍ମୀଙ୍କୁ ଦେଖିଲା ପ୍ରାୟ କୃତାର୍ଥ ହେଲୁ । ୧୦ । ଏହାଙ୍କର ରୂପ ପୂର୍ଣ୍ଣଚନ୍ଦ୍ର ସଦୃଶ । ଶ୍ୟାମା, ମନୋହର ପୟୋଧରା ଓ ସ୍ୱୀୟ ଅଙ୍ଗପ୍ରଭାଦ୍ୱାରା ଦିଗମାନଙ୍କୁ ତିମିରଶୂନ୍ୟ କରୁଅଛନ୍ତି । ୧୧ । ମନୋହର ପଦ୍ମକୋଣ ସଦୃଶ ଏହାଙ୍କର ନେତ୍ର ବିଶାଳ, କନ୍ଦର୍ପଙ୍କର ପତ୍ନୀ ରତିପ୍ରାୟ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଖିଲେ ଯେପରି ଲୋକେ ପ୍ରସନ୍ନ ହୁଅନ୍ତି, ସେହିପରି ଏ ସମସ୍ତ ପ୍ରାଣୀଙ୍କର ଇଷ୍ଟ । ୧୨ । ବିଦର୍ଭ ସରୋବରରୁ ଏହି ମୃଣାଳଟି ଦୈବଦୁର୍ବିପାକରୁ ଏଠାକୁ ଅଣାହୋଇ ମଳ ଓ ପଙ୍କରେ ଲିପ୍ତ ହୋଇ ରହିଅଛି । ୧୩ । ପୌର୍ଣ୍ଣମାସୀ ନିଶା କ’ଣ ରାହୁଗ୍ରସ୍ତା ହୋଇଅଛି ! ପତିଙ୍କର ବିଚ୍ଛେଦ-ଶୋକରେ ଆକୁଳା ହୋଇ ଶୁଷ୍କ ସ୍ରୋତସ୍ୱତୀ ପ୍ରାୟ ଦୃଶ୍ୟ ହେଉଅଛନ୍ତି । ୧୪ ।

 

ପଦ୍ମ ସରୋବର କରୀଯୂଥରେ ମର୍ଦ୍ଦିତ ହେଲେ କମଳଦଳମାନେ ଶୁଷ୍କପ୍ରାୟ ହୋଇ ଯେପରି ଦୃଶ୍ୟ ହୁଅନ୍ତି, ବିହଙ୍ଗମାନେ ଯେପରି ବିତ୍ରାସିତ ହେଲେ ଶ୍ରୀହନ ଦିଶନ୍ତି, ସେହିପରି ଏ ମଧ୍ୟ ଶ୍ରୀହୀନା ଦିଶୁଅଛନ୍ତି ଓ ବ୍ୟାକୁଳା ହୋଇଅଛନ୍ତି । ୧୫ । ମୃଣାଳକୁ ଯେବେ ବାହାର କରି ଅଣାଯାଏ, ତେବେ ସୂର୍ଯ୍ୟ କିରଣରେ ସେ ଦଗ୍ଧ ହେଲେ ଯେପରି ଦିଶେ, ତଦ୍‍ବତ ଏହି ସୁକୁମାରାଙ୍ଗୀ ରତ୍ନ ମଣ୍ଡିତ ଗୃହରେ ବାସରଯୋଗ୍ୟ ହୋଇ ପରଗୃହରେ ରହି ସେହି ରୂପ ହୋଇଅଛନ୍ତି । ୧୬ । ରୂପ ଓ ଔଦାର୍ଯ୍ୟ ଗୁଣରେ ବିଭୂଷିତା ଏହି ବାଳା ଭୂଷଣର ଉପଯୁକ୍ତ ହୋଇ ସୁଦ୍ଧା ଭୂଷଣ ବ୍ୟତିରେକେ ଆକାଶସ୍ଥିତ ନୀଳ ଜଳଦାବୃତ, ନବୋଦିତ ଚନ୍ଦ୍ରଲେଖା ପ୍ରାୟ ଦିଶୁଅଛନ୍ତି-। ୧୭ । ବନ୍ଧୁଜନ ବିଚ୍ଛେଦରେ, କାମ୍ୟପ୍ରିୟ ଦ୍ରବ୍ୟ ଅଭାବରେ ଦୀନଭାବକୁ ପ୍ରାପ୍ତ ହୋଇ କେବଳ ପତିଦର୍ଶନ ଲାଳସାରେ ଦେହଧାରଣ କରିଅଛନ୍ତି । ୧୮ । ଏ ଯେ ଶୋଭମାନା ହୋଇ ସୁଦ୍ଧା ଶୋଭା ଦିଶୁ ନାହାନ୍ତି, ତାହାର କାରଣ କେବଳ ପତିବିଚ୍ଛେଦ । ଯେହେତୁ ନାରୀମାନଙ୍କର ବିନା ଭୂଷଣରେ ସୁଦ୍ଧା ପତି ପରମଭୂଷଣ । ୧୯ । ରାଜା ନଳ ଏହାଙ୍କଠାରୁ ବିଯୁକ୍ତ ହୋଇ ଯେଉଁ ସ୍ଥଳେ ଆପଣାର ଦେହଧାରଣ କରିଅଛନ୍ତି । ଅତଏବ ସେ ଅତି ଦୁଷ୍କର କର୍ମ କରୁଅଛନ୍ତି । କୃଷ୍ଣକେଶା, ଶତପତ୍ରଲୋଚନା ଏହି ଦମୟନ୍ତୀ ସୁଖଭୋଗର ଯୋଗ୍ୟା ହୋଇ ଯେ ଏଡ଼େ ଦୁଃଖିତା ହୋଇଅଛନ୍ତି, ତାହା ଦେଖି ମୋର ମନ ମଧ୍ୟ ବ୍ୟଥିତ ହେଉଅଛି । ୨୧ ।

 

ଏହି ଶୁଭଲକ୍ଷଣା କେବେ ଦୁଃଖରୁ ଉଦ୍ଧାର ପାଇବେ ? ରୋହିଣୀ ଶଶୀଙ୍କ ସହିତ ମିଳିଲା ପ୍ରାୟ ଏ କେବେ ସ୍ୱୀୟ ପତିଙ୍କ ସହିତ ମିଳିତ ହେବେ ? ରାଜ୍ୟଭ୍ରଷ୍ଟ ରାଜା ପୁନର୍ବାର ରାଜ୍ୟପ୍ରାପ୍ତ ହେଲେ ଯେପରି ଆନନ୍ଦିତ ହୁଅନ୍ତି, ସେହି ପ୍ରକାର ନିଷଧାଧିପତି ଏହାଙ୍କୁ ପ୍ରାପ୍ତ ହେଲେ ତଦ୍‌ବତ ଆପ୍ୟାୟିତ ହେବେ । ୨୩ । ନଳ ଓ ଦମୟନ୍ତୀ ଦୁହିଁଙ୍କ କୁଳ, ଶୀଳ ଓ ରୂପ ପରସ୍ପର ସମାନ । ବୈଦର୍ଭୀ ନୈଷଧଙ୍କର ଯୋଗ୍ୟା ଓ ନୈଷଧ ତାହାଙ୍କର ଯୋଗ୍ୟ । ୨୪ । ଅପ୍ରମେୟ ବଳବୀର୍ଯ୍ୟଶାଳୀ ନରପତି ନଳଙ୍କର ଏ ଭାର୍ଯ୍ୟା; ପତିଦର୍ଶନ କରିବାରେ ଏହାଙ୍କର ଅତିଶୟ ଲାଳସୀ । ଏହାଙ୍କୁ ଆଶ୍ୱାସ ପ୍ରଦାନ କରିବା ମୋର କର୍ତ୍ତବ୍ୟ । ୨୫ । ଏହି ପୂର୍ଣ୍ଣ ଚନ୍ଦ୍ରାନନୀଙ୍କୁ ମୁଁ ଆଶ୍ୱାସ ପ୍ରଦାନ କରିବି । ଏ ପତିବିଚ୍ଛେଦ ଶୋକରେ କାତରା ହୋଇଅଛନ୍ତି । ଏପରି ଦୁଃଖ ଏ କଦାପି ପ୍ରାପ୍ତ ହୋଇ ନ ଥିଲେ । ୨୬ । ବୃହଦଶ୍ୱ ବୋଇଲେ– ଏହି ପ୍ରକାରେ ବିବିଧ କାରଣମାନଙ୍କରୁ ଓ ଲକ୍ଷଣଦ୍ୱାରା ସୁଦେବ ନାମକ ବ୍ରାହ୍ମଣ ବିଚାର କରି ଭୀମନନ୍ଦିନୀଙ୍କ ସମୀପକୁ ଗମନ କଲେ । ୨୭ ।

 

ସୁଦେବ କହିଲେ, ହେ ବୈଦର୍ଭି ! ମୋର ନାମ ସୁଦେବ । ତୁମ୍ଭ ଭ୍ରାତାଙ୍କର ପ୍ରିୟ ସଖା । ରାଜା ଭୀମଙ୍କ ଆଦେଶବଶରୁ ତୁମ୍ଭଙ୍କୁ ଅନ୍ୱେଷଣ କରିବାକୁ ଏଠାକୁ ଆଗମନ କରିଅଛି । ୨୮ । ହେ ରାଜ୍ଞି ! ତୁମ୍ଭର ପିତା କୁଶଳୀ ଅଛନ୍ତି । ତୁମ୍ଭର ଜନନୀ ଓ ଭ୍ରାତାମାନେ ମଧ୍ୟ କୁଶଳରେ ଅଛନ୍ତି । ତୁମ୍ଭର ଆୟୁଷ୍ମାନ ପୁତ୍ର କନ୍ୟା ଦୁହେଁ ମଧ୍ୟ ସେମାନଙ୍କ ନିକଟରେ କୁଶଳରେ ଅଛନ୍ତି । ୨୯ । ତୁମ୍ଭଙ୍କୁ ନ ଦେଖି ବନ୍ଧୁବର୍ଗମାନେ ପ୍ରାଣରହିତ ହେଲାପ୍ରାୟ ଅଛନ୍ତି । ଶତଶତ ବ୍ରାହ୍ମଣମାନେ ଏହି ପୃଥିବୀକୁ ଭ୍ରମଣ କରି ଅନ୍ୱେଷଣ କରୁଅଛନ୍ତି । ୩୦ ।

 

ବୃହଦଶ୍ୱ ବୋଇଲେ–ହେ ଯୁଧିଷ୍ଠିର ! ଦମୟନ୍ତୀ ସୁଦେବଙ୍କୁ ଚିହ୍ନିପାରି ସ୍ୱକୀୟ ସୁହୃଦମାନଙ୍କୁ ଗୋଟି ଗୋଟି କରି କ୍ରମରେ ପଚାରିଲେ । ୩୧ । ହେ ରାଜନ୍‌ ! ଶୋକକର୍ଷିତା ବୈଦର୍ଭୀ ନିଜ ଭ୍ରାତାଙ୍କର ଅତି ପ୍ରିୟ ଦ୍ୱିଜୋତ୍ତମଙ୍କୁ ସହସା ଦେଖି ଅନେକ ରୋଦନ କଲେ । ୩୨-। ହେ ଭାରତ ! ଅନନ୍ତର ସୁନନ୍ଦା ଦେଖିଲେ ଯେ ଦମୟନ୍ତୀ ନିର୍ଜନରେ ସୁଦେବଙ୍କ ସହିତ କଥାବାର୍ତ୍ତା କରି ରୋଦନ କରୁଅଛନ୍ତି । ଏଣୁ ସୁନନ୍ଦା ସ୍ୱୟଂ ଶୋକଯୁକ୍ତା ହୋଇ ଜନନୀଙ୍କ ନିକଟରେ କହିଲେ, ମାତଃ, ସୈରିନ୍ଧ୍ରୀ ଗୋଟିଏ ବ୍ରାହ୍ମଣଙ୍କୁ ଦେଖି ତାହାଙ୍କ ନିକଟରେ ଅତିଶୟ ରୋଦନ କରୁଅଛି । ଯଦି ଆପଣଙ୍କର ଇଚ୍ଛା ହୁଏ, ତେବେ ବ୍ରାହ୍ମଣଙ୍କୁ ଡାକି ବୁଝନ୍ତୁ । ୩୪ । ଅନନ୍ତର ଚେଦିପତିଙ୍କ ମାତା ଅନ୍ତଃପୁରରୁ ବାହାରି ଯେଉଁଠାରେ ବ୍ରାହ୍ମଣଙ୍କ ସହିତ ଦମୟନ୍ତୀ କଥା କହୁଥିଲେ, ସେଠାକୁ ଗମନ କଲେ । ୩୫ ।

 

ହେ ରାଜନ୍‌ ! ତଦନନ୍ତର ରାଜମାତା ସୁଦେବଙ୍କୁ ଅଣାଇ ପଚାରିଲେ, ଏ ଭାବିନୀ କାହାର ସୁତା ଓ କାହାର ଭାର୍ଯ୍ୟା ?୩୬ । ଏହି ବାମଲୋଚନା କିପରି ନିଜ ଜ୍ଞାତିମାନଙ୍କୁ ଓ ପତିଙ୍କୁ ଛାଡ଼ି ଆସିଲେ ? ହେ ବିପ୍ର ! ଏ ସତୀ ଯେ ଏଠାରେ ଅଛନ୍ତି, ତୁମ୍ଭେ କିପରି ଜାଣିଲ ? ୩୭ । ଏହି କଥାମାନଙ୍କୁ ଆମ୍ଭେ ତୁମ୍ଭଠାରୁ ସବୁ ଶୁଣିବାକୁ ଇଚ୍ଛା କରୁଅଛୁ । ତୁମ୍ଭେ ଯଥାର୍ଥ କହ, ଏ ଦେବ ରୂପିଣୀ କିଏ ? ୩୮ । ହେ ରାଜନ୍‌ ! ଦ୍ୱିଜୋତ୍ତମ ସୁଦେବ ରାଜମାତାଙ୍କ ବଚନ ଶ୍ରବଣ କରି ଓ ସୁଖରେ ଉପବେଶନ କରି ଦମୟନ୍ତୀଙ୍କ କଥା ଯଥାତଥାରୂପେ ଭାଷିଲେ । ୩୯ ।

 

॥ ଅଧ୍ୟାୟ – ୬୯ ॥

 

ସୁଦେବ କହିଲେ– ବିଦର୍ଭ ଦେଶରେ ଭୀମ ନାମରେ ମହାନ ରାଜା ଅଛନ୍ତି । ସେ ଧର୍ମାତ୍ମା ଓ ମହାତେଜସ୍ୱୀ । ଏହି କଲ୍ୟାଣୀ ତାହାଙ୍କ ସୁତା ! ଏହାଙ୍କର ନାମ ଦମୟନ୍ତୀ ବୋଲି ବିଖ୍ୟାତ ଅଛି । ୧ । ବୀରସେନଙ୍କ ସୁତ ନିଷଧଦେଶର ରାଜା ନଳ ନାମରେ ବିଖ୍ୟାତ । ସେହି ବୁଦ୍ଧିମାନ ଓ ପୁଣ୍ୟଶ୍ଲୋକ ନରପତିଙ୍କର ଏହି କଲ୍ୟାଣୀ ଭାର୍ଯ୍ୟା ଅଟନ୍ତି । ୨ । ସେହି ମହୀପତି ଭ୍ରାତାଙ୍କଦ୍ୱାରା ଦ୍ୟୂତରେ ପରାଜିତ ହୋଇ ରାଜ୍ୟରୁ ଭ୍ରଷ୍ଟ ହେଲେ । ସେ ଦମୟନ୍ତୀଙ୍କ ସହିତ ସ୍ୱରାଜ୍ୟରୁ ବାହାରିଗଲେ । ଏ କଥା କାହାରିକୁ ସେ ସମୟରେ ଜଣାନଥିଲା । ୩ । ଆମ୍ଭେମାନେ ଦମୟନ୍ତୀଙ୍କ ନିମିତ୍ତ ଏହି ପୃଥିବୀକୁ ପରିଭ୍ରମଣ କରୁଅଛୁ । ସମ୍ପ୍ରତି ଏଠାକୁ ଆସି ଆପଣଙ୍କ ପୁତ୍ରଙ୍କ ଗୃହରେ ତାହାଙ୍କୁ ପାଇଲୁ । ୪୧ ।

 

ରୂପରେ ଏହାଙ୍କ ସମାନ ମାନୁଷୀ କେହି ନାହିଁ । ଲକ୍ଷଣରେ ଏ ଶ୍ୟାମା ଓ ଏହାଙ୍କର ଭ୍ରୂଯୁଗଳ ମଧ୍ୟରେ ଗୋଟାଏ ପିପ୍ଳୁ* ଅଛି । ବିଧାତା ଏହାଙ୍କୁ ଐଶ୍ୱର୍ଯ୍ୟଭୋଗର ଚିହ୍ନସ୍ୱରୂପ ସେହି କ୍ଷୁଦ୍ର ଚିହ୍ନଟିକୁ ଦେଇଅଛନ୍ତି । ଚନ୍ଦ୍ରଲେଖା କି ପ୍ରତିପଦରେ ବିନଷ୍ଟ ହୁଏ ? ନା, ହୁଏ ନାହିଁ । ତେବେ ଏହା କଳୁଷିତ ହୋଇଥିବାରୁ ପ୍ରକାଶ ପ୍ରାପ୍ତ ହୁଏ ନାହିଁ । ତଦ୍ରୂପ ଏହାଙ୍କ କଳେବର ସଂସ୍କାର ଅଭାବରୁ ଏକାବେଳକେ ଯେ ତପ୍ତ କାଞ୍ଚନ ସଦୃଶ ରୂପ ବିନଷ୍ଟ ହୋଇଅଛି, ତାହା ନୁହେ । ତେବେ ସେ ରୂପ ସ୍ପଷ୍ଟରୂପେ ପ୍ରକାଶ ପାଉନାହିଁ; କିନ୍ତୁ ବ୍ୟକ୍ତ ହେଉଅଛି । ୮ । ହେ ଦେବh ! ଅଗ୍ନି ଆଚ୍ଛାଦିତ ହୋଇଥିଲେ ହେଁ ଉଷ୍ମତାଦ୍ୱାରା ତାହାର ଥିବା ନ ଥିବା ଜଣାଯାଏ । ସେହିପରି ପିପ୍ଳୁଦ୍ୱାରା ଓ ଦେହକାନ୍ତିଦ୍ୱାରା ତାହାଙ୍କୁ ଚିହ୍ନିପାରିଲି । ୯ । ହେ ରାଜନ୍‌ ! ସୁଦେବଙ୍କ ବଚନ ଶ୍ରବଣ କରି ପିପ୍ଳୁକୁ ଯେଉଁ ମଳ ଢାଙ୍କିଥିଲା, ତାହାକୁ ସୁନନ୍ଦା ପୋଛି ଦେଲେ । ୧୦ । ତଦନନ୍ତର ସେହି ମାଳିନୀ ଦୂର ହେବାରୁ ଆକାଶସ୍ଥିତ ମେଘନିର୍ମୁକ୍ତ ନିଶାକର ପ୍ରାୟ ସେ ଚିହ୍ନଟି ପ୍ରକାଶ ପାଇଲା । ୧୧ ।

 

[*ପଦ୍ମ କୋଷ ସଦୃଶ ଇଷଦ୍ରବ ବର୍ଣ୍ଣର ଚିହ୍ନକୁ ପିପ୍ଲୁ ବୋଲାଯାଏ । ଭାଷାରେ ଯାହାକୁ ମଇମନ୍ଦା କହନ୍ତି ।]

 

ହେ ଭାରତ ! ପିପ୍ଲୁକୁ ଦେଖି ରାଜମାତା ଓ ସୁନନ୍ଦା ଦୁହେଁ ରୋଦନପୂର୍ବକ ତାହାଙ୍କୁ ମୁହୂର୍ତ୍ତେ ପର୍ଯ୍ୟନ୍ତ ଆଲିଙ୍ଗନ କରି ରହିଲେ । ୧୨ । ତତ୍‍ପରେ ଅଳ୍ପ ଅଳ୍ପ ବାଷ୍ପ ବିସର୍ଜନ କରି ଥିର ଥିର କହିଲେ, “ତୁମ୍ଭେ ମୋର ଭଗ୍ନୀଙ୍କର ଦୁହିତା । ଏହି ପିପ୍ଳୁଦ୍ୱାରା ଚିହ୍ନା ହେଲା । ହେ ଚାରୁଦର୍ଶନେ, ମୁଁ ଏବଂ ତୁମ୍ଭର ମାତା ଦୁହେଁ ମହାତ୍ମା ଦଶାର୍ଣ୍ଣ ଦେଶାଧିପତି ସୁଦାମାଙ୍କର ଦୁହିତା ଅଟୁ । ୧୪ । ରାଜା ଭୀମଙ୍କୁ ତୁମ୍ଭ ମା’ଙ୍କୁ ଦେଲେ ଓ ମୋତେ ବୀରବାହୁଙ୍କୁ ଦେଲେ । ତୁମ୍ଭେ ତୁମ୍ଭ ମାଙ୍କର ପିତ୍ରାଳୟରେ ଦଶାର୍ଣ୍ଣ ଦେଶରେ ଜନ୍ମ ହେବା ମୁଁ ଦେଖିଅଛି । ୧୫ । ହେ ଭାବିନି ! ତୁମ୍ଭର ପିତାଙ୍କ ଗୃହ ଯେପରି, ମୋ ଘରେ ମଧ୍ୟ ସେହିପରି ଜାଣିବ । ହେ ଦମୟନ୍ତୀ ! ମୋର ଐଶ୍ୱର୍ଯ୍ୟ ଯେପରି, ତୁମ୍ଭର ଐଶ୍ୱର୍ଯ୍ୟ ମଧ୍ୟ ସେହିପରି । ୧୬ ।

 

ହେ ରାଜନ୍‌ ! ଦମୟନ୍ତୀ ହୃଷ୍ଟ ହୋଇ ମାଉସୀଙ୍କୁ ପ୍ରଣାମ କଲେ ଓ ଏହି ବଚନ କହିଲେ । ୧୭ । ମୋତେ କେହି ଚିହ୍ନ ନ ଥିଲେ ହେଁ ମୁଁ ତୁମ ଘରେ ସୁଖରେ ବାସ କରିଥିଲି । ମୋର ଯାହା ଇଚ୍ଛା ହେଉଥିଲା, ମୁଁ ତାହା ପାଉଥିଲି ଓ ତୁମ୍ଭେ ମତେ ସର୍ବଦା ରକ୍ଷା କରୁଥିଲ । ୧୮ । ଏଠାରେ ମୁଁ ବାସକଲେ ଆହୁରି ସୁଖରେ ରହିବି, କିନ୍ତୁ ମାତ ମୁଁ ବହୁକାଳରୁ ପ୍ରବାସ କରୁଥିବାରୁ ମୋତେ ବିଦର୍ଭ ଦେଶକୁ ଗମନ କରିବାକୁ ଅନୁମତି ଦେଉନ୍ତୁ । ମୋର ଛୁଆ ଦୁଇଟିଙ୍କୁ ସେଠାକୁ ଘେନି ଯାଇଅଛନ୍ତି ଓ ସେ ଦୁହେଁ ସେଠାରେ ବାସ କରୁଅଛନ୍ତି । ପିତାବିହୀନ ହୋଇ ସେ ଦିଓଟି ଶୋକାର୍ତ୍ତ ଥିବେ ଓ ମୁଁ ମଧ୍ୟ ତାଙ୍କ ନିକଟରେ ନାହିଁ । ସେ କିପରି ଅଛନ୍ତି କିଏ କହିପାରେ ? ୨୦ । ଏଠାରେ ଯଦି ତୁମ୍ଭେ ମୋର କିଛି ପ୍ରିୟକାର୍ଯ୍ୟ କରିବାକୁ ଇଚ୍ଛାକର, ବିଦର୍ଭ ଦେଶକୁ ମୁଁ ଗମନ କରିବାକୁ ଇଚ୍ଛା କରୁଅଛି, ମୋ ନିମିତ୍ତ ଶୀଘ୍ର ଯାନ ଆଣିବାକୁ ଆଦେଶ କର । ହେ ନୃପ ! ଦମୟନ୍ତୀଙ୍କର ମାତୃଷ୍ୱସା ହୃଷ୍ଟ ହୋଇ, ‘ହେଉ’ ବୋଲି କହିଲେ ଓ ପୁତ୍ରଙ୍କର ଅନୁମତିକ୍ରମେ ତାହାଙ୍କ ରକ୍ଷାଣାର୍ଥ ଅନେକ ସୈନ୍ୟ ସଙ୍ଗରେ ଦେଇ ପଠାଇଲେ । ୨୨ ।

 

ହେ ଭାରତଶ୍ରେଷ୍ଠ ! ଦମୟନ୍ତୀଙ୍କୁ ଉତ୍ତମରୂପେ ଭୋଜନ କରାଇ ଓ ମୂଲ୍ୟବାନ ବସନ ପିନ୍ଧାଇ ନରଯାନରେ ବସାଇ ଶ୍ରୀମତୀ ରାଜମାତା ତାହାଙ୍କୁ ବିଦାୟ କଲେ । ୨୩ । ତଦନନ୍ତର ସେ ଅଳ୍ପ ସମୟ ମଧ୍ୟରେ ବିଦର୍ଭ ଦେଶରେ ଉପନୀତ ହେଲେ । ବନ୍ଧୁଜନମାନେ ତାହାଙ୍କୁ ଦେଖି ହୃଷ୍ଟ ହୋଇ ଅତିଶୟ ସମାଦର କଲେ । ୨୪ । ହେ ରାଜନ୍‌ ! ଦମୟନ୍ତୀ ଦେଖିଲେ ଯେ, ବାନ୍ଧବମାନେ, ପୁତ୍ରକନ୍ୟା ଦୁହେଁ, ପିତାମାତା ଓ ସଖୀଜନମାନେ ସମସ୍ତେ କୁଶଳରେ ଅଛନ୍ତି । ସେହି ଯଶସ୍ୱିନୀ ବ୍ରାହ୍ମଣମାନଙ୍କୁ ଓ ଦେବତାମାନଙ୍କୁ ଉତ୍କୃଷ୍ଟ ବିଧିପୂର୍ବକ ପୂଜା କଲେ । ୨୬ । ପୃଥିବୀପତି ଭୀମ ସ୍ୱୀୟ ତନୟାଙ୍କୁ ଦେଖି ପ୍ରୀତ ହୋଇ ସୁଦେବଙ୍କୁ ଧନ, ଗ୍ରାମ ଓ ସହସ୍ରେ ଧେନୁ ପ୍ରଦାନ କଲେ । ୨୭ ।
 

ହେ ରାଜନ୍‌ ! ସେହି ଭାବିନୀ ପିତ୍ରାଳୟରେ ବାସକରି ରଜନୀ ପାହିଲାରୁ ମାତାଙ୍କୁ ଏହି ବଚନ କହିଲେ, ମାତଃ, ଯଦି ମୋତେ ଜୀବିତ ରଖିବାକୁ ଇଚ୍ଛା ଥାଏ, ତେବେ ମୁଁ ସତ୍ୟକରି କହୁଅଛି, ତୁମ୍ଭେ ସେହି ନରବୀର ନଳଙ୍କୁ ଆଣିବାକୁ ଯତ୍ନ କର । ୨୯ । ଦମୟନ୍ତୀଙ୍କର ବଚନ ଶୁଣି ସେହି ଦେବୀ ଅତିଶୟ ଦୁଃଖିତା ବୋଇ ବାଷ୍ପରେ ନେତ୍ର ପୂର୍ଣ୍ଣକରି କୌଣସି ଉତ୍ତର ନ ଦେଇ ତୁନି ହୋଇ ରହିଲେ । ୩୦ । ଦେବୀଙ୍କୁ ରୋଦନ କରିବାର ଦେଖି ଅନ୍ତଃପୁରବାସୀ ସମେସ୍ତ ହା ହା ହୋଇ ଅତ୍ୟନ୍ତ ରୋଦନ କଲେ । ୩୧ । ତତ୍‍ପରେ ରାଜା ଭୀମଙ୍କୁ ତାହଙ୍କର ଭାର୍ଯ୍ୟା କହିଲେ, ତୁମ୍ଭ ଦୁହିତା ଦମୟନ୍ତୀ ସ୍ୱୀୟ ସ୍ୱାମୀଙ୍କ ନିମିତ୍ତ ଶୋକ କରୁଅଛନ୍ତି । ୩୨ । ହେ ନୃପ ! ସେ ଲଜ୍ଜା ତ୍ୟାଗ କରି ସ୍ୱୟଂ ଏ କଥା କହିଲେ । ପୁଣ୍ୟଶ୍ଲୋକଙ୍କ ଅନ୍ୱେଷଣ ନିମିତ୍ତ ଦୂତମାନଙ୍କୁ ପଠାଇବାର ଯତ୍ନ କରନ୍ତୁ । ୩୩ । ରାଣୀଙ୍କ ବଚନାନୁସାରେ ରାଜା ସ୍ୱୀୟ ବଶବର୍ତ୍ତୀ ବ୍ରାହ୍ମଣମାନଙ୍କୁ ସର୍ବଦିଗକୁ ପ୍ରେରଣ କଲେ ଓ କହିଲେ, ନଳଙ୍କ ଅନ୍ୱେଷଣରେ ଯତ୍ନ କର । ୩୪ । ପରେ ବ୍ରାହ୍ମଣମାନେ ରାଜାଙ୍କ ନିୟୋଗାନୁସାରେ ନଳଙ୍କ ଅନ୍ୱେଷଣାର୍ଥ ଯାତ୍ରା କରି ଦମୟନ୍ତୀଙ୍କ ସମୀପକୁ ଗମନପୂର୍ବକ ତାହାଙ୍କୁ ସେହି ବୃତ୍ତାନ୍ତ ଜଣାଇଲେ । ୩୫ ।

 

ଅନନ୍ତର ଭୀମନନ୍ଦିନୀ ସେମାନଙ୍କୁ ଭାଷିଲେ, ସବୁ ରାଜ୍ୟରେ ଓ ଯେଉଁଠାରେ ଅନେକ ଲୋକ ଏକତ୍ର ହୋଇଥିବେ, ସେଠାରେ ପୁନଃ ପୁନଃ ଏହି ଶ୍ଲୋକ ପାଠ କରିବ ।

 

କ୍ୱନୁତ୍ୱଂ କିତବ ଛିତ୍ୱା ବସ୍ତାର୍ଦ୍ଧଂ ପ୍ରସ୍ଥିତୋମମ,

ଉତ୍ସୁଜ୍ୟ ବିପିନେସୁପ୍ତା ମନୁରକ୍ତଂ ପ୍ରିୟାଂ ପ୍ରିୟା,

ସାର୍ଥ ଯଥାତ୍ୱୟାଦିଷ୍ଟା ତାଥାସ୍ତେତ୍ୱ ପ୍ରତୀକ୍ଷିଣୀ,

ଦହ୍ୟମାନା ଭୃଶଂ ବାଳା ବସ୍ତ୍ରାର୍ଦ୍ଧେ ନାଭିସଂବୃତା

ତସ୍ୟାଋଦନ୍ତ୍ୟା ସୈତତଂ ତେନ ଶୋକେନ ପାର୍ଥିବ

ପ୍ରସାଦଂ କୁରୁବୈ ବୀର ପ୍ରତିବାକ୍ୟଂ ବଦସ୍ୱ ଚ ।

 

ହେ କିତବ ! ହେ ପ୍ରିୟ ! ବସ୍ତ୍ରାର୍ଦ୍ଧକୁ ଛେଦନ କରି ଓ ବିପିନରେ ସୁପ୍ତା, ଅନୁରକ୍ତା ପ୍ରିୟାକୁ ପରିତ୍ୟାଗ କରି କେଉଁଠାକୁ ପ୍ରସ୍ଥାନ କଲ ? ତୁମ୍ଭେ ସେ ବାଳାକୁ ଯେପରି ଆଦେଶ କରିଥିଲ, ସେ ସେହିପରି ତୁମ୍ଭଙ୍କୁ ପ୍ରତୀକ୍ଷା କରି ବସ୍ତ୍ରାର୍ଦ୍ଧରେ ଆପଣାକୁ ଆଚ୍ଛାଦନ କରି ବିଚ୍ଛେଦରେ ଅତିଶୟ ଦଗ୍‌ଧା ହୋଇ ରହିଅଛି । ୩୮ । ହେ ପାର୍ଥିବ ! ସର୍ବଦା ସେ ଶୋକରେ ରୋଦନ କରୁଅଛନ୍ତି । ହେ ବୀର ! ତୁମ୍ଭେ ତାହାଙ୍କୁ ପ୍ରସନ୍ନ କର । ଏହି କଥାର ପ୍ରତି ଉତ୍ତର ଦିଅ । ୩୯ । ଏହିରୂପେ ଓ ଆଉ ଯାହା ଆପଣମାନଙ୍କୁ ଭଲ ବୋଧହୁଏ, ତାହା କହିବ । ଅଗ୍ନି ବନକୁ ଦହନ କରେ; କିନ୍ତୁ ପବନର ସହାୟତାକୁ ଅପେକ୍ଷା କରେ । ଅତଏବ ଆପଣମାନେ ଏହା ମଧ୍ୟ କହିବେ ଯେ, ପତ୍ନୀଙ୍କୁ ସର୍ବଦା ରକ୍ଷାକରିବା ପତିଙ୍କର କର୍ତ୍ତବ୍ୟ । ଆପଣ ଧର୍ମଜ୍ଞ ଓ ସତ୍ୟବାଦୀ ହୋଇ କି ହେତୁରୁ ଆପଣଙ୍କର ତାହା ନଷ୍ଟ ହେଉଅଛି ?୪୧ । ଆପଣ ବିଖ୍ୟାତ, ପ୍ରାଜ୍ଞ, କୁଳୀନ ଓ ସର୍ବଦା ଦୟାଳୁ । ମୋହରି ଭାଗ୍ୟ ବିପର୍ଯ୍ୟୟରୁ ଆପଣ ଏପରି ନିର୍ଦ୍ଦୟ ହୋଇଅଛନ୍ତି । ୪୨ । ହେ ନରନାଥ, ନରଶ୍ରେଷ୍ଠ ! ମୋଠାରେ ଦୟାକର । ତୁମ୍ଭରିଠାରୁ ମୁଁ ଶୁଣିଅଛି ଯେ, ଆନୃଶଂସ୍ୟ ପରମ ଧର୍ମଃ* । ୪୩ । ଆପଣମାନେ ଏପରି କହିଲେ ଯଦି କେହି ପ୍ରତିବାକ୍ୟ କହେ, ତେବେ ସେହି ମନୁଷ୍ୟକୁ ଜାଣିବ; ସେ କିଏ ଓ କେଉଁଠାରେ ଅଛନ୍ତି, ତାହା ଅବଗତ ହୋଇ ଆସିବ । ୪୪ । ହେ ଦ୍ୱିଜୋତ୍ତମମାନେ ! ଆପଣମାନଙ୍କଠାରୁ ଉକ୍ତ ବଚନକୁ ଶ୍ରବଣ କରି ଯେଉଁ ପ୍ରତିବାକ୍ୟ କହିବେ, ତାହା ଆସି ମୋ ଠାରେ କହିବେ । ୪୫ । ଏପରି କହିବେ ଯେ, ମୁଁ ଆପଣଙ୍କୁ ପଠାଇ ଅଛି ବୋଲି କି ଆପଣମାନେ ଫେରିଆସି ମୋତେ ଉତ୍ତର ଦେବେ ବୋଲି ସେ ଯେପରି ନ ଜାଣନ୍ତି । ୪୬ । ସେ ବ୍ୟକ୍ତି ସମୃଦ୍ଧିଶୀଳ, କି ଦରିଦ୍ର, କି ଅସମର୍ଥ ଓ କି କି କାର୍ଯ୍ୟ କରେ, ଏସବୁ ବିଷୟ ଜାଣି ଆସିବ । ୪୭ ।

 

[*ନୃଶଂସ ଅର୍ଥାତ୍ ନିଷ୍ଠୁର ନ ହେବା ।]

 

ହେ ରାଜନ୍‌ ! ଦମୟନ୍ତୀ ବ୍ରାହ୍ମଣମାନଙ୍କୁ ଏହିରୂପ କହିବାରୁ ସେମାନେ ତତ୍‌କ୍ଷଣାତ ବ୍ୟସନପ୍ରାପ୍ତ ନଳଙ୍କୁ ଅନ୍ୱେଷଣ କରିବା ନିମିତ୍ତ ସର୍ବଦିଗକୁ ପ୍ରସ୍ଥାନ କଲେ । ୪୮ । ହେ ରାଜନ୍‌ ! ଦେଶ, ନଗର, ଗ୍ରାମ, ଗୋଷ୍ଠ ଓ ଋଷିଙ୍କର ଆଶ୍ରମମାନଙ୍କୁ ସେହି ବ୍ରାହ୍ମଣମାନେ ଅନ୍ୱେଷଣ କରି ସୁଦ୍ଧା ନଳଙ୍କୁ ପାଇଲେ ନାହିଁ । ୪୯ । ହେ ରାଜନ୍‌ ! ଦମୟନ୍ତୀ ଯେପରି କହିଥିଲେ ସେହି ବାକ୍ୟମାନଙ୍କୁ ସେ ବ୍ରାହ୍ମଣମାନେ ଅବିକଳ ସେହିପରି ସର୍ବତ୍ର ପାଠ କରି ଶୁଣାଇଲେ । ୫୦ ।

 

॥ ଅଧ୍ୟାୟ – ୭୦ ॥

 

ବୃହଦଶ୍ୱ ବୋଇଲେ– ଅନନ୍ତର ଦୀର୍ଘକାଳ ଉତ୍ତାରୁ ପର୍ଣ୍ଣାଦ ନାମରେ ଜଣେ ବ୍ରାହ୍ମଣ ଫେରିଆସି ଦମୟନ୍ତୀଙ୍କୁ ଏହି କଥା କହିଲେ । ୧ । ହେ ଦମୟନ୍ତୀ ! ନିଷଧାଧିପତି ନଳଙ୍କୁ ଅନ୍ୱେଷଣ କରୁ କରୁ ଆମ୍ଭେ ଅଯୋଧ୍ୟା ନଗରୀକୁ ଗଲୁ । ସେଠାରେ ଭଙ୍ଗାସୁର ତନୟ ରାଜା ହୋଇଥିଲେ । ସେହି ମହାଜନଙ୍କୁ ଆମ୍ଭେ ତଦୀୟ ବାକ୍ୟ ଶୁଣାଇଲୁ । ହେ ବରବର୍ଣ୍ଣିନି ! ତୁମ୍ଭେ ଯେପରି କହିଥିଲ, ଆମ୍ଭେ ଅବିକଳ ତଦ୍ରୂପ କହିଲୁ । ୩ । ତାହା ଶୁଣି ନରାଧି ଋତୁପର୍ଣ୍ଣ କିଛି ଉତ୍ତର ଦେଲେ ନାହିଁ । ମୁଁ ଅନେକ ଥର ପାରିଷଦମାନଙ୍କୁ ଉଦ୍ଦେଶ୍ୟ କରି କହିଲି, କିନ୍ତୁ ସେମାନେ ମଧ୍ୟ କୌଣସି ପ୍ରତ୍ୟୁତ୍ତର ଦେଲେ ନାହିଁ । ୪ । ତତ୍‍ପରେ ରାଜାଙ୍କ ଆଜ୍ଞାନୁସାରେ ଆମ୍ଭେ ନିର୍ଜନ ସ୍ଥାନକୁ ଗମନ କରନ୍ତେ ବାହୁକ ନାମରେ ରାଜାଙ୍କର ଜଣେ ପୁରୁଷ କେତେ କଥା କହିଲେ । ୫ ।

 

ସେ ବ୍ୟକ୍ତି ନରପତିଙ୍କର ସାରଥି, କୁରୂପ, ତାହାର ବାହୁଦ୍ୱୟ ହ୍ରସ୍ୱ, ଶୀଘ୍ର ଗମନ କରିପାରେ ଓ ଶୀଘ୍ର ରଥ ପରିଚାଳନା କରିପାରେ । ପାକକର୍ମରେ ସୁନିପୁଣ । ୬ । ସେ ବହୁବାର ଦୀର୍ଘ ନିଃଶ୍ୱାସ ତ୍ୟାଗ ଓ ପୁନଃ ପୁନଃ ରୋଦନ କରି ଓ ମୋତେ କୁଶଳ ପ୍ରଶ୍ନ କରି ତତ୍‍ପରେ ଏହିସବୁ କଥା କହିଲେ । ୭ । କୁଳ ସ୍ତ୍ରୀମାନେ ଦୁଃଖପ୍ରାପ୍ତ ହେଲେହେଁ ତାହାଙ୍କୁ ଗୋପନ କରନ୍ତି । ତଦ୍ଦ୍ୱାରା ସେମାନେ ପରମାତ୍ମାଙ୍କୁ ଲାଭକରି ସ୍ୱର୍ଗପ୍ରାପ୍ତ ହୁଅନ୍ତି । ସ୍ୱାମୀଙ୍କ ସହିତ ବିଚ୍ଛେଦ ହେଲେହେଁ ସେମାନେ କ୍ରୋଧ କରନ୍ତି ନାହିଁ । କୁଳ ସ୍ତ୍ରୀମାନଙ୍କର ଚରିତ୍ର ସେମାନଙ୍କର କବଚସ୍ୱରୂପ ହୋଇ ପ୍ରାଣ ରକ୍ଷା କରେ । ୯ । ପରନ୍ତୁ ସେହି ପୁରୁଷ ସୁଖଭ୍ରଷ୍ଟ, ବୁଦ୍ଧିହୀନ ଓ ଦୁଃଖପ୍ରାପ୍ତ ହୋଇ ତ୍ୟାଗ କରିଥିବାରୁ ତାହାଙ୍କ ପ୍ରତି କୋପ କରିବା ଉପଯୁକ୍ତ ନୁହେଁ । ୧୦ । ଯେଉଁ ବ୍ୟକ୍ତି ପ୍ରାଣଯାତ୍ରା ନିର୍ବାହ ନିମିତ୍ତ ବହୁ ଚେଷ୍ଟା କଲେ ସୁଦ୍ଧା ପକ୍ଷୀମାନେ ତାହାର ବସ୍ତ୍ରକୁ ଅପହରଣ କଲେ ଓ ସେ ନାନାବିଧ ମାନସିକ ପୀଡ଼ାରେ ଦଗ୍ଧ ହେଲା, ତାହା ପ୍ରତି କୋପ କରିବା ଶ୍ୟାମା* ସ୍ତ୍ରୀଙ୍କର ଉଚିତ ନୁହେଁ । ୧୧ । ପତି ଯେବେ ରାଜ୍ୟଭ୍ରଷ୍ଟ ହୁଅନ୍ତି, ସମ୍ପତ୍ତିହୀନ ହୁଅନ୍ତି, କ୍ଷୁଧିତ ଓ ଦୁଃଖଗ୍ରସ୍ତ ହୁଅନ୍ତି, ତେବେ ସେ ଭାର୍ଯ୍ୟାକୁ ସତ୍କାର କରନ୍ତୁ ବା ନ କରନ୍ତୁ, ତାହାଙ୍କ ପ୍ରତି ଶ୍ୟାମା ସ୍ତ୍ରୀଙ୍କର କୋପ କରିବା ବିହିତ ନୁହେଁ । ୧୨ । ତାହାଙ୍କର ଏପରି ବଚନ ଶ୍ରବଣ କରି ମୁଁ ଶୀଘ୍ର ଏଠାକୁ ଆଗମନ କଲି । ଏହା ଶୁଣି ଆପଣ ଯାହା କରିବାର କରନ୍ତୁ । ରାଜାଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାନ୍ତୁ । ୧୩-

 

[*ଅତି ଗୌରୀ ଭବେତ୍ ଶ୍ୟାମା ଷୋଡ଼ଶ ବର୍ଷିକା । ଅପ୍ରସୂତାଽଙ୍ଗନା ଯାତୁଶାସ୍ତ୍ରେ ଶ୍ୟାମା ନିଗଦ୍ୟତେ ।]

 

ହେ ରାଜନ୍‌ ! ପର୍ଣ୍ଣାଦଙ୍କର ଏହି ବଚନ ଶ୍ରବଣ କରି ଦମୟନ୍ତୀ ଅଶ୍ରୁପୂର୍ଣ୍ଣ ନୟନରେ ନିର୍ଜନ ସ୍ଥାନକୁ ମାଙ୍କୁ ଡାକିଆଣି କହିଲେ । ୧୪ । ମାତଃ, ଏ ବିଷୟ ଆପଣ ପିତାଙ୍କୁ କହିବେ ନାହିଁ-। ତୁମ୍ଭ ସମ୍ମୁଖରେ ମୁଁ ଦ୍ୱିଜସତ୍ତମ ସୁଦେବଙ୍କୁ ନିଯୁକ୍ତ କରିବି । ୧୫ । ନରପତି ଭୀମ ଯେପରି ମୋ ଅଭିମତ ନ ଶୁଣନ୍ତି । ତୁମ୍ଭେ ଯଦି ମୋର ପ୍ରିୟ ଇଚ୍ଛା କର, ତେବେ ମୋର ପ୍ରାର୍ଥନା ସମ୍ପନ୍ନ କର-। ୧୬ । ସୁଦେବ ଯାଇ ଯେପରି ମୋତେ ବନ୍ଧୁବର୍ଗଙ୍କ ସମୀପକୁ ଘେନିଆସିଲେ, ସେହିପରି ସେହି ମଙ୍ଗଳକାରୀ ସୁଦେବ ବିଳମ୍ବ ନ କରି ଶୀଘ୍ର ଗମନ କରନ୍ତୁ । ୧୭ । ଦ୍ୱିଜୋସତ୍ତମ ପର୍ଣ୍ଣାଦି ବିଶ୍ରାମ କଲା ପରେ ଭୀମ ରାଜନନନ୍ଦିନୀ ତାହାଙ୍କୁ ଧନଦାନଦ୍ୱାରା ଅତିଶୟ ସନ୍ତୁଷ୍ଟ କଲେ ଓ ଭାଷିଲେ, ହେ ଦ୍ୱିଜୋତ୍ତମ ! ରାଜା ନଳ ଏଠାକୁ ଆଗମନ କଲେ ଆପଣଙ୍କୁ ଆହୁରି ଧନ ଦିଆଯିବ । ୧୯ । ଆପଣ ମୋର ବହୁ ଉପକାର କରିଅଛନ୍ତି । ଯାହା ଅନ୍ୟର ଅସାଧ୍ୟ, ଆପଣଙ୍କଦ୍ୱାରା ତାହା ମୋର ହୋଇଅଛି । ଆପଣଙ୍କ ପ୍ରସାଦରୁ ମୁଁ ଅଳ୍ପ କାଳ ମଧ୍ୟରେ ପତିଙ୍କୁ ପାଇବି । ୨୦ । ପର୍ଣ୍ଣାଦ ବ୍ରାହ୍ମଣଙ୍କୁ ଦମୟନ୍ତୀ ଏହିପରି କହିବାରୁ ସେ ଆପଣାଙ୍କୁ କୃତାର୍ଥ ମଣି ଦମୟନ୍ତୀଙ୍କୁ ମଙ୍ଗଳସୂଚକ ଆଶୀର୍ବାଦ କରି ଓ ଆଶ୍ୱାସ ଦେଇ ସ୍ୱକୀୟ ଗୃହକୁ ପ୍ରତିଗମନ କଲେ । ୨୧ ।

 

ହେ ଯୁଧିଷ୍ଠିର ! ତଦନନ୍ତର ଶୋକଦୁଃଖସମନ୍ୱିତା ଦମୟନ୍ତୀ ସୁଦେବ ବ୍ରାହ୍ମଣଙ୍କୁ ମାତାଙ୍କ ସମୀପକୁ ଡାକିନେଇ କହିଲେ । ୨୨ । ହେ ସୁଦେବ ! ଆପଣ କାମଗାମୀ ପକ୍ଷୀପ୍ରାୟ ଶୀଘ୍ର ଅଯୋଧ୍ୟା ନଗରୀକୁ ଗମନ କରି ଋତୁପର୍ଣ୍ଣ ରାଜାଙ୍କ ସମୀପରେ କହିବେ । ୨୩ । ଭୀମଦୁହିତା ଦମୟନ୍ତୀ ପୁନର୍ବାର ସ୍ୱୟମ୍ବରା ହୋଇଅଛନ୍ତି । ରାଜା ଓ ରାଜପୁତ୍ରମାନେ ସମସ୍ତେ ସେଠାକୁ ଗମନ କରୁଅଛନ୍ତି । ଆମ୍ଭେ ଦିନଗଣନା କରି ଦେଖୁଅଛୁ ଯେ, ଆଗାମୀ କାଲି ସେହି ସ୍ୱୟମ୍ବର କାର୍ଯ୍ୟ ନିଷ୍ପନ୍ନ ହେବ । ଯଦି ଆପଣଙ୍କର ସେଠାକୁ ଗମନ ସମ୍ଭାବନା ଥାଏ ତେବେ ହେ ଅରିନ୍ଦମ ! ଶୀଘ୍ର ଗମନ କରନ୍ତୁ । ୨୫ । ବୀର ନଳରାଜା ଜୀବିତ ଅଛନ୍ତି କି ନା ଦମୟନ୍ତୀ ତାହା ଜାଣିପାରୁ ନାହାନ୍ତି-। ସୁତରାଂ ସେ ପତିଙ୍କ ଅନୁଦ୍ଦେଶ ହେତୁରୁ ଅଦ୍ୟ ରଜନୀ ପ୍ରଭାତ ହେଲେ ସୂର୍ଯ୍ୟୋଦୟ ପରେ ଦ୍ୱିତୀୟ ପତି ଗ୍ରହଣ କରିବେ । ୨୬ । ମହାରାଜ ! ସୁଦେବଙ୍କୁ ଭୀମରାଜକୁମାରୀ ଏହିପରି କହିଦିଅନ୍ତେ ସେ ଅବିଳମ୍ବେ ଅଯୋଧ୍ୟା ନଗରୀକୁ ଯାତ୍ରା କରି ରାଜା ଋତୁପର୍ଣ୍ଣଙ୍କ ସମୀପରେ ଉପସ୍ଥିତ ହୋଇ ସେହି ବୃତ୍ତାନ୍ତ ନିବେଦନ କଲେ ।

 

॥ ଅଧ୍ୟାୟ – ୭୧ ॥

 

ବୃହଦଶ୍ୱ କହିଲେ, ନରାଧିପ ଋତୁପର୍ଣ୍ଣ ସୁଦେବଙ୍କ ବଚନ ଶ୍ରବଣ କରି ବାହୁକକୁ ପ୍ରିୟ ବାକ୍ୟଦ୍ୱାରା ସାନ୍ତ୍ୱନା କରି କହିଲେ । ୧ । ହେ ଅଶ୍ୱତତ୍ତ୍ୱଜ୍ଞ ବାହୁକ, ଦିନକରେ ଆମ୍ଭେ ବିଦର୍ଭ ଦେଶକୁ ଦମୟନ୍ତୀଙ୍କ ସ୍ୱୟମ୍ବରକୁ ଯିବାକୁ ଇଚ୍ଛା କରୁଅଛୁଁ । ତୁମ୍ଭେ କି କହୁଅଛ ?

 

ହେ କୌନ୍ତେୟ ! ରାଜାଙ୍କର ସେହି ବଚନ ଶ୍ରବଣ କରି ନଳଙ୍କର ହୃଦୟ ଦୁଃଖରେ ବିଦୀର୍ଣ୍ଣ ହେଲା ଓ ସେହି ମହାମନା ଚିନ୍ତା କଲେ । ୩ । ଦମୟନ୍ତୀ ଦୁଃଖରେ ମୋହିତା ହୋଇ ଏହିପରି କହିଅଛନ୍ତି ଅଥବା ମୋତେ ଲାଭ କରିବା ନିମିତ୍ତ ଏହି ମହାନ ଉପାୟ ଚିନ୍ତା କରିଅଛନ୍ତି । ୪ । ତପସ୍ୱିନୀ ବୈଦର୍ଭୀ ଏହି କର୍ମ କରିବାକୁ ଇଚ୍ଛା କରିଅଛନ୍ତି, ନିଶ୍ଚୟ ଏହି କର୍ମ ନୃଶଂସ; କିନ୍ତୁ ବୋଧହୁଏ ମୁଁ ପାପାତ୍ମା, କ୍ଷୁଦ୍ରାଶୟ ଓ ଦୁର୍ବୁଦ୍ଧି । ମୋଦ୍ୱାରା ବଞ୍ଚିତା ହେବାରୁ ସେ ଏପରି କାର୍ଯ୍ୟ କରୁଅଛନ୍ତି । ୫ । ସ୍ତ୍ରୀମାନଙ୍କର ସ୍ୱଭାବ ଚଞ୍ଚଳ ଓ ମୋର ଦୋଷ ଦାରୁଣ । ତାହାଙ୍କଠାରୁ ପୃଥକ୍ ହୋଇ ବାସ କରିବାରୁ ସ୍ନେହଭଙ୍ଗ ହେଲା ଓ ସେ ଏପରି କାର୍ଯ୍ୟ କରିବାକୁ ଉଦ୍ୟତ ହୋଇଅଛନ୍ତି । ୬ । ସେ କ୍ଷୀଣମଧ୍ୟା ସତୀ, ବିଶେଷରେ ଅପତ୍ୟବତୀ; ସେ ଯେ ଏପରି କାର୍ଯ୍ୟ କରନ୍ତେ ତାହା କଦାପି ନୁହେଁ । କିନ୍ତୁ ମୋ ଶୋକରେ ଉଦ୍‌ବିଗ୍ନ ହୋଇ ନିରାଶ ହୋଇଅଛନ୍ତି । ୭ । ଏ କଥା ସତ୍ୟ କି ମିଥ୍ୟା ମୁଁ ସେଠାକୁ ଗଲେ ଜାଣିପାରିବି । ଏ ପରେ ଋତୁପର୍ଣ୍ଣଙ୍କର ଯିବାର ଇଚ୍ଛା । ଅତଏବ ତାଙ୍କର ଓ ମୋର ଦୁହିଁଙ୍କର ଯିବାର ପ୍ରୟୋଜନ ହୋଇଥିବାରୁ ମୁଁ ଯିବି । ୮ । ବାହୁକ ମନୋମଧ୍ୟରେ ଏହି କଥା ନିରୂପଣ କରି ଦୁଃଖିତ ଅନ୍ତଃକରଣରେ କୃତାଞ୍ଜଳି ହୋଇ ନରାଧିପ ଋତୁପର୍ଣ୍ଣଙ୍କୁ ଏହି କଥା କହିଲେ । ୯ । ହେ ନରାଧିପ ! ଆପଣଙ୍କ ବାକ୍ୟରେ ମୁଁ ସ୍ୱୀକୃତ ହେଲି । ହେ ନୃପ ! ପୁରୁଷଶ୍ରେଷ୍ଠ ! ଦିନକରେ ମୁଁ ବିଦର୍ଭ ନଗରୀକୁ ଗମନ କରିବି । ୧୦ ।

 

ତଦନନ୍ତର, ହେ ରାଜନ୍‌ ! ଭଙ୍ଗାସୁର ନୃପଙ୍କ ଆଜ୍ଞାରେ ଅଶ୍ୱଶାଳାକୁ ଗମନ କରି ସେ ବାହୁକ ଅଶ୍ୱମାନଙ୍କର ପରୀକ୍ଷା କଲେ । ୧୧ । ରାଜା ଋତୁପର୍ଣ୍ଣ ବାହୁକଙ୍କୁ ତରତର କରିବାରୁ ସେ ପୁନଃପୁନଃ ବିଚାର କରି କୃଶ, ସମର୍ଥ ଓ ପଥ ଚାଲିବାରେ ସକ୍ଷମ, ତେଜ, ବଳ ଓ କୁଳଶୀଳ ଅଥଚ ମନ୍ଦ ଲକ୍ଷଣବର୍ଜିତ ଅଶ୍ୱମାନଙ୍କୁ ବାଛିନେଲେ । ଯାହାଙ୍କର ନାସିକା ବିଶାଳ, ହନୁ ବୃହତ୍‌, ହୃଦୟାବର୍ତ୍ତ ପ୍ରଭୃତି ଦଶ ଆବର୍ତ୍ତ ବିଷୟରେ ନିର୍ଦ୍ଦୋଷ, ସିନ୍ଧୁଦେଶରେ ଯାହାଙ୍କର ଜନ୍ମ, ବାୟୁତୁଲ୍ୟ ବେଗଗାମୀ ଏତାଦୃଶ ଅଶ୍ୱମାନଙ୍କୁ ରଥରେ ଯୋଜନା କରିବାକୁ ଦାରୁକ ମନସ୍ଥ କଲେ । ରାଜା ଋତୁପର୍ଣ୍ଣ ସେମାନଙ୍କୁ ଦେଖି କିଞ୍ଚିତ୍ କୋପଯୁକ୍ତ ହୋଇ କହିଲେ । ୧୪ । ହେ ବାହୁକ ! ତୁମ୍ଭେ ଏ କ’ଣ କରୁଅଛ ? ଆମ୍ଭେ ତୁମ୍ଭ ବଞ୍ଚନାର ଯୋଗ୍ୟ ନୋହୁଁ । ଏହି ହୟମାନେ ଅଳ୍ପପ୍ରାଣ ଓ ଅଳ୍ପବଳ । ଏମାନେ ଆମ୍ଭଙ୍କୁ ନେଇ କିପରି ଦୀର୍ଘପଥ ଗମନ କରିବେ ?୧୫ । ବାହୁକ ବୋଇଲେ– ଲଲାଟ, ମୁର୍ଦ୍ଧା, ପାର୍ଶ୍ୱ, ଉପପାର୍ଶ୍ୱ ଓ ବକ୍ଷସ୍ଥଳ ଏହିସବୁ ସ୍ଥାନରେ ଯେଉଁସବୁ ଅଶ୍ୱଙ୍କର ଉତ୍ତମ ଲକ୍ଷଣ ଅର୍ଥାତ୍ ଭଉଁରୀ ଥାଏ, ସେହିମାନେ ଦୂରଗାମୀ ହୁଅନ୍ତି । ୧୬ । ମହାରାଜ ! ଏହି ଅଶ୍ୱମାନେ ବିଦର୍ଭ ଦେଶକୁ ଘେନିଯିବେ, ଏଥିରେ ସନ୍ଦେହ ନାହିଁ । ତେବେ ଯଦି ଆପଣ ଅନ୍ୟ ଅଶ୍ୱଙ୍କୁ ମନୋନୀତ କରନ୍ତି, ତେବେ ଆଜ୍ଞା କରନ୍ତୁ, ତଦନୁସାରେ ମୁଁ ଯୋଜନା କରିବି । ୧୭ । ଋତୁପର୍ଣ୍ଣ କହିଲେ, ହେ ବାହୁକ ! ତୁମ୍ଭେ ଅଶ୍ୱ ତତ୍ତ୍ୱଜ୍ଞ ଓ ସେମାନଙ୍କୁ ପରିଚାଳନା କରିବାରେ ଦକ୍ଷ । ଅତଏବ ତୁମ୍ଭେ ଯେଉଁସବୁ ଅଶ୍ୱଙ୍କୁ ସମର୍ଥ ବୋଲି ବିବେଚନା କର, ସେମାନଙ୍କୁ ଶୀଘ୍ର ନିଯୋଜିତ କର । ୧୮ ।

 

ତଦନନ୍ତର ଅଶ୍ୱତତ୍ତ୍ୱବିଶାରଦ ନଳ, କୁଳଶୀଳସମନ୍ୱିତ ବେଗଗାମୀ ସୁଦୃଶ୍ୟ ଅଶ୍ୱ ଚତୁଷ୍ଟୟଙ୍କୁ ରଥରେ ନିଯୋଜନା କଲେ । ୧୯ । ଓ ରାଜା ଋତୁପର୍ଣ୍ଣ ସହସ୍ରାଶ୍ୱଯୋଜିତ ସେହି ଉତ୍କୃଷ୍ଟ ରଥରେ ଶୀଘ୍ର ଆରୋହଣ କଲେ । ରଥ ଉପରେ ରାଜା ବସିଲାରୁ ସେହି ଅଶ୍ୱମାନେ ପ୍ରଥମତଃ ନିଜ ଜାନୁପରେ ଭାରଦେଇ ଭୂମିରେ ପତିତ ହେଲେ । * । ୨୦ । ହେ ନରପତେ ! ଅନନ୍ତର ନରଶ୍ରେଷ୍ଠ ଶ୍ରୀମାନ୍ ନଳ ସେହି ବଳୀ ଓ ତେଜସ୍ୱୀ ଅଶ୍ୱମାନଙ୍କୁ ସାନ୍ତ୍ୱନା ଦେଲେ । ୨୧ । ଓ ରଶ୍ମିଦ୍ୱାରା ସେମାନଙ୍କୁ ବନ୍ଧନକରି ବାର୍ଷ୍ଣେୟ ସାରଥିଙ୍କୁ ରଥରେ ଆରୋହଣ କରାଇ ଅତିବେଗରେ ଗମନ କରିବାକୁ ଅଭିଳାଷୀ ହେଲେ । ୨୨ । ତତ୍‍ପରେ ସେହି ଅଶ୍ୱଶ୍ରେଷ୍ଠମାନେ ବାହୁକଙ୍କଦ୍ୱାରା ପରିଚାଳିତ ହୋଇ ରଥୀକୁ ମୁଗ୍‌ଧ କଲା ପ୍ରାୟ ଶୂନ୍ୟକୁ ଉଠିଲେ । ୨୩ । ଅଶ୍ୱମାନଙ୍କୁ ତାଦୃଶ ବାୟୁବେଗରେ ରଥ ଘେନିଯିବାର ଦେଖି ଶ୍ରୀମାନ୍ ଅଯୋଧ୍ୟାଧିପତି ପରମ ବିସ୍ମୟ ପ୍ରାପ୍ତ ହେଲେ । ୨୪ ।

 

[*ଅର୍ଥାତ୍ ଆଣ୍ଠୋଇ ପଡ଼ିଲେ ।]

 

ସାରଥି ବାର୍ଷ୍ଣେୟ ସେହି ରଥ ଶବ୍ଦକୁ ଶୁଣି ଓ ଅଶ୍ୱମାନଙ୍କର ବାଗ ଧରିବାର କୁଶଳତା ଦେଖି ବାହୁକଙ୍କର ଅଶ୍ୱବିଦ୍ୟା ବିଷୟରେ ଭାବିଲେ । ଏ କି ଦେବରାଜଙ୍କ ସାରଥି ମାତଳି ! ମାତଳିଙ୍କଠାରେ ଅଶ୍ୱ ଚଳାଇବା ବିଷୟରେ ଯେଉଁସବୁ ମହତ୍ ଲକ୍ଷଣ ଅଛି, ଏହି ବୀର ବାହୁକଙ୍କଠାରେ ମଧ୍ୟ ସେହିସବୁ ଲକ୍ଷଣ ଦେଖାଯାଏ । ୨୬ । ଅଶ୍ୱମାନଙ୍କର ତତ୍ତ୍ୱଜ୍ଞ ଶାଳୀହୋତ୍ର କି ସୁନ୍ଦର ରୂପ ଧାରଣ କରି ମର୍ତ୍ତ୍ୟରେ ଜନ୍ମି ଅଛନ୍ତି ? ଏ କ’ଣ ଶତ୍ରୁମର୍ଦ୍ଦନକାରୀ ରାଜା ନଳ ? ବୋଧହୁଏ ସେ ଏହି ବେଶରେ ଏଠାକୁ ଆସିଅଛନ୍ତି । ୨୮ । ନିଷଧନାଥ ଯେଉଁ ବିଦ୍ୟା ଜାଣନ୍ତି, ଦେଖୁଅଛି ଯେ, ଏହି ବାହୁକ ମଧ୍ୟ ସେହି ବିଦ୍ୟା ଶିକ୍ଷା କରିଅଛନ୍ତି । ନଳ ରାଜାଙ୍କର ଅଶ୍ୱତତ୍ତ୍ୱ ବିଷୟରେ ଯେଉଁ ନିପୁଣତା ବାହୁକଙ୍କର ମଧ୍ୟ ତଦ୍ରୂପ ନୈପୁଣ୍ୟ ଦେଖାଯାଉଅଛି । ୨୯ । ଏହାଙ୍କର ବୟସ ମଧ୍ୟ ନଳରାଜାଙ୍କର ସମବୟସ ହେବ । ଏ ବାହୁକ ମହାବୀର୍ଯ୍ୟ ନଳରାଜା ନୁହନ୍ତି; କିନ୍ତୁ ତାହାଙ୍କର ବିଦ୍ୟାକୁ ନିଶ୍ଚୟ ଶିକ୍ଷା କରିଅଛନ୍ତି । ୩୦ । ଅଥବା ସ୍ୱୟଂ ନଳରାଜା ହେବେ । କିଏ କହିପାରେ ? ଶାସ୍ତ୍ରରୁ ଜଣାଯାଏ ସେ ମହାତ୍ମାମାନେ ସ୍ୱେଚ୍ଛାରେ ପ୍ରଚ୍ଛନ୍ନ ହୋଇ ଅଥବା ଦୈବବଶରୁ ଏହି ପୃଥିବୀକୁ ପର୍ଯ୍ୟଟନ କରନ୍ତି । ୩୧ । ଯଦି କୁହାଯାଏ ଯେ, ନଳଙ୍କ ଗାତ୍ର ଏପରି ବିରୂପ ନୁହେଁ କି ଏପରି ପ୍ରମାଣହୀନ ନୁହେଁ, ତହିଁରେ ମୋର ମତଭେଦ ହୋଇନପାରେ; କାରଣ ଏ ରୂପ କଦାପି ହେଲେ ମଧ୍ୟ ହୋଇପାରେ । ୩୨ । ବୟସରେ ଓ ସର୍ବପ୍ରକାର ଗୁଣରେ ଯେତେବେଳେ ଏ ନଳ ବୋଲି ଜଣାଯାଉଅଛି, ତେତେବେଳେ କେବଳ ଆକୃତି ଓ ରୂପ ହେତୁରୁ ଏ ନଳ ନୁହନ୍ତି ବୋଲି କୁହାଯାଇ ନ ପାରେ । ୩୩ ।

 

ହେ ମହାରାଜ ! ପୁଣ୍ୟଶ୍ଲୋକ ନଳଙ୍କର ସାରଥି ବିଷୟରେ ବାର୍ଷ୍ଣେୟ ଏହିରୂପେ ମନ ମଧ୍ୟରେ ଅନେକ ଚିନ୍ତା କଲେ । ୩୪ । ରାଜେନ୍ଦ୍ର ଋତୁପର୍ଣ୍ଣ ବାହୁକଙ୍କର ଅଶ୍ୱବିଦ୍ୟାରେ ଏତାଦୃଶ ବିଚକ୍ଷଣତା ଦେଖି ଆନନ୍ଦିତ ହେଲେ । ବାହୁକଙ୍କର ଏକାଗ୍ରତା, ଉତ୍ସାହ ଓ ଅଶ୍ୱଚାଳନାରେ ପରମ ଯତ୍ନ ଦେଖି ଅତିଶୟ ହର୍ଷ ପ୍ରାପ୍ତ ହେଲେ । ୩୭ ।
 

 

॥ ଅଧ୍ୟାୟ – ୭୨ ॥

 

ବୃହଦଶ୍ୱ କହିଲେ– ଆକାଶଗାମୀ ପକ୍ଷୀ ଯେପରି ଆକାଶ ପଥରେ ଅତି ଦ୍ରୁତ ଗମନ କରି କରି ପୃଥିବୀସ୍ଥ ନଦନଦୀମାନଙ୍କୁ ଅଳ୍ପକାଳ ମଧ୍ୟରେ ଅତିକ୍ରମ କରେ, ସେହିପରି ନଳ ରାଜା ନଦ, ନଦୀ ବନ ଓ ଭୂଧରମାନଙ୍କୁ ଝଟତି ଅତିକ୍ରମ କଲେ । ୧ । ରଥ ସେହିପରି ବେଗରେ ଯାଉଅଛି, ଏମନ୍ତ ସମୟରେ ଭଙ୍ଗାସୁର ନନ୍ଦନ ଅରିକୁଳମର୍ଦ୍ଦନ ରାଜା ଋତୁପର୍ଣ୍ଣ ଦେଖିଲେ ଯେ ତାହାଙ୍କ ଉତ୍ତରୀୟ ବସ୍ତ୍ର ଭୂତଳରେ ପତିତ ହେଲା । ଉତ୍ତରୀୟ ବସନ ନିପତିତ ହୁଅନ୍ତେ ସେହି ମହାତ୍ମା ତାକୁ ନେବା ନିମିତ୍ତ ଶୀଘ୍ର ନଳଙ୍କୁ କହିଲେ, ହେ ମହାବୁଦ୍ଧେ ! ବାର୍ଷ୍ଣେୟ ଯାଇ ଆମ୍ଭର ଉତ୍ତରୀୟ ଆଣିବା ଯାଏ ଆପଣ ଏହି ବେଗଗାମୀ ଅଶ୍ୱମାନଙ୍କୁ ସ୍ଥିର କରନ୍ତୁ । ୪ । ଅନନ୍ତର ନଳ ତାହାଙ୍କୁ ଉତ୍ତର ଦେଲେ ଯେ ଆପଣଙ୍କ ବସ୍ତ୍ର ଅତି ଦୂରରେ ରହିଲାଣି । ପ୍ରାୟ ଯୋଜନେ ବାଟ ହେବ । ଅତଏବ ଏତେବେଳେ ତାହା ଆଣିହେବ ନାହିଁ । ୫ ।

 

ହେ ରାଜନ୍‌ ! ନଳରାଜା ଭଙ୍ଗାସୁର ସୁତଙ୍କୁ ଏହିପରି କହି କାନନ ମଧ୍ୟରେ ଗୋଟିଏ ଫଳିତ ବିଭୀତକ ବୃକ୍ଷ ସମୀପରେ ଉପସ୍ଥିତ ହେଲେ । ତାକୁ ଦେଖି ରାଜା ତ୍ୱରିତ ନଳଙ୍କୁ କହିଲେ ! ହେ ସୂତ ! ସଂଖ୍ୟା ବିଷୟରେ ମୋର ମଧ୍ୟ ପରମ ବଳ ଦେଖ । ୭ । ସମସ୍ତେ ସବୁ ଜାଣନ୍ତି ନାହିଁ, କେହି ସର୍ବଜ୍ଞ ନୁହେ । ଜଣକଠାରେ ଯେ ସବୁ ଜ୍ଞାନ ରହିବ, ଏହା କଦାପି ହୋଇନପାରେ । ୮ । ହେ ବାହୁକ ! ଏହି ବୃକ୍ଷରେ ଯେତେ ପତ୍ର ଓ ଯେତେ ଫଳ ଅଛି ତଦପେକ୍ଷା ଏକ ଶତ ଏକ ପତ୍ର ଓ ଏକ ଶତ ଏକ ଫଳ ତଳେ ପଡ଼ିଅଛି । ତାହାର ଦୁଇ ଶାଖାରେ ସମୁଦାୟ ପାଞ୍ଚକୋଟି ପତ୍ର ଓ ଦୁଇ ସସ୍ର ପଞ୍ଚନବତି ଫଳ ଅଛି । ତୁମ୍ଭେ ସେହି ଶାଖାର ପତ୍ର ଓ ଫଳ ତୋଳି ଗଣି ଦେଖ । ୧୦ । ଅନନ୍ତର ବାହୁକ ରଥ ରଖିଲେ ଓ ରାଜା ଋତୁପର୍ଣ୍ଣ କହିଲେ– “ହେ ଶତ୍ରୁକର୍ଷଣ ! ଭୂପତିତ ବୋଧହୁଏ ମୋର ପ୍ରତ୍ୟକ୍ଷ ହେବ ନାହିଁ ବୋଲି ଆପଣ ଏପରି ଆତ୍ମଶ୍ଳାଘା କରୁଅଛନ୍ତି । ୧୨ । ବିଭୀତକକୁ ଛେଦନ କରି ଗଣନା କରିବି । ହେ ରାଜନ୍‌ ! ଏହାକୁ ଛେଦନ କରି ଗଣିଲେ ସିନା ଯଥାର୍ଥ ବୋଲି ଜାଣିବା । ୧୩ । ହେ ମହାରାଜ ! ଆପଣଙ୍କ ସାକ୍ଷାତରେ ମୁଁ ଏହି ବିଭୀତକ ତରୁକୁ ଛେଦନ କରୁଅଛି । ମୁଁ ଜାଣେ ନାହିଁ ଯେ, ଆପଣ ଯେତେ ପତ୍ର ଓ ଫଳ କହିଲେ ତେତେ ଅଛି । ୧୪ । ହେ ଜନାଧିପ ! ଆପଣଙ୍କ ସମକ୍ଷରେ ମୁଁ ଫଳମାନଙ୍କୁ ଗଣୁଅଛି । ବାର୍ଷ୍ଣେୟ ମୁହୂର୍ତ୍ତେ ମାତ୍ର ଅଶ୍ୱରଶ୍ମି ଧରନ୍ତୁ” । ୧୫ । ବାହୁକ ସାରଥିକୁ ରାଜା କହିଲେ, ବର୍ତ୍ତମାନ ବିଳମ୍ବ କରିବାର ସମୟ ନୁହେ । କିନ୍ତୁ ବାହକ ପରମ ଯତ୍ନରେ କହିଲେ, ଆପଣ ମୁହୂର୍ତ୍ତେ ପ୍ରତୀକ୍ଷା କରନ୍ତୁ ଅଥବା ଯଦି ତରତର ହେଉଅଛନ୍ତି, ତେବେ ବାର୍ଷ୍ଣେୟକୁ ସାରଥି କରି ଗମନ କରନ୍ତୁ । ଏହି ଶୁଭପଥ ପଡ଼ିଅଛି । ୧୭ ।

 

ହେ କୁରୁନନ୍ଦନ, ରାଜା ଋତୁପର୍ଣ୍ଣ ତାହାଙ୍କୁ ସାନ୍ତ୍ୱନାପୂର୍ବକ କହିଲେ, “ହେ ବାହୁକ ! ତୁମ୍ଭପରି ଉପଯୁକ୍ତ ରଥଯନ୍ତ୍ରୀ ପୃଥିବୀରେ କେହି ନାହିଁ । ହେ ଅଶ୍ୱଶାସ୍ତ୍ରଜ୍ଞ ! ତୁମ୍ଭରି ଲାଗି ଆମ୍ଭେ ବିଦର୍ଭ ଦେଶକୁ ଯାଉଅଛୁ; ବିଘ୍ନ କରନାହିଁ । ୧୯ । ଆଜି ଯେବେ ବିଦର୍ଭ ଦେଶକୁ ଯାଇ ମୋତେ ସୂର୍ଯ୍ୟଙ୍କୁ ଦେଖାଇଦେବ, ତେବେ ହେ ବାହୁକ ! ତୁମ୍ଭେ ଯାହା ମାଗିବ, ତାହା ଦେବି । ୨୦ । ଅନନ୍ତର ବାହୁକ ତାହାଙ୍କୁ କହିଲେ, “ଏହି ବିଭୀତକକୁ ଗଣିସାରି ବିଦର୍ଭକୁ ଯିବି । ଆପଣ ମୋ କଥା କରନ୍ତୁ ।” ଇଚ୍ଛା ନ ଥିଲେ ହେଁ ରାଜା କହିଲେ– ହେଉ, ଗଣନା କର । ହେ ଅନଘ ! ମୁଁ ସେ ଶାଖାର ଗୋଟିଏ ଅଂଶର ସଂଖ୍ୟା କହୁଅଛି । ହେ ଅଶ୍ୱତତ୍ତ୍ୱଜ୍ଞ ! ଗଣନା କରି ତୁମ୍ଭର ମନ ସନ୍ତୁଷ୍ଟ ହେଉ । ରଥରୁ ସେ ଶୀଘ୍ର ଓହ୍ଲାଇ ସେହି ଦ୍ରୁମକୁ ଛେଦନ କଲେ । ୨୩ । ତଦନନ୍ତର ସେ ବିସ୍ମୟାବିଷ୍ଟ ହୋଇ ରାଜାଙ୍କୁ ଏହି କଥା ବୋଇଲେ, ଆପଣ ଯେତିକି ଫଳ କହିବା ହୋଇଥିଲେ ଯଥାର୍ଥ ତେତିକି ଫଳ ହେଲା । ହେ ରାଜନ୍‌ ! ଏହା ଅତିଶୟ ଅଦ୍ଭୁତ କଥା । ଆପଣଙ୍କର ବଳ ମୁଁ ଦେଖିଲି । ହେ ନୃପ ! ଯେଉଁ ବିଦ୍ୟାଦ୍ୱାରା ଆପଣ ଏହା ଜାଣିଲେ ତାହା ଶୁଣିବାକୁ ଇଚ୍ଛା କରୁଅଛି । ୨୫ । ତଦନନ୍ତର ରାଜା ଋତୁପର୍ଣ୍ଣ ତତ୍କାଳରେ ଶୀଘ୍ର ଗମନ ନିମିତ୍ତ ଉଦ୍ୟତ ହେଲେ; ସୁତରାଂ ତାହାଙ୍କୁ କହିଲେ– ଆମ୍ଭେ ଦ୍ୟୂତକ୍ରୀଡ଼ାର ନିଗୂଡ଼ ତତ୍ତ୍ୱଜ୍ଞ; ଏହି ହେତୁରୁ ତୁମ୍ଭେ ଜାଣିବ ଯେ ଆମ୍ଭେ ଗଣନା ବିଷୟରେ ବିଶାରଦ ।

 

ବାହୁକ କହିଲେ, ହେ ପୁରୁଷଶ୍ରେଷ୍ଠ ! ଆପଣ ଆମ୍ଭଙ୍କୁ ସେହି ବିଦ୍ୟା ପ୍ରଦାନ କରନ୍ତୁ ଓ ଆମ୍ଭଠାରୁ ଏହି ଅଶ୍ୱବିଦ୍ୟା ଗ୍ରହଣ କରନ୍ତୁ । ୨୭ । ଅନନ୍ତର ରାଜା ଋତୁପର୍ଣ୍ଣ ଅଶ୍ୱବିଦ୍ୟା ଶିକ୍ଷା କରିବା ଲୋଭରେ ଓ କାର୍ଯ୍ୟ ଗୌରବ ହେତୁରୁ ତାହାଙ୍କୁ ତଥାସ୍ତୁ ବୋଲି ସ୍ୱୀକାର କରି କହିଲେ– ହେ ବାହୁକ ! ତୁମ୍ଭେ ଆମ୍ଭଠାରୁ ଯଥୋକ୍ତ ଅକ୍ଷବିଦ୍ୟା ଗ୍ରହଣ କର ଓ ଆମ୍ଭର ଅଶ୍ୱବିଦ୍ୟା ତୁମ୍ଭ ଠାରେ ବର୍ତ୍ତମାନ ଥାଉ । ଏହା କହି ରାଜା ଋତୁପର୍ଣ୍ଣ ନଳଙ୍କୁ ଅକ୍ଷବିଦ୍ୟା ପ୍ରଦାନ କଲେ । ୨୯ । ଅକ୍ଷବିଦ୍ୟା ଶିଖିଲା କ୍ଷଣି କଳି ଯେ କି ତାହାଙ୍କ ଦେହରେ ବାସ କରିଥିଲା, ସେ ନିଜ ମୁଖରେ କର୍କୋଟକ ନାଗର ବିଷକୁ ବମନ କରି କରି ନଳଙ୍କ ଦେହରୁ ନିର୍ଗତ ହେଲା । ୩୦ । ସେ ଦମୟନ୍ତୀଙ୍କ ଶାପାନଳରେ ପୀଡ଼ିତ ହୋଇ ନଳଙ୍କ ଶରୀରରେ ବାସ କରିଥିଲା । ଏବେ ନଳଙ୍କ ଶରୀରରୁ ନିର୍ଗତ ହେବାରୁ ତାହାର ସେହି ଅଭିଶାପ ରୂପ ଅଗ୍ନି ନିର୍ବାପିତ ହୋଇଗଲା । ସୁତରାଂ ସେ ବିଷନିର୍ମୁକ୍ତ ହୋଇ ନିଜର ରୂପ ଧରିଲା । ନିଷଧାଧିପତି ନଳ ବହୁ କାଳ ପର୍ଯ୍ୟନ୍ତ କଳିର ବାସଦ୍ୱାରା କର୍ଷିତ ହୋଇ ଅସୁସ୍ଥ ଥିଲେ । ତନ୍ନିମିତ୍ତ ସେ କୁପିତ ହୋଇ କଳିକୁ ଏବେ ଅଭିଶାପ ଦେବାକୁ ମନସ୍ଥ କଲେ । ୩୨ । କିନ୍ତୁ କଳି ଭୟରେ କମ୍ପିତ ହୋଇ କୃତାଞ୍ଜଳିପୁଟରେ ତାହାଙ୍କୁ କହିଲା, ହେ ନୃପତେ-! ଆପଣ କୋପ ସମ୍ବରଣ କରନ୍ତୁ । ଆମ୍ଭେ ଆପଣଙ୍କୁ ମହୀୟସୀ କୀର୍ତ୍ତିଭାଜନ କରିବୁଁ ।

 

ହେ ରାଜେନ୍ଦ୍ର ! ପୂର୍ବେ ଆପଣ ଯେତେବେଳେ ଇନ୍ଦ୍ରସେନଙ୍କ ଜନନୀଙ୍କୁ ପରିତ୍ୟାଗ କଲେ, ତେତେବେଳେ ସେ କୁପିତା ହୋଇ ଆମ୍ଭଙ୍କୁ ଅଭିଶାପ ଦେଇଥିଲେ, ସେହି ସମୟରୁ ହେ ଅପରାଜିତ ! ଆମ୍ଭେ ନାଗରାଜଙ୍କ ବିଷଜ୍ୱାଳାରେ ଦିବାରାତ୍ର ଦଗ୍ଧ ହୋଇ ନିଦାରୁଣ ଦୁଃଖ ଭୋଗ କରି ଆପଣଙ୍କ ଶରୀରରେ ବାସ କରିଥିଲୁ । ୩୫ । ଆପଣଙ୍କର ଶରଣାପନ୍ନ ହେଲି । ଆପଣ ମୋର ଏହି କଥାଟି କରନ୍ତୁ । ମୁଁ ଭୟାର୍ତ୍ତ ହୋଇ ଆପଣଙ୍କର ଶରଣାଗତ ହେଲି । ଯଦି ଆପଣ ମୋତେ ଅଭିଶାପ ନ ଦିଅନ୍ତି, ତେବେ ଯେଉଁ ମନୁଷ୍ୟମାନେ ନିରଳସ ହୋଇ ଆପଣଙ୍କ ନାମ କୀର୍ତ୍ତନ କରିବେ, ସେମାନଙ୍କର ମୋଠାରୁ ଭୟ ହେବ ନାହିଁ । କଳିଠାରୁ ନଳ ଏହିରୂପ କଥା ଶ୍ରବଣ କରି ଆପଣାର କୋପ ସମ୍ବରଣ କଲେ । ୩୭ । ଅନନ୍ତର ଅଭିଶାପ ଭୟରେ କଳି ଗୋଟାଏ ବିଭୀତକ ବୃକ୍ଷରେ ପଶିଲା । କଳି ଯେତେବେଳେ ନିଷଧାଧିପତିଙ୍କ ସହ କଥୋପକଥନ କଲା, ତେତେବେଳେ ଅନ୍ୟ କେହି ତାହାକୁ ଦେଖିପାରିଲେ ନାହିଁ । ୩୮ ।

 

ହେ ରାଜନ୍‌ ! ବୀର, ଶତ୍ରୁହନ୍ତା ଓ ତେଜସ୍ୱୀ ନଳଙ୍କ ଦେହରୁ ଯେତେବେଳେ କଳି ବାହାରି ପଳାଇଲା, ତେତେବେଳେ ନିଷଧରାଜ ପୂର୍ବ ପରି ଶୋଭନ ରୂପ ଧାରଣ କଲେ, ତେଜୋଯୁକ୍ତ ଦିଶିଲେ ଓ ବିଭୀତକ ବୃକ୍ଷର ଫଳ ଗଣନା କରି ଆନନ୍ଦିତ ହେଲେ । ସେ ରାଜା ରଥାରୋହଣ କରି ଅତିଶୟ ବେଗଗାମୀ ଅଶ୍ୱଦ୍ୱାରା ଶୀଘ୍ର ଗତି କଲେ । ୪୦ । ବିଭୀତକ ବୃକ୍ଷରେ କଳି ପ୍ରବେଶ କରିବାରୁ ସେ ଲୋକରେ ଅପ୍ରଶସ୍ତ ହେଲା । ପକ୍ଷୀ ପରି ଅଶ୍ୱମାନେ ଉତ୍ପାତନ କଲେ ଓ ପୁନଃପୁନଃ ଉତ୍ତେଜନାଦ୍ୱାରା ସେମାନେ ଆହୁରି ବେଗରେ ଚାଲିଲେ । ଏହିପରି ମହାଯଶସ୍ୱୀ ରାଜା ନଳ ହୃଷ୍ଟଚିତ୍ତରେ ସେହି ରଥକୁ ଅତି ବେଗରେ ନେଇଗଲେ । ୪୨ । ବିଦର୍ଭ ଦେଶାଭିମୁଖରେ ବହୁଦୂର ଗମନ କରିବା ଯାଏ କଳି ସେହିଠାରେ ଥିଲା; ପରେ ସ୍ୱସ୍ଥାନକୁ ଗମନ କଲା । ୪୩ । ହେ ମହାରାଜ ! ପୃଥିବୀପତି ନଳରାଜା କଳିଠାରୁ ବିମୁକ୍ତ ହୋଇ ଗତଜ୍ୱର ହେଲେ; କେବଳ ତାହାଙ୍କର ନିଜ ରୂପ ପ୍ରକାଶିତ ହେଲା ନାହିଁ । ୪୪ ।

 

॥ ଅଧ୍ୟାୟ – ୭୩ ॥

 

ବୃହଦଶ୍ୱ କହିଲେ–ତଦନନ୍ତର ଋତୁପର୍ଣ୍ଣ ସାୟଂ ସମୟରେ ବିଦର୍ଭ ନଗରରେ ଉପନୀତ ହୁଅନ୍ତେ ତତ୍ରତ୍ୟ ଜନମାନେ ବିଦର୍ଭାଧିପତି ଭୀମଙ୍କ ଛାମୁରେ ଜଣାଇଲେ । ୧ । ରାଜା ଋତୁପର୍ଣ୍ଣ ରଥ ନିର୍ଘୋଷଦ୍ୱାରା ଦିଗ୍‌ଦିଗନ୍ତ ନିନାଦିତ କରି ବିଦର୍ଭାଧିପତିଙ୍କ ଅଭିପ୍ରାୟାନୁସାରେ କୁଣ୍ଡିନନଗରରେ ପ୍ରବେଶ କଲେ । ୨ । ତତ୍ରସ୍ଥିତ ନଳରାଜାଙ୍କର ଅଶ୍ୱମାନେ ରଥନିର୍ଘୋଷ ଶ୍ରବଣ କରି ପୂର୍ବେ ନଳଙ୍କ ସମୀପରେ ଯେପରି ହୃଷ୍ଟ ହେଉଥିଲେ, ସେହିପରି ବର୍ତ୍ତମାନ ରଥ ଶବ୍ଦ ଶୁଣି ହୃଷ୍ଟ ହେଲେ । ୩ । ମେଘାଗମ ସମୟରେ ମେଘମାଳାର ଗମ୍ଭୀର ଧ୍ୱନି ସଦୃଶ ସେହି ରଥ ଶବ୍ଦକୁ ଦମୟନ୍ତୀ ମଧ୍ୟ ଶ୍ରବଣ କରି ଅତିଶୟ ବିସ୍ମୟାନ୍ୱିତା ହେଲେ । ପୂର୍ବେ ନଳରାଜା ସ୍ୱୟଂ ଅଶ୍ୱରଶ୍ମି ଧଇଲେ ଯେପରି ରଥ ନିର୍ଘୋଷ ଶ୍ରୁତ ହୁଏ, ସେହିପରି ଏହି ରଥରେ ଶବ୍ଦ ବୋଧହେଲା । ଏହା ପରେ ନଳରାଜାଙ୍କର ଅଶ୍ୱମାନେ ମଧ୍ୟ ସେହିରୂପ ବୋଧକଲେ । ୫ । ପ୍ରାସାଦର ଉପରିସ୍ଥ ମୟୂରମାନେ, ହସ୍ତୀଶାଳାର ହସ୍ତୀମାନେ ଓ ଅଶ୍ୱମାନେ ମହୀପତି ଋତୁପର୍ଣ୍ଣଙ୍କର ରଥଶବ୍‌ଦ ଶୁଣିବାକୁ ପାଇଲେ । ୬ । ହେ ରାଜନ୍‌ ! ବାରଣ ଓ ମୟୂରମାନେ ସେହି ରଥଶବ୍‌ଦ ଶୁଣି ମେଘଗର୍ଜନ ଆଶଙ୍କାରେ ଉତ୍ସୁକ ହୋଇ ସେହି ଦିଗକୁ ଚାହିଁ ପ୍ରତିଶବ୍ଦ କଲେ । ୭ । ଦମୟନ୍ତୀ ବୋଇଲେ, ଏହି ରଥନିର୍ଘୋଷ ଯେପରି ମେଦିନୀକୁ ପରିପୂର୍ଣ୍ଣ କରି ମୋର ଚିତ୍ତକୁ ହୃଷ୍ଟ କରୁଅଛି, ମୋତେ ବୋଧହୁଏ ରାଜା ନଳ ଅବଶ୍ୟ ଆସିଛନ୍ତି । ୮ । ଚନ୍ଦ୍ରମାସଦୃଶ ମୁଖ ଓ ଅସଂଖ୍ୟ ଗୁଣାନ୍ୱିତ ବୀର ନଳଙ୍କୁ ଯେବେ ମୁଁ ନ ଦେଖିବି, ତେବେ ନିଃସନ୍ଦେହରେ ମୁଁ ପ୍ରାଣ ତ୍ୟାଗ କରିବି । ୯ । ଅଦ୍ୟ ଯଦି ସେହି ବୀରଙ୍କର ସୁଖସ୍ପର୍ଶ ବାହୁଦ୍ୱୟର ଅନ୍ତରାଳରେ ମୁଁ ପ୍ରବେଶ ନ କରିବି, ତେବେ ମୁଁ ନିଶ୍ଚୟ ଅଦ୍ୟ ପ୍ରାଣ ହରାଇବି । ୧୦ । ଯଦି ସେହି ମେଘଗମ୍ଭୀର ସ୍ୱରବିଶିଷ୍ଟ ନଳ ମୋ ସମୀପକୁ ନ ଆସନ୍ତି, ତେବେ କାଞ୍ଚନବର୍ଣ୍ଣ ହୁତାଶନଗର୍ଭରେ ମୁଁ ନିଶ୍ଚୟ ପ୍ରବେଶ କରିବି । ୧୧ । ସିଂହସଦୃଶ ବିକ୍ରମୀ ଓ ମତ୍ତବାରଣ ସମ ବଳଶାଳୀ ରାଜେନ୍ଦ୍ର ଯେବେ ଅଦ୍ୟ ମୋ ନିକଟକୁ ନ ଆସନ୍ତି, ତେବେ ମୁଁ ନିଶ୍ଚୟ ବିନଷ୍ଟ ହେବି । ୧୨ । ନଳ ଯେ କେବେ ଅମୃତ କହିଅଛନ୍ତି, କି କାହାରି ଅପକାର କରିଅଛନ୍ତି, ଅଥବା ପରିହାସରେ ସୁଦ୍ଧା ବୃଥା ବାକ୍ୟ କହିଅଛନ୍ତି, ତାହା ମୋର ସ୍ମରଣ ହେଉ ନାହିଁ । ନୈଷଧ ମୋର ପ୍ରଭୁ ଅଟନ୍ତି । ସେ କ୍ଷମାଶୀଳ, ବୀର, ଅନ୍ୟ ନୃପତି ଅପେକ୍ଷା ଦାତା ଓ ନିର୍ଜନ ସ୍ଥାନରେ ସୁଦ୍ଧା ସେ ମହତ୍ତ୍ୱବଶରୁ ପରସ୍ତ୍ରୀଠାରେ କ୍ଲୀବସମ ବ୍ୟବହାର କରନ୍ତି । ୧୪ । ମୁଁ ଦିବାନିଶି ତାହାଙ୍କୁ ଧ୍ୟାନକରି ତାହାଙ୍କର ଗୁଣରାଶିକୁ ସ୍ମରଣ କରୁଅଛି । ପ୍ରିୟବିରହିତ ହେବାରୁ ଶୋକରେ ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି । ୧୫ ।

 

ହେ ଭାରତ ! ଏହିପରି ସେ ବିଳାପ କରି ହତଚେତନ ପ୍ରାୟ ହୋଇ ପୁଣ୍ୟଶ୍ଲୋକ ନଳଙ୍କୁ ଦର୍ଶନ କରିବା ଅଭିଳାଷରେ ସେହି ମହାସଦନ ଶିଖର ଉପରକୁ ଆରୋହଣ କଲେ । ୧୬ । ଦେଖିଲେ, ମଧ୍ୟମ କକ୍ଷରେ ରଥ ଉପରେ ରାଜା ଋତୁପର୍ଣ୍ଣ, ବାର୍ଷ୍ଣେୟ ଓ ବାହୁକ ବସି ଅଛନ୍ତି । ୧୭-। ତଦନନ୍ତର ବାର୍ଷ୍ଣେୟ ଓ ବାହୁକ ଦୁହେଁ ସେହି ଉତ୍ତମ ରଥରୁ ଓହ୍ଲାଇ ଅଶ୍ୱମାନଙ୍କୁ ଖସାଇ ରଥକୁ ଯଥାସ୍ଥାନରେ ରଖିଲେ । ୧୮ । ମହାରାଜ ଋତୁପର୍ଣ୍ଣ ରଥରୁ ଅବତରଣ କରି ଭୀମପରାକ୍ରମ ମହୀପତି ଭୀମଙ୍କ ସମୀପରେ ଉପସ୍ଥିତ ହେଲେ । ୧୯ । ବିଦର୍ଭ ଦେଶାଧିପତି ଭୀମ ତାହାଙ୍କୁ ମହାସମାଦରପୂର୍ବକ ପୂଜା କରି ଗ୍ରହଣ କଲେ । ନରାଧିପ ଋତୁପର୍ଣ୍ଣ ରାଜାଙ୍କଦ୍ୱାରା ପୂଜିତ ହୋଇ ରମଣୀୟ କୁଣ୍ଡିନ ନଗରରେ ବାସ କଲେ । ରାଜା ଋତୁପର୍ଣ୍ଣ ବିଦର୍ଭାଧିପତିଙ୍କ ସହିତ ସମାଗତ ହୋଇ ପୁନଃପୁନଃ ଚତୁର୍ଦ୍ଦିଗକୁ ବିଲୋକନ କରି ସ୍ୱୟମ୍ବରର କୌଣସି ଆୟୋଜନ ଦେଖିଲେ ନାହିଁ-। ୨୧ ।

 

ହେ ଭରତ ! ରାଜା ବିଦର୍ଭପତି ମଧ୍ୟ ପଚାରିଲେ, ଆପଣ ଶୁଭାଗମନ କରନ୍ତୁ । କି ନିମିତ୍ତ ସହସା ଉପଗତ ହୋଇଅଛନ୍ତି ?୨୨ । ରାଜା ଭୀମ ଜାଣନ୍ତି ନାହିଁ ଯେ ତାହାଙ୍କ ଦୁହିତାଙ୍କୁ ପାଇବା ନିମିତ୍ତ ଋତୁପର୍ଣ୍ଣ ଆସିଅଛନ୍ତି । ସତ୍ୟପରାକ୍ରମ ବୁଦ୍ଧିମାନ ରାଜା ଋତୁପର୍ଣ୍ଣ ମଧ୍ୟ କୌଣସି ରାଜା ବା ରାଜପୁତ୍ରଙ୍କୁ ଆସିଥିବାର ଦେଖିଲେ ନାହିଁ । ସ୍ୱୟମ୍ବର ହେବାର ଆୟୋଜନ କି ସନ୍ଦେଶହାରୀ ବିପ୍ରଙ୍କୁ ଆସିବାର ଦେଖିଲେ ନାହିଁ । ୨୪ । ସୁତରାଂ ରାଜା ଋତୁପର୍ଣ୍ଣ ମନ ମଧ୍ୟରେ ଉକ୍ତ କଥା ସବୁ ବିଚାର କରି କହିଲେ, ଆପଣଙ୍କୁ ଅଭିବାଦନ କରିବାକୁ ଆଗମନ କରିଅଛୁଁ । ୨୫ । ରାଜା ଭୀମ ମଧ୍ୟ ବିସ୍ମିତ ହୋଇ ମନ ମଧ୍ୟରେ ଚିନ୍ତା କଲେ । ଶତ ଯୋଜନରୁ ଅଧିକ ପଥ ଏହାଙ୍କର ଆଗମନ କରିବାର କାରଣ କ’ଣ ? ୨୬ । ଅନେକ ଗ୍ରାମ ଅତିକ୍ରମ କରି ଆଉ କୌଣସି ରାଜାଙ୍କଠାକୁ ନ ଯାଇ ମୋତେ ଯେ ଅଭିବାଦନ କରିବାକୁ ଆସିଅଛନ୍ତି, ଏହା କଦାପି ହୋଇନପାରେ । ୨୭ । ଯାହାକୁ ଏ ଆଗମନର କାରଣ ବୋଲି କହିଲେ ସେ ଅତି ଅଳ୍ପ କାର୍ଯ୍ୟ; ତନ୍ନିମିତ୍ତ ଏ ଯେ ଏତେଦୂର ପଥ ଉଲ୍ଲଘଂନ କରି ଆସିଲେ, ଏହା କି ଅସଙ୍ଗତ ବୋଧ ହେଉ ନାହିଁ । ଯାହାହେଉ ଏହାଙ୍କର ଆସିବାର କାରଣ ପରେ ଅବଗତ ହେବା । ମନରେ ଏହା ଭାବି ରାଜା ଭୀମ ପୁନଃପୁନଃ କହିଲେ, ଆପଣ ପଥରେ ଆସିବାରୁ କ୍ଳାନ୍ତ ହୋଇଅଛନ୍ତି, ବିଶ୍ରାମ କରନ୍ତୁ । ଏହା କହି ତାଙ୍କୁ ସତ୍କାର ସହିତ ବିଦାୟ ଦେଲେ । ୨୯ । ବିଦର୍ଭାଧିପତି ପ୍ରୀତଚିତ୍ତରେ ରାଜା ଋତୁପର୍ଣ୍ଣଙ୍କୁ ସମ୍ମାନିତ କରନ୍ତେ ସେ ମଧ୍ୟ ହୃଷ୍ଟଚିତ୍ତ ଓ ପ୍ରୀତହୋଇ ରାଜାଙ୍କ ଆଦେଶାନୁସାରେ ରାଜକିଙ୍କରଙ୍କ ସହିତ ନିର୍ଦ୍ଦିଷ୍ଟ ବାସଭବନକୁ ପ୍ରବିଷ୍ଟ ହେଲେ । ୩୦ ।

 

ହେ ରାଜନ୍‌ ! ରାଜା ଋତୁପର୍ଣ୍ଣ ବାର୍ଷ୍ଣେୟଙ୍କୁ ଘେନି ଭୀମଙ୍କ ନିକଟକୁ ଗମନ କରନ୍ତେ ବାହୁକ ରଥଶାଳାକୁ ରଥ ଘେନି ଗମନ କଲେ । ଅନନ୍ତର ସେ ସ୍ୱୟଂ ଅଶ୍ୱମାନଙ୍କୁ ମୋକ୍ଷଣ କରି ଶାସ୍ତ୍ରାନୁସାରେ ସେମାନଙ୍କର ପରିଚର୍ଯ୍ୟା କରି ଓ ସେମାନଙ୍କୁ ସମଶ୍ୱାସିତ କରି ରଥକ୍ରୋଡ଼ରେ ଉପବେଶନ କଲେ । ୩୧ । ଦମୟନ୍ତୀ ମଧ୍ୟ ଶୋକାର୍ତ୍ତ ହୋଇ ଭଙ୍ଗାସୁର ନରପତି ସୂତପୁତ୍ର ବାର୍ଷ୍ଣେୟ ଓ ସାରଥି ବାହୁକଙ୍କୁ ଦେଖିଲେ ଏବଂ ଭାବିଲେ ଏହି ରଥଶବ୍‌ଦ କାହା ରଥର !୩୩ । ଏ ତ ନଳଙ୍କର ରଥ ଶବ୍‌ଦ; କିନ୍ତୁ ନିଷଧାଧିପତି କାହାନ୍ତି ? ତାହାଙ୍କୁ ମୁଁ ଦେଖୁ ନାହିଁ । ନିଶ୍ଚୟ ବାର୍ଷ୍ଣେୟ ସେହି ଅଶ୍ୱବିଦ୍ୟାକୁ ଶିକ୍ଷା କରିଥିବେ । ୩୪ । ସେହି ହେତୁରୁ ମହାତ୍ମା ନଳଙ୍କର ରଥ ନିର୍ଘୋଷସଦୃଶ ଋତୁପର୍ଣ୍ଣଙ୍କର ଏହି ରଥର ଶବ୍‌ଦ ଶ୍ରୁତ ହେଲା । ୩୫ । ହେ ରାଜନ୍‌ ! ଶୁଭଲକ୍ଷଣା ଦମୟନ୍ତୀ ଉକ୍ତ ବିଷୟମାନ ତର୍କଣା କରି ନିଷଧଙ୍କ ଅନ୍ୱେଷଣ ନିମିତ୍ତ ଦୂତକୁ ପ୍ରେରଣ କଲେ ।

 

॥ ଅଧ୍ୟାୟ – ୭୪ ॥

 

ଦମୟନ୍ତୀ କହିଲେ–କେଶିନି ! ତୁମ୍ଭେ ଯାଇ ଦେଖ ଏ ରଥବାହକ କିଏ ? ବିକୃତ ଦିଶୁଅଛନ୍ତି, ହସ୍ତ ଦିଓଟି ସାନ ସାନ; ରଥ କ୍ରୋଡ଼ରେ ବସିଅଛନ୍ତି । ୧ । ହେ ଭଦ୍ରେ ! ତୁମ୍ଭେ ସେହି ପୁରୁଷଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ସାବଧାନପୂର୍ବକ ମୃଦୁବାକ୍ୟରେ ତାହାଙ୍କର କୁଶଳ ପ୍ରଶ୍ନ ପଚାରିବ । ୨ । ମୋ ମନରେ ଯେ ରୂପ ତୁଷ୍ଟି ଓ ହୃଦୟର ଯେପରି ଶାନ୍ତି ହେଉଅଛି, ତହିଁରୁ ମୋତେ ବୋଧ ହେଉଅଛି ଯେ, ସେହି ବ୍ୟକ୍ତି ନଳ ହେବେ । ୩ । କୁଶଳ ପ୍ରଶ୍ନ କରିସାରି ମୁଁ ପର୍ଣ୍ଣାଦ ବ୍ରାହ୍ମଣଙ୍କୁ ଯେପରି ସବୁକଥା କହିଥିଲି, ତୁମ୍ଭେ ମଧ୍ୟ ସେହିପରି କଥା ତାହାଙ୍କୁ କହିବ । ତାହାର ସେ ଯାହା ପ୍ରତି ଉତ୍ତର ଦେବେ, ତୁମ୍ଭେ ତାହାସବୁ ମନେରଖି ଆସି ମୋତେ କହିବ । ୪ ।

 

ତଦନନ୍ତର ଦୂତୀ ସାବଧାନ ହୋଇ ବାହୁକକୁ କହିଲା–(କଲ୍ୟାଣୀ ଦମୟନ୍ତୀ ମଧ୍ୟ ପ୍ରାସାଦ ଉପରେ ଥାଇ ଚାହିଁଥାନ୍ତି ।) ହେ ମନୁଷ୍ୟେନ୍ଦ୍ର ! ଆପଣଙ୍କ ଶୁଭାଗମନ ହେଉ ! ମୁଁ ଆପଣଙ୍କ କୁଶଳ କହୁଅଛି । ହେ ନରଶ୍ରେଷ୍ଠ ! ଦମୟନ୍ତୀ ଯେଉଁ ମଙ୍ଗଳଜନକ ଉତ୍ତମ ବାକ୍ୟ କହିଅଛନ୍ତି, ତାହା ମୁଁ ନିବେଦନ କରୁଅଛି, ଆପଣ ଶ୍ରବଣ କରନ୍ତୁ । ୬ । ଆପଣମାନେ କେବେ ପ୍ରସ୍ଥାନ କଲେ ଓ କି ନିମିତ୍ତ ଏଠାକୁ ଆଗମନ କରିଅଛନ୍ତି ? ଆପଣ ଯଥାର୍ଥ କହିବା ହେଉନ୍ତୁ । ବୈଦର୍ଭୀ ଶୁଣିବାକୁ ଇଚ୍ଛା କରୁଅଛନ୍ତି । ୭ । ବାହୁକ ଉତ୍ତର ଦେଲେ, ମହାତ୍ମା କୋଶଳେଶ୍ୱର ଗୋଟିଏ ବ୍ରାହ୍ମଣ ମୁଖରୁ ଶୁଣିଲେ ଯେ ଆଗାମୀ କାଲି ଦମୟନ୍ତୀଙ୍କର ଦ୍ୱିତୀୟ ସ୍ୱୟମ୍ବର ହେବ । ୮-। ଏହା ଶ୍ରବଣ କରି ସେ ରାଜା ପବନ ପ୍ରାୟ ଶୀଘ୍ରଗାମୀ ଅଶ୍ୱଙ୍କୁ ରଥରେ ଯୋଜନା କରି ପ୍ରସ୍ଥାନ କଲେ । ଏହି ମୁଖ୍ୟ ଅଶ୍ୱମାନେ ଦିନକେ ଶତ ଯୋଜନ ଗମନ କରନ୍ତି । ମୁଁ ସେ ରାଜାଙ୍କର ସାରଥି ଅଟେ । ୯ । କେଶିନୀ କହିଲା– ଆପଣମାନଙ୍କ ମଧ୍ୟରେ ଏ ତୃତୀୟ ବ୍ୟକ୍ତି କିଏ ? ସେ କେଉଁଠାରୁ ଆସିଅଛନ୍ତି ଓ କାହାର ପୁତ୍ର ଅଟନ୍ତି ? ସେ କି କାରଣରୁ ଆଗମନ କରିଅଛନ୍ତି ? ପରନ୍ତୁ ଆପଣ କିଏ ? କାହାର ସନ୍ତାନ ? କି ପ୍ରକାରେ ଆପଣଙ୍କଠାରେ ଏହି କର୍ମର ଭାର ଅର୍ପିତ ହୋଇଅଛି ? ୧୦ ।

 

ବାହୁକ ବୋଇଲେ– ହେ ଭଦ୍ରେ ! ତୁମ୍ଭେ ଯେ ଏହି ତୃତୀୟ ବ୍ୟକ୍ତିଙ୍କ କଥା ପଚାରୁଅଛ, ତାହାଙ୍କର ନାମ ବାର୍ଷ୍ଣେୟ । ସେ ପୁଣ୍ୟଶ୍ଲୋକ ନଳଙ୍କର ସାରଥି ଥିଲେ । ନଳ ଯେତେବେଳେ ବିପଦଗ୍ରସ୍ତ ହେଲେ, ତେତେବେଳେ ଏହି ବାର୍ଷ୍ଣେୟ ଯାଇ ଭଙ୍ଗାସୁରଙ୍କ ପୁତ୍ର ନୃପତି ଋତୁପର୍ଣ୍ଣଙ୍କ ନିକଟରେ ରହିଲେ । ୧୧ । ମୁଁ ମଧ୍ୟ ଅଶ୍ୱବିଦ୍ୟାରେ ନିପୁଣ । ଋତୁପର୍ଣ୍ଣଙ୍କଦ୍ୱାରା ସାରଥିପଣରେ ନିଯୁକ୍ତ ହୋଇଅଛି । ଭୋଜନଦ୍ରବ୍ୟ ପ୍ରସ୍ତୁତ କରିବା ନିମିତ୍ତ ମଧ୍ୟ ସେ ରାଜା ମୋତେ ବରଣ କରିଅଛନ୍ତି । ୧୨ । କେଶିନୀ କହିଲା, ରାଜା ନଳ କାହିଁ ଗଲେ, ଏ କଥା ତ ବାର୍ଷ୍ଣେୟ ଜାଣିଥିବେ-? ହେ ବାହୁକ ! ଆପଣଙ୍କ ଠାରେ ମଧ୍ୟ କଥା ପ୍ରସଙ୍ଗରେ ସେ ବାର୍ତ୍ତାକୁ ବାର୍ଷ୍ଣେୟ କହିଥିବେ ? । ୧୩ । ବାହୁକ ବୋଇଲେ, ସେହି ବ୍ୟକ୍ତି ଶୁଭକର୍ମା ନଳଙ୍କର ସନ୍ତାନ ଦିଓଟିଙ୍କୁ ଏଠାରେ ରଖି ସ୍ୱେଚ୍ଛାନୁସାରେ ଗମନ କରିଥିଲେ । ସୁତରାଂ ସେ ନଳଙ୍କର ସନ୍ଦେଶ ଜାଣନ୍ତି ନାହିଁ । ୧୪ । ହେ ଯଶସ୍ୱିନୀ ! ଏହି ପୃଥିବୀରେ ମହୀପାଳମାନେ ବିକୃତାକାରରେ ଗୂଡ଼ରୂପେ ବିଚରଣ କରନ୍ତି-। ଅତଏବ ଅନ୍ୟ କେହି ମଧ୍ୟ ନଳଙ୍କ ସମାଚାର ଅବଗତ ନୁହନ୍ତି । ୨୫ । ନଳଙ୍କ ଆତ୍ମା ତାହାକୁ ଜାଣନ୍ତି । ତଦ୍‌ବ୍ୟତିରେକେ ତାହାଙ୍କ ଅନନ୍ତରା ପ୍ରକୃତି ମଧ୍ୟ ତାହାକୁ ଜାଣନ୍ତି । ନଳରାଜା ନିଜର ଚିହ୍ନମାନଙ୍କୁ କାହାକୁ କହନ୍ତି ନାହିଁ । ୧୬ ।

 

କେଶିନୀ କହିଲା, ଯେଉଁ ବ୍ରାହ୍ମଣ ପ୍ରଥମେ ଅଯୋଧ୍ୟା ନଗରୀକୁ ଗମନ କରିଥିଲେ ଓ ପୁନଃପୁନଃ ନାରୀକଥିତ ଏହି ବାକ୍ୟକୁ ପାଠ କରିଥିଲେ– ହେ କିତବ ! ହେ ପ୍ରିୟ ! ମୁଁ ତୁମ୍ଭର ପ୍ରିୟା ଓ ଅନୁରକ୍ତା ! ବିଶେଷରେ ମୁଁ ନିଦ୍ରିତା ଥିଲି; ଏପରି ଅବସ୍ଥାରେ ଆପଣ ମୋର ବସ୍ତ୍ରାର୍ଦ୍ଧକୁ ଛେଦନ କରି ମୋତେ ବିପିନରେ ଛାଡ଼ିଦେଇ କେଉଁଠାକୁ ଗମନ କଲେ ?୧୮ । ଆପଣ ତାହାକୁ ଯେପରି ଆଦେଶ କରିଥିଲେ, ସେ ସେହିପରି ଅର୍ଦ୍ଧବସ୍ତ୍ର ଖଣ୍ଡିଏ ପରିଧାନ କରି ଦିବାନିଶି ସନ୍ତପ୍ତା ହୋଇ ଆପଣଙ୍କୁ ପ୍ରତୀକ୍ଷା କରି ରହିଅଛି । ୧୯ । ହେ ପୃଥିବୀପତେ ! ମୁଁ ସେହି ଦୁଃଖରେ ନିରନ୍ତର ରୋଦନ କରୁଅଛି । ହେ ବୀର ! ଆପଣ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ । ମୋ ବାକ୍ୟର ପ୍ରତ୍ୟୁତ୍ତର ପ୍ରଦାନ କରନ୍ତୁ । ୨୦ । ହେ ମହାମତେ ! ଆପଣ ତାହାଙ୍କର ପ୍ରୀତିକର ବାକ୍ୟମାନଙ୍କୁ କହିବା ହେଉନ୍ତୁ । ଆନନ୍ଦିତା ବିଦର୍ଭରାଜନନ୍ଦିନୀ ସେହି ବାକ୍ୟ ସବୁ ଶୁଣିବାକୁ ଇଚ୍ଛା କରୁଅଛନ୍ତି । ୨୧ । ପୂର୍ବେ ଏହିସବୁ ବାକ୍ୟ ଶ୍ରବଣ କରି ଆପଣ ଯେ ତାହାର ପ୍ରତ୍ୟୁତ୍ତର ବାକ୍ୟ କହିଥିଲେ, ବିଦର୍ଭ ରାଜନନ୍ଦିନୀ ସେହି ପ୍ରତ୍ୟୁତ୍ତର ବାକ୍ୟକୁ ପୁନର୍ବାର ଆପଣଙ୍କଠାରୁ ଶୁଣିବାକୁ ଅଭିଳାଷିଣୀ ହୋଇଅଛନ୍ତି । ୨୨ ।

 

ବୃହଦଶ୍ୱ ଭାଷିଲେ, ହେ କୁରୁନନ୍ଦନ ! କେଶିନୀ ନଳଙ୍କୁ ଏହିରୂପ କହନ୍ତେ ନଳଙ୍କ ହୃଦୟ ବ୍ୟଥିତ ହେଲା ଓ ନୟନଯୁଗଳ ଅଶ୍ରୁପୂର୍ଣ୍ଣ ହେଲା । ୨୩ । ମହୀପତିଙ୍କର ଅନ୍ତଃକରଣ ସେ ସମୟରେ ଦଗ୍ଧ ହେଲେ ହେଁ ସେ ଶୋକର ବେଗକୁ ନିରୋଧ କରି ବାଷ୍ପପୂର୍ଣ୍ଣ ବାକ୍ୟଦ୍ୱାରା ପୁନର୍ବାର ଏହି କଥା କହିଲେ । ୨୪ । ଯେଉଁମାନେ କୁଳସ୍ତ୍ରୀ ଓ ସତୀ, ସେମାନେ ଦୁରବସ୍ଥା ପ୍ରାପ୍ତ ହେଲେ ହେଁ ଆପେ ଆପଣାକୁ ରକ୍ଷା କରନ୍ତି । ତନ୍ନିମିତ୍ତ ସେମାନେ ସ୍ୱର୍ଗଲାଭ କରନ୍ତି; ଏଥିରେ ସନ୍ଦେହ ନାହିଁ । ୨୫ । ସ୍ୱାମୀ ଯଦି ପରିତ୍ୟାଗ କରେ, ତେବେ ଉତ୍ତମା ନାରୀମାନେ କଦାଚ ତାହାଙ୍କ ପ୍ରତି କ୍ରୋଧ କରନ୍ତି ନାହିଁ । ଆପଣାର ଚରିତ୍ର ସେମାନଙ୍କର କବଚ ହୁଏ । ତଦ୍ଦ୍ୱାରା ସେମାନେ ନିଜର ପ୍ରାଣକୁ ଆବରଣ କରି ରକ୍ଷା କରନ୍ତି । ୨୬ । ପତି ଯେବେ ବିଷମାବସ୍ଥା ପ୍ରାପ୍ତ ହୋଇ ସୁଖଭ୍ରଷ୍ଟ ଓ ଜ୍ଞାନଶୂନ୍ୟ ଅବସ୍ଥାରେ ପତ୍ନୀଙ୍କୁ ପରିତ୍ୟାଗ କରେ, ତହିଁରେ ତାହାଙ୍କର କ୍ରୋଧ କରିବା ଉଚିତ ନୁହେଁ । ୨୭ । ଯେଉଁ ବ୍ୟକ୍ତି ମନଃପୀଡ଼ାରେ ଦଗ୍ଧ ହୋଇ ପ୍ରାଣଯାତ୍ରା ନିର୍ବାହ ନିମିତ୍ତ ବ୍ୟଗ୍ର ହୁଅନ୍ତେ, ପକ୍ଷୀମାନେ ତାହାର ବସ୍ତ୍ରକୁ ହରଣ କରନ୍ତି, ଏପରି ମନୁଷ୍ୟ ପ୍ରତି କୋପ କରିବା ଶ୍ୟାମା ସ୍ତ୍ରୀଙ୍କର ସମୁଚିତ ନୁହେ । ୨୮ । ପତି ତାହାଙ୍କୁ ସତ୍କାର କରିଥାନ୍ତୁ ବା ନ କରିଥାନ୍ତୁ, ପତ୍ନୀ ଯେବେ ପତିକୁ ଶ୍ରୀହୀନ, ରାଜ୍ୟଚ୍ୟୁତ, କ୍ଷୁଧିତ ଓ ଦୁଃଖମଗ୍ନ ଦେଖନ୍ତି । ୨୯ ।

 

ହେ ଭାରତ ! ଏହି ପର୍ଯ୍ୟନ୍ତ କହି ନଳ ଅତିଶୟ ଦୁଃଖିତ ହୋଇ ଆଉ ଅଧିକବେଳ ପର୍ଯ୍ୟନ୍ତ ବାଷ୍ପକୁ ରୋଧକରି ରଖିବାକୁ ଅସମର୍ଥ ହୋଇ ରୋଦନ କଲେ । ତଦନନ୍ତର ନଳ ଯାହାସବୁ କହିଲେ ଓ କଥା କହୁ କହୁ ଯେପରି ତାହାଙ୍କର ବିକାର ହେଲା, ତାହାସବୁ କେଶିନୀ ଯାଇ ଦମୟନ୍ତୀଙ୍କଠାରେ ନିବେଦନ କଲେ । ୩୧ ।

 

॥ ଅଧ୍ୟାୟ – ୭୫ ॥

 

ବୃହଦଶ୍ୱ କହିଲେ–ଶୋକପରାୟଣା ଦମୟନ୍ତୀ ଦୂତୀଠାରୁ ସବୁ ଶୁଣି ତାହାଙ୍କୁ ନଳ ବୋଲି ଆଶଙ୍କା କରି କେଶିନୀକୁ କହିଲେ, ହେ କେଶିନି ! ତୁମ୍ଭେ ପୁନଶ୍ଚ ଯାଅ । ବାହୁକଙ୍କର ପରୀକ୍ଷା କର । ତୁମ୍ଭେ କିଛି ନ କହି କେବଳ ତାହାଙ୍କ ସମୀପରେ ଥାଅ ଓ ତାହାଙ୍କର ଚରିତକୁ ଲକ୍ଷ୍ୟ କର । ୨ । ହେ ଭାବିନି ! ବାହୁକ ଯେତେବେଳେ ଯେଉଁ କୌଶଳ କରିବେ, ତୁମ୍ଭେ ତାହାଙ୍କର ସେହି କର୍ମକୁ ଉତ୍ତମରୂପେ ଦେଖିବ । ୩ । କେଶିନି ! ସେ ଯେବେ ଜଳ କି ଅଗ୍ନି ମାଗିବେ ତେବେ ତୁମ୍ଭେ କଦାପି ତାହାଙ୍କୁ ଦେବ ନାହିଁ । ଏଥିରେ ସେ ଯାହା କରିବେ, ତାହା ତୁମ୍ଭେ ଦେଖି ମୋତେ ଆସି କହିବ । ଆହୁରି ଆଉ ଯାହା କିଛି ଆଶ୍ଚର୍ଯ୍ୟ କଥା ତାହାଙ୍କର ଦେଖିବ, ତାହା ମଧ୍ୟ ମୋତେ ଆସି କହିବ । ୫ । ଦମୟନ୍ତୀ କେଶିନୀକୁ ଏହି ପ୍ରକାର କହନ୍ତେ, ସେ ଶୀଘ୍ର ନଳଙ୍କ ନିକଟକୁ ଗମନ କରି ତାହାଙ୍କ ପାଖରେ ରହି ଯେଉଁସବୁ କାର୍ଯ୍ୟ ଦେଖିଲା, ତାହା ଆସି ଦମୟନ୍ତୀଙ୍କୁ କହିଲା ।

 

ହେ ରାଜନନ୍ଦିନୀ ! ସେ ଦୃଢ଼ରୂପେ ଜଳ ଓ ଅଗ୍ନିକୁ ଜୟ କରିଅଛନ୍ତି । ତାହାଙ୍କ ସଦୃଶ ଶୁଚିବନ୍ତ ମନୁଷ୍ୟ ମୁଁ କୌଣସିଠାରେ ଦେଖି ନାହିଁ କି ଶୁଣି ନାହିଁ । ୮ । କୌଣସି ଠାରେ ସେ ଯେବେ ହ୍ରସ୍ୱଦ୍ୱାର ଦେଖନ୍ତି, ତେବେ ସେ ନତ ନ ହୋଇ ସଳଖ ଭାବରେ ଗମନ କରନ୍ତି । ସେ ଗମନ କଲାବେଳେ ସଂକୀର୍ଣ୍ଣ ଦ୍ୱାର ପ୍ରସାରିତ ହୋଇଯାଏ । ରାଜା ଋତୁପର୍ଣ୍ଣଙ୍କ ଭୋଜନ ନିମିତ୍ତ ଆମ୍ଭର ମହାରାଜା ଅନେକ ପଶୁମାଂସ ବହୁ ପରିମାଣରେ ପ୍ରେରଣ କରିଥିଲେ । ତାହାକୁ ଧୋଇବା ନିମିତ୍ତ ବହୁସଂଖ୍ୟକ କୁମ୍ଭ ରଖାହୋଇଥିଲା । ତାହାକୁ ଧୌତ କରିବାକୁ ବାହୁକ ସେହି କୁମ୍ଭମାନଙ୍କୁ ଦର୍ଶନ କଲାମାତ୍ରେ ସେସବୁ ଜଳରେ ପରିପୂର୍ଣ୍ଣ ହେଲା । ଅନନ୍ତର ସେହି ଜଳରେ ମାଂସକୁ ପ୍ରକ୍ଷାଳନ କରି ବାହୁକ ପାକପାତ୍ରକୁ ଚୁଲୀରେ ବସାଇଲେ । ତତ୍‍ପରେ ମୁଠାଏ ତୃଣ ନେଇ କାଷ୍ଠ ମଧ୍ୟରେ ଦିଅନ୍ତେ ସହସା ଅଗ୍ନି ପ୍ରଜ୍ୱଳିତ ହେଲା । ୧୩ । ଏହି ଆଶ୍ଚର୍ଯ୍ୟ କର୍ମମାନ ଦେଖି ବିସ୍ମିତା ହୋଇ ଏଠାକୁ ଆଗମନ କଲି । ୧୪ । ହେ ଶୁଭେ ! ଅଗ୍ନିକୁ ସ୍ପର୍ଶ କଲେ ହେଁ ତାହାଙ୍କର ଦେହ ଦଗ୍ଧ ହୁଏ ନାହିଁ; ଅଥଚ ଇଚ୍ଛାକଲା ମାତ୍ରକେ ଜଳ ଆପେ ବହିଯାଏ । ୧୫ । ଆହୁରି ଏହି ମହତ୍ ଆଶ୍ଚର୍ଯ୍ୟ ଦେଖିଲି ଯେ ସେ ପୁଷ୍ପମାନଙ୍କୁ ଆଣି ହସ୍ତରେ ମୃଦୁଭାବରେ ମର୍ଦ୍ଦନ କଲେ । ୧୬ । କିନ୍ତୁ ଦୁଇ ହସ୍ତରେ ମର୍ଦ୍ଦିତ ହୋଇ ସୁଦ୍ଧା ସେହି ପୁଷ୍ପ ଅନ୍ୟଥା ରୂପ ଧାରଣ କଲା ନାହିଁ; ପରନ୍ତୁ ଅଧିକ ସୁଗନ୍ଧିତ ହେଲେ ଓ ଉଜ୍ଜ୍ୱଳ ଦିଶିଲେ । ଏହିସବୁ ଅଦ୍ଭୁତ ଚିହ୍ନମାନଙ୍କୁ ଦେଖି ମୁଁ ଶୀଘ୍ର ଆଗମନ କଲି-। ୧୭ ।

 

ବୃହଦଶ୍ୱ ବୋଇଲେ, ପୁଣ୍ୟଶ୍ଲୋକଙ୍କର ଏହିସବୁ ଅଦ୍ଭୁତ କର୍ମ ଦେଖି ଦମୟନ୍ତୀ ଜାଣିଲେ ଯେ ନଳ ଆଗମନ କରିଅଛନ୍ତି । ୧୮ । ବାହୁକକୁ ସେ ନିଜର ସ୍ୱାମୀ ଶଙ୍କା କରି ପୁନର୍ବାର ଇଙ୍ଗିତଦ୍ୱାରା କେଶିନୀକୁ ମଧୁର ବଚନରେ ରୋଦନ କରି କରି କହିଲେ । ହେ କେଶିନି ! ତୁମ୍ଭେ ପୁନର୍ବାର ଗମନ କର ଓ ବାହୁକ ଅନ୍ୟମନସ୍କ ଥିବାବେଳେ ରନ୍ଧନାଗାରରେ ତାହାଙ୍କର ପାଚିତ ମାଂସ କିଛି ଆଣିବ । ୨୦ । ହେ କୁରୁନନ୍ଦନ ! ପ୍ରିୟକାରିଣୀ କେଶିନୀ ତତ୍‌କ୍ଷଣାତ ବାହୁକଙ୍କ ନିକଟକୁ ଗମନ କରି ଅବସରକ୍ରମେ ସେଠାରୁ ଅତ୍ୟୁଷ୍ଣ ମାଂସରୁ କିଛି ଘେନି ସତ୍ୱର ଦମୟନ୍ତୀଙ୍କୁ ପ୍ରଦାନ କଲେ । ୨୧ । ପୂର୍ବରୁ ନଳରାଜାଙ୍କର ପାଚିତ ବହୁବିଧ ମାଂସର ସ୍ୱାଦୁକୁ ଦମୟନ୍ତୀ ଆସ୍ୱାଦନ କରିଥିଲେ । ବର୍ତ୍ତମାନ କେଶିନୀ ଯେଉଁ ମାଂସ ଆଣିଲା, ତାହାକୁ ଚାଖି ସାରଥି ବାହୁକକୁ ନଳ ବୋଲି ନିଶ୍ଚୟ କରି ଅତିଶୟ ଦୁଃଖିତ ମନରେ ରୋଦନ କଲେ । ୨୨ । ତତ୍‍ପରେ ପରମ ବିକଳ୍ପ ହୋଇ ମୁଖ ପ୍ରକ୍ଷାଳନ କରି ସନ୍ତାନ ଦୁହିଁଙ୍କୁ କେଶିନୀ ସଙ୍ଗରେ ପ୍ରେରଣ କଲେ ।

 

ହେ ଭାରତ ! ଇନ୍ଦ୍ରସେନା ଓ ତାହାର ଭ୍ରାତାକୁ ବାହୁକ ଚିହ୍ନିଲେ । ୨୪ । ତତ୍‍ପରେ ଦଉଡ଼ି ଯାଇ ଦେବସନ୍ତାନ ସଦୃଶ ଦୁଇ ସୂତଙ୍କୁ ଆଲିଙ୍ଗନ କରି ଅଙ୍କରେ ବସାଇଲେ । ୨୫ । ଓ ଦୁଃଖିତ ଅନ୍ତଃକରଣରେ ସୁସ୍ୱରରେ ପୁନଃପୁନଃ ରୋଦନ କଲେ । ନିଷଧାଧିପତି ଆପଣାର ଚିତ୍ତ ବୈକ୍ଳବ ବହୁଥର ପ୍ରଦର୍ଶନ କରି ସହସା ସନ୍ତାନ ଦୁହିଁଙ୍କୁ ବିସର୍ଜନ କରି କେଶିନୀକୁ କହିଲେ । ୨୬-। ହେ ଭଦ୍ରେ ! ମୋର ଏହିପରି ଦୁଇଗୋଟି ସନ୍ତାନ ଅଛନ୍ତି । ଅତଏବ ଏମାନଙ୍କୁ ଦେଖି ସହସା ମୋର ସୂତା ମନେ ପଡ଼ିବାରୁ ମୁଁ ରୋଦନ କଲି । ୨୭ । ହେ ଭଦ୍ରେ ! ବହୁତ ଥର ତୁମ୍ଭେ ଗତାଗତ କଲଣି । ଲୋକେ ସନ୍ଦେହ କରିବେ । ଆମ୍ଭେ ବିଦେଶୀ ଅତିଥି ! ଅତଏବ ତୁମ୍ଭେ ସୁଖରେ ପ୍ରତିଗମନ କର । ୨୮ ।

Image